• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଶିକ୍ଷା

ପ୍ରାଥମିକ ଶିକ୍ଷା ଓ ଫେଲ ପ୍ରସଙ୍ଗ

May 14, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନରେ କୌଣିସି ପିଲାକୁ ସେହି ସମାନ ଶ୍ରେଣୀରେ ଅଟକ ରଖାଯିବାକୁ ବାରଣ କରାଯାଇଛି । ଅର୍ଥାତ ପିଲାଟି ଥରେ ନାମ ଲେଖାଇଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶ୍ରେଣୀକୁ ପ୍ରତି ବର୍ଷ ଆପେ ଉନ୍ନୀତ ହୋଇ ଚାଲିବ । ଅନେକଙ୍କ ଧାରଣା ଯେ ଏଥିରେ ଯେହେତୁ ଭଲ ଆଉ ଖରାପ ଭତରେ ଛଟେଇ ହେଉନାହିଁ, ସମସ୍ତଙ୍କୁ ଖରାପ କରିଦେଉଛି । ଏଣୁ କିଛି ଶିକ୍ଷକ, ଶିକ୍ଷା ପ୍ରଶାସକମାନେ ମଧ୍ୟ ଏହାକୁ ବିରୋଧ କରୁଥିବା ନଜରକୁ ଆସିଛି ।

ଶିକ୍ଷା ଅଧିକାର ଆଇନର ଏହି ଧାରାରେ ପରିବର୍ତ୍ତନ କରାଯାଇ ପୂର୍ବ ପରି ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା କରିବାକୁ କିଛି ରାଜ୍ୟରେ ପ୍ରସ୍ତାବ ବିଚାରାଧିନ ଅଛି । ଆମ ରାଜ୍ୟରେ ଗଣ ଶିକ୍ଷା ବିଭାଗ ମଧ୍ୟ ଏମିତି ବିଚାର କରୁଥିବା ଗଣ ମାଧ୍ୟମରେ ଚର୍ଚାକୁ ଆସିଥିବା ବେଳେ ଏହି ଆଲେଖ୍ୟ ଆଲୋଚନାର ଆଉ ଏକ ଦିଗ ଉପରେ ଆଲୋକପାତ କରିବ । ନିକଟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହୋଇଥିବା ବାର୍ଷିକ ପରୀକ୍ଷାରେ ଏମିତି କିଛି ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି ।

ପ୍ରାଥମିକ ସ୍ତରରେ ପ୍ରଶ୍ନ ପତ୍ର ପ୍ରସ୍ତୁତି, ଲିଖିତ ପରୀକ୍ଷା ଖାତାକୁ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ମୂଲ୍ୟାଙ୍କନ କରିବା ପ୍ରଭୃତି ଏଥର ଦେଖିବାକୁ ମିଳିଥିଲା । ହୁଏତ ଉଦ୍ଦେଶ୍ୟ ଥିଲା ପରୀକ୍ଷା ମାଧ୍ୟମରେ ପିଲାଙ୍କ ପ୍ରକୃତ ଶିକ୍ଷଣ ଦକ୍ଷତାକୁ ପରଖିବା ।

ହେଲେ ଯଥେଷ୍ଟ ସମୟ ଆଗରୁ ପ୍ରଶ୍ନପତ୍ର ପ୍ରଘଟ, କଳାପଟା ଓ ପରୀକ୍ଷାଖାତାରେ ଉତ୍ତର ଲେଖି ପରୀକ୍ଷା କରେଇବା ଭଳି ଘଟଣା ଅନେକ ଜାଗାରେ ଲୋକଲୋଚନକୁ ଆସିଛି । ତୁତ ମୁତୁରି ମୁତ ମୁତୁରି ନ୍ୟାୟରେ କଥାଟି ଜଣା ଅଥଚ ଅଜଣା ହୋଇ ରହିଯାଇଛି । ଅ- ଆ , ଯୋଗ- ବିୟୋଗ ଭଳି ସର୍ବ ନିମ୍ନ ଶିକ୍ଷଣ ପିଲାଙ୍କର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗର ଶରବ୍ୟ ହେଉଥିବା ଶିକ୍ଷା ବିଭାଗ ହୁଏତ ଏଥିରୁ ମୁକୁଳିବାକୁ ଏପରି କରିଥାଇ ପାରନ୍ତି ।

ହେଲେ ଏମିତି ସ୍ଥିତିରେ ପିଲାଙ୍କ ଜ୍ଞାନ ଓ ଦକ୍ଷତା ପରୀକ୍ଷା କରାଗଲା ନା ଶିକ୍ଷକମାନେ ଅପଦସ୍ତ ହେଲେ ଏହା ବୁଝିବା ଲୋକ ଠିକ ବୁଝି ପରୁଥିବେ! ଶିକ୍ଷା ଅଧିକାର ଆଇନର ଏହି ବ୍ୟବସ୍ଥାକୁ ବିରୋଧ କରିବାର ପ୍ରମୁଖ ଯୁକ୍ତି ହେଉଛି ଯେ, ଏହା ଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି । କହିବାକୁ ଗଲେ ପୁର୍ବ ଶ୍ରେଣୀର ପାଠ ଜାଣି ନଥିବା ପିଲା ପରବର୍ତ୍ତି ଶ୍ରେଣୀକୁ ଉନ୍ନିତ ହେଲେ ସ୍ଥିତି ଆହୁରି ଖରାପ ହେଉଛି । ଏହା ପ୍ରକୃତ କଥା ।

ତେବେ ଏହାରି ଆଳରେ ପିଲାଙ୍କୁ ଫେଲ କରାଯିବାର ଯୁକ୍ତି ଗ୍ରହଣୀୟ ନୁହେଁ । କାରଣ ଶିକ୍ଷା ଅଧିକାର ଆଇନରେ ପିଲାଙ୍କୁ ଅଟକ ନରଖିବା କଥା କୁହାଯାଇଥିଲେ ହେଁ ମୂଲ୍ୟାୟନକୁ ବନ୍ଦ କରିବାକୁ କୁହାଯାଇ ନାହିଁ । ଏହି ଆଇନ ଆନୁଯାୟୀ ନିରନ୍ତର ପ୍ରକ୍ରୟାରେ ପିଲାଙ୍କ ମୂଲ୍ୟାୟନ କରାଯିବା କଥା କୁହାଯାଇଛି । ପ୍ରତ୍ୟେକ ଶ୍ରେଣୀର ଏକ ସର୍ବନିମ୍ନ ଶିକ୍ଷଣ ସ୍ତର ଧାର୍ଯ୍ୟ କରାଯାଇଛି । ତାରି ଆଧାରରେ ଶିକ୍ଷକ ପିଲାଙ୍କୁ ପଢେଇବେ ଓ ନିରନ୍ତର ଭାବେ ମୂଲ୍ୟାୟନ ମଧ୍ୟ କରିବେ ।

ଯେକୌଣସି ମୂହୁର୍ତ୍ତରେ ପିଲାଟି ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷଣ ସ୍ତରରୁ ନିମ୍ନକୁ ଯାଉଥିବାର ଅନୁଭବ ହେଲେ ସେଥିପାଇଁ ସ୍ୱତନ୍ତ୍ର ଶିକ୍ଷାର ପ୍ରବଧାନ କରିବେ । ପ୍ରକୃତ ପକ୍ଷେ ‏ଯଦି ନିରନ୍ତର ମୂଲ୍ୟାୟନ ହେଉଥିବ ତାହେଲେ ବାର୍ଷିକ ପରୀକ୍ଷା କରାଯାଇ ଫେଲ କରିବାର ଆବଶ୍ୟକତା ପଡିବ ନାହିଁ । ଶିକ୍ଷା ଅଧିକାର ଆଇନରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ସର୍ବନିମ୍ନ ମାନ ନିର୍ଦ୍ଧାରଣ କରାଯାଇଛି । ଏଥିରେ ଶ୍ରେଣୀ କକ୍ଷ, ଶୌଚାଳୟ, ଶିକ୍ଷକ ଛାତ୍ର ଅନୁପାତ, କାର୍ଯ୍ୟ ଦିବସ ଓ ସମୟ ନିର୍ଘଣ୍ଟ, ଗ୍ରନ୍ଥାଗାର, ଖେଳପଡିଆ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ହେଲେ ବିଭିନ୍ନ ଆକଳନ ଅନୁଯାୟୀ ମାତ୍ର ଚାରି ଶତକଡା ସରକାରୀ ବିଦ୍ୟାଳୟ ଏହି ମାନ ପୁରଣ କରିପାରଛନ୍ତି । ଏବେ ବି ବିଦ୍ୟାଳୟରେ ତାଲିମ ପ୍ରାପ୍ତ ଶିକ୍ଷକ ନାହାନ୍ତି । ତିରିଶ ଭାଗରୁ ଅଧିକ ବିଦ୍ୟାଳୟକୁ ପାଠ୍ୟ ପୁସ୍ତକ ପହଞ୍ôଚ ପାରିନାହିଁ । ଶୌଚାଳୟର ଅଭାବରୁ ମାସିକ ଋତୁଶ୍ରାବ ସମୟରେ ଝିଅ ମାନେ ଅନୁପସ୍ଥିତ ରହୁଛନ୍ତି । ବାଧାହିନ ବ୍ୟବସ୍ଥା ନଥିବା କାରଣରୁୁ ଅନେକ ଭିନ୍ନକ୍ଷମ ବିଦ‏୍ୟାଳୟକୁ ଅସୁନାହାନ୍ତି ।

ଏପରି ସ୍ଥଳରେ ଆମେ ଗୁଣାତ୍ମକ ଶିକ୍ଷା କିପରି ଆଶା କରିବା? ପ୍ରଥମରେ ଆମେ ଏସବୁ ବ୍ୟବସ୍ଥାରେ ସୁଧାର ଆଣିବା ଓ ତାପରେ ପିଲାଙ୍କୁ ଦାୟୀ କରି ପାରୀକ୍ଷା କଲେ ଯୁକ୍ତିଯୁକ୍ତ ମନେ ହେବ । ଅନ୍ୟଥା ମୁଣ୍ଡ ବ୍ୟଥା ପାଇଁ ମୁଣ୍ଡ କାଟ କଲା ଭଳି କଥା ହେବ । ଗୁଣାତ୍ମକ ଶିକ୍ଷା ଓ ଶିକ୍ଷଣ ସ୍ତରକୁ ସୁନିଶ୍ଚିତ କରିବାର ଆଉ ଏକ ଦିଗ ହେଲା ନିରନ୍ତର ତଦାରଖ କରିବା । ବିଦ୍ୟାଳ଼ୟ ସ୍ତରରେ ତଦାରଖ ଓ ସହାୟତା ପାଇଁ ସର୍ବ ଶିକ୍ଷା ଅଭିଯାନ ବ୍ୟବସ୍ଥାରେ ସିଆରସିସି ଓ ବିଆରସିସି ନିଯୁକ୍ତ ହୋଇଛନ୍ତି ।

ରାଜ୍ୟସ୍ତରରୁ ଏକ ସ୍ୱତନ୍ତ୍ର ତଦାରଖ ବ୍ୟବସ୍ଥା ‘ସମୀକ୍ଷା’ ଓଡିଶା ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେଉଛି । ନୀୟମାନୁଯାୟୀ ପ୍ରତ୍ୟେକ ସିଅରସିସି ଅତିକମରେ ମାସରେ ଦଶଟି ବିଦ୍ୟାଳୟକୁ ପରିଦର୍ଶନ କରିବେ ଓ ସେହି ବିଦ୍ୟାଳୟରେ ଦିନଟିଏ କାଟିବେ । ନିଜେ ପାଠ ପଢେଇବେ ଓ ଅନ୍ୟ ଶିକ୍ଷକମାନେ ଶ୍ରେଣୀରେ ପଢାଉଥିବା ବେଳେ ଅନୁଧ୍ୟାନ କରିବେ । ସେହିପାରି ବିଆରସିସି, ଜିଲ୍ଲା ଶିକ୍ଷାଧିଶ ପ୍ରଭୃତିଙ୍କପାଇଁ ତଦାରଖର ନିର୍ଦ୍ଦିଷ୍ଟ ଉତ୍ତରଦାୟୀତ୍ୱ ଧାର୍ଯ୍ୟ ହୋଇଛି ।

ପିଲାଙ୍କୁ ପରୀକ୍ଷା କରିବା ପୁର୍ବରୁ ଆମର ଏହି ବ୍ୟବସ୍ଥାର ପରୀକ୍ଷା ହେବା ଆବଶ୍ୟକ । ଅନ୍ୟଥା ବ୍ୟବସ୍ଥାର ଦୋଶ ଘୋଡାଇବାକୁ ଯାଇ ପିଲାଙ୍କୁ ଦାୟୀ କରାଯିବା ଘୋର ଅନ୍ୟାୟ ହେବ । ସାମାଜିକ ଅସମାନତା, ଅସ୍ପୃଶ୍ୟତା, ଦାରିଦ୍ର୍ୟ ପ୍ରଭୃତି କାରଣରୁ ଏବେବି ଅନେକ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି । ଅନେକ ପ୍ରୟାସର ଫଳ ସ୍ୱରୁପ ଏମାନଙ୍କ ଭିତରେ ବିଦ୍ୟାଳୟକୁ ଫେରିବାର ଆଗ୍ରହ ବଢୁଛି । ଏପରି କ୍ଷେତ୍ରରେ ଯେଉଁମାନେ ବିଦ୍ୟାଳୟ ଆସିବରେ ‘ପ୍ରଥମ ପିଢି’ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

ଗୋଟିଏ ଶ୍ରେଣୀରେ ବାରମ୍ବାର ଅଟକ ରଖିଲେ ଏହାର ମାନସିକ ପ୍ରଭାବ ପିଲାଙ୍କ ଉପରେ ପଡେ ଓ ଅଧାରୁ ପାଠ ଛାଡିବାର ଏହା ଏକ ପ୍ରମୁଖ କାରଣ । ବିଦ୍ୟାଳୟ ପରିବେଶକୁ ଆକର୍ଷଣୀୟ ଓ ଶିଶୁ କୈନ୍ଦ୍ରିକ କରି ଗଢି ତୋଳିବାର ଉତ୍ତରଦାୟୀତ୍ୱ ଆମ ସମସ୍ତଙ୍କର । ଏଥିରେ ଆମେ ପାସ ହେଲେ ପିଲାଙ୍କୁ ଫେଲ କରିବାର ଅବଶ୍ୟକତା ରହିବ ନାହିଁ ।

 

Filed Under: ଶିକ୍ଷା Tagged With: ପ୍ରାଥମିକ ସ୍ତର, ଶିକ୍ଷା

ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

May 14, 2018 by ଘାସିରାମ ପଣ୍ଡା 1 Comment

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା ୨୪୨୫ଟି ବିଦ୍ୟାଳୟ ସମ୍ପର୍କରେ ସରଜମୀନ ତଦନ୍ତ ପୂର୍ବକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବିଦ୍ୟାଳୟ ବନ୍ଦ ପ୍ରକ୍ରିୟାର ପ୍ରଥମ ପାଦ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୫୦୦ ବିଦ୍ୟାଳୟ ବନ୍ଦ ହୋଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ୫ରୁ କମ ଉପସ୍ଥାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରାଯାଇ ବିଦ୍ୟାଳୟ ବନ୍ଦକୁ ବିରୋଧ କରଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ଏହି ଚାପ ଯୋଗୁଁ କିଛି ବିଦ୍ୟାଲୟ ବନ୍ଦ ହେବାରୁ ବର୍ତ୍ତି ଯାଇଥିଲେ । ୨୨ ତାରିଖର ଏହି ଚିଠି ଅନୁସାରେ ଏବେ ସୁଦ୍ଧା ୫ରୁ କମ ଉପସ୍ଥାନ ଥିବା ୨୮ ଓ ୧୦ରୁ କମ ଉପସ୍ଥାନ ଥିବା ୨୩୯ ଟି ବିଦ୍ୟାଳୟ ବନ୍ଦ ହୋଇନାହିଁ । ହେଲେ ଏହି ଆବଶ୍ୟକାତାକୁ ସ୍ୱିକୃତି ଦେବା ପରିବେର୍ତ୍ତେ ଏପର୍ଯନ୍ତ ଏହି ସବୁ ବିଦ୍ୟାଳୟ ବନ୍ଦ ନହେବାକୁ ନେଇ ପ୍ରଶାସନିକ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ବିଦ୍ୟାଳୟ ବନ୍ଦ ହେôବା ଯୋଗୁଁ ପିଲା ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ୧ ଜୁଲାଇ ଓ ୬ ଜୁଲାଇରେ ଓପେପା ପକ୍ଷରୁ ଜାରୀ ହୋଇଥିବା ଦୁଇଟି ଚିଠି ଏହି ସତ୍ୟକୁ ସାବ୍ୟସ୍ତ କରୁଛି । ୧ ଜୁଲାଇର ଚିଠିରେ ୨୪ଟି ଜିଲ୍ଲାର ବନ୍ଦ ହୋଇଥିବା ବିଦ୍ୟାଳୟମାନଙ୍କର ଏକ ତାଲିକା ଦିଆଯାଇଛି । ଏଥିରେ ଦିଆଯାଇଥିବା ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ହେଲା ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ୨୬୧ର ପ୍ରଭେଦ ଥିଲା ।

ହୁଏତ ୨୬୧ ରାଜ୍ୟ ପାଇଁ ବହୁତ ବଡ ସଂଖ୍ୟା ହୋଇ ନପାରେ । ହେଲେ ଜିଲ୍ଲା ସ୍ତରକୁ ଯାଇ ଅନୁଧ୍ୟାନ କଲେ ସୁନ୍ଦରଗଡରେ ୧୬୦ ପିଲା, ସମ୍ବଲପୁରରେ ୫୨ ପିଲାଙ୍କ ହିସାବ ନମିଳିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ପରେ ୬ ତାରିଖରେ ସମାନ ଅଧିକାରୀଙ୍କ ଦ୍ୱାରା ଆଉ ଏକ ପତ୍ର ସମାନ ବିଷୟକୁ ନେଇ ଜାରି ହୋଇଛି । ଏଥିରେ ୨୮ଟି ଜିଲ୍ଲାର ତଥ୍ୟ ଦିଆଯାଇଛି ।

ପରେ ସାମିଲ କରାଯାଇଥିବା ଚାରି ଜିଲ୍ଲା ବାଲେଶ୍ୱର, କଳାହାଣ୍ଟି, କେନ୍ଦୁଝର ଓ ମୟୁରଭଞରେ ବନ୍ଦ ହୋଇଥିବା ବିଦ୍ୟାଳୟର ପିଲା ସଂଖ୍ୟା ଯଥାକ୍ରମେ ୧୮, ୧୮୪, ୧୦୪ ଓ ୧୦୬ । ବିଦ୍ୟାଳୟ ବନ୍ଦ ପରେ ଏ ପିଲାମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଶାସନ ପାଖରେ ନାହିଁ । ଫଳରେ ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ପ୍ରଭେଦ ୨୬୧ରୁ ବୃଦ୍ଧି ପାଇ ୬୭୩ ହୋଇଛି ।

ଜଗତସିଂପୁର ଓ ମଲକାନଗିରିର ସ୍ଥିତି ଏବେବି ସରକାରଙ୍କ ପାଖରେ ନାହିଁ ! ଏହା ବିଦ୍ୟାଳୟ ବନ୍ଦ ପୂର୍ବ ପ୍ରସ୍ତୁତିରେ ସରକାରଙ୍କ ଭୂମୀକାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସି୍ଥତି, ଗ୍ରାମାଞ୍ଚଳ ଗରୀବ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ଯେତିକି ତତ୍ପର ନାହାନ୍ତି, ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ନେଇ ସେତିକି ବ୍ୟଗ୍ର ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଅତିକମରେ ଦୁଇ ଜଣ ଶିକ୍ଷକ ରହିବେ । କମ ପିଲା ଥିବା ବିଦ୍ୟାଳୟକୁ ବନ୍ଦ କାରାଗଲେ ସରକାର ଏହି ଶିକ୍ଷକ ମାନଙ୍କୁ ଅନ୍ୟ ବିଦ୍ୟାଳୟରେ ନିଯୁକ୍ତି ଦେଇ ପାରିବେ । ଏହା ଦ୍ୱାରା ବିଭାଗର ବ୍ୟୟ ଭାର କମାଯାଇ ପାରିବ । ଆଗାମୀ ଦିନରେ ୨୫ରୁ କମ ଉପସ୍ଥାନ ଥିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ହେବ ।

ଏପରି ହେଲେ ପ୍ରାୟ ୧୨୫୦୦ ବିଦ୍ୟାଳୟ ବନ୍ଦ ହେବ ଓ ସେହି ହାରରେ ବ୍ୟୟ ସଂକୁଚିତ ହୋଇପାରିବ । ତେବେ ବ୍ୟୟ ଭାର କମ କରିବାର ଏହି ଯୋଜନାରେ ପ୍ରଭାବିତ ହେଉଛି କିଏ ? ୧୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟର ଚିଠାକୁ ଦେଖିଲେ ଆଦିବାସୀ ଅଞ୍ଚଳ ଯେପରିକି ରାୟଗଡା, ଗଜପତି, ମାଲକାନଗିରି, କେନ୍ଧୁଝର ଭଳି ଜିଲ୍ଲାମାନେ ବିଶେଷ ପ୍ରଭାବିତ ହେବେ ।

ଗୋଟିଏ ପଟେ ପ୍ରତ୍ୟେକ ଆଦିବାସୀ ଜିଲ୍ଲାରେ କାଉନସିଲ ଗଠନ କରାଯାଇ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଜନା ଓ ଅପରପକ୍ଷେ ଶିକ୍ଷା ପାଇଁ ବ୍ୟୟକୁ ବୋଝ ମନେକରାଯିବା ପରସ୍ପରର ବିରୋଧାଭାସ ।ଶିକ୍ଷା ଅଧିକାର ଆଇନର ତଦାରଖ ଓ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସର୍ବୋଚ୍ଚ ଅନୁ ।ନ । ବିଦ୍ୟାଳୟ ବନ୍ଦ କାରଣରୁ ଅନେକଙ୍କ ଶିକ୍ଷା ଅଧିକାର ବାଧାପ୍ରାପ୍ତ ହେଉଥିବାର ଅନୁଭବ କରି ଆୟୋଗ ଗୋଟିଏ ବର୍ଷ ପୂର୍ବରୁ ଗତ ଜୁନ ୨୪ରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହି ଲେଖକଙ୍କ ଅଭିଯୋଗର ଆଧାରରେ ଶୁଣାଣି କରି ଆୟାଗ ନିଜ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟାଳୟ ବନ୍ଦ ଶିକ୍ଷା ଅଧିକାର ଆଇନରେ ପ୍ରଦତ୍ତ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାରକୁ ପ୍ରଭାବିତ କରୁଛି । ଗରିବ ଘରର ପୁଅ, ଝିଅ ଯେଉଁମାନେ ଦୂର ଗାଁକୁ ପାଠ ପଢିବା ପାଇଁ ଯାଇ ପାରିବେ ନାହିଁ, ଏହା ଦ୍ୱାରା ପ୍ରଭାବିତ ହେବେ ।

ସରାକାରୀ ବିଦ୍ୟାଳୟ ବନ୍ଦ ହେଲେ ନିମ୍ନ ମାନର ବେସରକାରୀ ବିଦ୍ୟାଳୟ ଖୋଲିବ । ଏହା କ୍ରମାନ୍ୱୟରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ । ବିଦ୍ୟାଳୟକୁ ପିଲା ଆସୁନଥିବା ହେତୁ ବନ୍ଦ କରିବା ପାଇଁ ନିଷ୍ପତ୍ତ ନନେଇ, ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ପୋଷାକ ଓ ସାଇକଲ ଦିଆଯାଉଥିବା ବେଳେ ପିଲାଙ୍କ ବିଦ୍ୟାଳୟ ବିମୁଖତାର କାରଣ ଖୋଜିବା ଆବଶ୍ୟକ ।

ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଧାରିତ ମାନ ଅନୁଯାୟୀ ସରକାରୀ ବିଦ୍ୟାଳୟକୁ ପ୍ରସ୍ତୁତ କରାଗଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ଓ ପିଲା ଅକୃଷ୍ଟ ହେବେ । ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ ବନ୍ଦ ପାଇଁ ପ୍ରସ୍ତାବିତ ପ୍ରତ୍ୟେକ ବିଦ୍ୟାଳୟର ତଦଜନିତ ପ୍ରଭାବ ଆକଳନ କରିବାକୁ ଆୟୁକ୍ତ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବନ୍ଦ କରିବା ପାଇଁ କେବଳ ଉପସ୍ଥାନ ସଂଖ୍ୟାକୁ ଧ୍ୟାନ ଦିଆ ନଯାଇ, ପଢିବା ପାଇଁ ପିଲାଙ୍କୁ କେତେ ଦୂର ଯିବାକୁ ପଡିବ ତାକୁ ବିଚାରକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

କେବଳ ସରାକାରୀ ସ୍ତରରେ ନିଷ୍ପତ୍ତି ନନେଇ ସ୍ଥାନୀୟ ଲୋକ ଅନୁ ।ନ, ଗ୍ରାମ ପଂଚାୟତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ସହ ପାରାମର୍ଶକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି । ପରିତାପର ବିଷୟ ଆୟୁକ୍ତଙ୍କ ନିଦ୍ଦେର୍ଶକୁ ବିଭାଗ ଅଣଦେଖା କରୁଛି । ଶିକ୍ଷା ଅଧିକାର ସୁରକ୍ଷା କ୍ଷେତ୍ରରେ ଶିକ୍ଷା ବିଭାଗ ସେବା ପ୍ରଦାନ କାରୀ ଓ ପିଲା ଅଧିକାରର ଧାରକ । ସେବା ପ୍ରଦାନ କାରୀ ଦାୟିତ୍ୱରେ ଖିଲାପ କଲେ ଆୟୁକ୍ତ ତାଗିଦ ଓ ନିର୍ଦ୍ଦେଶ ଦେବାର ସାମ୍ବୀଧାନିକ ଦାୟୀତ୍ୱ । ବିଦ୍ୟାଳୟ ବନ୍ଦ ଯୋଗୁଁ ୨୮ ଜିଲ୍ଲାରେ ୬୭୩ ଛାତ୍ର ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ଶିକ୍ଷା ଅଧିକାର ଆଇନର ଉଲଂଘନ ।

ବିଭାଗର କୌଣସି ନିଷ୍ପତ୍ତ ଯୋଗୁଁ ଯଦି ୬ ରୁ ୧୪ ବର୍ଷର ଜଣେ ବି ପିଲା ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବାରୁ ବଂଚିତ ହେଲେ ଶିକ୍ଷା ଅଧିକାର ଆଇନର ଉଲଂଘନ ବୋଲି ଧରାଯିବ । ମାନବ ସମ୍ଭଳ ବିକାଶ ପାଇଁ ଶିକ୍ଷା ଆବଶ୍ୟକ । ଏଣୁ ଶିକ୍ଷା ପାଇଁ ବ୍ୟୟକୁ ବୋଝ ବୋଲି ମନେ ନକରି କୌଣସି ବି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଆୟୁକ୍ତଙ୍କ ରାୟର ପାଳନ କଲେ ସାମ୍ବିଧାନିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ଶିକ୍ଷା ଅଧିକାର ସୁରକ୍ଷିତ ହେବ ।

Filed Under: ଶିକ୍ଷା Tagged With: ଓଡିଶା, ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା

ଶିକ୍ଷାର ଘରୋଇକରଣ ଓ ସରକାରୀ ଆଭିମୂଖ୍ୟ

May 14, 2018 by ଘାସିରାମ ପଣ୍ଡା Leave a Comment

ସରକାରୀ ବିଦ୍ୟାଳୟ ପ୍ରତି ଅବହେଳା ଓ ଘରୋଇଙ୍କୁ ଅନୁଗ୍ରହ ପ୍ରାଥମିକ ଶିକ୍ଷାରେ ଘରୋଇକରଣର ପଥ ପ୍ରସ୍ତୁତ କରୁଛି । ଲଗାତାର ଭାବେ ଗତ ଦୁଇ ବର୍ଷ ହେଲା ଉପସ୍ଥାନ ଅଭାବ ଆଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଉଛି । ଅପର ପକ୍ଷରେ ବିନା ସ୍ୱୀକୃତି ପ୍ରମାଣ ପତ୍ରରେ ରାଜ୍ୟରେ ହଜାର ହଜାର ଘରୋଇ ବିଦ୍ୟାଳୟ ବେଆଇନ ଭାବେ ଚାଲୁଥିଲେ ବି କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କରାଯାଉ ନାହିଁ ।

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସମସ୍ତ ପ୍ରାଥମିକ ଶିକ୍ଷା ପ୍ରଦାନକାରୀ ଅନୁ ।ନକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଏଗୁଡିକ ହେଲା ସମ୍ପୁର୍ଣ୍ଣ ସରକାରୀ ଯାହା ସରକାରଙ୍କ ଦ୍ୱାରା ପ୍ରତି ିତ ଓ ପରିଚାଳିତ, ଅନୁଦାନ ପ୍ରାପ୍ତ ଯାହା ବ୍ୟକ୍ତି ବା ଗୋ ୀ ଉଦ୍ୟମରେ ପ୍ରତି ିତ ହୋଇଥିଲା ହେଲେ ପରେ ଆଂଶିକ ବା ସମ୍ପୁର୍ଣ୍ଣ ସରକାରୀ ଅନୁଦାନରେ ପରିଚାଳିତ, ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ସ୍ଥାପିତ ଯଥା ସୈନିକ ବିଦ୍ୟାଳୟ ବା ନବୋଦୟ ବିଦ୍ୟାଳୟ ଓ ଅଣଅନୁଦାନ ପ୍ରାପ୍ତ ଯଥା ବେସରକାରୀ ଓ ଘରୋଇ ପରିଚାଳିତ ବିଦ୍ୟାଳୟ ।

ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ସ୍ଥାପିତ ଓ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ କେବଳ ସଂଖ୍ୟାଲଘୁଙ୍କ ଦ୍ୱାରା ପରିଚାଳିତ ଘରୋଇ ବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଅନୁ ।ନ ପାଇଁ ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଦିଷ୍ଟ ନୀତି ଓ ମାନ ନିର୍ଦ୍ଧାରିତ ହୋଇଛି । ଆଇନର ଧାରା ୧୮ ଅନୁଯାୟୀ ସମସ୍ତ ଘରୋଇ ବିଦ୍ୟାଳୟ ପାଇଁ ‘ସ୍ୱୀକୃତି ପ୍ରମାଣ ପତ୍ର’ ଅନିର୍ବାର୍ଯ୍ୟ ଅଟେ ।

ତେବେ ଶିକ୍ଷା ଅଧିକାର ଆଇନରେ ଧାର୍ଯ୍ୟ ନୀତି ଓ ମାନକୁ ପୁରଣ କରୁଥିବା ବିଦ୍ୟାଳୟମାନେ ହିଁ ଏହି ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ । ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏଥିପାଇଁ ସରଜମୀନ ତଦନ୍ତ କରାଯାଇଥାଏ । ଶିକ୍ଷା ଅଧିକାର ଆଇନ ଲାଗୁ ହେଲାପାରେ ଧାର୍ଯ୍ୟ ମାନକୁ ପୁରଣ କରିବା ପାଇଁ ସମସ୍ତ ବିଦ୍ୟାଳୟକୁ ପାଂଚ ବର୍ଷର ମହଲତ ଦିଆଯାଇଥିଲା ।

ହେଲେ ଏବେ କାଁ ଭାଁ କିଛି ବିଦ୍ୟାଳୟ ଏହାକୁ ମାନୁଥିବାର ଦେଖାଯାଉଛି । ବଡ ବଡ ବିଦ୍ୟାଳୟମାନଙ୍କରେ ଭିତ୍ତିଭୂମୀ ଜନିତ ସମସ୍ତ ମାନ ପୁରଣ ହୋଇ ଯାଉଥିଲେବି ତାଲିମ ପ୍ରାପ୍ତ ଶିକ୍ଷକ ଓ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ପଚିଶ ଭାଗ ସ୍ଥାନ ସଂରକ୍ଷଣର ସର୍ତ୍ତ ପୁରଣ ହୋଇପାରୁ ନାହିଁ । ଆଇନର ଧାରା ୧୨ (୧) ଏବଂ (୨) ଅନୁଯାୟୀ ଏହା ବାଧ୍ୟତାମୂଳକ ।

ଗାଁ ଗହଳିରେ ଛତୁଫୁଟା ଘରୋଇ ବିଦ୍ୟାଳୟମାନଙ୍କରେ ଗୋଟିଏ ବି ମାନ ପୁରଣ ହଉ ନାହିଁ । ସ୍ୱୀକୃତି ପ୍ରମାଣ ପତ୍ର ନଥାଇ ପରିଚାଳିତ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କାର ଜରିମାନ ସହ ବନ୍ଦ କରି ଦିଆଯାଇ ପାରିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷମତା ପ୍ରାପ୍ତ । ବନ୍ଦ ନିର୍ଦ୍ଦେଶ ପରେ ବି ବିଦ୍ୟାଳୟ ଚାଲୁ ରହିଲେ ପ୍ରତ୍ୟେକ ଗୋଟିଏ ଦିନ ପାଇଁ ଅଧିକ ଦଶ ହଜାର ଟଙ୍କା ଜରିମାନା ଆଦାୟ ହେବ ।

ଏହା କଡାକଡି ଭାବେ କାର୍ଯକାରୀ ହେଲେ ଘରୋଇ ବିଦ୍ୟାଳୟରେ ଗୁଣାତ୍ମକ ମାନ ବଜାୟ ରହିବ । ହେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଘରୋଇ ବିଦ୍ୟାଳୟ ପ୍ରତି ଉଦାର ମନୋଭାବ ଆଇନର କାର୍ଯ୍ୟକାରିତାରେ ଅନ୍ତରାୟ ସାଜୁଛି । ୨୦୧୬ ଅଗଷ୍ଟ ୨୩ ରେ ବିଭାଗ ଦ୍ୱାରା ଜାରି କରାଯାଇ ଥିବା ପତ୍ର ସଂଖ୍ୟା ୧୬୮୩୭ ଏହାର ଏକ ଉଦାହରଣ ।

ଏହି ପତ୍ର ଅଧାରରେ ବିନା ସରଜମୀନ ତଦନ୍ତରେ ବିଦ୍ୟାଳୟ ମାନଙ୍କର ସ୍ୱୀକୃତି ଅବଧି ଗୋଟିିଏ ବର୍ଷ ପାଇଁ ବଢେଇ ଦିଆଗଲା । ଏଥିରେ ୨୦୧୭ ମସିହା ମାର୍ଚ ୩୧ ସୁଦ୍ଧା ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟର ସ୍ୱୀକୃତି ପ୍ରମାଣ ପତ୍ର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଥିଲା । ସାଧାରଣତଃ ସ୍ୱୀକୃତି ପ୍ରମାଣ ପତ୍ର ପାଇଥିବା ବିଦ୍ୟାଳୟର ତାଲିକା ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କ ୱବ ସାଇଟରେ ପ୍ରକାଶିତ ହୁଏ ।

ହେଲେ ଚଳିତ ଶିକ୍ଷା ବର୍ଷ ପାଇଁ ଗୋଟିଏ ବି ବିଦ୍ୟାଳୟ ଏହି ପ୍ରମାଣ ପତ୍ର ପାଇଥିବା ପ୍ରଦର୍ଶିତ ହୋଇ ନାହିଁ । ଇତି ମଧ୍ୟରେ ବିଭାଗ ତରଫରୁ ବିଭନ୍ନ ପର୍ଯ୍ୟାୟରେ କେବଳ ଭୁବନେଶ୍ୱରରେ ଥିବା ଘରୋଇ ବିଦ୍ୟାଳୟ ପରିଚାଳନା ମୂଖ୍ୟମାନଙ୍କ ବୈଠକ କରାଯାଇଥିଲେ ହେଁ ପ୍ରମାଣ ପତ୍ରକୁ ବାଧ୍ୟତା ମୂଳକ କରିବାରେ ବିଭାଗ ସକ୍ଷମ ହୋଇ ପାରି ନାହିଁ ।

ଚଳିତ ବର୍ଷ ଫେବୃୟାରୀ ୨୧ରେ ବିଭାଗ ଦ୍ୱାରା ଜାରି ପତ୍ର ସଂଖ୍ୟା ୨୯୫୬ ଘରୋଇ ବିଦ୍ୟାଳୟକୁ ଆହୁରି ସୁହାଇବ । ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱୀକୃତି ପ୍ରମାଣ ପତ୍ର ଏକ କାଳିନ ପାଂଚ ବର୍ଷ ପାଇଁ ଦିଆଯାଇ ପାରିବ । ଏହି ପାଂଚ ବର୍ଷ ଭିତରେ ଉପଯୁକ୍ତ ଅଧିକାରୀ ଅତିକମରେ ଥରେ ପରିଦର୍ଶନ କରିବେ । ଏହା ମୂଳ ଆଇନର ପରିପନ୍ଥି । ସ୍ୱୀକୃତି ପ୍ରମାଣ ପତ୍ର ସବୁବେଳେ ସର୍ତ୍ତ ମୂଳକ ।

ଆଇନ ଆଧାରିତ ନୀତି ଓ ମାନକୁ ବିଦ୍ୟାଳୟ ଉଲଂଘନ କରୁଥିବା ଅଧିକାରୀ ପ୍ରମାଣ ପାଇଲେ ପ୍ରମାଣ ପତ୍ର ପ୍ରତ୍ୟାହୃତ କରି ପାରିବେ । ପାଂଚ ବର୍ଷରେ ଥରେ ଅଧିକାରୀ ବିଦ୍ୟାଳୟକୁ ପରିଦର୍ଶନରେ ଗଲେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ନୀତି ଓ ମାନର କିପରି ତଦାରଖ ହୋଇପାରିବ ? ନୀୟମିତ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ଛଅ ମାସ ବା ବର୍ଷରେ ଥରେ ବୋଲି ଧାର୍ଯ୍ୟ କରିବାରେ ଅସୁବିଧା କ’ଣ ? ପାଂଚ ବର୍ଷରେ ଅତିକମରେ ଥରେ କହି ବିଭାଗ ଘରୋଇ ବିଦ୍ୟାଳୟକୁ ଜାଣିଶୁଣି ନିୟନ୍ତ୍ରଣ ବାହାରକୁ ଛାଡିଦେଇଛି !

ଏହି ବର୍ଷ ଅଗଷ୍ଟ ୨୩ରେ ଜାରି ଆଉ ଏକ ପତ୍ର ସଂଖ୍ୟା ୧୫୬୬୩ ସରକାରଙ୍କ ଘରୋଇ ପ୍ରିତୀକୁ ସ୍ପଷ୍ଟ କରୁଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ସରକାରୀ ବିଦ୍ୟାଳୟକୁ ସମୟାନୁଯାୟୀ ସବୁ ବିଷୟର ପାଠ୍ୟ ପୁସ୍ତକ ଯୋଗାଇ ପାରୁ ନଥିବା ବିଭାଗ ଏକ ନିର୍ଦ୍ଧିଷ୍ଟ ଅନୁ ।ନ ଦ୍ୱାରା ପରିଚାଳିତ ଘରୋଇ ବିଦ୍ୟାଳୟର ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଇବାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପତ୍ରରେ ଉଲ୍ଲେଖ ଅଛିଯେ, ଏହି ଅନୁ ।ନ ଦ୍ୱରା ପରିଚାଳିତ ବିଦ୍ୟାଳୟମାନଙ୍କରେ ସମସ୍ତ ଜାତି, ଧର୍ମର ପିଲାଙ୍କୁ ଦାରିଦ୍ର୍ୟତା ତଥା ଯୋଗ୍ୟତା ଆଧାରରେ ନାମଲେଖା ଯାଏ । ଶିକ୍ଷା ଅଧିକାର ଆଇନ ଧାରା ୧୩ ସ୍ୱଚ୍ଚ ନାମଲେଖାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ଚୟନ ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇଛି । ଯୋଗ୍ୟତା ଆଧାରରେ ନାମ ଲେଖାଇବାକୁ ଏକ ପ୍ରକାରର ଚୟନ ପ୍ରକ୍ରୟା ବୋଲି ବିଭାଗ ବିଚାରକୁ ନେଉ ନାହନ୍ତି କି? ଦେୟ ଦେଇ ପାରୁଥିବା ଅଭିଭାବକ ନିଜ ପିଲାଙ୍କୁ ଏହି ବିଦ୍ୟାଳୟରେ ପଢାନ୍ତି ।

ଏଣୁ ଏମାନେ ବହି କିଣି ପଢି ପରିବେ । ମାଗଣା ଶିକ୍ଷା ଇଚ୍ଛା କରୁଥିବା ଅଭିଭାବକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଲେ ପାଠ୍ୟ ପୁସ୍ତକ ସମେତ ପୋଷାକ, ମଧ୍ୟାହ୍ନ ଭୋଜନ ଭଳି ଅନ୍ୟାନ୍ୟ ସରକାରୀ ସୁବିଧା ପାଇବେ । ଘରୋଇ ପରିଚାଳିତ ବିଦ୍ୟାଳୟରେ ମାଗଣା ବ୍ୟବସ୍ଥା ପ୍ରଚଳିତ ହେଲେ ଏହା ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ କହିବା ନାହିଁ କି ? ସ୍ୱୀକୃତି ପ୍ରମାଣ ପତ୍ର ନଥିବା କାରଣରୁ କିଛି ବିଦ୍ୟାଳୟର ଛାତ୍ରଛାତ୍ରି ଗତବର୍ଷ ନବୋଦୟ ନିର୍ବାଚନୀ ପରୀକ୍ଷାରୁ ବାଦ ପଡିଥିଲେ ।

ଏହି ପରିପ୍ରେକ୍ଷିରେ ସ୍ୱୀକୃତି ପ୍ରମାଣ ପତ୍ର ନଥିବା ବିଦ୍ୟାଳୟକୁ ବିଧାୟକ ଉନ୍ନୟନ ପାଣ୍ଠି ଓ ଅନ୍ୟାନ୍ୟ ସରକାରୀ ସହାୟତା କୁ ଆଇନ ସମ୍ମତ ବୋଲି କହିବା କିପରି ? ଶିକ୍ଷା ଅଧିକାର ଆଇନ ପ୍ରଣିତ ହେବା ପରେ ଘରୋଇ ବିଦ୍ୟାଳୟକୁ ପ୍ରସ୍ତୁତ ହେବା ପାଇଁ ଯଥେଷ୍ଟ ସମୟ ମିଳି ସାରିଛି । ଏବେ ସ୍ୱୀକୃତି ପ୍ରମାଣ ପତ୍ର ବିନା ଘରୋଇ ବିଦ୍ୟାଳୟ ଚାଲୁ ରହିଲେ ଏହା ସରକାରଙ୍କ ଅସହାୟତା ନତୁବା ଘରୋଇ ପ୍ରିତି ବୋଲି ଧରିନେବାକୁ ହେବ ।

Filed Under: ଶିକ୍ଷା Tagged With: ଶିକ୍ଷା, ସରକାରୀ ବିଦ୍ୟାଳୟ

ବିଦ୍ୟାଳୟ ବାହାରେ କେତେ ପିଲା ?

May 12, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ଶିକ୍ଷାକୁ ମାଗଣା ଓ ବାଧ୍ୟତା ମୂଳକ କରାଯାଇଛି । ଏଥି ସହିତ ସମସ୍ତଙ୍କ ପାଇଁ ପ୍ରାକ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଏହି ଆଇନରେ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି । ସମସ୍ତେ ବିଦ୍ୟାଳୟକୁ ଯାଇପାରିବେ, ଏଣୁ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା ସରକାର ନୀୟମାବଳୀରେ ପ୍ରତିଶୃତି ଦେଇଛନ୍ତି ।

ଏଥିପାଇଁ ପ୍ରତି ବର୍ଷ ସର୍ବେକ୍ଷଣ କରାଯାଇ ଆବଶ୍ୟକତା ଥିବା ଅଂଚଳରେ ବିଦ୍ୟାଳୟ ସ୍ଥାପନ କରିବା ସରକାରଙ୍କ ଏକ ଆଇନଗତ କର୍ତ୍ତବ୍ୟ । ଯେଉଁମାନଙ୍କୁ ନିର୍ଦ୍ଧାରିତ ଦୂରତାରୁ ଅଧିକ ଯିବାକୁ ପଡୁଛି, ସେମାନଙ୍କ ପାଇଁ ସହାୟକ ଓ ଯାତାୟତ ଖର୍ଚ୍ଚ ପ୍ରଦାନ ଶିକ୍ଷା ଅଧିକାର ଆଇନର ଏକ ବୈଶିଷ୍ଠ୍ୟ । ଏତେ ବ୍ୟବସ୍ଥା ସତ୍ୱେ ଏହି ବୟସର ଅନେକ ପିଲା ରାସ୍ତା କଡ ଢାବା, ଚା ଦୋକାନ, ଘରୋଇ କାର୍ଯ୍ୟ ଓ ଆହୁରି ଅନେକ ବିପଦସଂକୁଳ ସ୍ଥଳିରେ ଦେଖିବାକୁ ମିଳୁଛନ୍ତି ।

କହିବାକୁ ଗଲେ ୬ ରୁ ୧୪ ବର୍ଷର ସମସ୍ତ ପିଲା ଏବେ ବି ବିଦ୍ୟାଳୟର ପରିଧି ଭିତରକୁ ଆସିପାରି ନାହାନ୍ତି । ବିଭିନ୍ନ ସମୟରେ ପିଲା ମାନେ କାହିଁକି ବିଦ୍ୟାଳୟ ବାହାରେ ରହୁଛନ୍ତି ତାର କାରଣ ଆଲୋଚିତ ହୋଇଛି ଓ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସତ୍ୱେ ବି ସଫଳତା ମିଳି ପାରୁ ନାହିଁ । ଏହାର ଏକ ବଡ କାରଣ ହେଲା କେଉଁ ସ୍ଥାନରେ କେତେ ସଂଖ୍ୟାରେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ତାକୁ ନେଇ ଏକ ସ୍ପଷ୍ଟ ଚିତ୍ର କାହା ପାଖରେ ନାହିଁ ।

ପ୍ରତ୍ୟେକ ପିଲାଙ୍କୁ ଠାବ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚହ୍ନଟ ସଂଖ୍ୟା ପ୍ରଦାନ ପୂର୍ବକ ପ୍ରଗତିର ବିବରଣୀ ରଖିବାକୁ ସର୍ବ ଶିକ୍ଷା ଅଭିଯାନ ଇ-ଶିଶୁ କାର୍ଯକ୍ରମ କରିଛନ୍ତି । ଏହାର ସଫଳତା ପାଇଁ ଗଣ ଶିକ୍ଷା ବିଭାଗ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ପ୍ରଧାନ ମନ୍ତ୍ରୀ ପୁରଷ୍କାର ଲାଭ କରିଛି । ଏହା ସତ୍ୱେ ବିଦ୍ୟାଳୟ ବାହାରେ କେତେ ପିଲା, ଏହାର ଉତ୍ତର ବିଭାଗ ପାଖରେ ନାହିଁ !

ବିଦ୍ୟାଳୟ ବାହରେ ଥିବା ପିଲାଙ୍କ ସ୍ଥିତି କୁ ନେଇ ୨୦୧୫ ମସିହାରେ ଉଚ୍ଚ ନ୍ୟାୟାଳୟରେ ବିଭାଗ ସତ୍ୟ ପାଠ ଦାଖଲ କରି ୨୦୦୫ ପରଠାରୁ ଏନେଇ କୌଣସି ଅଗ୍ରଗତି ହୋଇନଥିବା ସ୍ୱିକାର କରିଥିଲେ । ଏବେବି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ । କିଛିଦିନ ପୂର୍ବେ ଶିକ୍ଷକ ମାନଙ୍କ ସହାୟତାରେ ପିଲାଙ୍କ ସ୍ଥିତି ନେଇ ସମଗ୍ର ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯାଇଛି ।

ଏପରି ଏକ ବ୍ୟୟ ବହୁଳ ଓ ସମୟ ସାପେକ୍ଷ କାର୍ଯକ୍ରମ ସତ୍ୱେ ବିଭାଗ ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟାକୁ ନେଇ ନିଶ୍ଚିତ ନାହାନ୍ତି! ଏଣୁ ଏପର୍ଯ୍ୟନ୍ତ ଏହି ତଥ୍ୟକୁ ସର୍ବ ସାଧାରଣଙ୍କ ଗୋଚରକୁ ଅଣାଯାଇ ନାହିଁ (?) ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଠାବ କରିବା ଏକ ନିରନ୍ତର ପ୍ରକ୍ରୟା । ଏପରି ହେଲେ ହିଁ ପିଲାଙ୍କୁ ପୁନଃ ବିଦ୍ୟାଳୟକୁ ଫରେଇ ଅଣାଯାଇ ପାରିବ ଓ ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ କରିବାରେ ସହାୟକ ହେବ ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଗତ ୩୧ ମାର୍ଚ, ୨୦୧୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଲୋଚନାକୁ ଅଣାଯାଇ ପାରେ । ୬ ରୁ ୧୪ ବର୍ଷ ବୟସର ଅନେକ ପିଲା ଥାଇ ପାରନ୍ତି ଯେଉଁମାନେ କେବେବି ବିଦ୍ୟାଳୟରେ ନାମ ଲେଖାଇ ନଥିବେ । ଶିକ୍ଷା ଅଧିକାର ଆଇନ ଧାରା ୯ (ଛ) ଅନୁଯାୟୀ ସେପରି ପିଲାମାନଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା ସହ ଅବଶ୍ୟକୀୟ ସ୍ୱତନ୍ତ୍ର ତାଲିମ ଯୋଗାଇବା ସ୍ଥାନୀୟ ଅଧିକାରୀଙ୍କ ଦାୟୀତ୍ୱ ।

ଏଣୁ ଏପରି ପିଲାଙ୍କୁ ଚିହ୍ନଟ କରାଯିବାର ଅବଶ୍ୟକତା ଉପରେ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଆମ ରାଜ୍ୟ ନୀୟମାବଳୀର ଧାର ୫ ଅନୁଯାୟୀ ୬ ରୁ ୧୪ ବର୍ଷର ପିଲା ଯେଉଁମାନେ ନାମ ଲେଖାଇ ନାହାନ୍ତି ଓ ଯେଉଁମାନେ ନାମ ଲେଖାଇଛନ୍ତି ଅଥଚ ଅନୁପସ୍ଥିତ ରହୁଛନ୍ତି, ଉଭୟଙ୍କୁ ବିଦ୍ୟାଳୟ ବାହାରେ ଥିବା ପିଲା ଭାବରେ ଗଣାଯାଇଛି ।

ନାମ ଲେଖାଯାଇଥିବା ସତ୍ୱେ ବିଦ୍ୟାଳୟରେ ଅନୁପସ୍ଥିତ ହେଉଥିବା ପିଲାଙ୍କୁ ଚିହ୍ନଟ ଓ ପୁନଃ ଯୋଗଦାନ ନିମନ୍ତେ ଉତ୍ସାହିତ କରିବା ପାଇଁ ବିଭାଗ ଦ୍ୱାରା ଜାରୀ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଯଦି ପିଲା ୭ ଦିନ ହେଲା ଅନୁପସ୍ଥିତ ହେଲାଣି ତାହେଲେ ପିଲା ତଥା ଅଭିବାବକଙ୍କୁ ବିଦ୍ୟାଳୟର ଶିକ୍ଷକ ଦେଖାକରି ଅସୁବିଧା ବୁଝିବେ ଓ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ବୁଝାସୁଝା କରିବେ । ଯଦି ପିଲା ୧୦ ଦିନ ହେଲା ଅନୁପସ୍ଥିତ ରହିଲାଣି ଏହି ଦାୟୀତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେବେ ।

ଏହା ସତ୍ୱେବି ପିଲା ଅନୁପସ୍ଥିତ ରହିଲେ ୧୫ ଦିନ ପରେ ବିଦ୍ୟାଳୟ ପରିଚାଲନା କମିଟି ତଥା ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟ / ସଦସ୍ୟା ମାନେ ଏଥିରେ ସହାୟତା କରିବେ । ଏହା ପରେବି ପରବର୍ତ୍ତି ତନି ଦିନ ପର୍ଯ୍ୟନ୍ତ ପିଲା ବିଦ୍ୟାଳୟକୁ ନଆସିଲେ ସିଆରସିସି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିବେ ।

ଯଦି ପିଲା ୩୦ ଦିନରୁ ଅଧିକ ଅନୁପସ୍ଥିତ ରୁହେ ତାହେଲେ ତାକୁ ବିଦ୍ୟାଳୟ ବାହାରେ (ଡ୍ରପ ଆଉଟ) ବୋଲି ଘୋଷଣା କରାଯିବ ଓ ୩୦ ଦିନ ପରେ ବିଦ୍ୟାଳୟକୁ ଫେରିଲେ ଆଉଥରେ ନାମ ଲେଖିବାକୁ ହେବ । ୨୦୧୪ ମସିହା ଠାରୁ ଜାରି ଏହି ବିଜ୍ଞପ୍ତି କିନ୍ତୁ ନଜର ଅଢୁଆଳରେ ରହିଯାଛି । ବିଜ୍ଞପ୍ତିରେ ଦାୟୀତ୍ୱ ନ୍ୟସ୍ତ କରାଯାଇ ଥିବା ଅଧିକାରୀଙ୍କ ସମେତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ତଦାରଖ କାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହାର କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇ ନାହାନ୍ତି ।

ପ୍ରକୃତ ପକ୍ଷେ ଏହାକୁ କାର୍ଯକାରୀ କରିବାକୁ ଥିବା ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଅବା ସିଆରସିସି ମାନେ ଅନେକ ଜାଗାରେ ଏପରି ଏକ ବିଜ୍ଞପ୍ତି ଥିବା ନେଇ ଅଜ୍ଞ । ଆଉ ଯେଉଁମାନେ ଏ ବିଜ୍ଞପ୍ତି ସମ୍ପର୍କରେ ଜାଣିଛନ୍ତି, ଉପରିସ୍ଥ ଅଧିକାରୀ ଏ ବିଷୟରେ କେବେବି ତଦାରଖ କରୁନଥିବାରୁ ଅଯଥା ଦାୟୀତ୍ୱ ଭାବି ଆଡେଇ ଯାଉଛନ୍ତି ।

ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ମାନଙ୍କରୁ ଦାଦନ ଯାଉଥିବା ପିଲାମାନେ ତିନିମାସ ପରେ ଫେରିଲେ ବି ବିଦ୍ୟାଳୟ ବାହାରେ ବୋଲି ଘୋଷିତ ହେଉ ନାହନ୍ତି କି ଆଉଥରେ ସେମାନଙ୍କ ନାମ ଲେଖା ଯାଉ ନାହିଁ । ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ପିଲା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହୁଥିଲେବି ୭, ୧୦ ବା ୧୫ ଦିନରେ ନିଆଯିବାକୁ ଥିବା ବା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ବିଦ୍ୟାଳୟ ମାନଙ୍କରେ ଉପଲବ୍ଧ ନହେବା ଏହାର ଗୋଟିଏ ଗୋଟିଏ ଉଦାହରଣ ।

୭ ଦିନରୁ ୩୦ ଦିନ ପାର୍ଯନ୍ତ ପର୍ଯାୟ କ୍ରମେ ଦିଆଯାଇ ଥିବା ଦାୟୀତ୍ୱ ତୁଳାଯାଇ ପାରିଲେ ବିଭିନ୍ନ ସ୍ଥିତିରେ ବିଦ୍ୟାଳୟ ବାହାରେ କେଉଁ ଠାରେ କେତେ ପିଲା ଅଛନ୍ତି ତାର ନିରନ୍ତର ଆକଳନ କରାଯାଇ ପାରିବ । ଏହା ବିଦ୍ୟାଳୟ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟାଇବାରେ ସହାୟକ ହୋଇ ପାରିବ ।

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

ଭେଦଭାବ ମୁକ୍ତ ବିଦ୍ୟାଳୟ

May 12, 2018 by ଘାସିରାମ ପଣ୍ଡା Leave a Comment


ସାମାଜିକ ଅସମାନତାର ପରିବେଶରେ ଆମେ ବହୁତ ସମୟରେ ଜାତି, ଲିଙ୍ଗ, ଧର୍ମ, ଶାରୀରିକ ଗଠନ ଇତ୍ୟାଦି ଆଧାରରେ ଘଟୁଥିବା ଭେଦଭାବର ସମ୍ମୁଖିନ ହେଉ । ଭେଦଭାବ ଦ୍ୱାରା ଜଣେ ଆଉ ଜଣକୁ ନୀଚ ବୋଲି ଦେଖାଏ । ଧର୍ମ ଓ ସାମାଜିକ ପ୍ରଥା, ପାରମ୍ପରା, ଚଳଣିରେ ଥିବା ରିତି ନୀତି ଯୋଗୁଁ ନୀଚ ବୋଲି ଗଣାଯାଉଥିବା ସେହି ବର୍ଗର ଲୋକେ ଅନେକ ସାର୍ବଜନୀନ ସୁବିଧା ସୁଯୋଗରୁ ବଞ୍ôଚତ ହୁଅନ୍ତି ।

ଅନେକ ସମୟରେ ସେମାନେ ଅସମ୍ମାନ ଜନକ ସ୍ଥିତିର ସାମନା କରନ୍ତି, ଯାହା କର୍ମ ଫଳ ମନେକରି ଦେହ ସୁହା କରି ନିଅନ୍ତି । ଶିକ୍ଷା ଓ ସଚେତନତା ମାଧ୍ୟମରେ ଭେଦଭାବ ଓ ତଦଜନିତ ଅସମାନତାକୁ ଦୂର କରିବା ପାଇଁ ଅନେକ ପ୍ରୟାସ କରାଯାଇଛି । ହେଲେ ଶିକ୍ଷାର ମୂଳ କେନ୍ଦ୍ର ଶିକ୍ଷାୟତନ ମାନେ ମଧ୍ୟ ଭେଦଭାବରୁ ଉଦ୍ଧ୍ୱର୍କୁ ଯାଇ ପାରିନାହାନ୍ତି । ଫଳରେ ଆଜି ଅନେକ ପିଲା ଶିକ୍ଷାରୁ ବାଦ ପଡୁଛନ୍ତି ।

ସରକାରଙ୍କ ସୁଚନା ଅନୁସାରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ସଂଖ୍ୟା ଆଶାତିତ ଭାବରେ କମାଯାଇପାରିଛି । ଏହା ସାଧାରଣରେ ୨୦୧୨ – ୧୩ ବେଳକୁ ୧୮.୭୨ଶତକଡା ଥିଲା ଯାହା ୨୦୧୫ – ୧୬ ବେଳକୁ ୬.୦୨କୁ ଖସି ଆସିଛି । ହେଲେ ତଫସିଲ ଭୂକ୍ତ ଜାତିଙ୍କ କ୍ଷେତ୍ରରେ ଏହା ମାତ୍ର ୧୫ ଶତକଡାକୁ କମିଛି ।

ଶିକ୍ଷା ଅଧିକାର ଆଇନର ଧାରା ୮ (ଗ) ଓ ୯ (ଗ) ଅନୁଯାୟୀ ଏହା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ଉତ୍ତରଦାୟୀତ୍ୱ ଯେପରି ଦୁର୍ବଳ ଓ ପଛୁଆ ବର୍ଗର ପିଲାମାନେ ଭେଦଭାବର ଶିକାର ନହୁଅନ୍ତି ଏବଂ ଏହା ସେମାନଙ୍କର ପଢା ଛାଡିବାର କାରଣ ନହୁଏ । ପରବର୍ତ୍ତି ସମୟରେ ଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ ପତ୍ର ସଂଖ୍ୟା ୧୦୪୦୦/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ ଓ ପତ୍ର ସଂଖ୍ୟା ୧୦୪୦୧/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ରେ ଦୁଇଟି ଗୁରୁତ୍ୱପୁର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ପ୍ରଥମଟିରେ ଉଲ୍ଲେଖ କରାଯାଇଛି ଯେ, ଜାତି, ଧର୍ମ, ମତବାଦ ଆଧାରରେ ବିଦ୍ୟାଳୟରେ ଭେଦଭାବ ହେଉଥିବା ଦୃଷ୍ଟିକୁ ଆସୁଛି । ଏହା ପିଲାମାନଙ୍କ ନିରନ୍ତର ଶିକ୍ଷାରେ ବାଧକ ସାଜୁଛି । ଶିଶୁର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ବିଦ୍ୟାଳୟଗୁଡିକୁ ଭେଦଭାବ ମୁକ୍ତ ପରିବେଶ କରିବା ପାଇଁ ପଦେକ୍ଷପ ନିଆଯିବାର ଆବଶ୍ୟକତା ରହିଛି । ଏଣୁ ବିଦ୍ୟାଳୟର ପ୍ରମୁଖ ସ୍ଥାନରେ ‘ଭେଦବାବ ଶୂନ୍ୟ ଅଂଚଳ’ ଲେଖାଯିବ ।

ଦ୍ୱିତୀୟଟିରେ ଉଲ୍ଲେଖ କରାଯାଇଛି ଯେ, ଆମ ରାଜ୍ୟରେ ବିଭିନ୍ନ ଜାତି ନାଁରେ ଅନେକ ବିଦ୍ୟାଳୟ ନାମିତ ହୋଇଛି । ଏହା ସାମ୍ବୀଧାନିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରିବା ସହ ସମ୍ପ୍ରଦାୟ ଭିତରେ ଅସନ୍ତୁଳନ ସୃଷ୍ଟି କରୁଛି । ଏଣୁ ଏହି ଭଳି ଜାତି ନାଁରେ ନାମିତ ବିଦ୍ୟାଳୟ ମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ନାମର ପରର୍ତ୍ତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅଧିକାର ଆଇନକୁ ବ୍ୟବହାର କରି ପଚାରାଯାଇ ଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟର କୌଣସି ବି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଭେଦଭାବର ଘଟଣା ଚିହ୍ନଟ ବା ଅଭିଯୋଗ ହେବାର ନଜିର ନାହିଁ ବୋଲି ‘ଓପେପା’ ଉଲ୍ଲେଖ କରିଛନ୍ତି । ରାଜ୍ୟର ପ୍ରାଥମିକ ଶିକ୍ଷା ପରିଚାଳନା କରୁଥିବା ପ୍ରମୁଖ ଅନୁଷ୍ଠାନର ଏପରି ଦାବୀ ସେମାନଙ୍କର ଅଜ୍ଞତାର ପରିଚାୟକ ।

ପ୍ରକୃତ ପକ୍ଷେ ଭେଦଭାବକୁ ବୁଝିବା, ଏପରି ସମ୍ବେଦନଶୀଳ ଘଟଣାକୁ ଚିହ୍ନଟ କରି ପରାମର୍ଶ ମାଧ୍ୟମରେ ସମାଧାନ କରିବା ଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭିତରକୁ ଆସିପାରି ନାହିଁ । ନିର୍ଦ୍ଦିଷ୍ଟ ଜାତିର ପିଲାଙ୍କୁ ସଫା କରିବା କାମରେ ଲଗେଇବା, ମଧ୍ୟାହ୍ନ ଭୋଜନରେ ଅଲଗା ବସେଇବା, ପୂଜା ପାର୍ବଣରେ ସାମିଲ ନକରେଇବା ଭଳି ଅନେକ ସଙ୍ଗିନ ଅଭିଯୋଗ ବିଭିନ୍ନ ସମୟରେ ଆସିଛି ।

ଅନେକ ବିଦ୍ୟାଳୟରେ ଏକଥା ଆଲୋଚନା କଲେ ‘ଆମର ଏଠି ତ ଏମିତି ହୁଏ ନାହିଁ’ ର ଉତ୍ତର ମିଳେ । ତଳେଇ କରି ଦେଖିଲେ ସେଠାରେ ବି ଦଳିତ ପିଲାଙ୍କର ଉତ୍ତର ଖାତା ଶିକ୍ଷକ ଛୁଉଁ ନଥିବା, ନିର୍ଦ୍ଦିଷ୍ଟ ପିଲାଙ୍କ ହାତରୁ କେବେ ପାଣି ପିଉ ନଥିବା, ପିଲା ଅନୁପସ୍ଥିତ ରହିଲେ ଅବିଭାବକଙ୍କୁ ଦେଖାକରିବା ପାଇଁ ଦଳିତ ବସ୍ତିକୁ ନଯିବା ଭଳି ଅନେକ ଉଦାହରଣ ଆସେ । ମାସିକ ଋତୁଶ୍ରାବ ସମୟରେ ବାଛବିଚାର ହେତୁ ଅଧିକାଂଶ ଝିଅ ଏହି ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି । ଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ମାନସିକ ଅନଗ୍ରସର ପ୍ରଭୃତି ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଶ୍ରେଣୀ ଗୃହ, ପାଇଖାନା, ଖେଳପଡିଆ, ପାଠ୍ୟ ଉପକରଣ, ଶିକ୍ଷଣ ପ୍ରଣାଳୀ ଇତ୍ୟାଦି ଅନୁପୁରକ ହୋଇପାରି ନାହିଁ ।

ଏଣୁ ଏମାନେ ମଧ୍ୟ ଭେଦଭାବର ଶିକାର ହୁଅନ୍ତି । ଜାତି ନାଁରେ ନାମିତ ବିଦ୍ୟାଳୟ ଉଭୟ ପିଲା ଓ ଶିକ୍ଷକଙ୍କ ପାଇଁ ଅଶ୍ୱସ୍ଥିକର ହୋଇଥାଏ । ଏପରି ବିଦ୍ୟାଳୟରେ ପିଲା ନାଁ ଲେଖାଇବାକୁ କୁଣ୍ଠିତ ହୁଅନ୍ତି । ଏଣୁ ପାଖ ବିଦ୍ୟାଳୟ ଛାଡି ସେମାନେ ଦୂର ଜାଗାରେ ନାଁ ଲେଖାନ୍ତି ଓ ପରେ ଏହା ବିଦ୍ୟାଳୟରେ ଅନୁପସ୍ଥିତିର କାରଣ ହୁଏ । ରାଜ୍ୟରେ ଜାତି ନାଁରେ କେତେ ବିଦ୍ୟାଳୟ ଅଛି ଓ ଏପର୍ଯ୍ୟନ୍ତ କେତେ ବିଦ୍ୟାଲୟର ନାଁ ନିର୍ଦ୍ଦେଶ ମୂତାବକ ପରିବତ୍ତିତ ହୋଇସାରିଛି – ଏମିତି ଏକ ପ୍ରଶ୍ନର ଉତ୍ତର ଶିକ୍ଷା ବିଭାଗ ପାଖରେ ନାହିଁ ।

ଭେଦଭାବ କେବଳ ଏକ ଭିତ୍ତିଭୂମୀ ଜନିତ ଅସୁବିଧା ନୁହେଁ । ଏହା ଅଧିକାଂଶରେ ମାନସିକ ଯାହା ଭ୍ରମଧାରଣା ଓ ସଠିକ ସୂଚନାର ଅଭାବରୁ ଉତ୍ପନ୍ନ ହୋଇଥାଏ । ମାନସିକତର ପରିବର୍ତ୍ତନ ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ କୌଣସି ପ୍ରକାରର ତାଲିମ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ବିଭାଗ ଅଜ୍ଞ । ଏକ ତଥ୍ୟ ରହିତ ବିଭାଗ ଭେଦଭାବ ଭଳି ବ୍ୟାପ୍ତ ଓ ଗମ୍ଭୀର ସମସ୍ୟାର ସମାଧାନ କରିବା ଦୁରୁହ ବ୍ୟାପାର ।

ଏଣୁ ପ୍ରଥମେ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ଏପରି ଅଭିଯୋଗ ହେଲେ ଅପମାନିତ ହେବାର ଭୟରେ ଯଦି ଘଟଣା ଗୁଡିକୁ ଦବେଇ ଦିଆଯାଏ ତାହେଲେ ଶିକ୍ଷାର ଅସଲ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେବ । ଏଣୁ ପ୍ରତ୍ୟେକ ବିଦ୍ୟାଳୟରେ ଭେଦଭାବ ସମ୍ପର୍କରେ ଆଲୋଚନା କରିବା, ଏ ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଅନୁକୁଳ ବାତାବରଣ ତିଆରି କରାଯିବାର ଆବଶ୍ୟକତା ରହିଛି ।

ଏକ ଭେଦଭାବ ମୁକ୍ତ ବିଦ୍ୟାଳୟର ବାସ୍ତବ ରୂପାୟନ ବାହାରେ ରହିଯାଇଥିବା ପିଲାମାନଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିପାରିବା ସହ ସାମାଜିକ ସମନାତାର ସ୍ରୋତ ବୁହାଇବାରେ ମଧ୍ୟ ସହାୟକ ହେବ ।

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

April 28, 2018 by ଓଡିଶା ଡଟ କମ Leave a Comment


ଘାସିରାମ ପଣ୍ଡା

ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ ।

ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ ଭିତରୁ କେହି କେହି ବିଲକୁଲ ପଢି ନାହାନ୍ତି, ଆଉ କେହି କେହି ଅଧାରୁ ପାଠ ଛାଡିଛନ୍ତି ।

ନିଜ ସାହି ବସ୍ତି ବା ପାଖ ଗାଁର କେଉଁ ଏକ ପିଲାକୁ ଭଲ ପାଇ ଉଧୁଲିଆ ଯାଇଥିଲେ । ପରେ ସାମାଜିକ ସ୍ୱୀକୃତିରେ ବାହା ହୋଇ ଘରକୁ ଫେରିଛନ୍ତି । ଗତ ଦୁଇ ବର୍ଷ ଭିତରେ ଏମାନଙ୍କ ଭଳି କମ ବୟସରେ ବାହା ହୋଇଥିବା ଏହି ବସ୍ତିର ୬ ଜଣ ମହିଳଙ୍କ ଗର୍ଭାବସ୍ଥା ବା ପ୍ରସବ ସମୟରେ ମୃତ୍ୟୁ ଘଟି ସାରିଛି ।

ଏହି ସବୁ କଥା ସେମାନଙ୍କ ସହ ଆଲୋଚନା କଲାବେଳେ ସେଠି ବସିଥିବା ଜଣେ ମାଁ ଗୋଟେ ଛୋଟ ଝିଅ ଆଡକୁ ଆଙ୍ଗୁଠି ଦେଖେଇ କହିଲେ, ଝିଅ ମୋର ଏଥର ଅଷ୍ଟମ ଶ୍ରେଣୀ ପାସ କଲା, ଏବେ ନବମ ପଢିବାକୁ ଦୂର ଗାଁକୁ ଯିବାକୁ ପଡିବ । ତାର ପଢିବାର ବହୁତ ଇଚ୍ଛା ।

ହେଲେ ବାପା ତାର ମଦୁଆ – ରୋଜଗାର ବୋଲି କିଛି ନାହିଁ । ମୁ ଏକା ପାଇଟି କରି କେତେ ରୋଜଗାର କରି ପାରିବି? ଆମର ତ ଘର ନାହିଁ ଯେ, ଜରି ଘେରା କରି ରହୁଛୁ । ସେଥିରେ ନାଁ ଲେଖେଇବାକୁ ମୋ ପାଖରେ ପଇସା କାହିଁ ଯେ ସେ ପଢି ପାରିବ! ଆଇନଗତ ଆବଶ୍ୟକତା ଓ ଶିଶୁ ଅଧିକାରକୁ ସ୧ାନ ଦେଇ ପିଲାର ପରିଚୟକୁ ଗୋପନ ରଖୁଛି ।

କହିବା ବାହୁଲ୍ୟ ଏହା କେବଳ ଗୋଟିଏ ପିଲାର କଥା ନୁହେଁ । ଏମିତି ଅନେକ ଶିଶୁଙ୍କ ସ୍ୱପ୍ନ ଦଳି ମକଚି ହୋଇ ଯାଉଛି ଦାରିଦ୍ର୍ୟ ଓ ସୁଯୋଗ ଅଭାବ କାରଣରୁ । ପାଠରେ ଡୋରି ବନ୍ଧା ହେଲା ପରେ ବାହା ହେବାର ଏକମାତ୍ର ବାଟ ଯାହା ସେମାନଙ୍କ ପାଇଁ ଉନ୍ମୁକ୍ତ ଥାଏ ।

ଆମ ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲା ବାଲ୍ୟ ବିବାହ ପ୍ରବଣ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଏହିସବୁ ଜିଲ୍ଲାରେ ଯଥାକ୍ରମେ ୩୯.୩, ୩୭.୯, ୩୪.୭ ଓ ୩୪.୪ ଶତକଡା ରହିଛି । ଏହା ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ।

ଏହି ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରିରେ ୧୧.୮, ନବରଙ୍ଗପୁରରେ ୧୦.୭, କୋରାପୁଟରେ ୧୪.୫ ଓ ରାୟଗଡାରେ ୧୨.୭ ପ୍ରତିଶତ ମାତ୍ର ମହିଳା ଦଶମ ବା ତଦୁର୍ଦ୍ଧ ପାଠ ପଢି ପାରିଛନ୍ତି । ଅଧା ବାଟରେ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହର ସମ୍ପର୍କକୁ ଏହି ତଥ୍ୟ ପୁଷ୍ଟ କରୁଛି ।

୨୦୧୧ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୫ମ ଠାରୁ କମ ପାଠ ପଢିଥିବା ଝିଅ ପିଲା ମାନଙ୍କ ଭିତରୁ ୫୨.୧ ଭାଗ ୧୮ ବର୍ଷ ପୁର୍ବରୁ ବିବାହ କରୁଥିବା ବେଳେ ୫ମ ରୁ ୯ମ ଶ୍ରେଣୀ ପଢିଥିବା ଝିଅଙ୍କ କ୍ଷେତ୍ରରେ ଏହା ୨୯.୮ ପ୍ରତିଶତ ଓ ୧୦ମରୁ ତଦ୍ଦୁର୍ଦ୍ଧଙ୍କ କ୍ଷେତ୍ରରେ ଏହା ମାତ୍ର ୯.୩ ପ୍ରତିଶତ ହୋଇଥାଏ ।

ଏଣୁ ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ଦୃଢତାର ସହ କୁହାଯାଇ ପାରିବ । ହେଲେ ଏ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି ।

ପ୍ରଥମଟି ହେଲା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଲକ ଶିକ୍ଷା ବ୍ୟବସ୍ଥା ଥିଲେବି ଇଚ୍ଛା ଓ ଆଗ୍ରହ ଅଭାବରୁ ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରୁ ନାହିଁ ।

ଏପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଓ ଭିତରେ କେତେ ପିଲା ତାର ସଠିକ ହିସାବ ଶିକ୍ଷା ବିଭାଗ ଠଉରାଇ ପାରିନାହିଁ । ୨୦୧୪ – ୧୫ ରେ ସମଗ୍ର ରାଜ୍ୟରେ ୬ ରୁ ୧୪ ବର୍ଷର ମାତ୍ର ୫୧୫୨ ପିଲା ବିଦ୍ୟାଳୟ ବାହରେ ଥିବା ଓପେପା ୱେବସାଇଟରେ ଉଲ୍ଲେଖ ଅଛି । ଏବେ ଏହା ୪୧ ହଜାର ବୋଲି କୁହାଯାଇଛି ।

ତେବେ ଉଭୟ ତଥ୍ୟକୁ ବିଶ୍ୱାସକୁ ନେବା କଷ୍ଟ । ନିକଟରେ ମିଳିମିଳା ଓ ରୁବେଲା ଟିକା କରଣ ବେଳେ ନୂଆପଡା ଜିଲ୍ଲାରେ ୯୯୧୪ ପିଲାଙ୍କ ହିସାବ ମିଳି ନାହିଁ । ଜାପାନି ଜ୍ୱର ଟିକା କରଣ ସମୟରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ବ୍ୟତିକ୍ରମ ନଜରକୁ ଆସିଥିଲା ।

ୟୁଡାଇସ, ଏସଡିଏମଆଇଏସ, ଆଧାର ପଞୀକରଣରେ ପିଲାଙ୍କ ସଂଖ୍ୟାର ତାଳମେଳ ନାହିଁ । ୧୦ ବା ୧୦ରୁ କମ ଉପସ୍ଥାନ ଥିବା ଅନେକ ବିଦ୍ୟାଳୟ ଇତି ମଧ୍ୟରେ ବନ୍ଧ ହେବା ଯୋଗୁଁ ମଧ୍ୟ କିଛି ପିଲା ବିଦ୍ୟାଳୟ ବାହରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏ ପରିସ୍ଥିତିରେ ଆମେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷାର ପରିଧିକୁ ଆଣିବା କିପରି? ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଶୁ ବୋଲି ସଜ୍ଞା ନିରୁପିତ ହୋଇଥିଲେ ହେଁ ଶିକ୍ଷା ଅଧିକାର ଆଇନରେ ଶିଶୁ କହିଲେ ୧୪ ବର୍ଷ ଧରି ନିଆଯାଇଛି । ଫଳରେ ୧୪ ବର୍ଷ ପରେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରତି ସରକାରଙ୍କ ଅଇନଗତ ଉତ୍ତରଦାୟୀତ୍ୱ ନାହିଁ ।

ଏଣୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢୁଥିବା ଝିଅମାନେ ଅଷ୍ଟମ ଶ୍ରେଣୀ ପରେ ସୁଯୋଗ ଅଭାବରୁ ପ୍ରାୟ ଆଉ ପଢୁ ନାହାନ୍ତି । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ୫ -୭ କିମି ଦୂର ବଣ, ପାହାଡ, ଝରଣା ଡେଇଁ ଯିବାକୁ ପଡୁଛି ।

ଆଶ୍ରମ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ତଥା ଶିଶୁ ମାନଙ୍କ ପ୍ରତି ଶୋଷଣର ଖବର ଅଭିଭାବକମାନଙ୍କୁ ନିରୁତ୍ସାହିତ କରୁଛି । ଅତିକମରେ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିଲେ ପ୍ରତ୍ୟେକ ଶିଶୁ ମନରେ ଥିବା ସ୍ୱପ୍ନ ସବୁ ଅଙ୍କୁରିତ ହେବା ପାଇଁ ସୁଯୋଗ ପାଇବେ । ମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ଶିକ୍ଷା ସହାୟକ ହୁଏ ।

ଉପଯୁକ୍ତ ଶିକ୍ଷା ପାଇଥିଲେ ସ୍ୱାଧିନ ମତବ୍ୟକ୍ତ କରିବାର ସାହସ ଆସେ । ଏଣୁ ପିଲାଙ୍କ ଶିକ୍ଷା ସୁନି୧⁄୨ିତ କରାଯାଇ ପାରିଲେ ବାଲ୍ୟ ବିବାହ ବିରୁଦ୍ଧରେ ନିଜେ ନିଜ ପାଇଁ ସ୍ୱର ଉେ ।ଳନ କରି ପାରିବେ । ଏହା ସମାଜିକ ପରିବର୍ତ୍ତନର ଏକ ବଡ ମାଇଲଖୁ ସାବ୍ୟସ୍ତ ହେବ ।

ଛବି: ପ୍ରତୀକାତ୍ମକ

ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
[email protected]

Filed Under: ଶିକ୍ଷା Tagged With: ବାଲ୍ୟ ବିବାହ, ରୋଜଗାର, ଶିକ୍ଷା, ଶୈଶବ, ସ୍ୱାସ୍ଥ୍ୟ

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

୨୨ରୁ ଯୁକ୍ତ ତିନି ନାମ ଲେଖା

June 17, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର,୧୭ ଜୁନ (ଓଡିଶା ଡଟ୍ କମ୍): ଜୁନ ୨୨ରୁ ଯୁକ୍ତ ତିନି ନାମ ଲେଖା ଆରମ୍ଭ ହେବ ଓ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ରାଜ୍ୟରେ ଥିବା ୭୦୬ ଟି ଯୁକ୍ତ ତିନ କଲେଜରେ ନାମ ଲେଖିବା ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବାପାଇଁ ଇଛୁକ ଥିବା ଛାତ୍ରଛାତ୍ରୀମାନେ www.dheodisha.gov.in ୱେବ ସାଇଟ କୁ ଯାଇ କମନ ଆପ୍ଲିକେସନ ଫର୍ମ ପୂରଣ କରିବେ, ପରେ ଏହି ଫର୍ମର ପ୍ରିଣ୍ଟ-ଆଉଟ ବାହାର କରି ନିକଟସ୍ଥ ସାମ୍ ରିସୋର୍ସ ସେଣ୍ଟରରେ ଜମା କରିବେ।

ଏଥିପାଇଁ ସେମାନଙ୍କୁ ଦେୟ ମଧ୍ୟ ଦେବାକୁ ପଡିବ।

ସେହିପରି ଅଫଲାଇନରେ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ନିକଟସ୍ଥ ସାମ୍ ରିସୋର୍ସ ସେଣ୍ଟରକୁ ଯାଇ ଆବେଦନ କରିପାରିବେ। ତେବେ ଅନଲାଇନ ଆବେଦନର ଶେଷ ତାରିଖ ଜୁଲାଇ ୬ ଏବଂ ଅଫଲାଇନ ଆବେଦନର ଶେଷ ତାରିଖ ଜୁଲାଇ ୭ ଧାର୍ଯ୍ୟ କରାଯାଇଛି।

ସେହିପରି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଜୁଲାଇ ୧୫ରେ ପ୍ରକାଶ କରାଯିବ ଓ ଜୁଲାଇ ୧୬ ରୁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ କରାଯାଇ ଜୁଲାଇ ୨୦ ଶେଷ କରାଯିବ। ଜୁଲାଇ ୨୨ରେ ଇ-ସ୍ପେଶ୍ ରେ ପ୍ରଥମ ପର୍ଯ୍ୟାୟ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ।

ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜୁଲାଇ ୨୫ରେ ପ୍ରକଶ ପାଇ ଜୁଲାଇ ୨୭ ରୁ ୨୯ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ଶେଷ ହେବ। ଅଗଷ୍ଟ ୩ରେ ସ୍ପଟ ଆଡମିସନ ପାଇଁ ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକୃତ କରିବେ ।

ଅଗଷ୍ଟ ୫ ରେ କଲେଜ ନୋଟିସ ବୋର୍ଡରେ ଛାତ୍ରଛାତ୍ରୀଙ୍କ ନାମର ତାଲିକା ପ୍ରକାଶ ପାଇବା ଓ ଅଗଷ୍ଟ ୬ ରେ ନାମ ଲେଖାଯାଇ ପାଠ ପଢା ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଓଡିଶା ଡଟ୍ କମ୍

Filed Under: ଶିକ୍ଷା Tagged With: ଯୁକ୍ତ ତିନି, ଶିକ୍ଷା

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଦେଲେ ୪୪୫00 ଛାତ୍ର ଛାତ୍ରୀ

May 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୦ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ କଲେଜରେ ଥିବା ଆୟୁର୍ବେଦିକ, ହୋମିଓପାଥିକ, ବୈଷୟିକ ବିଦ୍ୟା, ମ୍ୟାନେଜମେଣ୍ଟ ଆଦି ସିଟରେ ନାମ ଲେଖାଇବା ପାଇଁ ୪୪୫00 ଛାତ୍ର ଛାତ୍ରୀ ରବିବାର ଅନୁଷ୍ଠିତ ହୋଇଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ରେ ଭାଗ ନେଇଛନ୍ତି ।

ରାଜ୍ୟର ୧୯ ଟି ସହରରେ ୭୮ ପରୀକ୍ଷା କେନ୍ଦ୍ର ରେ ହୋଇଥିବା ଏହି ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି । ପରୀକ୍ଷା ସକାଳ ନଅଟା ରୁ ଅପରାହ୍ନ ଚାରିଟା ତିରିଶ ପର୍ଯ୍ୟନ୍ତ ତିନୋଟି ସିଟିଙ୍ଗରେ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷାଫଳ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ରହିଥିବା ବେଳେ କାଉନସେଲିଂ ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି କତ୍ତୃପକ୍ଷ କହିଛନ୍ତି ।

ବୈଷୟିକ କଲେଜରେ ଯେଉଁ ଅନ୍ୟ ସିଟ ପାଇଁ ଏହି ପ୍ରବେଶିକ ପରୀକ୍ଷା ହୋଇଥିଲା ସେ ଗୁଡିକ ହେଲା ଲ୍ୟାଟେରାଲ ଏଣ୍ଟ୍ରି ବିଟେକ, ଏମ ବିଏ, ଏମସିଏ, ଏମସିଏ ଲ୍ୟାଟେରାଲ ଏଣ୍ଟ୍ରି, ଏମ.ପ୍ଲାନ, ଏମ ଆର୍କ, ଓ ଏମଟେକ ।

ଓଡିଶା ଡଟ କମ

 

Filed Under: ଶିକ୍ଷା Tagged With: ୨୦୧୫, ଯୁଗ୍ମ ପ୍ରବେଶିକା ପରୀକ୍ଷା, ଶିକ୍ଷା

ରମାଦେବୀ, ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା

April 24, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,୨୪ ଏପ୍ରିଲ (ଓଡିଶା ଡଟ କମ),  ଭୁବନେଶ୍ଵର ରେ ଥିବା ରମାଦେବୀ ସ୍ଵୟଂ ଶାସିତ ମହିଳା ମହାବିଦ୍ୟାଳୟ ଓ ଗଞ୍ଜାମ ଜିଲ୍ଲାରେ ଥିବା ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ ସରକାର ନେଇଥିବା ନିଷ୍ପତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଛନ୍ତି।
ଖୁବଶୀଘ୍ର ସରକାର ଏ ସମ୍ପର୍କୀୟ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ବିଜ୍ଞପ୍ତି ପ୍ରକାଶ ପାଇଲେ ରମାଦେବୀ ମହିଳା ମହାବିଦ୍ୟାଳୟ  ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନାମରେ ନାମିତ ହେବ । ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହିଳା ମହାବିଦ୍ୟାଳୟ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ରହିବେ ।
ସେହିପରି ବ୍ରହ୍ମପୁରୁ ସ୍ଥିତ ଖଲ୍ଲିକୋଟ ମହାବିଦ୍ୟାଳୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ’ ନାମରେ ନାମିତ ହେବ । ଏହା ଅଧୀନରେ ବ୍ରହ୍ମପୁର ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ, ବ୍ରହ୍ମପୁର ଏସବିଆରଜି ମହାବିଦ୍ୟାଳୟ, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟ ଓ ଛତ୍ରପୁରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରହିବ ।
ସେହିପରି ସମ୍ବଲପୁର ଗଙ୍ଗାଧର ମେହର ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ମଧ୍ୟ ବିଶ୍ଵବିଦ୍ୟାଳୟ ର ମାନ୍ୟତା ଦେବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇଛନ୍ତି।
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଗଙ୍ଗାଧର ମେହେର କଲେଜ, ଶିକ୍ଷା, ସମ୍ବଲପୁର

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା