• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମହାନଦୀ

ମହାନଦୀ ଜଳ ବିବାଦ ଆୟୋଗଙ୍କ ନୋଟିସ ଜାରି

May 30, 2018 by ଓଡିଶା ଡଟ କମ Leave a Comment

ମହାନଦୀ ଜଳବିବାଦ ଆୟୋଗ ଆଜି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ,୧୯୫୯ର ଧାରା ୪ ଅନୁସାରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ଏହି ନୋଟିସରେ ସଂପୃକ୍ତ ରାଜ୍ୟ ସରକାରମାନେ ମହାନଦୀ ଜଳବିବାଦ ଘେନି ନ୍ୟାୟିକ ନିର୍ଣ୍ଣୟ ସକାଶେ ଅଗଷ୍ଟ ୦୮, ୨୦୧୮ ସୁଦ୍ଧା ନିଜ ନିଜର ପ୍ରତିନିଧି ମନୋନୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନୋଟିସରେ ଆହୁରି କୁହାଯାଇଛି ଯେ, ଯଦି ଏହି ନିର୍ଦ୍ଧାରିତ ଅବଧି ମଧ୍ୟରେ ରାଜ୍ୟମାନେ କୌଣସି ପ୍ରତିନିଧି ମନୋନୀତ ନ କରନ୍ତି, ସଂପୃକ୍ତ ରାଜ୍ୟ ସରକାରମାନଙ୍କ ପ୍ରତିନିଧିଙ୍କ ଅନୁପସ୍ଥିତିରେଏହି ପ୍ରସଙ୍ଗ ଉପରେ ନିର୍ଣ୍ଣୟ କରାଯିବ ।

ପୂର୍ବରୁ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ଆନ୍ତଃରାଜ୍ୟ ନଦୀ ଜଳବିବାଦ (ଆଇଆରଏସଡ଼ବ୍ଲୁଡ଼ି) ଆଇନ, ୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ସରକାର ମାର୍ଚ୍ଚ ୧୨, ୨୦୧୮ ତାରିଖ ଦିନ ମହାନଦୀ ଜଳବିବାଦ ଆୟୋଗ ଗଠନ କରିଥିଲେ ।

କେନ୍ଦ୍ର ସରକାର ଆଇଏସଆରଡ଼ବ୍ଲୁଡ଼ି ଆଇନ, ୧୯୫୬ର ଧାରା ୪ ଅନୁସାରେ ଆୟୋଗଙ୍କ ନ୍ୟାୟିକ ନିର୍ଣ୍ଣୟ ଗ୍ରହଣ କରିବା ସକାଶେ ଏପ୍ରିଲ ୧୭, ୨୦୧୮ରେ ସିଦ୍ଧାନ୍ତ ଗ୍ରହଣ କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଳବିବାଦ, ମହାନଦୀ

ଅକ୍ଷୟ ମହାଂତିଙ୍କ ଗୀତ ଓ ଓଡିଶାର ସାମାଜିକ ଇତିହାସ

October 12, 2017 by ନିଉଜ ଡେସ୍କ 2 Comments

2016-12-10-11-42-39କେଦାର ମିଶ୍ର

ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି।

ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।

କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନୀ ପରି ଆତୁର କରୁଥିବା ଏକ ସ୍ଵର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ।

ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ ।

ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି। ଅକ୍ଷୟ ମହାନ୍ତି କେବଳ ଗାୟକ ବା ଗୀତିକାର ନଥିଲେ, ସେଥିଲେ ତାଂକ ସମୟର ପ୍ରତିନିଧି । ନିଜ ସମୟର ସମାଜ ଓ ତାର ବିଭାବକୁ ଗୀତ କରି ଗାଇ ପାରିବାର କୌଶଳ ତାଂକୁ ଜଣାଥିଲା ।

ତେଣୁ ସେ ବୋଧେ ଓଡିଶାର ଏକ ମାତ୍ର ଗାୟକ ଯାହାଂକ ଗୀତରେ ଓଡିଶାର ଚାହାଣୀ,ଚଳନୀ,ଚମକ,ଛଇ,ଛଟା ସମେତ ଓଡିଶାର ଇତିହାସ ଓ ଐତିହ୍ୟ ର ସ୍ପଷ୍ଟ ପ୍ରତିଫଳନ ବାରୀ ହୋଇପଡେ ।

ଓଡିଶାରେ ବହୁ ବଡ ବଡ ଗାୟକ ଆସିଛନ୍ତି ଓ ଏବେବି ଅଛନ୍ତି, ହେଲେ ଜଣେ ଗାୟକର ଗୀତକୁ ନେଇ ଇତିହାସ ରଚନା ହେବାର ସମ୍ଭାବନା, କେବଳ ଜଣକ ପାଖରେ- ସେ ଆଉ କେହି ନୁହନ୍ତି, ସେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ।

ତାଂକ ଗୀତକୁ ନେଇ ସମକାଳୀନ ଓଡିଶାର ସମାଜକୁ ଖୋଜିବା ଆସନ୍ତୁ-

୧. ଅକ୍ଷୟ ମହାନ୍ତି, ଜନ୍ମ କଟକ ସହର ରେ ୧୨ ଅକ୍ଟୋବର ୧୯୩୭ ଓ ଦେହାବସାନ ୧୭ ନଭେମ୍ବର ୨୦୦୨ । ୬୬ ବର୍ଷର ଜୀବନକାଳରେ ଓଡିଶାର ସବୁ ହୃଦୟକୁ ଆନ୍ଦୋଳିତ କରିଥିବା ଅକ୍ଷୟ ମହାନ୍ତି, ଓଡିଶାର ଇତିହାସକୁ ନିଜ ସର୍ତ୍ତରେ ରଚନା କରିଛନ୍ତି ।

ସେ ଇତିହାସ ତାରିଖ, ତାଳପତ୍ର ପୋଥି, ଗୁମ୍ଫା ଚିତ୍ର କି ଶିଳାଲିପି ର ଇତିହାସ ନୁହଁ । ତାଂକ ଗୀତରେ ସାଧାରଣ ଓଡିଆ ର ଜୀବନ ଜୀବିକା ଓ ଜୀଜୀବିଷାର କମ୍ପନ ରହିଛି ।

୨. ମହାନଦୀ କଥା କହିଲେ “ଯା ରେ ଭାସି ଯା, ନୌକା ମୋର ଭାସିଯା’ ଗୀତଟି ମାନେ ପଡିବାକୁ ବାଧ୍ୟ ।

ଶିବବ୍ରତ ଦାଶଂକ ରଚିତ ଏଇ ଗୀତ ଅକ୍ଷୟ ମହାଂତିଂକ କଣ୍ଠରେ ଗୋଟେ ଇତିହାସ ରଚନା କରିଛି।

ମହାନଦୀ କେବଳ ସାରା ଓଡିଶାକୁ ଗୋଟିଏ ସୂତାରେ ଗୁନ୍ଥିନାହିଁ, ଏହା ଓଡିଶାର ବିବିଧ ସାଂସ୍କୃତିକ ଜୀବନବୋଧକୁ ନିଜ ପ୍ରବାହରେ ଏକାଠି କରିଛି ।

ସମ୍ବଲପୁରୀ ନୁନୀ ର ମହାନଦୀ ଓ କଟକିଆଣୀ ର ମହାନଦୀକୁ ଗୋଟିଏ ସୁରରେ ବାନ୍ଧି ରଖିଥିବା ଏ ଗୀତ ମହାନଦୀ ପାଇଁ ସବୁଠୁ ବଡ କୃତଜ୍ଞତା ।

ଅକ୍ଷୟ ମହାନ୍ତିଙ୍କୁ ଶୁଣନ୍ତୁ

୩. କଟକ ସହର ଓ ଅକ୍ଷୟ ମହାନ୍ତି- ଗୋଟିଏ ଅସ୍ତିତ୍ଵ । କଟକର ପାନ ଦୋକାନ, ଗଳି, ଘାଟ,ବଜାର,ଛକ, କଟକ ସହରର ଦାଦା ଟୋକା, ମାଇଚିଆ, ସୁଖଭୋଗୀ ମଧ୍ୟବିତ୍ତ,ଫୁଲେଇ ସୁନ୍ଦରୀ ଝିଅ ଓ ରସିକତା ର ଗୋଟି ଗୋଟି ଉଦାହରଣ ତାଂକ ଗୀତରେ ଆସିଛି ।

୪. ଲେଇ ଲେଇକା ଲଚକମଣୀ ଲବଂଗ ଦିଆ ପାନ….. ତହୁଁ କାଂଜୀ ଗଲା ଖରେ…ଏ ଗୀତ ସବୁ ହୁଏତ ହାଲକା ଫୁଲକା ଲାଗି ପାରନ୍ତି, ହେଲେ ସବୁ ଗୀତରେ କଟକୀ ଜୀବନର ଛନ୍ଦ ଓ ଉନ୍ମାଦନା ଭାରୀ ରହିଛି ।

ଷଣ୍ଢ ଟି ଖାଲି କଟକରେ ବାଇଆ ହୋଇ ବୁଲୁନାହିଁ, ସେ ମାଲ ଗୋଦାମ, ଛତ୍ର ବଜାର, କଲେଜ ଛକ, ଚୌଧୁରୀ ବଜାର ଦେଇ ପୁରା କଟକୀ ଜୀବନ କୁ ବୟାନ୍ କରୁଛି । ଷଣ୍ଢ  ଏଠି ଗୋଟେ ପ୍ରତୀକ ପାଲଟି ଯାଉଚି ଓ ସାରା କଟକ ସହରର ଜୀବନ କାହାଣୀ କୁ କହିଦେଉଛି ।

୫. ଗାଥା କବିତା କୁ ଗୀତ କରି ଅକ୍ଷୟ ମହାନ୍ତି ଓଡିଶାର ଇତିହାସକୁ ଜୀବନ୍ତ କରିଛନ୍ତି । ଓଡିଆ ପରିଚୟ ଓ ଅସ୍ମିତା କୁ ଗଢିବାରେ ଏ ଗାଥା ସବୁର ଅତୁଳନୀୟ ଅବଦାନ ରହିଛି । କାଂଚୀ ଅଭିଯାନ, କୋଣାର୍କ ଗାଥା ଓ ମହାନଦୀ ତାର ଏକ ଏକ ଉଦାହରଣ ।

୬. ଫକୀର ମୋହନଂକ “ରାଣ୍ଡି ପୁଅ ଅନନ୍ତା” ଓ “ପେଟେଣ୍ଟ ମେଡିସିନ୍” ଗୀତି କାବ୍ୟ ର ରୂପ ନେଇ ଆମ ସାମାଜିକ ଜୀବନର ଅନେକ ସତ୍ୟ କୁ ଆବିଷ୍କାର କରନ୍ତି ।

୭. କଟକ ଯେତେବେଳେ ତାର ରାଜଧାନୀ ପରିଚୟ ହରାଉଛି ଓ ୨୫ କିଲୋମିଟର ଦୂରରେ ନୁଆ ରାଜଧାନୀ ଭୁବନେଶ୍ଵର ଗଢି ଉଠୁଛି, ଏ ଦୁଇ ସହର ର ନାଗରିକଂକ ମାନସିକ ସଂଘାତ ତଥା ଭାବ-ଅଭାବ ର କଥା ଅକ୍ଷୟ ଯେମିତି କହିଛନ୍ତି, ସେ ଐତିହାସିକ ଦୃଷ୍ଟିରୁ ବେଶୀ ଗୁରୁତ୍ଵପୁର୍ଣ୍ଣ ।

ରାଜା ଝିଅ ସଂଗେ କରିଥିଲି ଭାବ….ବା..ବା..ରେ କାପିଟାଲ୍…କୁ ହାଲକା ରେ ନ ନେଇ ଟିକେ ଗଭୀର ଭାବେ ଶୁଣିଲେ, ନୁଆ କିଛି ଆବିଷ୍କାର କରାଯାଇ ପାରିବ ।

୮. ଅଧା ଗଢା ଦିଅ ର ଚକା ଚକା ଆଖିକୁ……ଏମିତି ଏକ ଗୀତ ଯେଉଁଠି ସମଗ୍ର ଜଗନାଥ ମଂଦିର ଓ ତାର ପ୍ରଥା ଓ ପରମ୍ପରା ର ବର୍ଣ୍ଣନା ରହିଛି । ଏପରିକି ସାଲାବେଗଙ୍କ  ରଚନାରୁ କେଣେ ଘେନି ଯାଉଚ୍ଛ ଜଗନାଥଂକୁ ..ଗାଇଲା ବେଳେ ଇତିହାସର ଏକ ଅନ୍ଧାର ଅଧ୍ୟାୟ ର ବିଫଳତା କୁ ସେ ଅତି ଚମତ୍କାର ଭାବେ ଗାଇ ପାରନ୍ତି ।

୯. ଭୀମ ଭୋଇ, ସାଲବେଗ, ଜଗନ୍ନାଥ ଦାସଂକୁ ଗାଇଲା ବେଳେ ସେ ଯେତିକି ଗମ୍ଭୀର ନୁଆ ଜମାନା ର ଗୀତରେ ସେତିକି ସହଜିଆ । ଗୀତ ରଚନା କଲାବେଳେ ଓଡିଶାର ଜନଜୀବନ ଓ ପାଣିପାଗ ତାଂକୁ କେବେବି ଛାଡ଼ି ନାହିଁ । କାଲି ଯଦି କଟକର ନୁଆ ଇତିହାସ ଲେଖାହେବ, ସେଠି ଅକ୍ଷୟ ମହାଂତିଂକ ଗୀତ ଗୋଟେ ବଡ ଉତ୍ସ ନିଶ୍ଚୟ ।

୧୦. ବହୁ ଗାୟକଂକ ଗଳା ସୁନ୍ଦର, ସେମାନଂକ ପରିବେଷଣ ମଧୁର, ହୁଏତ ସଂଗୀତ ଶାସ୍ତ୍ରରେ ସେମାନେ ବେଶ୍ ଧୁରୀଣ- ହେଲେ ଅକ୍ଷୟ ନିଆରା । ତାଂକ ଗୀତ ଓଡିଆ ଜୀବନର ଦଲିଲ୍, ଆଉ ସେ ଦଲିଲ୍ ଅକ୍ଷୟ ଓ ଅମର ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଓଡିଆ ଚଳଚିତ୍ର, ମନୋରଞ୍ଜନ Tagged With: ଅକ୍ଷୟ ମହାଂତି, ଓଡିଶା, କଣ୍ଠସ୍ବର, ଖୋକା ଭାଇ, ଗାୟକ, ଗୀତ, ଗୀତିକାର, ମହାନଦୀ, ସାମାଜିକ ଇତିହାସ

ମହାନଦୀ ପାଣିକୁ ନେଇ ଓଡ଼ିଶା ରାଜନୀତିର ନୂଅ। ସମୀକରଣ

August 16, 2016 by ଓଡିଶା ଡଟ କମ Leave a Comment

narasingha1

କେଦାର ମିଶ୍ର

କେନ୍ଦ୍ରରେ ଗାଈ ଓ ଓଡ଼ିଶାରେ ନଈ – ଭାରତର ରାଜନୀତି ସମ୍ପର୍କରେ ମତାମତ ଦେବାକୁ ଯାଇ ଜଣେ ବନ୍ଧୁ ଏମିତି ବୁଦ୍ଧିଅ। ମନ୍ତବ୍ୟଟିଏ ଦେଇଛନ୍ତି । ସତକଥା କହିବାକୁ ଗଲେ, ଏବେ ସାରା ଭାରତର ରାଜନୀତି ଗାଈକୁ ନେଇ ଉଠୁଥିବା ପଡୁଥିବାବେଳେ, ଓଡ଼ିଶାରେ ମହାନଦୀର ପାଣିକୁ ନେଇ ରାଜନୀତି ଜୋର୍ ଧରିଛି ।

ମହାନଦୀକୁ ନେଇ ସବୁଠି ଚର୍ଚ୍ଚା ଓ ଚିକ୍ରାର । ତଥ୍ୟ ଅପେକ୍ଷା ଅନୁମାନକୁ ନେଇ ମହାନଦୀ ଏବେ ବିବାଦର ନଦୀ ପାଲଟିଯାଇଛି । ସବୁ ରାଜନୈତିକ ଦଳ ମହାନଦୀର ସୁରକ୍ଷା ପାଇଁ ଶେଷରକ୍ତ ବିନ୍ଦୁ ଦେଇ ସଂଗ୍ରାମ କରିବେ ବୋଲି ଡାକରା ଦେଇ·ଲିଛନ୍ତି ।

ତେବେ ମହାନଦୀ ରକ୍ତରେ ନୁହେଁ ବରଂ ପାଣିରେ ପରିପୁଷ୍ଟ ହେବା ଦରକାର । ମହାନଦୀ କାହାର ରକ୍ତରେ ହେଇ ନାହିଁ କିମ୍ବା କାହାର ଶେଷ ନିଃଶ୍ୱାସରେ ମହୀୟାନ୍ ହେବାକୁ ଅପେକ୍ଷା କରେନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା ।

ସେ ତାର ଚିରସ୍ରୋତା ପ୍ରବାହରେ ଓଡ଼ିଶାର ଦେଢକୋଟି ଜନସାଧାରଣଙ୍କୁ ଜୀବନ ଦେଉଛି ଓ ଦେଇ ଚାଲିଥିବ । ତେଣୁ ମହାନଦୀର ପ୍ରାକୃତିକ ପ୍ରବାହ ଓ ତାର ରାଜନୈତିକ ପ୍ରବାହ ଭିତରେ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ । ତେବେ ମହାନଦୀ ଓଡ଼ିଶାର ରାଜନୀତିରେ ହଠାତ୍ ଅନେକ ମତାନ୍ତର ଓ ମନାନ୍ତର ସୃଷ୍ଟି କରିଛି ।

ସବୁ ରାଜନୈତିକ ଦଳ ମିଳିତ ଭାବରେ ମହାନଦୀ ପାଇଁ ଲଢେଇ କରିବାକୁ ବାହାରିଛୁ ବୋଲି କହୁଥିବାବେଳେ ସବୁ ରାଜନୈତିକ ଦଳରେ ମହାନଦୀକୁ ନେଇ ବିବାଦ ଓ ବିସମ୍ବାଦ ଦେଖିବାକୁ ମିଳୁଛି । ମହାନଦୀ କୁ ନେଇ ଆରମ୍ଭ ହୋଇଥିବା ଓଡିଶା ରାଜନୀତିର ନୂଆ ସମୀକରଣ କୁ ନେଇ କେତୋଟି ବିଶେଷ କଥା-

୧. ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମହାନଦୀକୁ ନେଇ ଦୀର୍ଘଦିନ ହେଲା ନିଜର ଅ।ଭିମୁଖ୍ୟ ସ୍ପଷ୍ଟ କରି ଅ।ସିଛନ୍ତି । ତାଙ୍କ ନେତୃତ୍ୱରେ ବିଜେଡ଼ିକୁ ବାଦ୍ ଦେଇ ବାକି ସବୁ ରାଜନୈତିକ ଦଳ ମହାନଦୀ ପାଇଁ ସଂଗ୍ରାମ କରିବାକୁ ସଂକଳ୍ପ ନେଇଛନ୍ତି ।

ତେବେ ନରସିଂହ ବାବୁଙ୍କ ଏହି ଉଦ୍ୟମ ପଛରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢତାର ସହିତ ଛିଡ଼ା ହେଲାଭଳି ମନେ ହେଉନାହିଁ । ନରସିଂହ ବାବୁଙ୍କ ମତ ଗୋଟିଏ ଅ।ଡ଼କୁ ଢଳୁଥିବାବେଳେ ପ୍ରଦେଶ କଂଗ୍ରେସର କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ ମତ ଅ।ଉ ଗୋଟିଏ ଅ।ଡ଼କୁ ଢଳୁଛି ।

ଗତ ସପ୍ତାହରେ ଆୟୋଜିତ ସର୍ବଦଳୀୟ ବୈଠକରେ ପିସିସି ସଭାପତି ରହସ୍ୟଜନକ ଭାବରେ ଅନୁପସ୍ଥିତ ରହିଲେ । ସେହିପରି ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଦଳୀୟ ସ୍ତରରେ କୌଣସି ଅ।କ୍ରମକ ଭୂମିକା ନେଉନାହିଁ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମହାନଦୀ ପ୍ରସଙ୍ଗକୁ ନେଇ ଦଳ ଭିତରେ ନରସିଂହ ମିଶ୍ରଙ୍କ ଉଦ୍ୟମ ପ୍ରତି କଂଗ୍ରେସର ଆନୁଷ୍ଠାନିକ ସମର୍ଥନ ନାହିଁ । ଭିତିରିଅ। ଖବର ଅନୁସାରେ କଂଗ୍ରେସର ତୁଙ୍ଗ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମହାନଦୀ ଆନ୍ଦୋଳନକୁ  ବିଜେଡ଼ି ସପକ୍ଷବାଦୀ ଆନ୍ଦୋଳନ ବୋଲି କହି ବୁଲୁଛନ୍ତି ।

ତେଣୁ ମହାନଦୀର ଜଳ ଏବେ କଂଗ୍ରେସ ଦଳ ଭିତରେ ବହୁ ଘାଈ ଓ ଘଳିଅ। ସୃଷ୍ଟି କରିଛି । ତେବେ ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ୍ ମହାନଦୀ ରାଜନୀତି କୁ ନେଇ ତତ୍ପର ହେବା ସହ ୧୬ ଅଗଷ୍ଟ ରେ ଓଡିଶା ବନ୍ଦ ପାଳନ କରିଛି  ।

୨. ସମାନ ଅବସ୍ଥା ଭାରତୀୟ ଜନତା ପାର୍ଟିରେ । ବିଜେପି ପାଇଁ ମହାନଦୀ ଆନ୍ଦୋଳନ ଏକ ଭୟଙ୍କର ବିରୋଧାଭାସ ସୃଷ୍ଟି କରିଛି । ଛତିଶଗଡ଼ରେ ବିଜେପି ସରକାର ରହିଥିବାରୁ ଓଡ଼ିଶା ବିଜେପି ଏ କ୍ଷେତ୍ରରେ ଛତିଶଗଡ଼ ବିରୁଦ୍ଧରେ ଅ।କ୍ରମକ ଭୂମିକା ନେଇପାରିବ ନାହିଁ ।

ଅନେକାଂଶରେ ବିଜେପି ଛତିଶଗଡ଼ର ମହାନଦୀ ମିଶନକୁ ସମର୍ଥନ କରୁଥିବାବେଳେ ଓଡ଼ିଶାର ସ୍ୱାର୍ଥକୁ ମଧ୍ୟ ସମପରିମାଣରେ ସୁରକ୍ଷା ଦିଅ।ଯାଉ ବୋଲି ଦାବି କରୁଛି ।

ତେବେ ଦଳର ଅ।ଭିମୁଖ୍ୟରୁ ଯାହା ଜଣାପଡୁଛି, ସେମାନେ ରମଣ ସିଂହଙ୍କ ପ୍ରତି ଅଧିକ ଉଦାର । ପୁନଶ୍ଚ ବିଜେଡ଼ିର ମହାନଦୀ ରାଜନୀତି ଏକ ଯନ୍ତା ଓ ଏହି ଯନ୍ତାରେ ପଡ଼ିବାକୁ ବିଜେପି ଚାହୁଁନାହିଁ ।

୩.  ବିଜେପିର ତୁଙ୍ଗନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ତେବେ ଛତିଶଗଡ଼ ସପକ୍ଷରେ କହିବା ପାଇଁ ଅ।ଦୌ ରାଜି ନୁହଁନ୍ତି । ବରଂ ଛତିଶଗଡ଼ ସରକାର ଓଡ଼ିଶା ବିରୋଧୀ ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେପି ନେତା ବିଜୟ ମହାପାତ୍ର ଖୋଲାଖୋଲି ଘୋଷଣା କରିଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନଦୀ ସମ୍ପର୍କରେ ଯେଉଁ ଅ।ଭିମୁଖ୍ୟ ପୋଷଣ କରିଥିଲେ, ତାକୁ ବିଜୟ ମହାପାତ୍ର ସିଧାସଳଖ ଖାରଜ କରିଦେଇଛନ୍ତି । ଯାହାଫଳରେ ମହାନଦୀକୁ ନେଇ ବିଜେପିର ଅନ୍ତଦ୍ୱର୍ନ୍ଦ୍ୱ ଏବେ ପଦାରେ ପଡ଼ିଯାଇଛି ।

୪. ମହାନଦୀ ପାଣି ଦୁଇ ପ୍ରମୁଖ ବିରୋଧୀ ଦଳ ଭିତରେ ଯେଉଁ ଫାଟ ସୃଷ୍ଟି କରିଛି, ସେଥିରୁ ଅ।ଉ ଏକ ନୂଅ। ସମୀକରଣ ସୃଷ୍ଟି ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି  ।

ଅର୍ଥାତ୍ ବିଜେପି ଓ କଂଗ୍ରେସରେ ଥିବା ଅସନ୍ତୁଷ୍ଟ ଅଥଚ ପ୍ରଭାବଶାଳୀ ନେତାମାନଙ୍କର ସମ୍ମିଳିତ ଉଦ୍ୟମରେ ବିଜେଡ଼ି ବିରୋଧରେ ଏକ ତୃତୀୟ ବିକଳ୍ପ ସୃଷ୍ଟି କରିବା ପାଇଁ ଉଦ୍ୟମ ଚାଲିଥିବା ସେମାନେ ଅନୁମାନ କରୁଛନ୍ତି । ଯେଉଁଥିରେ ବିଜେପି ଓ କଂଗ୍ରେସରୁ କିଛି ନେତା ବାହାରି ଅ।ସି ଏହି ତୃତୀୟ ବିକଳ୍ପରେ ସାମିଲ୍ ହେବେ ।

ସେମାନଙ୍କୁ ଓଡ଼ିଶାର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଯଥା କମ୍ୟୁନିଷ୍ଟ, ଅ।ମ ଓଡ଼ିଶା, ସମତା କ୍ରାନ୍ତି ଦଳ ଇତ୍ୟାଦି ସମର୍ଥନ କରିବେ । ଏହି ମହାମେଣ୍ଟ ଅ।ବଶ୍ୟକ ପଡ଼ିଲେ ବିଜେପି କିମ୍ବା କଂଗ୍ରେସ ସହ ବୁଝାମଣା କରି ୨୦୧୯ ନିର୍ବାଚନକୁ ସାମ୍ନା କରିବାର ସମ୍ଭାବନା ଉନ୍ମୁକ୍ତ ରହିବ । ଏହା କେବଳ ଏକ ରାଜନୈତିକ ଅନୁମାନ ମାତ୍ର ।

୫. ଏବେ ଏହି ତୃତୀୟ ଶକ୍ତିର ସମ୍ଭାବନାକୁ ନେଇ ଉତ୍ସାହ ପ୍ରବଳ ହେବାରେ ଲାଗିଛି । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଏମିତି ଏକ ବିକଳ୍ପ ଚିନ୍ତାର ସଫଳତାରୁ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ସେତେବେଳେ ବିଜେପି ସହ ବିଜେଡ଼ିର ମେଣ୍ଟ ଫଳରେ କଂଗ୍ରେସ ସରକାରକୁ ପରାସ୍ତ କରାଯାଇପାରିଥିଲା ।

ତେଣୁ ଅ।ଜି ବିଜେଡ଼ିକୁ ପରାସ୍ତ କରିବାକୁ ହେଲେ ଏକ ତୃତୀୟ ଶକ୍ତିର ଅ।ବଶ୍ୟକତା ରହିଛି ଓ ସେହି ତୃତୀୟ ଶକ୍ତିଟି ଦ୍ୱିତୀୟ ଶକ୍ତି ଅର୍ଥାତ୍ କଂଗ୍ରେସ ବା ବିଜେପି ଭିତରୁ ଜଣକୁ ସହାୟକ ଭାବରେ ବାଛିବାକୁ ବାଧ୍ୟ ବୋଲି କୁହାଯାଉଛି ।

୬. ଏପ୍ରକାର ରାଜନୈତିକ ସମୀକରଣର ଗାଣିତିକ ମୂଲ୍ୟ କିନ୍ତୁ ଅତ୍ୟନ୍ତ ଦୁର୍ବଳ । ୨୦୧୪ ନିର୍ବାଚନରେ ଓଡ଼ିଶାର ଶାସକ ବିଜୁ ଜନତା ଦଳ ୪୩.୪ ପ୍ରତିଶତ ଭୋଟ୍ ପାଇଥିଲା । ଯାହାକି ୨୦୦୯ ନିର୍ବାଚନ ତୁଳନାରେ ୧୪ ପ୍ରତିଶତ ଅଧିକ ।

ବିଜେଡ଼ି ଏକାକୀ ଯେତିିକି ଭୋଟ୍ ପାଇଥିଲା, କଂଗ୍ରେସ ଓ ବିଜେପି ମିଳିତ ଭାବରେ ଠିକ୍ ସେତିକି ଭୋଟ୍ ପାଇଥିଲେ । ବିଜେପି ୧୮% ଓ କଂଗ୍ରେସ ୨୫.୭% ଭୋଟ୍ ପାଇଥିଲେ । ଅନ୍ୟ ରାଜନୈତିକ ଦଳଗୁଡ଼ିକର ଖାତା ଖତିୟାନ ଉଡ଼ିଯାଇଥିଲା ।

ଏକଦା ଓଡ଼ିଶାରେ ୬%ରୁ ଅଧିକ ଭୋଟ୍ ପାଉଥିବା କମ୍ୟୁନିଷ୍ଟ ମାନେ ଗତ ନିର୍ବାଚନରେ ଏକ ପ୍ରତିଶତ ଭୋଟ୍ ମଧ୍ୟ ପାଇବାରେ ବିଫଳ ହୋଇଥିଲେ । ତେଣୁ ଭୋଟ୍ ହାରକୁ ଦେଖିଲେ ଅ।ଜି ମଧ୍ୟ ବିଜେଡ଼ି ଅପରାଜେୟ ମନେ ହେଉଛି ।

୭. ପ୍ରଚଣ୍ଡ ମୋଦି ହାୱା ସତ୍ଵେ  ୨୦୧୪ ନିର୍ବାଚନରେ ବିଜେଡ଼ି ୧୪% ପ୍ରତିଶତ ଅଧିକ ଭୋଟ୍ ପାଇବାରେ ସଫଳ ହୋଇଥିଲା । ସେହି ନିର୍ବାଚନରେ ବିଜେପି ନିଜର ସବୁପ୍ରକାର ସୁଯୋଗ ସତ୍ଵେ ନିଜର ଭୋଟ୍ ପରିମାଣକୁ ୪% ବଢାଇବାରେ ସମର୍ଥ ହୋଇଥିଲା ।

ଅ।ଜି ମୋଦି ହାୱା ମିଳେଇଯିବା ଅ।ରମ୍ଭ କରିଛି । ଦରଦାମ୍ ନିୟନ୍ତ୍ରଣ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁବିଧା ସ୍ଥିତିରେ ନାହାନ୍ତି । ତେଣୁ ଅ।ସନ୍ତା ନିର୍ବାଚନରେ ବିଜେପି ଯେ ୧୮% ଭୋଟ୍ ବଜାୟ ରଖିପାରିବ ତାର କୌଣସି ଗ୍ୟାରେଣ୍ଟି ନାହିଁ ।

ତେଣୁ ବିଜେପି ସହ ଯେଉଁ ତୃତୀୟ ଶକ୍ତିର ମେଣ୍ଟ କଥା କୁହାଯାଉଛି, ତାର ସଫଳତା ଅନ୍ତତଃ ଗାଣିତିକ ଦୃଷ୍ଟିରୁ ଅ।ଦୌ ସହଜ ନୁହେଁ । କଂଗ୍ରେସ ସହ ତୃତୀୟ ଶକ୍ତିର ମେଣ୍ଟ ସମ୍ଭାବନା ଯଥେଷ୍ଟ କମ୍ ।

ଏହାର କାରଣ ହେଉଛି ତୃତୀୟ ଶକ୍ତିରେ ଯେଉଁମାନେ ରହିବେ ବୋଲି କୁହାଯାଉଛି ସେମାନେ ପ୍ରାୟ ସମସ୍ତେ କଂଗ୍ରେସ ବିରୋଧୀ ରାଜନୀତିରୁ ଅ।ସିଛନ୍ତି । କଂଗ୍ରେସ ମେଣ୍ଟ ରାଜନୀତିକୁ ନେଇ ସବୁବେଳେ ରକ୍ଷଣଶୀଳ । ତେଣୁ ନୂଅ। ଗଢା ହୋଇଥିବା ଏକ ବିକଳ୍ପକୁ ନେଇ କଂଗ୍ରେସ ପରୀକ୍ଷା ନିରୀକ୍ଷା କରିବା ସମ୍ଭାବନା ଯଥେଷ୍ଟ କମ୍ ।

୮. ଯେଉଁ ତୃତୀୟ ବିକଳ୍ପର ଚିନ୍ତା ଏବେ କରାଯାଉଛି, ତାହା ବୈଚାରିକ ବା ବ୍ୟାବହାରିକ ଦୃଷ୍ଟିରୁ ସଫଳ ହେବାର ସମ୍ଭାବନା ଯଥେଷ୍ଟ କମ୍ । ତେବେ ମହାନଦୀ ରାଜନୀତି ପ୍ରଥମଥର ଲାଗି ଓଡ଼ିଶାରେ ଏକ ରାଜନୈତିକ ବିକଳ୍ପକୁ ଜନ୍ମ ଦେଉଛି ।

ଏହି ବିକଳ୍ପ ମହାନଦୀ ଉପରେ ଅ।ଶ୍ରା କରି ଅ।ଗକୁ ବଢିବାର ସ୍ୱପ୍ନ ଦେଖୁଥିବା ବେଳେ ମହାନଦୀ ପ୍ରସଙ୍ଗ ଅଧିକ ଦିନ ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ । ବିଜେଡ଼ି ମହାନଦୀକୁ ଏକ ଭାବପ୍ରବଣ ପ୍ରସଙ୍ଗ ଭାବରେ ଉପସ୍ଥାପନା କରି ଲୋକଙ୍କ ଦୃଷ୍ଟି ଅ।କର୍ଷଣ କରିବାକୁ ଚେଷ୍ଟା କରୁଛି ।

ଇତି ମଧ୍ୟରେ ବିଜେଡ଼ି ଶାସନର ବହୁ ଦୋଷ ଦୁର୍ବଳତା ଚର୍ଚ୍ଚାକୁ ଅ।ସିଛି । ବିଶେଷ କରି ଗୁମୁଡୁମାହାରେ ପୋଲିସ୍ ର  ଗୁଳିଚାଳନା, ନଗଡ଼ାରେ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ,  ଚିଟଫଣ୍ଡ ଘୋଟାଲାରେ ବଡ଼ ବଡ଼ ମନ୍ତ୍ରୀଙ୍କ ସଂପୃକ୍ତି, ଶ୍ରୀମନ୍ଦିର ପରିଚାଳନାରେ ବ୍ୟାପକ ବିଫଳତା ଇତ୍ୟାଦି ପ୍ରସଙ୍ଗକୁ ନେଇ ବିଜେଡ଼ି ସରକାର ରକ୍ଷଣାତ୍ମକ ଅବସ୍ଥାରେ ଅଛନ୍ତି ।

ସେହି ସମୟରେ ମହାନଦୀ ପ୍ରସଙ୍ଗ ଉଠାଇ ସରକାରୀ ବିଫଳତାକୁ ଘୋଡ଼ାଇବା ପାଇଁ ଶାସକ ଦଳ ପ୍ରାଣାନ୍ତକ ଉଦ୍ୟମ କରୁଛି ଯାହାକୁ ସର୍ବଦଳୀୟ ବୈଠକରେ ପରୋକ୍ଷରେ ସମର୍ଥନ କରାଯାଇଛି ।

ରାଜ୍ୟର ସ୍ୱାର୍ଥ ପାଇଁ ମହାନଦୀ ପାଣି ପାଇଁ ସଂଘର୍ଷ କରିବାକୁ ଦଳମତ ନିର୍ବିଶେଷରେ ଯେଉଁ ଅ।ହ୍ୱାନ ଦିଅ।ଯାଇଛି, ତାହା ବିଜେଡ଼ି ରାଜନୀତିକୁ ବେଶ୍ ସୁହାଇଛି ।

୯. ମହାନଦୀ ପାଣିକୁ ନେଇ ରାଜନୀତିର ଏ ଯେଉଁ ଚକ୍ରବ୍ୟୁହ ସୃଷ୍ଟି ହୋଇଛି, ସେଥିରେ ଓଡ଼ିଶାର ବିକାଶ ହେବ କି ! ଅ।ଗାମୀ ନିର୍ବାଚନରେ ଶାସକ ବିଜେଡ଼ି ଦଳ ଲଗାତାର ପଂଚମ ଥର ପାଇଁ ଜନମତ ଲୋଡ଼ିବ । ସ୍ୱାଭାବିକ ଭାବରେ କୋଡ଼ିଏ ବର୍ଷର ସ୍ଥିତାବସ୍ଥା ବିରୋଧୀ ମନୋଭାବ ଭୋଟରଙ୍କ ଭିତରେ ଅ।ସିପାରେ ।

ତେବେ ସ୍ଥିତାବସ୍ଥା ବିରୋଧୀ ଭୋଟ୍ ର  ପରିମାଣ ସବୁବେଳେ ପାଂଚଞ୍ଚରୁ ସାତ ପ୍ରତିଶତ ହୋଇଥାଏ । ୪୩.୪%ରୁ ୧୦% ଭୋଟ୍ କମିଗଲେ ମଧ୍ୟ ବିଜେଡ଼ିର ସ୍ଥିତି ଦୁର୍ବଳ ହେଉନାହିଁ । ବିଜେଡ଼ି ଶାସନ ଉପରେ ପ୍ରହାର କରିବାକୁ ହେଲେ ବିରୋଧୀ ଦଳକୁ ୩୫%ରୁ ସାମାନ୍ୟ ଅଧିକ ଏକ ଭୋଟ୍ ବ୍ୟାଙ୍କ ତିଅ।ରି କରିବାକୁ ପଡ଼ିବ ।

ଅ।ଜିର ସ୍ଥିତିରେ ଯାହା ଅସମ୍ଭବ ଜଣାପଡୁଛି । ବିଜେପି ବା କଂଗ୍ରେସ ସହ ମେଣ୍ଟ କରି ଏକ ନୂଅ। ସମୀକରଣ ପ୍ରସ୍ତୁତ କରିବାର ଯେଉଁ ସ୍ୱପ୍ନ ବା ସଂକଳ୍ପ କଥା ଅ।ଜି ଉଠୁଛି, ତାହାର ପ୍ରସ୍ତୁତି ଏତେ ଧିମା ଯେ ଅ।ସନ୍ତା ବର୍ଷେ ଭିତରେ ବ୍ୟାପକ ପରିବର୍ତ୍ତନ ଅ।ଣିପାରିଲା ଭଳି ସ୍ଥିତି ଓଡ଼ିଶାରେ ନାହିଁ ।

୧୦. ଓଡ଼ିଶାର ନବୀନ ସରକାର ବିରୋଧରେ ତୀବ୍ର ଜନମତ ସୃଷ୍ଟି କରିପାରିଲା ଭଳି ଏକ ରାଜନୈତିକ ବାତାବରଣ ସୃଷ୍ଟି କରିବାରେ ବିରୋଧୀଦଳଗୁଡ଼ିକ ଗତ ୧୭ ବର୍ଷ ଧରି ବିଫଳ ହୋଇଛନ୍ତି ଓ ଏହି ବିଫଳତା ଖୁବ୍ ଶୀଘ୍ର ସରିଲାପରି ମନେ ହେଉନାହିଁ ।

ମହାନଦୀ ପ୍ରସଂଗରେ ବିଜେଡି ନିଜ ଦୋଷ ଓ ଦୁର୍ବଳତାକୁ ଅଧିକରୁ ଅଧିକ ପଦାରେ ପକାଇ ଚାଲିଛି । ଗତ ୧୬ ବର୍ଷ ଭିତରେ ଛତିଶଗଡ ସରକାର ଓଡିଶା ସରକାରଂକୁ ବହୁ ଚିଠି ଲେଖିଛନ୍ତି ଓ ସେସବୁକୁ ଫାଇଲ ଭିତରେ ଚାପି ଦିଆଯାଇଛି ।

ବାଜପାୟୀ ସରକାରରେ ବିଜେଡି ହାତରେ କେନ୍ଦ୍ର ଜଳସମ୍ପଦ ବିଭାଗର ଦାୟିତ୍ଵ ରହିଥିଲା ଓ ଦଳର ପୁରୁଖା ନେତା ଅର୍ଜୁନ ଚରଣ ସେଠୀ କେନ୍ଦ୍ରରେ ଜଳ ସମ୍ପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ମହାନଦୀ ଉପରେ ଛତିଶଗଡର ଅନେକ ପ୍ରକଳ୍ପ ଏହି ସମୟରେ ଅନୁମୋଦିତ ହୋଇଛି ।

ତେଣୁ ଏ ସଂକ୍ରାନ୍ତରେ ବିଜେଡି ର ଆଭମୁଖ୍ୟ କୁ ନେଇ ସନ୍ଦେହ ଓ ପ୍ରଶ୍ନବାଚୀ ରହିଛି । ପୁନଶ୍ଚ ମୁଖ୍ୟମନ୍ତ୍ରୀ ନିଜେ ବିଧାନ ସଭାରେ ଛତିଶଗଡ ପ୍ରକଳ୍ପକୁ ନେଇ ବକ୍ତବ୍ୟ ରଖିସାରିଛନ୍ତି, ଅଥଚ ସେତେବେଳେ ଏହାକୁ ନେଇ ବିଜେଡି ନରମ ଅଭିମୁଖ୍ୟ ନେଇଥିଲା ।

ଆଜି ହଠାତ୍ ବିଜେଡିର ଏହି ଅତି ଉତ୍ସାହ ସନ୍ଦେହର ଭାବନା ସୃଷ୍ଟି କରୁଛି । ଛତିଶଗଡ ସରକାରଂକ ଚିଠି ନମ୍ବର ଏଫ୍-୭- ୪୦-୩୧/ଏସ- ୨/୨୦୦୦, ସେପ୍ଟେମ୍ବର ୨୦୦୮ ଅନୁଯାୟୀ ଓଡିଶା ସରକାରଂକୁ କେଲୋ ପ୍ରକଳ୍ପ ବାବଦରେ ସବୁ ତଥ୍ୟ ଓ ସୂଚନା ଯୋଗାଇ ଦିଆ ଯାଇଥିଲା ।

ଓଡିଶା ସରକାର ସେଇ ଦିନଠୁ ଏହା ଉପରେ ଅଭିଯୋଗ କରିନାହାନ୍ତି । ଆଜି ମହାନଦୀ କୁ ନେଇ ବିଜେଡିର ଏହି ଅହେତୁକ ତତ୍ପରତା ପଛରେ ମହାନଦୀ ଲାଗି ଯେତିକି ଚିନ୍ତା ନାହିଁ, ତାଠୁ ଅଧିକ ପଂଚାୟତ ନିର୍ବାଚନ ଡର ଘାରୁଛି । ଏହି ରାଜନୈତିକ ପ୍ରସଂଗକୁ ଅଧିକ ରୁ ଅଧିକ ପବନ ଦେଇ ବିଜେଡି ସରକାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: ଓଡିଶା, ଛତିଶଗଡ଼, ପାଣି, ମହାନଦୀ, ରାଜନୀତି

ମହାନଦୀର ମହାଯୁଦ୍ଧ : ସତ୍ୟ ଓ ତଥ୍ୟ

August 4, 2016 by ଓଡିଶା ଡଟ କମ 4 Comments

Hirakud-Mahanadi-1024x678
କେଦାର ମିଶ୍ର

ମହାନଦୀକୁ ନେଇ ଅ।ମେ ଯେତିକି ଚିତ୍କାର ଶୁଣୁଛୁ, ମହାନଦୀକୁ ନେଇ ଅ।ମର ଅଜ୍ଞତା ମଧ୍ୟ ସେତିକି ବାରି ହୋଇ ପଡୁଛି । ଯେଉଁମାନେ ମହାନଦୀ ବିଷୟରେ ଗଳା ଫଟାଇ ରାସ୍ତାରେ ଚିତ୍କାର କରୁଛନ୍ତି, ସେମାନଙ୍କ ପାଖରେ ବାସ୍ତବ ମହାନଦୀର ଚିତ୍ର ଅ।ଜି ପର୍ଯ୍ୟନ୍ତ ପହଂଚି ପାରିନାହିଁ ।

ଛତିଶଗଡ଼ ଏବଂ ଓଡ଼ିଶାର ବିବାଦକୁ ନେଇ ଯେଉଁ ରାଜନୈତିକ ଘୂର୍ଣ୍ଣିଝଡ଼ ଏବେ ଚାଲିଛି, ତା ପଛରେ ମହାନଦୀର ବାସ୍ତବତା ଅପେକ୍ଷା ରାଜନୀତିର ଚକ୍ରାନ୍ତ ଜଳଜଳ ହୋଇ ଦିଶିଯାଉଛି । ତେବେ ମହାନଦୀର ସତ୍ୟ କଣ ?

ଛତିଶଗଡ଼ ସରକାର ଯଦି ମହାନଦୀର ଜଳକୁ ଅଟକ ରଖନ୍ତି, ତା ହେଲେ ମହାନଦୀ ମରିଯିବ କି ? କେବଳ ହୀରାକୁଦ ନଦୀବନ୍ଧର ଜଳକୁ ଅ।ଶ୍ରା କରି ମହାନଦୀ ଚିରସ୍ରୋତା ହୋଇ ପ୍ରବହମାନ ହେଉଛି କି ?

ପ୍ରଶ୍ନ ଅନେକ ଅଛି । ଉତ୍ତର ରାଜନୀତିର କୋଳାହଳ ଭିତରେ ହଜିଯାଉଛି । ତେଣୁ ମହାନଦୀକୁ ନେଇ ଏକ ଅନୁସନ୍ଧାନୀ ଦୃଷ୍ଟିର ଅ।ବଶ୍ୟକତା ଅ।ଜି ସବୁଠୁ ବେଶୀ । ନଦୀ ସବୁବେଳେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମତାର ବାର୍ତ୍ତା ଦେଇଥାଏ ।

ଗତ ଷାଠିଏ ବର୍ଷ ଧରି ମହାନଦୀ ଛତିଶଗଡ଼ ଓ ଓଡ଼ିଶାର ଜୀବନରେଖା ଭାବରେ ପ୍ରବାହିତ ହୋଇ ଚାଲିଛି । ଏହାକୁ ନେଇ କେବେ କୌଣସି ବିବାଦ ଅ।ମେ ଶୁଣିନଥିଲୁ । ପ୍ରଥମଥର ପାଇଁ ଏ ବିବାଦ ଯେତେବେଳେ ରାଜନୈତିକ ଉଗ୍ର ରୂପ ଧାରଣ କରୁଛି, ସେତେବେଳେ ମହାନଦୀର ସତ୍ୟକୁ ଖୋଜି ବାହାର କରିବା ନିତାନ୍ତ ଜରୁରୀ ।

ଏ ସମ୍ପର୍କରେ ଏକ ତଥ୍ୟ ସମ୍ବଳିତ ରିପୋର୍ଟ୍-

୧. ମହାନଦୀ ସମ୍ପର୍କରେ ପ୍ରଥମ ବଡ଼ ତଥ୍ୟଟି ହେଲା, ଏହାର ଜନ୍ମ ଛତିଶଗଡ଼ରେ କିନ୍ତୁ ଏହାର ଯୌବନ ଓ ମହାସଙ୍ଗମ ଓଡ଼ିଶାରେ । ୮୫୧ କିଲୋମିଟର ଦୀର୍ଘ ମହାନଦୀର ମାତ୍ର ୨୮୬ କିଲୋମିଟର ଛତିଶଗଡ଼ ଭିତରେ ପ୍ରବାହିତ ହେଉଥିବାବେଳେ ବାକି ୫୬୫ କିଲୋମିଟର ଏହା ଓଡ଼ିଶା ଭିତର ଦେଇ ବହୁଛି ।

ତେବେ ଓଡ଼ିଶାରେ ଅ।ହୁରି ଅନେକ ବଡ଼ ନଦୀର ଉପତ୍ୟକା ଓ ଅବବାହିକା ରହିଥିବାବେଳେ ଛତିଶଗଡ଼ ପାଇଁ ମହାନଦୀ ହେଉଛି ଏକମାତ୍ର ପ୍ରାଣରେଖା । ଯଦିଓ ଗଙ୍ଗା, ଗୋଦାବରୀ ଓ ଇନ୍ଦ୍ରାବତୀର ବେସିନ ଛତିଶଗଡ଼ରେ ରହିଛି, ତଥାପି ମହାନଦୀ ବ୍ୟତୀତ ଛତିଶଗଡ଼ର ଅନ୍ୟ କୌଣସି ଚାରା ନାହିଁ ।

ଛତିଶଗଡ଼ର ମୋଟ ଜଳସମ୍ବଳର ୫୮.୪୮ % ଜଳସମ୍ପଦର ମହାନଦୀ ଓ ତାର ଶାଖା ନଦୀଗୁଡ଼ିକରେ ରହିଛି ।

୨. ଧନ୍ଵତ୍ତରୀ ଜିଲ୍ଲାରୁ ବାହାରିଲା ପରେ ମହାନଦୀ କ୍ରମଶଃ ଶିୱନାଥ୍, ଅର୍ପା, ହଁସଦେଓ , ସନ୍ଦର୍, ଜୋଙ୍କ୍, କେଲୋ ଓ ଇବ୍ ନଦୀର ସଂଯୋଗରେ ନିଜ ପ୍ରବାହକୁ ବିଶାଳ କରିଛି । ହୀରାକୁଦ ପୂର୍ବରୁ ଏହି ସବୁ ନଦୀ ମହାନଦୀର ଜଳସ୍ତରକୁ ଚିରସ୍ରୋତା କରିଛନ୍ତି ।

୧୯୪୮ରେ ଯେତେବେଳେ ହୀରାକୁଦ ବୃହତ୍ ନଦୀ ଜଳବନ୍ଧର ପରିକଳ୍ପନା କରାଗଲା, ସେତେବେଳେ ଏହି ସବୁ ନଦୀର ଜଳପ୍ରବାହକୁ ହୀରାକୁଦଠାରେ ବାନ୍ଧି ରଖିବାର ଉଦ୍ୟମ କରାଗଲା । ୧୯୫୭ରେ ହୀରାକୁଦ ନଦୀବନ୍ଧ କାର୍ଯ୍ୟକ୍ଷମ ହେଲା ।

ଏଠି କହି ରଖିବା ଉଚିତ୍ ଯେ ହୀରାକୁଦ ନଦୀବନ୍ଧର କ୍ୟାଚମେଣ୍ଟ୍ ବା ଜଳଧାରଣ କ୍ଷେତ୍ରର ୮୭% ଛତିଶଗଡ଼ ରାଜ୍ୟରେ ରହିଛି । ତେଣୁ ହୀରାକୁଦ ନିର୍ମାଣରେ ଛତିଶଗଡ଼ର ଭୂମି ଓ ଜଳ ବିନିଯୋଗ ହୋଇଥିବାସ୍ଥଳେ ଏହାର ଲାଭ ଓଡ଼ିଶାକୁ ମିଳିଛି । ସର୍ବାଧିକ ଜଳ ଓ ଜଳ ବିଦ୍ୟୁତ୍ ଅ।ମେ ଓଡ଼ିଶାବାସୀ ଭୋଗ କରି ଅ।ସିଛୁ ।

ବିଭିନ୍ନ ସମୟରେ ପୂର୍ବତନ ମଧ୍ୟପ୍ରଦେଶ ସରକାର ଓ ଏବେର ଛତିଶଗଡ଼ ସରକାର ହୀରାକୁଦରୁ କିଛି ଲାଭ ନେବା ପାଇଁ ଉଦ୍ୟମ କରିଛନ୍ତି । ଯାହାକି ଅ।ମେ କରେଇ ଦେଇ ନାହୁଁ ।

୩.. ୨୦୦୦ ମସିହାରେ ଯେତେବେଳେ ଛତିଶଗଡ଼ ରାଜ୍ୟ ଗଠିତ ହେଲା, ତାପରେ ଛତିଶଗଡ଼ ସରକାର ମହାନଦୀର ଜଳକୁ ଜଳସେଚନ ତଥା ଶିଳ୍ପ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କଲେ ।

୨୦୦୦ ମସିହାଠୁ ଅ।ଜି ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ରେ ରାଜନୈତିକ ସ୍ଥିରତା ରହିଛି । ୨୦୦୦ ମସିହାରୁ ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଥିବାବେଳେ ୨୦୦୩ ମସିହାରୁ ରମଣ ସିଂହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଶତାଧିକ ପ୍ରକଳ୍ପ ଅ।ରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ୱେବସାଇଟ ରେ ମହାନଦୀକୁ ନେଇ ତାଙ୍କ ସ୍ୱପ୍ନ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଗତ କିଛି ବର୍ଷ ଭିତରେ ଚାରୋଟି ବୃହତ୍ ବନ୍ଧ, ଚାରୋଟି ମଧ୍ୟମ ଧରଣର ବନ୍ଧ ଓ ୨୯୮ଟି କ୍ଷୁଦ୍ର ବନ୍ଧ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି ।

୪. ଭାରତ ସରକାରଙ୍କ ଜଳ ସଂସାଧନ ବିଭାଗର ସୂଚନା ଅନୁସାରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ୨୫୩ଟି ବନ୍ଧ ରହିଥିବାବେଳେ ସେଥିରୁ ଛତିଶଗଡ଼ରେ ୧୬୪ଟି ଓ ଓଡ଼ିଶାରେ ୧୮୯ଟି ବନ୍ଧ ନିର୍ମାଣ କରାଯାଇଛି ।

ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ମୋଟ ୨୮ଟି ବ୍ୟାରେଜ ରହିଥିବାବେଳେ ୧୪ଟି ଓଡ଼ିଶାରେ ଓ ୧୪ଟି ଛତିଶଗଡ଼ରେ ରହିଛି । ସେହିପରି ଚାରୋଟି ଜଳବିଦ୍ୟୁତ ପ୍ରକଳ୍ପରୁ ତିନୋଟି ଛତିଶଗଡ଼ରେ ଥିବାବେଳେ ଗୋଟିଏମାତ୍ର ଓଡ଼ିଶାରେ ରହିଛି ।

ଏହି ତଥ୍ୟରୁ ଅ।ମକୁ ଗୋଟିଏ ସତ୍ୟରେ ଉପନୀତ ହେବାକୁ ପଡୁଛି ଯେ, ଛତିଶଗଡ଼ ସରକାର ମହାନଦୀକୁ ପୂରାପୂରି ଦୋହନ କରିବା ପାଇଁ ପ୍ରସ୍ତୁତି କରି ସାରିଛନ୍ତି ।

୫. ମହାନଦୀର ମୂଳ ପ୍ରବାହ ୨୮୬ କିଲୋମିଟର ସହିତ ଏହାର ଶାଖା ନଦୀ ମାନଙ୍କର ପ୍ରବାହକୁ ମିଶେଇ ଦେଇ ଅ।ମେ ଯଦି ଏକ ହାରାହାରି ହିସାବ କରିବା, ତାହେଲେ ଛତିଶଗଡ଼ରେ ସରକାର ପ୍ରତି ଗୋଟିଏ କିଲୋମିଟରରେ ଗୋଟିଏ ପ୍ରକଳ୍ପ ତିଅ।ରି କରୁଛନ୍ତି ।

ଏକ ଉଚ୍ଚାଭିଳାଷୀ ଯୋଜନା ନେଇ ବର୍ତ୍ତମାନ ଛତିଶଗଡ଼ରେ ଜଳସେଚିତ ଜମିର ପରିମାଣ ୧.୩୮ ନିୟୁତ ହେକ୍ଟରରୁ ୪.୩ ନିୟୁତ ହେକ୍ଟରକୁ ବଢାଇବାକୁ ସେମାନେ ଉଦ୍ୟମ କରୁଛନ୍ତି ।

ତେବେ ଏପ୍ରକାର ଉଦ୍ୟମ ମହାନଦୀର ପ୍ରାକୃତିକ ପ୍ରବାହକୁ କେବଳ ନଷ୍ଟ କରିବ ନାହିଁ, ସମୟକ୍ରମେ ଏହା ମହାନଦୀକୁ ଏକ ମୃତନଦୀ ଭାବରେ ରୂପାନ୍ତରିତ କରିବ । ଛତିଶଗଡ଼

ସରକାର ବର୍ତ୍ତମାନ ମହାନଦୀର ଜଳ ବ୍ୟବହାରକୁ ୭୫% ଜଳସେଚନ ପାଇଁ, ୧୮% ଶିଳ୍ପ ପାଇଁ ଓ ୬% ପାନୀୟ ଜଳ ପାଇଁ ବ୍ୟବହାର କରୁଛନ୍ତି ବୋଲି କହୁଛନ୍ତି । ତେବେ ମହାନଦୀରେ ଯେଉଁସବୁ ପ୍ରକଳ୍ପ ହେଉଛି ସେଥିରୁ ୫୦%ରୁ ଅଧିକ ଜଳ ଅ।ଗାମୀ ଦିନରେ ଶିଳ୍ପ ସଂସ୍ଥାମାନଙ୍କୁ ଦିଅ।ଯିବ ବୋଲି ଜଣାପଡୁଛି ।

୬. ଉପରୋକ୍ତ ତଥ୍ୟ ଅ।ଧାରରେ ଅ।ମେ ଓଡ଼ିଶାର ସ୍ୱାର୍ଥ କଥା ଅ।ମେ ଚିନ୍ତା କରିବା । ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହର ସ୍ଥିତି ଏହା ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ ହେବ । ହୁଏତ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ବିଲକୁଲ୍ ପାଣି ନ ଅ।ସିପାରେ ।

ଏହା ହୀରାକୁଦ ବନ୍ଧ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ଏହା କେବଳ ଅନୁମାନର ବିଷୟ । ଓଡ଼ିଶା ସରକାର ଅ।ଜିପର୍ଯ୍ୟନ୍ତ ଏହାକୁନେଇ କୌଣସି ପ୍ରକାରର ଠୋସ୍ ତଥ୍ୟ ରଖିନାହାନ୍ତି । ଯେଉଁ ସବୁ ପ୍ରକଳ୍ପ ଉପରମୁଣ୍ଡରେ କାର୍ଯ୍ୟକାରୀ ହେଉଛି, ତାହା ଯୋଗୁଁ କେତେ ପରିମାଣରେ ଜଳ ପ୍ରବାହ ବ୍ୟାହତ ହେବ, ତାର ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ।

୭. ଓଡ଼ିଶା ସରକାର ଛତିଶଗଡ଼ର ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଅଜ୍ଞ ଥିଲେ ବୋଲି ଯାହା କହୁଛନ୍ତି, ତାହା ସବୁଠୁ ହାସ୍ୟାସ୍ପଦ । ଛତିଶଗଡ଼ ସରକାରଙ୍କ ନିଜସ୍ୱ ୱେବସାଇଟ୍, କେନ୍ଦ୍ର ଜଳ କମିଶନଙ୍କ ୱେବ୍ସାଇଟ୍ ତଥା ଅନ୍ୟାନ୍ୟ ସୂତ୍ରରୁ ଏହି ସବୁ ତଥ୍ୟ ଖୁବ୍ ସହଜରେ ମିଳୁପାରୁଛି ।

ତେବେ ଓଡ଼ିଶା ସରକାରର ବାବୁମାନେ ଏବିଷୟରେ କେମିତି କିଛି ଜାଣିପାରିଲେ ନାହିଁ, ତାହା ଏ ପୃଥିବୀର ଅଷ୍ଟମ ଅ।ଶ୍ଚର୍ଯ୍ୟ । କେଲୋ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ତଥ୍ୟ ଦିଅ।ଯାଇନଥିଲା ବୋଲି ସଂସଦ ଗୃହରେ ବିଜେଡ଼ିର ନେତା ଭର୍ତ୍ତୃହରି ମହତାବ କହିଲେ ।

ସରକାରୀ ସ୍ତରରେ ଚିଠିପତ୍ର କିଏ କାହାକୁ ଦେଇଥିଲା, ସେ ବିଷୟରେ ଅ।ମେ ଜାଣିନାହୁଁ । କିନ୍ତୁ ଏ ସମ୍ପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ଉପଲବ୍ଧ ହେଉଛି । ଓଡ଼ିଶା ସରକାର ମହାନଦୀର ଉପରମୁଣ୍ଡରେ କଣ ଘଟୁଛି, ସେ ବିଷୟରେ ଅ।ଖି ବୁଜି ବସିଥିଲେ କି ?

ଛତିଶଗଡ଼ ସରକାର ନିଜ ଜଳସମ୍ପଦକୁ କେବେବି ବ୍ୟବହାର ନ କରି ଏହାକୁ ଓଡ଼ିଶାର ଅପଚୟ ପାଇଁ ଛାଡ଼ିଦେବେ ବୋଲି ଓଡ଼ିଶା ସରକାର କାହିଁକି ଭାବୁଛନ୍ତି ?

୮. ଅପଚୟ ଶବ୍ଦର ବ୍ୟବହାର ଏଥିପାଇଁ ଅ।ମେ କରୁଛୁ ଯେ, ହୀରାକୁଦ ପରେ ମୁଣ୍ଡଳୀ ଓ ନରାଜ ପର୍ଯ୍ୟନ୍ତ ମହାନଦୀର ଟୋପାଏ ପାଣିକୁ ମଧ୍ୟ ଅ।ମେ ବ୍ୟବହାର କରୁନାହୁଁ । ହୀରାକୁଦ ପରେ ମହାନଦୀକୁ ଅ।ହୁରି ଅନେକ ବଡ଼ ନଦୀ ପ୍ରବେଶ କରୁଛନ୍ତି ।

ହୀରାକୁଦ ତଳକୁ ଜୀରା, ଭେଡେନ୍, ଅଙ୍ଗ, ସୁକତେଲ୍, ତେଲ୍, ବାଘ, ସାଲୁଙ୍କୀ, ପିଲା ସାଲୁଙ୍କୀ, ମେହେରୁଣୀ ଇତ୍ୟାଦି ଅନେକ ନଦୀ ମହାନଦୀକୁ ପରିପୁଷ୍ଟ କରୁଛନ୍ତି । ମହାନଦୀ ସହିତ ତେଲ ନଦୀ ଓ ହାତୀ ନଦୀର ସଂଯୋଗକ୍ରମେ ଇନ୍ଦ୍ରାବତୀ ସହ ସଂଯୋଗ ସ୍ଥାପିତ ହେଉଛି ।

ମୁଣ୍ଡଳୀ ଓ ହୀରାକୁଦ ମଝିରେ ମହାନଦୀର ମୁଖ୍ୟସ୍ରୋତର ଜଳ ବିନିଯୋଗ ତ ହେଉନାହିଁ, ତା ସହିତ ଏହାର ଶାଖାନଦୀଗୁଡ଼ିକର ଜଳକୁ ମଧ୍ୟ ଅ।ମେ ସଠିକ୍ ବିନିଯୋଗ କରିପାରୁନାହୁଁ ।

ମହାନଦୀର ଶାଖା ଓ ପ୍ରଶାଖା ନଦୀଗୁଡ଼ିକ ଯଥା ବାଘ, ବିରୂପା, ଡାହୁକା, ଭାର୍ଗବୀ, ହାତୀ, ଅଙ୍ଗ, ରାଜୁଅ।, ସାଲୁଙ୍କୀ, ସୁକତେଲ୍ ଇତ୍ୟାଦି ନଦୀରେ କେତେକ ମଧ୍ୟମ ଧରଣର ପ୍ରକଳ୍ପ ଓଡ଼ିଶା ସରକାର କରିଛନ୍ତି । ତେବେ ଏହା ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଅ।ଦୌ ଯଥେଷ୍ଟ ନୁହେଁ ।

୯. ଓଡ଼ିଶାରେ ମହାନଦୀର ଜଳକୁ ସଠିକ୍ ଉପାୟରେ ବ୍ୟବହାର କରିବାର ସାମର୍ଥ୍ୟ ଅ।ମ ସରକାରଙ୍କ ପାଖରେ ନାହିଁ । ତେଣୁ ଏହାକୁ ନେଇ ବିକାଶର ବିମର୍ଶ ପରିବର୍ତ୍ତେ ରାଜନୈତିକ ଅ।ତସବାଜୀ ଅଧିକ ଚାଲିଛି । ଛତିଶଗଡ଼ ସରକାର ମହାନଦୀ ସମ୍ପର୍କରେ କୌଣସି ତଥ୍ୟ ଲୁଚାଇବାର ପ୍ରମାଣ ମିଳୁନାହିଁ ।

ଛତିଶଗଡ଼ର ଜଳସମ୍ପଦକୁ ବ୍ୟବହାର କରିବା ପାଇଁ ଅ।ନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କନସଲଟାନ୍ସୀ “ପ୍ରାଇସ୍ ୱାଟର ହାଉସ୍ କୁପର୍” ସଂସ୍ଥା ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଛତିଶଗଡ଼ର କେଉଁଠି ଓ କି ପ୍ରକାର ଯୋଜନା ମାଧ୍ୟମରେ ମହାନଦୀ ବେସିନର ଜଳକୁ ବ୍ୟବହାର କରାଯିବ, ସେ ସମ୍ପର୍କରେ ଏହି ସଂସ୍ଥା ନିଜର ରିପୋର୍ଟ ଦେଇଛନ୍ତି ।

ସେହି ରିପୋର୍ଟ ଅ।ଧାରରେ ଛତିଶଗଡ଼ ସରକାର ଚତୁରତାର ସହ ବଡ଼ ବନ୍ଧ ନ କରି ମଧ୍ୟମ ଓ ଛୋଟ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି । ଏଠି କହି ରଖିବା ଉଚିତ୍ ହେବ ଯେ, ମଧ୍ୟମ ଓ ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ଜଳ କମିଶନ ବା କେନ୍ଦ୍ର ସରକାରଙ୍କ ସହମତିର କୌଣସି ଅ।ବଶ୍ୟକତା ନାହିଁ ।

୧୦. ଏ କ୍ଷେତ୍ରରେ ଓଡ଼ିଶା ଯେତିକି ସତର୍କ ରହିବା କଥା, ତାହା କରିନାହିଁ । ଅ।ଜି ଯେତେବେଳେ ନେଡ଼ିଗୁଡ଼ କହୁଣୀକୁ ବହି ସାରିଛି, ସେତେବେଳେ ଅ।ମେ ପାଟି ଖୋଲିବା ଅ।ରମ୍ଭ କରିଛୁ ।

ସମ୍ପ୍ରତି କେଲୋ ପ୍ରକଳ୍ପ ସମେତ ପେରୀମାନ ଡିହି, କେନ୍ଦୁଲା ଓ ତେନ୍ଦୁଲା ପ୍ରକଳ୍ପ କାମ ଛତିଶଗଡ଼ ସରକାର ଅ।ଗେଇ ନେଉଛନ୍ତି । ତେବେ ଯେଉଁସବୁ ପ୍ରକଳ୍ପ ଗତ ୧୫ବର୍ଷରେ ଅ।ରମ୍ଭ ହୋଇଥିଲା, ସେଥିରୁ ନବେଭାଗ କାର୍ଯ୍ୟକାରୀ ହୋଇ ସାରିଲାଣି । ଅ।ଜି ଚିତ୍କାର କଲାବେଳକୁ ଅ।ମ ପାଖରେ ଅ।ଉ କିଛି ନାହିଁ ।

୧୧. ତେବେ ଛତିଶଗଡ଼ ଓ ଓଡ଼ିଶା ଭିତରେ ମହାନଦୀର ଜଳ ବଣ୍ଟନ ସମସ୍ୟାକୁ ନେଇ ୧୯୮୩ ଓ ୧୯୯୫ରେ ଦୁଇଟି ଚୁକ୍ତିନାମା କରାଯାଇଥିଲା । ସେହି ଅନୁସାରେ ଦ୍ୱିପାକ୍ଷିକ ଅ।ଲୋଚନା ହୋଇ ଏକ ନିୟନ୍ତ୍ରଣ ସମିତି ଗଠିତ ହେବା କଥା, ତାହା ଅ।ଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

ଗତ ପନ୍ଦର ବର୍ଷ ଧରି ଉଭୟ ରାଜ୍ୟରେ ଦୁଇଜଣ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେମାନେ ଏ ପ୍ରସଙ୍ଗରେ ଥରେ ମଧ୍ୟ ଦ୍ୱିପାକ୍ଷିକ ଅ।ଲୋଚନା କରିନାହାନ୍ତି । ମହାନଦୀକୁ ନେଇ ଅନ୍ତତଃ ପ୍ରତି ତିନିମାସରେ ଥରେ ଛତିଶଗଡ଼ ସରକାର ଓ ଓଡ଼ିଶା ସରକାରଙ୍କର ଅ।ଲୋଚନା ହେବା ଉଚିତ୍ ।

ଏସବୁ ପ୍ରଶାସନିକ ଉଦ୍ୟମ ନ କରି ନିଜେ ନିଜର ଅଫିସ୍ ଅ।ଗରେ ଆନ୍ଦୋଳନ କଲେ, କିଛି ଲାଭ ହେବାର ନାହିଁ । ଓଡ଼ିଶା ସରକାର ମହାନଦୀର ଜଳ ସମ୍ପଦକୁ କେତେ ସାମର୍ଥ୍ୟର ସହ ଉପଯୋଗ କରିପାରିବେ, ତାର ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରନ୍ତୁ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପରିବେଶ, ରାଜନୀତି Tagged With: ଓଡିଶା, ଘୂର୍ଣ୍ଣିଝଡ଼, ଛତିଶଗଡ଼, ଜଳ, ତଥ୍ୟ, ବିବାଦ, ମହାନଦୀ, ମହାଯୁଦ୍ଧ, ରାଜନୈତିକ, ସତ୍ୟ, ହୀରାକୁଦ

ମହାନଦୀକୁ ନେଇ ଦଶଟି ଅନାଲୋଚିତ ତଥ୍ୟ

June 13, 2016 by ନିଉଜ ଡେସ୍କ Leave a Comment

mahanadi2କେଦାର ମିଶ୍ର

ମହାନଦୀ କେବଳ ଓଡିଶା ଓ ଛତିଶଗଡର ସବୁଠୁ ବଡ ନଦୀ ନୁହଁ, ଏହା ପୂର୍ବ ଭାରତର ଜୀବନ ରେଖା। ମହାନଦୀର ମୂଳ ପ୍ରବାହ ଓ ଶାଖା ପ୍ରବାହ ଓଡିଶା ସମେତ ଛତିଶଗଡ , ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ଗୁଡିକର ଭୌଗୋଳିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ମହାନଦୀ କୁ ନେଇ କେତେ କଥା ଓ କାହାଣୀ ଆଜିଯାଏ ସଂକଳିତ ହୋଇପାରିନାହିଁ।

ଏହାର ଉଦଗମ ଠୁଁ ସମୁଦ୍ର ସଂଗମ ପର୍ଯନ୍ତ ଏକ ସୁଦୀର୍ଘ ଯାତ୍ରାପଥରେ ମହାନଦୀ କେଉଁଠି ଦେବୀ ତ ଆଉ କେଉଁଠି ଦେବତାର ଆଶ୍ରୟସ୍ଥଳ ପାଲଟିଛି।

ଓଡିଶାର ଦୁଇ ପ୍ରମୁଖ ଧାର୍ମିକ-ସାଂସ୍କୃତିକ ଧାରା ଯଥା – ଶ୍ରୀଜଗନ୍ନାଥ ଓ ସମଲେଶ୍ଵରୀ ସଂସ୍କୃତି ମହାନଦୀ କୁଳେ କୁଳେ ବିକଶିତ ହୋଇଛି। ମହାନଦୀ ର ପାଣି ଓଡିଶାର ଜନଜୀବନ ଓ ଅର୍ଥନୀତିର ଅପରିହାର୍ୟ ଉପାଦାନ। ମହାନଦୀ କୁ ନେଇ ଆସନ୍ତୁ କିଛି ଅଜଣା ତଥ୍ୟ ଖୋଜିବା-

୧.  ଛତିଶଗଡ ର ପୂର୍ବଘାଟ ପର୍ବତମାଳା ହେଉଛି ମହାନଦୀର ଉଦଗମ ସ୍ଥଳ। ଏହାର ଧମତରୀ ଜିଲ୍ଲା ଅନ୍ତର୍ଗତ ଫାରିସିୟା ଗାଁ ର ଏକ ପାହାଡରୁ ଏହାର ପ୍ରଥମ ସ୍ରୋତ ଠାବ କରାଯାଇଛି ।

କ୍ରମେ କ୍ରମେ ଅନେକ ଜଳସ୍ରୋତ ଏକାଠି ହୋଇ ଏହା ଏକ ନଦୀ ର ରୂପ ପାଇଛି ଓ ଛତିଶଗଡର ରାୟପୁର୍ ବାଟ ଦେଇ ଓଡିଶା ଅଭିମୁଖେ ପ୍ରବାହିତ ହେଉଛି। ଛତିଶଗଡର ଅନ୍ୟ ଦୁଇ ଶାଖା ନଦୀ ହଂସଦେଓ ଏବଂ ଶେଓନାଥ୍ ମହାନଦୀରେ ମିଶିବା ଫଳରେ ଏହା ଏକ ବିଶାଳ ନଦୀର ମାନ୍ୟତା ପାଇଛି।

River-Mahanadi୨.  ଲୋକକଥା ଅନୁସାରେ ପୂର୍ବଘାଟ ପର୍ବତମାଳାର ଏହି ସ୍ଥାନରେ ବିଶିଷ୍ଟ ଋଷି ଶ୍ରୁଂଗୀମୁନିଂକ ଆଶ୍ରମ ଥିଲା। ମହାକୁମ୍ଭ ମେଳାରେ ବୁଡ ପକେଇବାକୁ ଏହି ବାଟଦେଇ ଅନେକ ଋଷି ଯାଉଥିଲେ।

ଯିବା ପୂର୍ବରୁ ସେମାନେ ଶ୍ରୁଂଗୀମୁନିଂକ ସହ ସାକ୍ଷାତ କରିବାକୁ ଚାହୁଁଥିଲେ। ଶ୍ରୁଂଗୀ ଗଭୀର ତପସ୍ୟାରେ ନିମଗ୍ନ ଥିବାରୁ ଋଷି ମାନେ ଅପେକ୍ଷା କରି ରହିଲେ। ତଥାପି ମୁନିଂକ ତପ ଭାଂଗିଲା ନାହିଁ । ଶେଷରେ ଅନ୍ୟ ଋଷି ମାନେ ସ୍ନାନ ସାରି ଲୋଟାଏ ଜଳ ଶ୍ରୁଂଗୀ ମୁନିଂକ କମଂଡଳୁରେ ଢାଳି ଦେଇଗଲେ।

ତପ ଭାଂଗିବା ବେଳେ ଶ୍ରୁଂଗୀଙ୍କ ହାତ ବାଜି ଜଳଧାର ବିଛୁଡି ହୋଇପଡିଲା। ସେ ଦିବ୍ୟ ଜଳଧାର ଆଗକୁ ଆଗକୁ ବୋହି ଯାଇ ମହାନଦୀ ରୂପେ ଜନ କଲ୍ୟାଣ ରେ ଲାଗିଲା।

୩.  ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

ସମ୍ବଲପୁର ସହର ପୂର୍ବରୁ ଏସିଆର ସର୍ବବୃହତ୍ ମାଟି ବନ୍ଧ ଦେଇ ଅଟକାଯାଇ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି , ଯାହାକି ହିରାକୁଦ ନଦୀ ବନ୍ଧ ନାମରେ ପ୍ରସିଦ୍ଧ।

୪.  ଓଡିଶାରେ ଇବ, ଅଂଗ,ସୁକତେଲ୍, ତେଲ, ବାଘ, ମେହେରୁଣୀ ଇତ୍ୟାଦି ଶାଖା ନଦୀ ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଏହା ବିପୁଳ ଗର୍ଭା ଓ ସୁନାବ୍ୟା ହୋଇଛି। ଶହ ଶହ ବର୍ଷ ଧରି ମହାନଦୀ ଅବବାହିକାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି।

ପ୍ରାଚୀନ କାଳରେ ମହାନଦୀ ଓ ତେଲବାହ ନଦୀ (ଏବର ତେଲ ନଦୀ) ଜଳ ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା।

hirakud୫.  ସମ୍ବଲପୁର ରୁ ବୌଦ ପର୍ଯନ୍ତ ମହାନଦୀର ପ୍ରାଚୀନ ନାମ ଚିତ୍ରୋତ୍ପଲା ଥିଲା ବୋଲି କୁହାଯାଏ। ଐତିହାସିକ କାବ୍ୟ “କୋଶଲାନନ୍ଦ” ରେ କବି ଗଂଗାଧର ମିଶ୍ର ମହାନଦୀ- ଚିତ୍ରୋତ୍ପଲା କୁ ଗଂଗା ପରି ପବିତ୍ର ଓ ଏହା କୁଳ ରେ ଥିବା ସୁବର୍ନପୁର ନଗରୀ (ଆଜିର ସୋନପୁର ସହର) କୁ ଦ୍ଵିତୀୟ ବାରାଣସୀ ବୋଲି ବର୍ଣନା କରିଛନ୍ତି।

ସମ୍ବଲପୁର୍, ବିନିକା, ସୋନପୁର୍ ଓ ବୌଦ ସହର ଗୁଡିକରେ ପ୍ରାଚୀନ କାଳରୁ ବୌଦ୍ଧ, ଜୈନ, ତନ୍ତ୍ର, ଶୈବ ଓ ବୈଷ୍ଣବ ସଂସ୍କୃତିର ମହାସଂଗମ ଦେଖିବାକୁ ମିଳେ ।

୬.  ବିନିକା ପାଖରେ ମହାନଦୀ କୁଳରେ ଏକ ପ୍ରାଚୀନ ବରଗଛ ରହିଛି। ସୁର୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାଳରେ ମହାନଦୀରେ ବୁଡ ପକାଇ ଏହି ବରଗଛର ସଂକୀର୍ଣ କୋଟର ଅତିକ୍ରମ କଲେ ସବୁ ପାପ କ୍ଷୟ ଯାଏ ବୋଲି ଲୋକ ବିଶ୍ଵାସ ରହିଛି।

ଗଂଗ ବଂଶର ରାଜା ଅନଂଗ ଭୀମ ଦେବ ଏହି ସ୍ଥାନ ରେ ସ୍ନାନ କରି ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ପାଇଥିବାରୁ ଓ ଏହି ଠାରେ ତାଂକ ପାପ ରହିତ ହୋଇଥିବାରେ , ମହାନଦୀକୁଳର ଏହି ତୀର୍ଥ ଗ୍ରାମ ର ନାମ ହେଉଛି “ରହିଲା”।

୭. ସୋନପୁରରେ ତେଲ ଓ ଜୀର୍ଣ ନଦୀ ମହାନଦୀ ସହ ମିଳିତ ହୋଇଥିବାରୁ ଏହାକୁ ତ୍ରିବେଣୀ ସଂଗମ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ଶିବ ଓ ଶକ୍ତି ପୀଠ ରହିଛି। ଏକଦା ଏହା ସୋମବଂଶୀ ଶାସକ ମାନଂକର ରାଜଧାନୀ ଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଏହା ନିକଟରେ ମହାନଦୀ ଗର୍ଭରେ ଅସୁରଗଡ ନାମକ ଏକ ଟାପୁ ରହିଛି।

ଏହାର ପ୍ରତ୍ନତାତ୍ଵିକ ଖନନରୁ ଏଠାରେ ବହୁ ପ୍ରାଚୀନ ଏକ ସଭ୍ୟତା ରହିଥିବାର ପ୍ରମାଣ ମିଳେ ।

୮.  ବୌଦ ପାରିହେଲା ପରେ ମହାନଦୀ ପ୍ରାୟ ୭ କୋଷ (୬୪ କିଲୋମିଟର) ବ୍ୟାପୀ ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି। ଏହା ସତକୋଶିଆ ଗଣ୍ଡ ନାମରେ ପରିଚିତ। ଏହି ଗଣ୍ଡରେ କୁମ୍ଭୀର ଅଭୟାରଣ୍ୟ ଓ କୁଳରେ ବାଘ ଅଭୟାରଣ୍ୟ ରହିଛି।

୯. ସାତକୋଶିଆ ପରେ ମହାନଦୀ ର ଓସାର ଅନେକ ପରିମାଣରେ ବ୍ୟାପକ ହେବା ସହ ଏହା ଅନେକ ଉପନଦୀ ସୃଷ୍ଟି କରିଛି। କାଠଯୋଡି, ବିରୁପା, ପାଇକା , ଚିତ୍ରୋତ୍ପଲା ଇତ୍ୟାଦି ମହାନଦୀ ରୁ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଦିଗକୁ ପ୍ରବାହିତ ହେଉଛନ୍ତି। କଟକ ଜିଲ୍ଲାରେ ମହାନଦୀ ଏକ ବିଶାଳ ତ୍ରିକୋଣଭୁମୀ ସୃଷ୍ଟି କରି ବଂଗୋପ ସାଗରରେ ମିଶିଛି।

୧୦.  କଂଟିଲୋ ଠାରେ ମହାନଦୀ କୁଳରେ ଶ୍ରୀ ଜଗନ୍ନାଥ ନୀଳମାଧାବ ରୁପେ ଶବର ମାନଂକ ଦ୍ଵାରା ପୂଜିତ ହେଉଥିଲେ ବୋଲି କୁହାଯାଏ। ମହାନଦୀ ସହିତ ଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଛି।

ମହାନଦୀ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂଗୀତ ଓ ଜନ ଜୀବନରେ ଜୀବନରେଖା ପରି ପ୍ରବାହିତ ହେଉଛି।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା Tagged With: ଅନାଲୋଚିତ, ଓଡିଶା, କଳା, ତଥ୍ୟ, ମହାନଦୀ, ସଂଗୀତ, ସତ୍ୟ, ସାହିତ୍ୟ, ସ୍ଥାପତ୍ୟ

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କୋଇଲା ଉତ୍ପାଦନରେ ବାଧା

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ତାଳଚେର, ଏପ୍ରିଲ ୧୦ (ଓଡିଶା ଡଟ କମ) ଚାକିରି ଓ ସ୍ଥାନୀୟ ସମସ୍ୟାର ସମାଧାନ ଦାବିକରି ଗ୍ରାମବାସୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଗତ ବୁଧବାର ଠାରୁ ମହାନଦୀ କୋଲଫିଲଡର ତାଳଚେର କୋଇଲାଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସ୍ତୃଷ୍ଟି ହୋଇଛି।

coal-talabiraଖଣି ଦ୍ଵାରା ପ୍ରଭାବିତ ହୋଇଥିବା ଡେରା ଗ୍ରାମର ବାସିନ୍ଦା ରାସ୍ତା ଅବରୋଧ କରିବା ସହ ମହାନଦୀ କୋଲ ଫିଲଡ ର ସ୍ଥାନୀୟ କାର୍ଯ୍ୟ।ଳୟରେ ଭଙ୍ଗାରୁଜା କରିଛନ୍ତି । ଏହା ଫଳରେ ଜଗନ୍ନାଥ, ଭୁବନେଶ୍ଵରୀ ଓ ଅନନ୍ତ ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ କିଛିଦିନ ଏହିଭଳି ବିରୋଧ ଅବ୍ୟାହତ ରହେ ତେବେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଜୁଳି ଉତ୍ପାଦନକରୁଥିବା କମ୍ପାନୀ ମାନଙ୍କୁ କୋଇଲା ଯୋଗାଇବାରେ ସମସ୍ୟା ହୋଇପାରେ , ମହାନଦୀ କୋଲଫିଲଡର ର ଜଣେ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ପ୍ରଭାବିତ ହୋଇଥିବା ଏହି ଖଣିଗୁଡ଼ିକ ଗତ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲଡ ଉତ୍ପାଦନ କରିଥିବା ସମୁଦାୟ ୧୨୧ ମିଲିୟନ କୋଇଲାର ୩୫ ଭାଗ ଯୋଗାଇ ଦେଇଥିଲା । ଗତ ତିନି ଦିନ ହେଲା ଏହି ଖଣିମାନଙ୍କର ଉତ୍ପାଦନ ଦୈନିକ ପ୍ରାୟ ପଚାଶ ପ୍ରତିଶତ ହ୍ରାସ ପାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, କୋଇଲାଖଣି, କୋଲଫିଲଡ, ଗ୍ରାମବାସୀ, ତାଳଚେର, ମହାନଦୀ

ରାଜ୍ୟରେ ବନ୍ୟା ଆଶଂକା ନାହିଁ: ସରକାର

August 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବର୍ଷା କମିଥିବା ବେଳେ ରାଜ୍ୟରେ ମଧ୍ୟ ବିଶେଷ ବର୍ଷା ହୋଇ ନାହିଁ ତେଣୁ ବନ୍ୟା ଆସିବାର କୌଣସି ଆଶଂକା ନାହିଁ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏସଂପର୍କରେ କୁହାଯାଇଛି । ରାଜ୍ୟର ସାମ୍ପ୍ରତିକ ବୃଷ୍ଟିପାତ ଏବଂ ବିଭିନ୍ନ ନୀର ଜଳ ପ୍ରବାହ ସଂପର୍କରେ ସମୀକ୍ଷା କରାଯାଇଛି ।

ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ତେବେ ମହାନୀ ଓ ସୁବର୍ଣ୍ଣରେଖା ନଦୀ ବ୍ୟତୀତ ଅନ୍ୟ ସମସ୍ତ ନଦୀରେ ଜଳ ପ୍ରବାହ ହ୍ରାସ ପାଇଛି ବୋଲି ବୈଠକରେ କୁହାଯାଇଛି ।

ମଣ୍ଡୁଳି ଠାରେ ସୋମବାର ୬ ଲକ୍ଷ ୧୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବର୍ଷା ଯୋଗୁଁ ଇନ୍ଦ୍ରାବତୀ, ଅପରକୋଲାବ, ବାଳିମେଳା ଓ ହୀରାକୁ ଆଦି ଜଳ ଭଣ୍ଡାରେ ଜଳ ପତ୍ତନ ବୃଦ୍ଧି ପାଇଛି ।

ହୀରାକୁଦ ଜଳ ଭଣ୍ଡାରର ଜଳ ପତ୍ତନ ୬୧୨ ଫୁଟ୍ ରହିଥିବା ବେଳେ ଏହାର ୧୯ଟି ଗେଟ୍ ଦେଇ ୩ ଲକ୍ଷ ୧୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ଏବଂ ଜଳଭଣ୍ଡାରକୁ ୪ ଲକ୍ଷ ୩୭ ହଜାର ୭୮୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ସେହିପରି ଖଇରମାଳ ଦେଇ ୫ ଲକ୍ଷ ୪ ହଜାର କ୍ୟୁସେକ୍ ଜଳ, ବରମୂଳ ଦେଇ ୫ ଲକ୍ଷ ୬୫ ହଜାର ୫ ଶହ ଏବଂ ମୁଣ୍ଡୁଳି ଦେଇ ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ୍ ଜଳ ମହାନଦୀ ମଧ୍ୟଦେଇ ପ୍ରବାହତ ହେଉଛି ।

କଳାହାଣ୍ଡି ଜିଲ୍ଲାରେ ହାତୀ ନଦୀରେ ବନ୍ୟା ଯୋଗୁଁ ପାଞ୍ଚଟି ପଞ୍ଚାୟତରେ ପାଣି ପଶିବା ଆଶଂକା କରିଦୁଇଟି ପଞ୍ଚାୟତର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଓ ଲଙ୍କାଗଡ଼ ପଞ୍ଚାୟତର ଲୋକମାନେ ବନ୍ୟା ଦ୍ୱାରାପ୍ରଭାବିତ ହୋଇଥିବାରୁ ସେଠାରେ ତିନିଦିନ ପାଇଁ ରିଲିଫ ଦିଆଯାଇଛି ।

ଆବଶ୍ୟକତା ଅନୁଯାୟୀ ଅଧିକଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଳ ନିଷ୍କାସନ, ବନ୍ୟା, ମହାନଦୀ

ମହିଳାଙ୍କୁ ମହାନଦୀକୁ ଫିଙ୍ଗିବା ଘଟଣାରେ ଆଉ ଜଣେ ଗିରଫ

May 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ମହାନଦୀ ରେ ମିନି ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ଫିଙ୍ଗିଦେବା ଘଟଣାରେ ପୋଲିସ ଗୁରୁବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ପୋଲିସର ଏକ ଦଳ ଢେଙ୍କାନାଳରୁ ସୁପାରିକିଲର ପିନ୍ଟୁ ଓରଫ ଶୁଭେନ୍ଦୁ ବିଶ୍ୱାଳକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗତ ୧୫ ତାରିଖରେ ଜଟଣିରୁ ପ୍ରଶାନ୍ତ କୁମାର ସାହୁ ଏବଂ ବିଜୁ ଓରଫ୍ ବିଜନ କୁମାର ମଲ୍ଲିକକୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କାର ଓ ଦେଢ଼ଲକ୍ଷ ଟଙ୍କା ଜବତ କରିଥିଲା ।

ଗତ ୮ ତାରିଖରେ ମହାନଦୀ ତଳେ କେତେକ ଲୋକ ସଂପୃକ୍ତ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲା ।

ପୂର୍ବରୁ ଏହି ମାମଲାରେ ଅବସରପ୍ରାପ୍ତ ଅତିରିକ୍ତ ଦୌରାଜଜ୍ ସମୀର କୁମାର ରାୟ, ଗୀତିକା ରାୟ, ସତ୍ୟବ୍ରତ ରାୟ ଓ ଇଲେକ୍ଟ୍ରିସିଆନ ପ୍ରଶାନ୍ତ ଦାସକୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲିସ, ମହାନଦୀ

ମହିଳାଙ୍କୁ ମହାନଦୀ କୁ ଫିଙ୍ଗିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

May 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ମହାନୀରେ ମିନି ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ଫିଙ୍ଗି ଦିଆଯିବା ଘଟଣାରେ ପୋଲିସ ମଙ୍ଗଳବାର ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

”ଜଟଣୀ ବାଇପାସ୍ ନିକଟରୁ ସୁପାରିକିଲର ବାପି ଓରଫ ପ୍ରଶାନ୍ତ କୁମାର ସାହୁ ଏବଂ ବିଜୁ ଓରଫ ବିଜନ କୁମାର ମଲ୍ଲିକକୁ ଗିରଫ କରିଥିବା” ଡ଼ିସିପି ପ୍ରବୀଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେମାନଙ୍କ ଠାରୁ ଏକ କାର ଓ ଦେଢ଼ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ପିପିଲି ଆଞ୍ଚଳର ବାପି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଓ ବାଲେଶ୍ୱରର ବିଜନ୍ ସାଲିଆସାହିରେ ରହୁଥିଲା ବୋଲି ସେ କହିଛନ୍ତି ।

ମିନିଙ୍କୁ ଗୁପ୍ତ ବିବାହ କରିଥିବା ସତ୍ୟବ୍ରତ ରାୟ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ସତ୍ୟବ୍ରତ ତାଙ୍କ ଘରେ କାମ କରୁଥିବା ଇଲେକ୍ଟ୍ରିସିଆନ ପ୍ରଶାନ୍ତଙ୍କ ସହିତ ଏ ବିଷୟରେ କଥା ହୋଇ ହତ୍ୟା ଯୋଜନା କରିଥିଲେ ।

ପ୍ରଶାନ୍ତ ଗତ ୭ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ୧୦ ହଜାର ଟଙ୍କା ସୁପାରି ନେଇଥିଲା । ତା’ପରେ ପ୍ରଶାନ୍ତ ଓ ବିଜନ୍ ଙ୍କ ସମେତ ୫ ଜଣ ସତ୍ୟବ୍ରତଙ୍କ ଘରକୁ ଆସିଥିଲେ । ସେଠାରେ ସତ୍ୟବ୍ରତଙ୍କ ପରିବାର ଲୋକଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ ।

ତା’ପରେ ସେମାନେ ମିନିଙ୍କୁ କ୍ଲୋରୋଫର୍ମ ଶୁଙ୍ଘାଇ ଅଚେତ କରି ବିଜୁର ଗାଡ଼ିରେ ବସାଇ ଖୋର୍ଦ୍ଧା, ଜଟଣୀ, ଢ଼େଙ୍କାନାଳ, ଭୁବନେଶ୍ୱର, ଧବଳେଶ୍ୱରକୁ ନେଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଶେଷରେ ସେମାନେ ମିନିର ହାତଗୋଡ଼ ବାନ୍ଧି ମହାନଦୀରେ ଫିଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି । ୮ ତାରିଖ ଭୋରରୁ କେତେକ ଲୋକ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତମାନ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ପୂର୍ବରୁ ଏହି ମାମଲାରେ ଅବସରପ୍ରାପ୍ତ ଅତିରିକ୍ତ ଦୌରାଜଜ୍ ସମୀର କୁମାର ରାୟ, ଗୀତିକା ରାୟ, ସତ୍ୟବ୍ରତ ରାୟ ଓ ଇଲେକ୍ଟ୍ରିସିଆନ ପ୍ରଶାନ୍ତ ଦାଶକୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଟଣୀ, ମହାନଦୀ, ମହିଳା

ମହିଳାଙ୍କୁ ହତ୍ୟା ଉଦ୍ୟମ, ଅବସରପ୍ରାପ୍ତ ଜଜଙ୍କ ସହ ୪ ଗିରଫ

May 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୯(ଓଡ଼ିଶା ଡ଼ଟ୍ କମ୍) ଜଣେ ଗର୍ଭବତୀ ମହିଳାଙ୍କୁ ମହାନଦୀରେ ଫିଙ୍ଗି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଅବସରପ୍ରାପ୍ତ ଜଜଙ୍କ ସମେତ ଚାରି ଜଣଙ୍କୁ ବୁଧବାର ଗିରଫ କରିଥିବା ପୋଲିସ କହିଛି ।

ଏହି ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଉଦ୍ୟମ କରାଯିବା ସହ ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ସୁପାରି ଦିଆଯାଇଥିଲା ବୋଲି କଟକ ଡିସିପି ପ୍ରବୀଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏଥିରେ ସଂପୃକ୍ତ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମୀର କୁମାର ରାୟ, ପତ୍ନୀ ଗୀତିକା ରାୟ, ତାଙ୍କ ପୁତ୍ର ସତ୍ୟବ୍ରତ ରାୟ ଏବଂ ସହଯୋଗି ପ୍ରଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମହିଳାଙ୍କୁ ମହାନଦୀକୁ ଫିଙ୍ଗିଥିବା ଯୁବକ ତଥା ସୁପାରି କିଲରମାନେ ଧରା ପଡ଼ିନାହାନ୍ତି । ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ ଯେ ମିନି ନାମକ ଏହି ମହିଳା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଲୁମ୍ବିନୀ ବିହାରରେ ସତ୍ୟବ୍ରତ ରାୟଙ୍କ ଘରେ ଗତ ପାଞ୍ଚ ବର୍ଷ ଧରି ରହି ଆସୁଥିଲେ ।

ସେ ସତ୍ୟବ୍ରତଙ୍କୁ ଗୁପ୍ତ ବିବାହ କରିଥିଲେ ଏବଂ ଗର୍ଭବତୀ ହୋଇଥିଲେ । ତେବେ ସତ୍ୟବ୍ରତଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଯିବାରୁ ସେ ମିନିଙ୍କୁ ପ୍ରତାରଣା କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଏହା ଜାଣିପାରି ମିନି ଦୃଢ଼ ପ୍ରତିବାଦ କରିବାରୁ ସତ୍ୟବ୍ରତ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରୁଥିଲେ । ତା’ପରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା ।

ଯୋଜନା ମୁତାବକ ପାଞ୍ଚ ଜଣ ଯୁବକ ସୋମବାର ରାତିରେ ମିନିଙ୍କ ହାତ ଓ ଗୋଡ଼ ବାନ୍ଧି ମହାନଦୀକୁ ଫିଙ୍ଗି ଦେଇଥିଲେ ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି ।

ମଙ୍ଗଳବାର ଭୋରରୁ କେତେକ ଲୋକ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତମାନ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକୁ, ଦୌରାଜଜ୍, ମହାନଦୀ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ