• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟମନ୍ତ୍ରୀ

ସଂଶୋଧନ ହେବ ଜମି ଜବରଦଖଲ ପ୍ରତିରୋଧ ଆଇନ

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣ

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଜମି ଜବରଦଖଲ ପ୍ରତିରୋଧ ଆଇନ ପୁରୁଣା ହୋଇଯାଇଥିବାରୁ ଏହି ଆଇନ ସଂଶୋଧନ କରାଯିବ ବୋଲି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହାଦ୍ଵାରା ବାସ୍ତବ ଉଦେ୍ଧଶ୍ୟ ସାଧିତ ହୋଇପାରୁ ନାହିଁ ତେଣୁ ଏହାର ସଂଶୋଧନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଏହି ଆଇନର ଧାରା-୭ ଅନୁସାରେ ଗୃହହୀନ, ଭୂମିହୀନ ତଥା ୧୫ ହଜାର ଟଙ୍କାରୁ ବାର୍ଷିକ ଆୟ କମ୍ ଥିବା ପରିବାରକୁ ଘରଡ଼ିହ ଯୋଗାଇ ଦେବାରେ ବ୍ୟବସ୍ଥା ରହିଛି ।ଏହା ଦୀର୍ଘ ଦିନରୁ ପ୍ରଣୟନ କରାଯାଇଥିଲେ ହେଁ ତାହା ସଫଳତାର ସହିତ କାର୍ଯ୍ୟକାରୀ କରାଯାଇ ନାହିଁ ।

ଏହି ଆଇନ ଅନୁସାରେ ଗୋଟିଏ ଯୋଗ୍ୟ ପରିବାରକୁ ଚାରି ଡ଼ିସିମିଲ ବାସୋପଯୋଗୀ ଜମି ଦେବାର ବ୍ୟବସ୍ଥା ହୋଇଛି । ୨୦୦୫ରେ ମୁଖ୍ୟମନ୍ତ୍ରୀ “ବସୁନ୍ଧରା” ଯୋଜନା ଘୋଷଣା କରିବା ପରେ ସେହି ଘରଡ଼ିହ ପରିମିତ ଦଶ ଡ଼ିସିମିଲକୁ ବୃଦ୍ଧି କରାଯାଇଛି ।

ଏହି ଆଇନରେ ବ୍ୟାପକ ସଂଶୋଧନ କରିବା ପାଇଁ ଆଇନ ବିଭାଗ ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: "ବସୁନ୍ଧରା'' ଯୋଜନା, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ଶିଳ୍ପାୟନ ଏବଂ ପରିବେଶ ଭିତରେ ସନ୍ତୁଳନ ରଖାଯିବ:

February 2, 2006 by ନିଉଜ ଡେସ୍କ Leave a Comment

ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର,ଫେବୃୟାରୀ ୨ (ଓଡିଶା ଡ଼ଟ୍ କମ୍), ଗତ ମାସ ପୋଲିସ ଗୁଳିରେ ବାର ଜଣ ଆଦିବାସୀଙ୍କ ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ମହଲଠାରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଜାନୁୟାରୀ ଦୁଇ ତାରିଖରେ ଯାଜପୁର ଜିଲ୍ଳାର କଳିଙ୍ଗନଗରଠାରେ ହୋଇଥିବା ଏହି ନାରକୀୟ କାଣ୍ଡ ଉପରେ ବିରୋଧୀ ଦଳଗୁଡିକ ତାଙ୍କର ଇସ୍ତଫା ଦାବି କରିଥିବାବେଳେ ଶାସକ ମେଣ୍ଟର ଅଂଶୀଦାର ବିଜେପି ତାଙ୍କୁ ସହଯୋଗର ହାତ ବଢାଇ ନାହିଁ ।

naveenଏକ ପ୍ରକାର ଏକୁଟିଆ ହୋଇ ପଡିଥିବା ନବୀନ ପରିସ୍ଥିତିର ମୁକାବିଲା କରିବା ପାଇଁ କ’ଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଇଂରାଜୀ ଦୈନିକ “ଦି ହିନ୍ଦୁ” ର ଓଡ଼ିଶା ସମ୍ବାଦଦାତା ପ୍ରଫୁଲ୍ଲ ଦାସଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି ।

ଗୁଳିକାଣ୍ଡ ପରେ ଏହା ହେଉଛି କୌଣସି ଗଣମାଧ୍ୟମର ସହ ତାଙ୍କର ପ୍ରଥମ ସାକ୍ଷାତକାର । ପ୍ରସ୍ତୁତ କରୁଛୁ ଗୁରୁବାର ପ୍ରକାଶିତ ଏହି ସାକ୍ଷାତକାରର ଅନୁବାଦ ।

କଳିଙ୍ଗନଗର ଘଟଣା ଉପରେ ଆପଣଙ୍କ ସରକାର ସବୁ ମହଲରେ ସମଲୋଚନାର ଶିକାର ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ?

କଳିଙ୍ଗନଗରରେ ଯାହା ସବୁ ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତେବେ ଆମ ସରକାର ଏହି ସମୟରେ ତୁରନ୍ତ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ସହ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି । ସରକାର ପ୍ରଭାବିତ ଆଦିବାସୀମାନଙ୍କ ସହ ଆଲୋଚନାର ଦ୍ୱାର ଖୋଲା ରଖିଛନ୍ତି ।

ପୁନର୍ବାସ ଏବଂ ଥଇଥାନ ନୀତିକୁ ଆହୁରି ମାନବୀୟ ଏବଂ ସମବେଦନାମୂଳକ କରିବା ପାଇଁ ଆମେ ଗୁରୁତ୍ୱ ଦେଉଛୁ । ଏହି ନୀତିର ସମୀକ୍ଷା କରି ସେଥିରେ ଉନ୍ନତି ଆଣିବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏ ଦିଗରେ ଆଦିବାସୀ ନେତା, ପ୍ରମୁଖ ବେସରକାରୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବିମାନଙ୍କର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ମନସ୍ଥ କରିଛୁ ।

ଗତ ଜାନୁୟାରୀ ଦୁଇ ତାରିଖରୁ କଳିଙ୍ଗନଗରରେ ଆଦିବାସୀମାନେ ଆନ୍ଦୋଳନ ଜାରୀ ରଖିଛନ୍ତି । ରାଜ୍ୟର ଅନ୍ୟ ସ୍ଥାନର ଆଦିବାସୀମାନଙ୍କୁ ଏହି ଆନ୍ଦୋଳନ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ଅନ୍ୟ ଅଞ୍ଚଳକୁ ଆଦିବାସୀ ଆନ୍ଦୋଳନ ବ୍ୟାପି ନାହିଁ । କଳିଙ୍ଗନଗରରେ ଆମେ ଶାନ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ବିସ୍ଥାପିତ ଲୋକମାନଙ୍କ ସହ ଲାଗାତାର ଆଲୋଚନା କରି ଶାନ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ମୁଁ ଆଦିବାସୀମାନଙ୍କୁ ଆଲୋଚନା ପ୍ରସ୍ତାବ ମଧ୍ୟ ଦେଇଛି ।

ଏହି ଘଟଣା ପରେ ଶିଳ୍ପାୟନ ପ୍ରକ୍ରିୟାରେ ଏକ ସ୍ଥିତାବସ୍ଥା ଆସିଯାଇଛି । ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ସରକାର
କ’ଣ କରୁଛନ୍ତି?

ଏହା ସତ୍ୟ ନୁହେଁ ଯେ, ଗୁଳିକାଣ୍ଡ ପରେ ରାଜ୍ୟର ଶିଳ୍ପାୟନରେ ସ୍ଥିତାବସ୍ଥା ଆସିଛି । କେବଳ କଳିଙ୍ଗନଗରରେ ଆଦିବାସୀମାନେ ପାରାଦ୍ୱୀପ ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରିଥିବାରୁ ବନ୍ଦରର କାରବାର ପ୍ରଭାବିତ ହୋଇଛି ।

ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ମୁଁ ଆଶା କରୁଛି ।

ଓଡ଼ିଶାରେ ପୋସ୍କାର ଇସ୍ପାତ ପ୍ରକଳ୍ପକୁ ମଧ୍ୟ ବିରୋଧ ବଢିବାରେ ଲାଗିଛି । ସେ ସବୁକୁ ଦୃଷ୍ଟିରେ ରଖି ଥଇଥାନ ନୀତିର ଆପଣ ସମୀକ୍ଷା କରୁଛନ୍ତି କି?

ମୁଁ ଆଗରୁ କହି ସାରିଛି ଯେ, ଏକ ମନ୍ତ୍ରୀ ସ୍ତରୀୟ କମିଟି ସେହି ନୀତିର ଅନୁଧ୍ୟାନ କରୁଛି । ପୋସ୍କୋ ପ୍ରକଳ୍ପରେ ବିସ୍ଥାପିତମାନଙ୍କ ପାଇଁ ମଧ୍ୟ ସେହି ନୀତି ଲାଗୁ ହେବ ।

କେବଳ ଇସ୍ପାତ କ୍ଷେତ୍ରରେ ରାଜ୍ୟ ସରକାର ୪୩ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ସେଥି ମଧ୍ୟରୁ କେତୋଟି କାର୍ଯ୍ୟକାରୀ ହୋଇଛି?

ସେଗୁଡିକ ମଧ୍ୟରୁ ସତରଟି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି । ଅନ୍ୟ କେତେକ ଜମି ଅଧିଗ୍ରହଣ କରିସାରିଛନ୍ତି ।

ଆପଣ କ’ଣ ଭାବୁଛନ୍ତି ଏକା ସାଙ୍ଗରେ ଏତେ ସଂଖ୍ୟକ ଶିଳ୍ପାନୁଷ୍ଠାନର ପ୍ରଭାବକୁ ରାଜ୍ୟ ବହନ କରିପାରିବ?

ଶିଳ୍ପାୟନ ସହ ପରିବେଶ ଉପରେ ମଧ୍ୟ ଆମେ ଗୁରୁତ୍ୱ ଆରୋପ କରୁଛୁ । ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଶିଳ୍ପକୁ ଆମେ ଅନୁମତି ଦେବୁ ନାହିଁ ।

ପ୍ରତ୍ୟେକ ଶିଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ତାହାର ପାଶ୍ୱର୍ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯାଇ ପରିବେଶ ସୁରକ୍ଷା ଦିଗରେ ସଂପୂର୍ଣ୍ଣ ଦୃଷ୍ଟି ଦିଆଯିବ । ଆମେ ଶିଳ୍ପାୟନ ଏବଂ ପରିବେଶ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବୁ ।

ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଉପଯୁକ୍ତ ଥଇଥାନ ଯୋଗାଇ ଦେବା ପାଇଁ ରାଜ୍ୟର ସରକାରୀ କଳ ବର୍ତ୍ତମାନ ପ୍ରସ୍ତୁତ ଅଛି କି?

ବିସ୍ଥାପିତମାନଙ୍କ ଉପଯୁକ୍ତ ଥଇଥାନକୁ ପ୍ରାଥମିକତା ଦିଆଯିବ । ପ୍ରତ୍ୟେକ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଥଇଥାନ ପ୍ରକ୍ରିୟାର ତଦାରଖ ଏବଂ ତାହା କାର୍ଯ୍ୟକାରୀ କରିବା ପାଇଁ ଉପଦେଷ୍ଟା କମିଟି ରହିଛି ।

ଅତୀତରେ ବିସ୍ଥାପିତ ହୋଇଥିବା ଅନେକ ଲୋକ ବର୍ତ୍ତମାନ କ୍ଷତିପୂରଣ ଦାବି କରୁଛନ୍ତି । ସେମାନଙ୍କ ପାଇଁ ସରକାର କ’ଣ ଯୋଜନା କରୁଛନ୍ତି?

ବିସ୍ଥାପନ ଏକ ନୂଆ ସମସ୍ୟା ନୁହେଁ । ବହୁ ଦଶନ୍ଧି ଆଗରୁ କେତେକ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ରେଳ ଲାଇନ୍ ନିର୍ମାଣ ସମୟରେ ଅନେକଗୁଡିଏ ପରିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ବିସ୍ଥାପିତ ହୋଇଛନ୍ତି ।

ସେମାନଙ୍କ ସମସ୍ୟା ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଜଣାଇଛି ।

କି ପଦକ୍ଷେପ ନେଲେ ଆଦିବାସୀମାନଙ୍କର ସମସ୍ୟା ସମାଧାନ ହୋଇ ପାରିବ?

ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଏବଂ ବିକ୍ରି ଉପରେ ଆଦିବାସୀମାନଙ୍କ ଉପରୁ କଟକଣା ଉଠାଇବାଠାରୁ ଆରମ୍ଭ କରି ସେମାନଙ୍କ ନାଁରେ ଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର ପର୍ଯ୍ୟନ୍ତ ଆମ ସରକାର ଗତ ଛଅ ବର୍ଷ ଧରି ଆଦିବାସୀମଙ୍ଗଳ ନୀତି ଗୁଡିକୁ କାର୍ଯ୍ୟକାରୀ କରି ଆସିଛି ।

ଅଣଆଦିବାସୀମାନେ ଆଦିବାସୀମାନଙ୍କର ଜମିଗୁଡିକୁ ବେଆଇନଭାବେ ଦଖଲ କରିଥିଲେ । ସେଗୁଡିକୁ ଫେରାଇ ଆଣି ପ୍ରକୃତ ଜମି ମାଲିକଙ୍କୁ ଦିଆଯାଉଛି । ଆଦିବାସୀମାନଙ୍କୁ ବର୍ତ୍ତମାନ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ସରକାରୀ ସ୍ତରରେ ଏହି ସବୁ ଆଦିବାସୀମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସର୍ବନିମ୍ନ ସ୍ତରରେ ହିତାଧିକାରୀମାନଙ୍କ ଅବସ୍ଥା ଅପରିବର୍ତ୍ତିତ ଥିବା ଦେଖାଯାଉଛି କାହିଁକି?

ସର୍ବନିମ୍ନ ସ୍ତରରେ ସେମାନଙ୍କ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଦିବାସୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନେ ସାଧାରଣ ସ୍କୁଲ ଅପେକ୍ଷା ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି ।

ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଜଳସେଚନ ପ୍ରକଳ୍ପ ଏବଂ ରାସ୍ତାଘାଟ ନିର୍ମାଣ ତ୍ୱରାନ୍ୱିତ ହୋଇଛି ।

ରାଜ୍ୟରେ କାରଖାନା ପ୍ରତିଷ୍ଠା ନ କରି ବହୁ କମ୍ପାନୀ ଲୁହାପଥର ରପ୍ତାନୀ କରୁଛନ୍ତି । ସେମାନଙ୍କ ଏହି କାମକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ବର୍ତ୍ତମାନ ଯେଉଁ କମ୍ପାନୀଗୁଡିକ ରାଜ୍ୟରେ କାରଖାନା ପ୍ରତିଷ୍ଠା କରିବାରେ ଇଚ୍ଛୁକ, ଆମେ ସେମାନଙ୍କୁ ଖଣି ଲିଜ୍ ଦେଉଛୁ । ମୋ ସରକାର ରାଜ୍ୟ ଭିତରେ ଖଣିଜ ପଦାର୍ଥରେ ଭାଲ୍ୟୁ ଆଡିସନ୍ କରିବା ଆରମ୍ଭ କରିଛି ।

ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସମ୍ବଳ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ ।

ତେବେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍ ଆକ୍ଟ, ୧୯୫୭ ଅନୁଯାୟୀ ଚାଲିଥିବା ରପ୍ତାନୀ ଉପରେ କଟକଣା ଜାରୀ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି ।

ବର୍ତ୍ତମାନର ଖଣି ନୀତି ଅନୁଯାୟୀ ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ରପ୍ତାନୀ ପାଇଁ ଆପଣ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି କି?

ଦେଶ ବ୍ୟାପି ବର୍ତ୍ତମାନ ଖଣି ନୀତି ସମୀକ୍ଷା କରାଯାଉଛି । ତେବେ ମୋ ମତରେ ଦେଶ ଭିତରେ ଖଣିଜ ପଦାର୍ଥରେ ଅଧିକରୁ ଅଧିକ ଭ୍ୟାଲୁ ଆଡିସନ୍ ହେବା ଉଚିତ ।

ଆପଣଙ୍କ ସରକାର କୃଷିକୁ ପ୍ରାଧାନ୍ୟ ଦେଉ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି । ଏ ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କ’ଣ?

ଆମ ସରକାର ସବୁବେଳେ କୃଷିକୁ ପ୍ରାଥମିକତା ଦେଇ ଆସିଛି । ରାଜ୍ୟର ପ୍ରତି ବ୍ଲକ୍ ରେ ଶତକଡା ୩୫ ଭାଗ ଚାଷଜମିକୁ ସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛୁ ।

କୃଷକମାନେ ସାମୁହିକଭାବେ ସେମାନଙ୍କ ଜମିକୁ ଜଳ ସେଚିତ କରିବା ପାଇଁ ମୋ ସରକାର ପାଣି ପଞ୍ଚାୟତ, ବିଜୁ କୃଷକ ବିକାଶ ଯୋଜନା ଆଦି ଆରମ୍ଭ କରିଛି ।

ରାଜ୍ୟ ଭିତରେ କୃଷି ଭିତ୍ତିକ ପାଣିପାଗର ବିବିଧତାକୁ ଦୃଷ୍ଟିରେ ରଖି ଆମେ ଉଦ୍ୟାନ ମିଶନ ଜରିଆରେ ଫୁଲ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ କୃଷକମାନଙ୍କୁ ସାହାଯ୍ୟ କରୁଛୁ ।

କଳିଙ୍ଗନଗରରେ ଆଦିବାସୀ ଆନ୍ଦୋଳନକୁ ଭିତ୍ତିକରି ମାଓବାଦୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ଅଧିକ ଦୃଢ କରିବାର ସମ୍ଭାବନା ଅଛି କି? ଆପଣ ସେଭଳି ପରିସ୍ଥିତିର କିଭଳି ମୁକାବିଲା କରିବେ?

ମୁଁ କହି ସାରିଛି ଯେ, ଆଦିବାସୀ ଆନ୍ଦୋଳନ ତୀବ୍ର ହୋଇନାହିଁ । ଯଦି କୌଣସି ମାଓବାଦୀ ସଂଗଠନ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରନ୍ତି, ତେବେ ଜନ ସାଧାରଣ ସେମାନଙ୍କ ଉଦ୍ଦେଶ୍ୟ ଜାଣି ପାରିବେ ବୋଲି ମୋର ଆଶା ।

ଆସନ୍ତା ତିନି ତାରିଖରୁ ବିଧାନ ସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ବିରୋଧୀ ଦଳକୁ ସାମନା କରିବା ପାଇଁ ଆପଣ କି ରଣ ନୀତି ଧାର୍ଯ୍ୟ କରିଛନ୍ତି?

ଏଥରର ଅଧିବେଶନରେ ବିରୋଧୀ ଦଳ ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ନ ଦେଇ ରାଜ୍ୟର ଦୀର୍ଘମିଆଦି ଉନ୍ନତି ସକାଶେ ଗଠନମୂଳକ ପ୍ରସ୍ତାବ ରଖିବେ ବୋଲି ମୋର ବିଶ୍ୱାସ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଆଦିବାସୀ, ମୁଖ୍ୟମନ୍ତ୍ରୀ, ସରକାର, ସାକ୍ଷାତକାର

ନକ୍ସଲ ସମସ୍ୟା ଦୂର ପାଇଁ ଲୋକଙ୍କ ଆସ୍ଥା ଲୋଡ

June 5, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ଲୁଲୁ ତ୍ରିପାଠୀ

କେନ୍ଦ୍ରାପଡ଼ା, ଜୁନ୍ ୫ (ଓଡିଶା ଡଟ୍ କମ୍) ଓଡିଶାର ଗ୍ରାମାଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁସିତ ଇଲାକାରେ ରହିଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ହୋଇପାରିଲେ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ହୋଇଥିବା ନକ୍ସଲ ସମସ୍ୟା ଆପେ ଆପେ ଦୂର ହୋଇଯିବ ବୋଲି ରାଜ୍ୟର ଜଣେ ଯୁବ ସାଂସଦ କହିଛନ୍ତି ।

ରାଜ୍ୟର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଉତ୍କଟ ହୋଇଥିବା ମାଓବାଦୀ ଓ ନକ୍ସଲ ସମସ୍ୟା ଦୂର କରିବାକୁ ହେଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ରାଜନେତାମାନେ ସ୍ଥାନୀୟ ଅଧିବାସୀମାନଙ୍କ ସମସ୍ୟା ଦୂର ଲାଗି ପ୍ରାଥମିକତା ଦେବାକୁ ହେବ ବୋଲି ସାଂସଦ ଖାରବେଳ ସ୍ୱାଇଁ ଓଡିଶା ଡଟ୍ କମ୍ କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ସମ୍ପ୍ରତି ରାଜ୍ୟରେ ଯେଉଁଭଳି ଭାବେ ନକ୍ସଲ ଓ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି, ତାହା ସମଗ୍ର ରାଜ୍ୟ ଓ ଜାତି ଲାଗି ଉଦ୍ବେଗର କାରଣ ବୋଲି ସ୍ୱାଇଁ କହିଛନ୍ତି ।

ସାମାଜିକ ବିକାଶରେ ପରିପନ୍ଥୀ ସାଜିଥିବା ବ୍ୟକ୍ତିମାନଙ୍କୁ ବିରୋଧ କରିବାକୁ ଯାଇ ନକ୍ସଲ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଆଶଙ୍କାକୁ ସେ ଅସ୍ୱୀକାର କରିଥିଲେ ।

ତେବେ ବନ୍ଧୁକ ମୁନରେ କ୍ଷମତା ହାସଲ କରିବା ଲାଗି ନକ୍ସଲମାନେ ଆଦିବାସୀମାନଙ୍କୁ ସର୍ବଦା ଅନୁନ୍ନତ ଅବସ୍ଥାରେ ରଖିବାକୁ ଚାହୁଁଛନ୍ତି ଓ ସେମାନେ ହିଁ ଆଦିବାସୀ ଅଞ୍ଚଳର ବିକାଶରରେ ମୁଖ୍ୟ ପରିପନ୍ଥୀ ସାଜିଛନ୍ତି ବୋଲି କହିଛନ୍ତି ।

ତେବେ ଏ ଦିଗରେ ସରକାରଙ୍କ ତ୍ରୁଟିବିଚ୍ୟୁତିକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ବାଲେଶ୍ୱର ସାଂସଦ ସ୍ୱାଇଁ କହିଛନ୍ତି ।

ସରକାରୀକଳ ଆଦିବାସୀ ଅଧ୍ୟୁସିତ ଅଞ୍ଚଳକୁ ଘନ ଘନ ଗସ୍ତ କରିବା ସହିତ ସେମାନଙ୍କ ସହିତ ଆପୋଷ ଆଲୋଚନା ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିଲେ ଆଦିବାସୀମାନଙ୍କ ଆସ୍ଥା ଭାଜନ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର ନକ୍ସଲଙ୍କୁ ବିରୋଧ କରିବାକୁ ଯାଇ ସ୍ପେସାଲ ସ୍କ୍ୱାର୍ଡ ଗଠନ କରିଥିଲେ । ମାତ୍ର କଂଗ୍ରେସ ସରକାର କ୍ଷମତାସୀନହେବା ପରେ ଯୁଦ୍ଧବିରତି ଘୋଷଣା କରିଥିଲେ । ଏହାର ସୁଯୋଗ ନେଇ ନକ୍ସଲମାନେ ପୁଣି ଥରେ ମେଳି ବାନ୍ଧିଥିଲେ ।

ଏବେ ଯେତେବେଳେ ଆନ୍ଧ୍ର ସରକାର ସେମାନଙ୍କ ସହିତ ଆଲୋଚନାକୁ ଏଡାଇ ଦେଇ ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ନକ୍ସଲମାନେ ସେମାନଙ୍କ କାର୍ଯ୍ୟକଳାପକୁ ଜୋର୍ଦାର କରିଛନ୍ତି ।

ଏପରିକି ଆନ୍ଧ୍ରପ୍ରଦେଶରେ ନକ୍ସଲମାନେ ଜୂନ୍ ୧୫ ତାରିଖ ସୁଦ୍ଧା ସରକାରଙ୍କ ସହିତ ସବୁ ସମ୍ପର୍କ ଛିନ୍ନ କରିବା ଲାଗି ଟିଆର୍ସିକୁ ଧମକ ଦେଇଛନ୍ତି । ଯଦି ଏହା ନହୁଏ , ତେବେ ସେମାନଙ୍କୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ନକ୍ସଲମାନେ ଧମକଦେଇଛନ୍ତି ।

ଏପରି ପରିସ୍ଥିତିରେ ମଧ୍ୟସ୍ଥତା ନୁହେଁ ବରଂ ସେମାନେ ଅକ୍ତିଆର କରିଥିବା ଅଞ୍ଚଳରେ ସରକାର ପ୍ରତିଶ୍ରୁତି ମୁତାବକ ବିକାଶ କରିବା ସହିତ ଆସ୍ଥାଭାଜନ ହେଲେ ଯାଇ ସ୍ଥାନୀୟ ଲୋକମାନେ ସେମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ଓ ସରକାର ସେମାନଙ୍କୁ ମୁକାବିଲାକରିବାକୁ ସମର୍ଥ ହେବେ ବୋଲି ଆଲାଏଡ ଅଫିସର ପଦବୀର ମୋହ ତ୍ୟାଗ କରି ରାଜନୀତିରେ ଝାସ ଦେଇଥିବା ସ୍ୱାଇଁ କହିଛନ୍ତି ।

ସେହିପରି ଯାଜପୁର କଳିଙ୍ଗ ନଗରରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ସେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଜମିଅଧିଗ୍ରହଣ କିମ୍ବା କାରଖାନା ଶୁଭ ଦେବା ପୂର୍ବରୁ ବିସ୍ଥାପିତ ପରିବାରଙ୍କ ସମସ୍ୟାକୁ ସରକାର ଆଗଦୃଷ୍ଟି ଦେବା ଆବଶ୍ୟକ ।

ଏବେ ପର୍ଯ୍ୟନ୍ତ ରେଙ୍ଗାଲି, ହୀରାକୁଦ ପ୍ରକଳ୍ପର ବିସ୍ଥାପିତଙ୍କୁ ନ୍ୟାୟ ମିଳିନାହିଁ । ଏପରିପରିସ୍ଥିତିରେ କଳିଙ୍ଗ ନଗର ଅଞ୍ଚଳରେ ଥିବା ବନବାସୀମାନେ ସରକାରଙ୍କୁ କିପରି ବିଶ୍ୱାସ କରିବେବୋଲି ସେ ପ୍ରଶ୍ନ ଉଠାଇଥିଲେ ।

କେବଳ ସେତିକି ନୁହେଁ, କଳିଙ୍ଗ ନଗର ପ୍ରସଙ୍ଗରେ ଗୁଇନ୍ଦା ବିଭାଗର କାର୍ଯ୍ୟଧାରାକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି ।

ସେହିପରି ନାଲକୋର ଅଂଶଧନ ବିକ୍ରି ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ବିଚାର ବିମର୍ଷକୁ ଏନ୍ଡିଏ ସରକାରଙ୍କ କାର୍ଯ୍ୟଧାରାର ଅଂଶବିଶେଷ ବୋଲି ସ୍ୱାଇଁ ଦର୍ଶାଇଛନ୍ତି ।

ଅତୀତରେ ବାମପନ୍ଥୀ ଦଳ ଏଭଳି ପ୍ରସ୍ତାବକୁ ବିରୋଧ କରିଥିବାବେଳେ ଏବେ କ୍ଷମତାରେ ଥାଇ ସେମାନେ ନିରବତା ଅବଲମ୍ବନ କରୁଥିବାରୁ ସ୍ୱାଇଁ ଓଲଟା ବିସ୍ମୟ ପ୍ରକଟ କରିଥିଲେ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ନକ୍ସଲ ସମସ୍ୟା, ମାଓବାଦୀ, ମୁଖ୍ୟମନ୍ତ୍ରୀ, ସାକ୍ଷାତକାର

  • « Go to Previous Page
  • Go to page 1
  • Interim pages omitted …
  • Go to page 13
  • Go to page 14
  • Go to page 15

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ