• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାକ୍ଷାତକାର

ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାର୍ଶ୍ଵ ପ୍ରଭାବ ଉପରେ ଗବେଷଣା ଆବଶ୍ୟକ

January 19, 2006 by ନିଉଜ ଡେସ୍କ Leave a Comment

ବ୍ରହ୍ମପୁର, ଜାନୁୟାରୀ ୧୯,(ଓଡିଶା ଡ଼ଟ୍ କମ୍), ଓଡ଼ିଶାର ବ୍ରହ୍ମପୁର ସହରରେ ହରିହର ପାତ୍ର ଏବଂ ମା ପଦ୍ମାବତୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଦର୍ଶନ ପାତ୍ର ବର୍ତ୍ତମାନ ସ୍ତ୍ରୀ ଅନୁ, ଦୁଇ ପୁଅ ଆଶିଷ ଏବଂ ଆଦର୍ଶଙ୍କ ସହ ଉତ୍ତର ଆମେରିକାର ପୋର୍ଟଲ୍ୟାଣ୍ଡରେ ରହୁଛନ୍ତି ।

କଟକର ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସ୍ସି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଂଜିନିୟରିଂ, ଆମେରିକାର ଆମର୍ହଷ୍ଟଠାରେ ମାସାଚ୍ୟୁସେଟ୍ସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଏବଂ ଇନର୍ଫମେଶନ ସାଇନ୍ସରେ ଏମ୍. ଏସ୍. ।

ପରେ ଅଷ୍ଟିନ୍ଠାରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସେ ପିଏଚ୍ଡି କରିବା ସହ ପ୍ରଥମ ଚାକିରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ (ପ୍ରିୟଦର୍ଶନ ପାତ୍ର ଏବଂ ତାଙ୍କ ପରିବାର) କ୍ଷେତ୍ରରେ ତିନି ବର୍ଷ କାମ କରିଛନ୍ତି । ଏହା ପରେ ସେ ଯୋଗ ଦେଇଛନ୍ତି ଅରିଗନ୍ଠାରେ ଇଣ୍ଟେଲ କର୍ପୋରେସନ୍ ରେ ଏକ ନୂଆ ଗବେଷଣା କେନ୍ଦ୍ରରେ ।

ବର୍ତ୍ତମାନ ଇଣ୍ଟେଲରଆଡଭାନ୍ସଡ ପ୍ରୋସେସର ଡିଜାଇନ୍ ଏବଂ ଭିଏଲଏସ୍ଆଇର ବରିଷ୍ଠ ଗବେଷକଭାବେ କାର୍ଯ୍ୟ କରୁଥିବା ପାତ୍ର ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାଗତ ପରାମର୍ଶ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଛନ୍ତି ।

ଇଲୋକ୍ଟ୍ରୋନିକ୍ସ ସାଇନ୍ସ କ୍ଷେତ୍ରରେ ଆନ୍ତର୍ଜାତୀୟ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ସ(ଆଇଇଇଇ)ରେ ଜଣେ ବରିଷ୍ଠ ସଦସ୍ୟଭାବେ ସେ ମନୋନୀତ ହୋଇଛନ୍ତି ।

ତେବେ ଏ ସବୁ ଦାୟିତ୍ୱ ତୁଲାଇବା ସାଙ୍ଗକୁ ସେ ଓଡ଼ିଶାର ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଷ୍ଟେନେବଲ୍ ଇକୋନୋମିକ୍ ଆଣ୍ଡ ଏଜୁକେସ୍ନାଲ ଡେଭେଲପମେଣ୍ଟ ସୋସାଇଟି(ସିଡ୍ସ)ର ନେତୃତ୍ୱ ନେଉଛନ୍ତି ।

ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ନିଜ ଜନ୍ମଭୂମି ପାଇଁ କାର୍ଯ୍ୟ କରୁଥିବା ପାତ୍ରଙ୍କ ସହ ଓଡ଼ିଶା ଡଟ୍ କମ୍ ର ସାକ୍ଷାତକାର…….

ଆପଣ କେବେ ଓ କାହିଁକି ଓଡ଼ିଶା ଛାଡ଼ିଲେ?

ପ୍ରାୟ ୨୧ ବର୍ଷ ପୂର୍ବେ ମୋର ଇଂଜିନିୟରିଂ ପାଠପଢ଼ା ସରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକାରୁ ବୃତ୍ତି ପାଇ ମୁଁ ଭାରତ ଛାଡ଼ି ବିଦେଶ ଆସିଲି ।

ଆପଣ ଚାକିରି ବ୍ୟତୀତ ଅନ୍ୟ କେଉଁ ସବୁ କାମରେ ଏବଂ କେବେଠାରୁ ବ୍ୟସ୍ତ ଅଛନ୍ତି?

୧୯୮୯ ମସିହାରେ ମୁଁ ଏବଂ ଅନ୍ୟ ତିନି ଜଣ ସହପାଠୀ ମିଶି ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆ ପ୍ରୋଗ୍ରେସିଭ ଆକ୍ସନ୍ ଗ୍ରୁପ୍(ଆଇପିଏଜି) ଆରମ୍ଭ କରିଥିଲୁ । ପରେ ମୁଁ ଓଡ଼ିଶାର ଉନ୍ନତିରେ ଆଗ୍ରହୀ ଲୋକମାନଙ୍କୁ ନେଇ “ସିଡ୍ସ୍” ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲି ।

“ଆମେ ଯେଉଁଠି ବାସ କରୁଛୁ, ସେହି ସ୍ଥାନ ପାଇଁ “ଗ୍ଲୋବାଲ ଥଟ୍, ଲୋକାଲ ଆକ୍ସନ୍” ନୀତିରେ କିଛି କରିବା ଉପରେ ମୁଁ ବିଶ୍ୱାସ କରେ” ।

ମୁଁ ପୋର୍ଟଲ୍ୟାଣ୍ଡର ଏକ ପବ୍ଲିକ୍ ସ୍କୁଲରେ “ମ୍ୟାଥ୍ କାଉଣ୍ଟ କୋଚ୍” ଭାବେ କିଛି ଦିନ ପଢ଼ାଉଥିଲି । ସେଠାରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହୀ ଥିବାରୁ ଆମେ ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲୁ ।

ଏହା ବ୍ୟତୀତ ମୁଁ କମ୍ୟୁନିଟି ବିଲ୍ଡିଂ ଏବଂ ଓଡ଼ିଶାର କଳାକୁ ଲୋକପ୍ରିୟ କରାଇବା ଦିଗରେ କାମ କରୁଛି ।

କେଉଁ କେଉଁ ଜାଗାକୁ ଆପଣଙ୍କ କାମ ସଂପ୍ରସାରିତ କରିଛନ୍ତି?

ମୁଖ୍ୟତଃ ଓଡ଼ିଶାରେ । ଏହା ବ୍ୟତୀତ ଭାରତର ବିଭିନ୍ନ ସ୍ଥାନର ଅନ୍ୟ ଅନୁଷ୍ଠାନଗୁଡିକ ସହ ଯୋଗାଯୋଗ କରି ଆମେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ କରୁଛୁ ଏବଂ ପୋର୍ଟଲ୍ୟାଣ୍ଡରେ ମଧ୍ୟ ନିଜର କାମ ଜାରୀ ରଖିଛୁ ।

ଭାରତର ଗୁଜୁରାଟରେ ଭୂମିକମ୍ପ ସମୟରେ ଥଇଥାନ କାର୍ଯ୍ୟ କରିଥିବା କାଲିଫର୍ଣ୍ଣିଆର ଦୁଇଟି ସ୍ୱେଚ୍ଛାସେବୀ ଦଳ ଆମ ଗ୍ରୁପ୍ ରେ ଯୋଗ ଦେଇଛନ୍ତି ।

ସିଡ୍ସ୍ କିପରି ଆରମ୍ଭ ହେଲା? ଏହା ଆରମ୍ଭ ହେବାରେ ପ୍ରମୁଖ ଅବଦାନ କାହାର ରହିଛି ? ଏଥିରେ ଆପଣଙ୍କ ଭୂମିକା କ’ଣ?

ପ୍ରାଥମିକ ଅବସ୍ଥାରେ ଅଷ୍ଟିନ୍ ରେ ସ୍ଥାନୀୟ ହାବିଟାଟ୍ସ୍ ଫର୍ ହ୍ୟୁମାନିଟିରେ ଯୋଗ ଦେଇଥିଲି ଏବଂ ଭାରତର ବିଭିନ୍ନ ଭାଗରେ କାମ କରୁଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ ମୁଁ ନିଜକୁ ସଂପୃକ୍ତ କରାଇଥିଲି ।

କିଛି ବର୍ଷ ପରେ ଓଡ଼ିଶାରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି ।

ସମାଜ ସେବା ପାଇଁ ବାପାଙ୍କ ପ୍ରେରଣା, ପ୍ରାଥମିକ ଅବସ୍ଥାରେ ଆଇପିଏଜିରେ ଅଭିଜ୍ଞତା ଏବଂ ୧୯୯୦ ମସିହାରେ ସ୍ୱେଚ୍ଛାସେବୀ ନିଶାକର ଦାଶଙ୍କ ଗାଁକୁ କରିଥିବା ଗସ୍ତରୁ ମୁଁ ବହୁ ଉପାଦେୟ ତଥ୍ୟ ଶିଖିବାକୁ ପାଇଛି ।

ଥମାସ୍ କୋଚେରୀ, ବନ୍ଦନା ଶିବା, ମଧୁ କିଶ୍ୱରଙ୍କ ଭଳି କର୍ମୀମାନଙ୍କ ସହ ମୋର ଆଲୋଚନା, ବାର୍ତ୍ତାଳାପ ମଧ୍ୟ ମୋତେ ବହୁ ସାହାଯ୍ୟ କରିଛି ।

କଳାହାଣ୍ଡି-ବଲାଙ୍ଗିର ଅଞ୍ଚଳରେ ଅନାହାର ମୃତ୍ୟୁ ଭାରତ ଗଣମାଧ୍ୟମର ଆକର୍ଷଣ ପାଲଟିବା ଏବଂ ଆଇପିଏଜିର କାର୍ଯ୍ୟ ଉନ୍ନୟନମୂଳକ ବିଷୟରୁ ଓହରି ଯାଇ ରାଜନୀତି କେନ୍ଦ୍ରିକ ହେବା ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି ।

ଇଣ୍ଟରନେଟ୍ ମାଧ୍ୟମରେ ଉତ୍ତର ଆମେରିକାରେ ରହୁଥିବା ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଘଟଣାବଳୀ ଗୁଡ଼ିକ ମୋତେ ଏକ ଅବସର ଯୋଗାଇଲା ।

ଏହିପରି କେବିକେ(କୋରାପୁଟ, କଳାହାଣ୍ଡି, ବଲାଙ୍ଗିର) ଯୋଜନା ୧୯୯୩ରେ ଆରମ୍ଭ ହେଲା । ପ୍ରଥମେ ଆମ ସହ ଆମେରିକାର ଇଷ୍ଟ କୋଷ୍ଟ ଏବଂ ୱେଷ୍ଟ କୋଷ୍ଟର ଦୁଇ ଜଣ ସକ୍ରିୟ କର୍ମୀ ଥିଲେ । ବର୍ତ୍ତମାନ ସେମାନେ ଆମ ସହ କାମ କରି ପାରୁ ନାହାନ୍ତି ।

ତେବେ ଏକ ବର୍ଷ ମଧ୍ୟରେ କାନାଡ଼ା, ଟେକ୍ସାସ୍, ମିଶିଗାନ୍ ର ଅନ୍ୟ କେତେକ ସଭ୍ୟ ଯୋଗ ଦେଲେ । ୧୯୯୪ ମସିହାରେ ଆମେ ସିଡ୍ସ୍ ନାମରେ ଏକ ସ୍ୱତନ୍ତ୍ର ଗ୍ରୁପ୍ ସୃଷ୍ଟି କଲୁ ।

ଆମେମାନେ ଯେ, ପରିବର୍ତ୍ତନର ଗୋଟିଏ ଗୋଟିଏ ବୀଜ, ସିଡ୍ସ୍ ଆମ ମନରେ ଏହି ଧାରଣା ସୃଷ୍ଟି କରିଛି । ଯଥେଷ୍ଟ ସାମର୍ଥ୍ୟ ନେଇ ଆମେ ପରିବର୍ତ୍ତନର ବହୁ ବୀଜ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

୧୯୯୫ ପରେ ସିଡ୍ସ୍ ର ମୁଖ୍ୟ କାର୍ଯ୍ୟାଳୟ ପୋର୍ଟଲ୍ୟାଣ୍ଡକୁ ସ୍ଥାନାନ୍ତର ହୋଇ ଏକ ଅଣ ଲାଭଦାୟକ ସଂସ୍ଥାଭାବେ ପଞ୍ଜୀକୃତହେଲା ।

ଏହାର କାର୍ଯ୍ୟାଳୟ, କାର୍ଯ୍ୟ ପରିସର ଏବଂ ଆର୍ଥିକ ଅନୁଦାନ ଉପରେ କିଛି କହିବେ କି?

ଆଞ୍ଚଳିକତାବାଦଠାରୁ ଉଦ୍ଧ୍ୱର୍ରେ ଗଣତନ୍ତ୍ର, ସମାନତା, ନିଃସ୍ୱାର୍ଥପର ନେତୃତ୍ୱ ଆଦି କେତେକ ସିଦ୍ଧାନ୍ତ ଉପରେ ସିଡ୍ସ୍ର କାର୍ଯ୍ୟାଳୟ ଏବଂ ଏହାର କାର୍ଯ୍ୟ ପରିସର ପର୍ଯ୍ୟବସିତ ।

ମାନବିକତା ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଉନ୍ନତି ଆଣିବା ସହ ରାଜ୍ୟରେ ହେଉଥିବା ରାଜନୈତିକ ଏବଂ ସାମାଜିକ ଅନ୍ୟାୟ ଗୁଡ଼ିକର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ ।

ସମଗ୍ର ବିଶ୍ୱରେ ଅସମାନତା, ଅଜ୍ଞାନତା ବିଷୟରେ ସଚେତନତା ଆଣି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରୁଥିବା ଏକ ଅନୁଷ୍ଠାନ ଗଢ଼ିବା ପାଇଁ ଆମେ ଯୋଜନା କରୁଛୁ ।

ଆମ ଅନୁଷ୍ଠାନରେ କାମ କରୁଥିବା ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତଭାବେ ପରୋପକାରଧର୍ମୀ କାମ କରୁଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆମର ପ୍ରକଳ୍ପ ଗୁଡ଼ିକ ସମାଜର ସର୍ବନିମ୍ନ ସ୍ତରରେ କାର୍ଯ୍ୟ କରୁଛି ।

ଦୀର୍ଘମିଆଦୀ ଯୋଜନା ଅନୁଯାୟୀ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଅପେକ୍ଷା ସେମାନଙ୍କୁ ନିଜ ସମସ୍ୟା ନିଜେ ସମାଧାନ କରିବାର ଉପାୟ ବତାଇବାରେ ଆମେ ସାହାଯ୍ୟ କରୁଛୁ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପୂର୍ଣ୍ଣାଙ୍ଗ ଉନ୍ନୟନ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆମେ ଜ୍ଞାନ ଆହରଣ କଲୁ ।

ଦ୍ୱିତୀୟ ପର୍ଯ୍ୟାୟରେ “ପାଣି ପଞ୍ଚାୟତ” କୁ ନେଇ ଗବେଷଣା, ମହାବାତ୍ୟା ପରେ ଥଇଥାନ ଏବଂ ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, କଟକ, ବାଲେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାଗୁଡ଼ିକରେ କେତେକ ଦୀର୍ଘମିଆଦି ପ୍ରକଳ୍ପ ଆରମ୍ଭ କରିଥିଲୁ ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଆମର ସ୍ୱଳ୍ପ ସମ୍ବଳ ସତ୍ତ୍ୱେ କୌଣସି ନିର୍ଦ୍ଧିଷ୍ଟ ଗାଁ, ସହର କିମ୍ବା ଅଞ୍ଚଳରେ ସୀମିତ ନ ରହି ଆମେ କାର୍ଯ୍ୟ ପରିସରକୁ ଆହୁରି ସଂପ୍ରସାରିତ କରିବୁ ।

ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ (୧)ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସେହି ଅଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା କ୍ଷୁଦ୍ରଶିଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମାଇକ୍ରୋ କ୍ରେଡିଟ୍ ବ୍ୟାଙ୍କ୍ ସ୍ଥାପନ, (୨) ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଗଣିତ ସମ୍ବନ୍ଧୀୟ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା, ଆର୍ଥିକ ସ୍ୱଚ୍ଛଳତା ନ ଥିବା ଲୋକମାନଙ୍କ ପାଇଁ ସହଜରେ ସୂଚନା ପାଇବାର ସୁବିଧା ଯୋଗାଇବା ଏବଂ (୩) “ଅର୍ଣ୍ଣ ଆଣ୍ଡ ଲର୍ଣ୍ଣ” କେନ୍ଦ୍ରଗୁଡ଼ିକ ଜରିଆରେ ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ।

ଏଥି ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛୁ ।

ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ବିଷୟରେ ଆପଣଙ୍କର ମତ କ’ଣ? ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ମୁଁ ଧୈର୍ଯ୍ୟ ଏବଂ ନିଷ୍ଠାପର କାମରେ ବିଶ୍ୱାସ କରେ । ଲୋକମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଉପଯୁକ୍ତ ତାଲିମ ଯୋଗାଇବା ଆବଶ୍ୟକ ।

କ୍ଷୁଦ୍ରଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆମାନଙ୍କ ସହାୟତା ମିଳିଲେ ରାଜ୍ୟର ଆଖିଦୃଶିଆ ଉନ୍ନତି ସମ୍ଭବ ହେବ ।

ଆପଣଙ୍କର ପଦକ୍ଷେପ କୌଣସି ପରିବର୍ତ୍ତନ ଆଣିଛି କି?

ହଁ ନିଶ୍ଚିତଭାବେ । ଫଳାଫଳ ମିଶ୍ରିତ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଛି । ତେବେ ଆମର ଚେଷ୍ଟାକୁ ଆହୁରି ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାର ଆବଶ୍ୟକତା ରହିଛି ।

ବର୍ତ୍ତମାନର ପ୍ରଶାସନିକ ଢ଼ାଞ୍ଚାରେ ଓଡ଼ିଶାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି କି? ରାଜ୍ୟରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଅନୁଭବ କରୁଛନ୍ତି କି? ରାଜ୍ୟରେ ଅଧିକ ବିଦେଶୀ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କର ଏ ବିଷୟରେ ମତ କ’ଣ?

ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ସରକାରଙ୍କ ନୀତି ନେଇ ମୁଁ କୌଣସି ମତାମତ ଦେବାକୁ ଚାହୁଁନି । ତେବେ ରାଜ୍ୟରେ ଏକ ସନ୍ତୁଳିତ ହାରରେ ବିକାଶ ପାଇଁ ସରକାର ତଥା ରାଜନେତାମାନେ ଚେଷ୍ଟା କରିବା ଉଚିତ ।

ରାଜ୍ୟର ସ୍ଥିତିକୁ ଦୃଢ଼ କରି ନେତାମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ । କୌଣସି ବୃହତ୍ ଶିଳ୍ପ ଉଦ୍ୟୋଗ ନିଶ୍ଚିତଭାବେ ରାଜ୍ୟର ଭାଗ୍ୟ ବଦଳାଇଦେବ ବୋଲି ଆଶା ପୋଷଣ କରିବା ପରିବର୍ତ୍ତେ ଉକ୍ତ କାରଖାନା ସ୍ଥାପନ ପରେ ଦୁର୍ନୀତି, ପରିବେଶ, ଶିକ୍ଷା, ରାଜ୍ୟବାସୀଙ୍କ ଦୀର୍ଘମିଆଦି ଜୀବିକା ଉପରେ ପଡୁଥିବା ପ୍ରଭାବ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

ଉନ୍ନତି କ୍ଷେତ୍ରରେ ଓଡ଼ିଶା କି କି ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବୁଛନ୍ତି?

ମୋ ମତରେ ରାଜ୍ୟବାସୀଙ୍କ ଭାଗ୍ୟବାଦୀ ମନୋବୃତ୍ତି ଏବଂ ଯୁବ ପୀଢ଼ି ମଧ୍ୟରେ ଦିନକୁ ଦିନ ହା୍ରସ ପାଉଥିବା ଉତ୍ସାହ ଏହାର ମୁଖ୍ୟ କାରଣ ଅଟେ । ରାଜନେତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଠାରେ ମଧ୍ୟ କିଛି କରିବାର ଆଗ୍ରହ କମିଥିବା ଲକ୍ଷ୍ୟ କରାଯାଉଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ କି? ଯଦି ହଁ, ତେବେ ଏ ପର୍ଯ୍ୟନ୍ତ ସେମାନେ ଏ କ୍ଷେତ୍ରରେ କାହିଁକି ସଫଳ ହୋଇ ନାହାନ୍ତି?

ହଁ, ରାଜ୍ୟ ବିକାଶରେ ନିଶ୍ଚିତଭାବେ ପ୍ରବାସୀ ଓଡ଼ିଆଙ୍କର ଭୂମିକା ରହିଛି । କେବଳ ସିଡ୍ସ ନୁହେଁ ଅନ୍ୟ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କଠାରୁ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଭଲ ଫଳାଫଳ ମଧ୍ୟ ମିଳିଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶମୂଳକ କାର୍ଯ୍ୟର ନେତୃତ୍ୱ ନ ନେଇ ପାରିବାର କେତେକ କାରଣ ରହିଛି ।

ଯେମିତିକି, ୧- ଉତ୍ତର ଆମେରିକାରେ ପାଖାପାଖି ଆଠ ହଜାର ଓଡ଼ିଆ ବାସ କରନ୍ତି, ଯେଉଁ ସଂଖ୍ୟା କି ଓଡ଼ିଶାର ଲୋକସଂଖ୍ୟା ଏବଂ ତାର ସମସ୍ୟା ଆଗରେ ଅତି ନଗଣ୍ୟ ।

୨- ବିଦେଶରେ ରହୁଥିବା ଅଧିକାଂଶ ଓଡ଼ିଆ ନିଜର ଆର୍ଥିକ ତଥା ସାମାଜିକ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

୩- ନେତୃତ୍ୱଙ୍କୁ ଅଧ୍ୟବସାୟ ଏବଂ ସମାଜସେବାରେ ନିୟୋଜିତ ହେବା ପାଇଁ କେତେକ ଏକାଧିକ ବର୍ଷ ସମୟ ନେଇଥାନ୍ତି ।

ତେବେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଯୁବ ପୀଢ଼ିର ନେତୃତ୍ୱ ନେଇପାରିଲେ ପରିସ୍ଥିତିରେ ଉନ୍ନତି ହେବ ବୋଲି ମୁଁ ଆଶା କରୁଛି ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଲେ, ସେତେବେଳର ଓଡ଼ିଶା ଆଉ ବର୍ତ୍ତମାନର ଓଡ଼ିଶା ମଧ୍ୟରେ କ’ଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?

ସେତେବେଳ ଅପେକ୍ଷା ପରିବହନ, ରାସ୍ତାଘାଟ ନିର୍ମାଣ ଆଦି କ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।

ପ୍ରତ୍ୟେକ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ସେହି ଅନୁପାତରେ ଉତ୍ପାଦନ ବଢ଼ିପାରିନାହିଁ । ଅଧିକ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେବା ଫଳରେ ରାଜ୍ୟରେ ଜଙ୍ଗଲର ପରିମାଣ କମିଛି । ପରିମଳ ବ୍ୟବସ୍ଥାରେ ଆବଶ୍ୟକ ପରିମାଣର ଉନ୍ନତି ହୋଇ ନାହିଁ ।

ତେବେ, ଲୋକମାନେ ନିଜର ଅଧିକାର ନେଇ ଅଧିକ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ବିକାଶ ପାଇଁ କେଉଁ ବିଷୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?

ଓଡ଼ିଶାରେ ଶିକ୍ଷା, ସମାନତା, ଲୋକମାନଙ୍କର ଜୀବିକା କ୍ଷେତ୍ରରେ ଉନ୍ନତି ହେବା ଆବଶ୍ୟକ । ଆନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଭ କରିବାକୁ ହେଲେ ଆମେ ସଂପାଦନ କରୁଥିବା ଯେ କୌଣସି କାର୍ଯ୍ୟକୁ ସର୍ବୋତ୍ତମ କରିବାକୁ ହେବ ।

ରାଜନୀତି ଆଡ଼କୁ ଆକର୍ଷିତ ହେଉଥିବା ଯୁବପୀଢ଼ି ଶିକ୍ଷିତ ହେବା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ ଅବସ୍ଥା ସଂପର୍କରେ ସଚେତନ ଏବଂ ସେବା ମନୋବୃତ୍ତି ସଂପନ୍ନ ହେବା ଆବଶ୍ୟକ ।

ପ୍ରଯୁକ୍ତି ବିଦ୍ୟାର ସୀମା ବିଷୟରେ ସଚେତନ ହେବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରାଯିବା ଉଚିତ । ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସମାଧାନ କରିବା ପାଇଁ ଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ।

ରାଜ୍ୟର ନୀତି ନିର୍ଦ୍ଧାରଣକାରୀ ତଥା ଉନ୍ନୟନମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ବର୍ଗପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ପ୍ରଣୟନ କରାଯାଉଥିବା ନୀତିଗୁଡ଼ିକରେ ନିଜର ଦୃଷ୍ଟିକୋଣ, ସୃଜନଶୀଳତା ଏବଂ ସାହସ ପ୍ରତିଫଳିତ ହେବା ଆବଶ୍ୟକ । ଦୁର୍ନୀତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସଠିକ୍ ବ୍ୟବସ୍ଥା ରହିବା ଉଚିତ ।

ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ଅବହେଳାର ଶିକାର ହେଉଛି ବୋଲି ଆପଣ ସହମତ କି ? ଯଦି ହଁ ଏହାର ପ୍ରତିକାର କ’ଣ?

ହଁ, ଓଡ଼ିଶା କେତେକ କ୍ଷେତ୍ରରେ ଅବହେଳିତ ହେବା ପରିଲକ୍ଷିତ ହେଉଛି । ତେବେ ସେଥି ପାଇଁ ଆମ ନିଜକୁ ଏବଂ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ନିଜର ସମୃଦ୍ଧ ସଂସ୍କୃତିକୁ ସୁରକ୍ଷିତ କରିବା ସହ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମକୁ ଆଗକୁ ଯିବାକୁ ହେବ ।

ଆପଣଙ୍କର ଦିନଚର୍ଯ୍ୟା ବିଷୟରେ କିଛି କହିବେ କି?

ମୋ ସ୍ତ୍ରୀ ଏବଂ ପରିବାରର ସହଯୋଗରେ ସପ୍ତାହର ପ୍ରାୟ ପ୍ରତିଦିନ ଗବେଷଣା, ସିଡ୍ସ୍ର ନେତୃତ୍ୱ, ସ୍ଥାନୀୟ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାରେ ସମର୍ଥ ହୁଏ ।

ଚଳିତ ବର୍ଷ କଳାକାରମାନଙ୍କର ଏକ ପନ୍ଦର ଜଣିଆ ଦଳର କାର୍ଯ୍ୟକ୍ରମ ପରିଚାଳନା କରିବା ଭଳି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ରହିଲେ ମଧ୍ୟ, ମୋ ପାଇଁ ସେ ସବୁ ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିଯାଇଛି ।

ଓଡ଼ିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: କମ୍ପ୍ୟୁଟର ସାଇନ୍ସ, ଗଣମାଧ୍ୟମ, ଗବେଷଣା, ବିଶ୍ୱବିଦ୍ୟାଳୟ, ଶିଳ୍ପ ପ୍ରତିଷ୍ଠା, ସାକ୍ଷାତକାର, ସ୍ୱେଚ୍ଛାସେବୀ

ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ

November 25, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନଭେମ୍ବର ୨୫,(ଓଡିଶା ଡ଼ଟ୍ କମ୍), ମଧ୍ୟପ୍ରାଚ୍ୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରୁଥିବା ପଡ଼ୋଶୀ ପଶ୍ଚିମବଙ୍ଗର ଦୀପକ ରାୟ କୁହନ୍ତି, ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ।

ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର କୃଷ୍ଣପୁରରେ ଜନ୍ମ ଗ୍ରହଣ କରିଥିବା ଦୀପକ ରାୟ ଗତ ଦଶ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରାଚ୍ୟରେ ଓଡ଼ିଶୀର ପ୍ରଚାର କରୁଛନ୍ତି । ଅନ୍ୟ ରାଜ୍ୟରେ ଜନ୍ମ ହୋଇ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ବିଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

୧୯୯୩ରେ ମସ୍କାଟ୍ର ଓମାନରେ ଇଣ୍ଡିଆନ ଏମ୍ବାସି ସ୍କୁଲରେ ଜଣେ କଳା ଶିକ୍ଷକଭାବେ ସେ ଯୋଗ ଦେଇଥିଲେ । ସ୍କୁଲରେ ଗ୍ରାଫିକ ଆର୍ଟସ ପଢ଼ାଇବା ବ୍ୟତୀତ ଅନ୍ୟ ସମୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରନ୍ତି ୪୦ ବର୍ଷ ବୟସ୍କ ଦୀପକ ।

ବ୍ୟକ୍ତିଗତ ଚେଷ୍ଟାରେ “ଦୀପମ୍” ନୃତ୍ୟଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରି ଦୀପକ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେଠାରେ ନୃତ୍ୟ ଶିକ୍ଷା ତାଲିମ ଦେଉଛନ୍ତି । ସେଠାରେ ରହୁଥିବା ଦକ୍ଷିଣ ଭାରତୀୟ ଏବଂ ଭାରତୀୟ ମୁସଲିମ ମାନେ ଓଡ଼ିଶୀ ଶିଖିବାକୁ ଅଧିକାଂଶ ସଂଖ୍ୟାରେ ଆସୁଛନ୍ତି ।

ଭୋର ପାଞ୍ଚଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ନୃତ୍ୟ ଶିକ୍ଷା ଚାଲେ । ସହଜ ନୃତ୍ୟ ଭଙ୍ଗୀ ରଚନା କରିବାରେ ନିଜର ସୃଜନଶୀଳତା ପାଇଁ ଶିଷ୍ୟମାନଙ୍କ ମହଲରେ ସେ ବେଶ୍ ଆଦରଣୀୟ ।

କଲିକତାର ଶାନ୍ତି ନିକେତନରୁ ଗ୍ରାଫିକ ଆର୍ଟ ଶିକ୍ଷା କରିବା ସହ ଦୀପକ ସେଠାରୁ ଶିଖିଛନ୍ତି କଥକଳୀ, ମଣିପୁରୀ ଏବଂ ଓଡ଼ିଶୀ । ସ୍କୁଲ ଜୀବନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଆଦି ବିଷୟ ପଢ଼ିଥିଲେ ମଧ୍ୟ ପରେ ସେ କଳା ଆଡ଼କୁ ଅଧିକ ଆକର୍ଷିତ ହୋଇଥିଲେ ।

ଗୁରୁ କେଳୁ ନାୟାରଙ୍କଠାରୁ କଥକଳି, ଜିତେନ୍ ସିଂଙ୍କଠାରୁ ମଣିପୁରୀ ଶିଖିଥିଲେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅନୁରାଗ ଥିଲା ।

“ଏକା ସମୟରେ ଏକାଧିକ ନୃତ୍ୟ ପ୍ରଦର୍ଶନରେ ଧ୍ୟାନ ଦେଲେ କୌଣସି ଗୋଟିଏ ପ୍ରତି ନ୍ୟାୟ କରିବା ସମ୍ଭବ ହୁଏନା । ତେଣୁ ୧୯୮୯ରେ କେବଳ ଓଡ଼ିଶୀ ନୃତ୍ୟରେ ମନୋନିବେଶ କରିବାକୁ ମଁ ନିଷ୍ପତ୍ତି ନେଇଥିଲି” ।

ଭାରତୀୟ ନୃତ୍ୟଗୁଡ଼ିକ ମଧ୍ୟରେ “ଓଡ଼ିଶୀ” ସର୍ବ ପୁରାତନ ଏବଂ ଏହାର ଭଙ୍ଗୀଗୁଡ଼ିକ ଅନ୍ୟ ନୃତ୍ୟ ତୁଳନାରେ ଅଧିକ ଜଟିଳ ବୋଲି ବିଶ୍ୱାସ କରନ୍ତି କଳାପ୍ରେମୀ ଦୀପକ ।

ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ପଦ୍ମ ଭୂଷଣ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ସେ ନୃତ୍ୟ ତାଲିମ ନେଇଛନ୍ତି ।

ସେ ଯେତେବେଳେ ଓମାନ ଯାଇଥିଲେ ଓଡ଼ିଶୀ ବିଷୟରେ ସେଠାକାର ଲୋକମାନଙ୍କର କୌଣସି ଧାରଣା ନ ଥିଲା ବୋଲି କୁହନ୍ତି ଦୀପକ । “ନୃତ୍ୟର ପ୍ରଚାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମୋତେ ବିଭିନ୍ନ ଭଙ୍ଗୀରେ ଅଭିନୟ କରି ଏଠାକାର ଲୋକମାନଙ୍କୁ ଦେଖାଇବାକୁ ପଡୁଥିଲା” ।

ଉକ୍ତ ଅଞ୍ଚଳରେ ପ୍ରାୟ ତିରିଶ ଲକ୍ଷ ଭାରତୀୟ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍କାଟରେ ରହୁଛନ୍ତି ।

ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତିକୁ କଳା ପ୍ରେମୀ ଏସିଆ ମହାଦେଶର ଲୋକମାନଙ୍କ ବ୍ୟତୀତ ବର୍ତ୍ତମାନ ୟୁଏଇ, ବାହାରିନ, ଦୋହା ଆଦି ଦେଶର ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି ବୋଲି ଦୀପକ ଓଡ଼ିଶା ଡଟ୍ କମ୍ କୁ କହିଛନ୍ତି ।

ପ୍ରଳୟଙ୍କରୀ ସୁନାମୀ ପରେ ଗତ ମେ ମାସରେ ମସ୍କାଟର ଆଲ୍ବାସ୍ତାନ ପ୍ୟାଲେସ ହୋଟେଲରେ ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ସଂପୂର୍ଣ୍ଣ ଓଡ଼ିଶୀ ଶୈଳୀରେ ପ୍ରକୃତିର ମହତ୍ୱକୁ ଏହି ନୃତ୍ୟ ମାଧ୍ୟମରେ ଚିତ୍ରିତ କରାଯାଇଥିଲା । ପ୍ରାୟ ୪୦ ଜଣ ଯୁବ କଳାକାର ଏଥିରେ ଭାଗ ନେଇଥିଲେ । ଉପସ୍ଥିତ ଶତାଧିକ ବିଦେଶୀ ଦର୍ଶକ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ବୋଲି ଦୀପକ କହିଛନ୍ତି ।

ଆଧୁନିକ ଓଡ଼ିଶୀ ଶୈଳୀରେ ତାଙ୍କର ସୃଷ୍ଟି “ଇଟରନାଲ ଜର୍ଣ୍ଣି ଟୁ ସି” ଏବଂ “ଜଙ୍ଗଲ ସିମ୍ଫୋନି” କୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଭାରତୀୟ ଦୂତାବାସରେ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ ସେମାନେ ଦୀପକଙ୍କୁ ନିମନ୍ତ୍ରଣ କରିଥାନ୍ତି ।

ଭାରତ, ନେପାଳ, ୟୁଏଇ ଆଦି ଦେଶରେ ପ୍ରଦର୍ଶନ କରିସାରିଥିବା ଦୀପକ “ଷ୍ଟେଜ୍ ଶୋ” ସମୟରେ ନିଜର ସ୍ୱତନ୍ତ୍ର ଶୈଳୀରେ ମଞ୍ଚ ସଜ୍ଜା, ଆଲୋକ ଏବଂ ଶବ୍ଦର ସଂଯୋଜନା କରିଥାନ୍ତି ।

ତେବେ ତାଙ୍କର ଏହି ସଫଳତା ପଛରେ ପତ୍ନୀ ବନଜା କୁମାରୀ ରାୟଙ୍କର ପ୍ରେରଣା ଥିବା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ଦୀପକ । ବନଜା ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଦୀପକଙ୍କର ବାପା ପଶ୍ଚିମବଙ୍ଗର ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ । ମାଆ ଜଣେ କଳାକାର । ଦୀପକଙ୍କୁ ମିଶାଇ ତାଙ୍କର ଦୁଇ ଭାଇ ଦୁଇ ଭଉଣୀ । ଦୀପକ ସବା ବଡ଼ ।

ତାଙ୍କର ସାନ ଭଉଣୀ ବର୍ତ୍ତମାନ ଉତ୍ତରପ୍ରଦେଶର କାନପୁରରେ କଥକଳି ନୃତ୍ୟର ପ୍ରସାର ପାଇଁ କାମ କରୁଥିବା ଦୀପକ କହିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଶୀ, କଥକଳୀ, ଛାତ୍ରଛାତ୍ରୀ, ଦୀପକ ରାୟ, ପଶ୍ଚିମବଙ୍ଗ, ମଣିପୁରୀ, ଶାନ୍ତି ନିକେତନ, ସାକ୍ଷାତକାର

ଅନ୍ୟକୁ ଦୋଷ ନ ଦେଇ ନିଜ କାମ କରିବା ବିକାଶର ମନ୍ତ୍ର

October 19, 2005 by ନିଉଜ ଡେସ୍କ Leave a Comment

କାନାଡା,ଅକ୍ଟୋବର ୧୯,(ଓଡିଶା ଡ଼ଟ୍ କମ୍), କାନାଡାରେ ସୂଚନା ପ୍ରଯୁକ୍ତି କମ୍ପାନୀ “ସିଏସଡ଼ିସି ସିଷ୍ଟମ’ ଆରମ୍ଭ କରି ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜର ସଫ୍ଟୱେର ପାଇଁ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଶ୍ରଦ୍ଧାନନ୍ଦ ମିଶ୍ର । ତାଙ୍କୁ ସାକ୍ଷାତ କରିଥିଲେ ସୂର୍ଯ୍ୟକାନ୍ତ ମହାନ୍ତି ।

କଟକର ରେଭେନ୍ସା କଲେଜରୁ ବିଏସସିରେ ଅନର୍ସ ୱିଥ ଡ଼ିଷ୍ଟିଙ୍ଗସନ ରଖି ଉତ୍ତୀର୍ଣ୍ଣ ହେବାପରେ ବାଙ୍ଗାଲୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ । ତା ପରେ ଏକ ବୃତ୍ତିରେ କାନାଡ଼ାରେ ସ୍ନାତକୋତ୍ତର ଡିଗ୍ରୀ ।

ସେଠାରେ ବୃହତ ବହୁରାଷ୍ଟ୍ରୀୟ କର୍ପୋରେସନରେ କମ୍ପ୍ୟୁଟର ପ୍ରୋଗ୍ରାମର ଓ ପରେ ଗୋଟିଏ ବଡ଼ ବ୍ୟାଙ୍କ ଓ ଟେଲିକମ୍ୟୁନିକେସନ କମ୍ପାନୀରେ ପରିଚାଳକ ପଦବୀରେ ଚାକିରି କରିଥିବା ଓଡ଼ିଶାର ଶ୍ରଦ୍ଧାନନ୍ଦ ମିଶ୍ର କୋଡିଏ ବର୍ଷ ହେଲା ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରି ନିଜ ପାଇଁ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ ।

ତାଙ୍କ ମାଲିକାନାରେ ଚାଲିଥିବା ଏହି କମ୍ପାନୀର ନାଁଆ ହେଉଚି ସିଏସଡ଼ିସି ସିଷ୍ଟମ । ଏହାର ମୁଖ୍ୟ କାର୍ଯ୍ୟାଳୟ କାନାଡାର ଟରଣ୍ଟୋଠାରେ ରହିଥିବା ବେଳେ ଏହାର କ୍ଷେତ୍ରୀୟ ଦପ୍ତରମାନ ଆମେରିକାର ସେଣ୍ଟ ପିର୍ଟ୍ସବର୍ଗ, ଫ୍ଲୋରିଡ଼ା, ଭାଙ୍କ୍ୟୁଭର, ସାନ ଫ୍ରାନସିସ୍କୋ, ଡ଼େନବେର ରହିଛି । ସିଏସଡ଼ିସିରେ ୧୦୦ ଜଣ କର୍ମଚାରୀ କାର୍ଯ୍ୟକରୁଛନ୍ତି ।

ଓଡ଼ିଶାରେ ମଧ୍ୟ ସେ ଆରମ୍ଭ କରିଛନ୍ତି ଏକ ସଫ୍ଟୱେର ଡେଭେଲପମେଣ୍ଟ ସେଣ୍ଟର ।

ଶ୍ରଦ୍ଧାନନ୍ଦ ପରିକଳ୍ପନା ଓ ବିକାଶ କରିଥିବା “ଆମଣ୍ଡା” ନାମକ ସଫ୍ଟୱେର ସରକାରମାନଙ୍କୁ ସବୁସ୍ତରରେ କମ୍ପ୍ୟୁଟର କାର୍ଯ୍ୟକ୍ରମର ରାଇଟ ନକରି ମଧ୍ୟ ଜନତାକୁ ସ୍ୱୟଂକ୍ରିୟ ଭାବେ ସେବା ଯୋଗାଇ ଦେବାରେ ସାହାଯ୍ୟ କରିଆସୁଛି ।

ଗତ ପନ୍ଦର ବର୍ଷ ଧରି କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକାରେ ଇ-ପ୍ରଶାସନ କ୍ଷେତ୍ରରେ ବିଭିନ୍ନ ମ୍ୟୁନିସିପାଲିଟି, ପ୍ରୋଭିନ୍ସ,ରାଜ୍ୟ ତଥା ସଂଘୀୟ ସରକାରଙ୍କୁ ଏହି ସଫ୍ଟୱେର ଜନତାଙ୍କୁ ସବୁଠାରୁ କ୍ଷିପ୍ର ତଥା ଦକ୍ଷତାର ସହିତ ସେବା ଯୋଗାଇଦେବାପାଇଁ ସମର୍ଥ ହୋଇପାରିଛି ।

ମୁଁ ମୋ ଜୀବନକୁ ଉପଭୋଗ କରୁଛି କେବେବି ସାମାନ୍ୟତମଭାବେ ଉଦାସ ହୋଇନାହିଁ । ମତେ ଅଧିକାଂଶ ସମୟ ଗସ୍ତ କରିବାକୁ ପଡ଼ିଥାଏ । କିନ୍ତୁ ମୁଁ ଯେଉଁଠାକୁ ଯାଏନା କାହିଁକି, ପର୍ଯ୍ୟାପ୍ତ ପରିମାଣରେ ପଢିବା ତଥା ଯୋଗାଭ୍ୟାସ ପାଇଁ ସମୟ ପାଇଥାଏ । ବଳକା ସମୟରେ ଭାରତୀୟ ବୈଦିକ ସଂସ୍କୃତି ବିଷୟରେ ଅଧ୍ୟୟନ ଓ ଗବେଷଣା କରିବାକୁ ଭଲ ପାଏ, ଓଡ଼ିଶା ଡଟ୍ କମ୍ କୁ ସାକ୍ଷାତ୍କାରରେ କହନ୍ତି ଶ୍ରଦ୍ଧାନନ୍ଦ ।

ମୋର ତିନୋଟି ପିଲା- ମୋହନ, ବିଜୟ ଏବଂ ପ୍ରାଚୀ । ମୋହନ ଓ ପ୍ରାଚୀ ଭାରତ ତଥା ବଲିଉଡ଼ ଚଳଚ୍ଚିତ୍ର ଜଗତକୁ ମିଶାଇ ଭାରତୀୟ ସଂସ୍କୃତିର ସବୁ କଥାକୁ ଖୁବ ଭଲ ପାଆନ୍ତି ଓ ସେମାନେ ବହୁ ସମୟରେ ମୋ ସହିତ ଭାରତ ଗସ୍ତରେ ଯାଇଥାଆନ୍ତି ।

ନିଜ ଜନ୍ମ ମାଟି ପାଇଁ କିଛି କରିବା ଲକ୍ଷ୍ୟରେ ମୁଁ ପ୍ରାୟ ତିନିବର୍ଷ ତଳୁ ଭୁବନେଶ୍ୱରରେ ଗୋଟିଏ ଗବେଷଣା ଓ ଉନ୍ନୟନ କେନ୍ଦ୍ର ପ୍ରତିଷ୍ଠା କରିଛି । ଇତିମଧ୍ୟରେ ଏହି କେନ୍ଦ୍ରର ପର୍ଯ୍ୟାପ୍ତ ବିକାଶ ମଧ୍ୟ ଘଟିଛି । ଆଗାମୀ ବର୍ଷକ ମଧ୍ୟରେ ଭୁବନେଶ୍ୱରରେ ଏକ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଗଭର୍ଣ୍ଣନାନ୍ସ ପ୍ରତିଷ୍ଠା କରିବାର ଯୋଜନା ରହିଛି ।

ଏହା କେବଳ ସରକାରଙ୍କ ପାଇଁ ଉନ୍ନତ ଜ୍ଞାନକୌଶଳ ବିକଶିତ କରିବ ବୋଲି ନୁହେଁ, ଏହା ବିଶ୍ୱର ବହୁ ସରକାରଙ୍କର ଭଲ ଭଲ କାର୍ଯ୍ୟ ପଦ୍ଧତିକୁ ମଧ୍ୟ ଭାରତ ଆଗରେ ରଖିପାରିବ । ଲୋକେ ସେତିକିବେଳେ ନିଜକୁ ଗଣତନ୍ତ୍ରର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମନେକରିବେ ଯେତେବେଳେ ସରକାର ଓ ଏହାର କାର୍ଯ୍ୟାବଳୀ ସ୍ୱଚ୍ଛ ହେବ ।

“ଯେତେବେଳେ ବାଙ୍ଗାଲୋର ତଥା କାନାଡ଼ାରେ ଉଚ୍ଚତର ଶିକ୍ଷା ପ୍ରାପ୍ତି ପାଇଁ ଓଡ଼ିଶା ଛାଡ଼ିଥିଲି, ମୁଁ ଜାଣିନଥିଲି ଯେ କାନାଡ଼ାରେ କାର୍ଯ୍ୟ କରିବା ପାଇଁ, ପରିବାର ଗଠନ କରିବା ପାଇଁ ତଥା ଏକ ବିଶ୍ୱସ୍ତରୀୟ ସଫ୍ଟୱେର ବ୍ୟବସାୟ ବିକଶିତ କରିବାପାଇଁ ଏଭଳି ଏକ ଚମତ୍କାର ସୁଯୋଗ ମିଳିବ” ସେ କହିଛନ୍ତି ।

ଆପଣ କେବେ ଓଡ଼ିଶାର ବିକାଶରେ ନିଜକୁ ସାମିଲ କରିବା ପାଇଁ ଉଦ୍ୟମ କରିଛନ୍ତି କି ? ଯଦି କରିଛନ୍ତି ତାହା କିପରି ?

ପ୍ରଶ୍ନର ଉତ୍ତରରେ ସେ କହନ୍ତି “ମୁଁ ଓଡ଼ିଶାକୁ ବହୁତ ଭଲପାଏ । ଆମ ରାଜ୍ୟ ସରକାରଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ବୈଷୟିକ ବିକାଶ କେନ୍ଦ୍ର ବିକଶିତ କରିବାକୁ ଯାହା କିଛି କରିବାକୁ ପଡ଼ିବ ମୁଁ କରିବି”।

ସମ୍ପ୍ରତି ଓଡ଼ିଶା ଯେଉଁ ଦୁଃଖଦ ଅବସ୍ଥା ଦେଇ ଗତି କରୁଛି ସେଥିପାଇଁ ଆପଣ କାହାକୁ ଦାୟୀ କରିବେ?

“ହଁ! ଓଡ଼ିଶାକୁ ଏହାର ସାମର୍ଥ୍ୟ ମୁତାବକ ପୂର୍ଣ୍ଣ କ୍ଷମତା ହାସଲ କରିବାପାଇଁ ଅନେକ ବାଟ ଯିବାକୁ ପଡ଼ିବ । ତେବେ କେବଳ ପରସ୍ପର ପରସ୍ପରକୁ ଦୋଷ ଦେବା ପରିବର୍ତ୍ତେ ଏକ ଉତ୍ତମ ଭବିଷ୍ୟତ ପାଇଁ ନିଜର ସମସ୍ତ ଶକ୍ତି ଖଟାଇବାରେ ମୁଁ ବିଶ୍ୱାସ କରେ” ।

ଓଡ଼ିଶାର ବିକାଶ ପାଇଁ ଆପଣ ନିଜକୁ କୌଣସି ସ୍ତରରେ ଓ କୌଣସି ସମୟରେ ସାମିଲ କରିଛନ୍ତି କି ? ଏହା ଫଳପ୍ରଦ ହୋଇଛି କି?

“ଆଜି ପର୍ଯ୍ୟନ୍ତ ମୁଁ ଓଡ଼ିଶାରେ ଯେତିକି ଉଦ୍ୟମ କରିଛି ଓ ଯେତିକି ଅର୍ଥ ଖଟାଇଛି ତାହା ନିଶ୍ଚିତ ଫଳପ୍ରଦ ପ୍ରମାଣିତ ହୋଇଛି । ଏହାର ଶ୍ରେୟ ମୁଁ ଭୁବନେଶ୍ୱରଠାରେ ଥିବା ମୋ କମ୍ପାନୀର କର୍ମଚାରୀମାନଙ୍କୁ ତଥା ଏଣ୍ଟରପ୍ରାଇଜ ସଫ୍ଟୱେର ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଦକ୍ଷ ପରିଚାଳନାକୁ ଶ୍ରେୟ ଦେବି” ।

“ଏଠାରେ ଆମର ବ୍ୟବସାୟ ପାଇଁ ପର୍ଯ୍ୟାପ୍ତ ସୁବିଧାସୁଯୋଗ ରହିଛି । ତା ସହିତ ଓଡ଼ିଶା ସରକାରଙ୍କ ପାଇଁ ମଧ୍ୟ ଏକ ସୁଯୋଗ ଆସିଛି ଯେତେବେଳେ କି ସିଏ ଜ୍ଞାନ ବିଜ୍ଞାନର ଏହି ସୁଯୋଗକୁ ବ୍ୟବହାର କରିପାରିବେ ଓ ସାରା ବିଶ୍ୱ ଯେଉଁ ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ କରୁଛି ତାର ଅନୁଭୂତି ପାଇପାରିବେ” ।

ଆପଣଭାବୁଛନ୍ତି କି ଓଡ଼ିଶାକୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇଛି ? ଯଦି ହଁ, ତେବେ କେଉଁ କେଉଁ କ୍ଷେତ୍ରରେ ଏହା କରାଯାଇଛି ?

ଏହି ପ୍ରଶ୍ନର ଉତ୍ତରରେ ସେ କହନ୍ତି “ମୁଁ ବିଶ୍ୱାସ କରୁନାହିଁ ଯେ ଓଡ଼ିଶାକୁ କେହି କେଉଁଠାରେ ଅବହେଳା କରୁଛି । ଏହାକୁ ଯଦି କେହି ଅବହେଳା କାରୁଛି ତେବେ ସେମାନେ ହେଉଛନ୍ତି ନିଜେ ଓଡ଼ିଶାର ଜନସାଧାରଣ” ।

“ଆମେ ଆମ ରାଜନେତାମାନଙ୍କର ଅବଗୁଣଗୁଡ଼ିକୁ ଗ୍ରହଣ କରିନେବା ଫଳରେ ନିଜକୁ ନିମ୍ନଗାମୀ ତଥା ଅରାଜକତା ଆଡ଼କୁ ଟାଣି ନେଉଛୁ” ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଶା, ରେଭେନ୍ସା କଲେଜ, ଶ୍ରଦ୍ଧାନନ୍ଦ ମିଶ୍ର, ସାକ୍ଷାତକାର

ନକାରାତ୍ମକ ଭାବନାର ପରିହାର କଲେ ହୋଇପାରିବ ଓଡ଼ିଶାର ବିକାଶ

October 2, 2005 by ନିଉଜ ଡେସ୍କ Leave a Comment

ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ସହ ଓଡିଶା ଡଟ୍ କମ୍ ର ସାକ୍ଷାତକାର

କଟକ, ଅକ୍ଟୋବର ୨(ଓଡିଶା ଡଟ୍ କମ୍), ଭୁବନେଶ୍ୱର ଓ କଟକ ଓଡ଼ିଶାର ଦୁଇଟି ମାତ୍ର ମହାନଗର ନିଗମ । ୨୦୦୩ରେ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଦାୟିତ୍ୱ ସମ୍ଭାଳିଥିବା ନିବେଦିତାଙ୍କର ୧୯୬୩ ମସିହାରେ କଟକ ସହରର ହରିପୁର ବସ୍ତିରେ ଜନ୍ମ ।

କଟକ ମୁନିସିପାଲିଟି ହାଇସ୍କୁଲରୁ ୧୯୭୮ ମସିହାରେ ମାଟ୍ରିକ୍ୟୁଲେସନ, ୧୯୮୩ରେ କେନ୍ଦ୍ରାପଡ଼ା କଲେଜରୁ ବାଣିଜ୍ୟରେ ସ୍ନାତକ, ପରେ କେନ୍ଦ୍ରାପଡ଼ା ଡ଼ି.ଏସ. ଆଇନ ମହାବିଦ୍ୟାଳୟରୁ ଏଲ.ଏଲ.ବି । ୧୯୯୨ରୁ ହାଇକୋର୍ଟରେ ଓକିଲାତି ।

ବାପା ନୃସିଂହ ଚରଣ ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ, ମା’ ତମାଳିନୀ ପ୍ରଧାନ ଗୃହିଣୀ । ନିବେଦିତାଙ୍କୁ ମିଶାଇ ତିନି ଭଉଣୀ, ଗୋଟିଏ ଭାଇ । ଜଣେ ଭଉଣୀ ସସ୍ମିତା ଇମ୍ଫାରେ କ
କଷ୍ଟିଙ୍ଗ ଆକାଉଣ୍ଟାଣ୍ଟ ଏବଂ ମଧୁସ୍ମିତା ଅର୍ବାନ ବ୍ୟାଙ୍କରେ କାମ କରନ୍ତି । ସବୁଠାରୁ ସାନ, ଭାଇ ସତ୍ୟରଞ୍ଜନ ଇଞ୍ଜିନିୟରିଂ କୋର୍ସ ଚଳିତ ବର୍ଷ ସଂପୂର୍ଣ୍ଣ କରିଛନ୍ତି ।

ଘରର ବଡ଼ ଝିଅ ହିସାବରେ ତାଙ୍କର ଦାୟିତ୍ୱ ତୁଲାଇବାରେ କୌଣସି ଅବହେଳା କରିନଥିବା ୪୨ ବର୍ଷୀୟା ନିବେଦିତା କିଛିଦିନ ଗଭର୍ଣ୍ଣମେଣ୍ଟ ଅର୍ଡ଼ର ସପ୍ଲାୟର ବ୍ୟବସାୟ ମଧ୍ୟ କରିଛନ୍ତି ।

ବାପା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିଲେ । ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୯୧ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଓ ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଜୀବନ ।

୧୯୯୭ରେ କଟକ ମହାନଗର ନିଗମର କାଉନସିଲର , ୨୦୦୦ ମସିହା ଫେବୃଆରୀ ୨୬ ତାରିଖରେ ୪୩ ନମ୍ବର କଟକ ସଦର ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଏହି ଯୁବତୀ ଆଉ ପଛକୁ ଫେରି ନାହାଁନ୍ତି ।

ଓଡ଼ିଶା ଲିଗାଲ ଏଡ୍ କାଉନ୍ସିଲର ଉପଦେଷ୍ଟା, ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚାର ମହାସଚିବ, ତଥା ଏହି ପାର୍ଟିର ଜାତୀୟ ପରିଷଦର ସଦସ୍ୟା, ସରକାରୀ ପ୍ରେସ୍ କର୍ମଚାରୀ ସଂଘର ସଭାପତି ତଥା ଏକଦା ସେ ଜାତୀୟ ଚଳଚ୍ଚିତ୍ର ଉତ୍ସବର ଜୁରୀ ସଦସ୍ୟା ଥିବା ନିବେଦିତା ଏବେ କଟକର ମେୟର ଭାବେ ସହରକୁ ସରସ ସୁନ୍ଦର ଗଢିତୋଳିବା ସଂକଳ୍ପ ନେଇଛନ୍ତି ।

ରେଡ୍ କ୍ରସ୍ କ୍ୟାମ୍ପଗୁଡ଼ିକରେ ୨୨ଥର ରକ୍ତଦାନ କରିଥିବା ଏହି ବହୁମୁଖୀ ପ୍ରତିଭାର ଅଧିକାରୀଣିଙ୍କୁ ନିକଟରେ ମହାନଗର ନିଗମ କାର୍ଯ୍ୟାଳୟରେ ଭେଟିଥିଲେ ଓଡ଼ିଶା ଡ଼ଟ୍ କମ୍ ପ୍ରତିନିଧି ବବିତା ସାହୁ । ସେ ଦେଇଥିବା ସାକ୍ଷାତକାରର ମୁଖ୍ୟାଅଂଶ

ରାଜନୀତିକୁ ଆପଣ କ୍ୟାରିୟରଭାବେ କାହିଁକି ଗ୍ରହଣ କଲେ?

ରାଜନୀତିକୁ ମୁଁ କ୍ୟାରିୟରଭାବେ ଗ୍ରହଣ କରିବାକୁ ଚାହିଁ ନ ଥିଲି । ୮୦ଦଶକର ସମସାମୟିକ ପରିସ୍ଥିତି ମୋତେ ରାଜନୀତିକୁ ଆସିବାକୁ ବାଧ୍ୟ କଲା । ଅତୀତରେ ଅନେକ ସମୟରେ ଆମ ବସ୍ତିର ବିଭିନ୍ନ ସମସ୍ୟା ନେଇ ପ୍ରଶାସନିକ ଦାୟିତ୍ୱରେ ଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ମୁଁ ଯାଇଛି । ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ଅବହେଳା ଯୋଗୁଁ ଆଶାନୁରୂପ ଫଳ ମୁଁ ପାଇନି ।

ସେତେବେଳେ ମୁଁ ଅନୁଭବ କଲି ଯେ ସମାଜ ପାଇଁ ଯଦି କିଛି କରିବାର ଲକ୍ଷ୍ୟ ଥାଏ ତା ହେଲେ କ୍ଷମତା ରାଜନୀତି କରିବାକୁ ହେବ । ନଚେତ୍ ତଥାକଥିତ ଧୋବଧଉଳିଆ ବଡ଼ ବଡ଼ ନେତାମାନଙ୍କଠାରୁ ସାଧାରଣ ଜନତାଙ୍କର ସ୍ୱାର୍ଥ ହାସଲ କରିବା କଷ୍ଟ ସାଧ୍ୟ ।

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିମାନ ଉଡ଼ାଣ ଗବେଷଣା କେନ୍ଦ୍ର ସମେତ ଅନେକ ସରକାରୀ ଚାକିରୀ ମୁଁ ପାଇଥିଲି ତେବେ ତାହା ମୋତେ ବିଶେଷ ପ୍ରଲୋଭିତ କରିପାରିଲା ନାହିଁ । ମହିଳାମାନଙ୍କର ଶୋଷଣରୁ ମୁକ୍ତି, ସେମାନଙ୍କ ସାମାଜିକ, ଆର୍ଥିକ ବିକାଶ ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଯୋଗଦାନର ଆବଶ୍ୟକତା ଥିବା ମୋର ଅର୍ନ୍ତଆତ୍ମା ମୋତେ ପ୍ରେରିତ କଲା ଓ ମୁଁ ରାଜନୀତିରେ ପ୍ରବେଶ କଲି ।

ଆପଣ ଜଣେ ମହିଳା ଭାବରେ ସକ୍ରିୟ ରାଜନୀତିରେ କ’ଣ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି?

ଆପଣ ଜାଣିଥିବେ ମହିଳାମାନଙ୍କର ଶାରୀରିକ ଶକ୍ତି କମ୍ ଥିଲେ ମଧ୍ୟ ମାନସିକ ଶକ୍ତି ପୁରୁଷମାନଙ୍କ ତୁଳନାରେ ଖୁବ୍ ବେଶୀ । ସେମାନେ ଦୃଢ଼ମନା। ନାରୀ ଯଦି ନିଜେ ନିଜ ଅନ୍ତର୍ନିହିତ ଶକ୍ତିର ସଠିକ୍ ମୂଲ୍ୟାୟନ କରେ ତେବେ କୌଣସି କାମ ତା ପାଇଁ ଦୁଃସାଧ୍ୟ ନୁହେଁ ।

ମୁଁ ନିଜକୁ କେବେ ଦୁର୍ବଳ ଭାବିନି । ତେଣୁ ଜଣେ ନାରୀ ଭାବରେ ସେମିତି କୌଣସି ଅସୁବିଧାର ସମ୍ମୁଖୀନ ହୋଇନି ।

ମୋ ମତରେ ରାଜନୀତିର ଏକ ସୁସ୍ଥ ସଂଜ୍ଞା ହେଉଛି ପ୍ରଶାସନ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ କୌଣସି ସମସ୍ୟାର ସମାଧାନ କରିବା ।

ବର୍ତ୍ତମାନ କ୍ଷମତାସୀନ ରାଜନେତାମାନଙ୍କର ବ୍ୟାପକ ଦୁର୍ନୀତି ରାଜନୀତିର ସଂଜ୍ଞା ବଦଳାଇ ଦେଇଛି । ତେବେ ଜନସାଧାରଣ ରାଜନୀତିର ଭଲ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ ।

ରାଜ୍ୟ ବିଧାନ ସଭା ସଦସ୍ୟା ତଥା ବର୍ତ୍ତମାନ କଟକ ମହାନଗର ନିଗମର ମେୟର ପଦବୀରେ ଥାଇ କ’ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି?

କଟକର ଶତକଡ଼ା ୬୫ ଭାଗ ପିଚୁ ରାସ୍ତାକୁ କଂକ୍ରିଟ ସିମେଣ୍ଟ ରୋଡ଼ରେ ପରିଣତ କରାଯାଇଛି, ଦଶଟି ପାର୍କ ନିର୍ମାଣ କରାଯିବା ସହ ବର୍ଷାଦିନରେ ନାଳଗୁଡ଼ିକରୁ ଜଳ ନିଷ୍କାସନର ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଉନ୍ନତ କରାଯାଇଛି ।

ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ କିଛି କହିବେ କି ?

ଆଗାମୀ ଦିନ ଗୁଡ଼ିକରେ କଟକରେ ତିନୋଟି ପାର୍କ, କେତେକ ସ୍ଥାନରେ ମାର୍କେଟିଂ କଂପ୍ଲେକ୍ସ, ଫ୍ଲାଇ ଓଭର ବ୍ରିଜ୍ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ନିଗମ ହାତକୁ ନେଇଛି । ବର୍ଷା ଦିନରେ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ବର୍ଷା ଦିନରେ ଶ୍ମଶାନଗୁଡ଼ିକରେ ଶବଦାହରେ ଅସୁବିଧା ହେଉଥିବାରୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ବର୍ତ୍ତମାନ ନିଗମର କେତେକ କର୍ପୋରେଟର କ୍ଷମତା ବଣ୍ଟନ ନେଇ ଆପଣଙ୍କୁ ବିରୋଧ କରୁଛନ୍ତି । ସେମାନଙ୍କ ପକ୍ଷରୁ ଆପଣଙ୍କର ଇସ୍ତଫା ଦାବି ସଂପର୍କରେ କ’ଣ କହିବେ?

ଏ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଦାବିକୁ ସ୍ପଷ୍ଟ କରିନାହାନ୍ତି । ସମସ୍ତ ବିବାଦର ସମ୍ମୁଖୀନ ହେବାକୁ ମୁଁ ସର୍ବଦା ପ୍ରସ୍ତୁତ । ଉଚ୍ଚ ପଦରେ ରହିଲେ ଅନେକ ସମୟରେ ବାଦ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏ ସବୁ ନୂଆ କଥା ନୁହେଁ ।

ମୋ ମତରେ ଏହା ଏକ ସାମୟିକ । ଯେ ପର୍ଯ୍ୟନ୍ତ କଟକ ବାସୀ ମୋତେ ସମର୍ଥନ କରୁଛନ୍ତି ସେତେ ଦିନ ଯାଏ ମୁଁ ପଦବୀରେ ରହି ସେମାନଙ୍କର ସେବା କରିବି ।

ଓଡ଼ିଶା ସବୁ ସମ୍ବଳ ଥାଇ ମଧ୍ୟ ଆଶାନୁରୂପ ସଫଳତା ନ ପାଇବାର କାରଣ ?

ଆମ ରାଜ୍ୟରେ ଉପଲବ୍ଧ ସମସ୍ତ ସମ୍ବଳର ସଠିକ ବିନିଯୋଗ ହୋଇପାରିଲେ ଏହା ଏକ ସମୃଦ୍ଧ ରାଜ୍ୟ ରୂପେ ପରିଗଣିତ ହେବ, ଏହା ନିଃସନ୍ଦେହ । ତେବେ ଧିରେଧିରେ ବଢୁଥିବା ନକାରାତ୍ମକ ଭାବନା ଆମ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଉଭୟ ସାଧାରଣ ଜନତା, ରାଜନେତା ତଥା ଅମଲାତନ୍ତ୍ରୀଙ୍କର ସକାରାତ୍ମକ ଭାବନାର ଆବଶ୍ୟକତା ରହିଛି ।

ଏହାର ସମାଧାନ କେମିତି ହେବ ?

କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେଥିରେ ସାଧାରଣ ଜନତାଙ୍କର ଭାଗିଦାରୀ ଆବଶ୍ୟକ । ସାଧାରଣ ଜନତା ଏବଂ ସରକାରଙ୍କ ମିଳିତ ସହଯୋଗରେ ହିଁ ସମସ୍ତ କାର୍ଯ୍ୟ ସଫଳ ହେବ । ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ପାଇଁ ରାଜ୍ୟବାସୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବା ଆବଶ୍ୟକ ।

ଆପଣଙ୍କ କିଛି ସ୍ମରଣୀୟ ମୁହୂର୍ତ୍ତ ?

ଚଳିତ ବର୍ଷ ପ୍ରବଳ ବର୍ଷା ଲାଗି କାଠଯୋଡ଼ି ଏବଂ ମହାନଦୀର ଜଳସ୍ତର ବଢ଼ି ଯାଇଥିଲା । ସେ ସମୟରେ ଆମର ଇଂଜିନିୟରମାନେ ରାତି ଅନିଦ୍ରା ରହି ପରିସ୍ଥିତିର ଅନୁଧ୍ୟାନ କରୁଥିବା ଦେଖି ମୁଁ ବହୁତ ଖୁସି ହୋଇଥିଲି । କୌଣସି କର୍ମଚାରୀଙ୍କର କର୍ତ୍ତବ୍ୟ ନିଷ୍ଠା ମୋତେ ପ୍ରଭାବିତ କରେ ।

(ଓଡିଶା ଡଟ୍ କମ୍)

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡ଼ିଶାର ବିକାଶ, ମେୟର ନିବେଦିତା ପ୍ରଧାନ, ସାକ୍ଷାତକାର

ଜନତା ହାତରେ ଅଛି ବିକାଶର ଚାବିକାଠି

September 26, 2005 by ନିଉଜ ଡେସ୍କ Leave a Comment

ସମ୍ବଲପୁର, ସେପ୍ଟେମ୍ବର ୨୬ (ଓଡ଼ିଶା ଡ଼ଟ୍ କମ୍), ଖାଉଟିଙ୍କ ପାଇଁ ପ୍ରାୟ ୨୦୦ଟି ଷ୍ଟେଟ୍ ଫୋରମ୍ ଏବଂ ପ୍ରାୟ ୫୦ଟି ନ୍ୟାସ୍ନାଲ୍ ଫୋରମ୍ ରେ ୫୦୦ରୁ ଅଧିକ ଜନସ୍ୱାର୍ଥ ମାମଲା ଲଢ଼ିଥିବା ସମ୍ବଲପୁରର ଗୋବିନ୍ଦ ନାରାୟଣ ଅଗ୍ରୱାଲ୍ ।

ସତୁରୀ ରୁ ଅଶୀ ଦଶକରେ ସମ୍ବଲପୁର ସହରର ସେ ଜଣେ ଜଣାଶୁଣା ଓକିଲ ଥିଲେ ।

ରେଳ ଷ୍ଟେସନ ପ୍ଲାଟ୍ଫର୍ମରେ ଜିନିଷଗୁଡ଼ିକ ଅଧିକ ଦାମ୍ ରେ ବିକ୍ରି ହେଉଥିବା ନେଇ ସେ ଏକ କେଶ୍ ଲଢ଼ିଥିଲେ । ପରେ ଷ୍ଟଲ୍ ଗୁଡ଼ିକରେ ମିଳୁଥିବା ଅନେକ ଜିନିଷଗୁଡ଼ିକ ଉପରେ ଲିଖିତ ଦାମ୍ ଅନୁସାରେ ମୂଲ୍ୟ ଗ୍ରହଣ କରିବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଥିଲେ ।

ଆଗରୁ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଉ ନ ଥିଲା । ପ୍ରାୟ ତିନି ବର୍ଷ ତଳେ ସେ ଏକ କେଶ୍ ଲଢ଼ିବା ପରେ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଇଥିଲା ।

ସମ୍ବଲପୁର ସହରର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସେ “ଗୋବିନ୍ଦ ଚାଚା” । ସାଇକେଲଟିଏ ଧରି ବୁଲୁଥାନ୍ତି ସହର ସାରା । ବୋଧ ହୁଏ ନିଃସ୍ୱାର୍ଥପରଭାବେ ସହରର ମଙ୍ଗଳକାମନା କରୁଥିବା ସେ ହେଉଛନ୍ତି ଜଣେ ମାତ୍ର ଲୋକ ।

କୌଣସି ସଭା ହେଉ ଅବା ବିରୋଧ ପ୍ରଦର୍ଶନ ସ୍ଥଳ ତାଙ୍କୁ ସବୁଠାରେ ଦେଖିବାକୁ ମିଳେ ।

ବର୍ତ୍ତମାନ ସବୁକିଛି ତ୍ୟାଗ କରି ସନ୍ୟାସୀଙ୍କ ଭଳି ସେ ଜୀବନଯାପନ କରୁଛନ୍ତି ।

ତାଙ୍କର ନା ଅଛି ପରିବାର, ନା ସାଙ୍ଗସାଥୀ, ନା ଅଛନ୍ତି କେହି ଶତ୍ରୁ । ପାରିବାରିକ ଜୀବନ ତାଙ୍କର ବିପର୍ଯ୍ୟସ୍ତ । ଏ ସବୁ ପାଇଁ ତାଙ୍କ ମନରେ କେବେ ବି ବିଶାଦ ଦେଖିବାକୁ ମିଳେ ନା ।

ଭଗବାନ ତାଙ୍କଠାରୁ ସବୁ କିଛି ନେଇ ଯାଇଥିଲେ ମଧ୍ୟ ବଦଳରେ ଦେଇଛନ୍ତି ପ୍ରଖର ସ୍ମରଣ ଶକ୍ତି । ସମ୍ବଲପୁର ସହରର ତାଙ୍କୁ ଏକ ବିଶ୍ୱକୋଷ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

କୌଣସି ବିଷୟରେ ତାଙ୍କର କହିବା ଆରମ୍ଭ ହେଲେ ଜଣେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ନାହିଁ ।

ବୟସ ତାଙ୍କୁ ଷାଠିଏରୁ ଅଧିକ ହେଲାଣି । ତଥାପି ଜଣେ ଯୁବକ ଭଳି ସେ ଚଳଚଞ୍ଚଳ । ପଶ୍ଚିମ ଓଡ଼ିଶାର ଉନ୍ନତି ସଂପର୍କରେ ତାଙ୍କର ମତାମତ ଜାଣିବା ପାଇଁ ଓଡ଼ିଶା ଡଟ୍ କମ୍ ପ୍ରତିନିଧି ଅଜିତ ନାୟକ ଅଗ୍ରୱାଲଙ୍କ ସହ କରିଥିବା ଅନ୍ତରଙ୍ଗ ଆଳାପର କିୟଦଂଶ………………

ଆପଣଙ୍କ ଜୀବନରେ ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ ଆପଣ ସେଗୁଡ଼ିକର ସାମ୍ନା କିପରି କରନ୍ତି ?

ଏହା ଅତ୍ୟନ୍ତ ସ୍ୱାଭାବିକ । ସାଧାରଣ ଚଳଣି, ଉଚ୍ଚ ଚିନ୍ତାଧାରା । ଜଣେ ବ୍ୟକ୍ତିକୁ ତାର ପାରିପାଶ୍ୱିର୍କ ପରିବେଶ ଅନୁସାରେ ଚଳିବାକୁ ହୋଇଥାଏ । ଜୀବନ ଏକ ରଙ୍ଗ ମଞ୍ଚ । ଆମକୁ କେବଳ ଅଭିନୟ କରିବାକୁ ହୁଏ ।

ଆପଣଙ୍କ ଜୀବନରେ ଯାହା ସବୁ ଘଟୁଛି, ସେଥିପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ଦଇବ ଦଉଡ଼ି, ମଣିଷ ଗାଈ । ଏହାର ସତ୍ୟତା ବିଶ୍ୱସନୀୟ । ମଣିଷ ମାତ୍ରେ ହିଁ ଭୁଲ୍ କରିଥାଏ । ସବୁବେଳେ ସଠିକ୍ ନିଷ୍ପତ୍ତି ନେବା ତା ପକ୍ଷରେ ସମ୍ଭବ ହୋଇ ନ ଥାଏ । ଏପରିକି ବେଳେବେଳେ ଗୁରୁଜନମାନେ ମଧ୍ୟ ଉପଯୁକ୍ତ ଦିଗ୍ଦର୍ଶନ ଦେଇପାରି ନଥାନ୍ତି ।

ମୁଁ ଏଥି ପାଇଁ କାହାକୁ ଦାୟୀ କରୁ ନି । ଏହା କେବଳ ମୋ ନିଜର ଭାଗ୍ୟ ଅଟେ । ଭାଗବତରେ କୁହାଯାଇଛି “ଆପଣା କର୍ମ ମାନ, ମଲାରୁ ଥିବ ସାବଧାନ” । ଏହା ସବୁବେଳେ ମୋ ମନରେ ରହିଥାଏ ।

ଆପଣ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି କି ?

ହଁ ମୁଁ ଭାଗ୍ୟରେ ବିଶ୍ୱାସ କରେ । କିନ୍ତୁ ସବୁ କଥା ଭାଗ୍ୟ ଉପରେ ଛାଡ଼ି ଦେବା ଉଚିତ ନୁହେଁ । ତେବେ ବଞ୍ଚିବା ପାଇଁ ଜଣକୁ ବିଶ୍ୱାସ କରିବାକୁ ପଡ଼ିବ ।

ଆପଣଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କହିବେ କି?

ଆପଣ ଜାଣିଥିବେ ଯେ, ମୋର ବର୍ତ୍ତମାନ କୌଣସି ବ୍ୟକ୍ତିଗତ ଜୀବନ ନାହିଁ । ଦିନ ଥିଲା ମୁଁ ବି ଅନ୍ୟମାନଙ୍କଭଳି ସୁଖୀ ପାରିବାରିକ ଜୀବନ ବିତାଉ ଥିଲି । କିନ୍ତୁ କିଛି ବିବାଦ ସୃଷ୍ଟି ହେଲା ଏବଂ ସବୁ ଶେଷ ହୋଇଗଲା । ବର୍ତ୍ତମାନ ସେହି ଅତୀତକୁ ମୁଁ ମନେପକାଇବାକୁ ଚାହୁଁନି ।

ଆପଣଙ୍କର କୌଣସି ସ୍ୱପ୍ନ ଅଛି, ଯାହାକୁ ଆପଣ ପୂରା କରିବାକୁ ଚାହାନ୍ତି ?

ହଁ ଏକ ସ୍ୱଚ୍ଛ, ସୁନ୍ଦର ଭାରତ ହେଉଛି ମୋର ସ୍ୱପ୍ନ । ଯେଉଁଠାରେ କି, ମନରେ ଭାତୃଭାବ, ବନ୍ଧୁତ୍ୱ ନେଇ ସମସ୍ତେ ଶାନ୍ତିରେ ରହୁଥିବେ ।

ସମ୍ବଲପୁର ସହରର ଜନତାଙ୍କ ସହ ବିତାଇଥିବା ଜୀବନର ପଚାଶ ବର୍ଷ ମଧ୍ୟରେ ଆପଣ ଏଠାରେ କ’ଣ ସବୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?

ଆପଣ ଜାଣିଥିବେ ଇତିହାସର ପୁନରାବୃତ୍ତି ହୁଏ । ବିଶେଷ କରି ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶା କ୍ଷେତ୍ରରେ ଏହାର ସତ୍ୟତା ପ୍ରମାଣିତ ହୋଇଛି ।

ପଶ୍ଚିମ ଓଡ଼ିଶା ଏବଂ ଏହାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମହାଭାରତ ସମୟରୁ ଆଜି ଯାଏ ଲୁଣ୍ଠିତ ହେବା ପରିସ୍ଥିତି ସୃଷ୍ଟି ହୋଇ ଆସୁଛି । ପଚାଶ ଶତକରେ ଧାର୍ଯ୍ୟ କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନାହିଁ । ଫଳରେ ଲୋକମାନଙ୍କର ଦୁଃଖ ଦୁର୍ଦ୍ଧଶା ବଢ଼ିଯାଇଛି ।

ବିଦ୍ୟୁତ୍ ସଂଯୋଗର ଉଦାହରଣ ନିଆଯାଉ । ସାରା ଦେଶରେ ଯୋଜନାବଦ୍ଧଭାବେ ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ଆମ ପାଖରେ ଆବଶ୍ୟକ ମୁତାବକ ଗ୍ରୀଡ୍ ନାହିଁ ।

ହୀରାକୁଦ ଶକ୍ତି ଯୋଗାଣ ବ୍ୟବସ୍ଥା କିମ୍ବା ବନହରପାଲି ଗ୍ରୀଡ୍ ରେ ଯଦି କୌଣସି ବିଘ୍ନ ସୃଷ୍ଟି ହୁଏ ତେବେ ସାରା ରାଜ୍ୟ ପ୍ରଭାବିତ ହେବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକା ପ୍ରକାର ଅବ୍ୟବସ୍ଥା ଦେଖାଯାଇଛି । ବୁର୍ଲାରେ ଥିବା ବୀର ସୁରେନ୍ଦ୍ରସାଏ ହସ୍ପିଟାଲ୍ ସ୍ୱାଧିନତା ସଂଗ୍ରାମୀଙ୍କ ନାମରେ ନାମିତ ହୋଇଛି । ମେଡିକାଲ କଲେଜରେ ପଢୁଥିବା ଛାତ୍ରମାନଙ୍କ ପିଛା ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସ୍ୱାସ୍ଥ୍ୟସେବା ଆଜି ଯାଏ ମଧ୍ୟ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରିନି ।

ବିଧାନ ସଭାରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ହସ୍ପିଟାଲର ସେବାରେ ଆଖିଦୃଶିଆ ଉନ୍ନତି ଦେଖାଯାଇନାହିଁ ।

ରେଳସେବା ଏବଂ କୋଇଲାଖଣି ଆଦି ଶିଳ୍ପାଞ୍ଚଳରେ ମଧ୍ୟ ଅବ୍ୟବସ୍ଥା ହୋଇଛି । ଶିକ୍ଷା କ୍ଷେତ୍ରରେ କିଛି ନ କହିବା ଭଲ ।

ଏହି ଅଞ୍ଚଳର ଗାଁମାନଙ୍କୁ ପ୍ରାଥମିକ ଶିକ୍ଷା ନ ପହଞ୍ଚିଥିବାବେଳେ ଉଚ୍ଚଶିକ୍ଷାର ପରିସ୍ଥିତି ଅନୁମେୟ । ଯୁବପୀଢ଼ିକୁ ଶିକ୍ଷା ପ୍ରଦାନ ଲାଗି ୧୯୫୭ରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା ।

ଏଠାରେ ଆମ ନିଜ ସମ୍ବଲପୁରୀ ଭାଷାର କୌଣସି ପ୍ରାଧାନ୍ୟତା ନ ଥିବାବେଳେ ରାଜନୈତିକ ନେତାମାନଙ୍କୁ ଖୁସି କରିବା ପାଇଁ ଅନ୍ୟ ଭାଷାରେ ଶିକ୍ଷାଦାନ ହେଉଛି ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଉପରେ ଆପଣଙ୍କ ମତ କ’ଣ ?

କୋଶଳ ଅଯୋଧ୍ୟା ବା ଅବଧରୁ ଆସିଥିବା ଏକ ଶବ୍ଦ । ସମଗ୍ର ବର୍ମା, ଶିଲଂ ଏବଂ କୈକେୟ ଅଞ୍ଚଳ(ଗାନ୍ଧାରରୁ ତିବ୍ବତ ପର୍ଯ୍ୟନ୍ତ) ରାମଚନ୍ଦ୍ରଙ୍କ ଭାରତ ଥିଲା । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ପଶ୍ଚିମ ଓଡ଼ିଶା ଦକ୍ଷିଣ କୋଶଳର ଏକ ଅଂଶ ।

ଅତୀତରେ ଉତ୍ତମ ଶାସନ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ ଥିଲା । ବ୍ରିଟିଶ ଶାସନ ସମୟରେ ଏହା ସେଣ୍ଟ୍ରାଲପ୍ରୋଭିନ୍ସ ସହ ମିଶିଥିଲା ଏବଂ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିଛି ।

ଯେତେବେଳେ କେନ୍ଦ୍ର ସରକାର ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରାଞ୍ଚଳ ପ୍ରଦେଶ ଗଠନ କଲେ ସେତେବେଳେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ମଞ୍ଜୁର ନ କରିବାର କୌଣସି କାରଣ ନ ଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକ ଏବଂ ଏଠାକାର ଅଧିବାସୀ ବିଭିନ୍ନ ସମୟରେ ସବୁ ଦିଗରୁ ଉପେକ୍ଷିତ ହେଉଛନ୍ତି । କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ବିଚାର କରିବା ଉଚିତ ।

ଯେହେତୁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ପାରିନାହିଁ ସମ୍ବଲପୁର କିମ୍ବା ହୀରାଖଣ୍ଡ ନାମରେ ଏକ ଅଲଗା ରାଜ୍ୟ ଗଠନ ହେବାର ସମୟ ଉପନୀତ ହୋଇଛି । ରାଜ୍ୟର ନାମ କୋଶଳ ରଖାଯିବା ଠିକ୍ ହେବ ନାହିଁ କାରଣ ପୂର୍ବରୁ ଏହା କୋଶଳର ଏକ ଅଂଶ ଥିଲା ।

ପଶ୍ଚିମ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି ପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ନିଶ୍ଚିତଭାବେ ରାଜନୈତିକ ନେତାମାନଙ୍କୁ । ସେମାନଙ୍କର କୌଣସି ଦୂର ଦୃଷ୍ଟି ନାହିଁ । ଅନ୍ୟମାନଙ୍କଠାରୁ କିଛି ଶିଖିବାର ଆଗ୍ରହ ମଧ୍ୟ ନାହିଁ ।

ଦଳ ଟିକେଟ୍ ହରାଇବା ଭୟରେ ସେମାନେ ଅନ୍ୟ ବଡ଼ ନେତାମାନଙ୍କର ଚାମ୍ଚା ହେବାକୁ ପସନ୍ଦ କରନ୍ତି ।

ଯଦିବା କେତେବେଳେ କେହି ସ୍ୱର ଉଠାନ୍ତି ସେମାନେ ଜନସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ପାଇଁ ତାହା କରୁଥିବାରୁ ଅଧିକାଂଶ ସମୟରେ ବିଫଳ ହୋଇଥାନ୍ତି ।

ଅବସ୍ଥାର ଉନ୍ନତିର କୌଣସି ସମ୍ଭାବନା ଆପଣ ଦେଖୁଛନ୍ତି କି ?

ଲୋକମାନଙ୍କୁ ସେମାନଙ୍କ ନିଜର ଶକ୍ତି ବିଷୟରେ ସଚେତନ ହେବାକୁ ପଡ଼ିବ । ସେମାନେ ବୋଧେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପରାମର୍ଶକୁ ଭୁଲି ନ ଥିବେ ।

ଲୁଣ୍ଠନ ଏବଂ ବନ୍ଧନରୁ ମୁକ୍ତି ପାଇବା ପାଇଁ ଜନତା ତାର ବ୍ରହ୍ମଶକ୍ତିର ଉପଯୋଗ ନିଶ୍ଚୟ କରିବ । ଧନ୍ୟବାଦ ।

(ଓଡ଼ିଶା ଡ଼ଟ୍ କମ୍)

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଗୋବିନ୍ଦ ନାରାୟଣ ଅଗ୍ରୱାଲ୍, ସମ୍ବଲପୁର, ସାକ୍ଷାତକାର

ଓଡ଼ିଶାରେ ଭଗବାନ ବୁଦ୍ଧ ଜନ୍ମ ହୋଇନାହାନ୍ତି: ଓଡ଼ିଶା ଐତିହାସିକ ( ସାକ୍ଷାତକାର)

September 14, 2005 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍), କେତେକ ବୁଦ୍ଧିଜୀବି ଏବଂ ଐତିହାସିକ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶା ବୋଲି ଦାବି କରୁଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ଐତିହାସିକ ଏହାକୁ ଭୁଲ ବୋଲି ଦାବି କରିଛନ୍ତି ।

ବରିଷ୍ଠ ଐତିହାସିକ କରୁଣା ସାଗର ବେହେରା କହିଛନ୍ତି ଯେ ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱରର ଶିଳା ଲେଖାକୁ ଆଧାର କରି ଭଗବାନ ବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇଛନ୍ତି ବୋଲି ଯେଉଁମାନେ ଦାବି କରୁଛନ୍ତି ସେଥିରେ ସତ୍ୟତା ନାହିଁ ।

“ଏହି ଶିଳାଲେଖକୁ ସତ୍ୟ ନୁହେଁ ବୋଲି ୧୯୮୦ ମସିହାରେ ପ୍ରସିଦ୍ଧ ଶିଳାତତ୍ୱବିଦ ଡ଼ି.ସି.ସିରକାର ବମ୍ବେ ଠାରେ ଅନୁଷ୍ଠିତ ହୋଇଥିବା ଭାରତୀୟ ଇତିହାସ କଂଗ୍ରେସରେ ଘୋଷଣା କରିଥିଲେ ଏବଂ ଏହି ଶିଳାଲେଖକୁ ଏକ ନକଲି ପ୍ରମାଣ ବୋଲି କହିଥିଲେ ”ବେହେରା ଓଡ଼ିଶା ଡଟ୍ କମ୍ କୁ ଏକ ସାକ୍ଷାତ୍କାରରେ କହିଛନ୍ତି ।

୧୯୯୯ ଡିସେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସ ବିଭାଗର ପ୍ରଫେସରଭାବେ ଅବସର ଗ୍ରହଣ କରିଥିବା ବେହେରା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ଫେଲୋସିପ୍ ରେ ଇତିହାସ ଏବଂ ପୁରାତତ୍ତ୍ୱ ଉପରେ ଗବେଷଣା କରୁଛନ୍ତି ।

ଭଗବାନ ବୁଦ୍ଧ ନେପାଳର ଲୁମ୍ବିନି ଠାରେ ଜନ୍ମ ହୋଇନଥିବା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ ସାମନାକୁ ଆସିନାହିଁ । ଷୋଡ଼ଶ ଶତାଦ୍ଧୀରେ ଓଡ଼ିଶା ବୁଦ୍ଧଧର୍ମ ପ୍ରଚାରରେ ବ୍ୟାପକ ଭୂମିକା ଗ୍ରହଣ କରିଛି ସତ ତେବେ ଭଗବାନ ବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇନଥିଲେ କି ଓଡ଼ିଶା ପରିଦର୍ଶନ କରିନଥିଲେ ବୋଲି ସେ ଦାବି କରିଛନ୍ତି ।

ଓଡ଼ିଶାର ବାଲେଶ୍ୱରରେ ଅଯୋଧ୍ୟା ନାମକ ଏକ ସ୍ଥାନ ରହିଛି । ଦେଶର ବହୁ ସ୍ଥାନରେ ସୀତା ଏନ୍ତୁଡ଼ିଶାଳ ରହିଥିବାବେଳେ ଉକ୍ତ ସ୍ଥାନଗୁଡ଼ିକୁ ଭଗବାନ ରାମଙ୍କ ଜନ୍ମ ସ୍ଥାନ କୁହାଯାଇପାରିବ ନାହିଁ । ଠିକ୍ ସେହିପରି ଦକ୍ଷିଣ ଭାରତରେ ମଥୁରା ନାମକ ଏକ ସ୍ଥାନ ଅଛି । ଉକ୍ତ ସ୍ଥାନକୁ କୃଷ୍ଣଙ୍କ ଜନ୍ମ ସ୍ଥାନ ବୋଲି କୁହାଯାଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବଳିଷ୍ଠ ପ୍ରମାଣ ଆଧାରରେ ହିଁ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ । ସମ୍ରାଟ ଅଶୋକ ନେପାଳର ଲୁମ୍ବିନୀକୁ ଯାଇଥିଲେ ଓ ସେଠାରେ ଏକ ଶିଳାଲେଖର ସ୍ଥାପନା କରିଥିଲେ । ଲୁମ୍ବିନୀ ବୁଦ୍ଧଙ୍କ ଜନ୍ମ ସ୍ଥାନ ହୋଇଥିବାରୁ ସେ ଉକ୍ତ ସ୍ଥାନ ପରିଦର୍ଶନ କରିଥିବା ଏହି ଶିଳାଲେଖରେ ଦର୍ଶାଇଛନ୍ତି ବୋଲି ବେହେରା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୩ ମସିହାରେ ଚନ୍ଦ୍ରଭାନୁ ପଟେଲଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଏକ ପନ୍ଦର ଜଣିଆ ଦଳ ଭଗବାନ ବୁଦ୍ଧଦେବଙ୍କ ଜନ୍ମ ଓଡ଼ିଶାରେ ହୋଇଥଲା ବୋଲି ପ୍ରଥମେ ଦାବି କରିଥିଲେ ।

୧୯୨୮ ମସିହାରେ ରାଜ୍ୟର କପିଳେଶ୍ୱରଠାରେ ଏବଂ ୧୯୮୫ରେ ଯାଜପୁରଠାରେ ବୁଦ୍ଧଦେବଙ୍କର ମୂର୍ତ୍ତିର ଅବଶିଷ୍ଟାଂଶ ମିଳିଥିଲା । କପିଳେଶ୍ୱର ନିକଟରେ ଲେମ୍ବେଇ ନାମକ ଗାଁ ବୁଦ୍ଧଙ୍କର ଜନ୍ମସ୍ଥଳୀ ହୋଇଥାଇପାରେ ବୋଲି ସେ ମତ ଦେଇଥିଲେ ।

କପିଳେଶ୍ୱରଠାରେ ଭଗବାନଙ୍କର ରାଜାରୁ ସନ୍ୟାସୀରେ ପରିବର୍ତ୍ତିତ ହେବାର ଚାରିଟି ଅବସ୍ଥାର ଆକୃତି ମିଳିଛି ବୋଲି ପଟେଲ କହିଥିଲେ । ରାଜ୍ୟ ସରକାର ସେହି ସମୟରେ ପଟେଲଙ୍କ ତଥ୍ୟକୁ ସମର୍ଥନ କରି ଏ ସଂପର୍କରେ ଅଧିକ ଗବେଷଣା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବେହେରା କବି ଜୟଦେବଙ୍କ ଜନ୍ମ ପଶ୍ଚିମବଙ୍ଗରେ ନୁହେଁ ଓଡ଼ିଶାରେ ହୋଇଥିବା ସପକ୍ଷରେ ବେଶୀ ଐତିହାସିକ ତଥ୍ୟ ଥିବା କହିଛନ୍ତି ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଐତିହାସିକ କରୁଣା ସାଗର ବେହେରା, ବୁଦ୍ଧ ଦେବ, ସାକ୍ଷାତକାର

ଓଡ଼ିଶାର ବିକାଶ ପାଇଁ ଦରକାର ଜଣେ ସଦ୍ଧାମ ହୁସେନ (ସାକ୍ଷାତକାର)

August 21, 2005 by ନିଉଜ ଡେସ୍କ Leave a Comment

ପୁରୀ,ଅଗଷ୍ଟ ୨୧ (ଓଡ଼ିଶା ଡ଼ଟ୍ କମ୍)

ତାଇୱାନ ରେଳବାଇର ପରାମର୍ଶଦାତା ଭାବେ ତାଇୱାନରେ କାମ କରୁଥିବା ଓଡ଼ିଶାର ପୁରୀ ଜିଲ୍ଲାର ଅକ୍ଷୟ କୁମାର ଦାସଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

୧୯୪୨ ମସିହାରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅକ୍ଷୟ କୁମାର ଦାସ ସଂପ୍ରତି ତାଇୱାନ ରେଲୱେରେ ଜଣେ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୯୬୫ରେ ରାଉରକେଲା ଇଂଜିନିୟରିଂ କଲେଜରୁ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ ଭାରତୀୟ ରେଳ ସେବାରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରିଥିଲେ ।

ତାପରେ ଇରକନ ଇଣ୍ଟରନ୍ୟାସନାଲରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ । ଦଶ ବର୍ଷ ପୂର୍ବରୁ ଭାରତ ଛାଡ଼ି ବିଦେଶରେ ରହୁଥିବା ଦାସ ଓଡ଼ିଶା ଡ଼ଟ୍ କମ୍ କୁ ଦେଇଥିବା ବିଶେଷ ସାକ୍ଷାତକାରର ମୁଖ୍ୟ ଅଂଶ ।

ଆପଣ କାର୍ଯ୍ୟ କରୁଥିବା ସ୍ଥାନରେ କୌଣସି ଓଡ଼ିଆ ସଂଗଠନ ଅଛିକି ?

ନା। ତେବେ ଏଠାରେ ଥିବା ଓଡ଼ିଆ ମାନଙ୍କ ଭିତରେ ଏମିତି ମୋର ବ୍ୟକ୍ତିଗତ ସଂପର୍କ ରହିଛି ।

ସେଠାରେ ଥିବା ଓଡ଼ିଆ ଲୋକମାନେ କେଉଁ ଓଡ଼ିଆ ପର୍ବ ପାଳନ କରନ୍ତି ?

ନା ସେମିତି କୌଣସି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ ।

କ’ଣ ପାଇଁ ଆପଣ ଓଡ଼ିଶା ଛାଡ଼ିଥିଲେ ?

ମୁଁ ୧୯୬୮ରେ ଓଡ଼ିଶା ଓ ୧୯୯୭ରେ ଭାରତ ଛାଡ଼ିଥିଲି । ସର୍ବ ଭାରତୀୟ ସ୍ତରରେ ଚାକିରୀ ପାଇଁ ଓଡ଼ିଶା ଛାଡ଼ିଥିଲି ।

ଓଡ଼ିଶାର ଉନ୍ନତି ପାଇଁ ଆପଣ କୌଣସି କ୍ଷେତ୍ରରେ କାମ କରିବା ପାଇଁ ଚିନ୍ତା କରିଛନ୍ତି କି ?

ହଁ , ଖୁବ୍ ଦୃଢତାର ସହିତ ମୁଁ ଚିନ୍ତା କରୁଛି ।

ଏବେ ଓଡ଼ିଶା ମୁଖ୍ୟତଃ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି ? ଏମିତି ଅବସ୍ଥା ପାଇଁ ଆପଣ କାହାକୁ ଦାୟୀ କରିବେ ?

ପ୍ରବାସୀ ଓଡ଼ିଆମାନେ ସବୁବେଳେ ଚାହାନ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ତଥା ନିର୍ମାଣ କ୍ଷେତ୍ରରେ ସହଯୋଗ କରିବେ । ମାତ୍ର ମୁଁ ଭାବୁଛି ଓଡ଼ିଶାରେ ସେମିତି କିଏ ବ୍ୟକ୍ତି ଅଛି ,ଯିଏ ସେମାନଙ୍କର ସ୍ୱପ୍ନକୁ ସାକାର କରିବ ?

ଓଡ଼ିଶା ଏବେ ଦୁର୍ନୀତି ଓ ସର୍ବସାଧାରଣଙ୍କ ଅର୍ଥ ହଡ଼ପ କରିବା କ୍ଷେତ୍ରରେ ଆଗୁଆ ଅଛି । ତେଣୁ ସେମାନଙ୍କର (ପ୍ରବାସୀ ଓଡ଼ିଆ ମାନଙ୍କର) କଷ୍ଟଲବ୍ଧ ଧନ ସେଠାରେ ଠକ ମାନଙ୍କ ଦ୍ୱାରା ବାଟମାରଣା ହୋଇଯିବାର ବହୁ ସମ୍ଭାବନା ରହିଛି ।

ଓଡ଼ିଆମାନଙ୍କର ଏମିତ ମନୋବୃତ୍ତି ସଂପର୍କରେ ମୋର ଧାରଣା ହେଲା ଯ।

୧- ଓଡ଼ିଶାର ଲୋକମାନେ ରାତାରାତି ଧନୀ ହୋଇଯିବାକୁ ଚାହାନ୍ତି । ମାତ୍ର ଜଣେ ଯଦି ଅସତ୍ ଉପାୟରେ ଅର୍ଥ ରୋଜଗାର କଲା ତାହେଲେ ତା ପରିବାର ତରଫରୁ ତାକୁ ବିରୋଧ କରାନଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଅତଏବ ପ୍ରତ୍ୟେକ ଲୋକ ଟଙ୍କା ପଛରେ ଗୋଡ଼ାଉଛନ୍ତି । ତେଣୁ ଓଡ଼ିଶାର ପରିବର୍ତ୍ତନ ପାଇଁ କିଏ ବାହାରୁଛି ?

୨- ଯୁବକମାନଙ୍କୁ ଅନୁପ୍ରାଣିତ କରିବା ପାଇଁ କେହି ଆଦର୍ଶସ୍ଥାନୀୟ ନେତା ନାହାନ୍ତି । ସେଠାରେ ବିଶୃଙ୍ଖଳା କରିବା ଯେମିତି ଏକ ଲକ୍ଷ୍ୟ ପାଲଟି ଯାଇଛି । ଗତ କେତେଦିନ ତଳେ କଟକ ରେଳ ଷ୍ଟେସନରେ ରେଭେନ୍ସା କଲେଜ ଛାତ୍ରମାନେ ଯେମିତି ବିଶୃଙ୍ଖଳା ଆଚରଣ କଲେ ସେଥିପାଇଁ ମୁଁ ନିଜକୁ ଲଜ୍ଜିତ ମନେକରୁଛି ।

୩- ଶ୍ରମିକ ସଂଗଠନ କ୍ଷେତ୍ରରେ ଆମେ କେରଳ ପଶ୍ଚିମବଙ୍ଗର ଖରାପ କଥା ସବୁକୁ ଅନୁକରଣ କରୁଛୁ । ସେଥିପାଇଁ ବାହାରର ଶିଳ୍ପପତିମାନେ ଏଠାରେ ନିଜକୁ ପ୍ରତିଷ୍ଠା କରୁନାହାନ୍ତି ଓ କେହି ଶିଳ୍ପପତି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ନିଜକୁ ନିରାପଦ ମଣୁନାହାନ୍ତି ।

୪- ମୁଁ ରେଳ ବିଭାଗରେ ଚାକିରି କରିଥିବାରୁ ବ୍ୟକ୍ତଗତ ଭାବେ ଟିସ୍କୋ,ସେସ୍କୋ,ନୀଳାଚଳ, କଳିଙ୍ଗ ଇତ୍ୟାଦି ଶିଳ୍ପ ସଂସ୍ଥା ସହିତ ସଂପୃକ୍ତ । ମାତ୍ର ସେମାନେ ଏବେ ଓଡ଼ିଶାର କେଉଁଠି ଅଛନ୍ତି ? ଏବେ ପୋସ୍କୋ ପାରାଦୀପରେ ପ୍ରତିଷ୍ଠା ହେବାକୁ ଯାଉଛି ।

ସେଠାରେ କେଉଁପ୍ରକାର ଶ୍ରମିକ ସଂଗଠନ ଅଛି ,ସେହି କମ୍ପାନୀ କ’ଣ ସେଠି ତିଷ୍ଠି ରହିପାରିବ ? ମୋର ମନେ ହେଉଛି ନେରନ୍ କମ୍ପାନୀର ଯେଉଁଭଳି ଅବସ୍ଥା ହେଲା ପୋସ୍କୋର କାହିଁକି ସେଭଳି ଅବସ୍ଥା ନହେବ । ରାଜନୈତିକ ଫାଇଦା ହାସଲ ପାଇଁ ମଧ୍ୟ ଏଠାରେ ବିଭିନ୍ନ ରାଜନୈତିକ ଦଳ ନିଜ ଇଚ୍ଛା ମୁତାବକ କମ୍ପାନୀ ଚାଲିବାକୁ କିମ୍ବା ବନ୍ଦ କରିବାକୁ ଚାହୁଁଛନ୍ତି ।

ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ମୋର ବ୍ୟକ୍ତଗତ ମତ ହେଲା ଏଠାରେ ଜଣେ ସଦ୍ଧାମ ହୁସେନ କିଛିଦିନ ପାଇଁ ଶାସନ କ୍ଷମତାରେ ରହିବା ଆବଶ୍ୟକ । କିଛିଦିନ ପାଇଁ ମୁଁ ଇରାକରେ ଥିବାରୁ ଏମିତି କଥା କହୁଛି । ଆମ ଲୋକଙ୍କୁ ଶାସନ କରିବା ପାଇଁ “ଦେଖିବା ମାତ୍ରେ ଗୁଳି” ଭଳି ଶାସନ ଦରକାର ।

ଏବେକାର ଶାସନ ବ୍ୟବସ୍ଥାରେ ଓଡ଼ିଶା କୌଣସି ଉନ୍ନତି କରୁଛି ନା ତାର ଅବନତି ଘଟୁଛି ? ଏହି କ୍ଷେତ୍ରରେ କୌଣସି ପରିବର୍ତ୍ତନ ଲୋଡ଼ା ବୋଲି ଆପଣ ଭାବୁଛନ୍ତି କି ?

ଉନ୍ନତି ହେବା ଏକ ସାଧାରଣ ପ୍ରକ୍ରିୟା । ଏଥିରେ କୌଣସି ସରକାରଙ୍କର ବିଶେଷ ଭୂମିକା ନଥାଏ । ମାତ୍ର ଓଡ଼ିଶା ଯେଉଁ ଉନ୍ନତି କରିଛି , ତାର ପ୍ରତିଶତ କେତେ ? ଏହା ଯଦି ବେଲୁନ ଭଳି ଫୁଲୁଥାଏ ତେବେ କେତେବେଳେବି ଫାଟିଯିବ । କାରଣ ଏହାର ଭିତ୍ତିଭୂମି ଭାରି ଦୁର୍ବଳ । ସେତେବେଳେ ବଦନାମ ସାଧାରଣ ଲୋକଙ୍କ ପାଖକୁ ଯିବ । କାରଣ ଏଠାରେ କୌଣସି ବ୍ୟକ୍ତି ତାର ଉତ୍ତରପୁରୁଷଙ୍କୁ ଭଲ ମଣିଷଟିଏ କରି ଗଢୁନାହିଁ ।

ତେବେ ଆପଣଙ୍କ ଭଳି ଜଣେ ସଚେତନ ବ୍ୟକ୍ତି ଏହି କ୍ଷେତ୍ରରେ କିଛି ଭୂମିକା ନିଅନ୍ତୁ । ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କର ମତାମତ ନେଇ ଏକ ସଂଗଠନ ତିଆରି କରନ୍ତୁ । ଓଡ଼ିଶାର ଉନ୍ନତି ପାଇଁ ଏକ ଭିତ୍ତିଭୂମି ପ୍ରତିଷ୍ଠା କରନ୍ତୁା

ତେବେ ରାତାରାତି ତ ପରିବର୍ତ୍ତନ ହେବନାହିଁ । ତେଣୁ ସେଥିପାଇଁ ଉଦ୍ୟମ ଆରମ୍ଭ ହେଉ ।

ଓଡ଼ିଶାର ଉନ୍ନତି କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନେ ସଠିକ ଭୂମିକା ନେଇ ପାରିବେ ବୋଲି ଆପଣ ଭାବୁଛନ୍ତି କି ? ଯଦି ହଁ ତେବେ ସେମାନେ ଏକ୍ଷେତ୍ରରେ କାହିଁକି ଅସଫଳ ହୋଇଛନ୍ତି । ସେମାନେ ସେଠାରେ ସେମିତି କାମ କରିବା ପାଇଁ ସୁଯୋଗ ରହିଛି କି ?

ଆପଣ ଓଡ଼ିଶା ଛାଡ଼ିବା ପରଠାରୁ ଅଦ୍ୟାବଧି ଓଡ଼ିଶାରେ କ’ଣ ଉନ୍ନତି ହୋଇଛି ବୋଲି ଲକ୍ଷ୍ୟ କରିଛନ୍ତି ?

ଗୋଟେ ପଟରେ ଉନ୍ନତି ହୋଇଥିଲେ ମଧ୍ୟ ଅନ୍ୟ ପଟରେ ଦୁର୍ନୀତି,ବିଶୃଙ୍ଖଳା ,ଅପରାଧ ଇତ୍ୟାଦି ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଏଠାରେ ଢିଲା । ସମସ୍ତେ ସେମାନଙ୍କ ଉଚ୍ଛା ଅନୁସାରେ କାମ କରିବା ପାଇଁ ସ୍ୱାଧିନତା ପାଉଛନ୍ତି । ଏହା କଣ ଉଚିତ୍ ।

ତାଇୱାନ,ସିଂଗାପୁର,ହଂକଂ ପ୍ରଭୁତି ଦେଶରେ କିଛି ଆଧାର ନଥିଲେ ମଧ୍ୟ ସେମାନଙ୍କର ଅର୍ଥନୈତିକ ଉନ୍ନତି ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି । ମୋତେ ଦୁଃଖ ଲାଗୁଛି ଯେ ଓଡ଼ିଶାରେ ଏତେ ପ୍ରକୃତି ବୈଭବ ଥିବା ସତ୍ୱେ ମଧ୍ୟ ଏଠାରେ କିଛି ହୋଇପାରୁନାହିଁ । ସେସବୁ ଦେଶରେ ଶୃଙ୍ଖଳା,ଦୃଢ ଆଇନ ବ୍ୟବସ୍ଥା ତଥା ନାମକୁ ମାତ୍ର ଦୁର୍ନୀତି ଥିବାରୁ ଏସବୁ ସମ୍ଭବ ହୋଇ ପାରୁଛିା

ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ପାଇଁ କ’ଣ ଜରୁରୀ ବୋଲି ଆପଣଙ୍କ ମତ ?

ଏହି କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କ ଉପରେ ନିର୍ଭର କରିବାକୁ ହେଲେ ଓଡ଼ିଶାରେ ସାଧୁ,ସଚ୍ଚୋଟ ତଥା ଅଙ୍ଗିକାରବଦ୍ଧ ବ୍ୟକ୍ତିମାନଙ୍କୁ ନେଇ ଏକ ସଂଗଠନ ତିଆରି କରିବାକୁ ହେବ । ସେହି ସଂଗଠନ ଯଦି ଠିକ ଭାବରେ କାମ କରିବ ତାହାହେଲେ ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ କିଛି ପ୍ରଗତି ହୋଇପାରିବ ।

ମୋ ମତ ହେଲା ଓଡ଼ିଆ ଲୋକଙ୍କୁ ମାଛ ଦିଅ ନାହିଁ, ସେମାନଙ୍କୁ ମାଛ ଧରିବା ପାଇଁ ଶିକ୍ଷା ଦିଅ । ମନେରଖ ଜଙ୍ଗଲରେ ଯେଉଁ ନିଆଁ ଲାଗେ ତାହା ଏକ ସାଧାରଣ ସଂଘର୍ଷରୁ ଘଟିଥାଏ, ମାତ୍ର ଅନୁକୂଳ ପବନ ତାକୁ ଜଙ୍ଗଲସାରା ବ୍ୟାପ୍ତ କରିଦିଏ ।

ଷ୍ଟିଲ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଏବେ ୪୦ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଆପଣ କ’ଣ ଭାବୁଛନ୍ତି ଏହା ଓଡ଼ିଶା ପାଇଁ ସମୃଦ୍ଧି ଆଣିପାରିବ ?

ଆପଣଙ୍କ ଦୃଷ୍ଟିରେ ଏବେ ଓଡ଼ିଶାର ପ୍ରଗତି ପାଇଁ କଣ ଜରୁରୀ?

ସ୍ୱାସ୍ଥ୍ୟସେବା ଓ ନିର୍ମାଣ । ଯୁବକମାନଙ୍କୁ ନିଯୁକ୍ତି ଦେଇ ଉପଯୁକ୍ତ ଦିଗଦର୍ଶନ ଦେବା ।

ଆପଣ ଭାବୁଛନ୍ତି କି ଓଡ଼ିଶା କୌଣସି କ୍ଷେତ୍ରରେ ଅବହେଳାର ଶିକାର ହେଉଛି ?

ନିଶ୍ଚିତ ଭାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଉଛି । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି । ମାତ୍ର ସେଥିପାଇଁ କାହାକୁ ଦାୟୀ କରିବା ? ଆରାମରେ ଥିବା ଓଡ଼ିଶାର ରାନୈତିକ ନେତାମାନଙ୍କୁ ? ତେବେ ଏହି କ୍ଷେତ୍ରରେ ଶୋଇ ରହିଥିବା ଓଡ଼ିଆମାନଙ୍କର କାର୍ଯ୍ୟକଳାପ ଭାରି ଦୁଃଖଦାୟକ ।

ଆପଣ ଏମିତି କିଛି କହିବାକୁ ଚାହାନ୍ତି କି, ଯାହା ଆପଣଙ୍କୁ ପ୍ରଶ୍ନରେ ପଚରାଯାଇନାହିଁ ?

ହଁ,ସମୟ ଅତିକ୍ରମ କରିଯାଇଛି । କୌଣସି କାର୍ଯ୍ୟର ସମୟ ଗଡ଼ିଯିବା ପୂର୍ବରୁ ହିଁ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ । ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ନ୍ୟୁକ୍ଲିୟସ ସଂଗଠନ ଆରମ୍ଭ କରି କାର୍ଯ୍ୟ କରନ୍ତୁ । ଆପଣଙ୍କୁ ଧନ୍ୟବାଦ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ପୋସ୍କୋ, ସଦ୍ଧାମ ହୁସେନ, ସାକ୍ଷାତକାର

“କାଟି ପିନ୍ଧ, କୁଟି ଖାଅ”ଏକଥା ଆଉ ଏବେ କାହିଁ ? (ସାକ୍ଷାତକାର)

August 18, 2005 by ନିଉଜ ଡେସ୍କ Leave a Comment

୮୫ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ବିରଞ୍ଚି ନାରାୟଣ ପ୍ରଧାନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୧୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର କମ ଗାଁ ନିବାସୀ ବିରଞ୍ଚି ନାରାୟଣ ପ୍ରଧାନ ୧୯୩୮ ମସିହାରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ଗାନ୍ଧିଜୀଙ୍କ ଡାକରାରେ ତଥା ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଅନୁଷ୍ଠିତ ସଭା ମାନଙ୍କରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର, ପ୍ରହଲ୍ଲାଦ ରାୟ ଲାଠ, ନୀଳକଣ୍ଠ ଦାଶ, ଭାଗୀରଥି ପଟ୍ଟନାୟକ, ଫକିର ବେହେରା ଆଦିଙ୍କ ଭଳି ମହାନ ବ୍ୟକ୍ତି ବିଶେଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବାରେ ନିଜକୁ ବ୍ରତୀ କରିଥିଲେ ।

ଗାଁର ଏକ ସଭା ସ୍ଥଳରୁ ଆଉ ଘରକୁ ନ ଫେରି ସଂଗ୍ରାମୀ ମାନଙ୍କ ସହ ଢ଼େଙ୍କାନାଳ ଗଡଜାତ ରାଜାଙ୍କ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବାକୁ ଚାଲି ଯାଇଥିଲେ ।

ଖଗେଶ୍ୱର ପ୍ରଧାନ ଓ ଜାନକୀ ଦେବୀଙ୍କ ମଝିଆଁ ପୁଅ ବିରଞ୍ଚି ନାରାୟଣ, ସେ ସମୟରେ ବରଗଡ଼ କଚେରି, ଓ ଜିଲ୍ଲାର କାଦୋବାହାଲ ଓ ଭଟଲିରେ ଗିରଫ ହୋଇ କଟକ ଓ ସମ୍ବଲପୁର ଜେଲରେ ବନ୍ଦୀ ଜୀବନ ବିତାଇ ଥିଲେ ।

ଦେଶ ମାତୃକାର ସେବା ତଥା ଗାନ୍ଧିଜୀଙ୍କ ସେବା ଓ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅବିବାହିତ ହୋଇରହିଥିବା ପ୍ରଧାନ ଏବେ ୮୫ ବର୍ଷର ପରିଣତ ବୟସରେ ରୋଗାକ୍ରାନ୍ତ ହୋଇ ପଡି ରହିଛନ୍ତି । ତାଙ୍କ ସହ ସ୍ୱାଧୀନତା ସ୍ମୃତି ସଂପର୍କରେ ଏକ ଅନ୍ତରଙ୍ଗ ଆଳାପ ।

ସ୍ୱାଧାନତା ସଂଗ୍ରାମ ସମୟର ତଥା ଦୀର୍ଘ ୮୫ ବର୍ଷ ବୟସର ଜୀବନ କାଳ ମଧ୍ୟରେ ଆପଣଙ୍କ ସଂଗ୍ରାମୀ ଜୀବନର ଅଭୁଲା ସ୍ମୃତି ବିଷୟରେ କିଛି କହିବେ କି?

୧୯୪୨ ସାଲର କଥା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବିକା ପାର୍ବତୀ ଗିରି ପାଣିମୋରାର ଅଭିମନ୍ୟୁ ସାହୁ ଓ ମୁଁ ଅନ୍ୟ କେତେଜଣ ବରଗଡ଼ କଚେରିରେ ଦାଖଲ କଲୁ, ପାର୍ବତୀ ଗିରି ହେଲେ ଏସ୍.ଡି.ଓ ଏବଂ ଅଭିମନ୍ୟୁ ପେଶକାର ଓ ମୁଁ ହେଲି ଡ଼କନିଆ (ପିଅନ) । ଲୋକଙ୍କ ବିଚାର କରିବାକୁ ପାର୍ବତୀ ଗିରି ଏସ୍.ଡ଼ି.ଓଙ୍କ ଚୋକିରେ ବସିଗଲେ । କିଛି ସମୟ ପରେ ତତ୍କାଳୀନ ମାଜିଷ୍ଟ୍ରେଟ ଆସିଲେ । ଆମେ ସମସ୍ତେ ଗିରଫ ହେଲୁ ।

ସ୍ୱାଧୀନତା ପୂର୍ବରୁ ଭାରତ କିଭଳି ଥିଲା ?

ପରାଧୀନ ଭାରତ ରେ ଦେଶର ଗେଉଁତି (ଗୋନ୍ତିଆ) ପ୍ରଥା ଚାଲୁଥିଲା । ଲାଲ ମୁଣ୍ଡିଆ ଟୋପି ଦେଖିଲେ ସମସ୍ତେ ଥରୁଥିଲେ । ପୋଲିସ ଆସିଲେ ସମସ୍ତେ ଲୁଚୁଥିଲେ, ଖାଇବା ପିନ୍ଧିବାରେ ଘୋର ଅଭାବ ଥିଲା ।

ଝାଡା ବାନ୍ତି ପ୍ରଭୃତି ରୋଗରେ ଲୋକେ ପୋକ ମାଛି ପରି ମରୁଥିଲେ । ପୁଞ୍ଜିବାଦୀ ଶୋଷଣ ଯୋଗୁଁ ଦାରିଦ୍ର୍ୟ ବଳ ବତ୍ତର ରହିଥିଲା । କୃଷକ ଏବଂ ଶ୍ରମିକମାନେ ସମାଜରେ କାମଧନ୍ଦା ପାଉ ନ ଥିଲେ । ସେତେବେଳେ ତମ୍ବା ପଇସା ଚଳୁ ଥିଲା । ମାତ୍ର ପଇସାର ଘୋର ଅଭାବ ରହିଥିଲା ।

ସ୍ୱାଧୀନତା ପରବର୍ତ୍ତୀ ସମାଜକୁ ଆପଣ କିଭଳି ଦେଖୁଛନ୍ତି ?

ନିଜ ନିଜ ସ୍ୱାର୍ଥରେ ବୁଡି ରହିଛନ୍ତି ସଭିଏଁ । ଦାୟିତ୍ୱ କର୍ତ୍ତବ୍ୟ ପ୍ରତି କେହିହେଲେ ନିଷ୍ଠାବାନ ନୁହଁନ୍ତି । ବିଦେଶୀ କମ୍ପାନୀ ପୁଞ୍ଜି ବିନିଯୋଗ ନାଁରେ ଏଠାକୁ ଆସି ଦେଶକୁ ପୁଣି ନିଜ ଅଧିନକୁ ନେବାକୁ ଚକ୍ରାନ୍ତ ଚଳାଇଛନ୍ତି । ସେମାନଙ୍କୁ ଏଠାରେ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନତା ଦିଆଯାଉଥିବାରୁ କାରଖାନା ସ୍ଥାପନ ହେଉଥିବା ଅଞ୍ଚଳର ବାସିନ୍ଦା ସଂପୂର୍ଣ୍ଣ ପରାଧୀନ ହୋଇ ଗଲେଣି ।

ଆପଣଙ୍କର କୋଣସି ସ୍ୱପ୍ନ ଅଧୁରା ରହିଯାଇଛି କି ?

ମୁଁ ଗରିବ ଘରର ପିଲା । ବହୁତ ଅଭାବ ଅନଟନ ମଧ୍ୟରେ ଚଳି ଆସିଛି । ସେଥିପ୍ରତି କେବେ ଚିନ୍ତା ନାହିଁ । ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲି । ଦେଶ ସ୍ୱାଧୀନ ହେବ ରାମ ରାଜ୍ୟ ପ୍ରତିଷ୍ଠା ହେବ । ସମସ୍ତେ ସୁଖ ଶାନ୍ତିରେ ରହିବେ । ଏଭଳି ମୋର ସ୍ୱପ୍ନ ଥିଲା । ସେ ସ୍ୱପ୍ନ ଅଧୁରା ରହିଗଲା । ରାମରାଜ୍ୟଟା କିପରି ଆମେ ଜାଣି ପାରିଲୁ ନହିଁ । ଗାନ୍ଧିଜୀ କହୁଥିଲେ “କାଟି ପିନ୍ଧ, କୁଟି ଖାଅ” ଏକଥା ଆଉ ଏବେ କାହିଁ ?

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଆନ୍ଦୋଳନ, ବିରଞ୍ଚି ନାରାୟଣ ପ୍ରଧାନ, ସାକ୍ଷାତକାର, ସ୍ୱାଧୀନତା ସଂଗ୍ରାମ

ସଂଗ୍ରାମ ବଳବତ୍ତର ରଖିଲେ କିଛି ହେଲେ ଅସମ୍ଭବ ନୁହେଁ (ସାକ୍ଷାତକାର)

August 14, 2005 by ନିଉଜ ଡେସ୍କ Leave a Comment

ରାଉରକେଲା,ଅଗଷ୍ଟ ୧୪ (ଓଡ଼ିଶା ଡ଼ଟ୍ କମ୍),ପ୍ୟାରିସର ପ୍ରସିଦ୍ଧ ଫ୍ୟାସନ ହାଉସ ଜେ.ମେଣ୍ଡେଲର ଡ଼ାଇରେକ୍ଟର ଡ଼ିଜାଇନିଂ ଭାବେ କାମ କରୁଥିବା ଓଡ଼ିଶାର ରାଉରକେଲାର ବିଭୂ ମହାପାତ୍ର

ଓଡ଼ିଶାର ରାଉରକେଲା ସହରରେ ବଢିଥିବା ବିଭୂ ମହାପାତ୍ର ଫେସନ ଡ଼ିଜାଇନିଂ ଦୁନିଆରେ ନିଜର ଚମତ୍କାର ଡ଼ିଜାଇନିଂ ଶୈଳୀ ପାଇଁ ସୃଷ୍ଟି କରିଛନ୍ତି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ।

ଭାରତରେ ଅର୍ଥନୀତିରେ ଡ଼ିଗ୍ରୀ ହାସଲ ପରେ ଆମେରିକାର ଉଟାହା ଷ୍ଟେଟ ୟୁନିଭରସିଟିରେ ସମାନ ବିଷୟରେ ସ୍ନାତକୋତ୍ତର ହାସଲ କରିଥିଲେ । ତେବେ ନିରସ ଅର୍ଥନୀତି ଅପେକ୍ଷା ତାଙ୍କୁ ଆକର୍ଷିତ କରିଥିଲା ଫ୍ୟାସନ ଡ଼ିଜାଇନିଂ ।

ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ନିୟୁୟର୍କରୁ ଫ୍ୟାସନ ଡ଼ିଜାଇନିଂରେ ଡ଼ିଗ୍ରୀ ହାସଲ କରିଥିବା ୩୪ ବର୍ଷ ବୟସ୍କ ମହାପାତ୍ର ଏବେ ପ୍ୟାରିସର ପ୍ରସିଦ୍ଧ ଫ୍ୟାସନ ହାଉସ ଜେ.ମେଣ୍ଡେଲର ଡ଼ାଇରେକ୍ଟର ଡ଼ିଜାଇନିଂ ଭାବେ କାମ କରୁଛନ୍ତି । ତାଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

ଆପଣଙ୍କ ଜନ୍ମ ସ୍ଥାନ, ପାରିବାରିକ ପୃଷ୍ଠଭୂମି, ଅବଦାନ, ସର୍ବୋପରି ବର୍ତ୍ତମାନର କାର୍ଯ୍ୟକ୍ରମ ସମ୍ପର୍କରେ କିଛି କହିବେ କି ?

ଓଡିଶାର ଇସ୍ପାତ ନଗରୀ ରାଉରକେଲାରେ ଜନ୍ମ ଏବଂ ସେଠାକାର ପାଣି ପବନରେ ବଢିଛି । ଏକ ଛୋଟ ଯୁଗ୍ମ ପରିବାରର ସଦସ୍ୟ ହୋଇଥିଲେ ହେଁ ଏହାର ପ୍ରତିଟି ସଦସ୍ୟ ସବୁବେଳେ ମୋ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରିଛନ୍ତି ।

ଜୀବନର ପ୍ରତିଟି ପାଦରେ ସେମାନେ ସହଯୋଗର ହାତ ବଢାଇ ଥିବାରୁ ଭଗବାନଙ୍କ ନିକଟରେ ଅଶେଷ କୃତଜ୍ଞ ।

ଫ୍ୟାସନ୍ ଜଗତରେ ପାଦ ଥାପିବାକୁ କାହିଁକି ନିଷ୍ପତ୍ତି ନେଲେ ? ଏହା ପଛରେ କୌଣସି କାହାଣୀ ଅଛି କି ? ଆପଣ ଏକ ପରମ୍ପରାବାଦୀ ଓଡିଆ ପରିବାରର ସନ୍ତାନ । ଏମିତି ଏକ କ୍ୟାରିୟରକୁ ବାଛିବାବେଳେ କେହି କଣ ବିରୋଧ କଲେ ନାହିଁ ?

ଅତି ପିଲାଟି ବେଳୁ କଳା ଜଗତର ମୋହରେ ପଡି ଯାଇଥିଲି । ପରବର୍ତ୍ତୀ ଅବସ୍ଥାରେ ସେହି ଦୁର୍ବାର ଆକର୍ଷଣ ମୋତେ କଳା ଓ ଫ୍ୟାସନ୍ ଜଗତକୁ ଚୁମ୍ବକ ସଦୃଶ ଟାଣି ନେଇଥିଲା ।

ପରିବାରର ମହିଳାମାନେ ପରିଧାନ କରୁଥିବା ରଙ୍ଗବେରଙ୍ଗର ଶାଢି ତଥା ଭାରତୀୟ ପୋଷାକପତ୍ରରେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲି ।

ଯଦିଓ ଏକ ପରମ୍ପରାବାଦୀ ପରିବାରରେ ମୋର ଜନ୍ମ, ତଥାପି ମୋର କ୍ୟାରିୟର୍ ଓ ଶିକ୍ଷାଦୀକ୍ଷା ପ୍ରତି ସବୁବେଳେ ସେମାନେ କୋହଳ ମନୋଭାବ ପ୍ରଦର୍ଶନ କରି ଆସୁଥିଲେ । ପରିବାରର ପ୍ରତ୍ୟେକ ସଦସ୍ୟ ମୋତେ ସର୍ବଦା ଦୃଢ ସମର୍ଥନ ଓ ପ୍ରୋତ୍ସାହନ ଦେଉଥିଲେ ।

ଆମେରିକାର ଆନ୍ତର୍ଜାତୀୟ ଫ୍ୟାସନ୍ ବ୍ୟବସାୟର ଶିଖରରେ ପହଞ୍ଚିବା ଲାଗି ଆପଣଙ୍କ ପ୍ରତିଭା ଏବଂ ଦୃଢ ସଂକଳ୍ପ ବିଷୟରେ ସମ୍ୟକ ଧାରଣା ଦେବେ କି ?

ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ପାଇଲି ଏହା ମୋର ସୌଭାଗ୍ୟ । ତେବେ ମୁଁ ଗୋଟିଏ କଥା ବିନା ସଂକୋଚରେ କହିବି, କ୍ୟାରିୟର୍ କୁ ଆଗକୁ ବଢାଇବା ଲାଗି ପରିବାର ଓ ସାଙ୍ଗସାଥି ମାନେ ନିରବଚ୍ଛିନ୍ନ ପ୍ରେରଣା ଯୋଗାଇ ଦେଇଥିଲେ ।

କାର୍ଯ୍ୟକାରୀ କରିବା ପାଇଁ କୌଣସି ଭବିଷ୍ୟତ ଯୋଜନା ମନରେ ରଖିଛନ୍ତି କି? ବିଶେଷକରି ନିଜ ରାଜ୍ୟ ଓଡିଶା ପାଇଁ, ଯାହାକି ଅଗାମୀ ଦିନରେ ଅମାର ଯୁବଗୋଷ୍ଠୀଙ୍କୁ ସହାୟକ ହେବ?

ଓଡିଶାର କାରିଗରମାନଙ୍କ କଳା ଓ ହସ୍ତଶିଳ୍ପରେ ପ୍ରଭାବିତ ହୋଇ ନିଜର ଗୋଟିଏ ବସ୍ତ୍ର ସଂଗ୍ରହାଳୟ କରିବାକୁ ଲକ୍ଷ୍ୟ ରଖିଛି । ଦ୍ରୁତଗତିରେ ଉଭେଇ ଯାଉଥିବା ଓଡିଶାର କଳାକୁ ଆଗାମୀ ଦିନରେ ଏହା ସୁରକ୍ଷା ଦେଇ ପାରିବ ।

ଓଡିଶାରେ ଫ୍ୟାସନ୍ ବିଷୟରେ ଶିକ୍ଷା ଦେବାକୁ ସୁଯୋଗର ଅପେକ୍ଷାରେ ମଧ୍ୟ ରହିଛି ।

ଓଡିଶାର କେଉଁ ବିଷୟ ଆପଣଙ୍କୁ ଅଧିକ ଆକୃଷ୍ଟ କରିଛି ଓ କାହିଁକି?

ରଙ୍ଗବେରଙ୍ଗର ଶାଢି, ଟସର୍ କାମ, ରୂପା ତାରକସି ଅଳଙ୍କାର, ମନ୍ଦିରର କାରୁକାର୍ଯ୍ୟ, ଓଡିଆ ଖାଦ୍ୟ ଏବଂ ସେଠାକାର ପରିବାର ।

ରାଜ୍ୟର ପଛୁଆ ପରିସ୍ଥିତି ଓ ସୀମିତ ସୁଯୋଗକୁ ଦୃଷ୍ଟିରେ ରଖି ଓଡିଶାର ଯୁବପିଢୀ ଲାଗି ଆପଣଙ୍କର ବାର୍ତ୍ତା କଣ ? ଯେ କୌଣସି କ୍ଷେତ୍ରରେ ଆପଣଙ୍କ ସୋପାନରେ ସେମାନେ କିଭଳି ପାଦ ଥାପି ପାରିବେ ?

କୌଣସି ପରିସ୍ଥିତିରେ ହତୋତ୍ସାହର ନାଁ ଧର ନାହିଁ । ହୃଦୟର ବାର୍ତ୍ତା, ନିଜର ସ୍ୱପ୍ନ ଏବଂ ନିଜ ଉପରେ ଆସ୍ଥା ରଖି ଲକ୍ଷ୍ୟ ହାସଲ ପାଇଁ ସଂଗ୍ରାମ ବଳବତ୍ତର ରଖିଲେ ଏ ଦୁନିଆରେ କିଛି ହେଲେ ଅସମ୍ଭବ ନୁହେଁ ।

ଆପଣଙ୍କ ଡିଜାଇନ୍ ପ୍ରସ୍ତୁତ କରିବାରେ ଓଡିଶାର ଭୂମିକା କେତେ ମାତ୍ରାରେ ରହିଛି?

ଯଥେଷ୍ଟ ଅଧିକ। ଗୋଟିଏ ନୁହେଁ ବିବିଧ କ୍ଷେତ୍ରରେ। ଯାହା କଳ୍ପନାର ବାହାରେ ।

ଆପଣଙ୍କ ପସନ୍ଦର ଓଡିଆ ଖାଦ୍ୟ କଣ ?

ବୋଉର ଇଲିସି ଶୁଖୁଆ ତରକାରୀ ବେଶୀ ମନେ ପଡୁଛି । ଖରା ଦିନ ରାତିରେ ପଖାଳ, ଭଜା ଠାରୁ ଅଧିକ ସୁସ୍ୱାଦୁକର ଆଉ କିଛି ହୋଇ ପାରେନା ।

ସ୍ୱାଧିନ ଜୀବନ ଯାପନ କରିବା ପରେ ବାଲ୍ୟବସ୍ଥାର କେଉଁ ବିଷୟ ଅଧିକ ସାହାଯ୍ୟ କରିଛି ?

ଅଭିଭାବକମାନେ ଶିଖାଇ ଥିବା ମୂଲ୍ୟବୋଧ, ନୀତି ତଥା ଆଦର୍ଶ । ସବୁବେଳେ ଗୋଟିଏ କଥା ମନେ ରଖିଥିଲି, ଯେଉଁଠି ଥାଅ ନା କାହିଁକି କିଛି କଥା ନାହିଁ । ଯାହା କରୁଛି, ସେଥିପାଇଁ ସର୍ବଦା ପରିବାରର ସ୍ନେହ ଓ ସମର୍ଥନ ମିଳୁଥାଉ ।

ପାରିବାରିକ ଜୀବନ ସମ୍ପର୍କରେ କିଛି ବାଖ୍ୟା କରନ୍ତୁ । ଆପଣଙ୍କ ଜୀବନରେ କୌଣସି ମହିଳାଙ୍କ ପ୍ରଭାବ ପଡିଛି କି ?

ପରସ୍ପର ପ୍ରତି ନିରନ୍ତର ସ୍ନେହ, ସଦିଚ୍ଛା ସର୍ବୋପରି ପରମ୍ପରାବାଦୀ ହେଲେ ବି ଖୋଲା ମନୋବୃତ୍ତିର ପରିବାର ପାଇଥିବାରୁ ମୁଁ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଛି । ଶିକ୍ଷା, ବଦାନ୍ୟତା ଓ ଦୟା ଉପରେ ମଧ୍ୟ ଏହି ପରିବାର ଅଧିକ ଗୁରୁତ୍ୱ ଦିଅନ୍ତି ।

ଦୃଢ ମନୋଭାବର ମହିଳା ଥିବା ପରିବାରରୁ ଆସିଥିବାରୁ ମୋ’ ଜୀବନ ଉପରେ ସେମାନଙ୍କର ପ୍ରଭାବ ପଡିଛି, ବିଶେଷକରି ମା’ଙ୍କର । ସେ ସବୁମନ୍ତେ ପାରୁପର୍ଯ୍ୟନ୍ତ ସାହାଯ୍ୟ, ସହଯୋଗ ଓ ପ୍ରେରଣା ଦେଇ ଚାଲିଛନ୍ତି ।

ମୋ’ ସ୍ୱାର୍ଥ ଓ ସ୍ୱପ୍ନକୁ କେବେ ହେଲେ ନିରୁତ୍ସାହିତ କରି ନାହାନ୍ତି । ଭଉଣୀ ଲୋପା, ସିଏ ତ ମୋ’ ପାଇଁ ଅନନ୍ୟା । ମୋ’ ଫ୍ୟାସନ୍ ସାମ୍ରାଜ୍ୟର କୁନି ରାଣୀ ।

ଏକସଙ୍ଗେ ଅର୍ଥନୀତି ଓ ଫ୍ୟାସନ୍ ଶିକ୍ଷା ଲାଗି କେଉଁ ପରିସ୍ଥିତିରେ ନିଷ୍ପତ୍ତି ନେଲେ ?

ମୋର ପୃଷ୍ଠଭୂମୀ ସହ ଅର୍ଥନୀତି ଜଡିତ ଥିବାରୁ ଆମେରିକାରେ ଅର୍ଥନୀତି ଶିକ୍ଷା ଲାଗି ଆଗ୍ରହୀ ହୋଇଥିଲି । ଅବଶ୍ୟ ପ୍ରଥମେ କଳା ଅଧ୍ୟୟନ କରିବାକୁ ମନସ୍ଥ କରିଥିଲି । ତେବେ ଭବିଷ୍ୟତରେ ବ୍ୟବସାୟ କରିବାକୁ ହେଲେ, ଅର୍ଥନୀତି ବିଷୟରେ ଦକ୍ଷତା ହାସଲ ଜରୁରୀ ବୋଲି ଭାବିଲି ।

ତେବେ ସେ ଯାହା ହେଉନା କାହିଁକି ଅର୍ଥନୀତି ଉପରେ ଆଧାରିତ ଫ୍ୟାସନ୍ କୁ ଅଧିକ ଗୁରୁତ୍ୱ ଦେଲି । ପରେ ଫ୍ୟାସନ୍ ମର୍ଚ୍ଚାଣ୍ଡାଇଜିଂରେ ସ୍ନାତକ ଡିଗ୍ରୀ ହାସଲ କଲି ।

ଏନ୍ୱାଇସି ସମ୍ପର୍କରେ ଆପଣଙ୍କ ପ୍ରଥମ ଧାରଣ କଣ ଥିଲା ? ଓଡିଶା ସହ ଏହା କିପରି ତୁଳନୀୟ ।

ଅତି ଉତ୍ତେଜକ, ରଙ୍ଗୀନ୍, ବିବିଧତାରେ ଭରପୂର, ସୁସ୍ୱାଦୁ ଖାଦ୍ୟ, ଉଚ୍ଚ ଶକ୍ତି ସଂପନ୍ନ, ବିଶ୍ୱ କଳାର କେନ୍ଦ୍ର ସର୍ବୋପରି ଆମୋଦପ୍ରମୋଦ ପୂର୍ଣ୍ଣ ଏବଂ ନିଜ ରାଜ୍ୟ ସହ ଏହାର କୌଣସି ବିଷୟ ତୁଳନୀୟ ହୋଇପାରେନା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଫ୍ୟାସନ ଡ଼ିଜାଇନିଂ, ବିଭୂ ମହାପାତ୍ର, ସାକ୍ଷାତକାର

ଆର୍ଥିକ ଅସମାନତା ଓଡ଼ିଶା ବିକାଶର ପ୍ରତିବନ୍ଧକ

July 25, 2005 by ନିଉଜ ଡେସ୍କ Leave a Comment

ରାଉରକେଲା,ଜୁଲାଇ ୨୫(ଓଡିଶା ଡ଼ଟ୍ କମ୍), ଶାରୀରିକ ଅକ୍ଷମତା ସତ୍ତ୍ୱେ ଆମେରିକାରେ ଏକ ଉଚ୍ଚ ପଦବୀ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ପାର୍ଥସାରଥୀ ମହାପାତ୍ର

୩୪ ବର୍ଷ ବୟସ୍କ ଡଃ. ପାର୍ଥ ସାରଥୀ ମହାପାତ୍ର । ଜନ୍ମସ୍ଥାନ ଓଡିଶାର ଇସ୍ପାତ ନଗରୀ ରାଉରକେଲା ସହର । ପିଲାଟି ବେଳରୁ ପୋଲିଓରେ ତାଙ୍କର ଡାହାଣ ଗୋଡଟି ହୋଇଯାଇଛି ସଂପୂର୍ଣ୍ଣ ଅକାମୀ । ତେବେ ତାଙ୍କର ଅନ୍ତଃର୍ନିହିତ ପ୍ରତିଭା ଆଗରେ ମୁଣ୍ଡ ନୁଆଁଇଛି ଶାରିରୀକ ଅକ୍ଷମତା ।

ଅଦମ୍ୟ ଇଚ୍ଛାଶକ୍ତି ଏବଂ ଅସୁମାରୀ ଦୁଃସାହାସକୁ ପାଥେୟ କରି ଅତିକ୍ରମ କରିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ବିଭିନ୍ନ ଶ୍ରେଣୀରେ କୃତିତ୍ୱର ସହ ପାସ୍ କରି ଆସିଛନ୍ତି ଗୌରବର୍ଣ୍ଣର ଏହି ଯୁବକ ଜଣକ ।

ସହରର ଦୀପା ଇଂରାଜୀ ମିଡିଅମ୍ ସ୍କୁଲ୍ରୁ ଯୁକ୍ତ ଦୁଇ ଶିକ୍ଷା ସାରିବା ପରେ ରିଜିଓନାଲ ଇଂଜିନିୟରିଂ କଲେଜରୁ ଧାତବ ବିଜ୍ଞାନରେ ଡିଗ୍ରୀ ଏବଂ ପରେ ଭୁବନେଶ୍ୱର ଜାଭିଅର୍ ଇନଷ୍ଟିଚ୍ୟୁଟ ରୁ ହାସଲ କରିଥିଲେ ଫାଇନାନ୍ସ ଏଣ୍ଡ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ ଡିଗ୍ରୀ ।

କୋଲକତାସ୍ଥିତ ପ୍ରାଇସ୍ୱାଟର୍ ହାଉସ୍ (କୁପର୍)ରେ ଏସୋସିଏଟ୍ କନ୍ସଲ୍ଟାଣ୍ଠଭାବେ ପ୍ରଥମ ଚାକିରୀ । କିଛି ଦିନ ପରେ ହାଇଦ୍ରାବାଦର ଆଇସିଏଫ୍ଏଆଇ ଅନୁଷ୍ଠାନରେ ଅଧ୍ୟାପନା ।

ଆମେରିକାର କେଣ୍ଟୁକି ରାଜ୍ୟର ଲେକ୍ସିଙ୍ଗ୍ଟନ୍ ସହରରେ ଥିବା କେଂଣ୍ଟୁକି ବିଶ୍ୱବିଦ୍ୟାଳୟରେ ବିଜନେସ୍ ଏଡମିନିଷ୍ଟ୍ରେସନରେ ଡକ୍ଟରେଟ୍ କରି ସାରିବାପରେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ସହକାରୀ ପ୍ରଫେସର ଭାବେ ଆମେରିକାର ମ୍ୟାରୀଲ୍ୟାଣ୍ଡ ରାଜ୍ୟର ବାଲ୍ଟିମୋରରେ ମୋରଗାନ୍ ଷ୍ଟେଟ୍ ୟୁନିଭରସିଟିରେ ଯୋଗ ଦେବେ ।

“ଶାରିରୀକ ଅକ୍ଷମତା ମୋ’ଜୀବନରେ ନାନା ପ୍ରତିବନ୍ଧକ ସୃଷ୍ଟି କରିଛି, ହେଲେ ତାହା ମୋତେ ଲକ୍ଷ୍ୟପଥରୁ ଭ୍ରଷ୍ଟ କରିବାକୁ ସକ୍ଷମ ହୋଇନାହିଁ” ଓଡିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ମହାପାତ୍ର ।

ଅବିବାହିତ ମହାପାତ୍ରଙ୍କ ପିତା ଜଗନ୍ନାଥ ମହାପାତ୍ର ଜଣେ କଷ୍ଟ୍ ଏକାଉଣ୍ଟେଣ୍ଟ ଓ ମା ମନୋରମା ମହାପାତ୍ର ଗୃହିଣୀ । ତିନି ଭାଇ ଓ ଚାରି ଉଭଣୀ । ବଡଭାଇ ଦେବାଶିଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ବିଭାଗରେ କାମ କରନ୍ତି । ଦ୍ୱିତୀୟ ଭାଇ ସିଦ୍ଧାର୍ଥ ଜଣେ ରାଜନେତା ଓ ବ୍ୟବସାୟୀ ଏବଂ ପାର୍ଥ ସବା ସାନ ।

ଚାରି ଭଉଣୀ ହେଲେ ଯଥାକ୍ରମେ ମିନତୀ, ଆରତୀ, ସୁଜାତା ଓ ସବିତା । ସେମାନଙ୍କ ମଧ୍ୟରୁ ମିନତୀ, ଅତୀତରେ ସାଇକେଲ ଚାଳନା ଲାଗି ମର୍ଯ୍ୟଦାଜନକ ଅର୍ଜୁନ ପୁରସ୍କାର ପାଇଛନ୍ତି ।

“ଯୁକ୍ତ ଦୁଇ ପଢିବା ପର୍ଯ୍ୟନ୍ତ ଯେଉଁ ସ୍କୁଲରେ ପଢୁଥିଲି ସେଠାରେ ସବୁ ଶ୍ରେଣୀ ତଳ ମହଲାରେ ହେଉଥିଲା ତେଣୁ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ମୁଁ ହେଉ ନଥିଲି । ତେବେ ପରବର୍ତ୍ତୀ ସମୟ ଗୁଡିକରେ ସମସ୍ୟା କଷ୍ଟକର ହୋଇପଡିଥିଲା” ବୋଲି କହନ୍ତି ସଙ୍ଗୀତ ସମେତ ବହୁବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମହାପାତ୍ର ।

ଇଂଜିନିୟରିଂ ଶ୍ରେଣୀ ଗୁଡିକ ଚତୁର୍ଥ ମହଲାରେ ହେଉଥିଲା ଓ ଏହା ମୋ ନିମନ୍ତେ ଅତ୍ୟନ୍ତ ପୀଡାଦାୟୀ ଥିଲା । ମୁଁ ଚାହେଁ କୌଣସି ବ୍ୟକ୍ତି ଶାରିରୀକ ଅକ୍ଷମ ନ ହୁଅନ୍ତୁ । ଯଦି ବି କୌଣସି କାରଣରୁ ହୁଅନ୍ତି ତେବେ ସେମାନେ ମୋ ଭଳି କୌଣସି ସମସ୍ୟା ନ ଭୋଗନ୍ତୁ ।

ଦେଶ ଏବଂ ଦେଶ ବାହାରେ ଛାତ୍ର ଜୀବନରେ ବହୁ ପୁରସ୍କାର ଏବଂ ସମ୍ମାନ ଲାଭ କରିଥିବା ମହାପାତ୍ରଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ଅନ୍ତରଙ୍ଗ ସାକ୍ଷାତକାରର କିୟଦଂଶ………………..

ଶାରୀରିକ ଅକ୍ଷମତା ସତ୍ତ୍ୱେ ଆପଣ ଭାରତ ଛାଡ଼ି ଆମେରିକା କାହିଁକି ଗଲେ?

୧୯୯୪ ମସିହାରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ମୁଁ ଚାକିରୀ ଲାଗି ବିଭିନ୍ନ ସାକ୍ଷାତକାର ଦେଇଥିଲି । ଏପରିକି ସେଲ୍ ରେ କାର୍ଯ୍ୟ କରିବା ଲାଗି ମୋର ଚୟନ ମଧ୍ୟ ହୋଇଥିଲା । ତେବେ ଶାରିରୀକ ଅକ୍ଷମତା ଦୃଷ୍ଟିରୁ ସୁଯୋଗ ପାଇବାରୁ ବଞ୍ଚିତ ହେଲି ।

ଅବଶ୍ୟ ଏବେ ସେଲ୍ ସମେତ ବିଭିନ୍ନ ସଂସ୍ଥାରେ ଶାରିରୀକ ଅକ୍ଷମମାନଙ୍କୁ ନିଯୁକ୍ତି ଦିଆାଯାଉଛି । ସେତେବେଳେ ଦୁର୍ଭାଗ୍ୟବଶତଃ ସେହି ସୁବିଧା ନଥିଲା । ମୁଁ ଚିନ୍ତା କଲି ମତେ ଇଂଜିନିୟରିଂରେ ଚାକିରୀ ମିଳିବ ନାହିଁ । ତେଣୁ ଜାଭିୟରରେ ନାଁ ଲେଖାଇଥିଲି ।

୧୯୯୫-୯୭ ମଧ୍ୟରେ ଫାଇନାନ୍ସ ଓ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ କରି ସାରିବାପରେ ମତେ କ୍ୟାମ୍ପସ ରିକ୍ରୁଟମେଣ୍ଟ ଜରିଆରେ ପ୍ରାଇସ୍ ୱାଟର୍ ହାଉସ୍ ରେ ଆସୋସିଏଟ୍ କନସଲ୍ଟାଣ୍ଟଭାବେ ଚାକିରୀ ମିଳିଗଲା ।

୧୯୯୮ କୋଲକତା ଛାଡି ହାଇଦ୍ରାବାଦର ଆଇସିଏଫ୍ଏଆଇ ବିଜିନେସ ସ୍କୁଲରେ ଅଧ୍ୟାପନା ଦାୟିତ୍ୱ ନେଇ ୨୦୦୦ ମସିହା ପର୍ଯ୍ୟନ୍ତ ସେଠାରେ ରହିଥିଲି । ତେବେ ସେତେବେଳକୁ ମୋ ଭିତରେ ଆହୁରି ଉଚ୍ଚଶିକ୍ଷା ଲାଗି ଆଶା ଜାଗ୍ରତ ହୋଇଥିଲା ।

ୟୁନିଭରସିଟି ଅଫ କେଣ୍ଟ କୀରେ ବିଜିନେସ୍ ଆଡ୍ମିନିଷ୍ଟ୍ରେସନରେ ଡକ୍ଟରେଟ୍ କରିବା ପାଇଁ ମୋତେ ସମସ୍ତ ପ୍ରକାର ଆର୍ଥିକ ସହାୟତା ମିଳିଥିଲା । ସେଥିପାଇଁ ମୁଁ ଆମେରିକାର ଲେକ୍ସିଙ୍ଗ୍ଟନ୍ ଆସିଲି । ବୋଧ ହୁଏ ଏହା ମୋ ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ ।

ଡକ୍ଟରେଟ୍ ସଂପୂର୍ଣ୍ଣ କରିବା ପରେ ଏବେ ଆମେରିକାର ମ୍ୟାରିଲ୍ୟାଣ୍ଡ ପ୍ରୋଭିନ୍ସର ବାଲ୍ଟିମୋରରେ ଥିବା ମୋର୍ଗାନ ଷ୍ଟେଟ୍ ୟୁନିଭରସିଟିରେ ଆସିଷ୍ଟାଣ୍ଟ ପ୍ରଫେସରଭାବେ ନିଯୁକ୍ତି ମିଳିଛି ।

ଶାରୀରିକ ଅକ୍ଷମତା ଆପଣଙ୍କ ବ୍ୟକ୍ତିଗତ ବିକାଶରେ କି ପ୍ରତିବନ୍ଧକ ସୃଷ୍ଠି କରିଛି?

ଯଦି ଆପଣ ଶାରିରୀକ ଅକ୍ଷମ ତେବେ ନିଜେ ହିଁ ନିଜ ପାଇଁ ବ୍ୟବସ୍ଥା କରିବାକୁ ହେବ । ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ୱତନ୍ତ୍ର ସିଢି କିମ୍ବା ଲିଫ୍ଟ ବ୍ୟବସ୍ଥା ନାହିଁ । ମୋ ପାଇଁ ଏଥିନିମନ୍ତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । ସ୍କୁଲ ଏବଂ କଲେଜରେ ପାଠ ପଢିବାବେଳେ ମୁଁ ଏକମାତ୍ର ଶାରୀରିକ ଅକ୍ଷମ ଛାତ୍ର ଥିଲି ।

ମୁଁ ଅନୁଭବ କରିଛି ଏହା କେତେ ବେଦନା ଦାୟକ ।

ତେବେ ଆମେରିକାରେ ରହୁଥିବା ଶାରିରୀକ ଅକ୍ଷମମାନେ ଏଭଳି ସମସ୍ୟାର ସମ୍ମୁଖିନ ହୋଇନଥାନ୍ତି । ସେମାନଙ୍କ ନିମନ୍ତେ ସେଠାକାର ଶିକ୍ଷାୟତମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟାମୋଟି କହିବାକୁ ଗଲେ ଆମେରିକାଠାରୁ ଭାରତ ୪୦ବର୍ଷ ପଛରେ ରହିଛି ।

ଆମ ଦେଶରେ ଜଣେ ଶାରିରୀକ ଅକ୍ଷମ ଯେ କୌଣସି ସ୍ଥାନକୁ ଗଲେ ତାକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ବସ୍ ରେ ସେମାନଙ୍କ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏପରିକି ଆପଣ ସାଥିରେ ହ୍ୱିଲ୍ ଚେୟାର ନେଇପାରିବେ ନାହିଁ ।

ରେଳରେ ଯାତ୍ରାବେଳେ ଶାରିରୀକ ଅକ୍ଷମମାନେ ଅନୁରୂପ ବାଧାବିଘ୍ନର ସମ୍ମୁଖିନ ହୋଇଥାନ୍ତି । ଅଫିସ, ପ୍ଲାଟ୍ଫର୍ମ, ଏୟାରପୋର୍ଟ ଯେଉଁଠିକୁ ଗଲେ ବି ସେମାନଙ୍କ ନିମନ୍ତେ ଗୋଟିଏ ଇଞ୍ଚ ଯାଗାର ବ୍ୟବସ୍ଥା ନାହିଁ । ଅବଶ୍ୟ ନୂଆଦିଲ୍ଲୀ ଏବଂ ମୁମ୍ବାଇ ଆଦି କେତେକ ସ୍ଥାନର ବିମାନ ବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ସରକାରୀ କଳର କୌଣସି ଉଦ୍ୟମ ନାହିଁ କିମ୍ବା ସ୍ୱତନ୍ତ୍ର ଥଇଥାନ କେନ୍ଦ୍ରମାନ ମଧ୍ୟ ସ୍ୱାଧିନତାର ପାଞ୍ଚ ଦଶନ୍ଧିପରେ ସ୍ଥାପନ ହୋଇପାରିନି ।

ଶାରୀରିକ ଅକ୍ଷମ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର କି ଯୋଗଦାନ ରହିବ?

ମୁଁ ୟୁ.ଏସ.ରେ ଅନେକ କନଫରେନ୍ସରେ ଯୋଗଦାନ କରିଛି । ସେଠାରେ ଶାରୀରିକ ଅକ୍ଷମମାନଙ୍କୁ ବସ୍ ଯାତାୟତ, ଶିକ୍ଷାନୁଷ୍ଠାନ, ଶିକ୍ଷାଗତ ବୃତ୍ତି ଆଦି କ୍ଷେତ୍ରରେ ମିଳୁଥିବା ସୁବିଧା ସୁଯୋଗ ଭଳି ଆମ ରାଜ୍ୟରେ ମୁଁ ସେମାନଙ୍କ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ବସ୍ ସୁବିଧାର ବ୍ୟବସ୍ଥା କରିବା ଯୋଜନା କରିଛି ।

ଏଠାକାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାରୀରିକ ଅକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ ।

ଓଡିଶାର ମୁଖ୍ୟ ସମସ୍ୟା କ’ଣ ବୋଲି ଆପଣ ଭାବନ୍ତି?

ଓଡିଶା ଆର୍ଥିକ ଦୃଷ୍ଟିକୋଣରୁ ଯେଉଁଭଳି ଭାବେ ବିକାଶସାଧନ କରିବା କଥା ତାହା ବସ୍ତୁତଃ ହୋଇପାରୁନାହିଁ । ଜନସଂଖ୍ୟା ବିସ୍ଫୋରଣ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛି ।

ରାଜ୍ୟର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିଲେ ହେଁ ଚାଷ ଜମିକୁ ଆଶାନୁରୂପକ ସେଚନ ସୁବିଧା ଯୋଗାଇ ଦିଆଯାଇନାହିଁ । ସୁଚିନ୍ତିତ ଜଳ ଅମଳ ପ୍ରକଳ୍ପ ଅଭାବରୁ କୃଷକମାନେ ଆଜି ମଧ୍ୟ ଚାଷବାସ ଲାଗି ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଅବହେଳାରୁ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇପାରିଲା ନାହିଁ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ଶିକ୍ଷା କ୍ଷେତ୍ରରେ ବିଶେଷ ଅଗ୍ରଗତି କରିବାକୁ ସକ୍ଷମ ହୋଇନାହିଁ ।

ରାଜନେତାମାନେ ଏଥିପ୍ରତି ସଚେତନ ନୁହନ୍ତି । ତେଣୁ ରାଜ୍ୟବାସୀ ବିଭିନ୍ନ ଯୋଜନାରୁ ଯେଭଳି ସୁଫଳ ପାଇବା କଥା ତାହା ପାଇବାକୁ ସକ୍ଷମ ହେଉନାହାନ୍ତି ।

ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରେ ବହୁ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ।

ଆପଣଙ୍କ ମତରେ ଏହିସବୁ ସମସ୍ୟାର ସମାଧାନ କ’ଣ ହୋଇପାରେ ?

ଧନୀ, ଗରିବ ଏବଂ ସାଧାରଣ ଲୋକ ତଥା ବୃତ୍ତିଜୀବିମାନଙ୍କ ମଧ୍ୟରେ ବେଶୀ ପାର୍ଥକ୍ୟ ନ ରହିଲେ ରାଜ୍ୟର ଅର୍ଥନୈତିକ ଉନ୍ନତିର ପଥ ସୁଗମ ହେବ ।

ବିଶେଷ କରି ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନଶିପ ସମୟରେ ଗ୍ରାମାଞ୍ଚଳକୁ ପଠାଯିବା ଉଚିତ । ଏହାଦ୍ୱାରା କୃଷି, ସ୍ୱାସ୍ଥ୍ୟ,ପରିମଳ, ଶିକ୍ଷା ଆଦି କ୍ଷେତ୍ରରେ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇବାରେ ଯୁବବିଢ଼ୀ ସକ୍ଷମ ହେବେ ।

ବିଦେଶରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ତଥା ହସ୍ତଶିଳ୍ପର ଆଶାନୁରୂପ ପ୍ରସାର ହୋଇନାହିଁ । ସେ ଦିଗରେ ରାଜ୍ୟ ସରକାର ବ୍ୟବସାୟିକ ପ୍ରଚେଷ୍ଟା କଲେ ରାଜ୍ୟକୁ ଯଥେଷ୍ଟ ରାଜସ୍ୱ ମିଳିବ ।

ଓଡିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମୁଖ୍ୟ ଖବର, ସାକ୍ଷାତକାର Tagged With: ଓଡ଼ିଶା ବିକାଶ, ପାର୍ଥସାରଥୀ ମହାପାତ୍ର, ଶାରିରୀକ ଅକ୍ଷମ, ସାକ୍ଷାତକାର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ