• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅପରାଧ

ନିରୁଦ୍ଦିଷ୍ଟ ଶିଶୁ – ଅନିଶ୍ଚିତ ଭବିଶ୍ୟତ

May 14, 2018 by ଘାସିରାମ ପଣ୍ଡା Leave a Comment

ଖରା ଛୁଟିରେ ଦିପହର ଖରାରେ ନବୁଲି ଟିକେ ଶୋଇ ପଡିବାକୁ ମାଁ ଆକଟ କଲାବେଳେ ପିଲା ଚୋର ବୁଲୁଥିବା କଥା କହି ଅନେକ ଥର ଡରେଇଛି । ଗାଁ ଭାଗବତ ଟୁଙ୍ଗିରେ ଲୋକେ ପଲ୍ଲୀ ରୁ ଦିଲ୍ଲୀ ବିଷୟରେ ଆଲୋଚନା କଲାବେଳେ କେଉଁ ଦୂର ଗାଁରେ କାହା ଘର ଛୁଆ ଆଜି ଦିପହରେ ଆମ୍ବତୋଟାକୁ ଖେଳିବାକୁ ଯାଇ ଆଉ ଫେରି ନଥିବା ଘଟଣାର ଆଲୋଚନା ପିଲା ଚୋରର ଉପସ୍ଥିତିକୁ ଦୃଢ କରୁଥିଲା ।

ସେତେବେଳେ ନିଜକୁ ପିଲା ଚୋର ନେଇଯିବ ବୋଲି ଭୟଥିଲା । ଆଜି ବି ‘ମୂଖମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ପାଂଚ ଶିଶୁ’ ଭଳି ଖବର ପିଲା ଚୋରିର ଭୟକୁ ଉଦଯିବିତ କରୁଛି । ନିରାପଦ ଓ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର । ଏହା ସୁନିଶ୍ଚିତ ହେଲେ ‏‏ଯାଇ ଅନ୍ୟ ଅଧିକାର ଯଥା ବଂଚିବା , ବିକାଶ ଓ ଅଂଶ ଗ୍ରହଣର ଅଧିକାର ସାବ୍ୟସ୍ତ ହୋଇ ପାରିବ । ହେଲେ ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରତିଟି ସ୍ତରରେ ଅନେକ ଶିଶୁ ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି ।

ଭୃଣ ହତ୍ୟା କାରଣରୁ ଅନେକେ ତ ମାତୃ ଗର୍ଭରୁ ନିରୁଦ୍ଦିଷ୍ଟ । ବଡ ହେଲା ପରେ ବି ଅପରାଧିର ଲୋଲୁପ ଦୃଷ୍ଟିରୁ ଏମାନେ ବାଦ ପଡୁ ନାହାନ୍ତି । ଚାରି ପାଖେ ପାଚେରି ଘେରା ଡାକ୍ତରଖାନାରୁ କେତେବେଳେ ଏମାନେ ଚୋରି ହେଉଛନ୍ତି ତ ଆଉ କେତେବେଳେ ସମସ୍ତଙ୍କ ଆଖି ଆଗରେ ଖୋଲା ବସରେ ଅପରାଧି ପିଲାଙ୍କୁ ନେଇ ଚାଲିଯାଉଛି । ବେଳେ ବେଳେ କିଛି ସଚେତନ ନାଗରିକଙ୍କ ପ୍ରୟାସରେ ହୁଏତ ଏମାନେ ଧରା ପଡୁଛନ୍ତି ଓ ଏହା ଲୋକଲୋଚନକୁ ଅସୁଛି ।

ସେତିକିବେଳେ ସାମୟିକ ଭାବେ ପ୍ରାଶାସନ ଚେଇଁ ପଡୁଛି । ହେଲେ ପରବର୍ତ୍ତି ଅବସ୍ଥାରେ ଯାହା ଥିଲା ସେମିତି ଚାଲୁଛି । ସରକାରଙ୍କ ନିଜ ତଥ୍ୟକୁ ଅବଲୋକନ କଲେ ଏକଥା ଧରା ପଡିଯାଉଛି । ଉଚ୍ଚତମ ନ୍ୟୟାଳୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏ ସଂକ୍ରାନ୍ତିୟ ତଥ୍ୟ ଆଦାନ ପ୍ରଦାନ ପାଇଁ ଏକ ୱେବ ପୋର୍ଟାଲ (ଷଗ୍ଧଗ୍ଧକ୍ଟ୍ର://ଗ୍ଧକ୍ସବମଳଗ୍ଧଷରଜ୍ଞସଗ୍ଦଗ୍ଦସଦ୍ଭଶମଷସକ୍ଷୟ.ଶକ୍ଟଙ୍ଖ.ସଦ୍ଭ) ପରିଚାଳନା କରୁଛନ୍ତି ।

ଏଥିରେ ପ୍ରଦତ୍ତ ସୁଚନା ଅନୁସାରେ ଓଡିଶାରେ ଏବେ ପ୍ରାୟ ଆଠ ହଜାର ପିଲା ନିରୁଦ୍ଦିଷ୍ଟ ଥିବାବେଳେ ମାତ୍ର ଚାରି ହଜାରଙ୍କୁ ଉଦ୍ଧାର କରାଯାଇ ପାରିଛି । ଗତ ଗୋଟିଏ ବର୍ଷରେ ୯୭୦ ଜଣ ନିରୁଦ୍ଦିଷ୍ଟ ହୋଇଛନ୍ତି ଓ ୩୨୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଗତ ତରିଶ ଦିନ ଭିତରେ ୬୪ ପିଲା ନିରୁଦ୍ଦିଷ୍ଟ ଥିବା ବେଳେ ୨୩ ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ଆଂଶିକ ସତ୍ୟ ଭାବେ ନିଆଯାଇ ପାରେ କାରଣ ଏହା ରାଜ୍ୟର ସାମଗ୍ରିକ ତଥ୍ୟ ନୁହେଁ ।

ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଓଡିଶା ସରକାରଙ୍କୁ ଜାନୁୟାରୀ ୫ ତାରିଖରେ ଦିଆଯାଇ ଥିବା ପତ୍ରରେ ଏକଥା କ୍ଷୋଭର ସହ ଉଲ୍ଲେଖ ଅଛି ଯେ, ରାଜ୍ୟର ସମ୍ପୁର୍ଣ୍ଣ ତଥ୍ୟ ୱେବ ସାଇଟରେ ଦିଆଯାଉ ନାହିଁ । ରାଜ୍ୟରେ ୭୧୮ ଥାନା ଥିବାବେଳେ ମାତ୍ର ୫୦୯ଟି ରୁ ତଥ୍ୟ ଉପଲବ୍ଧ ହେଉଛି ।

ସେହିପରି ୪୩୦ଟି ଶିଶୁ ପ୍ରଜତ୍ନ ଅନୁ ।ନରୁ ୩୦୦, ୩୧ ଶିଶୁ ମଙ୍ଗଳ କମିଟିରୁ ୧୧ଟି ତଥ୍ୟ ଦେଉଥିବା ବେଳେ କୌଣସିବି କିଶୋର ନ୍ୟୟ ବୋର୍ଡରୁ ତଥ୍ୟ ଅସୁନାହିଁ । ଏହା ଭିତରେ ସ୍ଥିତିରେ ବିଶେଷ ଉନ୍ନତି ହୋଇଥିବା ଭଳି ମନେହେଉ ନାହିଁ । ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ପାଇଁ ଆମର ପ୍ରସ୍ତୁତି ଓ ସମ୍ବେଦନଶୀଲତାକୁ ଏହା ସୁଚାଉଛି ।

୨୦୧୫ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ ଏକଥାକୁ ଉଲ୍ଲେଖ କରି ପୂର୍ବ ଭାରତରେ ନିରୁଦ୍ଦିଷ୍ଟ ଶିଶୁଙ୍କ ସଂଖ୍ୟା ଆଧାରରେ ଓଡିଶା, ପଶ୍ଚିମ ବଙ୍ଗ ପରେ ଦ୍ୱିତୀୟ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଅଧିକ ଝିଅ ନିରୁଦ୍ଦିଷ୍ଟ ହେଉଥିବା ବେଳେ ସମ୍ବଳପୁରରୁ ଅଧିକ ପୁଅ ହଜିଛନ୍ତି । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, ଭଦ୍ରକ ପ୍ରଭୃତି ଏ କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା ।

ନିରୁଦ୍ଦିଷ୍ଟ ପିଲାଙ୍କ ଭିତରେ ବାଳିକା ମାନଙ୍କ ସଂଖ୍ୟା ଅଧିକ । ରାଜ୍ୟ ନିୟନ୍ତ୍ରକ ଓ ମହାଲଖୋ ପରୀକ୍ଷକ (ସିଏଜି) କହିଛନ୍ତି ଯେ, ୨୦୦୯ ରୁ ୨୦୧୩ ମସିହା ଭିତରେ ରାଜରେ ପ୍ରାୟ ୧୧୫୫୨ ପିଲା ନିରୁଦ୍ଦିଷ୍ଟ ହେବାର ରିପୋର୍ଟ ହୋଇଛି ଓ ତାଭିତରୁ ୮୨୬୪ କେବଳ ବାଳିକା । ତେବେ ଚିନ୍ତାର ବିଷୟ ଝିଅ ପିଲା ନିରୁଦ୍ଦିଷ୍ଟ ହେବା ପ୍ରତି ବର୍ଷ ବଢୁଛି ।

୨୦୦୯ ମସିହାରେ ଏମାନଙ୍କ ସଂଖ୍ୟା ୯୧୦ ଥିବା ବେଳେ ୨୦୧୩ ରେ ଏହା ୨୦୦୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଶସ୍ତା ଶ୍ରମ, ଭିକ ମଗେଇବା, କମ ବୟସର ଝିଅଙ୍କୁ ବାହା ହେବା ପାଇଁ ବିକ୍ରି କରିବା , ବେଶ୍ୟା ବୃତ୍ତି କରେଇବା ପ୍ରଭୃତି କାର୍ଯ୍ୟରେ ନିରୁଦ୍ଦିଷ୍ଟ ପିଲାଙ୍କୁ ଲଗାଯାଏ । ହୁଏତ ଟ୍ରାଫିକରେ ଭିକ ମାଗୁଥିବା ଅବସ୍ଥାରେ ଆମେ ଭେଟୁ ଥିବା ପିଲାଟି କେଉଁ ଏକ ଅଞ୍ଚଳରୁ ଚୋରି କରାହୋଇ ଅଣାହୋଇଥିବ !

ଅପରେସନ ମୁସ୍କାନ ଭଳି ଅଭିଯାନ ମାଧ୍ୟମରେ ଓଡିଶା ପୋଲିସ ବିଭିନ୍ନ ସମୟରେ ପିଲାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପ୍ରକ୍ରୟାରେ ପୋଲିସକୁ କ୍ରମାଗତ ସଫଳତା ମିଳିଛି । ୨୦୧୨ -୧୩ ରେ ଏହା ମାତ୍ର ୨୮ ଶତକଡା ଥିବାବେଳେ ୨୦୧୪ – ୧୫ ବେଳକୁ ବୃଦ୍ଧି ପାଇ ୬୦ ଶତକଡାକୁ ପହଁଚିଛନ୍ତି । ହେଳେ ପରିତାପର ବିଷୟ ନିରୁଦ୍ଧିଷ୍ଟ ହେଉଥିବା ଶିଶୁଙ୍କ ହାର କମେଇବାର ପ୍ରୟାସ ଦୃଷ୍ଟିଗୋଚର ହେଉନାହିଁ ।

ପିଲା ଚୋରି କରିବା ଟଙ୍କା, ସୁନା ପରି ନିର୍ଜିବ ବସ୍ତୁ ଚୋରି କରିବା ଭଳି ସହଜ ନୁହେଁ । ଏହା ସତ୍ତେ୍ୱ ଆମ ପୋଲିସ ଚୋରି କରୁ ଥିବା ଦଳକୁ ଠାବ କରି ପାରୁନାହିଁ । ଗୁଇନ୍ଦା ପୋଲିସର ଦକ୍ଷତାକୁ ନେଇ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷରେ ନିରାପଦ ଓ ସୁରକ୍ଷିତ ପରିବେଶକୁ ନେଇ ସଚେତନତା ସୃଷ୍ଟିରେ ମଧ୍ୟ ଆମେ ସେପରି ଆଗେଇ ନାହୁଁ । ଗତ ପାଞ୍ଚ ବର୍ଷ ହେଲା ଓଡିଶାରେ ସମନ୍ୱୀତ ଶିଶୁ ସୁରକ୍ଷା ଯୋଜନା କାର୍ଯକାରୀ ହେଉଛି ।

ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଜିଲ୍ଲା ଶିଶୁ ଶୁରକ୍ଷା ୟୁନିଟ ପ୍ରଭୃତି ଗଠନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ଆମେ ଯଥେଷ୍ଟ ଆଗରେ । ହେଲେ ଏପର୍ଯ୍ୟନ୍ତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ପାରିନାହିଁ । ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ କମିଟି ଗଠିତ ହୋଇଥିଲେ ବି ସକ୍ରିୟ ନାହାନ୍ତି । ଅସୁରକ୍ଷିତ ପରିବେଶରୁ ଶିଶୁଙ୍କୁ ଉଦ୍ଧାର କରିବାରେ ‘ଚାଇଲଡ ଲାଇନ’ ଗୁରୁତ୍ୱପୂର୍ଣ୍ଣ ଭୂମୀକା ଗ୍ରହଣ କରୁଛି ।

ହେଲେ ଅନେକ ଜିଲ୍ଲାରେ ଏହା ନଥିବାରୁ ବିପଦଶଙ୍କୁଳ ଶିଶୁଙ୍କୁ ତକ୍ରାଳ ଉଦ୍ଧାର ସମ୍ଭବ ହେଉନାହିଁ । ନିରୁଦ୍ଦିଷ୍ଟ ଶିଶୁଟିଏ କେବଳ ନିଜର ଅନିଶ୍ଚିତ ଭବିଶ୍ୟତ ଆଡକୁ ଯାଏ ନାହିଁ, ଦେଶର ଭବିଶ୍ୟତ ମଧ୍ୟ ଅନ୍ଧକାରାଛନ୍ନ ହୁଏ । ପ୍ରତ୍ୟେକ ଗ୍ରାମରେ ଶିଶୁ ସୁରକ୍ଷା କମିଟି ଗଠନ ସହିତ ନିରାପଦ ଓ ସୁରକ୍ଷିତ ଶୈଶବ ସମ୍ପର୍କିତ ଅଲୋଚନା ଓ ସଚେତନତା ଶିଶୁ ସୁରକ୍ଷା କ୍ଷେତ୍ରରେ ଏକ ଦୃଢ ପଦକ୍ଷେପ ହେବ ।

ଘାସିରାମ ପଣ୍ଡା

Filed Under: ଅପରାଧ Tagged With: ଖରା ଛୁଟି, ନିରୁଦ୍ଦିଷ୍ଟ ଶିଶୁ, ଶିଶୁ ବିକାଶ

ବାଲ୍ୟ ବିବାହକୁ ନାଁ

May 12, 2018 by ଘାସିରାମ ପଣ୍ଡା Leave a Comment

କୋରାପୁଟ ଜିଲ୍ଲା ଗମକାପଦର ଗ୍ରାମର ଦଶମ ଶ୍ରେଣୀରେ ପଢୁଥିବା ଦୈମତି ସାନ୍ତା ନିଜ ପାଇଁ ଆସିଥିବା ବାହାଘର ପ୍ରସ୍ତାବକୁ ନାଁ କହିବା ସମସ୍ତଙ୍କୁ ଆଶ୍ଚର୍ଯ କରିଥିଲା । ତାଙ୍କ ଭଳି ଅନେକ ଝିଅ ଏଇ ବୟସରେ ବାହା ହୋଇଯିବା ବା ଉଧୁଲିଆ ପଳେଇବା ସେହି ଗାଁ ଓ ଆଖ ପାଖ ଅଞ୍ଚଳରେ ଏକ ସାଧାରଣ କଥା । ଦୈମତି ପାଇଁ ବି ନାଁ କହିବା ଏତେ ସହଜ ନଥିଲା ।

ଛୋଟ ଆଖିରେ ନିଜର ଭବିଷ୍ୟତ ପାଇଁ ଦେଖୁଥିବା ବଡ ସ୍ୱପ୍ନର ସାହାସରେ ସେ ବାପା ମାଁଙ୍କୁ ବୁଝେଇବାରେ ସକ୍ଷମ ହୋଇଥିଲେ । ଏହା ସତେଯେମିତି ଦୈମତିଙ୍କୁ ଦେଇଥିଲା ମୁକ୍ତିର ଆନନ୍ଦ । ଦୈମତିଙ୍କ ଏହି ପଦକ୍ଷେପ ଅଞ୍ଚଳର ଯୁବକ ଯୁବତୀଙ୍କ ଭିତରେ ନୂତନ ଆଶାର ସଂଚାର କଲା । ଦୈମତି ଭଳି କୁନି, ବାସନ୍ତି, ଟିକମ, ମାଳତି, ଛବି, ମୁକ୍ତା, ଆନନ୍ଦ ଭଳି ପ୍ରାୟ ପନ୍ଦର ଜଣ ବାଲ୍ୟ ବିବାହକୁ ନାଁ କହିଲେ ।

ଏମାନଙ୍କର ସଙ୍କଳ୍ପ, ସମସ୍ତେ ପାଠ ପଢିବେ, ନିଜ ଜାତି ଓ ଅଞ୍ଚଳ ପାଇଁ କିଛି କରି ଦେଖାଇବେ । ଏବେ ସାମୁହିକ ଭାବେ ଏମାନେ ଗଢିଛନ୍ତିି ବାଲ୍ୟ ବିବାହକୁ ନାଁ କହିଥିବା ଯୁବକ ଯୁବତୀଙ୍କ ସଂଘ । ବାଲ୍ୟ ବିବାହର ପ୍ରଭାବ ଉପରେ ନିଜ ଆଖ ପାଖ ଗାଁରେ ସଚେତନତା ସୃଷ୍ଟି କରିବା, ଯେଉଁମାନଙ୍କର କମ ବୟସରେ ବାହା ପ୍ରସ୍ତାବ ଆସୁଛି ସେମାନଙ୍କ ବାପା, ମାଁକୁ ବୁଝେଇବା ଭଳି ଗୁରୁଦାୟୀତ୍ୱକୁ ଏମାନେ ବହନ କରିଛନ୍ତି ।

ଏମାନଙ୍କର ଏହି ଉଦ୍ୟମକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପୁରଷ୍କୃତ କରି ସ୍ୱିକୃତୀ ପ୍ରଦାନ କରିଛନ୍ତି । ସଫଳତାର ଏହି କାହାଣି ଏବେ ରାଜ୍ୟରେ ଚର୍ଚାର ବିଷୟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଆଦିବାସୀ ପରମ୍ପରାରେ ବାଲ୍ୟ ବିବାହର ଚଳଣି ଅଧିକ । ଆଦିବାସୀ ନେତୃତ୍ୱ ମଧ୍ୟ ଏହାକୁ ଗୁରୁତର ସହ ଗ୍ରହଣ କଲେଣି ।

ନିକଟରେ କୋରାପୁଟ ଜିଲ୍ଲାର କନ୍ଧ, ପରଜା, କେନ୍ଦୁଝରର ଜୁଆଙ୍ଗ, ସୁନ୍ଦରଗଡର ପାଉଡି ଭୂୟାଁ, ବରଗଡର ଗଣ୍ଡ ଭଳି ଆଦିବାସୀ ସମ୍ପ୍ରଦାୟ ନିଜର ଜାତି ସଭାରେ ବାଲ୍ୟ ବିବାହ ସମ୍ପର୍କରେ ବ୍ୟାପକ ଆଲୋଚନା କରିଛନ୍ତି । ଏଥିରେ ବାଲ୍ୟ ବିବାହକୁ ନାପସନ୍ଦ କରାଯିବା ସହ ନିଜ ସମ୍ପ୍ରଦାୟରେ ବାଲ୍ୟ ବିବାହକୁ ବାରଣ କରାଯାଇ ପ୍ରାଚିର ପତ୍ର ବଣ୍ଟା ଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଯେହେତୁ ପାରମ୍ପାରିକ ନେତୃତ୍ୱ ପ୍ରତି ଆଦର ଥାଏ, ଏହି ନିଷ୍ପତ୍ତି ବାଲ୍ୟ ବିବାହ ନିଷେଧ କ୍ଷେତ୍ରରେ ମହୋଷଧି ସାବ୍ୟସ୍ତ ହୋଇଛି ।

ଆଦିବାସୀ ଏକତା ସଂଗଠନର ନେତୃତ୍ୱରେ କୋରାପୁଟ ଜିଲ୍ଲାର ବଡ ଗାଦା ବାଲାସା, ବାଦାମ ଗୁଡା ଓ ଗମକା ପଦର ଭଳି ଗାଁରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇ ବାଲ୍ୟ ବିବାହ ବିହୀନ ଗାଁ ଭାବରେ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମବାସୀ ମାନେ ଅଠର ବର୍ଷରୁ କମ ବୟସର ଝିଅକୁ ବାହା ଦେବେ ନାହିଁ ବା ବୋହୁ କରି ଆଣିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଅନେକ ବିଦ୍ୟାଳୟରେ କିଶୋରୀ ବାଳିକାମାନେ ବାଲ୍ୟ ବିବାହ ନକରିବାକୁ ସାମୁହିକ ପ୍ରତିଜ୍ଞା ନେଉଥିବାର ଖବର ମଧ୍ୟ ଲୋକଲୋଚନକୁ ଆସିଛି । ଏହି ସବୁ ଉଦ୍ୟମ ସାମାଜିକ ରୀତିନୀତିକୁ ପୁନଃସମୀକ୍ଷା କରିବାର ସୁଯୋଗ ସୃଷ୍ଟି କରିଛି । ବାଲ୍ୟ ବିବାହ ନିଷେଧର ଏହି ଆନ୍ଦୋଲନ ବିଶେଷକରି ଯୁବତୀଙ୍କ ଭବିଷ୍ୟତ ପାଇଁ ଅନେକ ନୂତନ ମାର୍ଗ ଉନ୍ମୁକ୍ତ କରୁଛି ।

ସଂଶୋଧିତ କିଶୋର ନ୍ୟାୟ ଆଇନରେ ବାଲ୍ୟ ବିବାହ ପ୍ରଭାବିତ ଯୁବକ ଯୁବତୀଙ୍କୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସଜ୍ଞାରେ ସାମିଲ କରାଯାଇଛି । ଏଣୁ ଜିଲ୍ଲା ଶିଶୁ ଅଧିକାର ସୁରକ୍ଷା ୟୁନିଟ ମଧ୍ୟ ତତ୍ପ‏ରତା ପ୍ରକାଶ କରୁଛନ୍ତି । ଇତି ମଧ୍ୟରେ ନୟାଗଡ, କୋରାପୁଟ, କେନ୍ଦୁଝର, କଟକ, ସୁବର୍ଣ୍ଣପୁର, ଦେବଗଡ, ମୟୁରଭଞ ପ୍ରଭୃତି ଜିଲ୍ଲାମାନଙ୍କରେ ଅଧିକାରୀଙ୍କ ସକ୍ରିୟତା ଯୋଗୁଁ ଶତାଧିକ ବାଲ୍ୟ ବିବାହକୁ ବନ୍ଦ କରାଯାଇପାରିଛି ।

ଗଣମାଧ୍ୟମଯୋଗେ ଏହା ବାରମ୍ବାର ପ୍ରସାରିତ ହେଉଥିବା ଯୋଗୁଁ ଲୋକମାନଙ୍କ ଉପରେ ମଧ୍ୟ ଏକ ଭୟ ମିଶ୍ରିତ ସଚେତନତାର ପ୍ରଭାବ ପରିଲକ୍ଷିତ ହେଉଛି । ବାଲ୍ୟ ବିବାହକୁ ନେଇ ଏତେ ସବୁ ତତ୍ପରତା ଥିଲେବି ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବାଲ୍ୟ ବିବାହକୁ ନାଁ କରୁଥିବା ଯୁବକ ଯୁବତୀଙ୍କୁ ସ୍ୱୀକୃତି ଦିଆଯାଇ ଉତ୍ସାହିତ କରାଯିବା ସହିତ ସେମାନଙ୍କର ଏକ ରାଜ୍ୟ ସ୍ତରୀୟ ସଂଗଠନକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

ଏହା ଏକ ଯୁବ ପରିବର୍ତ୍ତନକାରୀଙ୍କ ଦଳ ଗଠନରେ ସହାୟକ ହେବ । ଏହି ପରିବର୍ତ୍ତନ କାରୀମାନେ ନିଜ ସମ ବୟସ ପିଲାଙ୍କ ସହ ନିୟୋଜିତ ହୋଇ ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାରେ ବିଶେଷ ସହାୟକ ହେବେ । ସାମାଜିକ ଓ ପାରମ୍ପାରିକ ସଂଗଠନ ମାନେ ସବୁବେଳେ ସାମାଜିକ ନୀତିନୀୟମର ରକ୍ଷାକର୍ତ୍ତା ଭୂମିକା ନେଇଥାନ୍ତି । ଏମାନଙ୍କୁ ବିଶ୍ୱାସକୁ ନେବାକୁ ପଡିବ ।

ଋଢିବାଦି ଚିନ୍ତାଧାରରେ ପରିବର୍ତ୍ତନ ଆଣିହେଲା ଭଳି ଗଣଯୋଗାଯୋଗ ଉପକରଣ ପ୍ରସ୍ତୁତି ଓ ପ୍ରଚାର ଉପରେ ଗୁରୁତ୍ୱ ଦେବା ଜରୁରି । ଏହା ଏହିଭଳି ସଂଗଠନର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ମାନସିକତା ପରିବର୍ତ୍ତନରେ ସହାୟକ ହେବ । ବିଭିନ୍ନ ଜାତି ଓ ଆଦିବାସୀ ସମ୍ପ୍ରଦାୟ ଜମୀ, ଜାତି ପ୍ରମାଣପତ୍ର ପ୍ରଭୃତି ଅଧିକାରକୁ ନେଇ ସଂଗଠିତ ହେବା ଓ ଦାବି ଉପସ୍ଥାପିତ କରିବା ଦେଖିବାକୁ୍ୱ ମିଳୁଛି ।

ଏହି ସଂଗଠନମାନଙ୍କୁ ବାଲ୍ୟ ବିବାହର ଭୟାବହ ପ୍ରଭାବ ସମ୍ପର୍କରେ ଅବଗତ କରାଯାଇପାରିଲେ ଏହା ଜନ ଆନ୍ଦୋଳନର ରୁପ ନେଇ ପାରନ୍ତା । ବିବାହ ଦୁଇଟି ପରିବାର ଭିତରେ ହେଉଥିଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ବିନା ସମ୍ଭବ ନୁହେଁ ।

ଗାଁରେ ରହୁଥିବା ଶିକ୍ଷକଙ୍କଠୁ ଆରମ୍ଭକରି ବାରିକ, ବ୍ରାହ୍ମଣ, ରୋଷେଇଆ, ବାଜା ବଜଉଥିବା ଲୋକେ, ଚାନ୍ଦୁଆ ବାଲା, ବରଯାତ୍ରି, ଭୋଜି ଖାଇବାକୁ ଆସିଥିବା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ବାଲ୍ୟ ବିବାହ ନିଷେଧର ଏହି ଅଭିଯାନରେ ସାମିଲ କରିବାକୁ ପଡିବ ।

ଅପରପକ୍ଷରେ ବାଲ୍ୟ ବିବାହ ନିଷେଧ ଆଇନ ଓ ନୀୟମାବଳୀକୁ କାର୍ଯ୍ୟକାରୀ କରେଇବା ପାଇଁ ଦାୟୀତ୍ୱ ନ୍ୟସ୍ତ ହୋଇଥିବା ଅଧିକାରୀମାନଙ୍କୁ ମଧ୍ୟ ଉତ୍ତରଦାୟୀ ହେବାକୁ ପଡିବ । ବାଲ୍ୟ ବିବାହକୁ ବନ୍ଦ କରାଯାଇ ପାରିଲେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଜନିତ ଲଜ୍ଜାକୁ ଅନେକ ମାତ୍ରାରେ ରୋକାଯାଇ ପାରିବ ।

ଘାସିରାମ ପଣ୍ଡା

Filed Under: ଅପରାଧ Tagged With: ବାଲ୍ୟ ବିବାହ, ଶିଶୁ ଅଧିକାର

ବାଲ୍ୟ ବିବାହ ଅସିଦ୍ଧ ହେଉ

May 12, 2018 by ଘାସିରାମ ପଣ୍ଡା Leave a Comment


ଝିଅ ହେଉ ବା ପୁଅ, କମ ବୟସରେ ବାହା ହେଲେ ସେମାନଙ୍କର ପାଠ ପଢା ବ୍ୟାହତ ହୁଏ, ନିର୍ଯ୍ୟାତନା ଓ ମାନସିକ ଦୁଶ୍ଚିନ୍ତା ବଢେ, ସ୍ୱାସ୍ଥ୍ୟହାନୀ ହୁଏ । କହିବାକୁ ଗଲେ ଏହାଦ୍ୱାରା ବଂଚିବା, ସୁରକ୍ଷା, ବିକାଶ ଓ ସହଭାଗିତା ପ୍ରଭୃତି ସବୁ ପ୍ରକାରର ଶିଶୁ ଅଧିକାରର ଉଲଂଘନ ହୁଏ ।

କିଛି ବର୍ଷ ତଳେ ଓଡିଶାରେ ବାଲ୍ୟ ବିବାହର ସ୍ଥିତିକୁ ପ୍ରଶାସନିକ ସ୍ଥରରେ ଅସ୍ୱୀକାର କରାଯାଉଥିଲା । ଏହାକୁ ରାଜସ୍ଥାନ, ପଶ୍ଚିମ ବଙ୍ଗ ପ୍ରଭୃତି ରାଜ୍ୟର ସମସ୍ୟା ବୋଲି ବିବେଚନା କରାଯାଇ ଓଡିଶା ଭଳି ରାଜ୍ୟ ଏଥି ପ୍ରତି ଗୁରୁତ୍ୱ ଦେଉନଥିଲେ । ଏବେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ ଆସିଲା ପରେ ଆମ ରାଜ୍ୟରେ ବି ବାଲ୍ୟ ବିବାହର ସ୍ଥିତି ଓ ଏହାର ନିରାକରଣ ନେଇ ଚର୍ଚା ଆଲୋଚନା ଆରମ୍ଭ ହୋଇଛି ।

ଏଇ ନିକଟରେ ଜାତୀୟ ମାନବାଧିକାର କମିଶନ ବାଲ୍ୟ ବିବାହକୁ ନେଇ ପ୍ରଥମ ଆଂଚଳିକ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜନ କରିଥିଲେ । ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପଡିଥିବା ଉପଲବ୍ଧ ହେଉଛି । ହେଲେ ଏହା ଯଥେଷ୍ଟ ନୁହେଁ । ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟକୁ ବିଚାରକୁ ନେଲେ ଓଡିଶାରେ ବାଲ୍ୟ ବିବାହର ସ୍ଥିତି ଜାତୀୟ ହାର ଠାରୁ କମ ଥିବାରୁ ଏହା ବିଶେଷ ଚିନ୍ତାଜନକ ନୁହେଁ! ଏଠାରେ ଜାଣି ରଖିବାକୁ ହେବ ଯେ, ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଓଡିଶାରେ ଏହା ୨୧.୩ ଅଛି ।

ହେଲେ ଏକଥା ମଧ୍ୟ ଜାଣିବାକୁ ହେବ ଯେ, ମାଲକାନଗିରି, ନବରଙ୍ଗପୁର, ମୟୁରଭଞ, କୋରାପୁଟ, ରାୟଗଡା, ନୟାଗଡ, ଗଞାମ ଓ କେନ୍ଦୁଝର ଜିଲ୍ଲା ଜତୀୟ ହାର ଠାରୁ ଅନେକ ଉପରେ ଅଛନ୍ତି । ସେହିପରି ବାଲେଶ୍ୱର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର, କନ୍ଧମାଳ, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲା ରାଜ୍ୟ ହାର ଠାରୁ ଉପରେ ଅଛନ୍ତି । ଯଦି ୩୦ ରୁ ୧୭ ଜିଲ୍ଲାରେ ପରିସ୍ଥିତି ଉଦ୍ୱେଗ ଜନକ ତାହେଲେ ଆମର ନୀତି ନିର୍ଦ୍ଧାରକ ଓ ପ୍ରଶାସକ ମାନଙ୍କୁ ମଧ୍ୟ ଏନେଇ ଚିନ୍ତା କରିବାକୁ ପଡିବ । ବାଲ୍ୟ ବିବାହ କାରଣରୁ ଆମକୁ ଅନେକ କ୍ଷତି ସହିବାକୁ ପଡୁଛି ।

ଆମ ରାଜ୍ୟରେ ପ୍ରତି ହଜାରେ ଶିଶୁରେ ୪୦ ଜଣଙ୍କର ମୃତ୍ୟୁ ହୁଏ, ପାଂଚ ବର୍ଷରୁ ତଳ ବୟସର ପିଲାଙ୍କ କ୍ଷେତ୍ରରେ ଏହା ୪୯ । ଯେଉଁମାନେ ବଂଚିଛନ୍ତି ସେମାନଙ୍କର ସ୍ଥିତି ମଧ୍ୟ ଭଲ ନାହିଁ । ୫ ବର୍ଷରୁ କମ ବୟସର ପିଲାମାନଙ୍କ ମଧ୍ୟରେ ୩୪.୧ ଭାଗ ପିଲାଙ୍କ ବୟସ ଅନୁସାରେ ଉଚ୍ଚତା ନାହିଁ, ୨୦.୪ ଭାଗ ଉଚ୍ଚତା ଅନୁସାରେ ଓଜନ ନାହିଁ ଓ ୩୪.୪ ଭାଗ ଏକଦମ କମ ଓଜନର ।

ଏହା ବ୍ୟତୀତ ୧୫ ରୁ ୪୯ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ମଧ୍ୟରେ ୪୭.୬ ରକ୍ତ ହୀନତାର ଶିକାର ହେଉଛନ୍ତି । ଏପରି ସ୍ଥଳରେ ଆମେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ରର ପରିକଲ୍ପନା କିପରି କରିପାରିବା ? ବାଲ୍ୟ ବିବାହକୁ ବନ୍ଦ କରିବାର ପଦକ୍ଷେପ ବିନା ମହିଳା ଓ ଶିଶୁ ବିକାଶ ପାଇଁ ନିଆଯାଉଥିବା କୌଣସି ପ୍ରୟାସ ସଫଳ ହେବ ନାହିଁ । ଆମ ଦେଶରେ ୨୦୦୬ ଓ ରାଜ୍ୟରେ ୨୦୦୯ ମସିହାରୁ ବାଲ୍ୟ ବିବାହ ନିଷେଧ ଆଇନ ତଥା ନୀୟମାବଳି ପ୍ରଚଳିତ ଅଛି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୧୫ ରେ ଏହି ନୀୟମାବଳି ଅଧାରରେ ମାତ୍ର ଗୋଟିଏ ଓ ୨୦୧୬ ରେ ୧୬ ଟି ଅପରାଧ ଲିପିବଦ୍ଧ ହୋଇ ପାରିଛି । ଏହା ସୁଚିତ କରୁଛି ଯେ, ଏଭଳି ଆଇନ ଥିଲେ ଯାହା ନଥିଲେ ବି ତାହା ! ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଆଇନରେ ବ୍ୟବସ୍ଥା କରାଯାଇଥିଲେ ବି ବିବାହ ଅନୁଷ୍ଠିତ ହୋଇସାରିଲା ପରେ ‘ଅସିଦ୍ଧଯୋଗ୍ୟ’ କହି କୋହଳ ମନୋଭାବ ପୋଷଣ କରିବା ଆଇନ ବିଫଳ ହେବାର ଅନ୍ୟତମ କାରଣ ।

ଏବେ ପ୍ରତ୍ୟେକ ବାଲ୍ୟ ବିବାହକୁ ଅସିଦ୍ଧଯୋଗ୍ୟ ବଦଳରେ ‘ଅସିଦ୍ଧ’ ବୋଲି ଘୋଷଣା କରିବାର ସମୟ ଆସିଛି । ଏ କ୍ଷେତ୍ରରେ କର୍ଣ୍ଣାଟକ ସରକାର ଉଦାହରଣ ସୃଷ୍ଟି କରିସାରିଛନ୍ତି । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏ ନେଇ ଏକ ରିଟ ପିଟିସନ ଦାଖଲ ହୋଇଥିଲା । ଏହାର ପ୍ରତ୍ୟୁତ୍ତରରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ବିଧାନ ସଭା ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା ପୂର୍ବକ ନୂତନ ଆଇନ ପ୍ରଣୟନ କରିଛନ୍ତି ।

ଆଉ ଏକ ଉଲ୍ଲେଖ ଯୋଗ୍ୟ ଘଟଣା କ୍ରମରେ ୨୦୧୭ ଅକ୍ଟୋବର ୧୧ରେ ଉଚ୍ଚତମ ନ୍ୟୟାଳୟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ (ବ୍ୟତିକ୍ରମ -୨) ରେ ପରିବର୍ତ୍ତନ ଆଣି ୧୮ ବର୍ଷରୁ କମ ବିବାହିତା ବା ଅବିବାହିତା ଯେ କୌଣସି ଝିଅର ସହମତି ବା ଅସହମତିରେ ସହବାସକୁ ଧର୍ଷଣ ବୋଲି ରାୟ ଦେଇଛନ୍ତି । ଏହି ପ୍ରସଙ୍ଗରେ କର୍ଣ୍ଣାଟକ ସରକାର ନେଇଥିବା ପଦକ୍ଷେପକୁ ଉଚ୍ଚତମ ନ୍ୟୟାଳୟ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟମାନଙ୍କୁ ସମାନ ପଦକ୍ଷେପ ନେବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଗଲେ ନାବାଳିକାକୁ ବିବାହ କରୁଥିବା ପୁରୁଷ ଅପରାଧି ବିବେଚିତ ହେବ ଓ ବାଲ୍ୟ ବିବାହ ନିଷେଧ ଆଇନ ସମେତ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପକ୍ସୋ) ଓ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଦଣ୍ଡିତ ହେବ । ବାଲ୍ୟ ବିବାହ ନିରାକରଣ ପାଇଁ କୌଷଳ ପ୍ରସ୍ତୁତିରେ ଏହାକୁ ଏକ ସାମାଜିକ ସମସ୍ୟା ଭାବରେ ଦେଖାଯାଇ ଋଢିବାଦି ପରମ୍ପରା ଓ ସଚେତନତା ହୀନ ସମାଜକୁ ଦାୟୀ କରି ଦାୟୀତ୍ୱ ତୁଟେଇ ଦିଆଯାଏ ।

ବାଲ୍ୟ ବିବାହ ଏକ ଅପରାଧ ଓ ମାନବ ଅଧିକାରର ନିକୃଷ୍ଟତମ ଉଲଂଘନ । ଏଭଳି ଅପରାଧିକ କାର୍ଯ୍ୟକଳାପକୁ ଦମନ ପାଇଁ ଦୃଢ ଆଇନଗତ ପଦକ୍ଷେପର ମଧ୍ୟ ଆବଶ୍ୟକତା ରହିଛି । ଏଣୁ ସମାଜ ସହିତ ସରକାରଙ୍କ ମଧ୍ୟ ଉତ୍ତର ଦାୟୀତ୍ୱ ରହିଛି । ଉଚ୍ଚତମ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ କର୍ଣ୍ଣାଟକ ସରକାରଙ୍କ ପରି ଆମେ ମଧ୍ୟ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା ପୁର୍ବକ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି । ଏହା ଶିଶୁ ଅଧିକାର ସୁରକ୍ଷା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହେବ ।

ଘାସିରାମ ପଣ୍ଡା

Filed Under: ଅପରାଧ Tagged With: ନିର୍ଯ୍ୟାତନା ଓ ମାନସିକ, ବାଲ୍ୟ ବିବାହ

ଓଡିଶାରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଗିରଫ

December 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର, ଡିସେମ୍ବର ୧୬ (ଓଡିଶା ଡଟ୍ କମ୍) କଟକ ଜିଲ୍ଲାର ଏକ ଗାଁରେ ଚଢଉକରି ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୁଲିସ ବୁଧବାର କହିଛି ।

abdulଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଗିରଫ ହୋଇଥିବା ୩୭ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ ନାଁ ହେଲା ମୌଲବୀ ମହମ୍ମଦ ଅବଦୁଲ ରେହମାନ ।

ସେ ପାକିସ୍ତାନ, ଦୁବାଇ, ସାଉଦି ଆରବ ଆଦି ସ୍ଥାନ ଭ୍ରମଣ କରିବା ସହ ଆଫଗାନିସ୍ଥାନ ସୀମାରେ ଆତଙ୍କବାଦ ତାଲିମ ହାସଲ କରିଥିବା ପୁଲିସ ସନ୍ଦେହ କରୁଛି ।

ରାଜ୍ୟ ଓ ଦିଲ୍ଲୀ ପୁଲିସ ମିଳିତ ଭାବେ କରିଥିବା ଏହି ଚଢାଉରେ ରେହମାନ ଘରୁ ମୋବାଇଲ୍ ଫୋନ, ଟାବଲେଟ୍ , ପାସପୋର୍ଟ ଆଦି ଜବତ କରାଯାଇଛି ।

୨୦୧୪ରେ ଭାରତରେ ଆତଙ୍କବାଦୀ ଗତିବିଧି କରିବା ପାଇଁ ଅଲକାଏଦା ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍) ନାମକ ସଂଗଠନ ଗଠନ କରିଥିଲା । ଅବଦୁଲ ଏହି ସଂଗଠନରେ ଯୋଗ ଦେବା ପାଇଁ ଲୋକଙ୍କୁ ମତଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି ।

ଦିଲ୍ଲୀ ପୁଲିସ ନିକଟରେ ମହମ୍ମଦ ଆସିଫ ନାମକ ଜଣେ ସନ୍ଦିଗ୍ଧ ଆତଙ୍କବାଦିକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଆସିଫ ଓ ଅନ୍ୟ ଦୁଇଜଣଙ୍କ ସହ ଅବଦୁଲ ୨୩ ଜୁନ୍ ୨୦୧୩ରେ ତାଲିମ ପାଇଁ ପାଇଁ ପାକିସ୍ତାନ ଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ରେହମାନଙ୍କ ଟାଙ୍ଗୀ ଅଞ୍ଚଳରେ ଏକ ମଦ୍ରାସା ରହିଛି। ସେଠାରେ ପଢୁଥିବା ଅଧିକାଂଶ ଛାତ୍ର ହେଲେ ଝାଡ଼ଖଣ୍ଡର । ରାଜ୍ୟର ଏକ ଅଦାଲତରେ ତାକୁ ହାଜର କରାଯିବା  ପରେ ପୋଲିସ ଅଧିକ ପଚରା ଉଚୁରା ପାଇଁ ତାକୁ ଦିଲ୍ଲୀ ନେଇଛି ।

୨୦୦୧ରେ ଅବଦୁଲଙ୍କ ବଡ଼ଭାଇ ତାହିର ଅଲ୍ଲୀଙ୍କୁ କଲିକତାରେ ଥିବା ଆମେରିକାର ଦୂତାବାସ ନିକଟରେ ହୋଇଥିବା ଏକ ବିସ୍ଫୋରଣ ଘଟଣାରେ ଗିରଫ କରାଯାଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ଅଲକାଏଦା, ଆତଙ୍କବାଦ, କଟକ, ତାଲିମ

ମାଓବାଦୀଙ୍କ ବିସ୍ଫୋରଣରେ ତିନି ବିଏସଏଫ ଯବାନ ସମେତ ଚାରି ମୃତ

August 26, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ମାଲକାନଗିରି, ଅଗଷ୍ଟ ୨୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡା ଯାନବାଇ ଘାଟି ନିକଟରେ ମାଓଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନ ଜଣ ଯବାନଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ପୁଲିସ କହିଛି ।

ବିଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି ।

ମୃତ ଯବାନଙ୍କ ମଧ୍ୟରେ ଜଣେ ଏଏସଆଇ, ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ରହିଛନ୍ତି । ଆହତ ହୋଇଥିବା ଯବାନମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ଖାନ ତଲାସ କରାଯାଉଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ବିସ୍ଫୋରଣ, ମାଓବାଦୀ, ମାଲକାନଗିରି

ପୂର୍ବତନ କେନ୍ଦ୍ରାପଡା ଏସପି ସତିଶ ଗଜଭିଏ ନିଲମ୍ବିତ

August 13, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୧୩ ଅଗଷ୍ଟ (ଓଡିଶା ଡଟ୍ କମ୍): ସାରଥି ବାବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ମାତ୍ରାଧିକ ବଳ ପ୍ରୟୋଗ ଅଭିଯୋଗ ପରେ ବିବାଦ ଘେରକୁ ଆସିଥିବା ପୂର୍ବତନ କେନ୍ଦ୍ରାପଡା ଏସପି ସତିଶ ଗଜଭିଏଙ୍କୁ ରାଜ୍ୟ ସରକାର ଗୁରୁବାର ନିଲମ୍ବିତ କରିଛନ୍ତି ।

କେନ୍ଦ୍ରାଞ୍ଚଳ ଆଇଜି ଆର.ପି କୋଚ୍ଚେ ଘଟଣାର ତଦନ୍ତ କରି ସରକାରଙ୍କୁ ଦେଇଥିବା ରିପୋର୍ଟ ଆଧାରରେ ତାଙ୍କୁ ସରକାର ନିଲମ୍ବିତ କରିଥିବା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କେନ୍ଦ୍ରାପଡାରେ ସାରଥି ବାବାଙ୍କୁ ବିରୋଧ କରି ସ୍ଥାନୀୟ ଲୋକମାନେ ଚଳିତ ମାସ ସାତ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ବାହାନାରେ ପୋଲିସ ସେମାନଙ୍କ ଉପରକୁ ଲାଠିମାଡ କରିବା ସହ କେତେକ ପ୍ରଦର୍ଶନକାରୀଙ୍କୁ ଆଣ୍ଠେଇବା, ଜଣେ ଓକିଲ ତଥା ବିଜେପି ନେତାଙ୍କୁ କାନ ଧରି ବସଉଠ କରାଇବା କେତେକ ଟିଭି ଚ୍ୟାନେଲ ପ୍ରସାରିତ କରିଥିଲେ ।

ଏହାପରେ ସରକାର ଗଜଭିଏଙ୍କୁ ବଦଳି କରି ନୀତିନଜିତଙ୍କୁ କେନ୍ଦ୍ରାପଡା ଏସପି ଦାୟିତ୍ଵ ଦେଇଥିଲେ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ସାରଥି ବାବା

ସାରଥି ବାବାଙ୍କୁ ପୁଣି ତିନିଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

August 12, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ୧୨ ଅଗଷ୍ଟ (ଓଡିଶା ଡଟ୍ କମ୍) ସାରଥି ବାବା ଙ୍କୁ ଆଉ ତିନି ପାଇଁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ବିଚାରକରି କଟକ ଏସଡ଼ିଜେଏମ କୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି ।

କୋର୍ଟରୁ ସାରଥିଙ୍କୁ ସିଧାସଳଖ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳାୟ ନିଆଯାଇଛି ଏବଂ ସେଠାରେ ତାଙ୍କୁ ତାଙ୍କର ଅର୍ଥ କାରବାର ସମ୍ପର୍କରେ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦିଆଯାଇଛି ।

ଗତକାଲି ସାରଥିବାବାଙ୍କ ରିମାଣ୍ଡର ଶେଷ ଦିନ ଥିବା ବେଳେ ତାଙ୍କ ଆଶ୍ରମରୁ ତାଙ୍କର ୧୩ ଜଣ ସହଯୋଗୀଙ୍କୁ ଅଣାଯାଇ ପ୍ରଥମେ ଜଣ ଜଣ କରି ସମସ୍ତଙ୍କୁ ଜେରା କରାଯାଇ ଓ ପରେ ସାରଥିଙ୍କ ସହ ସାମ୍ନାସମ୍ନୀ ବସାଇ ଜେରା କରଯାଇଥିଲା।

ସାରଥିଙ୍କ ଏହି ସହଯୋଗୀ ମାନଙ୍କ ମଧ୍ୟରେ ଥିଲେ ତାଙ୍କର କେୟାର ଟେକର, ଡ୍ରାଇଭର, ରୋଷେୟା ଓ ଅନ୍ୟାନ୍ୟ କର୍ମଚାରୀ ।

ସେହିପରି ବିବାଦୀୟ ଯୁବତୀଙ୍କ ବୟାନ ଅନୁଯାୟୀ ଜିଲ୍ଲା ପୋଲିସ ସହାୟତାରେ କେନ୍ଦ୍ରାପଡାରୁ କୈଳାସ ମଲ୍ଲିକ, କିଶୋର ମଲ୍ଲିକ ଓ ଖଗେଶ୍ଵରକୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳାୟ ଅଣାଯାଇ ଜେରା କରଯାଇଥିଲା।

ଜେରା ସମୟରେ କୈଳାସ ମଲ୍ଲିକ ଓ କିଶୋର ମଲ୍ଲିକ ଦୁଇଭାଇ ହୋଇଥିବା ଏବଂ ସାରଥି କୈଳାସଙ୍କୁ ମାରିଦେବାକୁ ଧମକ ଦେଇଥିବା ଆଦି ଅନେକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା।

ଏତଦବ୍ୟତୀତ, ବିବାଦୀୟ ଯୁବତୀଙ୍କ ସମେତ ତାଙ୍କ ସହପାଠିନୀ ଓ ତାଙ୍କ ହଷ୍ଟେଲରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରଯାଇଥିଲା ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଜେରା ସମୟରେ ସାରଥିଙ୍କ ଆକାଉଣ୍ଟରେ ୮ ରୁ ୧୦ କୋଟି ଟଙ୍କା ଥିବା, ପଟିଆ ସ୍ଥିତ ଘର ପାଇଁ ୧ ଲକ୍ଷ ୭୬ ହଜାର ଦିଆଯାଇଥିବା ବେଳେ କାଗଜ ପତ୍ରରେ ୫୫ଲକ୍ଷ ଦର୍ଶାଯିବା, ଘର କିଣାରେ ପ୍ରାୟ ୧କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଏବଂ ରାଜ୍ୟରେ ପ୍ରାୟ ୨୭ରୁ ଅଧିକ ସାରଥି ସମିତି ଜରିଆରେ ସାରଥି ଆଶ୍ରମକୁ ଲକ୍ଷାଧିକ ଟଙ୍କା ଆସୁଥିବା ଆଦି ତଥ୍ୟ ସାମ୍ନାକୁ ଆସିଥିଲା।

ତେବେ ସାରଥିଙ୍କ ଅର୍ଥ କାରବାର ଜନିତ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଅଧିକ ଜେରା କରିବ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ସାରଥି ବାବା

ସାରଥି ବାବାଙ୍କ ଜେରା ଜାରି, ରିମାଣ୍ଡ ଅବିଧି ବୃଦ୍ଧି ଆବେଦନ ସମ୍ଭାବନା

August 11, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୧୧ ଅଗଷ୍ଟ (ଓଡିଶା ଡଟ୍ କମ୍) ବିବାଦୀୟ ସାରଥୀବାବାଙ୍କ ଜେରା ମଙ୍ଗଳବାର ଜାରି ରହିଥିବା ବେଳେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଥିବାରୁ ରିମାଣ୍ଡ ଅବଧି ବୃଦ୍ଧିକରିବାକୁ କ୍ରାଇମ ବ୍ରାଞ୍ଚ ଆବେଦନ କରିବ ବୋଲି ଅତିରିକ୍ତ ପୁଲିସ ମହା ନିର୍ଦ୍ଦେଶକ ବିଜଯ କୁମାର ସୂଚନା ଦେଇଛନ୍ତି ।

କ୍ରାଇମ ବ୍ରାଞ୍ଚ ସାରଥି ବାବାଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ଅବଧି ମଙ୍ଗଳବାର ସରୁଥିବାରୁ କୋର୍ଟରେ ହାଜର କରି ତାଙ୍କୁ ଆଉ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସେ କହିଛନ୍ତି ।

କ୍ରାଇମବ୍ରାଞ୍ଚ ବାବାଙ୍କୁ ତାଙ୍କର ସହଯୋଗୀ, ଆଶ୍ରମର କର୍ମଚାରୀ, ଟ୍ରେଜରର ଓ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ଜେରା କରି ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଛି ।

ଅର୍ଥନୈତିକ କାରବାର ସମ୍ପର୍କରେ ତାଙ୍କୁ ଜେରା କରାଯାଉଥିବା ଓ ସେ ନିଜ ବୟାନ ପରିବର୍ତ୍ତନ କରୁଥିବାରୁ ଉକ୍ତ ବୟାନ ଗୁଡିକର ଭିଡିଓ ରେକର୍ଡିଂ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଏହି ଘଟଣାରେ ବିବାଦ ଘେରକୁ ଆସିଥିବା ଏସସିବି ମେଡିକାଲ କଲେଜର ଛାତ୍ରୀଙ୍କୁ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟ।ଳୟକୁ ଅଣାଯାଇ ତାଙ୍କ ଉପସ୍ଥିତିରେ ସାରଥୀଙ୍କୁ ଜେରା କରାଯିବ ।

ଅନ୍ୟପକ୍ଷରେ ଗତକାଲିର ସାରଥୀଙ୍କ ବୟାନକୁ ଭିତ୍ତି କରି କ୍ରାଇମବ୍ରାଞ୍ଚର ଏକ ଛଅ ଜଣିଆ ଟିମ କେନ୍ଦ୍ରାପଡାର ସବ-ରେଜିଷ୍ଟର ଅଫିସରେ ତାଙ୍କ ଜମିବାଡି କିଣାକିଣି ବାବାଦରେ ଯାଞ୍ଚ କରୁଛି ।

ଜବତ ହୋଇଥିବା ବାବାଙ୍କ ୧୦ଟି ଆକାଉଣ୍ଟ ମଧ୍ୟରୁ ଚାରୋଟିର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାଳକା ଆକାଉଣ୍ଟର କ୍ରାଇମବ୍ରାଞ୍ଚ ଯାଞ୍ଚ ଜାରି ରଖିଛି ।

ସେହିପରି କଟକ ଆୟକର ବିଭାଗକୁ କ୍ରାଇମବ୍ରାଞ୍ଚର ସାଇବର ସେଲ ଟିମ ଯାଇ ବାବାଙ୍କ ଆୟକର ତଥ୍ୟକୁ ଯାଞ୍ଚ କରୁଥିବା ସୂଚନା ମିଳିଛି ।

ସାରଥୀ ଟ୍ରଷ୍ଟ ନାଁରେ ଭକ୍ତ ମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିବା ବେଳେ ବାବା ଟେଣ୍ଡର ଫିକ୍ସଙ୍ଗ ଓ ସିନେମା ଶିଳ୍ପ ସହ ଜଡିତ ଥିବା ସନ୍ଦେହ କରାଯାଉଛି ।

ସେ ତାଙ୍କ ଆଶ୍ରମର କର୍ମଚାରୀ କୈଳାସଙ୍କ ବାପାଙ୍କ ନାମରେ ପ୍ରାୟ ୨୦ ଏକର ଜମି କିଣିଥିଲେ । ଏ ବିଷୟରେ ପଚରା ଯିବା ପରେ ସେ ମେଡିକାଲ କଲେଜ ପାଇଁ ଏହି ଜାଗା କିଣିଥିବା ପ୍ରକାଶ କରିଥିବା କ୍ରାଇମ ବ୍ରାଞ୍ଚ ସୂଚନା ଦେଇଛି ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସାରଥୀଙ୍କ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ କୋର୍ଟରେ ଏ ସମ୍ପର୍କିତ ରିପୋର୍ଟ ପ୍ରମାଣ ସ୍ୱରୂପ ଦାଖଲ କରାଯିବ ବୋଲି କ୍ରାଇମ ବ୍ରାଞ୍ଚ କହିଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ସାରଥି ବାବା

ତିନିଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ସାରଥୀ

August 9, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,୯ ଅଗଷ୍ଟ (ଓଡିଶା ଡଟ୍ କମ୍): ବହୁ ଚର୍ଚ୍ଚିତ ସାରଥୀବାବା ଓରଫ ସନ୍ତୋଷ ରାଉଳଙ୍କଙ୍କୁ ଜେରା କରି ଅଧିକ ତଥ୍ୟ ହାସଲ କରିବା ପାଇଁ କୋର୍ଟର ଅନୁମତି କ୍ରମେ ଶନିବାର କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି ।

କଡା ସୁରକ୍ଷା ବଳୟ ଭିତରେ ସାରଥୀଙ୍କୁ କଟକ ଚୌଦ୍ଵାର ସର୍କଲ ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଥିବା ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ସେଠାରେ ତାଙ୍କୁ ଜେରା ପରେ ଆହୁରି ଅଧିକ ତଥ୍ୟ ଲୋକଲୋଚନାକୁ ଆସିପାରିବ ।

ଅନ୍ୟ ପକ୍ଷରେ ଶନିବାର ସାରଥୀଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଓ ଅଫିସରେ କ୍ରାଇମବ୍ରାଞ୍ଚ ଚଢାଉ କରି ଲାପଟପ, ମୋବାଇଲ, ସତ୍ୟମ ଚାରିଟେବଲ ଟ୍ରଷ୍ଟର କାଗଜ ପତ୍ର, ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଓ ଆଇଟି ରିଟର୍ଣ୍ଣ ଆଦି କାଗଜ ପତ୍ର ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଗୀତିରଞ୍ଜନଙ୍କ ଉପସ୍ଥିତିରେ ସାରଥୀଙ୍କୁ ଜେରା କରାଯିବା ସହ ଫିଲ୍ମ ପ୍ରଯୋଜନା ଜଗତରେ ତାଙ୍କ ଦ୍ଵାରା ଲଗାଯାଇଥିବା ଟଙ୍କା ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।

ଏଠାରେ ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖ ଦିନ ହାଇଦ୍ରାବାଦର ଏକ ହୋଟେଲରେ ସାରଥିବାବା ଓ ତାଙ୍କ ସହ କଟକ ଏସସିବି ମେଡିକାଲ କଲେଜର ଜଣେ ଛାତ୍ରୀଙ୍କର ଏକାଠି ରହିବା ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ସାରଥି ବିରୋଧୀ

ଆନ୍ଦୋଳନ ଦେଖାଦେବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଉପରେ ନ୍ୟସ୍ତ କରଯାଇଥିଲା ।

କ୍ରାଇମବ୍ରାଞ୍ଚର ଏକ ଟିମ କେନ୍ଦ୍ରପଡା ସ୍ଥିତ ସାରଥୀଙ୍କ ବାରିମୂଳ ଆଶ୍ରମରେ ପହଞ୍ଚି ତାଙ୍କୁ ଜେରା କରିବା ପରେ ଗୁରୁବାର ବିଳମ୍ବିତ ରାତ୍ରିରେ ତାଙ୍କୁ ଆଶ୍ରମରୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆଣିଥିଲେ । ଶୁକ୍ରବାର ମଧ୍ୟାହ୍ନରେ ତାଙ୍କୁ ଗିରଫ କରି ପୁଲିସ କୋର୍ଟ

ଚାଲାଣ କରିଥିଲା । ପରେ ତାଙ୍କୁ କଟକ ଚୌଦ୍ଵାର ଜେଲକୁ ପଠାଯାଇଥିଲା ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କ୍ରାଇମବ୍ରାଞ୍ଚ ରିମାଣ୍ଡ, ସାରଥୀବାବା

ବ୍ୟଭିଚାର ଅଭିଯୋଗ ପରେ ସାରଥୀ ବାବା ଗିରଫ

August 8, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,୮ ଅଗଷ୍ଟ (ଓଡିଶା ଡଟ୍ କମ୍): ଖବର କାଗଜ ଓ ଟିଭି ଚ୍ୟାନେଲରେ ସାରଥୀବାବା ବ୍ୟଭିଚାରରେ ଲିପ୍ତ ଥିବା ଖବର ପ୍ରଚାର ହେବା ପରେ କେନ୍ଦ୍ରାପଡା ସ୍ଥିତ ତାଙ୍କ ଆଶ୍ରମ ନିକଟରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ରାଇମବ୍ରାଞ୍ଚ ବାବାଙ୍କୁ ଶନିବାର ଗିରଫ କରିଛନ୍ତି ।

ବାବାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ କ୍ରାଇମବ୍ରାଞ୍ଚ ତାଙ୍କ ଆଶ୍ରମରୁ କଟକ ଆଣି ପଚରା ଉଚୁରା ଚଳାଇଥିଲା । କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଆଶ୍ରମରୁ ବହୁମୂଲ୍ୟ ସମ୍ପତ୍ତି ସହ, ସୁନା, ରୂପା, ବ୍ୟାଙ୍କ ଆକାଉଣ୍ଟ ଓ କେତେକ ମୂଲ୍ୟବାନ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି ।

ଗତ ଅଗଷ୍ଟ ୩ ତାରିଖ ଦିନ ହାଇଦ୍ରାବାଦର ଏକ ହୋଟେଲରେ ସାରଥିବାବା ଓ ତାଙ୍କ ସହ କଟକ ଏସସିବି ମେଡିକାଲ କଲେଜର ଜଣେ ଛାତ୍ରୀଙ୍କୁ ଏକାଠି ରହିଥିବା ଖବର କେତେକ ଗଣମାଧ୍ୟମ ପ୍ରସାରିତ କରିଥିଲେ ।

ଏହା ପରେ ସାରା ରାଜ୍ୟରେ ସାରଥି ବିରୋଧୀ ପ୍ରତିବାଦ ଦେଖାଦେଇ ଏହା ଏକ ଜନ ଆନ୍ଦୋଳନର ରୂପ ନେଇଥିଲା । କେନ୍ଦ୍ରାପଡାରେ ବାବାଙ୍କ ଆଶ୍ରମ ନିକଟରେ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରି ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିବାରୁ ସେଠାରେ ପ୍ରଶାସନ ୧୪୪ ଧାରା ଲାଗୁ କରିଥିଲା ।

ଜନ ଆନ୍ଦୋଳନକୁ ପ୍ରଶମିତ କରିବା ଉଦ୍ଦେଶ୍ୟରେ ସରକାର କେନ୍ଦ୍ରପଡା ଏସପି ସତିଶ୍ ଗଜଭିୟେଙ୍କୁ ବଦଳି କରି ତାଙ୍କ ସ୍ଥାନରେ ନୂଆ ଏସପି ନୀତିନ ଜିତ ସିଂଙ୍କୁ ଦାୟିତ୍ଵ ଦେଇଥିଲେ ।

ପରସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାଞ୍ଚଳ ଆଇଜି ଆରପି କୋଚ୍ଚେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।

ବାବା ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି । ତାଙ୍କ ସହ ହାଇଦ୍ରାବାଦ ଯାଇଥିବା ଅଭିଯୋଗ ରେ ଛନ୍ଦି ହୋଇପଡିଥିବା ସମ୍ପୃକ୍ତ ଡାକ୍ତରୀ ଛାତ୍ରୀ ବାବାଙ୍କସହ ହାଇଦ୍ରାବାଦ ଯିବା ଓ ସେଠାରେ ଏକ ହୋଟେଲରେ ରହିବା ଘଟଣା ପରୋକ୍ଷରେ ସ୍ଵୀକାର କରିଛନ୍ତି ।

ସେ କହିଛନ୍ତି ଯେ ବାବାଙ୍କ ସହ ହାଇଦ୍ରାବାଦ ଯିବା ପାଇଁ ତାଙ୍କୁ ଆଶ୍ରମର କୈଳାସ, ଖଗେଶ୍ଵର, ନନ୍ଦି ଓ କିଶୋର ବାଧ୍ୟ କରିବା ସହ ବ୍ଲାକମେଲିଂ ମଧ୍ୟ କରିଥିଲେ।

ଏଥିରେ ବାବଙ୍କର କିଛି ଦୋଷ ନଥିବା ଦର୍ଶାଇ ତାଙ୍କୁ ସୋସିଆଲ ମିଡିଆରେ ବଦନାମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ସେ ପୋଲିସ ସୁରକ୍ଷା ପାଇଁ ଦାବୀ କରିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ବ୍ୟଭିଚାର, ସାରଥୀବାବା

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ