• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

News Bureau

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

July 2, 2015 by News Bureau Leave a Comment

କେଦାର ମିଶ୍ର

ଜୁନ୍‍ ମାସ ତୃତୀୟ ସପ୍ତାହରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ଏକ ବଡ଼ ଝଟ୍‍କା ଦେଇଛନ୍ତି । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ମାତି ପଡ଼ିଥିବା ଓଡ଼ିଶାର ଗଣମାଧ୍ୟମରେ ଏହି ଝଟ୍‍କାର ତୀବ୍ରତା ବିଶେଷ ଅନୁଭୂତ ହୋଇନାହିଁ ।

କୁହାଯାଇପାରେ ଯେ ଏହି ଝଟ୍‍କାର ତୀବ୍ରତାକୁ ଅଣଦେଖା କରିବା ପାଇଁ ଏକ ପ୍ରକାର ସୁଚିନ୍ତିତ ଉଦ୍ୟମ ହୋଇଛି । କିଛି ମାସ ତଳେ ଓଡ଼ିଶା ପୋଲିସ୍‍ର ପୂର୍ବତନ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ତାଙ୍କ ପଦବୀରୁ ବିଦା କରାଗଲା ।

ତାଙ୍କୁ ପଦବୀରୁ କେବଳ ବିଦା କରାଗଲା ନାହିଁ, ସେ ଯେମିତି କେନ୍ଦ୍ର ସରକାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ନ ହେବେ, ସେଥିପାଇଁ ଷଡଯନ୍ତ୍ର କରାଗଲା ।

ପ୍ରକାଶ ମିଶ୍ର ରାଜ୍ୟ ପୋଲିସ୍‍ ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ଥିବାବେଳେ ଠିକାଦାରମାନଙ୍କୁ ଦେଇଥିବା ଅଗ୍ରୀମ ଅର୍ଥକୁ ଦୁର୍ନୀତି ବୋଲି କହି ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଦାଏର୍‍ କଲା ।

ଭିଜିଲାନ୍ସର ଏହି ମାମଲାକୁ ମାନ୍ୟବର ହାଇକୋର୍ଟ ବେଆଇନ୍‍ ବୋଲି କହିବା ସହିତ ଓଡ଼ିଶା ଭିଜିଲାନ୍ସ ନିଜ ରାଜନୈତିକ ମାଲିକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଜଣେ ବରିଷ୍ଠ ଓ ସଚ୍ଚୋଟ ପୋଲିସ ଅଧିକାରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ କରିଛନ୍ତି ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି ।

ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍‍ ଏସ୍‍.ସି. ପରିଜା ତାଙ୍କର ୫୧ ପୃଷ୍ଠା ବ୍ୟାପୀ ରାୟରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଭିଜିଲାନ୍ସ ବିଭାଗ ଓ ଏହାର ନିର୍ଦ୍ଦେଶକଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଘଟଣାକ୍ରମର ପୁଙ୍ଖାନୁପୁଙ୍ଖ ତର୍ଜମା କରି ମାନ୍ୟବର ବିଚାରପତି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ – ରାଜ୍ୟସରକାର ଜଣେ ସଚ୍ଚୋଟ ଏବଂ ଦକ୍ଷ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ହଇରାଣ କରିଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶକ ରାଜ ଅନୁଗ୍ରହ ଓ ରାଜ ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ନିଜ ଦାୟିତ୍ୱ ସଠିକ୍‍ ଭାବରେ ତୁଲାଇ ନାହାନ୍ତି ବୋଲି ମଧ୍ୟ ଅଦାଲତ କହିଛନ୍ତି ।

ଅନ୍ୟ କୌଣସି ସମୟ ହୋଇଥିଲେ ଏହି ରାୟକୁ ନେଇ ଏକ ବଡ଼ ରାଜନୈତିକ ତୋଫାନ ଉଠିଥା’ନ୍ତା । ଦୁର୍ଭାଗ୍ୟକ୍ରମେ କୌଣସି ରାଜନୈତିକ ଦଳ ଏହି ତୋଫାନରୁ ରାଜନୈତିକ ଫାଇଦା ନେବାକୁ ଚାହିଁନାହାନ୍ତି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ ଏହି ଘଟଣାରେ ରାଜ୍ୟସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ରାୟ ପ୍ରକାଶ ପାଇଲା ପରେ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ଆହୁରି ଭୀଷଣ ଅବସ୍ଥା ସୃଷ୍ଟି କରିବା କଥା । ଅଥଚ ଆମର ରାଜନୈତିକ ଦଳଗୁଡ଼ିକ ଏକପ୍ରକାର ‘ଅକର୍ମଣ୍ୟ ଓ ନିସ୍ତରଙ୍ଗ’ ।

ପୂର୍ବତନ ପୋଲିସ୍‍ ମହାନିର୍ଦ୍ଦେଶକ ଭାବରେ ପ୍ରକାଶ ମିଶ୍ର ସିଧାସଳଖ ରାଜ୍ୟସରକାରଙ୍କ ଉପରେ ଦୋଷାରୋପ କରିଛନ୍ତି । ଗତ ନିର୍ବାଚନରେ ଆମ୍ବୁଲାନ୍ସରେ ଟଙ୍କା ବଣ୍ଟା ଯାଉଥିଲା ଓ ଏହାର ବିରୋଧ କରିବାକୁ ଯାଇ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି ।

ନିଜ ପିଟିସନ୍ ରେ ଶ୍ରୀ ମିଶ୍ର ନିଜର ସ୍ପଷ୍ଟବାଦିତା ଓ ଆଇନ୍‍କୁ କଡ଼ାକଡ଼ି କାର୍ଯ୍ୟ କରିବାର ଆଭିମୁଖ୍ୟ ଯୋଗୁଁ ଶାସକ ଦଳର କ୍ରୋଧର ଶିକାର ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଯାହାକୁ କି ମାନ୍ୟବର ହାଇକୋର୍ଟ ଗ୍ରହଣ କରିଛନ୍ତି ।

ଓଡ଼ିଶା ସରକାରଙ୍କ ଅଧୀନରେ ପୋଲିସ ମହାନିର୍ଦ୍ଦେଶକ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଜଣେ ପୋଲିସ୍‍ ଅଧିକାରୀଙ୍କ ଏହି ବକ୍ତବ୍ୟକୁ ହାଲୁକା ଭାବରେ ନେଇ ହେବ ନାହିଁ । ବିଜେଡ଼ି ସରକାର ଏହାର ଜବାବ ରଖିବାକୁ ବାଧ୍ୟ । ବିଜେଡ଼ି ମୁଖପାତ୍ରମାନେ ଏ ଘଟଣା ଘଟିଲାବେଳେ ପୋଲିସ୍‍ ଡିଜି କ’ଣ କରୁଥିଲେ ବୋଲି ପ୍ରଶ୍ନ ପଚାରୁଛନ୍ତି ।

ସେମାନେ ବୁଝିବା ଉଚିତ୍‍ ଯେ ପୋଲିସ୍‍ ଡିଜି ସେହି ପ୍ରଶ୍ନ ପଚାରିଲେ ବୋଲି ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ଦିଆଗଲା ନାହିଁ । ପ୍ରଥମଥର ପାଇଁ ଚାକିରିରୁ ଅତୀତରେ ନିଲମ୍ବିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କୁ ଓଡ଼ିଶା ସରକାର ପୋଲିସ ମହା ନିର୍ଦ୍ଦେଶକ ପଦବୀରେ ବସାଇଲେ ।

ଅଥଚ ପ୍ରକାଶ ମିଶ୍ରଙ୍କୁ ବହୁ ପ୍ରକାର ହଟହଟା କରିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରାଗଲା । ପ୍ରଥମେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଏହି ଅନୁମତିକୁ ଶେଷମୁହୂର୍ତ୍ତରେ ପ୍ରତ୍ୟାହାର କରାଗଲା ।

ଦ୍ୱିତୀୟରେ ଅତ୍ୟନ୍ତ ଅପମାନଜନକ ଭାବରେ ତାଙ୍କୁ ଡିଜି ପଦବୀରୁ ହଟାଯାଇ ଓଡ଼ିଶା ପରିବହନ ନିଗମର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଗଲା । ପୁନଶ୍ଚ ଯେତେବେଳେ ତାଙ୍କ ନାଁ ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ଉଠିଲା, ସେତେବେଳେ ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ଦାଏର କଲା ।

ଏହି ମାମଲାର କୌଣସି ଭିତ୍ତି ନଥିଲା ବୋଲି ଅଦାଲତ କହିଛନ୍ତି । ଓଡ଼ିଶା କ୍ୟାଡର୍‍ର ପ୍ରଥମ ଆଇପିଏସ୍‍ ଅଫିସର ଭାବରେ ପ୍ରକାଶ ମିଶ୍ର ସିବିଆଇ ନିର୍ଦ୍ଦେଶକ ହେବାରୁ ବଞ୍ଚିତ ହେଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ସିଆରପିଏଫ୍‍ର ଡିଜି ଭାବରେ ତାଙ୍କୁ କେନ୍ଦ୍ର ସରକାର ଅବସ୍ଥାପିତ କଲେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟରେ ପ୍ରକାଶ ମିଶ୍ର ଅତ୍ୟନ୍ତ ପ୍ରଭାବଶାଳୀ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କର ସେ ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ବୋଲି କୁହାଯାଉଛି ।

ଏହି ଘଟଣାକ୍ରମରେ ପ୍ରକାଶ ମିଶ୍ର କ’ଣ ପାଇଲେ ବା ହରାଇଲେ ତାହା ଯେତିକି ବଡ଼କଥା ନୁହେଁ, ତା’ଠୁ ବଡ଼ କଥା ହେଉଛି ରାଜ୍ୟସରକାରଙ୍କ ଚକ୍ରାନ୍ତକାରୀ ମନୋଭାବ । ପୋଲିସ୍‍ ଅଧିକାରୀମାନଙ୍କୁ ରାଜନୈତିକ ସ୍ୱାର୍ଥ ଲାଗି ବ୍ୟବହାର କରିବାର ହୀନ ଉଦ୍ୟମ ରାଜ୍ୟସରକାର କରିଛନ୍ତି ଓ ଏହି ଉଦ୍ୟମରେ ଯେଉଁମାନେ ସାମିଲ୍‍ ହେଉନାହାନ୍ତି ସେମାନଙ୍କୁ ସରକାର ହଲାପଟା କରୁଛନ୍ତି ବୋଲି ପ୍ରମାଣ ମିଳିଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜ ରାୟରେ ରାଜ୍ୟ ଭିଜିଲାନ୍ସ ବିଭାଗକୁ ତୀବ୍ର ଭର୍ତ୍ସନା କରିଛନ୍ତି । ମାନ୍ୟବର ଅଦାଲତ ଯେଉଁ ଚକ୍ରାନ୍ତକାରୀ ରାଜନୈତିକ ନେତୃତ୍ୱର କଥା କହିଛନ୍ତି ତାହା ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅଥଚ ଏହି ସମଗ୍ର ଘଟଣାକ୍ରମରୁ ଶାସକ ଦଳ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ସବୁଠୁ ମଜାର କଥା ହେଉଛି ବିଜେଡ଼ି ପ୍ରବକ୍ତାମାନଙ୍କର ମତାମତ । ବିଜେଡ଼ିର ଅନ୍ୟତମ ପ୍ରବକ୍ତା ତଥା ନିମାପଡ଼ା ବିଧାୟକ ସମୀର୍‍ ଦାସ୍‍ ଏକ ଟେଲିଭିଜନ ଚ୍ୟାନେଲ୍‍ରେ ଆଲୋଚନା ବେଳେ କହିଲେ ମାନ୍ୟବର ଅଦାଲତ ପ୍ରକାଶ ମିଶ୍ରଙ୍କ ମାମଲାର ଠିକ୍‍ ବିଚାର କରିନାହାନ୍ତି ।

ଏହାଠୁ ବଳି ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ପ୍ରତିକ୍ରିୟା ଆଉ କ’ଣ ଥାଇପାରେ ? ପାଖାପାଖି ଛଅମାସରୁ ଅଧିକ ଧରି ଏହି ମାମଲାର ବିଚାର ଚାଲିଥିଲା । ଓଡ଼ିଶା ସରକାର ନିଜ ପକ୍ଷ ରଖିଥିଲେ । ନିଜ ଅପାରଗତା ଯୋଗୁଁ ମାମଲା ଚାଲିଥିବାବେଳେ ଭିଜିଲାନ୍ସ ବିଭାଗ ବାରମ୍ବାର ବିଚାରପତିଙ୍କୁ ଦ୍ୱାରା ଭର୍ତ୍ସିତ ମଧ୍ୟ ହୋଇଥିଲେ ।

ପରିଶେଷରେ ଯେତେବେଳେ ରାୟ ପ୍ରକାଶ ପାଉଛି ତାକୁ ନେଇ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ବିଜେଡ଼ି ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ସେହିପରି ପ୍ରକାଶ ମିଶ୍ରଙ୍କ ତଥାକଥିତ ଭ୍ରଷ୍ଟାଚାରକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିବା ବିଜେଡ଼ି ଏକଥା ଭୁଲିଯାଉଛି ଯେ ପ୍ରକାଶ ମିଶ୍ରଙ୍କୁ କେନ୍ଦ୍ରରୁ ଡାକି ଆଣି ତାଙ୍କରି ସରକାର ହିଁ ପୋଲିସ୍‍ ମହାନିର୍ଦ୍ଦେଶକ ପଦବୀରେ ବସାଇଥିଲା ।

ଯଦି ପ୍ରକାଶ ମିଶ୍ରଙ୍କ ନାଁରେ ଭ୍ରଷ୍ଟାଚାରର ଅଭିଯୋଗ ଥିଲା, ତାଙ୍କୁ ପୋଲିସ୍‍ ମହା ନିର୍ଦ୍ଦେଶକ କରାଗଲା କାହିଁକି ? ପାଖାପାଖି ଦୁଇବର୍ଷ ମହା ନିର୍ଦ୍ଦେଶକ ପଦବୀରେ ରହିବା ପରେ ହଠାତ୍‍ ପ୍ରକାଶ ବାବୁ ଖଳନାୟକ ପାଲଟିଗଲେ କେମିତି ?

ଏଠି ଆଉ ଏକ କଥା କହିବା ପ୍ରାସଙ୍ଗିକ ହେବ । ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

ପ୍ରାୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅତ୍ୟନ୍ତ ଅପମାନଜନକ ଭାବରେ ପଦବୀରୁ ବିଦା କରାଯାଇଛି । ଏହା ସହିତ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୋଇ ଉଠୁଛି । ନବୀନ ପଟ୍ଟନାୟକ ସରକାରରେ ସଚ୍ଚୋଟ, ଦକ୍ଷ ଓ ପାରଙ୍ଗମ ଅଧିକାରୀମାନଙ୍କର କାମ କରିବାର ସୁଯୋଗ ନାହିଁ ବୋଲି ଧାରଣା ସ୍ପଷ୍ଟ ହୋଇଯାଇଛି ।

ଆଇଏଏସ୍‍ ଓ ଆଇପିଏସ ଅଫିସର ସ୍ତରରେ ବହୁ ନାମକରା ଅଧିକାରୀ ବ୍ୟତିବ୍ୟସ୍ତ ହୋଇ କେନ୍ଦ୍ରୀୟ ଡେପୁଟେସନ୍‍ରେ ଚାଲିଯିବାକୁ ବ୍ୟାକୁଳ । ଯେଉଁମାନେ ଥରେ କେନ୍ଦ୍ରୀୟ ଡେପୁଟେସନ୍‍କୁ ଯାଉଛନ୍ତି, ସେଠୁ ଆଉ ଓଡ଼ିଶା ଫେରିବାକୁ ଚାହୁଁ ନାହାନ୍ତି ।

ପ୍ରକାଶ ମିଶ୍ରଙ୍କ ସମେତ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ରଙ୍କ କଥାକୁ ଉଦାହରଣ ଭାବରେ ନିଆଯାଇପାରେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ମଧ୍ୟ ଏହି ସ୍ଥିତି ବଦଳିଲା ପରି ମନେ ହେଉନାହିଁ । ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି ଏହି ପ୍ରକ୍ରିୟାରେ ବିରୋଧୀଦଳଗୁଡ଼ିକ ସରକାରକୁ ଘେରିବାର ଆଉ ଏକ ସୁଯୋଗ ହରାଇଛନ୍ତି ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ରୋକ ଠୋକ Tagged With: ଦୁର୍ନୀତି, ପ୍ରକାଶ ମିଶ୍ର, ଭିଜିଲେନସ, ହାଇକୋର୍ଟ

ଆମ୍ରି ହସ୍ପିଟାଲ୍ ଦ୍ଵାରା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍

July 1, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୧ ଜୁଲାଇ (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ସ୍ଥିତ ଆମ୍ରି ହସ୍ପିଟାଲ୍ ଚାଳିଶ ରୁ ଊର୍ଦ୍ଧ୍ଵ ଅଗ୍ନିଶମ କର୍ମଚାରୀଙ୍କୁ ମୌଳିକ ଜୀବନ ସହାୟତା ଓ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଦାନ କରିଛି ।

ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ତଥା ଅଗ୍ନିଶମ ସେବା ମୁଖ୍ୟ ଶ୍ରୀ ଏମ୍. ନାଗେଶ୍ୱର ରାଓଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଏବଂ କାର୍ଡିଓପୁଲମୋନାରୀ ରିସସପିଟେସନ, ବିପର୍ଯ୍ୟୟ ସମୟରେ ବା ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କୌଶଳ ସମ୍ବନ୍ଧରେ ଶିକ୍ଷା ଦିଆଯାଇଥିଲା ।

ଏହାକୁ ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱରର ଡାକ୍ତରମାନେ ପରିଚାଳନା କରିଥିଲେ ।

????????????????????????????????????

ଏହି ଅବସରରେ ଶ୍ରୀ ରାଓ କହିଥିଲେ ଯେ ଏଭଳି ଉପାଦେୟ କାର୍ଯ୍ୟକ୍ରମ ପାଇଁ ଆମ୍ରି ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପଟି ସତରେ ଅତି ଚମତ୍କାର । ମାନବ ଜୀବନ ହେଉଛି ମୂଲ୍ୟବାନ ।  ଡାକ୍ତରଙ୍କ ପରି ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଲୋକମାନଙ୍କର ଜୀବନ ସୁରକ୍ଷା ପ୍ରତି ଦାୟୀତ୍ୱବାନ୍ ହୋଇଥାନ୍ତି ।

ଏହି କାର୍ଯ୍ୟକ୍ରମରୁ ଆହରଣ କରାଯାଇଥିବା ଜ୍ଞାନକୌଶଳକୁ ସେମାନେ ନିଜ ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟିପାରିବେ । ଏହା ହେଉଛି କେବଳ ଆରମ୍ଭ ମାତ୍ର । ଆମ୍ରି ହସ୍ପିଟାଲ୍ ସହିତ ଆମର ସହଭାଗୀତ ଜରିରହିବା ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଶ୍ରୀ ଅବସର ପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଏସ.ଏନ.ତିୱାରୀ କହିଥିଲେ ଯେ ଆମ୍ରି ହସ୍ପିଟାଲ୍ ଦ୍ୱାରା ଗ୍ରହଣ କରାଯାଇଥିବା ଏ ପ୍ରକାର ଉଦ୍ୟମ ପ୍ରଶଂସନୀୟ ।

ଆଡମିରାଲ ତଥା ହସପିଟାଲର ଉପାଧ୍ୟକ୍ଷ ଡାକ୍ତର ସଲିଲ୍ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ ହସ୍ପିଟାଲର ସମାଜ ପାଇଁ ରହିଥିବା ଉତ୍ତର ଦାୟିତ୍ଵ ତଥା ସ୍ୱାସ୍ଥ୍ୟ ସେବା ସମ୍ବନ୍ଧରେ ସୂଚନା ପ୍ରଦାନ କରି ହସ୍ପିଟାଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ADG Fire services interacting with the Doctorsପୂର୍ବ ଭାରତରେ ମଲ୍ଟି ସ୍ପେସିଆଲିଟି ହେଲ୍ଥ କେୟାର ସୁବିଧା ପ୍ରଦାନ କରୁଥିବା ଆମ୍ରି ହସ୍ପିଟାଲ୍ସରେ ରହିଛି ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯଥା ଅଙ୍କୋଲୋଜି, ନୁ୍ୟରୋସାଇନ୍ସେସ୍, କାର୍ଡିଆକ୍ ସାଇନ୍ସେସ୍,  ଅର୍ଥୋପେଡିକ୍ସ, ଏମ୍ରଜେନ୍ସି ଏବଂ ଟ୍ରାଉମା କେୟାର, ଗାଏନୋକୋଲୋଜି ଓ ଚାଇଲ୍ଡ କେୟାର ପରି ସୁବିଧା ।

ସୂଚନା ଯୋଗ୍ୟ ଯେ  ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଆଧୁନିକ ମାନର ସେବା ବ୍ୟବସ୍ଥା ଦ୍ୱାରା ଆମ୍ରି ପୂର୍ବ ଭାରତର ଲୋକମାନଙ୍କୁ  ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଆସୁଛି ।

ଆମ୍ରି ହସ୍ପିଟାଲ୍ ହେଉଛି ଇମାମି ଗ୍ରୁପ୍ ଅଫ୍ କମ୍ପାନିର ଏକ ଅଂଶ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ସ୍ୱାସ୍ଥ୍ୟ Tagged With: ଆମ୍ରି ହସ୍ପିଟାଲ୍, ସ୍ୱାସ୍ଥ୍ୟ

ଚାରି ଓଡିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ କେନ୍ଦ୍ରରେ ନିଯୁକ୍ତି

June 30, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୩୦ ଜୁନ (ଓଡିଶା ଡଟ୍ କମ୍): ଓଡ଼ିଶା କ୍ୟାଡରର ଚାରିଜଣ ବରିଷ୍ଠ ଆଇଏଏସଙ୍କୁ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି । ଏମାନେ ହେଲେ ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀ ଓ ତାଙ୍କ ପତ୍ନୀ ଉଷା ପାଢ଼ୀ,୧୯୮୮ ବ୍ୟାଚ୍ ର ପରାଗ ଗୁପ୍ତା ଓ ୨୦୦୩ ବ୍ୟାଚ୍ ର ଏସ୍ ଏସ. ଶାଶ୍ୱତୀ ।

ଓଡ଼ିଶା କ୍ୟାଡରରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ପାଢ଼ୀଙ୍କୁ କେନ୍ଦ୍ରରେ ସାର ଓ ରସାୟନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ କାର୍ଯ୍ୟରତ ତାଙ୍କ ପତ୍ନୀ ଉଷା ପାଢ଼ୀଙ୍କୁ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସେହିଭଳି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ପରାଗ ଗୁପ୍ତା କେନ୍ଦ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସମାଜ ମଙ୍ଗଳ ବିଭାଗର ନିର୍ଦେଶକ ଏସ. ଶାଶ୍ୱତୀଙ୍କୁ ମସୁରୀ ସ୍ଥିତ ଭାରତୀୟ ପ୍ରଶାସନିକ ସେବା ପ୍ରଶିକ୍ଷଣ ଏବଂ ତାଲିମ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଅରବିନ୍ଦ ପାଢୀ, ଆଇଏଏସ, ଉଷା ପାଢୀ

ଆଠ ଦୁର୍ବିପାକ ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟ ତାଲିକା ଭୁକ୍ତ ରେ ଅନ୍ତର୍ଭୁକ୍ତ

June 30, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୩୦ ଜୁନ (ଓଡିଶା ଡଟ୍ କମ୍): ବଜ୍ରପାତ, ଘୂର୍ଣ୍ଣିବାତ୍ୟା, ଟର୍ନାଡୋ, ପ୍ରବଳ ବୃଷ୍ଟିପାତ, ନୌକା ଦୁର୍ଘଟଣା, ବୁଡିଯିବା ଜନିତ ମୃତ୍ୟୁ ଏବଂ ସର୍ପାଘାତ ସମେତ ଆଠଟି ଦୁର୍ବିପାକକୁ ସରକାର ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟରେ ମଙ୍ଗଳବାର ଅନ୍ତର୍ଭୁକ୍ତ କରିଛନ୍ତି ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶିକୁ ଚାରି ଲକ୍ଷକୁ ବୃଦ୍ଧି କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ଗୁଡିକର ମୁକାବିଲା ଓ ମୃତ୍ୟୁ କ୍ଷେତ୍ରରେ ସହାୟତା ପ୍ରଦାନ ପାଇଁ ସବୁ ବିଭାଗକୁ ଆପାତକାଳୀନ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ ଓ ସମସ୍ତ ଘାଇର ମରାମତି କରିବାପାଇଁ ଜଳସମ୍ପଦ ବିଭାଗକୁ ସେ କହିଛନ୍ତି।

ସେହିପରି ବନ୍ୟା ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବାସଂସ୍ଥାକୁ ପ୍ରସ୍ତୁତ ରଖିବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ, ସମବାୟ ମନ୍ତ୍ରୀ ଡଃ ଦାମୋଦର ରାଉତ, ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ୍, ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ବିଭିନ୍ନ ବିଭଗର ମନ୍ତ୍ରୀ, ସାସଂଦ, ବିଧାୟକ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର, ରାଜନୀତି Tagged With: ପ୍ରାକୃତିକ ବିପର୍ଯ୍ୟୟ

ଦୀପକ ମାଲବ୍ୟ ଲୋକସେବକ ମଣ୍ଡଳର ନୂଆ ସଭାପତି

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଜୁନ ୩୦ (ଓଡିଶା ଡଟ କମ) ବିଶିଷ୍ଟ ଯୁବ ସଂଗଠକ ତଥା ସମାଜସେବୀ ଦୀପକ ମାଲବ୍ୟ ଲୋକ ସେବକ ମଣ୍ଡଳର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଲୋକ ସେବକ ମଣ୍ଡଳ ହେଉଛି ରାଜ୍ୟର ଅଗ୍ରଣୀ ଓଡିଆ ଦୈନିକ ଖବର କାଗଜ ସମାଜର ପରିଚାଳକ ।

ସୋମବାର ନୂଆଦିଲ୍ଲୀ ଠାରେ ଲୋକ ସେବକ ମଣ୍ଡଳର ସଦର କାର୍ଯ୍ୟାଳୟ, ଲଜପତ୍‍ ଭବନଠାରେ ଅନୁଷ୍ଠିତ ସଂଗଠନର ସାଧାରଣ ପରିଷଦ ବୈଠକରେ ଶ୍ରୀ ମାଲବ୍ୟ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ ହୋଇଛନ୍ତି । ସେ ଦୁଇବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

ପଞ୍ଜାବକେଶରୀ ଲାଲା ଲଜପତ୍‍ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ୯୪ ବର୍ଷ ପୁରୁଣା ଦେଶର ଅନ୍ୟତମ ଏହି ସେବାମୂଳକ ପ୍ରତିଷ୍ଠାନ ଲୋକସେବକ ମଣ୍ଡଳର ସମ୍ମାନଜନକ ସଭାପତି ପଦ ଅଳଙ୍କୃତ କରିବାରେ ଶ୍ରୀ ମାଲବ୍ୟ ହେଉଛନ୍ତି ସର୍ବକନିଷ୍ଠ ।

ଉତ୍ତରପ୍ରଦେଶର କାନପୁର ନିବାସୀ ଶ୍ରୀ ମାଲବ୍ୟ ଏହା ପୂର୍ବରୁ ଏହି ଅନୁଷ୍ଠାନରେ ରାଷ୍ଟ୍ରୀୟ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ସମାଜସେବୀ ମନୁଭାଇ ପଟେଲଙ୍କ ଦେହାନ୍ତ ପରେ ମଣ୍ଡଳର ସଭାପତି ପଦ ଖାଲି ପଡ଼ିଥିଲା ।

ବର୍ଷିୟାନ ସର୍ବୋଦୟ ନେତା ତଥା ସମାଜସେବୀ କୀର୍ତ୍ତିଭାଇ ପାଣ୍ଡିଆ ମଣ୍ଡଳର ନୂତନ ଉପସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ସାହିତ୍ୟିକ ନିରଞ୍ଜନ ରଥ ମଣ୍ଡଳର ନୂଆ ରାଷ୍ଟ୍ରୀୟ ସମ୍ପାଦକ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ବିଶିଷ୍ଟ ଯୁବ ସମାଜସେବୀ ଭୀମସେନ ଯାଦବ ମଣ୍ଡଳର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଂଗଠନ ପକ୍ଷରୁ ପ୍ରକାଶିତ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି । ମଣ୍ଡଳର ନୂଆ କାର୍ଯ୍ୟନିର୍ବାହୀ ପରିଷଦରେ ଉପରୋକ୍ତ ଚାରି କର୍ମକର୍ତ୍ତାଙ୍କ ସମେତ ଓଁକାର ଚାନ୍ଦ ଓ ରାଜକୁମାରଙ୍କୁ ସଦସ୍ୟଭାବେ ନିଆଯାଇଛି ।

ଲୋକସେବକମଣ୍ଡଳ ଏକ ସେବାମୂଳକ ଅନୁଷ୍ଠାନ ଭାବେ ଲଜ୍‍ପତ ରାୟଙ୍କ ଦ୍ୱାରା ୧୯୨୧ରେ ପ୍ରତିଷ୍ଠିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ଅନୁଷ୍ଠାନର ପ୍ରଥମ ସଭାପତି ଥିଲେ ଏହାର ପ୍ରତିଷ୍ଠାତା ଲଜପତ୍‍ ରାୟ ।

ତାଙ୍କ ପରେ ରାଜଶ୍ରୀ ପୁରୁଷୋତ୍ତମ ଦାସ ଟଣ୍ଡନ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବଳବନ୍ତ ରାୟ ମେହେତା, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, ବିଶିଷ୍ଟ ସମାଜସେବୀ ତଥା ପ୍ରଖ୍ୟାତ ସାମ୍ବାଦିକ ଡକ୍ଟର ରାଧାନାଥ ରଥ, ଭାରତର ପୂର୍ବତନ ଉପରାଷ୍ଟ୍ରପତି କୃଷ୍ଣକାନ୍ତ, ସ୍ୱାଧୀନତା ସଂଗ୍ରାମୀ ଓଁକାର ଚାନ୍ଦ ଓ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମନୁଭାଇ ପଟେଲ ଏହି ଅନୁଷ୍ଠାନର ସଭାପତି ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

ଦିଲ୍ଲୀ, ପଞ୍ଜାବ, ହିମାଚଳପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ଓଡ଼ିଶାରେ ଲୋକସେବକ ମଣ୍ଡଳର ଶାଖାମାନ ଅଛି ଏବଂ ଏହା ମାଧ୍ୟମରେ ମଣ୍ଡଳ ପକ୍ଷରୁ ସମାଜସେବା ସମେତ ବିଭିନ୍ନ ଶୈକ୍ଷିକ, ସ୍ୱାସ୍ଥ୍ୟସେବା ଓ ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି ।

ସାଧାରଣ ପରିଷଦ ବୈଠକରେ ମଣ୍ଡଳର ଆଜୀବନ ସଦସ୍ୟ ସର୍ବଶ୍ରୀ ମାଲବ୍ୟ, ପାଣ୍ଡିଆ, ଯାଦବ, ରଥଙ୍କ ସମେତ ଓଁକାର ଚାନ୍ଦ, ରାଜକୁମାର, ଅଜୟ ସିଂହ ତଥା ଆଜୀବନ କର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଓ ରାଜେନ୍ଦ୍ର
କୁମାର ଜେନା ଯୋଗ ଦେଇଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସାହିତ୍ୟ Tagged With: ଲୋକ ସେବକ ମଣ୍ଡଳ, ସମାଜ

ଯୁଗ୍ମ ପ୍ରବେଶିକ ପରୀକ୍ଷାର ଜାଲ ୱେବସାଇଟ କରି ଯୁବକ ଗିରଫ

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ) ର ଏକ ଜାଲ ୱେବସାଇଟ ତିଆରିକରି ଛାତ୍ରଛାତ୍ରୀଙ୍କ ତଥ୍ୟ ବେଆଇନ ଭାବେ ହାସଲ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବ ଇଞ୍ଜିନିୟରକୁ ସୋମବାର ଗିରଫ କରିଛି ।

୨୪ ବର୍ଷ ବୟସ୍କ ସମାଉଳ ହକ ନାମକ ଏହି ଯୁବକ ହେଉଛନ୍ତି ଝାଡଖଣ୍ଡ ରାଜ୍ୟର ଓ ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି । କେତେକ ଘରୋଇ ଇନଜିନିୟରିଂ କଲେଜକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିବା ପୁଲିସ ସନ୍ଦେହ କରୁଛି ।

ସୂଚନା ଯୋଗ୍ୟଯେ ଗତ ବର୍ଷ ଓଜେଇଇ କତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ପାଇଁ ନିଜର ୱେବସାଇଟ ଖୋଲିବା ପୂର୍ବରୁ ଜାନୁଆରୀ ମାସରେ ସମାଉଳ ହକ ଏକ ୱେବସାଇଟ ଖୋଲି ଥିଲେ ଓ ବହୁ ସଂଖ୍ୟାରେ ନିଜର ବ୍ୟକ୍ତିଗତ ସୂଚନା ଦେଇ ଛାତ୍ର ଛାତ୍ରୀ ମାନେ ଏ ହି ୱେବସାଇଟ ଜରିଆରେ ଆବେଦନ କରିଥିଲେ ।

ଏହା ଜଣା ପଡିବା ପରେ ଜେଇଇ କର୍ତ୍ତୃପକ୍ଷ ଭୁବନେଶ୍ଵର ର ଏଆରଫିଲ୍ଡ ଥାନାରେ ଏତଲା ଦେଇଥିଲେ । ପରେ କ୍ରାଇମବ୍ରାଞ୍ଚର ସାଇବର ସେଲ ଏହାର ତଦନ୍ତ କରିଥିଲା ।

ମୁମ୍ବାଇରୁ ସମାଉଳ ହକ ଗିରଫ ହୋଇଥିବା ବେଳେ, ତାଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହକରି ତାଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ ବ୍ୟାପକ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଶିକ୍ଷା Tagged With: ଓଜେଇଇ, ଗିରଫ, ଜାଲ, ୱେବସାଇଟ

ସୋସିଅଲ ମେଡିଆରେ ପ୍ରସାରିତ ବିବାଦୀୟ ‘ବ୍ରହ୍ମ’ ଛବିକୁ ନେଇ ଏତଲା

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ସୋସିଆଲ ମେଡିଆରେ ପ୍ରସାରିତ ନବ କଳେବର ସମୟର ତଥାକଥିତ ଗୁପ୍ତ ଫଟୋ ସମ୍ପର୍କରେ ତଦନ୍ତ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ କ୍ରାଇମ ବ୍ରାଞ୍ଚ ପୁଲିସକୁ ଅନୁରୋଧ କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଆଧାରରେ କ୍ରାଇମ ବ୍ରାଞ୍ଚକୁ ସୋମବାର ଏକ ଚିଠି ଲେଖି ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଅନୁରୋଧ କରିଛନ୍ତି ।

ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ ସମ୍ପର୍କିତ ତଥାକଥିତ ଗୁପ୍ତ ନୀତି ଓ ବ୍ରହ୍ମର ଚିତ୍ର ସୋସିଆଲ ମେଡିଆରେ ପ୍ରସାରିତ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଏହି ଚିତ୍ରଗୁଡ଼ିକୁ ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଥିଲେ । ଇଣ୍ଟରନେଟରୁ ପୁରୁଣା ଫଟୋ ଡାଉନଲୋଡ କରି କିଛି ଲୋକ ଏହି ବିଭ୍ରାନ୍ତି ସୃଷ୍ଟି କରିଥିବାରୁ ଏହାର ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଚିଠି ମିଳିବ ପରେ କ୍ରାଇମବ୍ରାଞ୍ଚ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିବ ବୋଲି କ୍ରାଇମ ବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଧର୍ମ Tagged With: ନବ କଳେବର, ବିବାଦୀୟ ବ୍ରହ୍ମ ଫଟୋ

ନବକଳେବର ଯାତ୍ରା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ଆସନ୍ତା ମାସ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ନବ କଳେବର ଯାତ୍ରା ପାଇଁ ସରକାର ସୋମବାର ରାଜ୍ୟର ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୮୦ ଡାକ୍ତରଙ୍କୁ ମାସେ କାଳ ପୁରୀରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଉଥିବାରୁ ସେମାନଙ୍କ ଅନୁପସ୍ଥିତିରେ ଅନ୍ୟ ସ୍ଥାନରେ ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନା ହୁଏ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସ୍ୱାସ୍ଥ୍ୟ Tagged With: ଡ଼ାକ୍ତର, ନବ କଳେବର

ସୌମେନ୍ଦ୍ର ପ୍ରିୟଦର୍ଶୀ ନବକଳେବର ଓଏସଡି

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ସୋମବାର ନବକଳେବର ପାଇଁ ଅଫିସର ଅନ ସ୍ପେଶାଲ ଡିଉଟି ଭାବେ ନିଯୁକ୍ତି ଦେଇଛନ୍ତି।

ଆଇଜି ଅପେରସନ ଭାବେ କାର୍ଯ୍ୟରତ ପ୍ରିୟଦର୍ଶୀ ଅତିରିକ୍ତ ଭାବେ ଏହି ଦାୟିତ୍ଵ ତୁଲାଇବେ । ପୁରୀରେ ଅବସ୍ଥାନ କରି ଆଇନ ଶୃଙ୍ଖଳା ସହ ନବ କଳେବର ରୀତିନୀତି ଓ ସମନ୍ଵୟ କାର୍ଯ୍ୟର ସେ ତଦାରଖ କରିବେ ।

ଅନ୍ୟପକ୍ଷରେ ସରକାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ତାଙ୍କ ମୂଳ ଦାୟିତ୍ଵ ଶକ୍ତି ବିଭାଗର ସଚିବ ପଦବୀରୁ ଗୋଟିଏ ମାସ ପାଇଁ ଅବ୍ୟହତି ଦେଇଛନ୍ତି ।

ସେ ପୁରା ସମୟ ପୁରୀରେ ରହି ନବ କଳେବର କାର୍ଯ୍ୟ କିପରି ସୁରୁଖୁରୁରେ ହେବ ତାର କାର୍ଯ୍ୟ କରିବେ । ତାଙ୍କ ଅନୁପସ୍ଥିତିରେ ଶକ୍ତି ବିଭାଗର କାର୍ଯ୍ୟ ଗ୍ରୀଡକୋ ସିଏମଡି ହେମନ୍ତ ଶର୍ମା ତୁଲାଇବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିୟଦର୍ଶୀ ପୂର୍ବରୁ ପୁରୀରେ ଜିଲ୍ଲା ପୁଲିସ ମୁଖ୍ୟ ଥିଲେ ଓ ତାଙ୍କ କାର୍ଯ୍ୟକାଳ ସମୟରେ ରଥ ଯାତ୍ରା ସୁରୁଖୁରୁରେ ହୋଇଥିବାରୁ ପ୍ରଶଂସିତ ହୋଇଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ନବ କଳେବର, ସୌମେନ୍ଦ୍ର ପ୍ରିୟଦର୍ଶୀ

ସାମ୍ବାଦିକଙ୍କୁ ମାଡ ମାରି ଆରପିଏଫ ଅଧିକାରୀ ନିଲମ୍ବିତ

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ସ୍ଥାନୀୟ ଏକ ଟିଭି ଚ୍ୟାନେଲର ସାମ୍ବାଦିକ ଓ କ୍ୟାମେରାମେନଙ୍କୁ ସୋମବାର ଭୁବନେଶ୍ଵର ରେଳ ଷ୍ଟେସନରେ ମାଡ ମାରି ଜଣେ ରେଳ ସୁରକ୍ଷା ବଳର ଅଧିକାରୀ ନିଲମ୍ବିତ ହୋଇଛନ୍ତି ।

ଷ୍ଟେସନରେ ଏକ ଟ୍ରେନ ୧୬ ଘଣ୍ଟା ବିଳମ୍ବରେ ପହଞ୍ଚିବାକୁ ବିରୋଧ କରି ଯାତ୍ରୀମାନେ ପ୍ରତିବାଦ କରୁଥିଲେ । ଆରପିଏଫ ଯବାନ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ଯାତ୍ରୀଙ୍କ ପ୍ରତିବାଦର ଦୃଶ୍ୟ କନକ ଟିଭିର ସାମ୍ବାଦିକ ସତ୍ୟଜିତ ସେନ ଓ କ୍ୟାମେରାମେନ ଶଙ୍କର ପାତ୍ର ଉତ୍ତୋଳନ କରୁଥିବ ବେଳେ ଆରପିଏଫ ଇନିସପେକ୍ଟର ସଞ୍ଜୟ କୁମାର ସ୍ଵାଇଁ ତାଙ୍କୁ ମାଡ ମାରି ତାଙ୍କ କ୍ୟାମେରା ଭାଙ୍ଗିବା ସହ କ୍ୟାମେରାରୁ କ୍ୟାସେଟ କାଢି ନେଇଯାଇଥିଲେ ।

ସେ କେତେକ ଯାତ୍ରୀଙ୍କ ସହ ସମ୍ପୃକ୍ତ ସାମ୍ବାଦିକ ଓ କ୍ୟାମେରାମେନଙ୍କୁ ବେଆଇନ ଭାବେ ବହୁ ଘଣ୍ଟା ଧରି ଅଟକ ମଧ୍ୟ ରଖିଥିଲେ ।

ଏହି ଖବର ପାଇ ବହୁ ସାମ୍ବାଦିକ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଏହାର ବିରୋଧ କରିଥିଲେ ।

ଉତ୍ୟକ୍ତ ଲୋକେ ଷ୍ଟେସନରେ ଛିଡା ହୋଇଥିବା ଅନ୍ୟ କେତେକ ଟ୍ରେନକୁ ଛାଡି ନ ଥିଲେ । ଫଳରେ ବାଧ୍ୟ ହୋଇ ଆରପିଏଫ କତ୍ତୃପକ୍ଷ ବାଧ୍ୟ ହୋଇ ଘଟଣାର ଯାଞ୍ଚ ଆଦେଶଦେବା ସହ ଆରପିଏଫ ଇନିସପେକ୍ଟର ସଞ୍ଜୟ କୁମାର ସ୍ଵାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଆରପିଏଫ, ଭୁବନେଶ୍ଵର, ସାମ୍ବାଦିକ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 33
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ