• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିଉଜ ଡେସ୍କ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଉରକେଲା ଷ୍ଟିଲ ପ୍ଳାଣ୍ଟ ସମ୍ପ୍ରସାରିତ ଇଉନିଟର ଲୋକାର୍ପଣ

April 1, 2015 by ନିଉଜ ଡେସ୍କ Leave a Comment

ରାଉରକେଲା, ଏପ୍ରିଲ ୧ (ଓଡିଶା ଡଟ କମ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ତାଙ୍କର ଦିନିକିଆ ରାଉରକେଲା ଗସ୍ତ ଆରମ୍ଭକରି ସେଠାରେ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ କରିଛନ୍ତି ।

RSPଏହା ଦ୍ଵାରା ଷ୍ଟିଲ ପ୍ଳାଣ୍ଟର ବାର୍ଷିକ କ୍ଷମତା ଦୁଇ ମିଲିୟନ ଟନରୁ ୪.୫ ମିଲିୟନ ଟନ କୁ ବୃଦ୍ଧି ପାଇଛି। ମୋଦି ଏଇ ଅବସରରେ ଆୟୋଜିତ ଏକ ଜନ ସଭା କୁ ସମ୍ବୋଧିତ କରିବା ସହ ସ୍ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଭିଜନ- ୨୦୨୫ ମଧ୍ୟ ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ।

ସ୍ଵତନ୍ତ୍ର ଗ୍ରେଡର ଇସ୍ପାତ ନିର୍ମାଣ ତଥା କଠିନ ଗୁଣବତ୍ତା ସୁନିଶ୍ଚିତ କରୁଥିବା ପାଇଁ ରାଉରକେଲାର ଏକ ସ୍ଵତନ୍ତ୍ର ପରିଚୟ ରହିଛି, ଯେଉଁଥିପାଇଁ କାରଖାନା ପ୍ରତିରକ୍ଷା ବିଭାଗ ସମେତ ଅନେକ ପ୍ରତିବଦ୍ଧ ଗ୍ରାହକ ସୃଷ୍ଟି କରିପାରିଛି । ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧପୋତ ବହନକାରୀ ଆଇଏନଏସ ବିକ୍ରାନ୍ତ ଏବଂ ଯୁଦ୍ଧ ଟ୍ୟାଙ୍କ ଅର୍ଜ୍ଜୁନ ଏହାର ଜ୍ଜ୍ଵଳନ୍ତ ପ୍ରତିଫଳନ ମାତ୍ର ।

ଏହି ନୂତନ ପ୍ଳାଣ୍ଟ ଗୁଡିକ କାର୍ଯ୍ୟକ୍ଷମ ହେବା ସହିତ ଆରଏସପି ପରିବର୍ଦ୍ଧିତ ଗ୍ରାହକଙ୍କଠାରୁ ଆପେକ୍ଷିତ ଅଧିକ ସ୍ଵତନ୍ତ୍ର ଓ ନିର୍ଦ୍ଧିଷ୍ଟ ଆବଶ୍ୟକତା ଗୁଡିକ ପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଏହି କ୍ରମରେ ସ୍ଥାପିତ ହୋଇଥିବା ଅନ୍ୟ ପ୍ରମୁଖ ୟୁନିଟ ଗୁଡିକ ହେଉଛି, ନୂତନ ର’ମେଟେରିୟାଲ ହ୍ୟାଣ୍ଡଲିଙ୍ଗ ପ୍ଳାଣ୍ଟ, ନୂତନ ସିଣ୍ଟର ପ୍ଳାଣ୍ଟ, ନୂତନ କୋକ ଓଭନ ବ୍ୟାଟେରୀ-୬, ଏକ ନୂତନ ବେସିକ ଅକ୍ସିଜେନ ଫର୍ଣ୍ଣେସ, ଏକ ନୂତନ ସ୍ଲାବ କାଷ୍ଟର ଏବଂ ଏକ ନୂତନ ପ୍ଳେଟ ମିଲ ।

ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବା ସହିତ ଉନ୍ନତ ଗୁଣମାନ, କମ ଉତ୍ପାଦନ ଖର୍ଚ୍ଚ , ପରିବର୍ଦ୍ଧିତ ଗ୍ରାହକ ସୀମା ଏବଂ ଉନ୍ନତତର ପରିବେଶ ପରିଚାଳନା ଇତ୍ୟାଦି ଏହି ଆଧୂନିକୀକରଣ ଏବଂ ସଂପ୍ରସାରଣର ଅନ୍ୟତମ ବୈଶିଷ୍ଟ୍ୟ ଅଟେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଉତ୍ପାଦନ, ପ୍ରଧାନମନ୍ତ୍ରୀ

ଘରମାଲିକଙ୍କୁ ଦେବାକୁ ପଡିବ ଭଡ଼ାଟିଆଙ୍କ ତଥ୍ୟ

April 1, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୧(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଭୁବନେଶ୍ୱରରେ ଘର ଭଡା ଦେଇଥିବା ଘର ମାଲିକଙ୍କୁ ଭଡାଟିଆଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପୁଲିସ ପାଖରେ ଏକ ନିର୍ଦିଷ୍ଟ ଫର୍ମ ରେ ଦଶଦିନ ମଧ୍ୟରେ ଦାଖଲ କରିବାକୁ ପଡିବ।

ଦ୍ଵେତ ସହରକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଘର ମାଲିକ ଏହି ଫର୍ମ କମିଶନରେଟ ପୁଲିସ ର ୱେବସାଇଟ ରୁ ଡାଉନଲୋଡ କରିପାରିବେ ଓ ଆବଶ୍ୟକୀୟ ତଥ୍ୟ ନିକଟସ୍ଥ ଥାନା ରେ ଦାଖଲ କରିବାକୁ କୁହା ଯାଇଛି ।

ନିୟମ ଉଲଂଘନ କଲେ ଘର ମାଲିକ ମାନେ ଆଇନ ଅନୁସାରେ ଛଅ ମାସ ଜେଲ ଏବଂ ଏକ ହଜାର ଟଙ୍କା ଜରିମାନ। ଦାଖଲ କରିବାର ବ୍ୟବସ୍ଥା ରହିଛି ବୋଲି ପୁଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଘର ମାଲିକ ମାନଙ୍କୁ ଏପ୍ରିଲ ଆଠ ତାରିଖରୁ ଜୁନ ଛଅ ମଧ୍ୟରେ ଏହି ତଥ୍ୟ ଦାଖଲ କରିବାକୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ଅପରାଧମୁକ୍ତ, ଘରମାଲିକ, ଭଡ଼ାଟିଆ

ଆରିସା ପିଠା

June 25, 2012 by ନିଉଜ ଡେସ୍କ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ- ୨୫୦ ଗ୍ରାମ, ଗୁଡ- ୨୫୦ ଗ୍ରାମ, ପାଣି ଦେଢ କପ, ଛଣିବା ପାଇଁ ରିଫାଇନ ତେଲ କିମ୍ବା ଡାଲଡା ଘିଅ,
ଚୋପା ଛଡା ରାଶି-୫୦ ଗ୍ରାମ ।

ପ୍ରସ୍ତୁତି ପ୍ରଣାଳୀ:

arisaଅରୁଆ ଚାଉଳକୁ ୧ ଘଣ୍ଟା ପାଣିରେ ବତୁରାନ୍ତୁ। ଚାଉଳ ବୁଡିଗଲେ ଚାଉଳକୁ ଭଲଭାବରେ ଧୋଇ ପାଣିରୁ ଛାଣି ଶୁଖାଇ ଦିଅନ୍ତୁ । ଚାଉଳକୁ ଗୁଣ୍ଡ କରି ଚଲାରେ ଚଲାଇ ରଖନ୍ତୁ ।

ଚୁଲିରେ କଡ଼ାଇ ବସାଇ ଦେଢ କପ ପାଣି ଦିଅନ୍ତୁ । ପାଣି ଫୁଟି ଗଲେ ସେଥିରେ ଗୁଡ ପକାନ୍ତୁ। ଗୁଡ ପକାଇ ଭଲ ଭାବରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ।

ଗୁଡ ବହଳିଆ ହୋଇଆସିଲେ ଗୋଟିଏ ପାତ୍ର ଅଳ୍ପ ଥଣ୍ଡା ପାଣି ନିଅନ୍ତୁ । ଫୁଟୁଥିବା ଗୁଡକୁ ବୁନ୍ଦା ବୁନ୍ଦା କରି ପାଣିରେ ପକାନ୍ତୁ । ପାଣି ତଳେ ଯଦି ଗୁଡ ବୁନ୍ଦା ଗୁଡିକ ବସିଯାଏ ତା’ହେଲେ ଗୁଡ ପାଗ ହୋଇଗଲାଣି ବୋଲି ଜାଣିବେ।

ବର୍ତ୍ତମାନ ପୂର୍ବରୁ ଗୁଣ୍ଡ କରି ରଖିଥିବା ଚାଉଳକୁ ଧିରେ ଧିରେ ଗୁଡ ଫୁଟୁଥିବା ଅବସ୍ଥାରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ । ଚାଉଳ ଭଲଭାବରେ ଗୁଡାରେ ମିଶିଗଲେ ଚୁଲିରୁ ଓହ୍ଲାଇ ଜନ୍ତଣିକୁ ପ୍ଳେଟରେ କାଢି ଥଣ୍ଡା କରନ୍ତୁ।

ଏକ କଡ଼ାଇରେ ରିଫାଇନ ତେଲ କିମ୍ବା ଡାଲଡା ଘିଅ ଦିଅନ୍ତୁ। ଜନ୍ତଣିକୁ ଛୋଟ ଛୋଟ ଗୁଳା କରି ହାତରେ ପୁରୀ ଆକାରରେ ଗଢି ରାଶି ଉପରେ ଗଡାଇ ତେଲରେ ପକାଇ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡ଼ାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ଆରିସା ପିଠା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ Tagged With: ଆମ ରୋସେଇ ଘରୁ, ଆରିସା ପିଠା

ମାଠ କାକରା

June 25, 2011 by ନିଉଜ ଡେସ୍କ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ଅଟା-୨୫୦ ଗ୍ରାମ, ଅରୁଆ ଚାଉଳ ଗୁଣ୍ଡ-୧୫୦ ଗ୍ରାମ, ଚିନି କିମ୍ବା ଗୁଡ-୩୫୦ ଗ୍ରାମ, ନଡିଆ ୧ଟା (କୋରା), ଛେନା-୨୫୦ ଗ୍ରାମ, ଗୋଲ ମରିଚ ଗୁଣ୍ଡ-୧୦ ଗ୍ରାମ, ସ୍ଵାଦ ପାଇଁ ଲୁଣ ଚିମୁଟାଏ, ଛଣିବା ପାଇଁ ରିଫାଇନ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ଚୁଲିରେ କଡ଼ାଇ ବସାଇ ୩/୪ କପ ପାଣି ଦିଅନ୍ତୁ। ସେଥିରେ ଚିନି କିମ୍ବା ଗୁଡ ଓ ସ୍ଵାଦ ପାଇଁ ଲୁଣ ପକାନ୍ତୁ । ପାଣି ଭଲ ଭାବରେ ଫୁଟିଗଲେ ଅଟା ଓ ଅରୁଆ ଚାଉଳ ଏକାଠି ମିଶାଇ ଧୀରେ ଧୀରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ ।

ଧିମି ଆଞ୍ଚରେ ପାଞ୍ଚ ମିନିଟ ଢାଙ୍କୁଣି ଘୋଡାଇ ବସାନ୍ତୁ । ଚୁଲିରୁ ଓହ୍ଲାଇ ଗୋଟିଏ ପାତ୍ରରେ ଜନ୍ତଣିକୁ କାଢି ଥଣ୍ଡା କରନ୍ତୁ। ଜନ୍ତଣି ଥଣ୍ଡା ହୋଇଗଲେ ପାଣିହାତ କରି ଭଲ ଭାବରେରେ ଚକଟି ରଖନ୍ତୁ । ଜନ୍ତଣିକୁ ଛୋଟଛୋଟ ଗୁଲ କରି ରଖନ୍ତୁ ।

ପୁର ପ୍ରସ୍ତୁତି ପ୍ରଣାଳୀ

କୋରା ନଡିଆରେ ଗୁଡ କିମ୍ବା ଚିନି, ଛେନା ଗୋଲମରିଚ ଗୁଣ୍ଡ ମିଶାଇ ଭଲଭାବରେ ଚକଟି ରଖନ୍ତୁ । ଚୂଲିରେ କଢାଇ ବସାଇ ନଡିଆ ପୁରକୁ ସେଥିରେ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ପାଣି ଶୁଖି ପୁର ଝୁରଝୁରା ହୋଇଗଲେ ପ୍ଳେଟରେ କାଢି ଥଣ୍ଡା କରନ୍ତୁ ।

ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗୁଳାକୁ ହାତରେ ନେଇ ପାପୁଲି ସାହାଯ୍ୟରେ ଗିନା ଆକାରର ଗଢି ଭିତରେ ନଡିଆ ପୁର ଦେଇ ଚାରିପଟୁ ଏକାଠି କରି ବନ୍ଦ କରନ୍ତୁ । ଭଲ ଭାବରେ ଉପରି ଭାଗଟିକୁ ବନ୍ଦ କରି ହାତରେ ଚଟକ କରି ଦିଅନ୍ତୁ ।

ବର୍ତ୍ତମାନ ଅନ୍ୟ ଏକ କଡାଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗଢି ରଖିଥିବା ପିଠା ଗୁଡିକୁ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

କଡାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ମାଠ କାକରା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ Tagged With: ଆମ ରୋସେଇ ଘରୁ, ମାଠ କାକରା

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

November 24, 2010 by ନିଉଜ ଡେସ୍କ Leave a Comment

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

ନିଜ ପ୍ରଥମ କବିତା ସଂକଳନରେ “ହ୍ୱେୟାର ସାଲ ଆଇ ଗୋ”(ମୁଁ କେଉଁଠିକି ଯିବି) ବୋଲି ନିଜକୁ ପଚାରୁଥିବା କବି ବିଷ୍ଣୁପଦ ସେଠୀ, ଏବେ ତାଙ୍କ ଶବ୍ଦ ଦୁନିଆ(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍)ରେ ପହଞ୍ଚି ଯାଇଛନ୍ତି ।

bishnupada_sethiମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍ (ମୋ ଶବ୍ଦର ଦୁନିଆ)ର କବିତା ସଂକଳନରେ ଥିବା କବିତା ମାନଙ୍କ ଭିତରକୁ ପ୍ରବେଶ କଲେ ପାଠକକୁ ହିଁ ହଜି ଯିବାକୁ ପଡ଼ିଥାଏ । ବିଷ୍ଣୁପଦଙ୍କ କବିତା ଭିତରେ ଜଣେ ପାଠକ ଏଇଥି ପାଇଁ ସହଜରେ ନିଜକୁ ହଜେଇ ଦେଇ ପାରିବ ବୋଧହୁଏ ଯେ ତାଙ୍କ କବିତା ଖୁବ୍ ସରଳ ଭାବାର୍ଥରେ ଓ ବୋଧଗମ୍ୟ ଭାଷାରେ ଲିପିବଦ୍ଧ ହୋଇଥାଏ ।

ଅନ୍ୟ ପକ୍ଷରେ ଏତେ ଭୟଙ୍କର ଦାର୍ଶନିକତା ନ ଥାଏ ଯେ ପାଠକ, କବିତା ପଢୁପଢୁ ଦର୍ଶନ ଭିତରେ ପୋତି ହୋଇଯିବ । ନିତି ଦିନିଆ ଛୋଟ ଛୋଟ ଘଟଣା, ସମ୍ବେଦନା, ସହାନୁଭୂତି, ପ୍ରେମ, ଅନୁଭବ, କରୁଣା ଇତ୍ୟାଦିକୁ ନେଇ ବିଷ୍ଣୁପଦ ଗଢନ୍ତି ତାଙ୍କ ଶବ୍ଦର ଦୁନିଆ ।

ଏମିତି ବି କବିତା ମାନ ବିଷୟବସ୍ତୁ ସର୍ବସ୍ୱ ନୁହେଁ ଯେଉଁଠି ପାଠକକୁ କବିତାଟି ଗଦ୍ୟମୟତାରେ ଅଣନିଃସ୍ୱାସୀ ଲାଗିବ । ବିଷୟବସ୍ତୁ ଚୟନ ଓ କବିତାର ବୋଧଗମ୍ୟତାକୁ ନିରୀକ୍ଷଣ କଲେ ଲାଗେ, ଯେମିତି କେହି ଜଣେ ଏକ ଝଙ୍କାଳିଆ ଆମ୍ବଗଛରବଣ ଭିତରେ ଏକା ଏକା ଯାଉଛି ଏବଂ ତାକୁ କୋଇଲିର ଟାଇଁଟାଇଁ ଶବ୍ଦ ଚମକେଇ ଦେଉଛି ।

ଲୋକଟି ନିକଟରେ ଡ଼ାକ ପାରୁଥିବା କୋଇଲିକୁ ଦେଖିବାକୁ ଚେଷ୍ଟା କରୁଛି ହେଲେ ଦେଖିସିନା ପାରୁନି କିନ୍ତୁ ତା’ ଡ଼ାକରେ ଶିହରି ଉଠୁଛି । ବିଷ୍ଣୁପଦଙ୍କ କବିତାର ବିଷୟବସ୍ତୁ କୋଇଲି ସଦୃଶ୍ୟ ହେଲେ କବିତା ଭିତରର ଅର୍ନ୍ତି ନିର୍ହିତ ଭାବ ଓ ବୋଧଗମ୍ୟତା ହେଉଛି କୋଇଲିର ଡ଼ାକ ।

ପୃଥିବୀରେ ଭଲ ପାଇବା ଛଡ଼ା ବୋଧହୁଏ କିଛି ନାହିଁ ଯାହାକି ଏକ ମଣିଷକୁ ସଂପୂର୍ଣ୍ଣ ମଣିଷ ପଣିଆର ଦର୍ଜା ଦେଇ ସମାଜରେ ଠିଆ କରେଇ ପାରିବ । ଏହି କଥାର ସତ୍ୟତାକୁ ପ୍ରତିପାଦିତ କରିବାକୁ ଯାଇ କବି ବିଷ୍ଣୁପଦ କହନ୍ତି
..କେହି ନା କେହି
କାହାକୁ ନା କାହାକୁ
ନିଶ୍ଚୟ ଭଲ ପାଉଥିବ
କାରଣ ମଣିଷ ମାତ୍ରକେ ହିଁ
ପ୍ରେମରେ ବନ୍ଧା…….
…………………….
ଏ ବିଶ୍ୱ ପ୍ରେମରେ ଗଢା,

ପ୍ରେମର କଥା କହୁଥିବା ବିଷ୍ଣୁପଦ କେବଳ ନିଜ ପ୍ରେମରେ କବିତାକୁ ସୀମିତ କରି ରଖିନାହାନ୍ତି ବରଂ ବିଶ୍ୱପ୍ରେମ ସହ, ଆଧ୍ୟାତ୍ମିକ ପ୍ରେମର କଥା ମଧ୍ୟ କହୁଛନ୍ତି । ପ୍ରେମକୁ ବଞ୍ଚେଇ ରଖିବା ପାଇଁ ପ୍ରେମିକାର ଶାରୀରୀକ ଉପସ୍ଥିତି ଯେତେ ଗୁରୁତ୍ୱ ନୁହେଁ ବରଂ ତାର ସ୍ମୃତି ହିଁ ପ୍ରେମିକକୁ ଜୀବିତ କରି ରଖିଥାଏ ।

ସିଏ କହନ୍ତି ପ୍ରେମିକାର ଉପଲବ୍ଧôରେ ହିଁ ପ୍ରେମ ଘନିଭୂତ ହୋଇଥାଏ ଯାହାକି ମେଘର ବାଟକୁ ବି ଓଗାଳିବାକୁ ସମର୍ଥ ହୋଇଥାଏ । ଏଠାରେ ମୁଖ୍ୟ କଥା ଯେ “ପ୍ରେମରେ କିନ୍ତୁ ନିପୁଣତା” ରହିବା ଉଚିତ । ତାଙ୍କ ଭାଷାରେ

“ତୁ କିଏ?
କାହିଁକି ମୋ ସହ ରହିଥାଉ ! ”

ପ୍ରେମିକାର ଉପସ୍ଥିତିକୁ କବିତାରେ ଏଭଳି ମାର୍ମିକ ଆବେଦନରେ ପ୍ରଶ୍ନ କରୁଥିବା କବି ବି ଖୋଜନ୍ତି ଇଶ୍ୱରଙ୍କ ଉପସ୍ଥିତି ଓ ବିଶ୍ୱାସକୁ , ସ୍କୁଲ ବେଳେ ଗଛ ଲଗାଇଥିବା ସ୍ମୃତିକୁ ଏବଂ ଖାସ୍ କରି କୌଣସି ଏକ ମହିମା ଧର୍ମର ସାଧୁଙ୍କୁ ଯାହାଙ୍କ ଅବର୍ତ୍ତମାନ ଘାରିଥାଏ ତାଙ୍କୁ ବେଶୀବେଶୀ ।

ମହିମା ଧର୍ମର ଏହି ସାଧୁ ଜଣକ ଇତିହାସ ପାଲଟିଲେ କି ନାହିଁ, ତା ତ ଆକଳନ କରିବା ସହଜ ନୁହେଁ । ତେବେ ଏହି ଇତିହାସକୁ ପ୍ରତିଷ୍ଠା ଦେଇଛନ୍ତି ଶ୍ରୀ ବିଷ୍ଣୁପଦ ସେଠୀ, କେବଳ ତାଙ୍କ ବହିକୁ ” ମହିମା ଅଲେଖ’କୁ ଉତ୍ସର୍ଗ କରି ନୁହେଁ ବରଂ ନିଜ କନ୍ୟା ଓ ପୁତ୍ର ସନ୍ତାନ ଦ୍ୱୟଙ୍କୁ “ମହିମା” ଓ “ଅଲେଖ” ଭାବରେ ନାମ କରଣ କରି ।

ସେହିଭଳି ଅନ୍ୟ ଏକ ଐତିହାସିକ ଘଟଣାକୁ ଦୋହୋରେଇ ବିଷ୍ଣୁପଦ ଲେଖନ୍ତି କଳିଙ୍ଗ ଯୁଦ୍ଧର କଥା । ସିଏ ଦୟା ନଦୀ କଡ଼ରେ ଠିଆ ହୋଇ ଇତିହାସକୁ ଯେମିତି ଉଦ୍ଜୀବିତ କରନ୍ତି ଏବଂ ନିଜକୁ ଏକ ସ୍ୱଭାବିକ ପ୍ରଶ୍ନ କରନ୍ତି ଯେ “କଳିଙ୍ଗ ଯୁଦ୍ଧ ସମୟରେ ହୁଏତ ମୋର ପୂର୍ବ ପୁରୁଷ ନିଶ୍ଚୟ ଥିଲେ ? ସେମାନେ ହାରିବା ଦଳରେ ଥିଲେ ନା ଜିତିବା ଦଳରେ ?

ଏଇ ପ୍ରଶ୍ନ ଟିକକ କବିତାରୁ ବାହାରି ଆସି ଇତିହାସ ପୃଷ୍ଠାକୁ ଯେତେବେଳେ ବାଟ କଢାଏ ତ’ ଲାଗେ ଏଇ ଧାଡ଼ିକ କବିତା ପାଇଁ ହିଁ କବି ବଞ୍ଚି ରହିବ ଅନେକ କାଳ !

ଇତିହାସରେ ସ୍ଥାନ ପାଇବା ପାଇଁ ସାମାନ୍ୟତମ ବି ଆସ୍ଫର୍ଦ୍ଧା ରଖିନଥିବା “ମୋ ଶବ୍ଦର ଦୁନିଆ” କବିତା ସଙ୍କଳନର ପ୍ରଥମ କବିତାରେ ଜଣେ ସାଧାରଣ ଆଦିବାସୀ ନିର୍ବିକାର ଭାବରେ ଘୋଷଣା କରିଛି ।

“ମୁଁ ସାମାନ୍ୟତମ ବି ବ୍ୟସ୍ତ ନୁହେଁ
କାରଣ ଏଥି ପୂର୍ବରୁ ଏଠାରେ
ମୁଁ କେବେ ବି ନଥିଲି
ଏବଂ ନିଶ୍ଚିତ ଯେ
ଭବିଷ୍ୟତରେ ବି ରହିବି ନାହିଁ
ଏପରିକି
କାହାରିବି ଆବଶ୍ୟକତା ନାହିଁ
ମନେରଖିବାକୁ ଯେ
ମୁଁ ଏଇଠି କିଛି ସମୟ ରହିଥିଲି” ।

ଏଭଳି ଦାମ୍ଭିକତା ଭରପୁର, ନିର୍ବିକାର ଓ ନିର୍ଲିପ୍ତ ଜିଉରେ ଆଦିବାସୀର ଭାବ କହୁଥିବା ବିଷ୍ଣୁପଦ ସେଠୀ ବାସ୍ତବରେ ନିଜର କଥା କହୁଛନ୍ତି ନା ଆଦିବାସୀର କଥା କହୁଛନ୍ତି, ପାଠକେ ତାଙ୍କ “ମୋ ଶବ୍ଦର ଦୁନିଆ”(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍) କବିତା ବହିକୁ ପ୍ରବେଶ କଲେ ହିଁ ବିଚାର କରିପାରିବେ ।

ବାସୁଦେବ ସୁନାନୀ

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: "ହ୍ୱେୟାର ସାଲ ଆଇ ଗୋ'', କବି ବିଷ୍ଣୁପଦ ସେଠୀ

୨୦୧୨ ସୁଦ୍ଧା ସମସ୍ତ ବ୍ଲକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ

May 15, 2010 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର,ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିଳ୍ପ ବିକାଶ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ୨୦୧୨ ସୁଦ୍ଧା ସମସ୍ତ ବ୍ଲକରେ ଶିଳ୍ପ ତାଲିମ ଅନୁଷ୍ଠା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଷୟିକ ଦକ୍ଷତା ସଂପନ୍ନ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରୀ ସ୍ତର ବ୍ୟତୀତ ବିଭିନ୍ନ ଶିଳ୍ପସଂସ୍ଥା, ଘରୋଇ ସଂସ୍ଥା ଓ ସରକାରୀ ଘରୋଇ ଭାଗିଦାରିରେ ଏହି ପ୍ରତିଷ୍ଠାନ କରାଯିବ । ସରକାରଙ୍କ ପ୍ରସ୍ତାବ କ୍ରମେ ୨୭ଟି ଶିଳ୍ପ ସଂସ୍ଥା ବିଭିନ୍ନ ବ୍ଲକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

ଆସନ୍ତା ୨୦ ତାରିଖରେ ଦଶଟି ସଂସ୍ଥା ସହ ଏହି ପ୍ରତିଷ୍ଠାନ ଖୋଲାଯିବା ସଂପର୍କରେ ବୁଝାମଣା ପତ୍ର ସ୍ୱାକ୍ଷର ହେବ ବୋଲି କୁହାଯାଇଛି ।

ବଣ୍ଡା ଆଦିମ ଜନଜାତିର ପିଲାମାନଙ୍କୁ ବୈଷୟିକ ତାଲିମ ପାଠ୍ୟକ୍ରମ ପ୍ରତି ଆକୃଷ୍ଟି କରିବା ପାଇଁ ସ୍ୱତନ୍ତ୍ର ବୃତ୍ତି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ବୈଷୟିକ ତାଲିମ ପାଠ୍ୟକ୍ରମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଶିଳ୍ପାୟନ ଏବଂ ପରିବେଶ ଭିତରେ ସନ୍ତୁଳନ ରଖାଯିବ:

February 2, 2006 by ନିଉଜ ଡେସ୍କ Leave a Comment

ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର,ଫେବୃୟାରୀ ୨ (ଓଡିଶା ଡ଼ଟ୍ କମ୍), ଗତ ମାସ ପୋଲିସ ଗୁଳିରେ ବାର ଜଣ ଆଦିବାସୀଙ୍କ ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ମହଲଠାରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଜାନୁୟାରୀ ଦୁଇ ତାରିଖରେ ଯାଜପୁର ଜିଲ୍ଳାର କଳିଙ୍ଗନଗରଠାରେ ହୋଇଥିବା ଏହି ନାରକୀୟ କାଣ୍ଡ ଉପରେ ବିରୋଧୀ ଦଳଗୁଡିକ ତାଙ୍କର ଇସ୍ତଫା ଦାବି କରିଥିବାବେଳେ ଶାସକ ମେଣ୍ଟର ଅଂଶୀଦାର ବିଜେପି ତାଙ୍କୁ ସହଯୋଗର ହାତ ବଢାଇ ନାହିଁ ।

naveenଏକ ପ୍ରକାର ଏକୁଟିଆ ହୋଇ ପଡିଥିବା ନବୀନ ପରିସ୍ଥିତିର ମୁକାବିଲା କରିବା ପାଇଁ କ’ଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଇଂରାଜୀ ଦୈନିକ “ଦି ହିନ୍ଦୁ” ର ଓଡ଼ିଶା ସମ୍ବାଦଦାତା ପ୍ରଫୁଲ୍ଲ ଦାସଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି ।

ଗୁଳିକାଣ୍ଡ ପରେ ଏହା ହେଉଛି କୌଣସି ଗଣମାଧ୍ୟମର ସହ ତାଙ୍କର ପ୍ରଥମ ସାକ୍ଷାତକାର । ପ୍ରସ୍ତୁତ କରୁଛୁ ଗୁରୁବାର ପ୍ରକାଶିତ ଏହି ସାକ୍ଷାତକାରର ଅନୁବାଦ ।

କଳିଙ୍ଗନଗର ଘଟଣା ଉପରେ ଆପଣଙ୍କ ସରକାର ସବୁ ମହଲରେ ସମଲୋଚନାର ଶିକାର ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ?

କଳିଙ୍ଗନଗରରେ ଯାହା ସବୁ ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତେବେ ଆମ ସରକାର ଏହି ସମୟରେ ତୁରନ୍ତ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ସହ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି । ସରକାର ପ୍ରଭାବିତ ଆଦିବାସୀମାନଙ୍କ ସହ ଆଲୋଚନାର ଦ୍ୱାର ଖୋଲା ରଖିଛନ୍ତି ।

ପୁନର୍ବାସ ଏବଂ ଥଇଥାନ ନୀତିକୁ ଆହୁରି ମାନବୀୟ ଏବଂ ସମବେଦନାମୂଳକ କରିବା ପାଇଁ ଆମେ ଗୁରୁତ୍ୱ ଦେଉଛୁ । ଏହି ନୀତିର ସମୀକ୍ଷା କରି ସେଥିରେ ଉନ୍ନତି ଆଣିବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏ ଦିଗରେ ଆଦିବାସୀ ନେତା, ପ୍ରମୁଖ ବେସରକାରୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବିମାନଙ୍କର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ମନସ୍ଥ କରିଛୁ ।

ଗତ ଜାନୁୟାରୀ ଦୁଇ ତାରିଖରୁ କଳିଙ୍ଗନଗରରେ ଆଦିବାସୀମାନେ ଆନ୍ଦୋଳନ ଜାରୀ ରଖିଛନ୍ତି । ରାଜ୍ୟର ଅନ୍ୟ ସ୍ଥାନର ଆଦିବାସୀମାନଙ୍କୁ ଏହି ଆନ୍ଦୋଳନ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ଅନ୍ୟ ଅଞ୍ଚଳକୁ ଆଦିବାସୀ ଆନ୍ଦୋଳନ ବ୍ୟାପି ନାହିଁ । କଳିଙ୍ଗନଗରରେ ଆମେ ଶାନ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ବିସ୍ଥାପିତ ଲୋକମାନଙ୍କ ସହ ଲାଗାତାର ଆଲୋଚନା କରି ଶାନ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ମୁଁ ଆଦିବାସୀମାନଙ୍କୁ ଆଲୋଚନା ପ୍ରସ୍ତାବ ମଧ୍ୟ ଦେଇଛି ।

ଏହି ଘଟଣା ପରେ ଶିଳ୍ପାୟନ ପ୍ରକ୍ରିୟାରେ ଏକ ସ୍ଥିତାବସ୍ଥା ଆସିଯାଇଛି । ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ସରକାର
କ’ଣ କରୁଛନ୍ତି?

ଏହା ସତ୍ୟ ନୁହେଁ ଯେ, ଗୁଳିକାଣ୍ଡ ପରେ ରାଜ୍ୟର ଶିଳ୍ପାୟନରେ ସ୍ଥିତାବସ୍ଥା ଆସିଛି । କେବଳ କଳିଙ୍ଗନଗରରେ ଆଦିବାସୀମାନେ ପାରାଦ୍ୱୀପ ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରିଥିବାରୁ ବନ୍ଦରର କାରବାର ପ୍ରଭାବିତ ହୋଇଛି ।

ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ମୁଁ ଆଶା କରୁଛି ।

ଓଡ଼ିଶାରେ ପୋସ୍କାର ଇସ୍ପାତ ପ୍ରକଳ୍ପକୁ ମଧ୍ୟ ବିରୋଧ ବଢିବାରେ ଲାଗିଛି । ସେ ସବୁକୁ ଦୃଷ୍ଟିରେ ରଖି ଥଇଥାନ ନୀତିର ଆପଣ ସମୀକ୍ଷା କରୁଛନ୍ତି କି?

ମୁଁ ଆଗରୁ କହି ସାରିଛି ଯେ, ଏକ ମନ୍ତ୍ରୀ ସ୍ତରୀୟ କମିଟି ସେହି ନୀତିର ଅନୁଧ୍ୟାନ କରୁଛି । ପୋସ୍କୋ ପ୍ରକଳ୍ପରେ ବିସ୍ଥାପିତମାନଙ୍କ ପାଇଁ ମଧ୍ୟ ସେହି ନୀତି ଲାଗୁ ହେବ ।

କେବଳ ଇସ୍ପାତ କ୍ଷେତ୍ରରେ ରାଜ୍ୟ ସରକାର ୪୩ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ସେଥି ମଧ୍ୟରୁ କେତୋଟି କାର୍ଯ୍ୟକାରୀ ହୋଇଛି?

ସେଗୁଡିକ ମଧ୍ୟରୁ ସତରଟି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି । ଅନ୍ୟ କେତେକ ଜମି ଅଧିଗ୍ରହଣ କରିସାରିଛନ୍ତି ।

ଆପଣ କ’ଣ ଭାବୁଛନ୍ତି ଏକା ସାଙ୍ଗରେ ଏତେ ସଂଖ୍ୟକ ଶିଳ୍ପାନୁଷ୍ଠାନର ପ୍ରଭାବକୁ ରାଜ୍ୟ ବହନ କରିପାରିବ?

ଶିଳ୍ପାୟନ ସହ ପରିବେଶ ଉପରେ ମଧ୍ୟ ଆମେ ଗୁରୁତ୍ୱ ଆରୋପ କରୁଛୁ । ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଶିଳ୍ପକୁ ଆମେ ଅନୁମତି ଦେବୁ ନାହିଁ ।

ପ୍ରତ୍ୟେକ ଶିଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ତାହାର ପାଶ୍ୱର୍ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯାଇ ପରିବେଶ ସୁରକ୍ଷା ଦିଗରେ ସଂପୂର୍ଣ୍ଣ ଦୃଷ୍ଟି ଦିଆଯିବ । ଆମେ ଶିଳ୍ପାୟନ ଏବଂ ପରିବେଶ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବୁ ।

ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଉପଯୁକ୍ତ ଥଇଥାନ ଯୋଗାଇ ଦେବା ପାଇଁ ରାଜ୍ୟର ସରକାରୀ କଳ ବର୍ତ୍ତମାନ ପ୍ରସ୍ତୁତ ଅଛି କି?

ବିସ୍ଥାପିତମାନଙ୍କ ଉପଯୁକ୍ତ ଥଇଥାନକୁ ପ୍ରାଥମିକତା ଦିଆଯିବ । ପ୍ରତ୍ୟେକ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଥଇଥାନ ପ୍ରକ୍ରିୟାର ତଦାରଖ ଏବଂ ତାହା କାର୍ଯ୍ୟକାରୀ କରିବା ପାଇଁ ଉପଦେଷ୍ଟା କମିଟି ରହିଛି ।

ଅତୀତରେ ବିସ୍ଥାପିତ ହୋଇଥିବା ଅନେକ ଲୋକ ବର୍ତ୍ତମାନ କ୍ଷତିପୂରଣ ଦାବି କରୁଛନ୍ତି । ସେମାନଙ୍କ ପାଇଁ ସରକାର କ’ଣ ଯୋଜନା କରୁଛନ୍ତି?

ବିସ୍ଥାପନ ଏକ ନୂଆ ସମସ୍ୟା ନୁହେଁ । ବହୁ ଦଶନ୍ଧି ଆଗରୁ କେତେକ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ରେଳ ଲାଇନ୍ ନିର୍ମାଣ ସମୟରେ ଅନେକଗୁଡିଏ ପରିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ବିସ୍ଥାପିତ ହୋଇଛନ୍ତି ।

ସେମାନଙ୍କ ସମସ୍ୟା ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଜଣାଇଛି ।

କି ପଦକ୍ଷେପ ନେଲେ ଆଦିବାସୀମାନଙ୍କର ସମସ୍ୟା ସମାଧାନ ହୋଇ ପାରିବ?

ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଏବଂ ବିକ୍ରି ଉପରେ ଆଦିବାସୀମାନଙ୍କ ଉପରୁ କଟକଣା ଉଠାଇବାଠାରୁ ଆରମ୍ଭ କରି ସେମାନଙ୍କ ନାଁରେ ଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର ପର୍ଯ୍ୟନ୍ତ ଆମ ସରକାର ଗତ ଛଅ ବର୍ଷ ଧରି ଆଦିବାସୀମଙ୍ଗଳ ନୀତି ଗୁଡିକୁ କାର୍ଯ୍ୟକାରୀ କରି ଆସିଛି ।

ଅଣଆଦିବାସୀମାନେ ଆଦିବାସୀମାନଙ୍କର ଜମିଗୁଡିକୁ ବେଆଇନଭାବେ ଦଖଲ କରିଥିଲେ । ସେଗୁଡିକୁ ଫେରାଇ ଆଣି ପ୍ରକୃତ ଜମି ମାଲିକଙ୍କୁ ଦିଆଯାଉଛି । ଆଦିବାସୀମାନଙ୍କୁ ବର୍ତ୍ତମାନ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ସରକାରୀ ସ୍ତରରେ ଏହି ସବୁ ଆଦିବାସୀମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସର୍ବନିମ୍ନ ସ୍ତରରେ ହିତାଧିକାରୀମାନଙ୍କ ଅବସ୍ଥା ଅପରିବର୍ତ୍ତିତ ଥିବା ଦେଖାଯାଉଛି କାହିଁକି?

ସର୍ବନିମ୍ନ ସ୍ତରରେ ସେମାନଙ୍କ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଦିବାସୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନେ ସାଧାରଣ ସ୍କୁଲ ଅପେକ୍ଷା ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି ।

ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଜଳସେଚନ ପ୍ରକଳ୍ପ ଏବଂ ରାସ୍ତାଘାଟ ନିର୍ମାଣ ତ୍ୱରାନ୍ୱିତ ହୋଇଛି ।

ରାଜ୍ୟରେ କାରଖାନା ପ୍ରତିଷ୍ଠା ନ କରି ବହୁ କମ୍ପାନୀ ଲୁହାପଥର ରପ୍ତାନୀ କରୁଛନ୍ତି । ସେମାନଙ୍କ ଏହି କାମକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ବର୍ତ୍ତମାନ ଯେଉଁ କମ୍ପାନୀଗୁଡିକ ରାଜ୍ୟରେ କାରଖାନା ପ୍ରତିଷ୍ଠା କରିବାରେ ଇଚ୍ଛୁକ, ଆମେ ସେମାନଙ୍କୁ ଖଣି ଲିଜ୍ ଦେଉଛୁ । ମୋ ସରକାର ରାଜ୍ୟ ଭିତରେ ଖଣିଜ ପଦାର୍ଥରେ ଭାଲ୍ୟୁ ଆଡିସନ୍ କରିବା ଆରମ୍ଭ କରିଛି ।

ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସମ୍ବଳ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ ।

ତେବେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍ ଆକ୍ଟ, ୧୯୫୭ ଅନୁଯାୟୀ ଚାଲିଥିବା ରପ୍ତାନୀ ଉପରେ କଟକଣା ଜାରୀ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି ।

ବର୍ତ୍ତମାନର ଖଣି ନୀତି ଅନୁଯାୟୀ ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ରପ୍ତାନୀ ପାଇଁ ଆପଣ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି କି?

ଦେଶ ବ୍ୟାପି ବର୍ତ୍ତମାନ ଖଣି ନୀତି ସମୀକ୍ଷା କରାଯାଉଛି । ତେବେ ମୋ ମତରେ ଦେଶ ଭିତରେ ଖଣିଜ ପଦାର୍ଥରେ ଅଧିକରୁ ଅଧିକ ଭ୍ୟାଲୁ ଆଡିସନ୍ ହେବା ଉଚିତ ।

ଆପଣଙ୍କ ସରକାର କୃଷିକୁ ପ୍ରାଧାନ୍ୟ ଦେଉ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି । ଏ ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କ’ଣ?

ଆମ ସରକାର ସବୁବେଳେ କୃଷିକୁ ପ୍ରାଥମିକତା ଦେଇ ଆସିଛି । ରାଜ୍ୟର ପ୍ରତି ବ୍ଲକ୍ ରେ ଶତକଡା ୩୫ ଭାଗ ଚାଷଜମିକୁ ସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛୁ ।

କୃଷକମାନେ ସାମୁହିକଭାବେ ସେମାନଙ୍କ ଜମିକୁ ଜଳ ସେଚିତ କରିବା ପାଇଁ ମୋ ସରକାର ପାଣି ପଞ୍ଚାୟତ, ବିଜୁ କୃଷକ ବିକାଶ ଯୋଜନା ଆଦି ଆରମ୍ଭ କରିଛି ।

ରାଜ୍ୟ ଭିତରେ କୃଷି ଭିତ୍ତିକ ପାଣିପାଗର ବିବିଧତାକୁ ଦୃଷ୍ଟିରେ ରଖି ଆମେ ଉଦ୍ୟାନ ମିଶନ ଜରିଆରେ ଫୁଲ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ କୃଷକମାନଙ୍କୁ ସାହାଯ୍ୟ କରୁଛୁ ।

କଳିଙ୍ଗନଗରରେ ଆଦିବାସୀ ଆନ୍ଦୋଳନକୁ ଭିତ୍ତିକରି ମାଓବାଦୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ଅଧିକ ଦୃଢ କରିବାର ସମ୍ଭାବନା ଅଛି କି? ଆପଣ ସେଭଳି ପରିସ୍ଥିତିର କିଭଳି ମୁକାବିଲା କରିବେ?

ମୁଁ କହି ସାରିଛି ଯେ, ଆଦିବାସୀ ଆନ୍ଦୋଳନ ତୀବ୍ର ହୋଇନାହିଁ । ଯଦି କୌଣସି ମାଓବାଦୀ ସଂଗଠନ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରନ୍ତି, ତେବେ ଜନ ସାଧାରଣ ସେମାନଙ୍କ ଉଦ୍ଦେଶ୍ୟ ଜାଣି ପାରିବେ ବୋଲି ମୋର ଆଶା ।

ଆସନ୍ତା ତିନି ତାରିଖରୁ ବିଧାନ ସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ବିରୋଧୀ ଦଳକୁ ସାମନା କରିବା ପାଇଁ ଆପଣ କି ରଣ ନୀତି ଧାର୍ଯ୍ୟ କରିଛନ୍ତି?

ଏଥରର ଅଧିବେଶନରେ ବିରୋଧୀ ଦଳ ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ନ ଦେଇ ରାଜ୍ୟର ଦୀର୍ଘମିଆଦି ଉନ୍ନତି ସକାଶେ ଗଠନମୂଳକ ପ୍ରସ୍ତାବ ରଖିବେ ବୋଲି ମୋର ବିଶ୍ୱାସ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଆଦିବାସୀ, ମୁଖ୍ୟମନ୍ତ୍ରୀ, ସରକାର, ସାକ୍ଷାତକାର

ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ (ସାକ୍ଷାତକାର)

February 1, 2006 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡଟ୍ କମ୍) “ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ” କହନ୍ତି ଓଡ଼ିଶୀ ନୃତ୍ୟ କଳାକୁ ତାଙ୍କର ଅବଦାନ ଯୋଗୁଁ ନିକଟରେ ପଦ୍ମଶ୍ରୀ ଉପାଧି ପାଇଁ ଓଡ଼ିଶାରୁ ମନୋନୀତ ହୋଇଥିବା ଇଟାଲୀର ଇଲିଆନା ସିତାରିଷ୍ଟି ।

ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ରହି ଆସୁଥିବା ସିତାରିଷ୍ଟି ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ଭୁବନେଶ୍ୱରର ବିନ୍ଦୁ ସାଗର ନିକଟରେ ଖୋଲିଛନ୍ତି “ଆର୍ଟ ଭିଜନ୍” ଡ୍ୟାନ୍ସ ସ୍କୁଲ । ୧୯୯୫ରେ ସେ ପ୍ରତିଷ୍ଠା କରିଥିବା ଏହି ସ୍କୁଲରେ ଦେଶ ବିଦେଶର ଶତାଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ଶିକ୍ଷା ଦେଇ ଆସୁଛନ୍ତି ।

ଉତ୍ତର ଇଟାଲୀର ବରଗାମୋରେ ନିଜ ଘରେ ଅସୁସ୍ଥ ବାପାଙ୍କୁ ଭେଟି ଭୁବନେଶ୍ୱର ଫେରିବା ପରେ ଭାରତର ଏହି ସମ୍ମାନ ସଂପର୍କୀତ ଖବର ଶୁଣି ସେ ଖୁସିରେ ଅଭିଭୂତ ହୋଇ ଯାଇଥିଲେ । ତେବେ ସେ ଅଧିକ ଖୁସି ହୋଇଥିଲେ ତାଙ୍କ ନାଁ ପାଖରେ ଇଟାଲୀ ବଦଳରେ ଓଡ଼ିଶା ଲେଖା ହେବା ନେଇ ।

“ମୁଁ ଏକ ଭିନ୍ନ ସଂସ୍କୃତିରୁ ଆସିଥିଲେ ମଧ୍ୟ ଏହି ସମ୍ମାନ ପ୍ରଦାନ କରି ଭାରତ ସରକାର ମୋତେ ତାଙ୍କ ଦେଶର ଜଣେ ସ୍ୱୀକୃତିପ୍ରାପ୍ତ କଳାକାରଭାବେ ଗ୍ରହଣ କରିଛନ୍ତି” । ଗତ ଗୁରୁବାର ୫୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ଉପାଧି ଲାଭ କରିବା ପାଇଁ ମନୋନୀତ ହୋଇଥିବା ଇଲିଆନା ଓଡ଼ିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ।

“ନିଜ ଲକ୍ଷ୍ୟ ପଥରେ ଆଗେଇବା ପାଇଁ ଏହିଭଳି ସମ୍ମାନସବୁ ଜଣକୁ ପ୍ରେରଣା ଯୋଗାଇଥାଏ” । ସମଗ୍ର ବିଶ୍ୱରେ ଓଡ଼ିଶୀ ନୃତ୍ୟର ପ୍ରସାର ହେଉଛି ବିଦେଶରୁ ଆସି ନିଜକୁ ଉତ୍କଳୀୟ ଭାବଧାରାରେ ଉଦ୍ବୁଦ୍ଧ କରିଥିବା ଏହି ଅବିବାହିତା ମହିଳାଙ୍କ ଜୀବନର ଲକ୍ଷ୍ୟ ।

୧୯୬୦ ମସିହାରେ ଚାଲିଥିବା ଫ୍ଲାୱାର ପାୱାର ଆନ୍ଦୋଳନରେ ସେ ଅଂଶ ଗ୍ରହଣ କରିଥିବା ଇଲିଆନା ପୂର୍ବରୁ ଜଣେ ଥିଏଟର କଳାକାର ଥିଲେ ।

ପ୍ରାୟ ୨୭ ବର୍ଷ ତଳେ ନିଜ ଦେଶ ଛାଡି ଭାରତ ଆସିବା ପରେ ସେ କେରଳରେ କଥକଳୀ ଶିକ୍ଷା କରିଥିଲେ । ପରେ ନୃତ୍ୟ ଉପରେ ଅଧିକ ଜିଜ୍ଞାସା ତାଙ୍କୁ ଓଡ଼ିଶା ଆଣିଥିଲା ।

୧୯୭୯ ମସିହାରେ ସେ କଟକରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଭେଟିଥିଲେ ।

“ମାତ୍ର ଗୋଟିଏ ବର୍ଷ ତାଙ୍କଠାରୁ କେତେକ ଅଙ୍ଗଭଙ୍ଗୀ ଶିଖିବା ପରେ ମୁଁ ଫେରିଯିବି ବୋଲି ଭାବିଥିଲି । କିନ୍ତୁ ଏଇଠି ଯେ, ମୋର ଭାଗ୍ୟ ନିର୍ଣ୍ଣୟ ହେବ ବୋଲି ସେତେବେଳ ମୁଁ ଜାଣି ନ ଥିଲି । ଓଡ଼ିଶୀ ବିଷୟରେ ଅଧିକରୁ ଅଧିକ ଶିକ୍ଷା କରିବାରେ ମୋର ଆଗ୍ରହ ମୋତେ ଏଇଠି ବାନ୍ଧି ରଖିଲା” ।

ପିଲାବେଳେ କ୍ଲାସିକାଲ ବାଲେଟ୍ ଡ୍ୟାନ୍ସ ଶିଖୁଥିଲେ ମଧ୍ୟ ବାପା ମାଆଙ୍କ ଋଢିବାଦୀ ଚିନ୍ତାଧାରା ଯୋଗୁଁ ସେ ନୃତ୍ୟ ପାଇଁ ସମୟ ଦେଇ ପାରି ନ ଥିଲେ ।

ତେବେ ୧୬ ବର୍ଷ ବୟସରେ ସେମାନଙ୍କ ବିରୁଦ୍ଧରେ ଇଲିଆନା ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ବାପା ଜଣେ ପ୍ରକାଶକ ଏବଂ ରାଜନୈତିକ । ତାଙ୍କର ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି ।

ସିତାରିଷ୍ଟି ତାଙ୍କର ଇଟାଲୀୟ ନାଗରିକତ୍ୱ ତ୍ୟାଗ କରି ନାହାନ୍ତି । ତେବେ ସେ ପ୍ରାଞ୍ଜଳଭାବେ ଓଡ଼ିଆ ଭାଷା କହି ପାରୁଛନ୍ତି ଏବଂ ସ୍ଥାନୀୟ ଖାଦ୍ୟରେ ମଧ୍ୟ ରୁଚି ରଖନ୍ତି ।

ଜଣେ ବିଦେଶୀନିଭାବେ ପ୍ରଥମେ ପ୍ରଥମେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜିକାଲି କିନ୍ତୁ ପୃଥିବୀର ଯେ କୌଣସି ସ୍ଥାନରେ ଜଣେ ଭାରତୀୟ କଳାକାରଭାବେ ନୃତ୍ୟ ପ୍ରଦର୍ଶନ କରିବାରେ ନିଜକୁ ଖାପ ଖୁଆଇ ସାରିଲେଣି ବୋଲି ସେ କହିଛନ୍ତି ।

ଆମେରିକା, ଆର୍ଜେଣ୍ଟିନା, ଇଟାଲୀ, ଫ୍ରାନ୍ସ, ଡେନ୍ମାର୍କ, ପୋଲାଣ୍ଡ, ମାଲେସିୟା ଆଦି ଦେଶରେ ସେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଅନ୍ୟ ବିଦେଶୀ ରାଷ୍ଟ୍ରଗୁଡିକ ଭଳି ଇଟାଲୀରେ ମଧ୍ୟ ଓଡ଼ିଶୀର ଚାହିଦା ରହିଛି । ନୃତ୍ୟର ଭାବକୁ ପୂରାପୂରି ବୁଝି ନ ପାରିଲେ ମଧ୍ୟ ସେଠାକାର ଲୋକମାନେ ଏହାକୁ ଦେଖିବା ପାଇଁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି ।

ତାଙ୍କ ଦେଶରେ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ୍ ଲାଭ କରିଥିବା ସିତାରିଷ୍ଟ କଟକ ସହରରେ ବାର ବର୍ଷ ରହିବା ପରେ ଭୁବନେଶ୍ୱରରେ ଆସିଥିଲେ ।

ଓଡ଼ିଶୀ ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟରେ ମଧ୍ୟ ସେ ନିପୂଣା । ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀମାନଙ୍କୁ ଛଉ ମଧ୍ୟ ଶିକ୍ଷା ଦିଅନ୍ତି ।

ଶିକ୍ଷାଦାନ ବ୍ୟତୀତ ସିତାରିଷ୍ଟି ଭାରତର ଆଦିବାସୀ ନୃତ୍ୟ ଉପରେ ଭାରତୀୟ ଏବଂ ବିଦେଶରେ ପ୍ରକାଶିତ ପତ୍ରିକା ଗୁଡିକରେ ଲେଖୁଛନ୍ତି ।

କଟକ ଦୂର ଦର୍ଶନରେ ଜଣେ “ଏ” ଗ୍ରେଡ କଳାକାରର ମାନ୍ୟତା ପାଇଥିବା ସିତାରିଷ୍ଟି ୧୯୯୨ରେ ଇଟାଲୀରେ ସମ୍ମାନଜନକ “ଲିଓନାଡ ମାସିନ ଫର୍ ଦି ଆର୍ଟ ଅଫ୍ଡ୍ୟାନ୍ସ” ପୁରସ୍କାର ପାଇବା ସହ ୧୯୯୪ ମସିହା ଡିସେମ୍ବରରେ ମୁମ୍ବାଇର ସୁର ସିଙ୍ଗର ସଂସଦ ପକ୍ଷରୁ ରାସେଶ୍ୱର ଉପାଧି ଲାଭ କରିଛନ୍ତି ।

ବଙ୍ଗଳା ସିନେମା “ୟୁଗାନ୍ତ” ରେ ନୃତ୍ୟ ନିର୍ଦ୍ଧେଶନା ପାଇଁ ମେ ୧୯୯୬ରେ ସେ ଜାତୀୟ ପୁରସ୍କାର ଲାଭ କରିଥିବା ଏହି କଳାକାର ସେହି ବର୍ଷ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକ ଫେଲୋଶିପ୍ ପାଇ ସେ “ଦି ମେକିଂ ଅଫ୍ ଏ ଗୁରୁ” ପୁସ୍ତକ ଲେଖିଥିଲେ ।

୧୯୯୧ ମସିହାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଦି ଆର୍ଟସର ତତ୍ତ୍ୱାବଧାନରେ ଓଡ଼ିଶାର ସାମରିକ କଳା(ମାର୍ଶାଲ ଆର୍ଟସ) ଉପରେ ଗବେଷଣା କରିଛନ୍ତି ।

ଅଧାରୁ ନୃତ୍ୟଶିକ୍ଷା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଦୁଃଖିତ ଥିବା କହିଛନ୍ତି । ତାଙ୍କ ମତରେ ମନରେ ସମର୍ପଣ ଭାବ ନେଇ ନୃତ୍ୟ ପ୍ରଦର୍ଶନ କଲେ ଅଭିନୟ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ ହୋଇଥାଏ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଇଲିଆନା ସିତାରିଷ୍ଟି, ଓଡିଶା, ପଦ୍ମଶ୍ରୀ ଉପାଧି, ସାକ୍ଷାତକାର, ସାଧାରଣତନ୍ତ୍ର ଦିବସ

ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାର୍ଶ୍ଵ ପ୍ରଭାବ ଉପରେ ଗବେଷଣା ଆବଶ୍ୟକ

January 19, 2006 by ନିଉଜ ଡେସ୍କ Leave a Comment

ବ୍ରହ୍ମପୁର, ଜାନୁୟାରୀ ୧୯,(ଓଡିଶା ଡ଼ଟ୍ କମ୍), ଓଡ଼ିଶାର ବ୍ରହ୍ମପୁର ସହରରେ ହରିହର ପାତ୍ର ଏବଂ ମା ପଦ୍ମାବତୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଦର୍ଶନ ପାତ୍ର ବର୍ତ୍ତମାନ ସ୍ତ୍ରୀ ଅନୁ, ଦୁଇ ପୁଅ ଆଶିଷ ଏବଂ ଆଦର୍ଶଙ୍କ ସହ ଉତ୍ତର ଆମେରିକାର ପୋର୍ଟଲ୍ୟାଣ୍ଡରେ ରହୁଛନ୍ତି ।

କଟକର ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସ୍ସି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଂଜିନିୟରିଂ, ଆମେରିକାର ଆମର୍ହଷ୍ଟଠାରେ ମାସାଚ୍ୟୁସେଟ୍ସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଏବଂ ଇନର୍ଫମେଶନ ସାଇନ୍ସରେ ଏମ୍. ଏସ୍. ।

ପରେ ଅଷ୍ଟିନ୍ଠାରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସେ ପିଏଚ୍ଡି କରିବା ସହ ପ୍ରଥମ ଚାକିରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ (ପ୍ରିୟଦର୍ଶନ ପାତ୍ର ଏବଂ ତାଙ୍କ ପରିବାର) କ୍ଷେତ୍ରରେ ତିନି ବର୍ଷ କାମ କରିଛନ୍ତି । ଏହା ପରେ ସେ ଯୋଗ ଦେଇଛନ୍ତି ଅରିଗନ୍ଠାରେ ଇଣ୍ଟେଲ କର୍ପୋରେସନ୍ ରେ ଏକ ନୂଆ ଗବେଷଣା କେନ୍ଦ୍ରରେ ।

ବର୍ତ୍ତମାନ ଇଣ୍ଟେଲରଆଡଭାନ୍ସଡ ପ୍ରୋସେସର ଡିଜାଇନ୍ ଏବଂ ଭିଏଲଏସ୍ଆଇର ବରିଷ୍ଠ ଗବେଷକଭାବେ କାର୍ଯ୍ୟ କରୁଥିବା ପାତ୍ର ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାଗତ ପରାମର୍ଶ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଛନ୍ତି ।

ଇଲୋକ୍ଟ୍ରୋନିକ୍ସ ସାଇନ୍ସ କ୍ଷେତ୍ରରେ ଆନ୍ତର୍ଜାତୀୟ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ସ(ଆଇଇଇଇ)ରେ ଜଣେ ବରିଷ୍ଠ ସଦସ୍ୟଭାବେ ସେ ମନୋନୀତ ହୋଇଛନ୍ତି ।

ତେବେ ଏ ସବୁ ଦାୟିତ୍ୱ ତୁଲାଇବା ସାଙ୍ଗକୁ ସେ ଓଡ଼ିଶାର ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଷ୍ଟେନେବଲ୍ ଇକୋନୋମିକ୍ ଆଣ୍ଡ ଏଜୁକେସ୍ନାଲ ଡେଭେଲପମେଣ୍ଟ ସୋସାଇଟି(ସିଡ୍ସ)ର ନେତୃତ୍ୱ ନେଉଛନ୍ତି ।

ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ନିଜ ଜନ୍ମଭୂମି ପାଇଁ କାର୍ଯ୍ୟ କରୁଥିବା ପାତ୍ରଙ୍କ ସହ ଓଡ଼ିଶା ଡଟ୍ କମ୍ ର ସାକ୍ଷାତକାର…….

ଆପଣ କେବେ ଓ କାହିଁକି ଓଡ଼ିଶା ଛାଡ଼ିଲେ?

ପ୍ରାୟ ୨୧ ବର୍ଷ ପୂର୍ବେ ମୋର ଇଂଜିନିୟରିଂ ପାଠପଢ଼ା ସରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକାରୁ ବୃତ୍ତି ପାଇ ମୁଁ ଭାରତ ଛାଡ଼ି ବିଦେଶ ଆସିଲି ।

ଆପଣ ଚାକିରି ବ୍ୟତୀତ ଅନ୍ୟ କେଉଁ ସବୁ କାମରେ ଏବଂ କେବେଠାରୁ ବ୍ୟସ୍ତ ଅଛନ୍ତି?

୧୯୮୯ ମସିହାରେ ମୁଁ ଏବଂ ଅନ୍ୟ ତିନି ଜଣ ସହପାଠୀ ମିଶି ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆ ପ୍ରୋଗ୍ରେସିଭ ଆକ୍ସନ୍ ଗ୍ରୁପ୍(ଆଇପିଏଜି) ଆରମ୍ଭ କରିଥିଲୁ । ପରେ ମୁଁ ଓଡ଼ିଶାର ଉନ୍ନତିରେ ଆଗ୍ରହୀ ଲୋକମାନଙ୍କୁ ନେଇ “ସିଡ୍ସ୍” ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲି ।

“ଆମେ ଯେଉଁଠି ବାସ କରୁଛୁ, ସେହି ସ୍ଥାନ ପାଇଁ “ଗ୍ଲୋବାଲ ଥଟ୍, ଲୋକାଲ ଆକ୍ସନ୍” ନୀତିରେ କିଛି କରିବା ଉପରେ ମୁଁ ବିଶ୍ୱାସ କରେ” ।

ମୁଁ ପୋର୍ଟଲ୍ୟାଣ୍ଡର ଏକ ପବ୍ଲିକ୍ ସ୍କୁଲରେ “ମ୍ୟାଥ୍ କାଉଣ୍ଟ କୋଚ୍” ଭାବେ କିଛି ଦିନ ପଢ଼ାଉଥିଲି । ସେଠାରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହୀ ଥିବାରୁ ଆମେ ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲୁ ।

ଏହା ବ୍ୟତୀତ ମୁଁ କମ୍ୟୁନିଟି ବିଲ୍ଡିଂ ଏବଂ ଓଡ଼ିଶାର କଳାକୁ ଲୋକପ୍ରିୟ କରାଇବା ଦିଗରେ କାମ କରୁଛି ।

କେଉଁ କେଉଁ ଜାଗାକୁ ଆପଣଙ୍କ କାମ ସଂପ୍ରସାରିତ କରିଛନ୍ତି?

ମୁଖ୍ୟତଃ ଓଡ଼ିଶାରେ । ଏହା ବ୍ୟତୀତ ଭାରତର ବିଭିନ୍ନ ସ୍ଥାନର ଅନ୍ୟ ଅନୁଷ୍ଠାନଗୁଡିକ ସହ ଯୋଗାଯୋଗ କରି ଆମେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ କରୁଛୁ ଏବଂ ପୋର୍ଟଲ୍ୟାଣ୍ଡରେ ମଧ୍ୟ ନିଜର କାମ ଜାରୀ ରଖିଛୁ ।

ଭାରତର ଗୁଜୁରାଟରେ ଭୂମିକମ୍ପ ସମୟରେ ଥଇଥାନ କାର୍ଯ୍ୟ କରିଥିବା କାଲିଫର୍ଣ୍ଣିଆର ଦୁଇଟି ସ୍ୱେଚ୍ଛାସେବୀ ଦଳ ଆମ ଗ୍ରୁପ୍ ରେ ଯୋଗ ଦେଇଛନ୍ତି ।

ସିଡ୍ସ୍ କିପରି ଆରମ୍ଭ ହେଲା? ଏହା ଆରମ୍ଭ ହେବାରେ ପ୍ରମୁଖ ଅବଦାନ କାହାର ରହିଛି ? ଏଥିରେ ଆପଣଙ୍କ ଭୂମିକା କ’ଣ?

ପ୍ରାଥମିକ ଅବସ୍ଥାରେ ଅଷ୍ଟିନ୍ ରେ ସ୍ଥାନୀୟ ହାବିଟାଟ୍ସ୍ ଫର୍ ହ୍ୟୁମାନିଟିରେ ଯୋଗ ଦେଇଥିଲି ଏବଂ ଭାରତର ବିଭିନ୍ନ ଭାଗରେ କାମ କରୁଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ ମୁଁ ନିଜକୁ ସଂପୃକ୍ତ କରାଇଥିଲି ।

କିଛି ବର୍ଷ ପରେ ଓଡ଼ିଶାରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି ।

ସମାଜ ସେବା ପାଇଁ ବାପାଙ୍କ ପ୍ରେରଣା, ପ୍ରାଥମିକ ଅବସ୍ଥାରେ ଆଇପିଏଜିରେ ଅଭିଜ୍ଞତା ଏବଂ ୧୯୯୦ ମସିହାରେ ସ୍ୱେଚ୍ଛାସେବୀ ନିଶାକର ଦାଶଙ୍କ ଗାଁକୁ କରିଥିବା ଗସ୍ତରୁ ମୁଁ ବହୁ ଉପାଦେୟ ତଥ୍ୟ ଶିଖିବାକୁ ପାଇଛି ।

ଥମାସ୍ କୋଚେରୀ, ବନ୍ଦନା ଶିବା, ମଧୁ କିଶ୍ୱରଙ୍କ ଭଳି କର୍ମୀମାନଙ୍କ ସହ ମୋର ଆଲୋଚନା, ବାର୍ତ୍ତାଳାପ ମଧ୍ୟ ମୋତେ ବହୁ ସାହାଯ୍ୟ କରିଛି ।

କଳାହାଣ୍ଡି-ବଲାଙ୍ଗିର ଅଞ୍ଚଳରେ ଅନାହାର ମୃତ୍ୟୁ ଭାରତ ଗଣମାଧ୍ୟମର ଆକର୍ଷଣ ପାଲଟିବା ଏବଂ ଆଇପିଏଜିର କାର୍ଯ୍ୟ ଉନ୍ନୟନମୂଳକ ବିଷୟରୁ ଓହରି ଯାଇ ରାଜନୀତି କେନ୍ଦ୍ରିକ ହେବା ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି ।

ଇଣ୍ଟରନେଟ୍ ମାଧ୍ୟମରେ ଉତ୍ତର ଆମେରିକାରେ ରହୁଥିବା ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଘଟଣାବଳୀ ଗୁଡ଼ିକ ମୋତେ ଏକ ଅବସର ଯୋଗାଇଲା ।

ଏହିପରି କେବିକେ(କୋରାପୁଟ, କଳାହାଣ୍ଡି, ବଲାଙ୍ଗିର) ଯୋଜନା ୧୯୯୩ରେ ଆରମ୍ଭ ହେଲା । ପ୍ରଥମେ ଆମ ସହ ଆମେରିକାର ଇଷ୍ଟ କୋଷ୍ଟ ଏବଂ ୱେଷ୍ଟ କୋଷ୍ଟର ଦୁଇ ଜଣ ସକ୍ରିୟ କର୍ମୀ ଥିଲେ । ବର୍ତ୍ତମାନ ସେମାନେ ଆମ ସହ କାମ କରି ପାରୁ ନାହାନ୍ତି ।

ତେବେ ଏକ ବର୍ଷ ମଧ୍ୟରେ କାନାଡ଼ା, ଟେକ୍ସାସ୍, ମିଶିଗାନ୍ ର ଅନ୍ୟ କେତେକ ସଭ୍ୟ ଯୋଗ ଦେଲେ । ୧୯୯୪ ମସିହାରେ ଆମେ ସିଡ୍ସ୍ ନାମରେ ଏକ ସ୍ୱତନ୍ତ୍ର ଗ୍ରୁପ୍ ସୃଷ୍ଟି କଲୁ ।

ଆମେମାନେ ଯେ, ପରିବର୍ତ୍ତନର ଗୋଟିଏ ଗୋଟିଏ ବୀଜ, ସିଡ୍ସ୍ ଆମ ମନରେ ଏହି ଧାରଣା ସୃଷ୍ଟି କରିଛି । ଯଥେଷ୍ଟ ସାମର୍ଥ୍ୟ ନେଇ ଆମେ ପରିବର୍ତ୍ତନର ବହୁ ବୀଜ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

୧୯୯୫ ପରେ ସିଡ୍ସ୍ ର ମୁଖ୍ୟ କାର୍ଯ୍ୟାଳୟ ପୋର୍ଟଲ୍ୟାଣ୍ଡକୁ ସ୍ଥାନାନ୍ତର ହୋଇ ଏକ ଅଣ ଲାଭଦାୟକ ସଂସ୍ଥାଭାବେ ପଞ୍ଜୀକୃତହେଲା ।

ଏହାର କାର୍ଯ୍ୟାଳୟ, କାର୍ଯ୍ୟ ପରିସର ଏବଂ ଆର୍ଥିକ ଅନୁଦାନ ଉପରେ କିଛି କହିବେ କି?

ଆଞ୍ଚଳିକତାବାଦଠାରୁ ଉଦ୍ଧ୍ୱର୍ରେ ଗଣତନ୍ତ୍ର, ସମାନତା, ନିଃସ୍ୱାର୍ଥପର ନେତୃତ୍ୱ ଆଦି କେତେକ ସିଦ୍ଧାନ୍ତ ଉପରେ ସିଡ୍ସ୍ର କାର୍ଯ୍ୟାଳୟ ଏବଂ ଏହାର କାର୍ଯ୍ୟ ପରିସର ପର୍ଯ୍ୟବସିତ ।

ମାନବିକତା ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଉନ୍ନତି ଆଣିବା ସହ ରାଜ୍ୟରେ ହେଉଥିବା ରାଜନୈତିକ ଏବଂ ସାମାଜିକ ଅନ୍ୟାୟ ଗୁଡ଼ିକର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ ।

ସମଗ୍ର ବିଶ୍ୱରେ ଅସମାନତା, ଅଜ୍ଞାନତା ବିଷୟରେ ସଚେତନତା ଆଣି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରୁଥିବା ଏକ ଅନୁଷ୍ଠାନ ଗଢ଼ିବା ପାଇଁ ଆମେ ଯୋଜନା କରୁଛୁ ।

ଆମ ଅନୁଷ୍ଠାନରେ କାମ କରୁଥିବା ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତଭାବେ ପରୋପକାରଧର୍ମୀ କାମ କରୁଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆମର ପ୍ରକଳ୍ପ ଗୁଡ଼ିକ ସମାଜର ସର୍ବନିମ୍ନ ସ୍ତରରେ କାର୍ଯ୍ୟ କରୁଛି ।

ଦୀର୍ଘମିଆଦୀ ଯୋଜନା ଅନୁଯାୟୀ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଅପେକ୍ଷା ସେମାନଙ୍କୁ ନିଜ ସମସ୍ୟା ନିଜେ ସମାଧାନ କରିବାର ଉପାୟ ବତାଇବାରେ ଆମେ ସାହାଯ୍ୟ କରୁଛୁ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପୂର୍ଣ୍ଣାଙ୍ଗ ଉନ୍ନୟନ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆମେ ଜ୍ଞାନ ଆହରଣ କଲୁ ।

ଦ୍ୱିତୀୟ ପର୍ଯ୍ୟାୟରେ “ପାଣି ପଞ୍ଚାୟତ” କୁ ନେଇ ଗବେଷଣା, ମହାବାତ୍ୟା ପରେ ଥଇଥାନ ଏବଂ ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, କଟକ, ବାଲେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାଗୁଡ଼ିକରେ କେତେକ ଦୀର୍ଘମିଆଦି ପ୍ରକଳ୍ପ ଆରମ୍ଭ କରିଥିଲୁ ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଆମର ସ୍ୱଳ୍ପ ସମ୍ବଳ ସତ୍ତ୍ୱେ କୌଣସି ନିର୍ଦ୍ଧିଷ୍ଟ ଗାଁ, ସହର କିମ୍ବା ଅଞ୍ଚଳରେ ସୀମିତ ନ ରହି ଆମେ କାର୍ଯ୍ୟ ପରିସରକୁ ଆହୁରି ସଂପ୍ରସାରିତ କରିବୁ ।

ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ (୧)ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସେହି ଅଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା କ୍ଷୁଦ୍ରଶିଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମାଇକ୍ରୋ କ୍ରେଡିଟ୍ ବ୍ୟାଙ୍କ୍ ସ୍ଥାପନ, (୨) ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଗଣିତ ସମ୍ବନ୍ଧୀୟ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା, ଆର୍ଥିକ ସ୍ୱଚ୍ଛଳତା ନ ଥିବା ଲୋକମାନଙ୍କ ପାଇଁ ସହଜରେ ସୂଚନା ପାଇବାର ସୁବିଧା ଯୋଗାଇବା ଏବଂ (୩) “ଅର୍ଣ୍ଣ ଆଣ୍ଡ ଲର୍ଣ୍ଣ” କେନ୍ଦ୍ରଗୁଡ଼ିକ ଜରିଆରେ ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ।

ଏଥି ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛୁ ।

ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ବିଷୟରେ ଆପଣଙ୍କର ମତ କ’ଣ? ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ମୁଁ ଧୈର୍ଯ୍ୟ ଏବଂ ନିଷ୍ଠାପର କାମରେ ବିଶ୍ୱାସ କରେ । ଲୋକମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଉପଯୁକ୍ତ ତାଲିମ ଯୋଗାଇବା ଆବଶ୍ୟକ ।

କ୍ଷୁଦ୍ରଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆମାନଙ୍କ ସହାୟତା ମିଳିଲେ ରାଜ୍ୟର ଆଖିଦୃଶିଆ ଉନ୍ନତି ସମ୍ଭବ ହେବ ।

ଆପଣଙ୍କର ପଦକ୍ଷେପ କୌଣସି ପରିବର୍ତ୍ତନ ଆଣିଛି କି?

ହଁ ନିଶ୍ଚିତଭାବେ । ଫଳାଫଳ ମିଶ୍ରିତ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଛି । ତେବେ ଆମର ଚେଷ୍ଟାକୁ ଆହୁରି ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାର ଆବଶ୍ୟକତା ରହିଛି ।

ବର୍ତ୍ତମାନର ପ୍ରଶାସନିକ ଢ଼ାଞ୍ଚାରେ ଓଡ଼ିଶାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି କି? ରାଜ୍ୟରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଅନୁଭବ କରୁଛନ୍ତି କି? ରାଜ୍ୟରେ ଅଧିକ ବିଦେଶୀ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କର ଏ ବିଷୟରେ ମତ କ’ଣ?

ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ସରକାରଙ୍କ ନୀତି ନେଇ ମୁଁ କୌଣସି ମତାମତ ଦେବାକୁ ଚାହୁଁନି । ତେବେ ରାଜ୍ୟରେ ଏକ ସନ୍ତୁଳିତ ହାରରେ ବିକାଶ ପାଇଁ ସରକାର ତଥା ରାଜନେତାମାନେ ଚେଷ୍ଟା କରିବା ଉଚିତ ।

ରାଜ୍ୟର ସ୍ଥିତିକୁ ଦୃଢ଼ କରି ନେତାମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ । କୌଣସି ବୃହତ୍ ଶିଳ୍ପ ଉଦ୍ୟୋଗ ନିଶ୍ଚିତଭାବେ ରାଜ୍ୟର ଭାଗ୍ୟ ବଦଳାଇଦେବ ବୋଲି ଆଶା ପୋଷଣ କରିବା ପରିବର୍ତ୍ତେ ଉକ୍ତ କାରଖାନା ସ୍ଥାପନ ପରେ ଦୁର୍ନୀତି, ପରିବେଶ, ଶିକ୍ଷା, ରାଜ୍ୟବାସୀଙ୍କ ଦୀର୍ଘମିଆଦି ଜୀବିକା ଉପରେ ପଡୁଥିବା ପ୍ରଭାବ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

ଉନ୍ନତି କ୍ଷେତ୍ରରେ ଓଡ଼ିଶା କି କି ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବୁଛନ୍ତି?

ମୋ ମତରେ ରାଜ୍ୟବାସୀଙ୍କ ଭାଗ୍ୟବାଦୀ ମନୋବୃତ୍ତି ଏବଂ ଯୁବ ପୀଢ଼ି ମଧ୍ୟରେ ଦିନକୁ ଦିନ ହା୍ରସ ପାଉଥିବା ଉତ୍ସାହ ଏହାର ମୁଖ୍ୟ କାରଣ ଅଟେ । ରାଜନେତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଠାରେ ମଧ୍ୟ କିଛି କରିବାର ଆଗ୍ରହ କମିଥିବା ଲକ୍ଷ୍ୟ କରାଯାଉଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ କି? ଯଦି ହଁ, ତେବେ ଏ ପର୍ଯ୍ୟନ୍ତ ସେମାନେ ଏ କ୍ଷେତ୍ରରେ କାହିଁକି ସଫଳ ହୋଇ ନାହାନ୍ତି?

ହଁ, ରାଜ୍ୟ ବିକାଶରେ ନିଶ୍ଚିତଭାବେ ପ୍ରବାସୀ ଓଡ଼ିଆଙ୍କର ଭୂମିକା ରହିଛି । କେବଳ ସିଡ୍ସ ନୁହେଁ ଅନ୍ୟ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କଠାରୁ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଭଲ ଫଳାଫଳ ମଧ୍ୟ ମିଳିଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶମୂଳକ କାର୍ଯ୍ୟର ନେତୃତ୍ୱ ନ ନେଇ ପାରିବାର କେତେକ କାରଣ ରହିଛି ।

ଯେମିତିକି, ୧- ଉତ୍ତର ଆମେରିକାରେ ପାଖାପାଖି ଆଠ ହଜାର ଓଡ଼ିଆ ବାସ କରନ୍ତି, ଯେଉଁ ସଂଖ୍ୟା କି ଓଡ଼ିଶାର ଲୋକସଂଖ୍ୟା ଏବଂ ତାର ସମସ୍ୟା ଆଗରେ ଅତି ନଗଣ୍ୟ ।

୨- ବିଦେଶରେ ରହୁଥିବା ଅଧିକାଂଶ ଓଡ଼ିଆ ନିଜର ଆର୍ଥିକ ତଥା ସାମାଜିକ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

୩- ନେତୃତ୍ୱଙ୍କୁ ଅଧ୍ୟବସାୟ ଏବଂ ସମାଜସେବାରେ ନିୟୋଜିତ ହେବା ପାଇଁ କେତେକ ଏକାଧିକ ବର୍ଷ ସମୟ ନେଇଥାନ୍ତି ।

ତେବେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଯୁବ ପୀଢ଼ିର ନେତୃତ୍ୱ ନେଇପାରିଲେ ପରିସ୍ଥିତିରେ ଉନ୍ନତି ହେବ ବୋଲି ମୁଁ ଆଶା କରୁଛି ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଲେ, ସେତେବେଳର ଓଡ଼ିଶା ଆଉ ବର୍ତ୍ତମାନର ଓଡ଼ିଶା ମଧ୍ୟରେ କ’ଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?

ସେତେବେଳ ଅପେକ୍ଷା ପରିବହନ, ରାସ୍ତାଘାଟ ନିର୍ମାଣ ଆଦି କ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।

ପ୍ରତ୍ୟେକ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ସେହି ଅନୁପାତରେ ଉତ୍ପାଦନ ବଢ଼ିପାରିନାହିଁ । ଅଧିକ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେବା ଫଳରେ ରାଜ୍ୟରେ ଜଙ୍ଗଲର ପରିମାଣ କମିଛି । ପରିମଳ ବ୍ୟବସ୍ଥାରେ ଆବଶ୍ୟକ ପରିମାଣର ଉନ୍ନତି ହୋଇ ନାହିଁ ।

ତେବେ, ଲୋକମାନେ ନିଜର ଅଧିକାର ନେଇ ଅଧିକ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ବିକାଶ ପାଇଁ କେଉଁ ବିଷୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?

ଓଡ଼ିଶାରେ ଶିକ୍ଷା, ସମାନତା, ଲୋକମାନଙ୍କର ଜୀବିକା କ୍ଷେତ୍ରରେ ଉନ୍ନତି ହେବା ଆବଶ୍ୟକ । ଆନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଭ କରିବାକୁ ହେଲେ ଆମେ ସଂପାଦନ କରୁଥିବା ଯେ କୌଣସି କାର୍ଯ୍ୟକୁ ସର୍ବୋତ୍ତମ କରିବାକୁ ହେବ ।

ରାଜନୀତି ଆଡ଼କୁ ଆକର୍ଷିତ ହେଉଥିବା ଯୁବପୀଢ଼ି ଶିକ୍ଷିତ ହେବା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ ଅବସ୍ଥା ସଂପର୍କରେ ସଚେତନ ଏବଂ ସେବା ମନୋବୃତ୍ତି ସଂପନ୍ନ ହେବା ଆବଶ୍ୟକ ।

ପ୍ରଯୁକ୍ତି ବିଦ୍ୟାର ସୀମା ବିଷୟରେ ସଚେତନ ହେବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରାଯିବା ଉଚିତ । ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସମାଧାନ କରିବା ପାଇଁ ଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ।

ରାଜ୍ୟର ନୀତି ନିର୍ଦ୍ଧାରଣକାରୀ ତଥା ଉନ୍ନୟନମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ବର୍ଗପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ପ୍ରଣୟନ କରାଯାଉଥିବା ନୀତିଗୁଡ଼ିକରେ ନିଜର ଦୃଷ୍ଟିକୋଣ, ସୃଜନଶୀଳତା ଏବଂ ସାହସ ପ୍ରତିଫଳିତ ହେବା ଆବଶ୍ୟକ । ଦୁର୍ନୀତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସଠିକ୍ ବ୍ୟବସ୍ଥା ରହିବା ଉଚିତ ।

ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ଅବହେଳାର ଶିକାର ହେଉଛି ବୋଲି ଆପଣ ସହମତ କି ? ଯଦି ହଁ ଏହାର ପ୍ରତିକାର କ’ଣ?

ହଁ, ଓଡ଼ିଶା କେତେକ କ୍ଷେତ୍ରରେ ଅବହେଳିତ ହେବା ପରିଲକ୍ଷିତ ହେଉଛି । ତେବେ ସେଥି ପାଇଁ ଆମ ନିଜକୁ ଏବଂ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ନିଜର ସମୃଦ୍ଧ ସଂସ୍କୃତିକୁ ସୁରକ୍ଷିତ କରିବା ସହ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମକୁ ଆଗକୁ ଯିବାକୁ ହେବ ।

ଆପଣଙ୍କର ଦିନଚର୍ଯ୍ୟା ବିଷୟରେ କିଛି କହିବେ କି?

ମୋ ସ୍ତ୍ରୀ ଏବଂ ପରିବାରର ସହଯୋଗରେ ସପ୍ତାହର ପ୍ରାୟ ପ୍ରତିଦିନ ଗବେଷଣା, ସିଡ୍ସ୍ର ନେତୃତ୍ୱ, ସ୍ଥାନୀୟ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାରେ ସମର୍ଥ ହୁଏ ।

ଚଳିତ ବର୍ଷ କଳାକାରମାନଙ୍କର ଏକ ପନ୍ଦର ଜଣିଆ ଦଳର କାର୍ଯ୍ୟକ୍ରମ ପରିଚାଳନା କରିବା ଭଳି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ରହିଲେ ମଧ୍ୟ, ମୋ ପାଇଁ ସେ ସବୁ ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିଯାଇଛି ।

ଓଡ଼ିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: କମ୍ପ୍ୟୁଟର ସାଇନ୍ସ, ଗଣମାଧ୍ୟମ, ଗବେଷଣା, ବିଶ୍ୱବିଦ୍ୟାଳୟ, ଶିଳ୍ପ ପ୍ରତିଷ୍ଠା, ସାକ୍ଷାତକାର, ସ୍ୱେଚ୍ଛାସେବୀ

ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ

November 25, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନଭେମ୍ବର ୨୫,(ଓଡିଶା ଡ଼ଟ୍ କମ୍), ମଧ୍ୟପ୍ରାଚ୍ୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରୁଥିବା ପଡ଼ୋଶୀ ପଶ୍ଚିମବଙ୍ଗର ଦୀପକ ରାୟ କୁହନ୍ତି, ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ।

ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର କୃଷ୍ଣପୁରରେ ଜନ୍ମ ଗ୍ରହଣ କରିଥିବା ଦୀପକ ରାୟ ଗତ ଦଶ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରାଚ୍ୟରେ ଓଡ଼ିଶୀର ପ୍ରଚାର କରୁଛନ୍ତି । ଅନ୍ୟ ରାଜ୍ୟରେ ଜନ୍ମ ହୋଇ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ବିଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

୧୯୯୩ରେ ମସ୍କାଟ୍ର ଓମାନରେ ଇଣ୍ଡିଆନ ଏମ୍ବାସି ସ୍କୁଲରେ ଜଣେ କଳା ଶିକ୍ଷକଭାବେ ସେ ଯୋଗ ଦେଇଥିଲେ । ସ୍କୁଲରେ ଗ୍ରାଫିକ ଆର୍ଟସ ପଢ଼ାଇବା ବ୍ୟତୀତ ଅନ୍ୟ ସମୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରନ୍ତି ୪୦ ବର୍ଷ ବୟସ୍କ ଦୀପକ ।

ବ୍ୟକ୍ତିଗତ ଚେଷ୍ଟାରେ “ଦୀପମ୍” ନୃତ୍ୟଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରି ଦୀପକ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେଠାରେ ନୃତ୍ୟ ଶିକ୍ଷା ତାଲିମ ଦେଉଛନ୍ତି । ସେଠାରେ ରହୁଥିବା ଦକ୍ଷିଣ ଭାରତୀୟ ଏବଂ ଭାରତୀୟ ମୁସଲିମ ମାନେ ଓଡ଼ିଶୀ ଶିଖିବାକୁ ଅଧିକାଂଶ ସଂଖ୍ୟାରେ ଆସୁଛନ୍ତି ।

ଭୋର ପାଞ୍ଚଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ନୃତ୍ୟ ଶିକ୍ଷା ଚାଲେ । ସହଜ ନୃତ୍ୟ ଭଙ୍ଗୀ ରଚନା କରିବାରେ ନିଜର ସୃଜନଶୀଳତା ପାଇଁ ଶିଷ୍ୟମାନଙ୍କ ମହଲରେ ସେ ବେଶ୍ ଆଦରଣୀୟ ।

କଲିକତାର ଶାନ୍ତି ନିକେତନରୁ ଗ୍ରାଫିକ ଆର୍ଟ ଶିକ୍ଷା କରିବା ସହ ଦୀପକ ସେଠାରୁ ଶିଖିଛନ୍ତି କଥକଳୀ, ମଣିପୁରୀ ଏବଂ ଓଡ଼ିଶୀ । ସ୍କୁଲ ଜୀବନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଆଦି ବିଷୟ ପଢ଼ିଥିଲେ ମଧ୍ୟ ପରେ ସେ କଳା ଆଡ଼କୁ ଅଧିକ ଆକର୍ଷିତ ହୋଇଥିଲେ ।

ଗୁରୁ କେଳୁ ନାୟାରଙ୍କଠାରୁ କଥକଳି, ଜିତେନ୍ ସିଂଙ୍କଠାରୁ ମଣିପୁରୀ ଶିଖିଥିଲେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅନୁରାଗ ଥିଲା ।

“ଏକା ସମୟରେ ଏକାଧିକ ନୃତ୍ୟ ପ୍ରଦର୍ଶନରେ ଧ୍ୟାନ ଦେଲେ କୌଣସି ଗୋଟିଏ ପ୍ରତି ନ୍ୟାୟ କରିବା ସମ୍ଭବ ହୁଏନା । ତେଣୁ ୧୯୮୯ରେ କେବଳ ଓଡ଼ିଶୀ ନୃତ୍ୟରେ ମନୋନିବେଶ କରିବାକୁ ମଁ ନିଷ୍ପତ୍ତି ନେଇଥିଲି” ।

ଭାରତୀୟ ନୃତ୍ୟଗୁଡ଼ିକ ମଧ୍ୟରେ “ଓଡ଼ିଶୀ” ସର୍ବ ପୁରାତନ ଏବଂ ଏହାର ଭଙ୍ଗୀଗୁଡ଼ିକ ଅନ୍ୟ ନୃତ୍ୟ ତୁଳନାରେ ଅଧିକ ଜଟିଳ ବୋଲି ବିଶ୍ୱାସ କରନ୍ତି କଳାପ୍ରେମୀ ଦୀପକ ।

ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ପଦ୍ମ ଭୂଷଣ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ସେ ନୃତ୍ୟ ତାଲିମ ନେଇଛନ୍ତି ।

ସେ ଯେତେବେଳେ ଓମାନ ଯାଇଥିଲେ ଓଡ଼ିଶୀ ବିଷୟରେ ସେଠାକାର ଲୋକମାନଙ୍କର କୌଣସି ଧାରଣା ନ ଥିଲା ବୋଲି କୁହନ୍ତି ଦୀପକ । “ନୃତ୍ୟର ପ୍ରଚାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମୋତେ ବିଭିନ୍ନ ଭଙ୍ଗୀରେ ଅଭିନୟ କରି ଏଠାକାର ଲୋକମାନଙ୍କୁ ଦେଖାଇବାକୁ ପଡୁଥିଲା” ।

ଉକ୍ତ ଅଞ୍ଚଳରେ ପ୍ରାୟ ତିରିଶ ଲକ୍ଷ ଭାରତୀୟ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍କାଟରେ ରହୁଛନ୍ତି ।

ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତିକୁ କଳା ପ୍ରେମୀ ଏସିଆ ମହାଦେଶର ଲୋକମାନଙ୍କ ବ୍ୟତୀତ ବର୍ତ୍ତମାନ ୟୁଏଇ, ବାହାରିନ, ଦୋହା ଆଦି ଦେଶର ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି ବୋଲି ଦୀପକ ଓଡ଼ିଶା ଡଟ୍ କମ୍ କୁ କହିଛନ୍ତି ।

ପ୍ରଳୟଙ୍କରୀ ସୁନାମୀ ପରେ ଗତ ମେ ମାସରେ ମସ୍କାଟର ଆଲ୍ବାସ୍ତାନ ପ୍ୟାଲେସ ହୋଟେଲରେ ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ସଂପୂର୍ଣ୍ଣ ଓଡ଼ିଶୀ ଶୈଳୀରେ ପ୍ରକୃତିର ମହତ୍ୱକୁ ଏହି ନୃତ୍ୟ ମାଧ୍ୟମରେ ଚିତ୍ରିତ କରାଯାଇଥିଲା । ପ୍ରାୟ ୪୦ ଜଣ ଯୁବ କଳାକାର ଏଥିରେ ଭାଗ ନେଇଥିଲେ । ଉପସ୍ଥିତ ଶତାଧିକ ବିଦେଶୀ ଦର୍ଶକ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ବୋଲି ଦୀପକ କହିଛନ୍ତି ।

ଆଧୁନିକ ଓଡ଼ିଶୀ ଶୈଳୀରେ ତାଙ୍କର ସୃଷ୍ଟି “ଇଟରନାଲ ଜର୍ଣ୍ଣି ଟୁ ସି” ଏବଂ “ଜଙ୍ଗଲ ସିମ୍ଫୋନି” କୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଭାରତୀୟ ଦୂତାବାସରେ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ ସେମାନେ ଦୀପକଙ୍କୁ ନିମନ୍ତ୍ରଣ କରିଥାନ୍ତି ।

ଭାରତ, ନେପାଳ, ୟୁଏଇ ଆଦି ଦେଶରେ ପ୍ରଦର୍ଶନ କରିସାରିଥିବା ଦୀପକ “ଷ୍ଟେଜ୍ ଶୋ” ସମୟରେ ନିଜର ସ୍ୱତନ୍ତ୍ର ଶୈଳୀରେ ମଞ୍ଚ ସଜ୍ଜା, ଆଲୋକ ଏବଂ ଶବ୍ଦର ସଂଯୋଜନା କରିଥାନ୍ତି ।

ତେବେ ତାଙ୍କର ଏହି ସଫଳତା ପଛରେ ପତ୍ନୀ ବନଜା କୁମାରୀ ରାୟଙ୍କର ପ୍ରେରଣା ଥିବା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ଦୀପକ । ବନଜା ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଦୀପକଙ୍କର ବାପା ପଶ୍ଚିମବଙ୍ଗର ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ । ମାଆ ଜଣେ କଳାକାର । ଦୀପକଙ୍କୁ ମିଶାଇ ତାଙ୍କର ଦୁଇ ଭାଇ ଦୁଇ ଭଉଣୀ । ଦୀପକ ସବା ବଡ଼ ।

ତାଙ୍କର ସାନ ଭଉଣୀ ବର୍ତ୍ତମାନ ଉତ୍ତରପ୍ରଦେଶର କାନପୁରରେ କଥକଳି ନୃତ୍ୟର ପ୍ରସାର ପାଇଁ କାମ କରୁଥିବା ଦୀପକ କହିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଶୀ, କଥକଳୀ, ଛାତ୍ରଛାତ୍ରୀ, ଦୀପକ ରାୟ, ପଶ୍ଚିମବଙ୍ଗ, ମଣିପୁରୀ, ଶାନ୍ତି ନିକେତନ, ସାକ୍ଷାତକାର

  • « Go to Previous Page
  • Page 1
  • Interim pages omitted …
  • Page 28
  • Page 29
  • Page 30
  • Page 31
  • Page 32
  • Page 33
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ