• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଳା ଓ ସଂସ୍କୃତି

ଜଗନ୍ନାଥ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି

August 15, 2022 by Rameswar Leave a Comment

ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କର ଆରାଧ ଦେବତା ନୁହନ୍ତି ,ସେ ହେଉଛନ୍ତି ବିଶ୍ବବାସୀଙ୍କର ଭରସାର ପ୍ରତୀକ, ଚେତନାର ନିଦର୍ଶନ । କେଉଁ ଆବାହମାନ କାଳରୁ ଓଡିଶାର ସଂସ୍କୃତି ପରମ୍ପରା ଓ ଆବେଗ ସହ ଜଗନ୍ନାଥଙ୍କର ଲୀଳାଖେଳାରନିବିଡ ସମ୍ପର୍କ ରହିଛି ।

ଏ କଥା କଳନା କରିବା ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ଛୋଟ ଛୁଆଟିଏ ଏରୁଣ୍ଡି ପାରିହୋଇ ଯେତେବେଳେ ବିଦ୍ୟାଳୟକୁ ଯାଏ ସେଠାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଭଜନ ପ୍ରାର୍ଥନା ଆକାରରେ ବୋଳା ହେବା ବେଳେ ତା ମନରେ ଭକ୍ତିଭାବ ସଞ୍ଚର ହୁଏ ।

ଆହେ ନୀଳ ଶୈଳ, ଆହେ ଦୟାମୟ ବିଶ୍ବବିହାରୀ ଭଳି ସାମୁହିକ ପ୍ରାର୍ଥନା ସରଳ ଶିଶୁଟିକୁ ଜଗନ୍ନାଥଙ୍କ ପ୍ରେମରେ ବାନ୍ଧିଦିଏ । ସବୁ ବିଶ୍ବାସର ସତ୍ତା ଏବଂ ଭାଗ୍ଯର ନିୟନ୍ତା ଯେ ଶ୍ରୀଜଗନ୍ନାଥ, ଏହି ଧାରଣା ଧୀରେ ଦୃଢ଼ୀଭୂତ ହୁଏ ।

ଦୁଃଖରେ ପଡ଼ିଥିବା ସମସ୍ତ ପ୍ରାଣୀ ଯେ, ଶ୍ରୀଜଗନ୍ନାଥଙ୍କୁ ଭକ୍ତି ସହକାରେ ସ୍ମରଣ କରନ୍ତି ଏ କଥା ବୁଝାଇ କହିବାର ଆବଶ୍ୟକତା ନାହି । ମାନବ ଜୀବନରେ ଲକ୍ଷ୍ୟ ହାସଲ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଏବଂ ସମର୍ପଣଠାରୁ ଆଉ ଭରସାଯୋଗ୍ୟ ମାନସିକତା କଣ ଅଛି ?

ଜଣେ ଓଡିଶାବାସୀ ଭାବେ ଜଗନ୍ନାଥ ଚେତନାରେ ଅନୁପ୍ରାଣିତ ହେବା ମୋ ଭଳି ଜଣେ ବ୍ୟକ୍ତି ପାଇଁ ଏକ ସାଧାରଣ କଥା ।

ସ୍କୁଲର କାନ୍ଥ ହେଉ ଅବା ଘରେ ଲାଗିଥିବା ଛବି ହେଉ କିମ୍ବା ଜଗନ୍ନାଥ ଧାମରୁ ପ୍ରତ୍ୟାବର୍ତ୍ତନ କରୁଥିବା ଗ୍ରାମବାସୀ, ପଣ୍ଡିତଗଣ ଅଥବା ପରିବାର ସଦ୍ୟସଙ୍କ ଭଜନ-ଜଣାଣ ଶୁଣି ଶୁଣି ପିଲାଦିନୁ ଜଗନ୍ନାଥଙ୍କ ସହ ମୋର ଡୋରି ବାନ୍ଧି ହୋଇଯାଇଛି ।

ତେଣୁ ଜଗନ୍ନାଥ ଧାମକୁ ବୁଲିଯିବା ଏବଂ କାଳିଆ ଠାକୁରଙ୍କୁ ଦର୍ଶନ କରିବା ଏ ଦୁଇଟି କାର୍ଯ୍ୟ ସବୁବେଳେ ମୋ’ ପାଇଁ ଏକ ପ୍ରାଣସ୍ପର୍ଶୀ ଅନୁଭବ ।

ବିଗତ କିଛି ବର୍ଷ ଧରି ରଥଯାତ୍ରା ଲାଗି ପୁରୀ ଧାମକୁ, ସେଠାରେ ତିନି ଠାକୁରଙ୍କୁ ରଥ ସମ୍ମୁଖରେ ମନଭରି ଦର୍ଶନ କରିବା, ଅଗଣିତ ଭକ୍ତସମାଜ ସହ ସମୟ ବିତେଇବା ମୋ ପାଇଁ ଅବର୍ଣ୍ଣନିୟ ଅନୁଭୂତି ।

ଏଥିରେ ଯେଉଁ ଉନ୍ମାଦନା ଏବଂ ଆନନ୍ଦ ମିଳେ ତାହା ଅନ୍ୟ କେଉଁଥିରେ ଉପଲବ୍ଧ ନାହିଁ । ଏହି କାରଣରୁ ମୁ ସବୁବେଳେ ବ୍ୟାକୁଳତାର ସହ ସେଇ ବିରଳ ମୂହୁର୍ତ୍ତକୁ ଅପେକ୍ଷା କରିଥାଏ ।

୨୦୨୦ ରଥଯାତ୍ରା କଥା । ସମଗ୍ର ବିଶ୍ଵ କରୋନା ଭୁତାଣୁର ଆତଙ୍କରେ ପ୍ରଭାବିତ । ଚାରିଆଡେ କୋକୁଆ ଭୟ । ରାସ୍ତାଘାଟ, ବଜାର, ଅଫିସ ଗାଁ ଚାରିଆଡେ ଶୁନଶାନ ।

କରୋନ ମହାମାରୀ କବଳିତ ସମଗ୍ର ପୃଥିବୀ ଭୀତତ୍ରସ୍ତ । କିଏ କେତେବେଳେ ଏ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯିବେ, ସେଇ ଆଶଙ୍କାରେ ମୃତ୍ୟୁ ଜଳଜଳ ହୋଇ ଦିସୁଥା ।

ନିସ୍ତବ୍ଧ ନଗରୀର ପ୍ରଶସ୍ତ ରାସ୍ତାରେ କେବଳ ଆମ୍ବୁଲାନ୍ସର ଆତଯାତ ଏବଂ ତଜନିତ ଆତଙ୍କପ୍ରଦ ଶବ୍ଦ ବହୁ ଦୂରକୁ ଶୁଭଯାଉଥାଏ । ସହର ଏବଂ ଗାଁ ଶ୍ମସାନରେ ଅନବରତ ଜଳୁଥିବ ଜୁଇର ନିଆଁରୁ ଏ ଜୀବନ କେତେ ମୂଲ୍ୟହୀନ ତାର ସ୍ପଷ୍ଟ ସଂକେତ ମିଳୁଥାଏ ।

ସମଗ୍ର ବିଶ୍ଵବାସୀଙ୍କ କଣ୍ଠରେ ଗୋଟିଏ ପ୍ରାର୍ଥନା, ହେ ଈଶ୍ଵର ! ଆପଣ ଏ ଜଗତକୁ ଉଦ୍ଧାର କରନ୍ତୁ । ଏହିପରି ଏକ ଜଟିଳ ପରିସ୍ଥିତିରେ ଜନସାଧାରଣଙ୍କୁ ଜୀବନ ଜୀବିକାର ସୁରକ୍ଷା ଦେବା, ଅତ୍ୟାବଶ୍ୟକ ସେବା ଏବଂ ସାମଗ୍ରୀ ପହଞ୍ଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଥିଲା ।

ସେ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବା ବେଗକୁ ଉପେକ୍ଷା କରି ରଥଯାତ୍ରା ନକରିବାର ନିଷ୍ପତି ଏକ ବହୁ କଷ୍ଟକର କଥା ହେଇଥାନ୍ତା । ଜଣ ସମାଗମରେ ମହାମାରି ବ୍ୟାପିବା ଏକ ନିଶ୍ଚିତ କଥା ଥିଲା ।

ବହୁ ବାଦବିବାଦ ପରେ କଥା ଯାଇ ମାନ୍ୟବର ଉଚ୍ଚନ୍ୟାୟାଳୟ ଏବଂ ସର୍ବୋଚ୍ଚନ୍ୟାୟାଳୟରେ ପହଞ୍ଚି ଥିଲା । ଜଣେ ଜଗନ୍ନାଥ ପ୍ରେମୀ ହିସାବରେ ମୋର ଇଚ୍ଛା ଥିଲା , ଏ କଠିନ ସମୟରେ ତିନି ଠାକୁର ଶ୍ରୀମନ୍ଦିର ବାହାରକୁ ଆସନ୍ତୁ ।

ଯଦି ସେ ସକଳ ସତ୍ତାର ଆଧାର, ଏକ ଭକ୍ତଶୂନ୍ୟ ବଡଦାଣ୍ଡରେ ସମଗ୍ର ମଣିଷ ଜାତିର ଦୁଃଖ କଷ୍ଟକୁ ଚକାନୟନରେ ନିରେଖି ଦେଖନ୍ତୁ ।

ଯଦି ସେ ମାନବ ଜାତିକୁ ଉଦ୍ଧାର ନା କରନ୍ତି , ଏ ବିଶ୍ଵ ଜଗତରେ ତାଙ୍କର ମହିମା ଗାନ କରିବାକୁ କିଏ ବା ଥିବ ? ଏହି ମର୍ମରେ ସନ୍ଥକବି ଭୀମଭୋଇଙ୍କ ବହୁବର୍ଷ ତଳର ଲେଖା ମତେ ଆନ୍ଦୋଳିତ କରୁଥିଲା ।

ଅଶେଷ ବ୍ରହ୍ମାଣ୍ଡ ଡୁବି ଯେବେ ଯିବ
କାହିଁରେ ରହିବି ମୁହିଁ ।
ମନ ଛନ ଛନ ହେଉଛି ଉଚ୍ଛନ୍ନ
ଏ ପିଣ୍ଡ ବ୍ରହ୍ମାଣ୍ଡ ପାଇଁ ।
ଏ ଜନ ଜଗତ ହତ ହୋଇଗଲେ
କାହିଁ ପ୍ରଚରିବି ମୁହିଁ ।
ଏଣୁ କରି ସିନା ପ୍ରଭୁ ଶ୍ରୀ ଛାମୁରେ
ନୀତି ଜଣାଣ କରଇ।

ସେ ସମୟର ଘଟଣାବଳିକୁ ମୁଁ ଗଭୀର ଭାବରେ ଅନୁଧ୍ୟାନ କରୁଥିଲି। ରଥଯାତ୍ରାର କିଛି ଘଣ୍ଟା ପୂର୍ବରୁ ମାନ୍ୟବର ସର୍ବୋଚ୍ଚନ୍ୟାୟାଳୟ ଆଦେଶ ପ୍ରାପ୍ତ ହେଲା ।

ଏକ ଭକ୍ତ ଶୂନ୍ୟ ରଥଯାତ୍ର ଆୟୋଜନ କରିବେ, ଓଡିଶା ସରକାର । ସମଗ୍ର ପୁରୀ ସହରରେ କର୍ପ୍ଯୁ ଲାଗୁ କରାଯିବ । ନିଜର ବାସଗୃହ, ହୋଟେଲ, ଲଜ୍ ଇତ୍ଯାଦିରୁ କାହାରିକୁ ବାହାରକୁ ଆସିବାକୁ ଦିଆଯିବ ନାହିଁ । ପାଞ୍ଚ ସାତ ସେବାୟତ ଯେଉଁମାନେ ଭୂତାଣୁ ଦ୍ଵାରା ସଙ୍କ୍ରମିତ ହେଇନଥିବେ, ସେମାନେ ରଥଟଣା କାର୍ଯ୍ୟକ୍ରମ କରିବେ ।

ଦୁଇଟି ରଥଟଣା ଭିତରେ ଗୋଟେ ଘଣ୍ଟା ଅନ୍ତରାଳ ରହିବ । ସମସ୍ତ ନିତିକାନ୍ତି,ରଥଟଣା କାର୍ଯ୍ୟକ୍ରମକୁ ବିଶ୍ବବାସୀ କେବଳ ଟେଲିଭିଜନ ଏବଂ ଭିଜୁଆଲ ମାଧ୍ୟମରେ ଦେଖିପାରିବେ । ଯେଉଁ ଯେଉଁ ବିଭାଗ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଆବଶ୍ୟକ, କେବଳ ସେଇ ବିଭାଗର ଅଧିକାରୀମାନଙ୍କୁ ପୁରୀ ଯିବା ପାଇଁ ଅନୁମତି ଥିଲା ।

ବହୁ ପ୍ରତୀକ୍ଷା ପରେ ରଥଯାତ୍ରାର ସିଧା ପ୍ରସାରଣ ଦେଖି ଏହି ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଆରାଧ୍ୟ ଦେବତାଙ୍କୁ ଅଶ୍ରୁଳ ନଯନରେ ନିବେଦନ କରିଥିଲି ମୁଁ ସ୍ଵଗୃହରୁ ।

ନିଜର ସହକର୍ମୀମାନଙ୍କୁ ତାଙ୍କର ନିଷ୍ଠାପର ଉଦ୍ୟମ ଏବଂ ରଥଯାତ୍ରାର ସୁପରିଚାଳନ ପାଇଁ କୃତଜ୍ଞତା ଜ୍ଞାପନ କରିବା ମୋର କର୍ତ୍ତବ୍ଯ ଥିଲା । କିନ୍ତୁ ମାନରେ ଗୋଟେ ଇଚ୍ଛା ଏବଂ କ୍ଷୋଭ ।

ଯଦି ଜଗନ୍ନାଥଙ୍କ ଦୟାରୁ ସରକାରଙ୍କ ତରଫରୁ ରଥଯାତ୍ରା ପରିଚାଳନା ସମ୍ପର୍କିତ କୌଣସି ବିଭାଗର ଦାୟିତ୍ଵ ମତେ ମିଳିଥାନ୍ତା, ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ହୋଇଥାନ୍ତା । ମନେ ମନେ ମୁଁ ଏ ଗୁହାରୀ ଜଗନ୍ନାଥଙ୍କୁ ଜଣାଇଥିଲି।

୨୦୨୧ ମସିହା ରଥଯାତ୍ରାର ସମୟ ପାଖେଇ ଆସୁଥାଏ । କୋରୋନ ପ୍ରକୋପ ଜାରି ରହିଥାଏ । ଠିକ ଦୁଇମାସ ପୂର୍ବରୁ ମେ ମାସ ୧୨ ତାରିଖରେ ସରକାରଙ୍କ ତରଫରୁ ବିଜ୍ଞପ୍ତି ବାହାରିଲା । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ଵ ମତେ ଦିଆଗଲା ।

ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଦୂରଦର୍ଶନ ମାଧ୍ୟମରେ ପୂର୍ବବର୍ଷ ପରି ସମସ୍ତ ଚ୍ଯାନେଲମାନଙ୍କୁ ଲାଇଭ ଫିଡ ଦିଆଯିବ ଏବଂ ସେ ସମସ୍ତ କାର୍ଯ୍ୟ ମୋ ବିଭାଗର । ଏକ ଭକ୍ତଶୂନ୍ୟ ବଡଦାଣ୍ଡରେ ନୟନ ପୁରାଇ ତିନି ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ମୋ ପାଇଁ ଏକ ନିଆରା ଅନୁଭୂତି ଥିଲା ।

ସନ୍ଧ୍ୟାବେଳେକୁ ବଡଦାଣ୍ଡରେ ଭିଜି ରଥ ଚାରିପଟେ କ୍ୟାମେରାମ୍ୟାନ୍ ଏବଂ ସଂପ୍ରସାରଣ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କର କାମକୁ ସଠିକ୍ ଭାବରେ ପରିଚାଳନା କରାଇବା, ଦୂରଦର୍ଶନର ନିର୍ଦ୍ଦେଶକ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର କିଛି ହାତଗଣା ଅଧିକାରୀ, ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ, ପୁଲିସ ବିଭାଗର ଆବଶ୍ୟକ ଶଙ୍ଖକ କର୍ତ୍ତବ୍ଯନିଷ୍ଠ କର୍ମଚାରିଙ୍କ ସୌହାର୍ଦ୍ଦ୍ୟ ଜୀବନର ଶେଷ ସମୟ ଯାଏଁ ଛବି ରୂପରେ ମୋ ମାନସପଟରେ ଲିପିବଦ୍ଧ ହୋଇ ରହିଥିବ ।

ମୋ ଅନ୍ତରାତ୍ମାରେ ଏଇ ଗୋଟିଏ କଥା ପ୍ରତିଧ୍ଵନିତ ହେଉଥାଏ – ଏ ଅନୁଭୂତିରେ ଜଗନ୍ନାଥଙ୍କ କୃପା ପାଇଁ ସମ୍ଭବ ହେଲା । ଜଗନ୍ନାଥ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ।

Rameswar
Rameswar

Filed Under: କଳା ଓ ସଂସ୍କୃତି, ଧର୍ମ, ସଂସ୍କୃତି Tagged With: ଓଡିଶା

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

ବଡ଼ଦାଣ୍ଡରେ ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମ ପରମ୍ପରା

February 10, 2019 by ଓଡିଶା ଡଟ କମ Leave a Comment

ପୁରୀ, ଫେବ୍ରୁଆରୀ ୧୦: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ଶ୍ରୀପଞ୍ଚମୀ ଅବସରରେ ବଡ଼ଦାଣ୍ଡରେ ରଥ ନିର୍ମାଣର ପ୍ରଥମ ପରମ୍ପରା ସ୍ୱରୂପ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହୋଇଥିଲା ।

ଚୂନପାଣିରେ ରଥଖଳାକୁ ପବିତ୍ର କରିବା ପରେ କାଠ ୩ଟିକୁ ମାଜଣା କରାଯାଇଥିଲା ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜଗୁରୁ ଓ ପୁରୋହିତ ପୂଜାର୍ଚ୍ଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀପଞ୍ଚମୀ ଅବସରରେ ରଥ ନିର୍ମାଣର ପ୍ରଥମ ପରମ୍ପରା ଆରମ୍ଭ ହୋଇଥାଏ । ନୟାଗଡ଼ ବନଖଣ୍ଡରୁ ପ୍ରଥମ ଦଫାରେ ଏହି କାଠ ସମେତ ମୋଟ ୫୭ଖଣ୍ଡ କାଠ ଆସିଥିଲା ।

କାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡ଼ା ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସମେତ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: କଳା ଓ ସଂସ୍କୃତି, ଧର୍ମ Tagged With: ପୁରୀ

ଆମେରିକାର ମଧ୍ୟ ଇଣ୍ଡିଆନାରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ପାଳନ

July 18, 2018 by ଓଡିଶା ଡଟ କମ Leave a Comment

ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି ।

ଚଳିତ ବର୍ଷକୁ ମିଶାଇ ଆମେରିକାର ଜଗନ୍ନାଥ ଆସୋସିଏସନ ଅଫ ଇଣ୍ଡିଆନା (ଜୟ ) ଆନୁକୁଲ୍ୟରେ ଇଣ୍ଡିଆନାରେ ବସବାସ କରୁଥିବା ଓଡ଼ିଆ ପରିବାରମାନଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ରଥ ଯାତ୍ରାର ଆୟୋଜନ ।

ରଥଯାତ୍ରାର ବହୁ ଦିନ ପୂର୍ବରୁ ସପ୍ତାହନ୍ତ ଗୁଡିକରେ ଓ ସନ୍ଧ୍ୟା ସମୟରେ ରଥ ନିର୍ମାଣ, ସାଜସଜ୍ଜ୍ୟା ଓ ନୀତି ନିର୍ଘଣ୍ଟ ଇତ୍ୟାଦି କାର୍ଯ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ମଙ୍ଗଳ ଆରତୀ ଓ ଅନ୍ୟାନ ପୂଜା ଅର୍ଚ୍ଚନା ପରେ ଦିବା ପ୍ରାୟ ୧୧ ଟା ସମୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଗ୍ରହ ମାନଙ୍କୁ ପାଲିଙ୍କିରେ ମନ୍ଦିର ଭିତରୁ ପହଣ୍ଡି କରାଇ ରଥକୁ ଅଣାଯାଇଥିଲା ।

http://www.odisha.com/wp-content/uploads/2018/07/VID-20180714-WA0060.mp4

ଘଣ୍ଟଘଣ୍ଟା, ମାର୍ଦ୍ଦଳ, ଶଙ୍ଖ , ହୁଳହୁଳି ଓ ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ଥିଲା । ଏଚ.ଟି.ସି.ଆଇ. ର ସଭାପତି ଡ଼କ୍ଟର କୃଷ୍ଣ କୁମାର ପଦ୍ମନାଭନ ଛେରା ପହଁରା କରିଥିଲେ । ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ କିଛି ଦୂରରେ ଥିବା ମାଉସୀ ମା ଘରରେ ଶେଷ ହୋଇଥିଲା । ସେଠାରେ ଶ୍ରୀ ବିଗ୍ରହ ମାନଙ୍କୁ ଅବସ୍ଥାପିତ କରାଯାଇଥିଲା ।

ରଥଯାତ୍ରା ଉପଲକ୍ଷେ ଅନ୍ନ, ଡାଲି, ଘାଣ୍ଟ ତରକାରୀ, ଟମାଟୋ ଖଟା ଓ ଖିରି ଆଦି ଓଡ଼ିଆ ଖାଦ୍ୟ ଭକ୍ତ ମାନଙ୍କୁ ପରଷା ଯାଇଥିଲା । ଭକ୍ତମାନେ ବଡ ଉଲ୍ଲାସରେ ପ୍ରସାଦ ସେବନ କରିଥିଲେ ।

ପ୍ରସାଦ ସେବନ ପରେ ବିଭିନ୍ନ ପ୍ରକାରର ସାସ୍କୃତିକ କାର୍ଯ୍ୟକ୍ରମ ଯଥା ଭଜନ , ଓଡିଶୀ ନୃତ୍ୟ ପରିବେଷଣ, ଓଡ଼ିଆ କବିତା ଆବୃତି ଇତ୍ୟାଦି କରାଯାଇଥିଲ । ଶେଷରେ ଭାରତର ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ଭାରତର ବିଭିନ୍ନ ରାଜ୍ୟରୁ ଆସି ଇଣ୍ଡିଆନାଠାରେ ବାସ କରୁଥୁବା ପ୍ରାୟ ୫୦୦ ରୁ ଉର୍ଦ୍ଧ ଭକ୍ତ ରଥଯାତ୍ରାରେ ଯୋଗ ଦେଇ ଶ୍ରୀ ବିଗ୍ରହ ମାନଙ୍କୁ ଦର୍ଶନ କରିଥିଲେ । ୨୨ ଜୁଲାଇ ପୂର୍ବାହ୍ନ ୧୦ ଟା ରେ ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏଚ.ଟି.ସି.ଆଇ. ଦ୍ୱାରା ନୀତି ନିର୍ଘଣ୍ଟ ହୋଇଛି |

ନିଜ ଭିଟା ମାଟିରୁ ଯାଇ ସୁଦୂର ଆମେରିକାରେ ରହିଲେ ମଧ୍ୟ ଓଡ଼ିଆ ସମ୍ପ୍ରଦାୟ ସେଠାରେ ମହା ଆନନ୍ଦ ଉଲ୍ଲାସରେ ରଥ ଯାତ୍ରା ପାଳନ କରି ପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ।

ଏଚ.ଟି.ସି.ଆଇ. କର୍ମକର୍ତ୍ତା ଓ ଜୟ ଗୃପର ମିଳିତ ଆନୁକୂଲ୍ୟରେ ରଥଯାତ୍ର ପାଳନ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: କଳା ଓ ସଂସ୍କୃତି Tagged With: ଆମେରିକା, ଇଣ୍ଡିଆନା, ରଥଯାତ୍ରା, ହିନ୍ଦୁ ମନ୍ଦିର

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

July 15, 2018 by କେଦାର ମିଶ୍ର Leave a Comment

କେଦାର ମିଶ୍ର

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।

ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ ତୀର୍ଥ କର ଦେଉଥିବା ଯାତ୍ରା ଭାବେ ପରିଗଣିତ ହେଉଥିଲା । ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକ ଠାରୁ ବିପୁଳ କର ଆଦାୟ କରୁଥିଲେ ।

ଅନ୍ୟ ଏକ ଘଟଣା କ୍ରମରେ ଓଡିଶାରେ ନିଜର ରାଜନୈତିକ ପତିଆରା ବରକରାର ରଖିବାକୁ ଖୁର୍ଧା ର ଗଜପତି ରାଜା ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଶ୍ରୀମନ୍ଦିର ର ମୁଖିଆ ପଦ ମଣ୍ଡନ କରିଥିଲେ।

ଐତିହାସିକ ଦୃଷ୍ଟିରୁ ରଥଯାତ୍ରା ସହିତ ରାଜନୈତିକ କ୍ଷମତା ପ୍ରଦର୍ଶନର ଏକ ସୂକ୍ଷ୍ମ ଧାର୍ମିକ ସମ୍ପର୍କ ରହିଆସିଛି ।ରଥଯାତ୍ରାର ଐତିହାସିକ ଓ କିମ୍ବଦନ୍ତି ମୂଳକ ଆଲୋଚନା ରୁ କେତୋଟି ବିଶେଷ ଅନାଲୋଚିତ ତଥ୍ୟ-

୧. ୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଂକୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶୃତି ଦେଇଛନ୍ତି । ତେଣୁ ଏହା ମହାପ୍ରଭୁଂକ ନିଜ ଇଚ୍ଛା ର ଯାତ୍ରା ।

ଏହି ଯାତ୍ରା ରେ ଭକ୍ତର ଭୁମିକା ସବୁଠୁ ଆଗରେ । ତେଣୁ ଏହାକୁ ନବଦିନାତ୍ମକ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ।

୨. ଶ୍ରୀ ମନ୍ଦିର ଠାରୁ ତିନି କିଲୋମିଟର ଦୂର ଗୁଣ୍ଡିଚା ମନ୍ଦିର କୁ ଶ୍ରୀ ଜଗନ୍ନାଥଂକ ଜନ୍ମବେଦୀ ବୋଲି ମଧ୍ୟ କୁହାଯାଇଥାଏ ।ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ଜଗନ୍ନାଥ ନିଜେ କହୁଛନ୍ତି – ଆଷାଢ଼ ଶୁକ୍ଲ ଦ୍ଵିତୀୟା ଦିନ ଆମ୍ଭଙ୍କୁ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ସେଇ ମହାବେଦୀ କୁ ରଥରେ ବସାଇ ଘେନିଯିବ ।

ସେହି ମହାବେଦୀ ଆମ୍ଭର ଆଦ୍ୟ ପୀଠ ଓ ସେଠାରେ ତୁମେ ରାଜା ଇନ୍ଦ୍ରଦ୍ୟୁମ୍ଣ ହଜାରେ ଅଶ୍ଵମେଧ ଯଜ୍ଞ କରିଛ । (ଉତ୍କଳ ଖଣ୍ଡ-୨୯/୩୪)

୩. କପିଳ ସଂହିତା, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନିଳାଦ୍ରୀ ମହୋଦୟ ଇତ୍ୟାଦି ଗ୍ରନ୍ଥରେ ରଥଯାତ୍ରା ର ପ୍ରାଚୀନ ବିବରଣୀ ଲିଖିତ ହୋଇ ରହିଛି। ସେହି ପରି ମାଦଳା ପାଂଜୀ ରେ ମଧ୍ୟ ରଥ ଯାତ୍ରା ଓ ତାର ବିଭିନ୍ନ ସମୟର ସମସ୍ୟା-ସଂକଟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

୪. ପ୍ରଥମ ରଥଯାତ୍ରା ସମ୍ପର୍କିତ ତଥ୍ୟ ମାଦଳା ପାଂଜିରେ କେଶରୀ ବଂଶ ର ଆଲୋଚନା ରୁ ମିଳିଥାଏ ।ମୁରାରୀ କବିଙ୍କର “ଅନର୍ଘ ରାଘବ” ( ଦଶମ ଶତାବ୍ଦୀ ) ନାଟକରେ ମଧ୍ୟ ରଥ ଯାତ୍ରାର ଉଲ୍ଲେଖ ରହିଛି । କେତେକଂକ ମତରେ ରଥଯାତ୍ରାରେ ବୌଦ୍ଧ ଓ ଜୈନ ପରମ୍ପରା ଓ କିଛି କିଛି ତନ୍ତ୍ର ପରମ୍ପରାର ପ୍ରଭାବ ରହିଛି ବୋଲି ମଧ୍ୟ କୁହାଯାଏ ।

୫. ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ରଥକୁ ଶରୀର ଓ ଚଳନ୍ତି ଦେଉଳ ସହ ତୁଳନା କରାଯାଇଛି । ତେବେ ସାମାଜିକ ଇତିହାସ ଦୃଷ୍ଟିରୁ ଏହା ଓଡିଶାର ସବୁଠୁ ବଡ ରାଜନୈତିକ ଯାତ୍ରା । ଏହାର ଏକମାତ୍ର କାରଣ ହେଉଛି ମହାପ୍ରଭୁ ଶହ ଶହ ବର୍ଷ ଧରି ଓଡିଶାର ରାଜାଧିରାଜ ଓ ଓଡିଶାର ଗଜପତି ତାଂକର ରାଉତ ବୋଲି ସ୍ଵୀକାର କରିବା ।

ତେଣୁ ମହାପ୍ରଭୁଂକ ଉପରେ ବାହ୍ୟ ଆକ୍ରମଣକାରୀ ଓ ଲୁଂଠନକାରୀ ସବୁବେଳେ ଦାଉ ସାଧିଛନ୍ତି ।

୬. ଶ୍ରୀ ମନ୍ଦିର ଉପରେ ଯବନ ରକ୍ତବାହୁ ଠାରୁ ଆରମ୍ଭ କରି ତକି ଖାନ୍ ପର୍ଯ୍ୟନ୍ତ ବହୁ ଆକ୍ରମଣକାରୀ ଲୋଳୁପ ନଜର ପକାଇଛନ୍ତି। ତେବେ ୧୬୦୯ ମସିହାରେ ମୋଗଲ ଦରବାରରେ ସେନାପତି ଥିବା ହିନ୍ଦୁ ରାଜପୁତ୍ କେଶୋଦାସ୍ ମାରୋ ରଥଯାତ୍ରା ସମୟରେ ପୁରୀ ଆକ୍ରମଣ କରିଥିଲା ।
୭. କେସୋଦାସ ମାରୋ ର ରଥଯାତ୍ରା ଆକ୍ରମଣ ବିଷୟ ଉଲ୍ଲେଖ କରି ମାଦଳା ପାଂଜୀ ରେ ଲେଖା ଅଛି- “ଏ ମହାରାଜାଂକ ଯାତ୍ରୀ ପଣେ କେଶୋଦାସ ମାରୁ ଆସି ଗୁଣ୍ଡିଚା ଯାତ୍ରା ଦେଖି ଦୁଇ ଦେଉଳ ଧଇଲା ।

ପରମେଶ୍ବର ଗୁଣ୍ଡିଚା ଘରେ ବିଜେ କରିଥିଲେ।ତିନି ରଥ ପୋଡି ଦେଲା ।ଗୁଣ୍ଡିଚା ଘରେ ଅନେକ ମାଇଲା” ରଥ ଯାତ୍ରା ସମୟରେ ଏହା ବୋଧ ହୁଏ ସବୁଠୁ ବଡ ଆକ୍ରମଣ ଯାହା ଜଣେ ହିନ୍ଦୁ ସେନାପତିଂକ ଦ୍ଵାରା ସଂଗଠିତ ହୋଇଥିଲା ।

୮. ସେହିପରି ଗଜପତି ପଦକୁ ନେଇ ମଧ୍ୟ ଅନେକ ସମୟରେ ଖୁର୍ଧା ଓ ପାରଲାଖେମଣ୍ଡି ରାଜ ପରିବାର ମଧ୍ୟରେ କଳହ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ।

୧୨ ଜୁଲାଇ ୧୭୫୩ ମସିହା ରେ ପାରଳା ରାଜା ଜଗନ୍ନାଥ ନାରାୟଣ ଦେଓ ଓ ତାଂକ ଭାଇ ନିଜକୁ ଗଜପତି ବୋଲି ରଥଯାତ୍ରା ସମୟରେ ଘୋଷଣା କରି ରଥ ଦଖଲ କରି ନେଇଥିଲେ । ସେବାୟତଂକ କୌଶଳ କ୍ରମେ ଖୁର୍ଧା ଗଜପତି ପୁଣି ଶ୍ରୀ ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାରେ ସଫଳ ହୋଇଥିଲେ।

୯. ୧୮୦୩ ମସିହାରେ ବ୍ରିଟିଶ୍ ମାନେ ଓଡିଶା ଦଖଲ କଲେ ।୧୮୦୪ ରେ କଟକର ଗୋରା କମିଶନର୍ ଜନ ମେଲଭିଲ୍ ରଥଯାତ୍ରା ଦେଖିବାକୁ ଆସି ନିଜ ରିପୋର୍ଟ୍ ରେ ଲେଖିଲେ ଯେ- “ମୁଁ ପୂରୀରେ ପହଂଚିଲା ମାତ୍ରେ ଯାତ୍ରୀ ଓ ସେବାୟତ ମାନେ କରତାଳି ତଥା କୋଳାହଳ ମାଧ୍ୟମରେ ମୋତେ ସ୍ଵାଗତ ଜଣାଇଲେ ।

ଏଥିରୁ ମୋତେ ଲାଗୁଚି ଯେ ସେବାୟତ ଓ ଯାତ୍ରୀଂକ ମନରେ ବ୍ରିଟିଶ୍ ସରକାରଂକ ପ୍ରତି ଉତ୍ତମ ମନୋଭାବ ରହିଛି ।ସୁତରାଂ ଜଗନ୍ନାଥ ରଥଯାତ୍ରା ଯଥାବିଧି ଚାଲୁ ବୋଲି ମୁଁ ଅନୁମୋଦନ କରୁଅଛି।“ ତା’ ପରଠୁ ବ୍ରିଟିଶ ସରକାର ମନ୍ଦିର ପରିଚାଳନା ରେ ଅନୁପ୍ରବେଶ କରିନାହାନ୍ତି ।

୧୦. ରଥଯାତ୍ରା ର ପରିଚାଳନା ଲାଗି ଗଜପତି ଅମଳରୁ ଆଜି ଯାଏଁ ବହୁ ନିୟମ ଓ ବିଧାନ ଗଢା ହୋଇଛି, ଭଂଗା ମଧ୍ୟ ହୋଇଛି । ତେବେ ରଥଯାତ୍ରା ସହ ସାଧାରଣ ଭକ୍ତଂକ ଆବେଗ ଶହ ଶହ ବର୍ଷ ଧରି ଯେମିତି କି ସେମିତି ରହିଛି। ଏହାହିଁ ରଥଯାତ୍ରାର ସବୁଠୁ ବଡ ସାର୍ଥକତା ।

ସୌଜନ୍ୟ: ଓଡିଶା ଡଟ କମ

କେଦାର ମିଶ୍ର
କେଦାର ମିଶ୍ର

Filed Under: କଳା ଓ ସଂସ୍କୃତି Tagged With: ଗୁଣ୍ଡିଚା ଯାତ୍ରା, ରଥଯାତ୍ରା, ସାଂସ୍କୃତିକ

ବାହାରିନରେ ଓଡିଆ ସମାଜ ଦ୍ୱାରା ରଥ ଯାତ୍ରାର ଆୟୋଜନ

July 12, 2018 by ଓଡିଶା ଡଟ କମ Leave a Comment

ବାହାରିନ (ଓଡିଶା ଡଟ କମ) ବାହାରିନରେ ରହୁଥିବା ପ୍ରବାସୀ ଓଡିଆ ପରିବାର ଇସ୍କନ ସହ ମିଶି ବାହାରିନରେ ଆସନ୍ତା ଜୁଲାଇ ୧୪ରୁ ଚାରି ଦିନ ବ୍ୟାପୀ ଆୟୋଜନ କରୁଛନ୍ତି ରଥ ଯାତ୍ରା । ବାହାରିନ ଓଡିଆ ସମାଜର ମହେଶ ପ୍ରସାଦ ଦାଶ ଓଡିଶା ଡଟ କମକୁ ଏହା ଜଣାଇ ଛନ୍ତି।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: କଳା ଓ ସଂସ୍କୃତି, ପ୍ରବାସୀ ଓଡିଆ Tagged With: ବାହାରିନ ଓଡିଆ ସମାଜ, ରଥ ଯାତ୍ରା

ରଥଯାତ୍ରା ଅବସରରେ ହିନ୍ଦୀ ଭାଷାରେ ‘ଶ୍ରୀ ଜଗନ୍ନାଥ କଥା’ ଶୀର୍ଷକ ୱେବ ସିରିଜ

July 3, 2018 by admin Leave a Comment


ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଏହି ଯାତ୍ରା ଦେଖିବାର ସୁଯୋଗ ପାଇଥା’ନ୍ତି।

ତେଣୁ ଚଳିତ ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରେ ରହୁଥିବା ବିଭିନ୍ନ ଭାଷାଭାଷୀ ଭାରତୀୟଙ୍କ ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଏକ ହିନ୍ଦୀ ୱେବ ସିରିଜର ପ୍ରସାରଣ କରାଯାଉଛି।

ଭାରତରେ ଏବଂ ବିଦେଶରେ ହିନ୍ଦୀ ଭାଷା କହୁଥିବା ଓ ବୁଝୁଥିବା ଦର୍ଶକମାନଙ୍କୁ ଦୃଷ୍ଟିରେ ରଖି ଏହି ସିରିଜ ‘ଶ୍ରୀ ଜଗନ୍ନାଥ କଥା’ର ପ୍ରସାରଣ କରାଯାଇଛି। ଜଗନ୍ନାଥ ସଂସ୍କୃତି ବିଶାରଦ ଅଶୋକ ପାଣ୍ଡେ ଶ୍ରୀ ମନ୍ଦିର, ଶ୍ରୀ ଜଗନ୍ନାଥ ଏବଂ ଏହି ଅନନ୍ୟ ପରମ୍ପରାର ବିଭିନ୍ନ ଦିଗକୁ ନେଇ ୧୮ଟି ବିଷୟରେ ବର୍ଣ୍ଣନା କରିଛନ୍ତି।

ତା’ ମଧ୍ୟରେ ରହିଛି ଶ୍ରୀ ଜଗନ୍ନାଥ ସଂସ୍କୃତି, ରଥନିର୍ମାଣର ଇତିହାସ, ନବକଳେବର, ଶ୍ରୀ ଗୁଣ୍ଡିଚା ଯାତ୍ରା, କୋ‍ଇଲି ବୈକୁଣ୍ଠ ଆଦି ବିଷୟର ତାତ୍ପର୍ୟ୍ୟ। ଶ୍ରୀ ଜଗନ୍ନାଥଙ୍କ ଭକ୍ତ, ଗବେଷକ, ସାଧାରଣ ପାଠକ ଏବଂ ଗଣମାଧ୍ୟମ ସମସ୍ତଙ୍କ ପାଇଁ ଏହା ତଥ୍ୟଭିତ୍ତିକ ହୋ‍ଇପାରିବ।

ଏହି ଭିଡିଓଗୁଡ଼ିକ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲରେ ଉପସ୍ଥାପନ କରାଯିବା ସହ ଏହାର ବିଭିନ୍ନ ଅନଲାଇନ ଓ ସୋସିଆଲ ମିଡିଆରେ ପ୍ରସାରଣ ଫଳରେ ଓଡ଼ିଶା ବାହାରର ବହୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

“ଇଲେକ୍ଟ୍ରୋନିକ ମିଡିଆ ଧାରାରେ ଆଜି ଆମେ ଆଉ କେତେ ପାଦ ଆଗେଇ ଯାଇ ଡିଜିଟାଲ ଓ ମୋବାଇଲ ମିଡିଆ ଯୁଗରେ ପହଞ୍ଚିଛୁ। ଆମ ସମୟର ପାଠକ ଓ ଦର୍ଶକମାନଙ୍କ ହାତମୁଠାରେ ଥିବା ମୋବାଇଲ ପାଲଟିଛି ସବୁଠୁ ବଡ଼ ମାଧ୍ୟମ।

ତେଣୁ ଏହି ଡିଜିଟାଲ ମିଡିଆର ସୁଯୋଗ ନେଇ ହିନ୍ଦୀ ଭାଷାରେ ଜଗନ୍ନାଥଙ୍କ କଥା ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ ପକ୍ଷରୁ ଉଦ୍ୟମ କରାଯାଇଛି”, କହିଛନ୍ତି ଚ୍ୟାନେଲର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ପ୍ରତିବର୍ଷ ଭଳି ଓଡ଼ିଶାଲାଇଭ ପକ୍ଷରୁ ରଥଯାତ୍ରାର ପ୍ରମୁଖ କାର୍ୟ୍ୟକ୍ରମର ଲାଇଭଷ୍ଟ୍ରିମିଂ କରାଯାଉଛି। ତା’ ମଧ୍ୟରେ ରହିଛି ଗୁଣ୍ଡିଚା ଯାତ୍ରା (୧୪ ଜୁଲାଇ), ବାହୁଡ଼ା ଯାତ୍ରା (୨୨ ଜୁଲାଇ), ସୁନାବେଶ (୨୩ ଜୁଲାଇ), ଅଧରନୀତି (୨୪ ଜୁଲାଇ) ଏବଂ ନୀଳାଦ୍ରିବିଜେ (୨୫ ଜୁଲାଇ)।

ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ଏବଂ ନ୍ୟୁଜ ପୋର୍ଟାଲରେ ଏହି ଲାଇଭ୍‍ କାର୍ୟ୍ୟକ୍ରମ ପ୍ରସାରିତ ହେବ ବୋଲି ଚ୍ୟାନେଲର ମୁଖ୍ୟ କାର୍ୟ୍ୟନିର୍ବାହୀ ସୂଚନା ଦେଇଛନ୍ତି।
ଏହି (https://bit.ly/2MysrBT) ଲିଙ୍କରେ କ୍ଲିକ୍‍ କରି ଦର୍ଶକମାନେ ‘ଶ୍ରୀ ଜଗନ୍ନାଥ କଥା’ର ବିଭିନ୍ନ ଅଧ୍ୟାୟ ଦେଖିପାରିବେ।

admin
admin

Filed Under: କଳା ଓ ସଂସ୍କୃତି Tagged With: ଗୁଣ୍ଡିଚା ଯାତ୍ରା, ଜଗନ୍ନାଥ, ସଂସ୍କୃତି

ରଥଯାତ୍ରା ଅବସରରେ ଭକ୍ତିସଙ୍ଗୀତର ପ୍ରସାର ପାଇଁ ‘ଓଡ଼ିଶାଲାଇଭ୍‍’ ପକ୍ଷରୁ ସୋସିଆଲ ମିଡିଆ ଅଭିଯାନ

June 28, 2018 by admin Leave a Comment

ଭୁବନେଶ୍ୱର, ୨୮।୬।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭକ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ପୋର୍ଟାଲ ଓଡ଼ିଶାଲାଇଭ୍‍।

ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ୨୮ ଦିନର ଅବଧି ମଧ୍ୟରେ ପ୍ରତିଦିନ ଗୋଟିଏ ଗୋଟିଏ ଭକ୍ତି ସଙ୍ଗୀତ ଓଡ଼ିଶାଲାଇଭ୍‍‍ର ଫେସବୁକ ପେଜରେ ପୋଷ୍ଟ କରାଯାଉଛି। ତା’ ସାଙ୍ଗକୁ ଏହି ଲୋକପ୍ରିୟ ଭଜନ ଓ ଜଣାଣଗୁଡ଼ିକୁ ୟୁଟ୍ୟୁବ୍‍, ଟୁଇଟର, ଇନଷ୍ଟାଗ୍ରାମ ଆଦି ସୋସିଆଲ ଚ୍ୟାନେଲ ମାଧ୍ୟମରେ ପ୍ରସାର କରାଯାଉଛି।

ଓଡ଼ିଶାଲାଇଭର ଏହି ଭକ୍ତି ସଙ୍ଗୀତ ପ୍ରସାର ଅଭିଯାନର ନାଁ ରହିଛି ‘ହେ ଚକାନୟନ’। ପ୍ରସିଦ୍ଧ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କ୍ଲାସିକ ଉପସ୍ଥାପନା ‘ହେ ଚକାନୟନ’ ସ୍ନାନ ପୂର୍ଣ୍ଣିମା ଦିନ ଆରମ୍ଭ ହୋ‍ଇଥିବା ଏହି ଅଭିଯାନରେ ସ୍ଥାନ ପାଇଛି।

‘ହେ ଚକାନୟନ’ ସୋସିଆଲ ମିଡିଆ ଅଭିଯାନ ଅବସରରେ ଓଡ଼ିଶାଲାଇଭ ପକ୍ଷରୁ ବଛାବଛା ଭଜନ ଓ ଜଣାଣ ଦର୍ଶକମାନଙ୍କ ପାଇଁ ଉପସ୍ଥାପନ କରାଯାଉଛି। ତା’ ମଧ୍ୟରେ ରହିଛି ‘ଜଗବନ୍ଧୁ ହେ ଗୋସାଇଁ’, ‘ଚନ୍ଦନ ଲାଗି ସମୟେ ଚିତ୍ତ ଚିନ୍ତାମଣିକି’, ‘ବାଲିରେଣୁ ମହାବନ୍ଧ ସୁଜନେ ହେ’, ‘ସେ ତ ଭକତ ଭାବରେ ବନ୍ଧା’, ‘ଭୁଜ ତଳେ ମୋତେ ରଖ ମହାପ୍ରଭୁ’, ‘ଚକାନୟନକୁ ପତିତ କେହି’।

ଏହିସବୁ ଲୋକପ୍ରିୟ ଭକ୍ତି ସଙ୍ଗୀତଗୁଡ଼ିକୁ ବିଭିନ୍ନ ସମୟରେ ଗାଇଛନ୍ତି ଶାନ୍ତିଲତା ବାରିକ ଛୋଟରାୟ, ମନ୍ମଥ ମିଶ୍ର, ସୁସ୍ମିତା ଦାସ, ଅରବିନ୍ଦ ମୁଦୁଲି, ବିଜୟ ଜେନା, ମହାପ୍ରସାଦ କର, ସୁଧା ମିଶ୍ର, ନମ୍ରତା ମହାନ୍ତି, ସୌରଭ ନାୟକଙ୍କ ଭଳି ପ୍ରସିଦ୍ଧ କଳାକାରମାନେ। ସୋସିଆଲ ମିଡିଆରେ ଦର୍ଶକମାନେ ଏହି ଲୋକପ୍ରିୟ ଭକ୍ତିଗୀତଗୁଡ଼ିକୁ ଶୁଣିବା ସହ ନିଜର କମେଣ୍ଟ ଦେଇପାରିବେ। ଏଗୁଡ଼ିକ ସେୟାରକରି ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‍ ପ୍ରସାରଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

“ଦେଶବିଦେଶରେ ଥିବା ଓଡ଼ିଆ ଶ୍ରୋତା ବିଶେଷକରି ଜଗନ୍ନାଥ ଭକ୍ତିସଙ୍ଗୀତକୁ ଖୋଜୁଥିବା ଗୀତ ରସିକମାନଙ୍କ ପାଇଁ ଏହା ଏକ ସୁନ୍ଦର ସୁଯୋଗ ହେବ”, କହିଛନ୍ତି ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ। ଏହାଛଡ଼ା ପ୍ରତିବର୍ଷ ଭଳି ଓଡ଼ିଶାଲାଇଭ୍‌ ରଥଯାତ୍ରା ସମୟରେ ବିଭିନ୍ନ କାର୍ୟ୍ୟକ୍ରମର ବ୍ୟାପକ ପ୍ରସାର କରିବା ସହ ପୁରୀରୁ ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରନୀତି ଏବଂ ନୀଳାଦ୍ରିବିଜେ ନୀତିର ସିଧା ପ୍ରସାରଣ କରିବାକୁ ଯାଉଛି ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି।

ଓଡିଶା ଡଟ କମ

admin
admin

Filed Under: କଳା ଓ ସଂସ୍କୃତି Tagged With: ଦେଶବିଦେଶ, ବାହୁଡ଼ା, ଭକ୍ତିସଙ୍ଗୀତ, ସୁନାବେଶ

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

June 28, 2018 by Jharana Jena Leave a Comment

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।


ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବିନାୟକ ସ୍ମରଣେ । ବିଘ୍ନ ବିନାଶକବିନାୟକଙ୍କ ଅର୍ଚ୍ଚନାରେ ଏହା ପ୍ରସ୍ତୁତ ହୋଇଥିଲା । ପରେ ପରେ ନୃତ୍ୟ ସର୍ଜନାର ଶାସ୍ତ୍ରୀୟତାକୁ ନେଇଆସିଥିଲେ ନୃତ୍ୟ ରଚନା ସିନ୍ଥେସିସ ।

ଏହା ପରେ ତୁଳସୀଦାସକୃତ ରାମରଚିତ ମାନସଗ୍ରନ୍ଥ ଆଧାରିତ ଶବରୀ ଚରିତ୍ରର ନିଖୁଣ ଅଭିନୟକୁ ବାଢି ଦେଇ ସମର୍ପଣର ଚିତ୍ର ଆଙ୍କିଥିଲେ ଗୁରୁ ରତିକାନ୍ତ  ମହାପାତ୍ର । ଶିବ ତତ୍ତ୍ୱ ଓ ଶକ୍ତି ତତ୍ତ୍ୱର ମିଳିତ ପ୍ରକାଶକୁ ନେଇ ମଞ୍ଚସ୍ଥ ହୋଇଥିଲା ଅର୍ଦ୍ଧନାରୀଶ୍ୱର । ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବନ୍ଦେ ମାତରମର ନୃତ୍ୟାଭିନୟ ।

ସନ୍ଧ୍ୟାର ଅତିଥିମାନେ ଥିଲେ ଓପାଲୀ ଅପରାଜିତା; ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ବଳିଆର ସିଂହ ନେଗୀ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ଖୀରୋଦ ପଟ୍ଟନାୟକ  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

ଓଡିଶା ଡଟ କମ

Jharana Jena
Jharana Jena

Filed Under: କଳା ଓ ସଂସ୍କୃତି Tagged With: ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର, ସାଂସ୍କୃତିକ

ଓଡ଼ିଆଙ୍କ ଅସଲ ଅସ୍ତିତ୍ୱର ନକଲ ଉତ୍ତରଣ!

June 26, 2018 by ଦେବେନ୍ଦ୍ର ପୃଷ୍ଟି Leave a Comment

 

ଏହା ‘ଓଡ଼ିଆ’ର ଦୋଷ ନୁହେଁ, ଓଡ଼ିଆଙ୍କ ଦୋଷ । ଜଣେ ଓଡ଼ିଆର ଦୋଷ ନୁହେଁ, ଓଡ଼ିଆ ଜାତିର ଦୋଷ । ସ୍ୱାଭିମାନହୀନ ଏକ ଜାତି ମଝିରେ ମଝିରେ ଏମିତି ଝଟ୍କା ପାଏ, ରୁଷ୍ଟ ହୁଏ, ପୁଣି ଶୋଇ ପଡ଼େ ।

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଦୂଷଣ ସୋନା ମହାପାତ୍ରଙ୍କଠାରୁ ଆରମ୍ଭ ହୋଇନାହିଁ । ସୋନା ମହାପାତ୍ରଙ୍କଠାରେ ମଧ୍ୟ ତାହାର ଶେଷ ହେବ ବୋଲି ଆଶା କରାଯାଇ ପାରିବ ନାହିଁ ।

ଭକ୍ତ ସାଲବେଗଙ୍କ ଆହେ ନୀଳ ଶଇଳ ଭଜନକୁ ସୋନା ଯେପରି ଶାବ୍ଦିକ ବିକୃତି ସହିତ ଗାଇଛନ୍ତି ତାହା ନିଶ୍ଚୟ ନିନ୍ଦନୀୟ । କିନ୍ତୁ ଏଭଳି ଶାବ୍ଦିକ ବିକୃତି କେବଳ ସୋନାଙ୍କର କପି ରାଇଟ୍ ନୁହେଁ ।

ଓଡ଼ିଶାର ଅଧିକାଂଶ ସହରୀ, ବିଶେଷକରି ଇଂରାଜୀ ମାଧ୍ୟମରେ ଶିକ୍ଷାଲାଭ କରିଥିବା ପ୍ରତିଟି ପରିବାରରେ ଦେହସୁହା ହୋଇଗଲାଣି । ଏହା ସେମାନଙ୍କ ପାଇଁ ସମ୍ଭ୍ରାନ୍ତ ଓ ଶିକ୍ଷିତର ମର୍ଯ୍ୟାଦା ଭାବେ ବିବେଚିତ ହେଉଛି ।

ଜଗନ୍ନାଥଙ୍କୁ ଜଗର୍ନାଥ କହିବା ଯେମିତି ଓଡ଼ିଆରେ ଦୋଷାବହ ବାପାଙ୍କୁ ଡାଡ ବା ଡେଡ୍ କହିବା ମଧ୍ୟ ସେହିପରି ଭାଷା ଓ ସଂସ୍କୃତିର ପ୍ରଦୂଷଣ । ସମ୍ଭ୍ରାନ୍ତ ଓ ଶିକ୍ଷିତ ଓଡ଼ିଆଙ୍କ ଘରେ କେହି ନିଜ ପିଲାଙ୍କର ଏପରି ସମ୍ବୋଧନକୁ ବିରୋଧ କରନ୍ତି କି? ଭୁବନେଶ୍ୱରକୁ ଭୁନେଶ୍ୱର, କଟକକୁ କଟ୍ଟକ୍, ଯାଜପୁରକୁ ଯାସପୁର କହିବା ଲୋକମାନେ ମଧ୍ୟ ଓଡ଼ିଆ ।

ଘରକୁ ଭିଲ୍ଲା ବା ବାଙ୍ଗେ୍ଲା, କଂକ୍ରିଟ ବସାକୁ ଫ୍ଲାଟ୍, ରାସ୍ତାକୁ ରୋଡ଼, ରାଜପଥକୁ ହାଇୱେ ଭାବେ ଲୋକପ୍ରିୟ କରିଥିବା ଓଡ଼ିଆମାନେ ଆଧୁନିକ ବିକାଶର ପ୍ରତିଟି ପାହାଚ ଦେଇ ନିଜର ଜାତୀୟତା ହରେଇ ଚାଲିଛନ୍ତି ।

ଭଲ ପାଉଥିବା ଲୋକର ଭୁଲ ବା ଭଲ ପାଉଥିବା ଭାଷା ଓ ସଂସ୍କୃତିର ଦୋଷତ୍ରୁଟିକୁ ନଦେଖିପାରିବା କିମ୍ବା ତା’ ବିରୋଧରେ ନିର୍ଣ୍ଣାୟକ ପ୍ରତିକ୍ରିୟା ପ୍ରକାଶ ନକରିବା ଓଡ଼ିଆଙ୍କର ଚିରନ୍ତନ ଅଭ୍ୟାସ, ଏହା ସେମାନଙ୍କର ଡିଏନଏ ।

ସବୁ ସହ୍ୟ କରିବାର ଏଇ ଗୁଣସୂତ୍ର ଯୋଗୁଁ ଓଡ଼ିଶାର ପ୍ରତିଟି ସହରରେ ଏବେ ଇଂରାଜୀ ଫଳକର ପ୍ରାବଲ୍ୟ । ରାସ୍ତାଘାଟ, ଦୋକାନବଜାର, ସିରସ୍ତାଦପ୍ତର ସବୁଠି ଏବେ ଇଂରାଜୀର ପ୍ରାବଲ୍ୟ, ଠିକ ଯେମିତି ଦିନେ ପାର୍ସୀର ପ୍ରାବଲ୍ୟ ଥିଲା ।

ନିଜକୁ ଛାଡ଼ି ଅନ୍ୟକୁ ଗ୍ରହଣ କରିବା ଓ ଅନୁସରଣ କରିବାର ଏଇ ଗୁଣ ଯୋଗୁଁ ଅନେକ ସମୟରେ ଗାଁ କନିଆମାନେ ସିଙ୍ଘାଣିନାକୀ ହୋଇଯାଆନ୍ତି ଓ ସିଙ୍ଘାଣିନାକୀମାନେ ସୁତୁରୀ ସୁନ୍ଦରୀ ଭଳି ବୋଧ ହୁଅନ୍ତି!

ଏହି ଗୁଣସୂତ୍ରର ଅନ୍ୟ ପ୍ରକାର ଉତ୍ତରଣ ହେଉଛି ବିଶ୍ୱପ୍ରେମ, ବାତ୍ସଲ୍ୟ ମମତା, ଭଲ ପାଇବାର ସର୍ବଂସହା ପ୍ରବୃତ୍ତି । ଏହି ପ୍ରେମ ଓ ପ୍ରବୃତ୍ତି ଭିତରେ ପଡ଼ି ଜଗନ୍ନାଥ ଜଗା ହୋଇଯାଆନ୍ତି, ଜଗା ବି ହୋଇଯାଆନ୍ତି ଜଗୁନି! କଳା ଠାକୁର କାଳିଆ ସାଆନ୍ତରେ ଏବଂ କାଳିଆ ସାଆନ୍ତ କାଳିଆ ହାତୀରେ ପରିଣତ ହେବା ମଧ୍ୟ ଏଇ ପ୍ରେମ ଓ ପ୍ରବୃତ୍ତିର ପରିପ୍ରକାଶ ।

ଓଡ଼ିଆମାନେ ତାଙ୍କୁ କାଳସର୍ପ ଭାବେ ସମ୍ବୋଧନ କରିପାରନ୍ତି । ଏପ୍ରକାର ଭଲ ପାଇବା ବୋଧହୁଏ ଓଡ଼ିଶାର ଏକ ଅନନ୍ୟ ସଭ୍ୟତାଗତ ପରମ୍ପରା ।ଏ ପ୍ରକାର ଭାବ କିମ୍ବା ଅଭାବ(?) ବୋଧରୁ ଗଣମାଧ୍ୟମରେ ଅବିନାଶମାନେ ଅଭିନାଶ, ବିନୀତମାନେ ଭିନୀତ, ଅମୃତାମାନେ ଅମ୍ରିତା, କୃଷ୍ଣମାନେ କ୍ରୀଷ୍ଣା ଓ ଲକ୍ଷ୍ମୀମାନେ ଲକ୍ସମୀରେ ନାମାନ୍ତରିତ ହୋଇଯାଆନ୍ତି ।

ଏଭଳି ସାମାଜିକ ଓ ସାଂସ୍କୃତିକ ସ୍ଖଳନ କିମ୍ବା ବିବର୍ତ୍ତନ ଭିତରେ ମତ୍ତ କେତେବେଳେ ମାତ୍ତ ହୋଇଯାଏ, ଜଣାଣ ବି ଜନନ ପରି ବୋଧହୁଏ! ଅଣଓଡ଼ିଆଙ୍କ ଆଗରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଭୟ କିମ୍ବା ଲଜ୍ଜା ଅନୁଭବ କରୁଥିବା ଲୋକମାନେ ଅନେକ ସମୟରେ ପାଟିରେ ଗୁଆ ପୂରେଇ ଭ୍ରଷ୍ଟ ଓ ଖଣ୍ଡି ଓଡ଼ିଆ କହିବାକୁ ବୁଦ୍ଧିମାନର କାମ ଭାବେ ବିବେଚନା କରିଥାନ୍ତି । ଅଥଚ ନିଜ ଉପରକୁ ଆସିଲେ କେହି ଦୋଷ ମୁଣ୍ଡେଇବାକୁ ପ୍ରସ୍ତୁତ ନଥାନ୍ତି ।

ଓଡ଼ିଆମାନେ କହନ୍ତି, ଜଗନ୍ନାଥ ସେମାନଙ୍କର ଆରାଧ୍ୟ ଦେବତା । ସେମାନଙ୍କ ସାମାଜିକ ଓ ସାଂସ୍କୃତିକ ଅସ୍ତିତ୍ୱର ପ୍ରାଣକେନ୍ଦ୍ର । କିନ୍ତୁ ଏଇ ଓଡ଼ିଆଙ୍କ ଭିତରେ ଅଛନ୍ତି ବାର ଜାତି ତେର ଗୋଲା । ଏମିତିକି ମନ୍ଦିର ଭିତରେ ଛତିଶା ନିଯୋଗ । କାହା ସହିତ କାହାର ପଡ଼େ ନାହିଁ ।

ଜଗନ୍ନାଥଙ୍କୁ କୁଣ୍ଡାପିଠା ଖୁଆଇ ଓଡ଼ିଆମାନେ କେକ୍ କାଟି ପାରନ୍ତି । ତାଙ୍କୁ ପାଟମଠାର ଧୋତି ସଅଁପି ଓଡ଼ିଆମାନେ ଜିନ୍ସ ଓ ଜ୍ୟାକେଟ ପିନ୍ଧି ପାରନ୍ତି । ତାଙ୍କ ମୁଣ୍ଡରେ ଟାହିଆ ବାନ୍ଧି ଓଡ଼ିଆମାନେ ଇଂଲିଶ ଟୋପି ଚଢ଼େଇ ବୁଲନ୍ତି ।

ତାଙ୍କ ରତ୍ନ ଭଣ୍ଡାର ପୂର୍ଣ୍ଣ ଅଛି କି ନାହିଁ ଯାଞ୍ଚ ନକରି ନିଜ ସିନ୍ଦୁକ ଭରିବାକୁ ଭଲ ପାଉଥିବା ଲୋକମାନେ ଭାତ ଶୁଖେଇ ନିର୍ମାଲ୍ୟ କରି ବିକନ୍ତି । ଆନନ୍ଦ ବଜାରରେ ଚାଣ୍ଡାଳୁ ବ୍ରାହ୍ମଣଯାଏ ଏକାଠି ହୋଇ ନିଜନିଜ ଅଇଁଠା ଖାଇବାର ଭାକ୍ତିକ ଶୁଦ୍ଧତାର ପ୍ରଚାର କରୁଥିବା ଲୋକମାନେ ଅବଢ଼ା ମାରା ହୋଇଗଲା|

ବୋଲି ପ୍ରଚାର କରି ହଜାର ହଜାର ଲୋକଙ୍କ ଖାଦ୍ୟକୁ କୋଇଲି ବୈକୁଣ୍ଠରେ ପୋତି ଦିଅନ୍ତି । ନିରାମିଷ ଓ ସାତ୍ତ୍ୱିକ ଆହାର ଜଗନ୍ନାଥଙ୍କର ପ୍ରିୟ ବୋଲି ପ୍ରଥା ବାନ୍ଧି ନିଜେ ମତ୍ସ୍ୟାଦି ଆମିଷକୁ ସଂସ୍କୃତିର ଖାଦ୍ୟ ଭାବେ ପ୍ରଚାର କରନ୍ତି ।

ଏଭଳି ଏକ ପ୍ରତାରଣାପୂର୍ଣ୍ଣ ସମାଜ ଓ ସଭ୍ୟତାରେ ଗୋଟିଏ ସୋନା କାହିଁକି ହଜାର ହଜାର ସୋନା ଜନ୍ମ ନେଇପାରନ୍ତି । ପ୍ରତି ଗାଁରେ, ପ୍ରତି ଗଳିରେ, ପ୍ରତି ସହରରେ ପ୍ରତି କଲୋନିରେ ବଢ଼ୁଥିବା ଏଇପରି ସୋନାମାନେ ହୋଇପାରନ୍ତି ଓଡ଼ିଶାର ଭୋଟର, ଯେଉଁମାନେ ଜଗନ୍ନାଥ ବା ନାରାୟଣଙ୍କୁ ଓଡ଼ିଶାର ନେତା ବୋଲି ପ୍ରଚାର କରନ୍ତି, କିନ୍ତୁ ପ୍ରତିନିଧି ଭାବେ ବାଛନ୍ତି ନିଜ ସ୍ୱାର୍ଥର ମୂର୍ତ୍ତିକାରମାନଙ୍କୁ । (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ ।)

ଦେବେନ୍ଦ୍ର ପୃଷ୍ଟି

Filed Under: କଳା ଓ ସଂସ୍କୃତି Tagged With: ଓଡିଆ ଜାତି, କଳା ଠାକୁର, ଭାଷା ଓ ସଂସ୍କୃତି, ରତ୍ନ ଭଣ୍ଡାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ