• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାକ୍ଷାତକାର

ସଙ୍ଗୀତ ନିର୍ମାତା ଚାହିଁଲେ ବନ୍ଦ ହେବ ଅଶ୍ଳୀଳ ସଙ୍ଗୀତ

July 17, 2005 by ନିଉଜ ଡେସ୍କ Leave a Comment

“ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର

ଓଡ଼ିଶା ଡ଼ଟ୍ କମ୍: ବବିତା ସାହୁ

ଭୁବନେଶ୍ୱର, ଜୁଲାଇ ୧୭ (ଓଡ଼ିଶା ଡ଼ଟ୍ କମ୍) ଓଡିଶା ସଙ୍ଗୀତ ସାମ୍ରାଜ୍ୟସହ ଜଡିତ ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ତଥା ନିର୍ମାତାମାନେ ଚାହିଁଲେ ରାଜ୍ୟରେ ସମ୍ପ୍ରତି ସୃଷ୍ଟି ହୋଇଥିବା ଅଶ୍ଳୀଳ ସଙ୍ଗୀତର ବନ୍ୟାକୁ ଅକ୍ଲେଶରେ ରୋକି ଦିଆ ଯାଇପାରିବ ବୋଲି ଜଣେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି ।

ଓଡିଶାରେ ବର୍ତ୍ତମାନ ଅନ୍ୟୁନ ତିନି ଶହ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଅଶ୍ଳୀଳ ସଙ୍ଗୀତର ପ୍ରଚାର ଓ ପ୍ରସାରକୁ ମହତ୍ୱ ନ ଦେଇ ସଂଗୀତ ନିର୍ମାତା ଓ ଗଣମାଧ୍ୟମ, କ୍ୱାଲିଟି ମ୍ୟୁଜିକକୁ ପ୍ରାଧାନ୍ୟ ଦେଲେ ଶ୍ରୋତାମାନଙ୍କର ସ୍ୱାଦ ବଦଳି ପାରେ ବୋଲି ଅଶି ଦଶକରେ ରାଜ୍ୟ ଓ ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ସମ୍ବଲପୁରୀ ଲୋକଗୀତ “ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

“ବର୍ତ୍ତମାନ ଓଡିଆ ସଙ୍ଗୀତରେ ପୂର୍ବର ଶ୍ରୁତିମଧୁରତା ଏବଂ ଗାମ୍ଭୀର୍ଯ୍ୟ (କ୍ୱାଲିଟି) ନାହିଁ ଏବଂ ପ୍ରକୃତ ସଙ୍ଗୀତ ପ୍ରେମୀଙ୍କ ନିକଟରେ ସମୟର ଅଭାବ ରହିଛି ତଥା ନିୟମିତ ସଙ୍ଗୀତ ଶୁଣୁଥିବା ଶ୍ରୋତାମାନଙ୍କର ପସନ୍ଦର ମାନ ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି” ବୋଲି ସେ କହିଛନ୍ତି ।

“ତେବେ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଶ୍ରୋତାଙ୍କ ସ୍ୱାଦ ବଦଳି ଯିବ” ।

ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଶ୍ରୋତାଙ୍କ ମନକୁ ଜାବୁଡି ଧରିଥିବା “ରଙ୍ଗବତୀ” ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରମେଶ ବିଗତ ୨୫ ବର୍ଷ ଭିତରେ ୧୦୦ରୁ ଉର୍ଦ୍ଧ୍ଵ ଆଲବମ୍, ସିନେମା ଓ ସିରିଏଲ୍ ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।

“ରଙ୍ଗବତୀ ଲୋ, ରଙ୍ଗବତୀ” ଅନନ୍ୟ ଶ୍ରୁତିମଧୁର ସମ୍ବଲପୁରୀ ଲୋକଗୀତ ସର୍ବପ୍ରଥମେ ସମ୍ବଲପୁର ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ୧୯୮୦ ମସିହାରେ ଝଙ୍କୃତ ହୋଇ ଉଠିଥିଲା । ଗୀତଟିକୁ ଲେଖିଥିଲେ ମିତ୍ରଭାନୁ ଗୌନ୍ତିଆ ଏବଂ ଗାଇଥିଲେ ଜିତେନ୍ଦ୍ର ହରିପାଲ୍ ।

୧୯୫୫ରେ ବଲାଙ୍ଗିରର ପାଟନାଗଡ଼ରେ ଜନ୍ମିତ ରମେଶ ୧୯୭୫ରେ ଆଲ୍ଲାହାବାଦର ପ୍ରୟାଗ ସଂଗୀତ ସମିତିରୁ ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷା କରିଥିଲେ । ୧୯୭୮ରେ ପାଶ୍ଚାତ୍ୟ ସଂଗୀତ ଶିଖିଥିଲେ କଲିକତାରୁ ।

ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓଡ଼ିଆ ଚଳଚ୍ଚିତ୍ର “ଭୁଖା” ର ସଂଗୀତ ନିର୍ଦ୍ଦେଶନାସହ ସେ “ବୋଉ” ଫିଲ୍ମ ପାଇଁ ସିନେ କ୍ରିଟିକ୍ ତରଫରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । ଆଦିବାସୀ ଭାଷାରେ “ଝିଲି” ତାଙ୍କର ଅନ୍ୟ ଏକ ଅନବଦ୍ୟ ଅବଦାନ ।

ଘଣ୍ଟେଶ୍ୱର ଗୁରୁଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଯାଉଥିବା “କହିବାକୁ ଅଛି, ଆଇ ଆମ୍ ସରି”ରେ ତାଙ୍କର ସଂଗୀତ ଶୁଣିବାକୁ ମିଳିବ ।

ବର୍ତ୍ତମାନ ମହାନନ୍ଦ “ମନର ମଣିଷ”ର ନିର୍ଦ୍ଦେଶକ ଶୈଳେନ୍ଦ୍ର ମିଶ୍ରଙ୍କ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଇଟିଭି “ଆମରି ଓଡ଼ିଶା” କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶନାର ଅଫର୍ ମଧ୍ୟ ତାଙ୍କୁ ମିଳିଛି ବୋଲି ସେ କହନ୍ତି ।

ତାଙ୍କର ବହୁଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ମଧ୍ୟରେ କିଆଝରନ୍, ଡ଼ାଇଭରପିଲା, ମୁଇଁ ନାଇଁ ମରେ ଓ ଗୀତିନାଟ୍ୟ ନାବକେଲି ଅନ୍ୟତମ । ଓଡ଼ିଆ ବ୍ୟତୀତ ହିନ୍ଦୀ ଓ ଛତିଶଗଡ଼ି ଗୀତଗୁଡ଼ିକରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି ।

ଛତିଶଗଡ଼ିରେ ଛୁଇମୁଇ, ରସଗୁଲ୍ଲା, ଗାଡ଼ିବାଲା ଆଦି ବେଶ୍ ଲୋକପ୍ରିୟତା ହାସଲ କରିଛି । ନ୍ୟାସନାଲ୍ ଚ୍ୟାନେଲର ହିନ୍ଦୀ ସିରିଏଲ ସବଲା, ସୂର୍ଯ୍ୟମୁଖୀ, ପାୱେଲି ଓ ପ୍ରତିଶୋଧରେ ରମେଶ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ବମ୍ବେର ପ୍ଲାଟିନମ୍ ଷ୍ଟୁଡ଼ିଓ, ସରସ୍ୱତୀ, ଟି. ସିରିଜର ଗୋଲ୍ଡ଼େନ୍ ଚ୍ୟାରିୟଟ୍ ଆଦି ଷ୍ଟୁଡ଼ିଓରେ ସେ ମ୍ୟୁଜିକ ରେକର୍ଡ଼ିଂ କରିଛନ୍ତି । ଏଚ୍.ଏମ୍.ଭି., ଗାଥାନି, ଏନରିକୋ ଆଦି ଅଡ଼ିଓ କମ୍ପାନୀ ପାଇଁର୍ ସେ କାମ କରିଛନ୍ତି ।

ସଂଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରମେଶ କୁମାରଙ୍କର ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସାନ ଝିଅ ଅମ୍ରିତା ମଧ୍ୟ ଓଡ଼ିଆ ଆଲବମ୍ ରେ ଗାଇବା ଆରମ୍ଭ କରିଦେଲେଣି ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଅଶ୍ଳୀଳ ସଙ୍ଗୀତ, ରମେଶ କୁମାର, ସଙ୍ଗୀତ ନିର୍ମାତା, ସାକ୍ଷାତକାର

ଆତଙ୍କ ସୃଷ୍ଟି କରିବାଲାଗି ମାଓବାଦୀ ଚଳାଇଛନ୍ତି ନରସଂହାର (ସାକ୍ଷାତକାର)

July 14, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ଅଜିତ ନାୟକ

ସମ୍ବଲପୁର, ଜୁଲାଇ ୧୪ (ଓଡିଶା ଡଟ୍ କମ୍), ଓଡିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଜୁମୁରା ଥାନା ଇଲାକା ଗୁଡିକରେ ସମ୍ପ୍ରତି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସରଳ ନିରୀହ ଗ୍ରାମବାସୀମାନେ ମାଓବାଦୀଙ୍କ ଆକ୍ରମଣର ଶିକାର ହେଉଛନ୍ତି ।

ବିଗତ ଦୁଇ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ ଦୁଇଟି ବଡଧରଣର ଅତି ବିଭତ୍ସ ଗଣହତ୍ୟା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ମେ’ ମାସ ୨୭ ତାରିଖରେ ମାଓବାଦୀମାନେ ଜିଲ୍ଲାର ବୁରୁଦା ଗ୍ରାମରେ ତିନି ଜଣଙ୍କୁ ହତ୍ୟା କରିଥିଲେ ।

ଏହାପରେ ଗତ ଜୁଲାଇ ୭ ତାରିଖ ଦିନ ଭୋରବେଳା ସେହି ଅଞ୍ଚଳରେ ଥିବା ତିନି ଖଣ୍ଡ ଗାଁର ଅନ୍ୟ ପାଞ୍ଚ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ରାଜ୍ୟ ପୋଲିସ ବାହିନୀ ନିମନ୍ତେ ମାଓବାଦୀଙ୍କ ଏହି ଜଘନ୍ୟକାଣ୍ଡ ଏକ ଖୋଲା ଚାଲେଞ୍ଜ ବୋଲି ତଥ୍ୟାଭିଜ୍ଞ ମହଲ ବିବେଚନା କରୁଛନ୍ତି ।

ଅନ୍ୟପକ୍ଷରେ ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ନିନ୍ଦାର ପାତ୍ର ହୋଇଛି । ଆତଙ୍କିତ ଗ୍ରାମବାସୀମାନେ ନିଜର ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି ।

ଏଭଳି ଅଭାବନୀୟ ପରିସ୍ଥିତିରେ ଜିଲ୍ଲାର ପ୍ରକୃତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ ହେବା ଲାଗି ଆମ ପ୍ରତିନିଧି ସାକ୍ଷାତ କରିଥିଲେ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ ସୁଶାନ୍ତ କୁମାର ନାଥଙ୍କୁ । ସେହି ସାକ୍ଷାତକାରର କିୟଦଂଶ………

ଜିଲ୍ଲାର ମାଓବାଦୀ ଉପଦ୍ରୁତ ଇଲାକା ଗୁଡିକ ସମ୍ପର୍କରେ କିଛି କହିବେ କି ?

ଛାମୁଣ୍ଡା ଓ ମେଘପାଳ ପଞ୍ଚାୟତର ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ଏହି ଉଭୟ ସ୍ଥାନ ଯୁଜୁମୁରା ଥାନା ଅଧିନରେ ଅଛି । ପୂର୍ବରୁ ମାଓବାଦୀମାନେ ସେମାନଙ୍କର କାର୍ଯ୍ୟକଳାପ ସମ୍ବଲପୁର ତଥା ଦେବଗଡ ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ଜାରୀ ରଖିଥିଲେ ।

ତେବେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ସେମାନେ ଜଙ୍ଗଲ ଆଖପାଖ ଅଞ୍ଚଳରେ ନିଜ ପ୍ରଭାବକୁ ସୀମିତ ରଖିଛନ୍ତି ।

ମାଓବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆପଣଙ୍କ ବିଭାଗକୁ କେବେ ଆଭାସ ମିଳିଲା ଏବଂ ସମସ୍ୟାର ସମାଧାନ ଲାଗି ଆପଣଙ୍କ ବିଭାଗ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି?

୨୦୦୩ ମସିହାରେ ମେଘପାଳର ପୂର୍ବତନ ସରପଞ୍ଚ କାଦାର ସିଂହଙ୍କ ହତ୍ୟାକାଣ୍ଡ ପରେ ପ୍ରଥମେ ଆମକୁ ମାଓବାଦୀମାନଙ୍କ ଉପସ୍ଥିତି ନେଇ ସୁରାକ ମିଳିଥିଲା । ପରେ ଘଟଣାରେ ସଂଶ୍ଲିଷ୍ଟ କେତେକ ସନ୍ଦିଗ୍ଧ ମାଓବାଦୀଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ।

ଯେଉଁମାନେ କୌଶଳରେ ଆତ୍ମଗୋପନ କରିଥିଲେ, ସେମାନଙ୍କୁ ବି ଗିରଫ କରାଯାଇଥିଲା । ପ୍ରଥମେ ପ୍ରଥମେ ସେମାନେ ପୋଲିସର ବିଷଦୃଷ୍ଟିଠାରୁ ନିରାପଦ ଦୂରତ୍ୱ ବଜାୟ ରଖି କେତେକ ଗ୍ରାମବାସୀଙ୍କ ସହଯୋଗରେ ବଣଜଙ୍ଗଲରେ ନିଜର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ ।

ପୋଲିସକୁ ଏହାର ସୁରାକ ମିଳିବାପରେ ଖାନତଲାସୀ ଅଭିଯାନ ଚଳାଇ ଅନେକଙ୍କୁ ଠାବ କରିବାରେ କୌଣସି ହେଳା କରାଯାଇନଥିଲା ।

ବିଗତ ଦୁଇ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ଦ୍ୱିଗୁଣିତ ହୋଇଛି ଏବଂ ସେମାନଙ୍କର ଶକ୍ତି ସମ୍ପର୍କରେ ପୋଲିସର ଗୁଇନ୍ଦା ବିଭାଗ ସାମାନ୍ୟତମ ଟେର୍ ମଧ୍ୟ ପାଇ ପାରୁନି । ଏହାକୁ ଆପଣ ପୋଲିସର ବିଫଳତା ବୋଲି ସ୍ୱୀକାର କରୁଛନ୍ତି କି?

ଆପଣଙ୍କ ଏହି ପ୍ରଶ୍ନ ସହ ମୁଁ କଦାପି ଏକମତ ହୋଇପାରିବି ନାହିଁ । ମାଓବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ଲାଗି ଜିଲ୍ଲା ପୋଲିସ ବାହିନୀ ସର୍ବଦା ସକ୍ରିୟ ଓ ସତର୍କ ରହିଛି । ଆମ କର୍ମଚାରୀମାନେ ସମ୍ମିଳିତଭାବେ ସେମାନଙ୍କର ଗତିରୋଧ କରିବା ନିମିତ୍ତ ସବୁମନ୍ତେ ଉଦ୍ୟମ ଚଳାଇ ଆସୁଛନ୍ତି ।

ଆମେ ସେମାନଙ୍କ ଗୋଷ୍ଠୀର ଅନେକ ପୋଖତ ଏବଂ ଅଭିଜ୍ଞ ସଦସ୍ୟଙ୍କ ସମେତ ପ୍ରାୟ ୬୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛୁ । ଅପରପକ୍ଷରେ କେତେକ ସ୍ଥାନରେ ସ୍ଥାନୀୟ ଯୁବକମାନେ ମାଓବାଦୀମାନଙ୍କୁ ଅଦୃଶ୍ୟ ଭାବରେ ସାହାଯ୍ୟ କରୁଛନ୍ତି ।

ଏହାଛଡା ବିଭିନ୍ନ ଗଭୀର ନାଳ, ଖାଲ, ଢିପ ଭରା ଘଞ୍ଚ ଜଙ୍ଗଲରେ ସେମାନେ ନିଜର ଆସ୍ଥାନ ଜମାଇ ଥିବାରୁ ଖାନତଲାସୀ ଅଭିଯାନରେ ନାନା ବାଧା ଉପୁଜୁଛି ଏବଂ ପୋଲିସ ଆସିବାର ସୁରାକ ପାଇ ସେମାନେ ଆତ୍ମଗୋପନ କରିବାକୁ ବେଶ୍ ସକ୍ଷମ ହୋଇପାରୁଛନ୍ତି ।

ସରଳ, ନିରୀହ ଲୋକମାନେ ପୋଲିସକୁ ଖବର ଦେଉଥିବାର ସନ୍ଦେହକରି ମାଓବାଦୀମାନେ ସେମାନଙ୍କୁ ଏଭଳି ହତ୍ୟା କରୁଛନ୍ତି କି?

କାରଣ, ବୋଧହୁଏ ସେୟା ନୁହେଁ । ମୁଁ’ ଏମିତି ହେଉଥିବ ବୋଲି ମଧ୍ୟ ଭାବି ପାରୁନାହିଁ । ପ୍ରଥମେ ପ୍ରଥମେ ସେମାନେ ଭବିଥିଲେ ଯେ, ଭୟବଶତଃ ବହୁ ସଂଖ୍ୟକ ଲୋକ ସେମାନଙ୍କ ନିର୍ଦ୍ଦେଶନାମାକୁ ମାନିବେ । ସେମାନଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି ଅନେକ ଯୁବକଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଥିଲେ ।

ତେବେ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଅଧିକ ପ୍ରଚାର କରିପାରିନଥିଲେ । ନିଜ କାର୍ଯ୍ୟକଳାପ ସମ୍ପର୍କରେ ନିଜେ ସନ୍ଦିହାନ ହୋଇପଡିଥିଲେ ଏବଂ ନିରୀହ ଲୋକମାନଙ୍କ ସଂହାର ଆରମ୍ଭ କରି ଦେଇଥିଲେ ।

ଏହାର ଅନ୍ୟତମ ଲୁକାୟିତ କାରଣ ହେଲା, ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ଜନମତ ସୃଷ୍ଟି କରିବା । ତେବେ ଜନସାଧାରଣ ଯେଉଁଭଳି ଢଙ୍ଗରେ ଏହାର ମୁକାବିଲା କରିବାକୁ ଆଗେଇ ଆସିଲେ ତାହା ମାଓବାଦୀମାନଙ୍କ ଦୁଶ୍ଚିନ୍ତାକୁ ବଢାଇ ଦେଇଥିଲା ।

ନିକଟରେ ତିନୋଟି ଗାଁରେ ହୋଇଥିବା ହତ୍ୟାକାଣ୍ଡକୁ ସୁକ୍ଷ୍ମଭାବେ ଅନୁଧ୍ୟାନ କଲେ ଏହା ପଛରେ ରହିଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବାରେ କୌଣସି ସମସ୍ୟା ରହିବ ନାହିଁ । ସବୁ ପୀଡିତମାନେ ସେମାନଙ୍କର ଆଗରେ ମଥାନତ କରିନଥିଲେ । ମାଓବାଦୀମାନେ ସେମାନଙ୍କୁ ପ୍ରଭାବିତ କରିବା ଲାଗି ସବୁମନ୍ତେ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲେ ।

ଅପରପକ୍ଷରେ ପୋଲିସ ସେମାନଙ୍କର ଛାଉଣୀ ଠାବ କରି ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ସ୍ଥାନୀୟ ଯୁବକମାନଙ୍କୁ ଦୁଇଟି କାରଣରୁ ସେମାନେ ହତ୍ୟା କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରଥମତଃ ଥରେ ସେମାନେ ଦଳସହ ସାମିଲ ହୋଇଗଲା ପରେ ସାଧାରଣ ଜୀବନଶୈଳୀକୁ ଫେରିବା ଯୁବପିଢୀ ନିମନ୍ତେ କାଠିକର ପାଠ ହୋଇଯିବ ।

ଦ୍ୱିତୀୟତଃ ନିଜର ଲୋକମାନଙ୍କୁ ହତ୍ୟା କରିବା ଦ୍ୱାରା ସେମାନଙ୍କ ମନରେ ନିଷ୍ଠୁରତା ବସା ବାନ୍ଧିବ ।

ସମସ୍ୟାର ସମାଧାନ ଲାଗି ପୋଲିସର ବିକଳ୍ପ ପନ୍ଥା କଣ ? ଅନୁରୂପ ଘଟଣାର ପୁନରାବୃତ୍ତି ଲାଗି ଉଦ୍ୟମ ହେଲେ ଆପଣଙ୍କ ବିଭାଗ ତାହାକୁ ରୋକିବାକୁ ସଫଳ ହେବ ତ ?

ବର୍ତ୍ତମାନ ୧୦ଟି ସ୍ଥାନରେ ପୋଲିସ ଶିବିର ମାନ ଖୋଲାଯାଇଛି । ଗୋଟିଏ କମ୍ପାନୀ ସିଆର୍ପିଏଫ୍ ଫୋର୍ସ, ନଅ ପ୍ଲାଟୁନ୍ ଓଏସ୍ଏପି ଫୋର୍ସ ଏବଂ ଅନ୍ୟାନ୍ୟ ପୋଲିସ ଅଫିସରମାନଙ୍କୁ ନେଇ ଜୋରସୋରରେ ତଲାସୀ ଅଭିଯାନ ଅବ୍ୟାହତ ରହିଛି ।

ତେବେ ପୋଲିସର ସକ୍ରିୟତା ସତ୍ତ୍ୱେ ହଠାତ୍ ମାଓବାଦୀମାନେ ଦବି ଯିବେ ବୋଲି ମୁଁ କାହିଁକି ଭାବୁନାହିଁ । ବରଂ ପୋଲିସ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ସେମାନେ ଏଭଳି ହୀନ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ।

ଏତଦ୍ଭିନ୍ନ ପୋଲିସକୁ ବିଚଳିତ କରିବାସହ ଜନସାଧାରଣଙ୍କୁ ଦିଗଭ୍ରଷ୍ଟ ମଧ୍ୟ କରୁଛନ୍ତି । ଆମ ବିଭାଗ ଏ ବିଷୟରେ ସଂପୂର୍ଣ୍ଣ ସଜାଗ ରହିଛି । ଆଇଜି ଅପରେସନରେ ଫଳାଫଳ ଆପଣମାନେ ଖୁବଶିଘ୍ର ଜାଣିପାରିବେ ।

ସୁରକ୍ଷା ଦୃଷ୍ଟିକୋଣରୁ ମୁଁ ବର୍ତ୍ତମାନ ଆପଣଙ୍କ ନିକଟରେ ପୋଲିସର ରଣନୀତିକୁ ପ୍ରକାଶ କରୁନାହିଁ । ତେବେ ଏକଥା ଧ୍ରୁବ ସତ୍ୟ ଯେ, ହତ୍ୟାକାଣ୍ଡ ପରେ ମାଓବାଦୀ ଦଳରେ ବିଭାଜନ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନେ ବିଚଳିତ ହୋଇ ନିକଟ ଭବିଷ୍ୟତରେ ନିଶ୍ଚିତଭାବେ ଏଭଳି କୌଣସି ତ୍ରୁଟି କରିବେ ଯାହାକୁ ପୁଞ୍ଜିକରି ଆମେ ସେମାନଙ୍କର ଦଳକୁ ନିପାତ କରିବୁ ।

ମାଓବାଦୀ ଉପଦ୍ରୁତ ଇଲାକାର ଲୋକମାନେ ପୋଲିସ ଉପରୁ ଆସ୍ଥା ତୁଟାଇ ନିଜ ନିଜର ଘର ଛାଡି ପଳାଇ ଯାଉଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ କଣ?

ମାଓବାଦୀମାନେ ଠିକ୍ ଏହା ହିଁ ଚାହୁଁଛନ୍ତି । କିନ୍ତୁ ଆପଣଙ୍କ ଜାଣିବା ଲାଗି କହୁଛି ଯେ, ଲୋକମାନେ ଗାଁ ଛାଡି ଯିବାକୁ ଚାହୁଁ ନାହାନ୍ତି । କେବଳ ଆପଣଙ୍କ ଗଣମାଧ୍ୟମ ଗୁଡିକ ହିଁ ଏଭଳି ପ୍ରଚାର ଚଳାଇଛନ୍ତି । ଅବଶ୍ୟ ସେମାନେ ଭୟଭୀତ ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ଲୋକମାନେ ନିଜର ଭିଟାମାଟି ଛାଡି ଯିବେ କୁଆଡେ? ପୋଲିସ ଲୋକମାନଙ୍କ ବିଶ୍ୱାସ ଫେରାଇ ଆଣିବାକୁ ସବୁମନ୍ତେ ଉଦ୍ୟମ ଚଳାଇଛି । ଯଦି ସେମାନେ ପୋଲିସ ଉପରୁ ବିଶ୍ୱାସ ହରାଇଛନ୍ତି, ତାହାହେଲେ ପୋଲିସ ସୁରକ୍ଷା ପାଇଁ ଦାବି କରୁଛନ୍ତି କାହିଁକି?

ତେଣୁ ଏଭଳି ମିଥ୍ୟା ଖବର ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ ନକରିବା ନିମନ୍ତେ ନିବେଦନ କରୁଛି ।

ବିରୋଧୀ ଦଳର ଦାବି ବିଷୟରେ କଣ କହିବେ ? ସେମାନେ ଆପଣଙ୍କ ବଦଳି କାହିଁକି ଚାହୁଁଛନ୍ତି ?

ମୁଁ ଏ ବିଷୟରେ କେମିତି କହିବି ? ସେମାନେ ସେମାନଙ୍କ କାମ କରୁଛନ୍ତି । ମୋତେ ସମ୍ବଲପୁର ଜିଲ୍ଲା ପୋଲିସ ବାହିନୀର ଦାୟିତ୍ୱ ଦିଆଯାଇଛି । ତେଣୁ ସରକାର ଯଦି ବଦଳି ଆଦେଶ ଦିଅନ୍ତି, ଏଠାରୁ ଚାଲିଯିବି । ବଦଳି ଆଦେଶ ନପାଇବା ପର୍ଯ୍ୟନ୍ତ ନିଷ୍ଠାର ସହ ମୋ କର୍ତ୍ତବ୍ୟ କରିବି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଅଜିତ ନାୟକ, ମାଓବାଦୀ, ସମ୍ବଲପୁର, ସାକ୍ଷାତକାର

ଆନ୍ତର୍ଜାତିକ ପୁଞ୍ଜି ବିନିଯୋଗର ଉଭୟ ଭଲ, ମନ୍ଦ ଗୁଣ ରହିଛି

July 9, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡ଼ଟ୍ କମ୍ କୁ ଏକ ବିଶେଷ ସାକ୍ଷାତକାରରେ କହନ୍ତି ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ (ଓଏସ୍ଏ) ର ନବ ନିର୍ବାଚିତ ସଭାପତି ନିରଞ୍ଜନ ତ୍ରିପାଠୀ ।

ସାକ୍ଷାତକାର ର ମୁଖ୍ୟ ଅଂଶ

କେନ୍ଦ୍ରାପଡା, ଜୁଲାଇ ୯ (ଓଡିଶା ଡ଼ଟ୍ କମ୍)ଓଡିଶା ସୋସାଇଟି ଅଫ୍ ଅଫ୍ ଦି ଆମେରିକାନ୍ସ (ଓଏସ୍ଏ)ର ନବ ନିର୍ବାଚିତ ସଭାପତି ନିରଞ୍ଜନ ତ୍ରିପାଠୀ । ଘର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟ ପାଡିନିପାଲ ଗାଁ । ୧୯୪୦ ମସିହାର ଶେଷ ଆଡକୁ ଗାଁ ଛାଡି ତାଙ୍କ ବାପା ଚାଲି ଆସିଥିଲେ ପଶ୍ଚିମବଙ୍ଗର ରୂପସୀ ନଗରୀ କୋଲକତା ।

ସେଇଠି ତାଙ୍କର ଜନ୍ମ । ଗାଁରେ ତାଙ୍କ ପରିବାରର ଅନ୍ୟ ମାନେ ହେଲେ ଗୋଟିଏ ସ୍ନେହୀ ଭଉଣୀ, ଛଅ ଭାଇ ଓ ବାପା ମା । ଖଡି, ଓଡିଶା ବାହାରେ ଛୁଇଁଥିଲେ ହେଁ ହାଇସ୍କୁଲ ଶିକ୍ଷା ସମାପ୍ତି କରିଥିଲେ ପଟ୍ଟାମୁଣ୍ଡାଇର ଏମ୍.ଏନ୍.ହାଇସ୍କୁଲରୁ । ପୁରୀର ଏସ୍ସିଏସ୍ କଲେଜରୁ ସ୍ନାତକ ପରେ ଇଂରାଜୀରେ ସ୍ନାତକୋତ୍ତର କଟକର ରେଭେନ୍ସାରୁ ।

ମୟୁରଭଞ୍ଜର ଏକ ଛୋଟ କଲେଜରେ କିଛି ଦିନ ପାଇଁ ଅଧ୍ୟାପନା କଲାପରେ “ଦି କଲିକତା ଅବଜରଭର୍” ପତ୍ରିକା ପାଇଁ କିଛି ଦିନ ପାଇଁ ସାମ୍ବାଦିକତା ।

ନିଉ ଓରଲିଏନ୍ସ ବିଶ୍ୱବିଦ୍ୟାଳୟରେ ଏମ୍ବିଏ ପଢିବା ସକାଶେ ୧୯୭୯ରେ ଆମେରିକା ଗସ୍ତ । ୧୯୮୭ରେ ଟେକ୍ସାସ୍ ରେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ସଂପୂର୍ଣ୍ଣ କଲାପରେ ଟେକ୍ସାସ୍ ର ଡେନ୍ଟନ୍ସ୍ଥିତ ନର୍ଥ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଯୋଗ ଦେଇଥିଲେ । ପତ୍ନୀ ସ୍ୱାତୀ, ଜଣେ ବାୟୋଲଜିକାଲ୍ ସାଇଣ୍ଟିଷ୍ଟ, ଉଭୟେ ଗୋଟିଏ ଅନୁଷ୍ଠାନରେ କାମ କରୁଛନ୍ତି ।

ଦୁଇଟି କନ୍ୟା । ସାନ ସୌମ୍ୟାର ବୟସ ୧୫, ବଡ ଶୋଭନା ୧୬ଟି ବସନ୍ତ ଅତିକ୍ରମ କରି ୧୭ରେ ପାଦ ଥାପିଛି ।୧୯୮୭ ମସିହାରୁ ଡିଏଫ୍ଡବ୍ଲୁ ଅଞ୍ଚଳରେ ସ୍ଥାନୀୟ ଓଡିଆ ସମ୍ପ୍ରଦାୟର ସବୁ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିବା ତ୍ରିପାଠୀ ୨୦୦୦-୦୪ ପର୍ଯ୍ୟନ୍ତ ରଥଯାତ୍ରା ଉତ୍ସବ ଏବଂ ଡାଲାସ୍ ଫୋର୍ଟ ୱର୍ଥ ହିନ୍ଦୁ ଟେମ୍ପୁଲ୍ ସୋସାଇଟିର ଜଗନ୍ନାଥ ମୂର୍ତ୍ତି ସ୍ଥାପନା (୨୦୦୨)ରେ ପ୍ରମୁଖ ଭୂମିକା ନେଇଛନ୍ତି ।

ଓଡିଶାର କଳା ତଥା ଆର୍ଥିକ ବିକାଶ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ଘରୋଇ ସଂସ୍ଥା ସହ ଓଡିଶା ବିକାଶ ଇନିସିଏଟିଭ୍, ଇଣ୍ଡିଆନ୍ ପର୍ଫର୍ମିଙ୍ଗ ଫାଉଣ୍ଡେସନ୍ ଭଳି ଅନୁଷ୍ଠାନ ଗୁଡିକ ସହ ପ୍ରତ୍ୟେକ୍ଷଭାବେ ଜଡିତ ।

୨୦୦୩ ମସିହାରେ “ସେଣ୍ଟର ଫର୍ ଓଡିଶା ପରଫର୍ମିଙ୍ଗ ଆର୍ଟ ଫର୍ ଆମେରିକାନ୍ସ’ (ସିଓପିଏଏ) ସ୍ଥାପନା ଲାଗି ସବୁମନ୍ତେ ସେ ସାହାଯ୍ୟ କରିଛନ୍ତି । ଏହି ସଙ୍ଗଠନ ଜରିଆରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ଅରୁଣା ମହାନ୍ତି, ମୀରା ଦାସ, ଉଦୟ ସେଠୀ ସମେତ ଅନ୍ୟମାନେ ଆମେରିକାରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଓଡିଆ ସଙ୍ଗୀତଜ୍ଞମାନଙ୍କୁ ନେଇ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ୧୯୯୮ ମସିହାରେ ପ୍ରଫୁଲ୍ଲ କର ଓ ମହାପ୍ରସାଦ କର, ୨୦୦୧ରେ ସ୍ୱର୍ଗତ ଅକ୍ଷୟ ମହାନ୍ତି, ୧୯୯୮ରେ ପ୍ରଫୁଲ୍ଲ କର ଏବଂ ୨୦୦୧ ଓ ୨୦୦୨ରେ ସୁଭାଷ ଦାସ, ଡା.ଦାମୋଦର ହୋତା, ୨୦୦୪ରେ ପ୍ରଫୁଲ୍ଲ କର, ସିକନ୍ଦର ଆଲାମ୍ ଓ ନାଜିଆ ସୟିଦ୍ ପ୍ରମୁଖ ଆସିଥିଲେ ।

୨୦୦୪ ଟେକ୍ସାସର ଡଲାସରେ ଆୟୋଜିତ ୩୫ତମ ଓଏସ୍ଏ ସମ୍ମିଳନୀର ସେ ଆବାହକ ରହିଛନ୍ତି । ୨୦୦୧ମସିହାରେ ଓଏସ୍ଏ ପକ୍ଷରୁ କଳାଶ୍ରୀ ପୁରସ୍କାର ପାଇଛନ୍ତି । ୧୯୯୪-୯୬ ଓ ୨୦୦୩-୦୫ରେ ଓଏସ୍ଏ ସାଉଥ୍ୱେଷ୍ଟ ଚାପ୍ଟରର ପ୍ରତିନିଧିତ୍ୱ କରଛନ୍ତି । ୧୯୯୭ ମସିହାରେ ଟେକ୍ସାସର ହଷ୍ଟନ୍ଠାରେ ଆୟୋଜିତ ୨୮ତମ ଓଏସ୍ଏ ସମ୍ମିଳନୀ ସମୟରେ
ସାଂସ୍କୃତିକ କାର୍ଯ୍ୟକ୍ରମର ସଙ୍ଗଠକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

ଓଡିଶାର ବାତ୍ୟା ଏବଂ ଗୁଜୁରାଟର ଭୂମୀକମ୍ପ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ପାଣ୍ଠି ଯୋଗାଡ ଲାଗି ସକ୍ରିୟ ଭୂମିକା ଗ୍ରହଣ କରିଥିବା ତ୍ରିପାଠୀ ବର୍ତ୍ତମାନ ନର୍ଥ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ର ସଂଘର ପରାମର୍ଶଦାତା ଦାୟିତ୍ୱରେ ନେଇଛନ୍ତି ।

ଆପଣ ବର୍ତ୍ତମାନ ଓଏସ୍ଏର ସଭାପତି ଦାୟିତ୍ୱ ମୁଣ୍ଡାଇଛନ୍ତି । ଏହି ସଙ୍ଗଠନର ମାଧ୍ୟମରେ ଓଡିଶାର ବିକାଶ ଲାଗି କେଉଁ କାମକୁ ଆପଣ ପ୍ରାଥମିକତା ଦେବେ?
ଜଣକର ବ୍ୟକ୍ତିଗତ ଅଗ୍ରାଧିକାର ଓ ଜଣେ ଓଡିଆଭାବରେ ଦାୟିତ୍ୱବୋଧ ତଥା ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ (ଓଏସ୍ଏ) ସଙ୍ଗଠନର ନୀତିନିୟମରେ ବହୁ ପାର୍ଥକ୍ୟ ରହିଛି । ଓଏସ୍ଏ ସମ୍ବିଧାନର ଦ୍ୱିତୀୟ ପରିଚ୍ଛେଦରେ ଏହାର ଲକ୍ଷ୍ୟ ସମ୍ପର୍କରେ ସବିଶେଷଭାବେ ଉଲ୍ଲେଖ ରହିଛି । ସେଥିମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା,

(କ) ଓଡିଶା ପ୍ରତି ଆଗ୍ରହୀ ସମସ୍ତ ବ୍ୟକ୍ତିଙ୍କୁ ନେଇ ଏକ ଅଣ ରାଜନୈତିକ ଓ ଅଣ ଲାଭଦାୟୀ ସଂସ୍ଥା ଗଠନ କରିବା ।

(ଖ) ଓଡିଶାର ସଂସ୍କୃତି ପାଇଁ ଆଗ୍ରହ ଓ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ।

(ଗ) ଓଡିଶା ତଥା ଆମେରିକା/କାନଡା ମଧ୍ୟରେ ସୂଚନାର ବିନିମୟକୁ ସହଜ କରିବା ।

ଓଏସ୍ଏର କେତେକ କମିଟି ରହିଛି, ଅର୍ଥନୈତିକ ଉନ୍ନୟନ, ଓଡିଶା ପାଇଁ ଅର୍ଥନୈତିକ ଉନ୍ନୟନ ଓ ସମାଜ କଲ୍ୟାଣ ନାମରେ ପରିଚିତ ଏହି କମିଟି ଗୁଡିକ ନିରବଚ୍ଛିନ୍ନଭାବେ କାର୍ଯ୍ୟ କରୁଛନ୍ତି ।

ଓଡିଶାର ବିକାଶ ଲାଗି ଓଏସ୍ଏ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ନାହିଁ । ତେବେ ଉତ୍ତର ଆମେରିକାରେ ରହୁଥିବା ବହୁ ଓଡିଆ ଅଣ ଆନୁଷ୍ଠାନିକଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି । ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଲାଗି ଓଏସ୍ଏ ଯେଭଳି କାର୍ଯ୍ୟ କରିବ ସେଥିପ୍ରତି ପ୍ରାଥମିକ ଦୃଷ୍ଟି ଦେବି ।

ଓଡିଶାର ଭାଗ୍ୟ ପରିବର୍ତ୍ତନ ଲାଗି ଓଏସ୍ଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଆପଣ ଭାବୁଛନ୍ତି କି ଏବଂ ଯଦି ହଁ ତାହା କେମିତି ସମ୍ଭବ ହେବ?

ଆମେରିକାରେ ବର୍ତ୍ତମାନ ଚାରି ହଜାର ଓଡିଆ ପରିବାର ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ପରିବାର ଯଦି ବାର୍ଷିକ ୫ଶହ ଡଲାର ଟଙ୍କା ଓଡିଶାର ସାମାଜିକ-ଅର୍ଥନୈତିକ ଉନ୍ନୟନ ପ୍ରକଳ୍ପ ବାବଦକୁ ଦିଅନ୍ତି ତେବେ ଅନ୍ୟୁନ ୨କୋଟି ଟଙ୍କା ଅକ୍ଲେଶରେ ସଂଗୃହିତ ହୋଇପାରିବ ।

ଆମେରିକାରେ ଥିବା ଆନ୍ଧ୍ର, ମହାରାଷ୍ଟ୍ର, ଗୁଜୁରାଟ ଓ କେରଳ ଆଦି ରାଜ୍ୟର ପ୍ରବାସୀ ଭାରତୀୟମାନେ ଏହାଠୁ ଅଧିକ ଅର୍ଥ ଯୋଗାଡ କରିପାରିବେ । ୨୦୦୦-୦୧ ମସିହାର ଏକ ହିସାବ ଅନୁସାରେ ଓଡିଶାର ସାମାଜିକ ସେବା ଉଦ୍ୟୋଗରେ ବାର୍ଷିକ ସମୁଦାୟ ୧୦ ହଜାର ଏବଂ କ୍ୟାପିଟାଲ୍ ବ୍ୟୟ ଅନ୍ୟୁନ ୮ଶହ ୫୦ କୋଟି ଟଙ୍କା ।

ପ୍ରବାସୀ ଓଡିଆମାନଙ୍କ ଏହି ସାହାଯ୍ୟ ରାଶି ଅପେକ୍ଷାକୃତ କମ୍ ହେଲେ ହେଁ ରାଜ୍ୟର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହା ନିଶ୍ଚିତ । ଓଡିଶାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲାଗି ପ୍ରବାସୀ ଓଡିଆମାନେ ଯଦି ସାମୁହିକଭାବେ ଏକ କୋଟି ଟଙ୍କା ସଂଗ୍ରହ କରନ୍ତି ତେବେ ଏହା ଦଶ କୋଟି ସଙ୍ଗେ ସମାନ ହେବ ।

ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ଗ୍ରାମ୍ୟ କଲ୍ୟାଣ, ପରିମଳ ପ୍ରଭୃତି ବିଷୟ ଗୁଡିକ ଓଡିଶାର ବିକାଶ ନେଇ ଆଲୋଚନାର ପରିଧିକୁ ଆସିବାବେଳେ ଅଧିକାଂଶ ଲୋକ ଅପେକ୍ଷାକୃତ ଛୋଟ ଛୋଟ ସଙ୍ଗଠନ ଜରିଆରେ କାମ କରିବାକୁ ଆଗ୍ରହୀ ଥିବାର ମୁ ଅନୁଭବ କରିଛି ।

ଛୋଟ ସଙ୍ଗଠନ ଗୁଡିକ ଏଭଳି ପ୍ରକଳ୍ପ ପାଇଁ ଅଧିକ ମାତ୍ରାରେ ପ୍ରଭାବଶାଳୀ ହୋଇପାରିବ । କାରଣ ପରସ୍ପର ମଧ୍ୟରେ ଭାବର ଉତ୍ତମ ଆଦାନ ପ୍ରଦାନ ହୋଇପାରିବ, ଜଣେ ଲୋକ ଅଧିକ ସକ୍ରିୟ ହୋଇ ନିଜର ଭୂମିକା ତୁଲାଇବ, ପରସ୍ପର ମଧ୍ୟରେ ବିବାଦ କମିବ, ନିଷ୍ପତ୍ତି ନେଉଥିବା କର୍ତ୍ତୃପକ୍ଷ ସହଜ ଢଙ୍ଗରେ ନୀତି ନିୟମ ଗୁଡିକ ପ୍ରଣୟନ କରିପାରିବେ ଇତ୍ୟାଦି ଇତ୍ୟାଦି ।

ମୋଟାମୋଟି କହିବାକୁ ଗଲେ ଛୋଟ ସଙ୍ଗଠନ ଗୁଡିକର ବିବିଧ ପ୍ରଭାବ ରହିଛି ।

ଓଡିଶାର ଦାରିଦ୍ର୍ୟ ଓ ପଛୁଆ ସମସ୍ୟାକୁ ଆପଣ କିଭଳି ଦୃଷ୍ଟିରେ ଦେଖୁଛନ୍ତି?

ଓଡିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମୀର ଅଭାବ ରହିଛି । ସେଥିଯୋଗୁଁ ଏହାର ଲୋକମାନଙ୍କୁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ସର୍ବୋପରି ଖାଦ୍ୟ ଭଳି ମୌଳିକ ବିଷୟ ଗୁଡିକ ଯୋଗାଇ ଦିଆଯାଇପାରୁନାହିଁ । ଉପରୋକ୍ତ ସମସ୍ତ ବିଷୟ ସାଧାରଣ ଦ୍ରବ୍ୟର ଶ୍ରେଣୀଭୁକ୍ତ ଏବଂ ଏଗୁଡିକୁ ଯୋଗାଇ ଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ ।

ସରକାର ବର୍ତ୍ତମାନ ରାଜ୍ୟ ବଜେଟର ଦରମା, ପେନସନ୍ ଓ ସୁଧ ଦେୟ ଦେବାକୁ ସକ୍ଷମ ହୋଇ ପାରୁନାହାନ୍ତି । ରାଜ୍ୟର ରାଜସ୍ୱ ସଂଗ୍ରହ ପରିମାଣ, ପୁଞ୍ଜି ଯୋଗାଡ କରିବାର କ୍ଷମତା ଦିନକୁ ଦିନ କମି ଯାଉଛି । ସରକାର କାର୍ଯ୍ୟତଃ ଉତ୍କଟ ଆର୍ଥିକ ସଂକଟର ସମ୍ମୁଖିନ ହେଉଛନ୍ତି ।

ଆପଣଙ୍କ ମତରେ କେଉଁ ନମୂନା , ଦୃଷ୍ଟିଭଙ୍ଗୀ ନିକଟ ଭବିଷ୍ୟତରେ ଓଡିଶାକୁ ଏକ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ କରିବାରେ ସାହାଯ୍ୟ କରିପାରିବ?

ସୂତ୍ର ଭାରି ସରଳ । ପୁଞ୍ଜି ବିନିଯୋଗ ସମ୍ପଦ ସୃଷ୍ଟି କରେ । ଯେହେତୁ ଏହି ରାଜ୍ୟ ଆବଶ୍ୟକ ପୁଞ୍ଜି ସଂଗ୍ରହ କରିବାକୁ ଅକ୍ଷମ, ତେଣୁ ଆମେ ଅଧିକ ସଂଖ୍ୟକ ଘରୋଇ ପୁଞ୍ଜି ବିନିଯୋଗ ପ୍ରକ୍ରିୟାକୁ ଉତ୍ସାହିତ କରିବା ଜରୁରୀ । ବିନିଯୋଗକାରୀମାନେ ଯଦି ପ୍ରତିଯୋଗିତା ହାରରେ ନିଜର ପ୍ରାପ୍ୟ ପାଇବେ ତେବେ ରାଜ୍ୟକୁ ଘରୋଇ ପୁଞ୍ଜି ଆସିବାର ପଥ ସୁଗମ ହୋଇପାରିବ ।

ଓଡିଶାରେ ବର୍ତ୍ତମାନ ଯେତେ ସବୁ ଶିଳ୍ପ ରହିଛି, ସେମାନଙ୍କ ଭିତରେ ପର୍ଯ୍ୟଟନ, ଖଣି ଏବଂ ମତ୍ସ୍ୟ ସମ୍ପଦରୁ ଅଧିକ ଅର୍ଥ ଉପାର୍ଜନ ହୋଇପାରିବ । ଏହି ସବୁ ଉଦ୍ୟୋଗକୁ ଅଧିକ ଘରୋଇ ପୁଞ୍ଜି ଆକୃଷ୍ଟ କରିବା ଲାଗି ଓଡିଶାକୁ ସବୁମନ୍ତେ ଉଦ୍ୟମ କରିବାକୁ ପଡିବ ।

ରାଜ୍ୟ ବାହାରର ବିନିଯୋଗକାରୀ ପାଇଁ ଉପରେ ଉଲ୍ଲେଖ ରହିଥିବା ଉଦ୍ୟୋଗ ଗୁଡିକୁ ଲାଭଦାୟକ କରିବା ନିମନ୍ତେ ମୌଳିକ ଭିତ୍ତିଭୂମୀ ସୁବିଧା ସକାଶେ ବିନିଯୋଗ ବ୍ୟବସ୍ଥା ପ୍ରତି ଓଡିଶା ସରକାର ଆଗ୍ରହ ସୃଷ୍ଟି କରିପାରିଲେ ରାଜ୍ୟ ପାଇଁ ତାହା ବିନା ଦ୍ୱିଧାରେ ଅଧିକ ମଙ୍ଗଳକର ହେବ ।

ଘରୋଇ ପୁଞ୍ଜି ବିନିଯୋଗକାରୀମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଥିବାରୁ ଓଡିଶା ଦିନକୁ ଦିନ ଗରୀବ ହେବାରେ ଲାଗିଛି ।

କୌଣସି ପ୍ରବାସୀ ଭାରତୀୟ ନତୁବା ଆଗ୍ରହୀ ବ୍ୟକ୍ତି ବିଶେଷ ପ୍ରକଳ୍ପର ଭିତ୍ତିଭୂମୀ ବିକାଶ ପାଇଁ ଆଗ୍ରହ ପ୍ରକାଶ କଲେ ସରକାର ଓ ଏହାର ବିଭିନ୍ନ ଏଜେନ୍ସି ଗୁଡିକ ସ୍ଥାନୀୟ ସ୍ତରରେ ସେମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ କରିବା ଉଚିତ । ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପୃଷ୍ଟିକର ଏବଂ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ଏଥିପ୍ରତି ଅଗ୍ରାଧିକାର ଦେବାକୁ ହେବ ।

ଏମିତି କେତେକ ପ୍ରବାସୀ ଓ ସ୍ଥାନୀୟ ଶିଳ୍ପଦ୍ୟୋଗୀ ଅଛନ୍ତି ଯେଉଁମାନଙ୍କୁ ଓଡିଶାର ଘରୋଇ ଉଦ୍ୟୋଗରେ ପୁଞ୍ଜି ବିନିଯୋଗ ଲାଗି ଆକୃଷ୍ଟ କରାଯାଇପାରିବ । ଓଡିଶାରେ ଭିତ୍ତିଭୂମୀର ସୁଯୋଗ ନଥିଲେ ମଧ୍ୟ ସେମାନେ ଏହାର ପଦ୍ଧତି ସମ୍ପର୍କରେ ପୂର୍ବରୁ ଅବଗତ ଥିବାରୁ ଏହାର ଫାଇଦା ନେଇପାରିବେ ।

ଆଇଟି କ୍ଷେତ୍ରରେ ଏହା କେତେକାଂଶରେ ସମ୍ଭବ ହୋଇଛି ଏବଂ କ୍ଷୁଦ୍ରକାୟ ହେଲେ ହେଁ କ୍ରମବର୍ଦ୍ଧିଷ୍ଣୁ ବାୟୋଟେକ୍ ଉଦ୍ୟୋଗରେ ପ୍ରଭାବ କ୍ରମଶଃ ଦୃଶ୍ୟମାନ ହେଉଛି । ଏଭଳି ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ପାଇଁ ସରକାରଙ୍କୁ ଏକ ନିର୍ଦ୍ଧିଷ୍ଟ
ଅନୁକୂଳ ନୀତି ପ୍ରଣୟନ କରିବାକୁ ହେବ ।

ବର୍ତ୍ତମାନର ରାଜ୍ୟ ରାଜନେତାମାନଙ୍କ ସମ୍ପର୍କରେ ଆପଣଙ୍କର କିଛି କହିବାର ଅଛି କି? ଓଡିଶାର ସାମ୍ପ୍ରତିକ ପରିସ୍ଥିତି ଲାଗି ଆପଣଙ୍କ ଦୃଷ୍ଟିରେ ଦାୟୀ କିଏ ?

ମୁଁ’ ଭାବୁଛି ଅଧିକାଂଶ ରାଜନେତା ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣନ୍ତି । ଭିତ୍ତିଭୂମୀର ବିନିଯୋଗ ପାଇଁ ପୁଞ୍ଜି ବିନିଯୋଗ ଭଳି ଅଧିକ ପାଣ୍ଠିର ଆବଶ୍ୟକତା ପଡିଥାଏ । ତେବେ ଏହାର ପ୍ରତିଦାନ ଦୀର୍ଘକାଳୀନ ସୂତ୍ରରେ ମିଳିଥାଏ ।

ଉତ୍ତମ ଲୋକ ଏବଂ ଆବଶ୍ୟକୀୟ ସମ୍ବଳ ଥିଲେ ସମାଜରେ ଯେ କୌଣସି ପାର୍ଥକ୍ୟ ସୃଷ୍ଟି କରିବା ସମ୍ଭବପର ହୋଇପାରିବ । କାହାକୁ ଦାୟୀ କରିବା ପରିବର୍ତ୍ତେ ଆମେ ଉଦ୍ଧ୍ୱର୍କୁ ଉଠିବାର ଆବଶ୍ୟକତା ରହିଛି । ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଆସିବା ସହ ଆବଶ୍ୟକସ୍ଥଳେ ଯେ କୌଣସି ସାହାଯ୍ୟର ସଦ ବିନିଯୋଗ କରିବା ବାଞ୍ଛନୀୟ
ହେବ ।

ଆପଣ ଆଉ ଦୁଇ ବର୍ଷ ଅଫିସରେ ରହିବେ । କେତେକ ନିର୍ଦ୍ଧିଷ୍ଟ ବିକାଶ ପ୍ରକ୍ରିୟା ହାତକୁ ନେବା ଲାଗି ବର୍ତ୍ତମାନର ପ୍ରଶାସନ ଉପରେ ଆପଣ କିଭଳି ଚାପ ସୃଷ୍ଟି କରିବେ?

ଗୋଟିଏ ସରକାରକୁ ଗଣମାଧ୍ୟମ କିମ୍ବା ବ୍ୟକ୍ତିଗତ ଯୋଗସୂତ୍ର ମାଧ୍ୟମରେ ଆମେ ପ୍ରଭାବିତ କରିବା ଅସମ୍ଭବ ବ୍ୟପାର । ରାଜନୈତିକ ଚାପ ସୃଷ୍ଟି କରିବା ଲାଗି ଜଣେ ବ୍ୟକ୍ତିର କ୍ଷମତା ରହିବା ଦରକାର । ଅବଶ୍ୟ ଏହା ଦୁଇ ପ୍ରକାରର । ଗୋଟିଏ ମତଦାନ ଏବଂ ଦ୍ୱିତୀୟଟି ହେଲା ଅର୍ଥ ।

ଆମେରିକାର ଓଡିଆ ସମ୍ପ୍ରଦାୟକୁ ସାମୁହିକଭାବେ ପ୍ରଥମେ ଏହାକୁ ପ୍ରତିପାଦିତ କରିବାକୁ ହେବ । ସରକାରଙ୍କୁ ପ୍ରଭାବିତ କରିବା ଲାଗି ନିଜ ହାତକୁ କ୍ଷମତା ଆଣିବା ପୂର୍ବରୁ ଏହି ସଙ୍ଗଠନ ଓଡିଶାର ଆର୍ଥିକ ପରିସ୍ଥିତିରେ ଆଖି ଦୃଶିଆ ପରିବର୍ତ୍ତନ ଆଣିବାକୁ ହେବ ।

ବର୍ତ୍ତମାନର ସରକାର ଓଡିଶାକୁ ଦେଶର ଇସ୍ପାତ ରାଜ୍ୟଭାବେ ଗଢି ତୋଳିବାକୁ ପ୍ରୟାସ କରୁଛନ୍ତି ଏବଂ ଏ
ସମ୍ପର୍କରେ ଆପଣଙ୍କ ମତାମତ କଣ?

ରାଜ୍ୟର ଇସ୍ପାତ ଶିଳ୍ପକୁ ଆକସ୍ମିକଭାବେ ପୁଞ୍ଜି ବିନିଯୋଗର ପ୍ରସ୍ତାବମାନ ଆସିବା ବାସ୍ତବିକ ଅଭୂତପୂର୍ବ ଓ
ସ୍ୱାଗତଯୋଗ୍ୟ ମଧ୍ୟ ।

ଓଡିଶା ଏକାକୀ ବାର୍ଷିକ ୪୪ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଯୋଜନା କରୁଥିବା ଖବରକାଗଜରୁ ଜାଣିବାକୁ ପାଇଛି । ବର୍ତ୍ତମାନ ଭାରତରେ ପ୍ରତିବର୍ଷ ୩୪ ନିୟୁତ ଟନ୍ ଇସ୍ପାତ ଉତ୍ପାଦିତ ହେଉଛି ଏବଂ ବିଶ୍ୱର ଇସ୍ପାତ ଉତ୍ପାଦନ ତାଲିକାରେ ଏହାର ନାମ ନବମ ସ୍ଥାନରେ ରହିଛି ।

ପ୍ରସ୍ତାବିତ ଇସ୍ପାତ କାରଖାନା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅଭିବୃଦ୍ଧି ବ୍ୟାପକଭାବେ ହେବ ଏଥିରେ କୌଣସି ଦ୍ୱିଧା ନାହିଁ ।

ପ୍ରସ୍ତାବିତ କ୍ଷମତା ବୃଦ୍ଧି କାର୍ଯ୍ୟ ନିଶ୍ଚିତଭାବେ ଓଡିଶା ପାଇଁ ବୃହତ ଭିତ୍ତିଭୂମୀ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଶିଳ୍ପ ସମ୍ପ୍ରସାରଣ ସହ ଏହି ପ୍ରସ୍ତାବକୁ ଯୋଜନା ବଦ୍ଧଭାବେ ସଂପୂର୍ଣ୍ଣ କରିବାକୁ ହେବ ।

ଏଭଳି ଏକ ଉଚ୍ଚ ଉତ୍ପାଦନକ୍ଷମ ବ୍ୟବସ୍ଥା ଯୋଗୁଁ ଓଡିଶାର ଇସ୍ପାତ ଶିଳ୍ପକୁ ଅର୍ଥ ଏବଂ ମାନ ଦୃଷ୍ଟିରୁ ବିଶ୍ୱର ଅଗ୍ରଣୀ ଇସ୍ପାତ ଉତ୍ପାଦନ ରାଷ୍ଟ୍ର ଚୀନ, ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆସହି ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖିନ ହେବାକୁ ପଡିବ । କେବଳ ସେତିକି ନୁହେଁ ଲାଭପ୍ରଦ ହୋଇ ରହିବାସହ ବିଶ୍ୱ ବଜାରର ସମ୍ମୁଖିନ ହେବାକୁ ହେଲେ ପରିଚାଳନା କର୍ତ୍ତୃପକ୍ଷ, ଶ୍ରମିକ
ସର୍ବୋପରି ବ୍ୟୁରୋକ୍ରାଟମାନେ ସେମାନଙ୍କ ମତିଗତିରେ ପରିବର୍ତ୍ତନ ଆଣିବାକୁ ହେବ ।

ଆନ୍ତର୍ଜାତିକ ପୁଞ୍ଜି ବିନିଯୋଗ ପ୍ରକ୍ରିୟାର ଭଲ ଗୁଣ ସାଙ୍ଗକୁ ମନ୍ଦ ଗୁଣ ମଧ୍ୟ ରହିଛି । ବଜାରରେ ସ୍ଥାଣୁ ଅବସ୍ଥା ସୃଷ୍ଟି ହେଲେ ପୁଞ୍ଜି ବିନିଯୋଗକାରୀମାନେ ନିଜ ନିଜର ପୁଞ୍ଜି ଫେରାଇ ନେବାର ଭୟ ରହିଛି । ୧୦ ବର୍ଷ ତଳେ ଓଡିଶାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଟାଟା ଷ୍ଟିଲ୍, ଲାର୍ସନ୍ ଆଣ୍ଡ ଟୁବ୍ରୋ, ସ୍ୱରାଜ ପଲ୍ ଏବଂ ଅନ୍ୟ କେତେକ ଇସ୍ପାତ କାରଖାନା ସ୍ଥାପନ ଲାଗି ଆଗ୍ରହ ପ୍ରକାଶ କରିଥିଲେ ହେଁ ପରବର୍ତ୍ତୀ ପରିସ୍ଥିତିରେ ହଠାତ୍ ନିରବତା ଅବଲମ୍ବନ କରିଥିଲେ । ବର୍ତ୍ତମାନ ଓଡିଶାର ଇସ୍ପାତ ଉଦ୍ୟୋଗରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ।

ଓଡିଶାର ଅନ୍ୟ କୌଣସି ବିଷୟରେ କିଛି କହିବାର ଅଛି କି?

ମୁଁ ଭାବୁଛି ଆମେ ଓଡିଆମାନେ ନିଜ ନିଜର ଶତ୍ରୁ । ଆମେ ସବୁ ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ପଡି ଯାଇଛୁ । ଓଡିଶାକୁ ପ୍ରଗତିପଥରେ ନେବାକୁ ହେଲେ ଆମକୁ ବହୁ ଶ୍ରମ ସ୍ୱୀକାର କରିବାକୁ ହେବ । ଆମ ଭିତରେ ରହିଥିବା ଅନ୍ତର୍ନିହିତ ଶକ୍ତି ପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ସମସ୍ତେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସଭିଏଁ ମିଳିତଭାବେ ଆଗେଇ ଯିବାକୁ ହେବ ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ, ସଭାପତି ନିରଞ୍ଜନ ତ୍ରିପାଠୀ, ସାକ୍ଷାତକାର

ଆଦିବାସୀଙ୍କ ପେଟ ପୁରିଲେ ରହିବ ନାହିଁ ଜଙ୍ଗଲ ସମସ୍ୟା

July 1, 2005 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଜୁନ ୨୬ (ଓଡିଶା ଡଟ୍ କମ୍), ରାଉରକେଲା ଆର୍ଇସିରୁ ଇଲେକ୍ଟି୍ରକାଲ୍ ଇଂଜିନିୟରିଂରେ ଟପ୍ପର ହେବାପରେ ଦେଶର ସମ୍ମାନଜନକ ଆଇଆଇଏସ୍ ରୁ କୃତିତ୍ୱରେ ସହ ଏମଟେକ୍ ଡିଗ୍ରୀ ହାସଲ କରିଥିବା ଓଡିଶାର ଆଦିବାସୀ ଯୁବକ ବୈଦ୍ୟନାଥ ସିଂ ନିଜ ଗ୍ରାମବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଷୟରେ ଆଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାସହ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । କେଉଁ ପରିସ୍ଥିତିରେ ଏବଂ କିଭଳି ସମାଜସେବା କ୍ଷେତ୍ରକୁ ବୈଦ୍ୟନାଥ ଆସିଲେ ତାହା ଜାଣିବା ଲାଗି ଉଦ୍ୟମ କରିଥିଲେ ଆମ ପ୍ରତିନିଧି ପ୍ରଶାନ୍ତ ପଣ୍ଡା ।

ଆପଣଙ୍କ ନିଜ ଭିଟାମାଟି, ଶିକ୍ଷା ଓ ପରିବାର ଆଦି ସମ୍ପର୍କରେ କିଛି କହିବେ କି ?

ମୟୁରଭଞ୍ଜର ବାରିପଦାଠାରୁ ପ୍ରାୟ ୭୫ କିଲୋମିଟର ଦୂର କପ୍ତିପଦା ନିକଟ ଶରତ ଗାଁରେ ୧୯୭୫ ମସିହା ଏପ୍ରିଲ୍ ମାସ ୧୬ ତାରିଖ ଦିନ ମୋର ଜନ୍ମ । ଗାଁ ପାଖ ଗୋଡିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପାଇଲି ।

ହାଇସ୍କୁଲ ଶିକ୍ଷା ଲାଗି ନିଜ ଜନ୍ମସ୍ଥାନଠାରୁ ଅନ୍ୟୁନ ୪୦ କିଲୋମିଟର ଦୂର କେନ୍ଦୁଝର ଜିଲ୍ଲାର କୁଆଁମରା ଗଲି ଏବଂ ହଷ୍ଟେଲରେ ରହିଲି । ଘରେ ଧାନ ଚାଉଳର ଅଭାବ ନଥିଲେ ହେଁ ଟଙ୍କାପଇସା କଥା ପଡିଲେ ବାପା ମାଙ୍କ ଦେହରୁ ପରସ୍ତେ ଝାଳ ବୋହି ପଡୁଥିଲା ।

ହଷ୍ଟେଲ୍ର ମେସ୍ ଖର୍ଚ୍ଚ ତୁଲାଇବା ଲାଗି ପ୍ରତି ରବିବାର ଦିନ ଉଦଳା ହାଟରୁ କିଛି ବିଭିନ୍ନ ସାମଗ୍ରୀ ଆଣି ଗାଁରେ ବିକ୍ରିବଟା କରୁଥିଲି । ବାପା ଜଣେ ଯକ୍ଷ୍ମାରୋଗୀ ଓ ମାଙ୍କୁ ପକ୍ଷାଘାତ ରୋଗ ହୋଇଥିବାରୁ ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥାଏ ।

କୌଣସିମତେ ହାଇସ୍କୁଲ୍ ଶିକ୍ଷା ସରିଲା, ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇବା ଲାଗି ଉଦଳା ପହଞ୍ଚିଲି । ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀ ପାଇଲି ।

ହାଇସ୍କୁଲ ଶିକ୍ଷାପରେ ବ୍ୟୟ ବହୁଳ ଇଞ୍ଜିନିୟରିଂ ଶିକ୍ଷା ପ୍ରତି କାହିଁକି ମନ ବଳାଇଲେ ଏବଂ ଏତେ ଟଙ୍କା କେଉଁ ସୂତ୍ରରୁ ପାଇଲେ?

ପିଲାଟି ବେଳରୁ ମନର ନିଭୃତ କୋଣରେ ଇଚ୍ଛା ଥାଏ ଭବିଷ୍ୟତରେ ଇଞ୍ଜିନିୟର ହେବି । ତେଣୁ ୧୯୯୫ ମସିହା ଓଡିଶା ମିଳିତ ପ୍ରବେଶିକା ପରୀକ୍ଷାରେ ବସିଲି । ସମଗ୍ର ରାଜ୍ୟରେ ପରୀକ୍ଷାରେ ଭଗବାନଙ୍କ କୃପାରୁ ଦଶମ ସ୍ଥାନରେ ରହିଲି ।

ହେଲେ ଆର୍ଇସିରେ ନାଁ ଲେଖାଇବା ପାଇଁ ସେତେବେଳେ ଫିସ୍ ଥିଲା ୧୦ହଜାର ୩ଶହ ଟଙ୍କା । ଏକସଙ୍ଗେ ଏତେ ଟଙ୍କା ସାହାଯ୍ୟ କରିବା ଲାଗି ପରିବାରରେ କେହି ନଥିଲେ । କୌଣସି ମତେ ଚାରି ହଜାର ଟଙ୍କା ଯୋଗାଡ କରି ଭୁବନେଶ୍ୱରରେ ପହଞ୍ଚିଲି ।

ଆହୁରି ୭ହଜାର ଟଙ୍କା ଦରକାର ପଡୁଥିବାରୁ ଇଂଜିନିୟରିଂରେ ନାଁ ଲେଖା ସମ୍ଭବ ହୋଇପାରିଲା ନାହିଁ । ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ଟଙ୍କା ଯୋଗାଡ କରିବା ସକାଶେ ୧୫ ଦିନ ସମୟ ଦେଲେ । ସ୍ୱଳ୍ପ ସମୟ ମଧ୍ୟରେ ଟଙ୍କା କେମିତି ଯୋଗାଡ କରିବି ଚିନ୍ତା ଲାଗିଲା ।

ଅନ୍ୟନୋପାୟ ହୋଇ ଭୁବନେଶ୍ୱରରେ ରହୁଥିବା କୋହ୍ଲ ସମ୍ପ୍ରଦାୟ ତଥା ଆମ ଅଞ୍ଚଳର ପ୍ରାୟ ୩୩୫ ଜଣ ଲୋକଙ୍କ ଘରକୁ ଘର ବୁଲିଲି । ଆଉ ୮୪୫ ଟଙ୍କା ମିଳିଲା । ଏଥର ଗାଁକୁ ପଳାଇ ଆସି ମା’ଙ୍କ କିଛି ଗହଣାଗାଣ୍ଠି ବିକ୍ରିରୁ ମିଳିଲା ୫ହଜାର ୨ଶହ ଟଙ୍କା ।

ବହୁ ଉଦ୍ୟମ ସତ୍ତ୍ୱେ ଅବଶିଷ୍ଟ ହଜାରେ ଟଙ୍କା ଯୋଗାଡ ହୋଇପାରିଲା ନାହିଁ । ନାମ ଲେଖା ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ନିକଟରେ ଶେଷରେ କାନ୍ଦିଲି । ତାଙ୍କର ଦୟା ହେଲା ଏବଂ ରାଉରକେଲା ଆର୍ଇସି କଲେଜରେ ୧୯୯୫ ମସିହାରେ ନାମ ଲେଖାଇଲି ।

ନାଁ ଲେଖାଇବା ଲାଗି ଯଦି ଏତେ କଷ୍ଟ ଭୋଗିଲେ, ମେସ୍ ବହିପତ୍ର ଏବଂ ଆନୁସଙ୍ଗିକ ଖର୍ଚ୍ଚ ତୁଲାଇବାକୁ କିପରି ସକ୍ଷମ ହେଲେ?

ପାଠ ପଢା ଅନୁଭୂତି ଜୀବନସାରା ସ୍ମରଣୀୟ ହୋଇ ରହିବ । ବନ୍ଧୁମାନଙ୍କୁ ଜୀବନ ଥିବା ଯାଏଁ ଭୁଲି ପାରିବି ନାହିଁ । ନାଁ ଲେଖା ସରିବାପରେ ସମସ୍ୟାରେ ପଡିଗଲି । ନୂଆ ସ୍ଥାନ, କଥାଭାଷା ସର୍ବୋପରି ଆଦିବାସୀ ପିଲା ହିସାବରେ ଚାଲିଚଳନରେ ମଧ୍ୟ ଢେର ପଛରେ । ମେସ୍ ବିଲ୍ କେମିତି ଦେବି ଚଡକ ପଡିଲା ।

ଭୁବନେଶ୍ୱରର ବିଶ୍ୱରଞ୍ଜନଙ୍କ ନାମକ ବନ୍ଧୁଙ୍କ ସାମ୍ନାରେ ନିଜ ଦୁଃଖର କାହାଣୀ ବର୍ଣ୍ଣନା କଲାବେଳେ ଆଖିରୁ ଲୁହ ବୋହି ପଡିଲା । ସବୁ ଓଡିଆ ପିଲା ହଷ୍ଟେଲରେ ବୈଠକ କଲେ । ସମ୍ମିଳିତ ସ୍ୱରରେ ସେଠାରେ ସମସ୍ତେ କହିଲେ ମୋତେ ସାହାଯ୍ୟ କରିବେ । ପରେ କଲେଜର ଅନ୍ୟମାନେ ଏଥିପାଇଁ ଅଣ୍ଟା ଭିଡିଲେ ।

କଲେଜ ବନ୍ଧୁମାନଙ୍କ ସାହାଯ୍ୟରେ ନିଜ ଖର୍ଚ୍ଚ ଭରଣା କରିବାସହ ଘରର ସୁବିଧା ଅସୁବିଧାବେଳେ ମଧ୍ୟ ଟଙ୍କା ପଠାଇବାରେ କୌଣସି ସମସ୍ୟା ରହିଲା ନାହିଁ । ଇଂଜିନିୟରିଂ ବିଟେକ୍ ପରୀକ୍ଷାରେ (ଇଲେକ୍ଟି୍ରକାଲ୍ ସେକ୍ସନ୍) ଟପ୍ପର ହେଲି ।

ଏଣିକି ଏମ୍ଟେକ୍ ଶିକ୍ଷା ପାଇଁ ବାହାରକୁ ଯିବାକୁ ମନ ବଳିଲା । ବିଟେକ୍ ପରୀକ୍ଷା ଭଲ ହୋଇଥିବାରୁ ବାଙ୍ଗାଲୋରର ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ନାଁ ଲେଖାଇବାରେ ପୂର୍ବଭଳି କୌଣସି ଅସୁବିଧା ଉପୁଜିଲା ନାହିଁ ବରଂ ସେହି ଶିକ୍ଷାନୁଷ୍ଠାନରୁ ପ୍ରତି ମାସରେ ୫ହଜାର ଟଙ୍କା ବୃତ୍ତି ପାଇଲି । ପାଠ ପଢୁଥିବାବେଳେ ଜର୍ମାନୀରୁ ଡକ୍ଟରେଟ୍ ଲାଗି ଏକ ପ୍ରସ୍ତାବ ମଧ୍ୟ ପାଇଥିଲି ।

କୃତିତ୍ୱର ସହ ଉଚ୍ଚ ଶିକ୍ଷାପରେ ଆଇଏଏସ୍ କିମ୍ବା ଅନ୍ୟ ପଦପଦବୀ ପାଇଁ ପ୍ରଲୋଭିତ ନହୋଇ ଆପଣଙ୍କ ଭଳି ଜଣେ ମେଧାବୀ ଯୁବକ ଜନତାଙ୍କ ସେବା କରିବାର ମୂଳ ଉଦ୍ଦେଶ୍ୟ କଣ?

ରାଉରକେଲାରେ ନାଁ ଲେଖାଇବା ପୂର୍ବ ବର୍ଷ (୧୯୯୪)ଗାଁର ଯୁବକମାନେ ମିଶି ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରିଥିଲୁ । ଗାଁ ଲୋକମାନଙ୍କୁ ଜଙ୍ଗଲ ବିନାଶର କୁ ପରିଣାମ ସମ୍ପର୍କରେ ସଚେତନ କରାଉଥିଲୁ ।

ଅଶି ଏବଂ ନବେ ଦଶକର ପ୍ରଥମାର୍ଦ୍ଧରେ ଆମ ଅଞ୍ଚଳରେ କାଠ ମାଫିଆଙ୍କ ରାଜୁତି ଚାଲିଥାଏ । ସେମାନଙ୍କ ସହ କେତେକ ଅସାଧୁ ଅଫିସର ମିଶି ଜଙ୍ଗଲ ସମ୍ପଦ ଲୁଣ୍ଠନ କରିବାରେ ଲାଗିଥାନ୍ତି ।

ଲୁଣ୍ଠନକାରୀମାନେ ନିଜର ଫାଇଦା ଲାଗି ଗ୍ରାମବାସୀଙ୍କୁ ନିୟୋଜିତ କରୁଥାନ୍ତି । ଚାଷ କାମରେ ଲାଭ ବିଶେଷ ଲାଭ ପାଉନଥିବାରୁ ସେମାନେ ମଧ୍ୟ ଜଙ୍ଗଲରୁ କାଠ କାଟି ଅଧିକ ଉପାର୍ଜନ କରିବାକୁ ଆଗ୍ରହ ପ୍ରକାଶ କରୁଥାନ୍ତି ।

ତେବେ ଗାଁରେ କମିଟି ଗଠନ ହେବାପରେ ଏହି ସମସ୍ୟା ଦୂର ହେବାରେ ଲାଗିଲା । ଲୋକମାନେ ନିଜର ଭୁଲ୍ ବୁଝିପାରି ନିଜ ଜଙ୍ଗଲର ସୁରକ୍ଷା ଲାଗି ନିଜେ ହାତରେ ଠେଙ୍ଗା ଧରି ଜଙ୍ଗଲରେ ବୁଲିବା ଆରମ୍ଭ କଲେ ।

ସହରକୁ ଯିବାବେଳେ ଗାଁ ଲୋକମାନଙ୍କର ସେହି ଛବି ସବୁବେଳେ ମୋ’ ମନରେ ନାଚି ଉଠୁଥିଲା । ସେମାନେ କେମିତି ଆହୁରି ଅଧିକ ଶିକ୍ଷିତ ହେବେ ଏବଂ ଗାଁର ଅନ୍ୟାନ୍ୟ ସମସ୍ୟା ଦୂର ହେବ ସେହି ଚିନ୍ତାରେ ଘାରି ହେଉଥାଏ । ଅଗତ୍ୟା ନିଜ କଥା ଚିନ୍ତା ନକରି ଗାଁ ଲୋକଙ୍କ ବିଷୟରେ ଅଧିକ ଭାବୁଥାଏ ।

ସ୍ୱପ୍ନକୁ ସାକାର କରିବାକୁ ହେଲେ ସରକାରୀ ଚାକିରି ପ୍ରତିବନ୍ଧକ ସାଜିବ ଏକଥା ଜାଣିଥିଲି । ସୌଭାଗ୍ୟ କି ଦୁର୍ଭାଗ୍ୟ ଜାଣିନାହିଁ ଏହି ସମୟରେ ଗାଁରେ ଆମ ଘର ପୋଡିଗଲା, ବାଧ୍ୟହୋଇ ଘରକୁ ଫେରି ଆସିଲି । ପରେ ଦୈନିକ ଗୁଜରାଣ ମେଣ୍ଟାଇବା ପାଇଁ ଏକ ଘରୋଇ କଲେଜରେ ଅଧ୍ୟାପନା ଆରମ୍ଭ କଲି ।

ଜଙ୍ଗଲ ଆନ୍ଦୋଳନ ଚଳାଇବା ପାଇଁ ଅର୍ଥ କେଉଁଠୁ ଆସୁଛି?

ମୁଁ ବଡ ଚାକିରୀ ନକଲେ କଣ ହେଲା, ଆର୍ଇସିର ସବୁ ବନ୍ଧୁ ବର୍ତ୍ତମାନ ଦେଶ ବିଦେଶର ବହୁ ନାମୀଦାମୀ କମ୍ପାନୀରେ କାମ କରୁଛନ୍ତି । ଅନେକ ନିଜସ୍ୱ ଉଦ୍ୟମରେ ବଡ ବଡ ସଂସ୍ଥା ଗଠନ କରି ନିଯୁକ୍ତି ଦେଇଛନ୍ତି । ସେମାନେ ମୋ ସମ୍ପର୍କରେ ଏବଂ କାର୍ଯ୍ୟକଳାପ ବିଷୟରେ ଖବର ରଖିଛନ୍ତି ।

ଶିଙ୍ଗାପୁରରେ ରହୁଥିବା ସନ୍ତୋଷ ଦାଶ ନାମକ ଜଣେ ବନ୍ଧୁଙ୍କ ବଦାନ୍ୟରୁ ମୁମ୍ବାଇର ପିପୁଲସ୍ ଫାଉଣ୍ଡେସନ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ ସୋସିଓ ଇକୋନମିକ୍ ଡେଭଲପମେଣ୍ଟ (ପେପ୍ସେଡ୍)ସାହାଯ୍ୟ ଯୋଗାଇ ଦେଉଛି ।

ବର୍ତ୍ତମାନ ଅଧ୍ୟାପନା ଚାକିରୀ ଛାଡି, ଜଙ୍ଗଲ ସୁରକ୍ଷା ଆନ୍ଦୋଳନ ସହ ଗ୍ରାମବାସୀମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସମ୍ପର୍କରେ ସଚେତନ କରାଇବାରେ ଅଧିକ ସମୟ ଦେଉଛି । ଏହାଛଡା ଗାଁରେ ଗୋଟିଏ ଅଫିସ କରିଛି । ରେଜିଷ୍ଟି୍ରଭୁକ୍ତ ଲାକବଦ୍ରା ୟୁଥ୍ କ୍ଲବ (ହୁଡି ସାହି)ଯୋଗୁଁ ଆମ ଅଞ୍ଚଳକୁ କାଠମାଫିଆମାନେ ପାଦ ପକାଇବାକୁ ଡରୁଛନ୍ତି ।

ରାଜ୍ୟ ଜଙ୍ଗଲ ବିଭାଗ ଆମ ଗାଁ ନାଁରେ ପ୍ରାୟ ୮ହଜାର ଏକର ଜମି ଚିହ୍ନଟ କରିଛି । ଏହି ଜଙ୍ଗଲରେ ଶାଳ, ପିଆଶାଳ, ଶାଗୁଆନ୍ ଓ ଶିଶୁ ଆଦି ମୂଲ୍ୟବାନ ଗଛ ରହିଛି । ଆଖପାଖ ଅଞ୍ଚଳର କୌଣସି ଲୋକଙ୍କ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।

ନିଜ ଘର କାମ ପାଇଁ କାଠ ନେବାରେ ବାରଣ କରୁନାହୁଁ ତେବେ ବ୍ୟବସାୟ କାର୍ଯ୍ୟ ଉପରେ ସଂପୂର୍ଣ୍ଣ କଟକଣା ଜାରୀ କରିଛୁ । ଆମର କାମରେ ସନ୍ତୋଷ ପ୍ରକାଶ କରି ବିଗତ ଦୁଇ ବର୍ଷ ମଧ୍ୟରେ ସରକାର ଗାଁର ଉନ୍ନତି ଲାଗି ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ସାହାଯ୍ୟ ଦେଇଛନ୍ତି ।

ପେପ୍ସେଡ୍ ସଙ୍ଗଠନର ଆର୍ଥିକ ସହାୟତାରେ ଗ୍ରାମବାସୀମାନଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରାଇବାକୁ ଉଦ୍ୟମ ଜାରୀ ରଖିଛୁ । ଧାନ ବ୍ୟତୀତ ବର୍ଷ ତମାମ ସେମାନେ କିଭଳି ବିଭିନ୍ନ ତୈଳବୀଜ, ପନିପରିବା ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରିବେ ସେ ବିଷୟରେ ତାଲିମ ଶିକ୍ଷା ଦେଉଛୁ ।

ବର୍ଷ ତମାମ କୃଷି କାର୍ଯ୍ୟରେ ଲିପ୍ତ ରହିଲେ ଗ୍ରାମବାସୀମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ସ୍ୱଚ୍ଛଳ ହୋଇପାରିବେ । ପେଟ ସମସ୍ୟା ଦୂର ହେଲେ ପିଲାଙ୍କ ପାଠ ଏବଂ ପୋଷାକ କଥା ସେମାନଙ୍କ ମୁଣ୍ଡକୁ ଆସିବ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଜଙ୍ଗଲ ଆନ୍ଦୋଳନର ସୁଫଳ ପାଇବାକୁ ସକ୍ଷମ ହୋଇଛନ୍ତି କି?

ଆମ ଗାଁରେ ଏବେ ରାତିରେ ସୋଲାର ଲାଇଟ୍ ଜଳୁଛି । ସନ୍ଧ୍ୟାବେଳେ କ୍ଲବଘରେ ଗାଁର ଯୁବକମାନେ ପରସ୍ପର ମଧ୍ୟରେ ଭାବବିନିମୟର ସୁଯୋଗ ପାଉଛନ୍ତି । ଡଙ୍ଗାଡିଆ, ଶୁକୁନ୍ଦୁ, ପତ୍ରପଡା, କାଜବାହାଳି, ବୁରୁଗୁଡା, ଖଟୁଆପଡା ଏବଂ ଜାମୁବଣି ଆଦି ଅଞ୍ଚଳର ଚାଷୀମାନେ ଶିକ୍ଷାର ସୁଫଳ ପାଇବା ଆରମ୍ଭ କରିଛନ୍ତି ।

ପୂର୍ବରୁ ଗାଁ ଗାଁରେ ତାସ ଖେଳ ହେଉଥିଲା । ଏବେ ପିଲା ପାଠ ପଢୁଛନ୍ତି । ପିଲାମାନଙ୍କୁ ପାଠ ପଢାଇବା ଲାଗି ପ୍ରଥମେ ବିଭିନ୍ନ ଉପାୟରେ ଆକୃଷ୍ଟ କରାଯାଉଥିଲା । ବର୍ତ୍ତମାନ ଶିକ୍ଷକ କେତେବେଳେ ଆସିବେ ବୋଲି ପିଲା ଚାହିଁ ରହୁଛନ୍ତି । ବିଗତ ବର୍ଷକ ମଧ୍ୟରେ ଆମ ଗାଁ କାହିଁକି ଆଖପାଖ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପ୍ରଭୁତ ବିକାଶ ସାଧିତ ହୋଇଛି ।

ଭବିଷ୍ୟତରେ ରାଜନୀତିରେ ଝାସ ଦେବାର କୌଣସି କାର୍ଯ୍ୟକ୍ରମ ରଖିଛନ୍ତି କି?

ସମାଜସେବା ପାଇଁ ରାଜନୀତି ଯଦିଓ ସର୍ବଶ୍ରେଷ୍ଠ କ୍ଷେତ୍ର ତଥାପି ଏ କ୍ଷେତ୍ରରୁ ମୁଁ ଦୂରେଇ ରହିବାକୁ ଚାହୁଁଛି । ଲୋକମାନେ ରାଜନୀତିଜ୍ଞମାନଙ୍କଠାରୁ ଅଧିକ ପାଇବାକୁ ମତଲବ ରଖୁଛନ୍ତି । ବର୍ତ୍ତମାନ ରାଜନୀତି ଟଙ୍କା ଉପାର୍ଜନର ସହଜ ଓ ସର୍ବଶ୍ରେଷ୍ଠ ଉପାୟ ହୋଇଛି ।

ଅନ୍ୟପକ୍ଷରେ ସମାଜସେବୀମାନଙ୍କୁ ରାଜନେତାମାନେ ଭଲ ଦୃଷ୍ଟିରେ ଦେଖି ପାରୁନାହାନ୍ତି । କିଛି ଦିନ ତଳେ ଆମ ଅଞ୍ଚଳର ଧର୍ଷିତାର ସାହାଯ୍ୟ କରିବାକୁ ଯାଇ ଆମ କ୍ଲବର ସଦସ୍ୟମାନେ ଜଣେ ସ୍ଥାନୀୟ ରାଜନେତା ପ୍ରରୋଚନାରେ ପୋଲିସର ବିଷ ଦୃଷ୍ଟିରେ ପଡିଛୁ । ମୋ’ ସମେତ କ୍ଲବର ବହୁ ସଦସ୍ୟଙ୍କ ବିରୋଧରେ ଗୁରୁତର ଦଫା ଲଗା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଆଦିବାସୀ, ଜଙ୍ଗଲ ସମସ୍ୟା, ବୈଦ୍ୟନାଥ ସିଂ, ସାକ୍ଷାତକାର

ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେଲେ ଓଡିଶାର ବିକାଶ ହେବ

June 26, 2005 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଜୁନ ୨୬ (ଓଡିଶା ଡଟ୍ କମ୍)ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଓଡ଼ିଶାର ଡ଼ଃ. କୁମାର ଦାସଙ୍କ ସହ ଏକ ସାକ୍ଷାତକାର

ଡ଼ଃ. କୁମାର ଦାସ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଜଣେ ବରିଷ୍ଠ ପ୍ରଫେସର । ସିନେଟ ସଦସ୍ୟ, ବୋର୍ଡ ଅଫ୍ ଷ୍ଟଡିଜ୍, ତଥା ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍ ଇକୋନମିକ୍ସ ବିଭାଗର ମୁଖ୍ୟ ପଦବୀରେ କାର୍ଯ୍ୟ କରି ଆସିଥିବା ଦାସ ବିଶ୍ୱବିଦ୍ୟାଳୟରୁ ସାମୟିକ ଛୁଟି ନେଇ ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ କୁ ନିକଟରେ ଓଡ଼ିଶା ର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଦେଇଥିବା ଏକ ସାକ୍ଷାତକାର ର ମୁଖ୍ୟ ଅଂଶ ।

ଓଡିଶାର ଆର୍ଥିକ ଦୁର୍ଦ୍ଧଶା ସମ୍ପର୍କରେ ସମସ୍ତେ ଆଲୋଚନା କରୁଛନ୍ତି । ବାସ୍ତବରେ ଏହି ସମସ୍ୟାର ମୂଳ ମଞ୍ଜି କେଉଁଠି?

ଆର୍ଥିକ ଅନିୟମିତତା ଏବଂ ଅତୀତରେ ଉଚ୍ଚ ସ୍ତରରେ ହୋଇଥିବା ଦୁର୍ନୀତି ହିଁ ଆଜି ପ୍ରାକୃତିକ ସମ୍ପଦରେ ଭରା ଓଡିଶା ପାଇଁ ଦୁର୍ଦ୍ଧଶାର କାରଣ ବୋଲି ମୋର ଦୃଢ ବିଶ୍ୱାସ । ଦୂରଦୃଷ୍ଟି ଏବଂ ମୁଖ୍ୟ ସମସ୍ୟାକୁ ବୁଝିବାର ଦକ୍ଷତାର ଅଭାବ ମଧ୍ୟ ଆମ ଭିତରେ ରହିଛି ।

ଯେଉଁମାନେ ରାଜ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ସମ୍ବେଦନଶୀଳ ନୁହନ୍ତି । ଓଡିଶାବାସୀ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତିନି । ଏତିକି ନୁହେଁ ସେମାନେ ଆବଶ୍ୟକତାଠାରୁ ଅଧିକ ସରଳ ।

ରାଜ୍ୟର ଦୃତ ଆର୍ଥିକ ଅଭିବୃଦ୍ଧି ନିମିତ୍ତ ଆପଣଙ୍କ ମତରେ କେଉଁ ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟତା ଦିଆଯିବା ଆବଶ୍ୟକ?

ଖଣି, ସାମୁଦ୍ରିକ ଏବଂ ଜଙ୍ଗଲ ଭିତ୍ତିକ କାର୍ଯ୍ୟକଳାପ ସାଙ୍ଗକୁ କୃଷିକୁ ଅଧିକ ଗୁରୁତ୍ୱ ଦିଆଯିବା ନିହାତି ଜରୁରୀ । ଆଖିଦୃଶିଆ ବିକାଶ ସକାଶେ ଅର୍ଥପୂର୍ଣ୍ଣ ଶିକ୍ଷା ତଥା ସ୍ୱାସ୍ଥ୍ୟ ଉଦ୍ୟୋଗର ସଂସ୍କାର ଆବଶ୍ୟକ ।

ରାଜ୍ୟର ସାମ୍ପ୍ରତିକ ଆର୍ଥିକ ଦୁର୍ଦ୍ଧଶା ନିମନ୍ତେ ଆପଣ କାହାକୁ ଦାୟୀ କରିବେ ଏବଂ କାହିଁକି?

ଦାୟିତ୍ୱ ଦୃଷ୍ଟିରୁ, ତିନି ଶ୍ରେଣୀର ନାଗରିକଙ୍କୁ ଦାୟୀ କରିବି । ସବୁ ଜାଣି ବି କିଛି ନଜାଣିବାର ଅଭିନୟ କରୁଥିବା ବ୍ୟୁରୋକ୍ରାଟ ଗୋଷ୍ଠୀ ହେଲେ ପ୍ରଥମ, ସମ୍ବେଦନହୀନ ଜୀବ ଭାବେ ପରିଚିତ ରାଜନୀତିଜ୍ଞ ଦ୍ୱିତୀୟ ଏବଂ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଉଥିବା ଶିକ୍ଷିତ ଓ ପେଶାଦାର ଗୋଷ୍ଠୀ ତୃତୀୟ ।

ଅନ୍ୟ ଦେଶ ଓ ରାଜ୍ୟର ଯୋଜନା ପ୍ରକ୍ରିୟାରେ ଶିକ୍ଷାବିତମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଏ କ୍ଷେତ୍ରରେ କାହିଁକି ପଛରେ ପଡିଛନ୍ତି ଓ ଏଥିଲାଗି ଦାୟୀ କିଏ?

ଅତୀତରେ ନିସ୍କ୍ରିୟତାର ପ୍ରଭାବ ବର୍ତ୍ତମାନ ସମଗ୍ର ରାଜ୍ୟରେ ଅନୁଭୂତ ହେଉଛି । ରାଜ୍ୟର ପ୍ରଶାସକ ଏବଂ ଶାସନ ବ୍ୟବସ୍ଥାକୁ ଦୁଷ୍କର୍ମ ଓ ସାମନ୍ତବାଦ ପ୍ରଥା ଏବେ ମଧ୍ୟ ଆଚ୍ଛାଦିତ କରି ରଖିଛି । ଇ-ଗଭର୍ଣ୍ଣାନ୍ସ ଆରମ୍ଭକରି ଆମେ ଅତ୍ୟନ୍ତ ବୁଦ୍ଧିଆ ବୋଲି ଦାବି କରୁଛୁ ।

ତେବେ ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ସମ୍ପୃକ୍ତିର ସ୍ୱପ୍ନ ଅଦ୍ୟାବଧି ସାକାର ହୋଇପାରିନାହିଁ । ଶିକ୍ଷାବିତମାନଙ୍କୁ ଗୋଟିଏ କାରଖାନାର କର୍ମଚାରୀ କିମ୍ବା ବେତନପ୍ରାପ୍ତ ଶିକ୍ଷକ ନତୁବା ସ୍ୱରହୀନ ଚାକର ବୋଲି ବିବେଚନା କରାଯାଉଛି ।

ବିଶ୍ୱବିଦ୍ୟାଳୟ ଗୁଡିକ ସଂକୁଚିତ ହୋଇ ଟିଉଟୋରିଆଲ୍ କଲେଜରେ ପରିଣତ ହୋଇଛି । ସ୍ୱୟଂ ଶାସିତ କଲେଜ ଓ ଡିମ୍ ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣଭାବେ ନଷ୍ଟ କରି ସାରିଲେଣି । ବୟସ୍କ, ଅବସରପ୍ରାପ୍ତ ପ୍ରଫେସର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅବହେଳା କରାଯାଉଛି ।

ଅଗ୍ରଣୀ ସମାଜରେ ପ୍ରଫେସରମାନଙ୍କୁ ସର୍ବୋଚ୍ଚ ଆସନ ମିଳିଥାଏ । ବୟସ ବିଚାରକୁ ନନେଇ ସେମାନଙ୍କ ଜ୍ଞାନ ଓ ଅଭଜ୍ଞତାକୁ ସରକାର ସମାଜ ବିକାଶ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ସମାଜ ସକାଶେ ଗୋଟିଏ ଡାକ୍ତରର ଭୂମିକା ଯାହା ସୂକ୍ଷ୍ମଭାବେ ବିଚାର କଲେ ଜଣେ ପ୍ରଫେସରର ଅବଦାନ ମଧ୍ୟ ତତୁଲ୍ୟ ।

ଶିକ୍ଷାବିତମାନଙ୍କୁ ଗଠନମୂଳକ କାର୍ଯ୍ୟରେ ବିନା ଦ୍ୱିଧାରେ ନିୟୋଜିତ କରାଯାଇପାରିବ । ତେବେ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ ।

ଦେଶର ଏକ ନମ୍ବର ରାଜ୍ୟ ରୂପେ ଓଡିଶାକୁ ଗଢି ତୋଳିବା ଲାଗି ଆପଣଙ୍କର କୌଣସି ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣ ଅଛି କି?

ଏ ଦିଗରେ ମୁଁ ବ୍ୟକ୍ତିଗତଭାବେ ସଂପୂର୍ଣ୍ଣ ଆଶାଶୂନ୍ୟ । ନିଜର ସକରାତ୍ମକ ଚିନ୍ତାଧାରା ରହିଛି ବୋଲି କଦାପି ଛଳନା କରିବି ନାହିଁ । ଜଣେ ରାଜନେତା କିମ୍ବା ବ୍ୟୁରୋକ୍ରାଟ ଭଳି କିଛି କହିବି ନାହିଁ । ବାସ୍ତବ କଥା ବିଚାର କରିବା । ଦେଶର ଏକ ନମ୍ବର ରାଜ୍ୟ ହୋଇଯିବୁ ଭାବିବା କେବଳ ମରୀଚିକା ତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସରଳ ଭାଷାରେ କହିବାକୁ ଗଲେ, ଏଭଳି ଚିନ୍ତା କରିବା କେବଳ ଅତ୍ୟଧିକ ଆଶାବାଦୀ ବୋଲି କୁହାଯିବ ନାହିଁ ବରଂ ଲଜ୍ୟାକର ବିଷୟ ମଧ୍ୟ । ବର୍ତ୍ତମାନର ପରିସ୍ଥିତି ବଦଳାଇ ଦେବାପାଇଁ ଆମେ ରାଜ୍ୟବାସୀ ଯଦି ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେବା ତେବେ ପରିସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ପ୍ରଥମେ ଆମେ ଆମର ମୌଳିକ ସମସ୍ୟା ଗୁଡିକର ସମାଧାନ ନିମିତ୍ତ ଉଦ୍ୟମ କରିପାରିଲେ ରାଜ୍ୟର ଦାରିଦ୍ର୍ୟ ମାନଚିତ୍ର ଆସ୍ତେ ଆସ୍ତେ ବଦଳିବ । ଗ୍ରାମ୍ୟ ଅର୍ଥନୀତି, ଗ୍ରାମ୍ୟ ଜୀବିକା ପଦ୍ଧତି, ସେଚ, ଅଣ କୃଷି ଉଦ୍ୟୋଗର ବିକାଶ ସାଧିତ ହୋଇପାରିଲେ ଆମେ ଅନେକ ବାଟ ଅଗ୍ରସର ହୋଇପାରିବା ।

ନଚେତ ଉପରେ ସମୃଦ୍ଧିର ଲକ୍ଷଣ ଦିଶିଲେ ମଧ୍ୟ ଭିତରେ ଫମ୍ପା ହୋଇ ରହିଥିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା, ଡ଼ଃ. କୁମାର ଦାସ, ବିକାଶ, ସାକ୍ଷାତକାର

ସାଧୁସନ୍ଥଙ୍କ ରାଜନୀତି ପ୍ରୀତି ଦେଶପାଇଁ ଅଶୁଭଙ୍କର  (ସାକ୍ଷାତକାର)

June 19, 2005 by ନିଉଜ ଡେସ୍କ Leave a Comment

ବଲାଙ୍ଗୀର, ଜୁନ୍ ୧୯ (ଓଡିଶା ଡଟ୍ କମ୍), ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲା ଅନ୍ତର୍ଗତ ଲୁକାପଡା ଗ୍ରାମରେ ୧୯୫୬ ମସିହା ସେପ୍ଟେମ୍ବର ୧୦ଦିନ ଜନ୍ମଗ୍ରହଣ କରି ୧୯୮୦ରେ ଦେଶର ଅନ୍ୟତମ ଆଧ୍ୟାତ୍ମିକ ଗୁରୁ ପରମହଂସ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ଭାବେ ସେହିବର୍ଷ ମହାଶିବରାତ୍ରୀ ଦିନ ସନ୍ୟାସ ଦୀକ୍ଷା ନେଇଥିବା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଓଡ଼ିଶାର ପଛୁଆ ବଲାଙ୍ଗୀର ଜିଲ୍ଲା କୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରି ସେଠାରେ ସୃଷ୍ଟି କରିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ସେବା ଓ ସାଧନାର ଏକ ନବଜାଗରଣ ।

ଆଦ୍ୟ ଯୌବନାବସ୍ଥାରେ ପାହାଡ ଜଙ୍ଗଲ ଘେରା ଛତିଶଗଡର ମନୋରମ କୈଳାସନାଥେଶ୍ୱର ଗୁମ୍ଫାରେ ରହି ସଂସ୍କୃତ ଶାସ୍ତ୍ର ଅଧ୍ୟୟନ କରିଥିବା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ନିଜ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିହାରର ମୁଙ୍ଗେର ଯୋଗ ବିଦ୍ୟାଳୟରେ ଦୀଘ ପାଞ୍ଚ ବର୍ଷ କାଳ ଯୋଗ ସାଧନା କରିଥିଲେ । ଶେଷରେ ତାଙ୍କ ଆର୍ଶୀବାଦପାଇ ମୁଙ୍ଗେର ଛାଡି ଜଣେ ପରିବ୍ରାଜକ ରୂପେ ଭାରତର କୋଣ ଅନୁକୋଣ ଭ୍ରମଣ କରିଥିଲେ ।

ଭ୍ରମଣ ସଂପୂର୍ଣ୍ଣ କରିବାପରେ ବ୍ରହ୍ମାଣ୍ଡ ଠାକୁର ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଥିଲେ । ସେଠାରେ କିଛି ଦିନ ଅବସ୍ଥାନପରେ ଠାକୁର ଜଗନ୍ନାଥ ଏବଂ ମାତା ବିମଳାଙ୍କ ସ୍ୱର୍ଗୀୟ ପ୍ରେରଣା ପାଇ ସେ ଦେଶର ଅନ୍ୟତମ ଅନଗ୍ରସର ଓ ଗରିବ ଅଞ୍ଚଳର ମାନ୍ୟତା ପାଇଥିବା ବଲାଙ୍ଗୀରକୁ ନିଜର କର୍ମସ୍ଥଳୀ ରୂପେ ବାଛି ସେଠାରେ ସେ ୧୯୮୬ରେ ସ୍ଥାପନ କରିଥିଲେ “ବିଶ୍ୱାତ୍ମା ଚେତନା ପରିଷଦ” ।

ପ୍ରଥମେ ଏକ ଭଡ଼ା ଘରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଏବେ ବିସ୍ତାର କରିଛି ତାର ବିଶାଳ କାୟା । ସହରର ଉପକଣ୍ଠରେ ପ୍ରାୟ ୩୦ ଏକର ଜମିରେ ସୃଷ୍ଟି ହୋଇଛି ଆନନ୍ଦ ନିକେତନ ନାମରେ ଏକ ବିରାଟ ଆଶ୍ରମ । ବଲାଙ୍ଗୀର ଜିଲ୍ଲା ସମେତ ଏହାର ପଡ଼ୋଶୀ ପଛୁଆ ଜିଲ୍ଲା ମାନଙ୍କରେ ଶିକ୍ଷାଦାନ ପାଇଁ ସ୍କୁଲ,ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ମାଗଣା ଚିକିତ୍ସା ସମେତ ବିବିଧ କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇ ଏହି ଅନୁଷ୍ଠାନ ସୃଷ୍ଟି କରିଛି ଏକ ନୂତନ ପରିଚୟ ।

ଏହି ଅନୁଷ୍ଠାନ ଗଠନ ପଛରେ ତାଙ୍କର ସ୍ୱପ୍ନ ଓ ବାସ୍ତବତା ତଥା ସମାଜର ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କ ମତାମତ ଜାଣିବା ପାଇଁ ନିକଟରେ ତାଙ୍କୁ ଭେଟିଥିଲେ ଓଡିଶା ଡଟ୍ କମ୍ ପ୍ରତିନିଧି ପ୍ରଶାନ୍ତ ପଣ୍ଡା । ଉକ୍ତ ସାକ୍ଷାତକାରର ମୁଖ୍ୟ ଅଂଶ ।

“ବିଶ୍ୱାତ୍ମା ଚେତନା ପରିଷଦ’ ସ୍ଥାପନ ପଛରେ କି ଉଦ୍ଦେଶ୍ୟ ଅଛି?

ଭାରତବର୍ଷରେ ଅନେକ ସଂସ୍ଥା ଓ ଅନୁଷ୍ଠାନ ଅଛି । କୌଣସି ବ୍ୟକ୍ତି ବିଶେଷ, ସାଧୁସନ୍ଥ ଅଥବା ବଦାନ୍ୟ ବ୍ୟକ୍ତି ଏସବୁ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ଗଠନ କରିଛନ୍ତି । ତେବେ “ବିଶ୍ୱାତ୍ମା ଚେତନା ପରିଷଦ” ଗଠନ ପଛରେ ରହିଛି ଭାରତୀୟ ପରମ୍ପରା ।

ସଂକ୍ଷିପ୍ତରେ କହିବାକୁ ଗଲେ, ଭାରତୀୟ ଦର୍ଶନର ଆଧାର ହେଉଛନ୍ତି ପରମାତ୍ମା ଏବଂ ଏହି ପରମାତ୍ମା ହେଉଛନ୍ତି ବିଶ୍ୱାତ୍ମାର ସ୍ୱରୁପ । ବିଶ୍ୱାତ୍ମା ଅର୍ଥ ହେଲା ଯିଏ ସମଗ୍ର ବିଶ୍ୱର ଆତ୍ମା ବା ସମଗ୍ର ବିଶ୍ୱ ହେଉଛି ଯାହାର ଆତ୍ମା । ସେହି ପରମାତ୍ମାକୁ ଲକ୍ଷ୍ୟକରି ତତ୍ ସମ୍ବନ୍ଧୀୟ ଚେତନାର ବିକାଶ ଓ ବିସ୍ତାର ଦିଗରେ ପରିଷଦ ଅହରହ ପ୍ରୟାସ ଚଳାଇଛି ।

ବ୍ୟକ୍ତିବାଦୀ ଓ ବସ୍ତୁବାଦୀ ଚେତନା ଅପେକ୍ଷା ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱ ପାଇଁ ଭଗବତ ଚେତନାର ଉପାଦେୟତାକୁ ଲକ୍ଷ୍ୟକରି ଏଭଳି ନାମ କରଣ କରାଯାଇଛି । ଭାରତର ମୁନିଋଷି ମାନଙ୍କର ଚିନ୍ତନ ହେଲା, ସମଗ୍ର ବିଶ୍ୱ ହେଉଛି ଏକ କୁଟୁମ୍ବ,ଏକ ପରିବାର ।

ବିଶ୍ୱରେ ବିଶ୍ୱାତ୍ମା ଭାବ ସୃଷ୍ଟି ହେଲେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଏବଂ ଦେଶ ଦେଶର ସୀମାରେଖାରୁ ଉଦ୍ଧ୍ୱର୍ରେ ଯାଇ ପରସ୍ପରକୁ ସ୍ନେହ, ପ୍ରେମ ଓ ସହଯୋଗର ହାତ ବଢାଇଲେ ସ୍ୱାର୍ଥର ସଂକୀର୍ଣ୍ଣ ସୀମାରୁ ଚେତନା ବ୍ୟାପକ ସ୍ତରକୁ ଉନ୍ନୀତ ହେବ ତଥା ସମଗ୍ର ବିଶ୍ୱ ଏକ ହେବ ।

ଅର୍ଥନୈତିକ, ସାମାଜିକ, ରାଜନୈତିକ ଆଦି ସମସ୍ୟାର ସମାଧାନ ଅକ୍ଲେଶରେ ହେବ । ବିଶ୍ୱର ମାନବ ସମାଜ ସୁଖ ଓ ସମୃଦ୍ଧି ମାର୍ଗରେ ଆଗେଇ ଯିବେ । ପରିଷଦ ଏ ଦିଗରେ ଉଦ୍ୟମ କରୁଛି । ଭୌତିକ ଓ ଆଧ୍ୟାତ୍ମିକ ଦିଗରେ ସମନ୍ୱୟ ଓ ସନ୍ତୁଳନ ରକ୍ଷା ନିମିତ୍ତ ଚେଷ୍ଟା ଚଳାଇଛି ।

ଗମନାଗମନ, ସେଚ, ସ୍ୱାସ୍ଥ୍ୟ ସର୍ବୋପରି ଶିକ୍ଷାର ବିଶେଷ ସୁବିଧା ସୁଯୋଗ ନଥିବା ବଲାଙ୍ଗିର ଭଳି ଏକ ଆଦିବାସୀ ବହୁଳ ଇଲାକାରେ ପରିଷଦ ଗଠନର ଆବଶ୍ୟକତା କଣ?

ସବୁ ବିଶିଷ୍ଟ ସଂସ୍ଥା ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ବର୍ତ୍ତମାନ ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଗୁଡିକ ବଡ ବଡ ସହର ଓ ତୀର୍ଥକ୍ଷେତ୍ରରେ ସ୍ଥାପନ କରୁଛନ୍ତି । ଫଳରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ବିକାଶ ସାଧିତ ହେଉଛି । ଅନୁନ୍ନତ ଇଲାକା ଗୁଡିକ ପ୍ରତି ଦୃଷ୍ଟି ଦେବାକୁ ପ୍ରାୟତଃ ସମସ୍ତେ ପଛ ଘୁଞ୍ଚା ଦେଉଛନ୍ତି ।

ମୁନିଋଷିମାନେ ଅତୀତରେ ବଣ, ପାହାଡ ତଥା ଅନୁନ୍ନତ ଅଞ୍ଚଳରେ ରହୁଥିଲେ । ଓଡିଶା ଆସିବାପରେ ପୁରୀଧାମରେ କିଛି ସମୟ ଲାଗି ରହିଥିଲି । ବ୍ରହ୍ମାଣ୍ଡ ଠାକୁରଙ୍କ ପ୍ରେରଣାରେ ବଲାଙ୍ଗିରରେ ବିଶ୍ୱାତ୍ମା ଚେତନା ପରିଷଦର କେନ୍ଦ୍ର ସ୍ଥାପନକରି ତାଙ୍କ ବାଣୀ ପ୍ରଚାରରେ ଲାଗି ପଡିଛି ।

ମଣିଷକୁ ଯେଉଁଠି ତାର ବିକାଶର ସାଧନ ମିଳିଥାଏ, ସେହି ସ୍ଥାନମାନଙ୍କରେ ଆପେ ଆପେ ସୁଯୋଗ ସୃଷ୍ଟି ହୋଇଥାଏ । ଲୋକମାନେ ଖୋଜି ଖୋଜି ସେହି ସ୍ଥାନରେ ପହଞ୍ଚିଥାନ୍ତି । ଅବଶ୍ୟ ବିଶ୍ୱାତ୍ମା ଭାବଧାରାର ପ୍ରଚାର ପ୍ରସାର କରିବା ଲାଗି ବଲାଙ୍ଗିର ଭଳି ଏକ ଅନଗ୍ରସର ଅଞ୍ଚଳରେ ନାନା ସମସ୍ୟାର ସମ୍ମୁଖୀନ ହୋଇଛି ଏବଂ ହେଉଛି ମଧ୍ୟ ।

ବର୍ତ୍ତମାନ ଧିରେ ଧିରେ ଭଗବତ ପ୍ରେରଣାରୁ ଜନଚେତନାର ଆକର୍ଷଣ ସେ ଦିଗକୁ ହେଲାଣି ଏବଂ ଠାକୁରଙ୍କ ଦୟାରୁ ବଲାଙ୍ଗିର ଏକ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି ।

ଭାରତକୁ ସୁଖ, ସମୃଦ୍ଧି ଦେବାଲାଗି ପ୍ରକୃତରେ ଏଭଳି ଅନଗ୍ରସର ଅଞ୍ଚଳମାନଙ୍କରେ ଆଧ୍ୟାତ୍ମିକ ଓ ବୈଷୟିକ ଉଭୟ ଶିକ୍ଷା ଇତ୍ୟାଦିର କେନ୍ଦ୍ର କରାଯିବା ଉଚିତ । ଏହାଦ୍ୱାରା ଗ୍ରାମ୍ୟ ଓ ସହରୀ ସଭ୍ୟତା ମଧ୍ୟରେ ସନ୍ତୁଳିତ ବିକାଶ ସମ୍ଭବ ହୋଇପାରିବ ।

ପରିଷଦ ବର୍ତ୍ତମାନ କ’ଣ ସବୁ କାମ କରୁଛି ଏବଂ ଏହାଦ୍ୱାରା କେଉଁମାନେ ଉପକୃତ ହେଉଛନ୍ତି?

ପରିଷଦ ଗୋଟିଏ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ଏହାର ପାଞ୍ଚଟି ମୁଖ୍ୟ ଆଭିମୁଖ୍ୟ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ସେବା ଓ ସାଧନା ।

ସଂସ୍ଥାର ଲକ୍ଷ୍ୟ ହେଲା ମଣିଷ ଶିକ୍ଷିତ ହେଉ, ସୁସ୍ଥ ରହୁ, ପରିଶ୍ରମୀ ହେଉ, କର୍ମଯୋଗୀ ହେଉ ଏବଂ ପରେ ନିଜ ପରିଶ୍ରମ ଦ୍ୱାରା ଉପାର୍ଜିତ ଅର୍ଥରୁ ଲୋକମାନଙ୍କ ସେବାରେ କିଛି ବିନିଯୋଗ କରୁ । ଏଠାରେ ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହେଁ ଶିକ୍ଷିତ ଅର୍ଥ କେବଳ ସାକ୍ଷର ହୋଇପାରେନା ଏବଂ ଏହାର ଅନେକ ଦିଗ ରହିଛି ।

ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବା ନିମିତ୍ତ ବିଶ୍ୱାତ୍ମା ବିଦ୍ୟା ମନ୍ଦିର ନାମରେ ଏକ ଶିକ୍ଷାନୁଷ୍ଠାନ ବଲାଙ୍ଗିରରେ ସ୍ଥାପନ କରାଯାଇଛି । ଭବିଷ୍ୟତରେ ଏହାକୁ ଆବାସିକ ଗୁରୁକୁଳରେ ରୂପାନ୍ତରିତ କରିବାକୁ ଯୋଜନା ରହିଛି । ଶିକ୍ଷାର୍ଥୀମାନେ ଏଠାରେ ପ୍ରାଚୀନ ବିଦ୍ୟାସହ ଆଧୁନିକ ବିଦ୍ୟା ଶିକ୍ଷା ଗ୍ରହଣ କରିପାରିବେ ।

ଏହାଛଡା ଜଣେ ଭଲ ମଣିଷ ଭାବରେ ନିଜ ନିଜ କ୍ଷେତ୍ରକୁ ଯାଇ ସମାଜରେ ଶିକ୍ଷା ଦେଇପାରିବେ । ସରଳ ଅର୍ଥରେ ଶିକ୍ଷାନୁଷ୍ଠାନର ଅନ୍ୟନାମ ହେଉଛି ମଣିଷ ତିଆରି କାରଖାନା । ପରିଷଦର ସୀମିତ ସମ୍ବଳକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।

ଶିବାନନ୍ଦ ଆରୋଗ୍ୟ ମନ୍ଦିର ନାମରେ ଏକ ହୋମିଓ ଡିସ୍ପେନ୍ସାରୀ କାମ କରୁଛି । ଆୟୁର୍ବେଦ ଚିକିତ୍ସା ବ୍ୟବସ୍ଥା ପ୍ରବର୍ତ୍ତନ ନିମନ୍ତେ ଉଦ୍ୟମ ଚାଲିଛି । ଆଶ୍ରମକୁ ଆସୁଥିବା ଅନ୍ତେବାସୀମାନେ ବିଭିନ୍ନ ସମାଜସେବା କାମ କରୁଛନ୍ତି । ଗୀତା, ଭାଗବତ, ରାମାୟଣ ଏବଂ ଯୋଗ ଶିକ୍ଷା ସାଙ୍ଗକୁ ପ୍ରବଚନ କାର୍ଯ୍ୟକ୍ରମ ଚାଲିଛି ।

ଓଡିଶାରେ ବର୍ତ୍ତମାନ ମୁଖ୍ୟ ସମସ୍ୟା କଣ ଏବଂ ଏହାକୁ କିଭଳି ଉପାୟରେ ଦୂର କରାଯାଇପାରିବ?

ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱ ବନ୍ଧୁତ୍ୱର ଏକମାତ୍ର ପ୍ରତୀକ ଦେବତା । ଓଡିଶା ଦିନେ ତାର ସଂସ୍କାର, ସଂସ୍କୃତି, କଳା ଓ ସମୃଦ୍ଧି ଲାଗି ବିଶ୍ୱ ବିଖ୍ୟାତ ଥିଲା । ଆଜି ମଧ୍ୟ ଓଡିଶାରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ ।

ଓଡିଶାକୁ ଆଜି ଆବଶ୍ୟକ ସତଶିକ୍ଷା ସହିତ ସଦ୍ଭାବ । ଓଡିଶାକୁ ଆଧ୍ୟାତ୍ମିକ ଓ ଭୌତିକ ଦିଗରୁ ସମୃଦ୍ଧି କରିବାକୁ ହେଲେ ରାଜ୍ୟର ଯୁବକ ଯୁବତୀମାନେ ସତଶିକ୍ଷା ଦିଆଯିବାସହ ସେମାନଙ୍କ ଭିତରେ କିଭଳି ଅଧିକରୁ ଅଧିକ ଆତ୍ମବିଶ୍ୱାସ ଜାଗ୍ରତ କରାଯିବା ସେଥିପ୍ରତି ଦୃଷ୍ଟି ଦିଆଯିବା ବିଧେୟ ।

ଦେଶର କର୍ଣ୍ଣଧାର ଯୁବକମାନେ ପାଠ ପଢିବାପରେ ବେକାରୀ ସମସ୍ୟା ଯୋଗୁଁ ହତୋତ୍ସାହିତ ହୋଇପଡୁଛନ୍ତି । ଏହି ହୀନମନ୍ୟତାକୁ ତୁରନ୍ତ ଦୂରେଇବାକୁ ହେବ । ଏଥିନିମିତ୍ତ ଶିକ୍ଷାବିତ୍ ଓ ରାଜନେତାମାନଙ୍କୁ ସବୁମନ୍ତେ ପ୍ରୟାସ କରିବାକୁ ପଡିବ । ଆମ ରାଜ୍ୟରେ ସବୁ ଥାଇ ଆମେ ପଛୁଆ ବୋଲି ମାନ୍ୟତା ପାଇଛୁ । ଏଥିପାଇଁ ଆମ ଅଯୋଗ୍ୟତା ହିଁ ଦାୟୀ ।

ଓଡିଶାରେ ମାଓବାଦୀ ସମସ୍ୟାର ସମାଧାନର ପନ୍ଥା କ’ଣ ଓ ସରକାର ଏ ଦିଗରେ କି ପ୍ରକାର ଭୂମିକା ନେବା ଉଚିତ?

ମାଓବାଦୀ ସମସ୍ୟା ସଂପୂର୍ଣ୍ଣଭାବରେ ରାଜନେତାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ରାଜନୈତିକ ସମସ୍ୟା । ବର୍ତ୍ତମାନର ରାଜନେତାମାନଙ୍କର କୁତ୍ସିତ ମନୋବୃତ୍ତି ଏହି ମାଓବାଦୀଙ୍କ ଦ୍ୱାରା ପ୍ରଘଟ ହେଉଛି । ମାଓବାଦୀ ବା ନକ୍ସଲ୍ ଗୋଟିଏ ପଟେ ଏବଂ ସ୍ୱାର୍ଥୀ ଓ ଅବସରବାଦୀ ରାଜନେତାମାନେ ଅପର ପଟେ ରହି ନିରୀହ ଲୋକମାନଙ୍କୁ ଶୋଷଣ କରୁଛନ୍ତି ।

ଏହା ଦେଶର ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ଏହି ସମସ୍ୟାର ସମାଧାନ ନିମିତ୍ତ ସମାଜର ବିଚାରକ ଓ ବୁଦ୍ଧିଜୀବୀମାନେ ଆଗେଇ ଆସିବା ଉଚିତ । ତଥାକଥିତ ମାଓବାଦୀମାନେ ଚୀନ କିମ୍ବା ଋଷର ନୁହନ୍ତି । ଏମାନେ ସଂପୂର୍ଣ୍ଣ ଭାରତୀୟ । ତେଣୁ ସେମାନେ ଦେଶର ସାମୂହିକ ବିକାଶ ଲାଗି ସ୍ଥିର ଚିତ୍ତରେ ନିର୍ଣ୍ଣୟ କରିବା ଉଚିତ ।

ସମୟୋଚିତ ଓ ବ୍ୟବହାରିକ ଯୋଜନା ପ୍ରସ୍ତୁତକରି କାର୍ଯ୍ୟକାରୀ କଲେ ମାଓବାଦୀ ଏବଂ ରାଜନୈତିକ ସମସ୍ୟାର ସମାଧାନ ହୋଇପାରିବ ଏହା ନିଃସନ୍ଦେହ । ବର୍ତ୍ତମାନ ଏହା କେବଳ ଓଡିଶାର ସମସ୍ୟା ହୋଇ ରହିନାହିଁ ।

ଓଡିଶାର ସାମ୍ପ୍ରତିକ ଶାସନ ପଦ୍ଧତି ସମ୍ପର୍କରେ ଆପଣଙ୍କ ମତାମତ କଣ?

ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ସମ୍ପର୍କରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରେ ଗଣତନ୍ତ୍ର ନାମରେ ଚାଲିଥିବା ସ୍ୱାର୍ଥତନ୍ତ୍ରକୁ ପରମାର୍ଥ ତନ୍ତ୍ରରେ ରୂପାନ୍ତରିତ କରାଯାଇପାରିଲେ ଦେଶ ଓ ଦଶର କଲ୍ୟାଣ ସାଧିତ ହେବ ।

ଓଡିଶାର ସାଂସ୍କୃତିକ ଅବକ୍ଷୟ ପାଇଁ କେଉଁମାନେ ଦାୟୀ ଏବଂ ଏହି ସମସ୍ୟାର ସମାଧାନ କିଭଳି ଭାବେ ହେବ?

ଏହାର ମୂଳକାରଣ ହେଲା, ମଣିଷର ଆକାଂକ୍ଷା ବର୍ତ୍ତମାନ ସୀମାତୀତ ଭାବେ ବଢି ଯାଇଛି । ମଣିଷର ଆଶାକୁ ଉତ୍ତେଜିତ କରିବା ଲାଗି ମାନସିକ ଭାବେ ତା’ର ଅଭାବକୁ ବଢାଇବା ନିମିତ୍ତ ବିଭିନ୍ନ ପ୍ରକାରର ପ୍ରଚାର ମାଧ୍ୟମରେ ମଣିଷ ମନର ଅତୃପ୍ତିକୁ ବଢେଇ ଦିଆଯାଉଛି ।

ମଣିଷର ଅତୃପ୍ତ ବାସନା ବର୍ତ୍ତମାନ ହିଂସା, ମିଥ୍ୟାଚାର, ଧର୍ଷଣ ଓ ଆତ୍ମହତ୍ୟା ଇତ୍ୟାଦି ମାଧ୍ୟମରେ ପ୍ରଘଟ ହେଉଛି । ମଣିଷ ନିଜର ଦୃଷ୍ଟି ଓ ଶ୍ରବଣ ମାଧ୍ୟମରେ ବାହ୍ୟ ଜଗତରୁ ଅନେକ ସଂସ୍କାର ଆହରଣ କରିଥାଏ ।

ବର୍ତ୍ତମାନ ସମସ୍ତ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମ (ଖବରକାଗଜ, ଟେଲିଭିଜନ୍ ଓ ରେଡିଓ) ତଥା ସାହିତ୍ୟ ମାନଙ୍କରେ ଏପରି ସମ୍ବାଦ ଓ ବିଷୟବସ୍ତୁ ଉପସ୍ଥାପିତ କରାଯାଉଛି ଯାହା ଦେଖି, ଶୁଣି ଏବଂ ପଢି ମଣିଷ ସେହିଭଳି ଆଚରଣ ପ୍ରଦର୍ଶନ କରୁଛି । ତେଣୁ ତୁରନ୍ତ ଏସବୁର ନିୟନ୍ତ୍ରଣ ହେବା ଉଚିତ ।

ହିଂସା, ଦ୍ୱେଷ, ପରଶ୍ରୀକାତରତା ବର୍ତ୍ତମାନ ସମାଜରେ ବଢି ଚାଲିବାର କାରଣ କଣ?

ପାଶ୍ଚାତ ଜଗତର ପ୍ରଭାବରେ ପ୍ରଭାବିତ ହୋଇ ଆମେ ନିଜର ଗୌରବମୟୀ ପରମ୍ପରାକୁ ନଷ୍ଟ କରିବାରେ ଲାଗିଛୁ । ଏହାଦ୍ୱାରା ଭବିଷ୍ୟତରେ ମଣିଷ ସମାଜ ଭୟଙ୍କର ମାନସିକ ସମସ୍ୟାର ସମ୍ମୁଖୀନ ହେବ । ସ୍ନେହ, ପ୍ରେମ, ଶ୍ରଦ୍ଧା ଦେଖାଇବା ପାଇଁ ରହିଯିବ । ବ୍ୟକ୍ତି ଆତ୍ମକେନ୍ଦ୍ରିକ ହେବ । ଏଣୁ ଏହି ଦିଗକୁ ଅଗ୍ରସର ହେଉଥିବା ଭାରତବର୍ଷକୁ ସତର୍କତାର ସହ ରୋକିବାକୁ ପଡିବ ।

ବର୍ତ୍ତମାନ ସମାଜ ପାଇଁ ଯୁଗ୍ମ ନା ଏକକ ପରିବାରର ଆବଶ୍ୟକତା ରହିଛି?

ଭାରତୀୟ ପରମ୍ପରାରେ ବହୁ ପୂର୍ବରୁ ଯୌଥ ପରିବାର ବ୍ୟବସ୍ଥାକୁ ସ୍ୱୀକୃତି ମିଳିଛି । ବର୍ତ୍ତମାନ ପରିସ୍ଥିତିରେ ଆମେ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ । ତଦ୍ୱାରା ସମାଜରେ ପ୍ରେମ, ସ୍ନେହ, ସହୃଦୟତା ଏବଂ ପରସ୍ପର ମଧ୍ୟରେ ସହାନଭୂତି ବଢିବ ।

ବର୍ତ୍ତମାନ ସମାଜରେ ସାମାଜିକ ଅବକ୍ଷୟ କାହିଁକି ବଢି ଚାଲିଛି?

ବର୍ତ୍ତମାନ ସମାଜ ଅତି ଭୌତିକବାଦୀ ହୋଇ ମାନବୀୟ ମୂଲ୍ୟବୋଧଠାରୁ ଧିରେ ଧିରେ ଦୂରେଇ ଯିବାରେ ଲାଗିଛି । ଅର୍ଥ ଉପାର୍ଜନ, କ୍ଷମତା, କାମ ଏବଂ ଉପଭୋଗ ଲାଗି ଯେ କୌଣସି ଅନୈତିକ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉନାହିଁ । ବର୍ତ୍ତମାନର ମଣିଷକୁ ଭୌତିକ ସମୃଦ୍ଧି ସାଙ୍ଗକୁ ଆତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ବିକଶିତ ହେବା ପାଇଁ ଚେଷ୍ଟା କରିବା ଉଚିତ ।

ଅସନ୍ତୋଷ, ଅତୃପ୍ତି ସ୍ଥାନରେ ସନ୍ତୋଷ ଏବଂ ତୃପ୍ତି ଆଣିବା ଉଚିତ । ଯେହେତୁ ସମାଜରେ ଭୋଗବାଦର କୌଣସି ସୀମା ନାହିଁ । ନିଜକୁ ଭଗବାନଙ୍କର ଏକ ନିମିତ୍ତ ବିଚାରକରି ନିଜର ସମସ୍ତ ପ୍ରକାରର କର୍ମକୁ ଭଗବତ ପ୍ରେରଣାଭାବେ ଗ୍ରହଣକରି ନିଜ କଲ୍ୟାଣ, ନିଜ ପରିବାର ଓ ସମାଜର କଲ୍ୟାଣ ସହିତ ନିଜ ରାଷ୍ଟ୍ର ତଥା ସମଗ୍ର ବିଶ୍ୱର କଲ୍ୟାଣ ନିମିତ୍ତ କାର୍ଯ୍ୟ କରିବା ଉଚିତ ।

ପ୍ରେମ ବିବାହ ଓ ପ୍ରସ୍ତାବ ବିବାହ ମଧ୍ୟରୁ ବର୍ତ୍ତମାନ ସମାଜ ନିମନ୍ତେ କେଉଁ ଗୋଟିକ ଉପଯୁକ୍ତ?

ପ୍ରେମ ବିବାହ ଏବଂ ପ୍ରସ୍ତାବ ବିବାହ ଉଭୟର ଦୋଷଦୁର୍ଗୁଣ ରହିଛି । ଉଦାହରଣ ସ୍ୱରୁପ ପ୍ରେମ ବିବାହରେ ମାନସିକ ଆବେଗ, ଆର୍ଥିକ ଆବେଗ, ଦୈହିକ ଆବେଗ ଯଦି ରହିଥାଏ ତେବେ ଏହା ଗର୍ହିତ ଏବଂ ଅସଫଳ ହୋଇଥାଏ । ଏହାଛଡା ସମାଜ ନିମନ୍ତେ କଳଙ୍କର କାରଣ ହୋଇଥାଏ ।

ପ୍ରସ୍ତାବ ବିବାହ ପଛରେ ବାଳବିବାହ ଭଳି କୁପ୍ରଥା ଜଡିତ ରହିଛି । ଶିକ୍ଷିତ, ବୟସ୍କ ପୁଅ, ଝିଅଙ୍କୁ ପରସ୍ପରକୁ ବୁଝିବାର ସୁଯୋଗ ନଦେଇ ବିବାହ ନିମନ୍ତେ ବାଧ୍ୟ କରାଯିବା ଅନୁଚିତ । ତେଣୁ ଏ କ୍ଷେତ୍ରରେ ସମାଜ ସୁଧାରକମାନେ ବିଶେଷ ବ୍ୟବସ୍ଥା କରିବା ଆବଶ୍ୟକ ।

ଦେଶର ବିଭିନ୍ନ ଅଞ୍ଚଳରେ ସମ୍ପ୍ରତି ଦେଖାଦେଇଥିବା ଉଗ୍ରବାଦକୁ କିଭଳି ସମାଧାନ କରାଯାଇ ପାରିବ?

କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଉଗ୍ରବାଦ ଏବେ ମୁଖ୍ୟ ସମସ୍ୟା । ସବୁ ସ୍ଥାନରେ ଧର୍ମ ନାମରେ ବର୍ତ୍ତମାନ ଧର୍ମାନ୍ଧତା ଚାଲିଛି । ଯଦିଓ ସବୁ ଧର୍ମରେ ଇଶ୍ୱରଙ୍କ ସତ୍ତାକୁ ସମସ୍ତେ ସ୍ୱୀକାର କରନ୍ତି କିନ୍ତୁ ଧର୍ମ ସମ୍ବନ୍ଧୀୟ ଧାରଣାକୁ ଯେତେବେଳେ ଅର୍ଥ, କାମ ଓ ଅଧିକାର ପାଇଁ ପ୍ରୟୋଗ କରାଯାଏ ସେତେବେଳେ ଗୋଷ୍ଠୀ ଭିତରେ ସଂଘର୍ଷ ନିଶ୍ଚିତ ।

ଭାରତ ଏବଂ ଭାରତ ବାହାରେ ଅତୀତରେ ଧର୍ମକୁ ଆଧାରକରି ଶାସନ ବ୍ୟବସ୍ଥାର ବିସ୍ତାର ଲାଗି ଶାସକମାନେ ଉଦ୍ୟମ କରିଛନ୍ତି । ଆଜି ମଧ୍ୟ ଧର୍ମକୁ ଆଧାରକରି ସାମାଜ୍ର୍ୟବାଦୀ ଶକ୍ତି ଗୁଡିକ ନିଜ ସୀମାରେଖାକୁ ବଢାଇବାରେ ଲାଗିପଡିଛନ୍ତି । ଯେଉଁଥିପାଇଁ ଧର୍ମାନ୍ତକରଣ ଏକ ମୁଖ୍ୟ ଆୟୁଧ ହୋଇଛି ।

ସମଗ୍ର ବିଶ୍ୱ କେତେବେଳେ ହେଲେ ଗୋଟିଏ ଧର୍ମରେ ଦୀକ୍ଷିତ ହୋଇପାରିବ ନାହିଁ । ବିଭିନ୍ନତା ନିଶ୍ଚିତଭାବେ ରହିବ । ବିଭିନ୍ନତା ହେଉଛି ପ୍ରକୃତିର ବରଦାନ । ତେବେ ବ୍ୟବହାରରେ ଭିନ୍ନତା ରହିଥିଲେ ହେଁ ଆତ୍ମିୟତା ଦୃଷ୍ଟିରୁ ଏକ ହୋଇପାରିବା ଏବଂ ତାହା ସମ୍ଭବ ମଧ୍ୟ ।

ଗୋଷ୍ଠୀବାଦ, ସାମ୍ପ୍ରଦାୟିକବାଦ, ଧର୍ମାନ୍ଧତା ଓ ଧର୍ମାନ୍ତରୀକରଣ ବା ନାସ୍ତିବାଦର ବିଚାର ଦ୍ୱାରା ଆମେ ବର୍ତ୍ତମାନ ବିଶ୍ୱକୁ ସୁଖ, ଶାନ୍ତି, ସମୃଦ୍ଧି ଦେଇ ପାରିବା ନାହିଁ । ତେଣୁ ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଆଜି ସମଗ୍ର ବିଶ୍ୱକୁ ଆଖି ଆଗରେ ରଖି ଧର୍ମ ଓ ଆଧ୍ୟାତ୍ମର ବିଶ୍ଳେଷଣ କରିବା ଉଚିତ । ଅନ୍ୟପକ୍ଷରେ ଧର୍ମକୁ କଦାପି ରାଜନୈତିକ ଉଦ୍ଦେଶ୍ୟରେ ପ୍ରୟୋଗ କରିବା ଅନୁଚିତ ।

ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପି ସଭାପତି ଲାଲକୃଷ୍ଣ ଆଡଭାନୀ ପାକିସ୍ତାନର ମହମ୍ମଦ ଜିନ୍ନାଙ୍କୁ ଧର୍ମ ନିରପେକ୍ଷତାର ପ୍ରତୀକଭାବେ ବର୍ଣ୍ଣନା କରିବା ଆପଣଙ୍କ ମତରେ କେତେଦୂର ସମୀଚିନ?

ଭାରତୀୟ ରାଜନୀତି ଓ ରାଜନେତାମାନେ ବିଭିନ୍ନ ଅବସରକୁ ଦେଖି ସୁହାଇଲାଭଳି କଥା କହିବାରେ ସିଦ୍ଧହସ୍ତ । ଆଡଭାନୀ ନିକଟରେ ଯାହା ପାକିସ୍ତାନରେ କହିଲେ, ତାଙ୍କ ଦଳ ଅତୀତ କିମ୍ବା ବର୍ତ୍ତମାନ ସମୟରେ ତାହା କେଉଁଠି କହିନଥିଲା ।

ଅନ୍ୟପକ୍ଷରେ ଆଡଭାନୀ ନିଜେ କହୁଛନ୍ତି, ସେ ରଙ୍ଗନାଥାନନ୍ଦଜୀଙ୍କ ପୁସ୍ତକକୁ ପଢି ଏକଥା କହିଛନ୍ତି । ଯାହା ବୁଝା ପଡୁଛି ଏହା ଏକ ବିଭ୍ରାନ୍ତିକର ମନ୍ତବ୍ୟ । ଯାହାର ଅର୍ଥ ଦୁଇ ଦିଗରୁ ବାହାରି ପାରିବ ।

ସମାଜରେ ବର୍ତ୍ତମାନ ସାଧୁସନ୍ଥମାନଙ୍କର ଭାବମୂର୍ତ୍ତୀ କାହିଁକି ଖରାପ ହେବାରେ ଲାଗିଛି?

ସାଧୁସନ୍ଥମାନଙ୍କର ମୌଳିକ କର୍ତ୍ତବ୍ୟ ହେଲା ଭଗବତ୍ ଧର୍ମର ପ୍ରଚାର, ଆଧ୍ୟାତ୍ମିକତାର ପ୍ରଚାର, ଲୋକଙ୍କ ମନକୁ ସଜାଡିବା । ତେବେ ସାଧୁସନ୍ଥମାନେ ଯଦି ସ୍ୱେଚ୍ଛାସେବୀ ସଙ୍ଗଠନ କାର୍ଯ୍ୟରେ ମାତିବେ, ରାଜନୀତିରେ ପାଦ ଥାପିବେ, ଆତ୍ମକେନ୍ଦ୍ରିକ ହୋଇ ନିଜ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବେ, ବିଭିନ୍ନ ଗଣ ମାଧ୍ୟମକୁ ଉପଯୋଗ କରିବେ, ଅର୍ଥ ସଂଗ୍ରହରେ ମନୋନିବେଶ କରିବେ ତାହାହେଲେ ଆଧ୍ୟାତ୍ମିକ ଜଗତରେ ଫାଟ ସୃଷ୍ଟି ହେବ ।

ସାଧୁସନ୍ଥମାନେ ଦେଶର ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେବା ମୋ’ ଦୃଷ୍ଟିରେ ଠିକ୍ ନୁହେଁ । ବର୍ତ୍ତମାନ ସେମାନେ ରାଜ୍ୟସଭା ଓ ଲୋକସଭାରେ ବସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାଦ୍ୱାରା ସମାଜରେ ଭ୍ରଷ୍ଟାଚାର ଏବଂ ବ୍ୟଭିଚାର ବଢିବାରେ ଲାଗିଛି । ମୋଟାମୋଟି କହିବାକୁ ଗଲେ ଏହା ଆମ ଦେଶ ଲାଗି ଅଶୁଭଙ୍କର ।

ଆପଣଙ୍କ ସାଧନା ଏବଂ ବାର୍ତ୍ତାର ଲୋକମାନଙ୍କ ଉପରେ କିଛି ପ୍ରଭାବ ପଡୁଛି କି?

ନିଶ୍ଚିତଭାବେ ସୁଫଳ ମିଳୁଛି । ସମଗ୍ର ମାନବ ସମାଜର କଲ୍ୟାଣ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । କୌଣସି ବିଚାରଧାରାରେ ପ୍ରଭାବିତ ନହୋଇ ବାର୍ତ୍ତା ଦେଉଛି । ପ୍ରେମ ସାର୍ବଜନୀନ । ଭାରତୀୟ, ଆମେରିକୀୟ, ଜାପାନୀ ସମସ୍ତଙ୍କ ଲାଗି ପ୍ରେମର ସ୍ୱରୂପ ଏକ ।

ତେଣୁ ସତ୍ୟ, ନ୍ୟାୟ ଏବଂ ପାରସ୍ପରିକ ସହଯୋଗ ନିମିତ୍ତ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ଆମେରିକୀୟ, ଭାରତୀୟ ବ୍ୟବାହାରିକ କୋଣରୁ ଫରକ ରହିବା ସ୍ୱାଭାବିକ । ତେଣୁ ଏହି ଭିନ୍ନତାକୁ ଆମକୁ ସ୍ୱୀକାର କରିବାକୁ ହେବ ।

ମଣିଷ ମାତ୍ରକେ ମାନବୀୟ ଆବଶ୍ୟକତା ସବୁଠି ସମାନ ଏବଂ ସେହି ଆବଶ୍ୟକତାକୁ ପୂରଣ କରିବା ଲାଗି ବର୍ତ୍ତମାନ ସମଗ୍ର ବିଶ୍ୱକୁ ନିରପେକ୍ଷ ଓ ସର୍ବ କଲ୍ୟାଣକାରୀ ଦର୍ଶନ ବା ସିଦ୍ଧାନ୍ତ ନେବାକୁ ହେବ ।

ଭାରତର ଯାହା ଭଲ ଗୁଣ ରହିଛି ତାହାର ପ୍ରଚାର କରାଯିବାସହ ବିଦେଶୀମାନଙ୍କ ନିକଟରେ ରହିଥିବା ସୁଗୁଣ ସବୁକୁ ବିନା ଦ୍ୱିଧାରେ ଆହରଣ କରାଯିବା ଜରୁରୀ । ତାହାହେଲେ ଆଗାମୀ ଦିନରେ ସମଗ୍ର ବିଶ୍ୱରେ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିବ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ରାଜନୀତି, ସାକ୍ଷାତକାର, ସାଧୁସନ୍ଥ, ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ

ଓଡିଆ ସଂସ୍କୃତି ପ୍ରେମରେ ପଡିଛନ୍ତି ହଲାଣ୍ଡର ପ୍ରଫେସର

June 7, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ସ୍ୱସ୍ତି ରଂଜନ ସାହୁ

ଭୁବନେଶ୍ୱର, ଜୁନ୍ ୭ (ଓଡିଶା ଡଟ୍ କମ୍) ଓଡ଼ିଶାରେ ଓଡ଼ିଆ ଭାଷାର ଆଦର ଧିରେ ଧିରେ କମିଯାଉଥିବା ବେଳେ ସୁଦୂର ହଲାଣ୍ଡର ଜଣେ ପ୍ରଫେସର ଡ଼ଃ. ଆର୍ଲୋଗ୍ରୀଫିଥ୍ସ ଓଡ଼ିଆ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ବିଗତ ଛଅ ବର୍ଷ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାଇଁ ବୁଲୁଛନ୍ତି ।

ତାଙ୍କୁ ସାକ୍ଷାତ କରିଥିଲେ ଓଡ଼ିଶା ଡ଼ଟ୍ କମ୍ ର ସମ୍ବାଦଦାତା ସ୍ୱସ୍ତି ରଂଜନ ସାହୁ ।foreigner

ଆପଣ ଜଣେ ବିଦେଶୀ ହୋଇ ଓଡିଆ ସାହିତ୍ୟ, ସଂସ୍କୃତି ଉପରେ ଗବେଷଣା କରିବା ଲାଗି କାହିଁକି ସ୍ଥିର କଲେ?

ଓଡିଶା ସାହିତ୍ୟ ଓ ସଂସ୍କୃତିର କ୍ଷେତ୍ର ବ୍ୟାପକ । ତେବେ କୌଣସି ଅଜଣା କାରଣରୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନର ଲୋକମାନେ ଭାରତର ଏହି ଅନ୍ୟତମ ସମୃଦ୍ଧ ଭାଷା ବିଷୟରେ ବିଶେଷଭାବେ ଜାଣନ୍ତି ନାହିଁ ।

ଅର୍ଥବ ବେଦ ଉପରେ ଗବେଷଣା କରୁଥିବାବେଳେ ଏହି ବେଦର ପୋଥି କେବଳ ଓଡିଶାରେ ମିଳିବ ବୋଲି ଅବଗତ ହେଲି ଏବଂ ଏହି ସମୟରେ ଏହି ଭାଷାର ଉକ୍ରର୍ଷତା ସମ୍ପର୍କରେ ପ୍ରମାଣ ପାଇ ଏହାର ମୋହରେ ପଡିଗଲି ।

ତେଣୁ ଅଗତ୍ୟା ଲିପିରୁ ଓଡିଆ ଅକ୍ଷର ଶିଖିଲି ଏବଂ ପରେ ପରେ ଏହାର ବ୍ୟାକରଣ ଓ ଜଣେ ଓଡିଆ ବ୍ୟକ୍ତି ଅଭିନ୍ନ ଚନ୍ଦ୍ର ସାହୁଙ୍କ ଠାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ଆହରଣ କଲି ।

ବର୍ତ୍ତମାନ ଆପଣଙ୍କ ବିଷୟରେ କିଛି କୁହନ୍ତୁ?

ପେଶାରେ ମୁଁ ଜଣେ ପ୍ରଫେସର । ନାଁ ଡ଼ଃ. ଆର୍ଲୋ ଗ୍ରିଫିଥ୍ସ । ନିଉୟର୍କ ନଗରୀରେ ୧୯୭୬ ମସିହାରେ ଜନ୍ମ ନେଇଥିଲି । ଜନ୍ମ ହେବାର ମାତ୍ର ୬ମାସ ପରେ ଆମ ପରିବାର ସମ୍ପୂର୍ଣ୍ଣଭାବେ ହଲାଣ୍ଡକୁ ଉଠି ଆସିଲୁ ।

ଆପଣଙ୍କ ପରିବାର ବିଷୟରେ କିଛି କହିବେ କି?

ମୋ’ ବାପା ହଲାଣ୍ଡର ବିଶ୍ୱବିଦ୍ୟାଳୟରେ ଆଇନ ବିଷୟରେ ଅଧ୍ୟକ୍ଷତା କରନ୍ତି ଏବଂ ମା’ ଅଦାଲତରେ ବିଚାରପତି ଅଛନ୍ତି । ଦୁଇ ଭାଇ ଓକିଲାତି କରନ୍ତି । ଲାଇଡ଼େନ ବିଶ୍ୱବିଦ୍ୟାଳୟରେ ମୁଁ ସଂସ୍କୃତ ବିଭାଗରେ ପ୍ରଫେସର ଅଛି ।

ବେଦ ଉପରେ ଗବେଷଣା କରିବା ଲାଗି କାହିଁକି ସ୍ଥିର କଲେ?

ପ୍ରକୃତରେ ଅଥର୍ବ ବେଦ ଉପରେ ମୁଁ ଗବେଷଣା କରୁଛି । କାରଣ ସବୁ ବେଦ ଛପା ହୋଇଥିଲା ବେଳେ ଅଥର୍ବ ବେଦ ଛପା ହୋଇନି ।

ଆପଣ ଗବେଷଣା ପାଇଁ ଓଡ଼ିଶାକୁ କଣ ପାଇଁ ବାଛିଲେ?

ଅଥର୍ବ ବେଦ ସାଧାରଣତଃ ଦୁଇ ପ୍ରକାରର । ପଶ୍ଚିମ ଭାରତରେ ଶୌନାକା ଏବଂ ପୂର୍ବ ଭାରତରେ ପଇପଲ୍ଲାଦ ଏବଂ ଏହି ସବୁ ତଥ୍ୟ କେବଳ ଓଡ଼ିଶାରେ ହିଁ ମିଳିପାରିବ ।

ଆପଣ ଏଥିପୂର୍ବରୁ ଓଡ଼ିଶାକୁ କେବେ ଏବଂ କେତେଥର ଆସିଛନ୍ତି?

ପ୍ରଥମେ ୧୯୯୮ ମସିହାରେ ଓଡିଶାର ବାରିପଦା ନିକଟ ଗୋହିଆପାଳ ଗାଁକୁ ଆସିଥିଲି । ସେହି ଗାଁର ଶଶାଙ୍କ ଶେଖର ଉପାଧ୍ୟାୟ ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ଗବେଷଣା କାର୍ଯ୍ୟ ନିମନ୍ତେ ବର୍ତମାନକୁ ମିଶାଇ ମୁଁ ଅନ୍ୟୁନ ୭ରୁ ୮ଥର ଦେଶର ଏହି ପୂର୍ବ ରାଜ୍ୟକୁ ଆସିଅଛି ।

ଆପଣ କେଉଁ ସବୁ ପୁସ୍ତକର ସାହାଯ୍ୟ ନେଉଛନ୍ତି?

ବର୍ତ୍ତମାନ ସୁଦ୍ଧା ମୁଁ କର୍ମ ପଞ୍ଜିକା, ପହିପଲ୍ଲାଦ ସଂହିତା, ମହାଭାରତ, ଓଡ଼ିଆ ସାହିତ୍ୟର ଇତିହାସ ଆଦିର ସାହାଯ୍ୟ ନେଇଛି ।

ଓଡ଼ିଶାର କେଉଁ କେଉଁ ସ୍ଥାନ ବୁଲିଛନ୍ତି?

ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ମୁଁ ମୋର ଗବେଷଣା କରେ । ତେବେ ଓଡ଼ିଶାର ପୁରୀ, କଟକ, ନୟାଗଡ଼, ବାଲେଶ୍ୱର, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ବାରିପଦା ଆଦି ଅଞ୍ଚଳରେ ଆବଶ୍ୟକ ତଥ୍ୟ ସଂଗ୍ରହ ଲାଗି ବ୍ୟାପକଭାବେ ବୁଲିଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଆ ସଂସ୍କୃତି, ପ୍ରଫେସର, ସାକ୍ଷାତକାର, ହଲାଣ୍ଡ

ନକ୍ସଲ ସମସ୍ୟା ଦୂର ପାଇଁ ଲୋକଙ୍କ ଆସ୍ଥା ଲୋଡ

June 5, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ଲୁଲୁ ତ୍ରିପାଠୀ

କେନ୍ଦ୍ରାପଡ଼ା, ଜୁନ୍ ୫ (ଓଡିଶା ଡଟ୍ କମ୍) ଓଡିଶାର ଗ୍ରାମାଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁସିତ ଇଲାକାରେ ରହିଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ହୋଇପାରିଲେ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ହୋଇଥିବା ନକ୍ସଲ ସମସ୍ୟା ଆପେ ଆପେ ଦୂର ହୋଇଯିବ ବୋଲି ରାଜ୍ୟର ଜଣେ ଯୁବ ସାଂସଦ କହିଛନ୍ତି ।

ରାଜ୍ୟର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଉତ୍କଟ ହୋଇଥିବା ମାଓବାଦୀ ଓ ନକ୍ସଲ ସମସ୍ୟା ଦୂର କରିବାକୁ ହେଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ରାଜନେତାମାନେ ସ୍ଥାନୀୟ ଅଧିବାସୀମାନଙ୍କ ସମସ୍ୟା ଦୂର ଲାଗି ପ୍ରାଥମିକତା ଦେବାକୁ ହେବ ବୋଲି ସାଂସଦ ଖାରବେଳ ସ୍ୱାଇଁ ଓଡିଶା ଡଟ୍ କମ୍ କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ସମ୍ପ୍ରତି ରାଜ୍ୟରେ ଯେଉଁଭଳି ଭାବେ ନକ୍ସଲ ଓ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି, ତାହା ସମଗ୍ର ରାଜ୍ୟ ଓ ଜାତି ଲାଗି ଉଦ୍ବେଗର କାରଣ ବୋଲି ସ୍ୱାଇଁ କହିଛନ୍ତି ।

ସାମାଜିକ ବିକାଶରେ ପରିପନ୍ଥୀ ସାଜିଥିବା ବ୍ୟକ୍ତିମାନଙ୍କୁ ବିରୋଧ କରିବାକୁ ଯାଇ ନକ୍ସଲ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଆଶଙ୍କାକୁ ସେ ଅସ୍ୱୀକାର କରିଥିଲେ ।

ତେବେ ବନ୍ଧୁକ ମୁନରେ କ୍ଷମତା ହାସଲ କରିବା ଲାଗି ନକ୍ସଲମାନେ ଆଦିବାସୀମାନଙ୍କୁ ସର୍ବଦା ଅନୁନ୍ନତ ଅବସ୍ଥାରେ ରଖିବାକୁ ଚାହୁଁଛନ୍ତି ଓ ସେମାନେ ହିଁ ଆଦିବାସୀ ଅଞ୍ଚଳର ବିକାଶରରେ ମୁଖ୍ୟ ପରିପନ୍ଥୀ ସାଜିଛନ୍ତି ବୋଲି କହିଛନ୍ତି ।

ତେବେ ଏ ଦିଗରେ ସରକାରଙ୍କ ତ୍ରୁଟିବିଚ୍ୟୁତିକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ବାଲେଶ୍ୱର ସାଂସଦ ସ୍ୱାଇଁ କହିଛନ୍ତି ।

ସରକାରୀକଳ ଆଦିବାସୀ ଅଧ୍ୟୁସିତ ଅଞ୍ଚଳକୁ ଘନ ଘନ ଗସ୍ତ କରିବା ସହିତ ସେମାନଙ୍କ ସହିତ ଆପୋଷ ଆଲୋଚନା ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିଲେ ଆଦିବାସୀମାନଙ୍କ ଆସ୍ଥା ଭାଜନ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର ନକ୍ସଲଙ୍କୁ ବିରୋଧ କରିବାକୁ ଯାଇ ସ୍ପେସାଲ ସ୍କ୍ୱାର୍ଡ ଗଠନ କରିଥିଲେ । ମାତ୍ର କଂଗ୍ରେସ ସରକାର କ୍ଷମତାସୀନହେବା ପରେ ଯୁଦ୍ଧବିରତି ଘୋଷଣା କରିଥିଲେ । ଏହାର ସୁଯୋଗ ନେଇ ନକ୍ସଲମାନେ ପୁଣି ଥରେ ମେଳି ବାନ୍ଧିଥିଲେ ।

ଏବେ ଯେତେବେଳେ ଆନ୍ଧ୍ର ସରକାର ସେମାନଙ୍କ ସହିତ ଆଲୋଚନାକୁ ଏଡାଇ ଦେଇ ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ନକ୍ସଲମାନେ ସେମାନଙ୍କ କାର୍ଯ୍ୟକଳାପକୁ ଜୋର୍ଦାର କରିଛନ୍ତି ।

ଏପରିକି ଆନ୍ଧ୍ରପ୍ରଦେଶରେ ନକ୍ସଲମାନେ ଜୂନ୍ ୧୫ ତାରିଖ ସୁଦ୍ଧା ସରକାରଙ୍କ ସହିତ ସବୁ ସମ୍ପର୍କ ଛିନ୍ନ କରିବା ଲାଗି ଟିଆର୍ସିକୁ ଧମକ ଦେଇଛନ୍ତି । ଯଦି ଏହା ନହୁଏ , ତେବେ ସେମାନଙ୍କୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ନକ୍ସଲମାନେ ଧମକଦେଇଛନ୍ତି ।

ଏପରି ପରିସ୍ଥିତିରେ ମଧ୍ୟସ୍ଥତା ନୁହେଁ ବରଂ ସେମାନେ ଅକ୍ତିଆର କରିଥିବା ଅଞ୍ଚଳରେ ସରକାର ପ୍ରତିଶ୍ରୁତି ମୁତାବକ ବିକାଶ କରିବା ସହିତ ଆସ୍ଥାଭାଜନ ହେଲେ ଯାଇ ସ୍ଥାନୀୟ ଲୋକମାନେ ସେମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ଓ ସରକାର ସେମାନଙ୍କୁ ମୁକାବିଲାକରିବାକୁ ସମର୍ଥ ହେବେ ବୋଲି ଆଲାଏଡ ଅଫିସର ପଦବୀର ମୋହ ତ୍ୟାଗ କରି ରାଜନୀତିରେ ଝାସ ଦେଇଥିବା ସ୍ୱାଇଁ କହିଛନ୍ତି ।

ସେହିପରି ଯାଜପୁର କଳିଙ୍ଗ ନଗରରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ସେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଜମିଅଧିଗ୍ରହଣ କିମ୍ବା କାରଖାନା ଶୁଭ ଦେବା ପୂର୍ବରୁ ବିସ୍ଥାପିତ ପରିବାରଙ୍କ ସମସ୍ୟାକୁ ସରକାର ଆଗଦୃଷ୍ଟି ଦେବା ଆବଶ୍ୟକ ।

ଏବେ ପର୍ଯ୍ୟନ୍ତ ରେଙ୍ଗାଲି, ହୀରାକୁଦ ପ୍ରକଳ୍ପର ବିସ୍ଥାପିତଙ୍କୁ ନ୍ୟାୟ ମିଳିନାହିଁ । ଏପରିପରିସ୍ଥିତିରେ କଳିଙ୍ଗ ନଗର ଅଞ୍ଚଳରେ ଥିବା ବନବାସୀମାନେ ସରକାରଙ୍କୁ କିପରି ବିଶ୍ୱାସ କରିବେବୋଲି ସେ ପ୍ରଶ୍ନ ଉଠାଇଥିଲେ ।

କେବଳ ସେତିକି ନୁହେଁ, କଳିଙ୍ଗ ନଗର ପ୍ରସଙ୍ଗରେ ଗୁଇନ୍ଦା ବିଭାଗର କାର୍ଯ୍ୟଧାରାକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି ।

ସେହିପରି ନାଲକୋର ଅଂଶଧନ ବିକ୍ରି ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ବିଚାର ବିମର୍ଷକୁ ଏନ୍ଡିଏ ସରକାରଙ୍କ କାର୍ଯ୍ୟଧାରାର ଅଂଶବିଶେଷ ବୋଲି ସ୍ୱାଇଁ ଦର୍ଶାଇଛନ୍ତି ।

ଅତୀତରେ ବାମପନ୍ଥୀ ଦଳ ଏଭଳି ପ୍ରସ୍ତାବକୁ ବିରୋଧ କରିଥିବାବେଳେ ଏବେ କ୍ଷମତାରେ ଥାଇ ସେମାନେ ନିରବତା ଅବଲମ୍ବନ କରୁଥିବାରୁ ସ୍ୱାଇଁ ଓଲଟା ବିସ୍ମୟ ପ୍ରକଟ କରିଥିଲେ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ନକ୍ସଲ ସମସ୍ୟା, ମାଓବାଦୀ, ମୁଖ୍ୟମନ୍ତ୍ରୀ, ସାକ୍ଷାତକାର

ରିସ୍କ ନନେଲେ ପ୍ରଗତି ହୋଇପାରିବ ନାହିଁ

June 3, 2005 by ନିଉଜ ଡେସ୍କ Leave a Comment

ଆମେରିକା, ଜୁନ୍ ୩ (ଓଡିଶା ଡଟ୍ କମ୍), ଆମେରିକାର ମିଚିଗାନ୍ ସହରତଳି ଫାର୍ମିଙ୍ଗଟନ୍ ହିଲ୍ସ ରେ ରହୁଥିବା ଓଡିଶାର କେନ୍ଦୁଝର ଜିଲ୍ଲାର ବୈଲୋଚନ ବେହେରା

ବୈଲୋଚନ ବେହେରା । ଓଡିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମ । ପତ୍ନୀ ଓ ଦୁଇ ସନ୍ତାନଙ୍କ ସହ ବର୍ତ୍ତମାନ ଆମେରିକାର ମିଚିଗାନ୍ ସହରତଳି ଫାର୍ମିଙ୍ଗଟନ୍ ହିଲ୍ସ ଇଲାକାରେ ରହୁଛନ୍ତି । ଫାର୍ମିଙ୍ଗଟନ୍ ହିଲ୍ସ ଅଞ୍ଚଳରେ ସମୁଦାୟ ୫ ନିୟୁତ ଜନସାଧାରଣ ବସବାସ କରନ୍ତି । ଏଥିମଧ୍ୟରୁ ଓଡିଆ ପରିବାରଙ୍କ ସଂଖ୍ୟା ଅନ୍ୟୁନ ଏକ ଶହ ।

ରାଉରକେଲାର ଆର୍ଇସିରୁ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନ) ଇଲେକ୍ଟ୍ରିକାଲ୍ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ୱାନେ ଷ୍ଟେଟ୍ ୟୁନିଭରସିଟିରୁ କମ୍ପ୍ୟୁଟର ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

୨୫ ବର୍ଷ ତଳେ, ଅର୍ଥାତ ୧୯୮୦ ମସିହା ଡିସେମ୍ବର ମାସରେ ଉଚ୍ଚ ଶିକ୍ଷା ପାଇଁ ଓଡିଶା ଛାଡିଥିବା ବେହେରା ଆମେରିକାରେ ୧୯୯୬ ଏପ୍ରିଲ ରେ ଆରମ୍ଭ କରିଛନ୍ତି ସିଷ୍ଟମ୍ ଟେକନୋଲଜି ଇଣ୍ଟରନ୍ୟାସ୍ନାଲ୍ (ଏସ୍ଟିଆଇ) ନାମକ ଏକ ସୂଚନା ଓ ପ୍ରଯୁକ୍ତି କମ୍ପାନୀ ।

ବାର୍ଷିକ ହାରାହାରି ୩୦ କୋଟି ଟଙ୍କା ବ୍ୟବସାୟ କରୁଥିବା ଏହି କମ୍ପାନୀରେ ଏବେ ପ୍ରାୟ ଏକ ଶହରୁ ଅଧିକ ପ୍ରଫେସନାଲ କାମ କରୁଛନ୍ତି । ନିକଟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହି କମ୍ପାନୀର ଏକ ଡ଼େଭଲେପମେଣ୍ଟ ସେଣ୍ଟର ଖୋଲିଛନ୍ତି । ଏହି କେନ୍ଦ୍ର ହେଉଛି ଭାରତରେ ତାଙ୍କ କମ୍ପାନୀର ଏକମାତ୍ର କେନ୍ଦ୍ର । ଓଡ଼ିଶା ଡ଼ଟ୍ କମ୍ ମୁଖ୍ୟ ସଂପାଦକ ଯତୀନ୍ଦ୍ର ଦାଶଙ୍କ ସହ ତାଙ୍କର ଏକ ଦୀର୍ଘ ସାକ୍ଷାତକାର ।
ଓଡ଼ିଆ ଅନୁବାଦ : ପ୍ରଶାନ୍ତ ପଣ୍ଡା ।

ଓଡିଶାରେ କେନ୍ଦ୍ର ସ୍ଥାପନ ଲାଗି କାହିଁକି ସ୍ଥିର କଲେ? ଏହାପଛରେ ଭାବପ୍ରବଣ ସମ୍ପର୍କ ନା ଆଉ କିଛି କାରଣ ରହିଛି?

ନିଜ ରାଜ୍ୟ ଓଡିଶା ପ୍ରତି ମୋର ସବୁବେଳେ ଭାବଗତ ସମ୍ପର୍କ ରହି ଆସିଛି । ଆମ ସଭିଙ୍କ ନିମନ୍ତେ ରାଜ୍ୟର ଅବଦାନ ଯାହା ତାହାକୁ କେବେ ହେଲେ ଭୁଲି ହେବ ନାହିଁ । ଉଦାହରଣତଃ “ମାଗଣା ଶିକ୍ଷା ବ୍ୟବସ୍ଥା” ସେଥିମଧ୍ୟରୁ ଗୋଟିଏ, ଯାହା ଆମକୁ ଓଡିଶା ଯୋଗାଇ ଦେଇଛି ।

ଓଡିଶାର ପ୍ରଗତି ଓ ବିକାଶ ଲାଗି ମୋର ଅବଦାନ ନେଇ ସର୍ବଦା ହୃଦୟରେ ଅଭିଳାଷ ରହିଛି । ବ୍ୟବସାୟିକ ଦୃଷ୍ଟିକୋଣରୁ କମ୍ପାନୀ ଆରମ୍ଭ କରିବା ଲାଗି ଓଡିଶାକୁ ହିଁ ଉପଯୁକ୍ତ ବୋଲି ମଣିଲି । ଦେଶର ବାଙ୍ଗାଲୋର, ଚେନ୍ନାଇ, ମୁମ୍ବାଇ ଏବଂ ଦିଲ୍ଲୀ ଆଦି ନଗରୀ ତୁଳନାରେ ରାଜଧାନୀ ଭୁବନେଶ୍ୱରରେ ଖର୍ଚ୍ଚ ଅପେକ୍ଷାକୃତ କମ୍ ।

ମୋଟାମୋଟି କହିବାକୁ ଗଲେ ଓଡିଶାରେ ଏଥିପାଇଁ ଆଜି ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି ହୋଇଛି ।

ଏସ୍ଟିଆଇର ମୁଖ୍ୟ କାର୍ଯ୍ୟ ଗୁଡ଼ିକ କଣ ?

ଏଠାରେ ବୈଷୟିକ ପ୍ରଯୁକ୍ତି ବିଦ୍ୟା ଏବଂ ଇଂଜିନିୟରିଂ ପେଶାଗତ ସେବା, ସଫ୍ଟୱେୟାର୍ ଡେଭଲପମେଣ୍ଟରେ ଆଉଟ୍ ସୋର୍ସିଂ ସେବା, ବିଜ୍ନେସ୍ ପ୍ରୋସେସ୍, ମାର୍କେଟିଂ ଓ କ୍ରିଏଟିଭ୍ ଡିଜାଇନ୍ ଉପରେ ସେବା ପ୍ରଦାନ କରାଯାଉଛି ।

ପେଶାଗତ ଦୃଷ୍ଟିରୁ ବିଚାର କଲେ ବ୍ୟବସାୟ ପରିଚାଳନା, ଇଂଜିନିୟରିଂ ଏବଂ ବୈଷୟିକ ପରିଚାଳନା ଆଦି କ୍ଷେତ୍ରରେ ରହିଛି ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଏହା ମତେ ଏହି ଅନୁଷ୍ଠାନକୁ ଗଢି ତୋଳିବାରେ ବିଶେଷ ସହାୟକ ହୋଇଛି ।

ଆମେରିକା କିମ୍ବା ଭାରତରେ ଆପଣ ଅନ୍ୟାନ୍ୟ କଣ ସବୁ କାମ କରୁଛନ୍ତି?

ବ୍ୟବସାୟିକ କାର୍ଯ୍ୟକଳାପ ଜରିଆରେ ବିଶ୍ୱର ଯେ କୌଣସି ସ୍ଥାନରେ କର୍ମ ନିଯୁକ୍ତି ସୃଷ୍ଟି କରିବା ଏବଂ ଲୋକମାନଙ୍କୁ ସେବା ଏବଂ ସାହାଯ୍ୟ ଯୋଗାଇ ଦେବାସହ ଆର୍ଥିକ ଦୃଷ୍ଟିକୋଣରୁ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ ।

ଆପଣ ଓଡିଶାର ବିକାଶ ନିମିତ୍ତ ଚିନ୍ତା କରିଥିଲେ କି? ଯଦି ହଁ ତେବେ ତାହା କେଉଁ ରୂପରେ?

ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଲେ କିଛି ସମୟ ଭିତରେ ତାହା ସମଗ୍ର ଜାତିର ଉନ୍ନତି କ୍ଷେତ୍ରରେ ଇନ୍ଧନ ସଦୃଶ କାମ କରିଥାଏ । କାରଣ କର୍ମଚାରୀମାନେ ନିଜର ଆବଶ୍ୟକତା ପୂରଣ କରିବା ଲାଗି ସ୍ଥାନୀୟ ବ୍ୟବସାୟୀମାନଙ୍କ ସେବା ନେବାସହ ଅର୍ଥ ବିନିମୟରେ ସେମାନଙ୍କଠାରୁ ବିଭିନ୍ନ ଦ୍ରବ୍ୟ କ୍ରୟ କରୁଥିବାରୁ ସ୍ଥାନୀୟ ଅର୍ଥନୀତି ଅଧିକ ସୁଦୃଢ ହୋଇଥାଏ ।

କାର୍ଯ୍ୟତଃ ସ୍ଥାନୀୟ ବ୍ୟବସାୟୀମାନେ ସମୃଦ୍ଧିର ମାର୍ଗରେ ଆଗେଇ ଚାଲନ୍ତି । ଏହାଛଡା ନୂତନ କର୍ମ ନିଯୁକ୍ତି ବ୍ୟବସ୍ଥାର ବହୁମୁଖି ଉପାଦେୟତା ରହିଛି । ଲୋକମାନଙ୍କୁ ସାହାଯ୍ୟ ଆକାରରେ ଟଙ୍କା ଦେବା ଏକ ସାମୟିକ ପ୍ରକ୍ରିୟା ବୋଲି ମୁଁ ବିଚାର କରେ ।

ଟଙ୍କା ସରିଗଲେ ସେମାନେ ପୁଣି ନିଜର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ପୁନଶ୍ଚ ସେହି ବ୍ୟକ୍ତି ଉପରେ ନିର୍ଭର କରିବାକୁ ଦ୍ୱିଧା ପ୍ରକାଶ କରିନଥାନ୍ତି । ତେବେ କର୍ମ ନିଯୁକ୍ତି ମାଧ୍ୟମରେ ଆର୍ଥିକ ସ୍ୱାଧିନତା ଦିଆଯାଇପାରିଲେ ଏହି ସମସ୍ୟା ରହିନଥାଏ ।

ଅନ୍ୟପକ୍ଷରେ ବୃତ୍ତିଗତ କର୍ମ ନିଯୁକ୍ତି ଦ୍ୱାରା ଆର୍ଥିକ ବ୍ୟବସ୍ଥା ଅଧିକ ସୁଦୃଢ ହେବାସହ ରାଜ୍ୟର ବିକାଶ ପ୍ରକ୍ରିୟାରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ନେଇଥାଏ ।

ଓଡିଶାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆପଣଙ୍କ ମତ କଣ? ଏଥିନିମତ୍ତି କାହାକୁ ଦାୟୀ କରିବେ?

ବହୁ ଦିନ ହେଲା ରାଜ୍ୟରୁ ଦୂରରେ ରହିଥିବାରୁ ଏଭଳି ଏକ ସମ୍ବେଦନଶୀଳ ପ୍ରଶ୍ନର ଉତ୍ତର ଦେବା ବୋଧହୁଏ ଠିକ୍ ହେବ ନାହିଁ । ଦ୍ୱିତୀୟତଃ ବର୍ତ୍ତମାନ ଓଡିଶାରେ ମୋର କାର୍ଯ୍ୟ ପରିସର ସୀମିତ । ସଂକ୍ଷିପ୍ତରେ କହିବାକୁ ଗଲେ ମୋଟାମୋଟି ବ୍ୟବସାୟିକ ଜଗତ ସହ ହିଁ ମୁଁ ସଂଶ୍ଲିଷ୍ଟ ।

ଓଡିଶାର ବିକାଶ ପ୍ରକ୍ରିୟାରେ ଆପଣ କେତେଦୂର ଜଡିତ ଏବଂ ଏହା ଫଳପ୍ରସୂ ହୋଇଛି କି?

ଓଡିଶାରେ ବ୍ୟବସାୟ ଆରମ୍ଭ କରିବା ଏବଂ ଏହାକୁ ବିସ୍ତାର କରିବା ଅର୍ଥ ହିଁ ରାଜ୍ୟର ବିକାଶ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ହୋଇପଡିବା । ସ୍ୱଳ୍ପ ସମୟ ଭିତରେ ଏଠାରେ ହାସଲ କରିଥିବା ପ୍ରଗତିରେ ଆମେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଛୁ ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡିଶା ପ୍ରଗତି ନାଁ ଦୁର୍ଗତିର ମାର୍ଗରେ ପରିଚାଳିତ ହେଉଛି? ଏହି ପରିପ୍ରେକ୍ଷୀରେ ଆପଣ କୌଣସି ପରିବର୍ତ୍ତନର ଆବଶ୍ୟକତା ଲୋଡୁଛନ୍ତି କି?

ଓଡିଶାର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ମୋର ପର୍ଯ୍ୟାପ୍ତ ଜ୍ଞାନ ନାହିଁ । ସତ କହିବାକୁ ଗଲେ ପ୍ରଶାସନିକ ବ୍ୟବସ୍ଥା ବିଷୟରେ ମଧ୍ୟ ମୋ’ ନିକଟରେ କୌଣସି ତଥ୍ୟ ନାହିଁ ।

ତେବେ ସେ ଯାହା ହେଉନା କାହିଁକି ଭୁବନେଶ୍ୱରର ଏସ୍ଟିପିଆଇ ଏବଂ ବିଭିନ୍ନ ସରକାରୀ ପଦାଧିକାରୀଙ୍କଠାରୁ ପାଇଥିବା ସାହାଯ୍ୟ, ସହଯୋଗ ଆଗାମୀ ଦିନରେ ଅବିସ୍ମରଣୀୟ ହୋଇ ରହିବ ।

ଆପଣଙ୍କ ମତରେ ଓଡିଶାର ବିକାଶ ପ୍ରକ୍ରିୟାରେ ମୁଖ୍ୟ ପ୍ରତିବନ୍ଧକ କଣ?

ଜାତୀୟ ଏବଂ ଅନ୍ତର୍ଜାତିକ ବଜାରରେ ସଂଖ୍ୟାଧିକ ଗ୍ରାହକଙ୍କୁ ଆକୃଷ୍ଟ କରାଯିବା ଜରୁରୀ । ଏହାଛଡା ଓଡିଶା ନିଜର ସମ୍ବଳକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ଆବଶ୍ୟକ । ଓଡିଶା ସମ୍ପର୍କରେ ବାହାର ରାଜ୍ୟର ଲୋକମାନେ ବିଶେଷଭାବେ ଜାଣନ୍ତି ନାହିଁ ।

ଏଭଳି ପରିସ୍ଥିତିରେ ସେମାନେ ଏଠାରେ ପୁଞ୍ଜି ବିନିଯୋଗ କରିବାକୁ ସାହାସ କରିବେ ନାହିଁ । ପ୍ରଥମେ ଓଡିଶାର ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବା ଦରକାର ।

ରାଜ୍ୟକୁ କିଭଳି ଉପାୟରେ ଅଧିକରୁ ଅଧିକ ବିଦେଶୀ ପୁଞ୍ଜି ଆସି ପାରିବ ସେଥିପ୍ରତି ଯୋଜନା ପ୍ରଣୟନକାରୀମାନେ ଦୃଷ୍ଟି ଦେବା ବିଧେୟ ।
ଆପଣଙ୍କ ଦୃଷ୍ଟିରେ ପ୍ରବାସୀ ଓଡିଆମାନେ ରାଜ୍ୟର ବିକାଶ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ତୁଲାଇ ପାରିବେ କି? ଯଦି ହଁ ତେବେ ଏ ପର୍ଯ୍ୟନ୍ତ ସେମାନେ କାହିଁକି ସଫଳ ହୋଇନାହାନ୍ତି?

ପ୍ରବାସୀ ଓଡିଆଙ୍କ ନିକଟରେ ସମ୍ବଳର ଅଭାବ ନାହିଁ । ସେମାନଙ୍କ ସମ୍ବଳ ବଳରେ ରାଜ୍ୟର ବିକାଶ ନିଶ୍ଚିତଭାବେ ସମ୍ଭବପର । ଏଥିରେ କୌଣସି ଦ୍ୱିଧା ନାହିଁ ଯେ ପ୍ରବାସୀମାନେ ଓଡିଶାର ବିକାଶରେ ଅଗ୍ରଣୀ ଭୂମିକା ନେଇପାରିବେ ।

ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନର ଓଡିଶା ସମ୍ପର୍କରେ ବିଶେଷ କିଛି ଜାଣନ୍ତି ନାହିଁ । ତେଣୁ ସେମାନେ ରିସ୍କ ନେବାକୁ ଆଗଭର ହେଉନାହାନ୍ତି ।

ଦୀର୍ଘଦିନ ପରେ ଓଡିଶା ଆସିଛନ୍ତି । ଅତୀତ ଏବଂ ବର୍ତ୍ତମାନ ମଧ୍ୟରେ ଆପଣ କି ପ୍ରକାର ପାର୍ଥକ୍ୟ ଅନୁଭବ କରୁଛନ୍ତି?

ପ୍ରଥମତଃ ବର୍ତ୍ତମାନ ରାଜ୍ୟରୁ ବାହାରକୁ ଯିବା ଲାଗି ଚମତ୍କାର ବିମାନ ସେବା ଉପଲବ୍ଧ ହେଇଛି । ଦ୍ୱିତୀୟତଃ ଭୁବନେଶ୍ୱରରେ ବ୍ୟବସାୟ ଏବଂ ସମୟ କଟାଇବା ଲାଗି ପୂର୍ବାପେକ୍ଷା ଅନେକ ସାଧନ ରହିଛି ।

ଓଡିଶାର ସାମାଜିକ-ଆର୍ଥିକ ସମୃଦ୍ଧି ନିମିତ୍ତ ଆପଣଙ୍କ ଦୃଷ୍ଟିରେ କେଉଁ ବିଷୟଟି ଗୁରୁତ୍ୱପୂର୍ଣ୍ଣ?

ରାଜ୍ୟରେ ନୂତନ ବ୍ୟବସାୟ ପାଇଁ କ୍ଷେତ୍ର ଓ କର୍ମ ନିଯୁକ୍ତି ବ୍ୟବସ୍ଥାର ଅଭିବୃଦ୍ଧି ସକାଶେ ସରକାରୀ ନୀତି ବ୍ୟବସାୟୀମାନଙ୍କୁ ସୁହାଇଲା ଭଳି ହେବା ଉଚିତ ।

ବ୍ୟବସାୟ ଲାଗି ଉନ୍ନତ ମାନର ସେବା ମଧ୍ୟ ଅପରିହାର୍ଯ୍ୟ । ଏହା ହୋଇପାରିଲେ ରାଜ୍ୟର ସାମାଜିକ-ଆର୍ଥିକ ସମୃଦ୍ଧି ଅକ୍ଲେଶରେ ସମ୍ଭବ ହୋଇପାରିବ ।

ରାଜ୍ୟର ବିକାଶ କାର୍ଯ୍ୟରେ ନିୟୋଜିତ ଯୋଜନା ପ୍ରସ୍ତୁତକାରୀ, ରାଜନେତା ଏବଂ ଅନ୍ୟମାନଙ୍କ ନିମନ୍ତେ ଆପଣଙ୍କ ନିକଟରେ କି ବାର୍ତ୍ତା ରହିଛି?

(ଏ) ସବୁ ଶିଳ୍ପ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ଲାଗି ସରକାରଙ୍କୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ । ଏଥିଲାଗି ସମସ୍ତ ନୂତନ ଶିଳ୍ପଦ୍ୟୋଗୀମାନଙ୍କ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ପରିସ୍ଥିତି ଆଣିବା ଲାଗି ସବୁମନ୍ତେ ଉଦ୍ୟମ କରାଯିବ ।

ଏହାଛଡା ସେମାନେ କିଭଳି ଓଡିଶାରେ ରହିବେ ତାହା ମଧ୍ୟ ଦେଖିବାକୁ ହେବ ।

(ବି) ଭାରତ ବାହାରର ନୂଆ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ କାହିଁକି ଓଡିଶା ନଆସି ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ପୁନେ ଏବଂ ଦେଶର ଅନ୍ୟାନ୍ୟ ନଗରୀ ଆଡକୁ ମୁହାଁଉଛନ୍ତି ତାହା ମଧ୍ୟ ବୁଝିବାକୁ ପଡିବ । ତଦନୁସାରେ ଓଡିଶାର ପରିବେଶକୁ ମଧ୍ୟ ଗଢି ତୋଳିବାକୁ ହେବ ।

(ସି) କେଉଁ ପ୍ରମୁଖ ସରକାରୀ ନୀତି ଯୋଗୁଁ ସେହି ରାଜ୍ୟରେ ଏଭଳି ସମ୍ଭବ ହୋଇପାରୁଛି ତାହାକୁ ଅନୁଧ୍ୟାନ କରାଯିବା ଏକାନ୍ତ ଆବଶ୍ୟକ ।

(ଡି) ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମକୁ ମଧ୍ୟ ଅନୁକୂଳ ସରକାରୀ ନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଓଡିଶାରେ ନୂତନ ଉଦ୍ୟୋଗ ସ୍ଥାପନ ଲାଗି ଓଡିଶା ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଆଦି ସମ୍ପର୍କରେ ବିଶ୍ୱ ଦରବାରରେ ପ୍ରଚାର କରାଯିବା ଅପରିହାର୍ଯ୍ୟ ।

(ଇ) ବ୍ୟବସାୟକୁ ସରକାର ସବୁବେଳେ ପ୍ରାଥମିକତା ଦେବା ଉଚିତ । ଏହା କେବଳ ଯେ ନୂତନ କର୍ମ ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରେ ତାହା ନୁହେଁ ବରଂ ରାଜ୍ୟ ରାଜକୋଷକୁ ସମ୍ବଳ ଯୋଗାଣର ଅନ୍ୟତମ ପ୍ରମୁଖ ମାର୍ଗଭାବେ ପରିଚିତ ।

ଆପଣଙ୍କ ଦୃଷ୍ଟିରେ ବର୍ତ୍ତମାନ ଓଡିଶାର ପ୍ରଥମ ଆବଶ୍ୟକତା କଣ?

ଜାତୀୟ ଏବଂ ଅନ୍ତର୍ଜାତିକ ବଜାରକୁ ନୂତନ ବ୍ୟବସାୟୀମାନଙ୍କୁ ଆକୃଷ୍ଟ କରିବା, ନୂତନ ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ ଲାଗି ଅନୁକୂଳ ବାତାବରଣ ସୃଷ୍ଟି ସାଙ୍ଗକୁ ଉପଯୁକ୍ତ ବ୍ୟବସାୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ।

ଓଡିଶାକୁ ବିକାଶର ନୂତନ ସୋପାନକୁ ନେବା ଲାଗି ଆପଣଙ୍କ ଦୃଷ୍ଟିକୋଣରୁ କିଛି କହିବେ କି?

ମୋର ଦୃଢ ବିଶ୍ୱାସ, ଆର୍ଥିକ ବିକାଶ ଏବଂ ସଫଳତା ଦୃଷ୍ଟିରୁ ନହେଲେ ମଧ୍ୟ ଭୁବନେଶ୍ୱରକୁ ଆଉ ଏକ ବାଙ୍ଗାଲୋର ନଗରୀରେ ପରିଣତ କରାଯାଇପାରିବ । ଆଇଟି ଭିତ୍ତିଭୂମୀ, ସର୍ବନିମ୍ନ ମୂଲ୍ୟରେ ଜୀବନଧାରଣ ଏବଂ ଅନ୍ୟାନ୍ୟ ସୁଖସମ୍ପଦର ପ୍ରାଚୁର୍ଯ୍ୟ ଏଠାରେ ରହିଛି ।

ଏହାଛଡା ଦେଶର ଅନ୍ୟତମ ବୃହତ୍ ଆଇଟି ନଗରୀର ମାନ୍ୟତା ପାଇବା ଲାଗି ଭୁବନେଶ୍ୱରରେ ସମସ୍ତ ସୁବିଧାସୁଯୋଗ ମଧ୍ୟ ରହିଛି । ସ୍ୱପ୍ନକୁ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥାନୀୟ ଏବଂ ବିଦେଶୀ ବ୍ୟବସାୟୀ ଗୋଷ୍ଠୀର କିଞ୍ଚିତ ସହଯୋଗ ତଥା ସରକାର ଏବଂ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ସମୂହର ସାହାଯ୍ୟ ଜରୁରୀ ।

କେଉଁ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଛି ଏବଂ ସେହି କାରଣ ଗୁଡିକ କଣ?

ଏହି ଉତ୍ତର ଲାଗି ମୋ’ପାଖରେ ସମୂଚିତ ଜ୍ଞାନର ଅଭାବ ରହିଛି । ତେବେ ମୋର ହୃଦବୋଧ ହେଉଛି ଅନ୍ୟ ରାଜ୍ୟ ଭଳି ଆମେ ଅଧିକ ରିସ୍କ ନେଉ ନାହୁଁ । ରିସ୍କ ନନେଲେ କେବେହେଲେ କୌଣସି ରାଜ୍ୟ, ଜାତି, ଦେଶ କିମ୍ବା ସେଠାକାର ଅଧିବାସୀମାନେ ପ୍ରଗତିମାର୍ଗରେ ବଢି ପାରନ୍ତି ନାହିଁ ।

ବର୍ତ୍ତମାନ ବିଶ୍ୱ ଅର୍ଥନୀତିର ଚାବିକାଠି ରୂପେ ପରିଚିତ “ଆଉଟ୍ ସୋର୍ସିଂ’ ବ୍ୟବସ୍ଥା ଓଡିଶାରେ କାର୍ଯ୍ୟକାରୀ କରିବାର ସୁବର୍ଣ୍ଣ ସୁଯୋଗ ସମୟ ଉପନୀତ ।

ଏହାଦ୍ୱାରା ରାଜ୍ୟବାସୀ ଓଡିଶାର ଉନ୍ନତିରେ ସହାୟକ ହେବାସହ ନିଜ ଜୀବନର ମାନଦଣ୍ଡରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ ।

ଓଡିଶା ସମ୍ମୁଖିନ ହେଉଥିବା ବିଭିନ୍ନ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ସମସ୍ୟା ଗୁଡିକୁ ଦୂର କରିବାକୁ ଏହା ଏକ ଅଦ୍ୱିତୀୟ ସୁଯୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଦ୍ୱାରା ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ।

ସ୍ଥାନୀୟ ଅର୍ଥନୈତିକ ବ୍ୟବସ୍ଥାର ବିକାଶ ସାଧିତ ହେବ । ତାଛଡା ବ୍ୟବସାୟୀମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ମିଳିବ ।

ରାଜ୍ୟପାଇଁ ଅତିରିକ୍ତ ରାଜସ୍ୱ ପାଣ୍ଠି ସୃଷ୍ଟି କରାଯାଇପାରିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜନସାଧାରଣଙ୍କ ଜୀବନଯାପନ ପ୍ରଣାଳୀରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆସିପାରିବ ।

ଇସ୍ପାତ କାରଖାନା, ଭିତ୍ତିଭୂମୀ ଏବଂ କାରିଗରୀ କୌଶଳ ମଧ୍ୟରୁ ଓଡିଶା ନିମନ୍ତେ କେଉଁଟି ଗୁରୁତ୍ୱପୂର୍ଣ୍ଣ?

(ଏ) ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ରହିଛି । ରାଜ୍ୟ ଏବଂ ଜନସାଧାରଣଙ୍କ ସମୃଦ୍ଧି ଲାଗି ଆମେ ଏହାର ସୁଯୋଗ ନେବା ଜରୁରୀ । ବର୍ତ୍ତମାନର ବିଶ୍ୱ ଅର୍ଥନୀତିକୁ ବିଚାରକୁ ନେଲେ ନିଶ୍ଚିତଭାବେ ଗୋଟିଏ ଇସ୍ପାତ ପ୍ରକଳ୍ପ ସ୍ୱାଗତଯୋଗ୍ୟ । ଏହାଦ୍ୱାରା ଅଧିକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ।

(ବି) ତେବେ ମୋ’ ଦୃଷ୍ଟିରେ ଖଣିଜ ସମ୍ପଦଠାରୁ କାରିଗରୀ କୌଶଳର ସ୍ଥାନ ଉଦ୍ଧ୍ୱର୍ରେ । କାରଣ ମଣିଷ ଏହାକୁ ବିକାଶ ଏବଂ ନିୟନ୍ତ୍ରଣ ମଧ୍ୟ କରିଥାଏ । ଏହାର କୌଣସି ନିର୍ଦ୍ଧିଷ୍ଟ ସୀମା ନାହିଁ । କୌଣସି ଭୌଗଳିକ କିମ୍ବା ପରିବେଶର ପ୍ରଭାବ ଏହା ଉପରେ ପଡେ ନାହିଁ ।

ଓଡିଶାରେ ଲୋକବଳ ଏବଂ ଦକ୍ଷତାର ପର୍ଯ୍ୟାପ୍ତ ଶକ୍ତି ରହିଛି । ଭିତ୍ତିଭୂମୀ ଏବଂ କାରିଗରୀ କୌଶଳ ବିଦ୍ୟାର ବିକାଶ ସାଧନ ହୋଇପାରିଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରିବେ ବୋଲି ମୁଁ ଭାବୁଛି ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: କେନ୍ଦୁଝର, ପ୍ରଗତି, ବୈଲୋଚନ ବେହେରା, ସାକ୍ଷାତକାର

ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା

May 22, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଓସାକା,ଜାପାନ ମଇ ୨୨ (ଓଡିଶା ଡଟ୍ କମ୍) ଓଡିଶାର ପୁରୀ ସହରର ଜଣେ ସ୍ନାତକ ଡିଗ୍ରୀଧାରୀ ବ୍ରାହ୍ମଣ ଓଡିଆ ଯୁବକ ସୁଦୂର ଜାପାନରେ ପହଞ୍ଚି ମାତ୍ର ୧୦ ବର୍ଷ ମଧ୍ୟରେ ସେଠାରେ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ ।

ଦୃଢ ଇଚ୍ଛାଶକ୍ତି, କଠୋର ଶ୍ରମ ଏବଂ ସମର୍ପଣଭାବକୁ ପାଥେୟକରି ଏହି ଯୁବକ ଜଣକ ବର୍ତ୍ତମାନ କେବଳ ନିଜ ପାଇଁ ନୁହେଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କିଭଳି ବୃଦ୍ଧି ପାଇବ ସେଥିଲାଗି ଚଳାଇଛନ୍ତି ଅହରହ ସଂଗ୍ରାମ । ତାଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ମୁଖ୍ୟ ସଂପାଦକ ଯତୀନ୍ଦ୍ର ଦାଶଙ୍କ ଦୀର୍ଘ ସାକ୍ଷାତକାର ।

ଠିକ୍ ଦଶ ବର୍ଷ ତଳେ ଶ୍ରୀକାନ୍ତ କୁମାର ଦାଶ (କୁନା) ଓଡିଶାର ଶ୍ରୀକ୍ଷେତ୍ର ରୂପେ ପରିଚିତ ପୁରୀ ସହରର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ । ତିନିଭାଇ, ଦୁଇ ଭଉଣୀ ଏବଂ ବାପା,ମାଙ୍କୁ ନେଇ ମଧ୍ୟମ କିସମର ଏକ ଛୋଟ ପରିବାର ।

ପରିବାରର ଦୈନିକ ଗୁଜୁରାଣ ମେଣ୍ଟାଇବା ଲାଗି ଘରର ମୁରବି ଚନ୍ଦ୍ରଶେଖର ଦାଶ ପ୍ରାୟ ଚାଳିଶି ବର୍ଷ ପଛରେ ସେହି ପବିତ୍ର ମାଟିରେ ସ୍ଥାପନ କରିଥିଲେ “ହୋଟେଲ୍ ସାନ୍ତ୍ୱନା” । ମନକୁ ଛୁଇଁଲାଭଳି ଆତିଥ୍ୟ, ପାଟିରୁ ଲାଳ ଗଡିଲା ଭଳି ସୁସ୍ୱାଦୁ ଖାଦ୍ୟ, ସର୍ବୋପରି ମନଲୋଭା ପରିବେଶ ଲାଗି ଖୁବ୍ କମ୍ ସମୟ ଭିତରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିଲା ଏହି ଅନୁଷ୍ଠାନ ।

ମୋଟାମୋଟି କହିବାକୁ ଗଲେ, ସେହି ହୋଟେଲରେ ଏକ କ୍ଷୁଦ୍ର ବିଶ୍ୱର ଛବି ପ୍ରତିଫଳିତ ହେଉଥିଲା ପ୍ରାୟତଃ ସବୁଦିନ । ସମୟ ଗଡି ଚାଲିଥାଏ । ଦାଶ ପରିବାରର ମୁରବିଙ୍କଠାରୁ ଆରମ୍ଭକରି ପ୍ରତ୍ୟେକ ସଦସ୍ୟ ବିଶ୍ୱ ବାତାବରଣସହ ନିଜ ଅଜ୍ଞାତରେ ଜଡିତ ହୋଇପଡୁଥାନ୍ତି ।

ବିଶେଷକରି ଜାପାନର ପର୍ଯ୍ୟଟକମାନଙ୍କର ପଦ ସ୍ପର୍ଷରେ ହୋଟେଲର ପ୍ରତିଟି କକ୍ଷ ଅଧିକରୁ ଅଧିକ ଜୀବନ୍ତ ହୋଇ ଉଠୁଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବାରୁ ହିନ୍ଦୁମାନଙ୍କ ଜୀବନଶୈଳୀସହ ବେଶ୍ ଖାପ ଖାଉଥାଏ ।

ଅପରପକ୍ଷରେ ଏହି ପର୍ଯ୍ୟଟକମାନଙ୍କ ବିଷୟରେ ଜ୍ଞାନ ଆହରଣ ଲାଗି ଶ୍ରୀକାନ୍ତଙ୍କ ମନରେ ପ୍ରତିଦିନ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଥାଏ । ସେଥିପାଇଁ ସେ ଜାପାନୀ ଭାଷାକୁ ନିଜ ଦଖଲକୁ ନେବାପାଇଁ ଉଦ୍ୟମ ଆରମ୍ଭ କରନ୍ତି । ସ୍ୱଳ୍ପ ସମୟର ଅବଧି ମଧ୍ୟରେ ସଫଳତା ମଧ୍ୟ ପାଆନ୍ତି ।

ଶେଷରେ ଏହି ଯୁବକ ଜଣକର ଦୃଢ ଇଚ୍ଛାଶକ୍ତି ଏବଂ ଚଲାପଥରେ ପୁଷ୍ପ ବୃଷ୍ଟି କରିବାକୁ କଳାଠାକୁର କୃପା କରନ୍ତି ।

“ସେ ଦିନ ଥିଲା ୧୯୯୩ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ” । “ଜାପାନ ଯାତ୍ରାର ଅୟମାରମ୍ଭ” । “ସେତେବେଳେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର କହିଲେ ନିକଟରେ ଥାଏ ମାତ୍ର ଖଣ୍ଡିଏ ସ୍ନାତକ ଡିଗ୍ରୀ । ଭାରତରେ ଉଚ୍ଚଶିକ୍ଷାର ଡୋରି ବାନ୍ଧିଲି” । “ଜାପାନ ଯାତ୍ରା ପୂର୍ବରୁ ମୋ’ ମନ ଭିତରେ ଭରି ଯାଇଥାଏ ପ୍ରବଳ ଉନ୍ମାଦନା ଏବଂ ଅସୁମାରି ଉତ୍ସାହ” ବୋଲି ଓଡିଶା ଡଟ୍ କମ୍ କୁ କହନ୍ତି ଶ୍ରୀକାନ୍ତ ।

ପ୍ରଥମ ଦେଖାରେ ଜାପାନ ପ୍ରତି ମନରେ ପ୍ରେମିକାର ମଧୁର ଧାରଣା ସୃ୍ଷ୍ଟି ହୋଇଥିଲା । ତେଣୁ ସେହି ମାଟିର ମୋହରେ ପଡିଗଲି । ବଞ୍ଚିବାକୁ ଏବଂ ଘନିଷ୍ଠତା ବଢାଇବାକୁ ହେଲେ ଭାରତର କିଛି ନୂଆଁ ଜିନିଷ ଜାପାନରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି । ଶେଷରେ ପିତାଙ୍କ ପସନ୍ଦର ସେହି “ସାନ୍ତ୍ୱନା’ ନାଁକୁ ଆଶ୍ରାକରି ଓସକା ନଗରୀରେ ଆରମ୍ଭ କଲି ଏକ ରେସ୍ତୋରାଁ ବୋଲି ସେ କହନ୍ତି ।

ରେସ୍ତୋରାଁରେ ଜାପାନୀ ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଲା । ଭାଗ୍ୟଦେବୀଙ୍କ କୃପାରୁ ହାତଗଣତି ଦିନ କେତୋଟି ମଧ୍ୟରେ ରେସ୍ତୋରାଁକୁ ଶହ ଶହ ଜାପାନୀଙ୍କ ଧାଡି ଲାଗିଲା । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ” ପେଟ ପୂଜା ଲାଗି ସାନ୍ତ୍ୱନାରେ ମିଳୁଛି ବଢିଆ ଖାଦ୍ୟ” ।

ପ୍ରଥମେ ଦେଢ ଶହ, ପରେ ଦୁଇ ଶହ ଏଭଳି ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଲା । ଅବଶ୍ୟ ଏହି ସଂଖ୍ୟା ସେତେବେଳେ ଥିଲା ଅତି ନଗଣ୍ୟ । ହେଲେ ଆଠ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓସକା ନଗରୀରେ ସାନ୍ତ୍ୱନାର ନାମ ପ୍ରଚାର କରିବାରେ ଏହି ଗ୍ରାହକମାନେ ଜଣେ ଜଣେ ରାଷ୍ଟ୍ରଦୂତର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି ।

ଅନ୍ୟପକ୍ଷରେ ଦିନ ବିତିବାରେ ଲାଗିଲା ଏବଂ ସାନ୍ତ୍ୱନା ରେସ୍ତୋରାଁର ସଂପୂର୍ଣ୍ଣ ଭାରତୀୟ ଖାଦ୍ୟଦ୍ରବ୍ୟର ମହକରେ ବିମୋହିତ ଜାପାନୀମାନେ ଭାରତ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ଲାଗି ଉତ୍ସୁକତା ପ୍ରକାଶ କଲେ । ସେହି ଦିନଠାରୁ ଆରମ୍ଭ ହେଲା ଭାରତ-ଜାପାନ ମଧ୍ୟରେ ଅଣଆନୁଷ୍ଠାନିକ ସମ୍ପର୍କ ।

ଛୁଟି ବିତାଇବା ପାଇଁ ଭାରତକୁ ଧାଇଁଲେ ବହୁ ସଂଖ୍ୟକ ଜାପାନୀ ପର୍ଯ୍ୟଟକ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବଢିବାରେ ଲାଗିଲା । ଓସାକା ନଗରୀରେ ସମ୍ପ୍ରତି ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଓଡିଆମାନଙ୍କ ସଂଖ୍ୟା ହାତଗଣତି । ମାତ୍ର ପାଞ୍ଚଟି ଓଡିଆ ପରିବାର ସେଠାରେ ରହୁଛନ୍ତି ।

ବିଗତ ଦଶ ବର୍ଷର ରହଣୀ କାଳ ମଧ୍ୟରେ ଶ୍ରୀକାନ୍ତଙ୍କ ବନ୍ଧୁ ତାଲିକାରେ ନାଁ ଲେଖାଇଛନ୍ତି ଅସଂଖ୍ୟ ଭାରତୀୟ ଓ ଜାପାନୀ । ନିଜ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ନିମିତ୍ତ ୨୦୦୪ ଏପ୍ରିଲ୍ ପହିଲାରେ ଓସାକା ନଗରୀରେ ସେ ସ୍ଥାପନ କରିଛନ୍ତି ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ କ୍ଲବ ।

ଭାବର ଆଦାନପ୍ରଦାନ ନିମିତ୍ତ ଶିକ୍ଷାର ଗୁରୁତ୍ୱ ଏବେ ବେଶ ହୃଦୟଙ୍ଗମ କରିପାରିଛନ୍ତି ଶ୍ରୀକାନ୍ତ । ଦୁଇ ଦେଶର ସାଂସ୍କୃତିକ କାର୍ଯ୍ୟକଳାପର ସେତୁ ରୂପେ କାର୍ଯ୍ୟ କରୁଛି ତାଙ୍କ ଦ୍ୱାରା ପୁରୀରେ ସ୍ଥାପିତ ଚନ୍ଦ୍ରଶେଖର ଏକାଡେମୀ ।

ଜାପାନୀମାନଙ୍କ କଠୋର ପରିଶ୍ରମ ଏବଂ ଦେଶ ପ୍ରତି ସମର୍ପଣ ଭାବକୁ ଭୂୟସୀ ପ୍ରଶଂସା କରୁଥିବା ଶ୍ରୀକାନ୍ତ କହନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର ଅନ୍ୟତମ ଧନଶାଳୀ ରାଷ୍ଟ୍ରର ମାନ୍ୟତା ତାଲିକାରେ ସ୍ଥାନ ପାଇଥିବା ଜାପାନୀମାନଙ୍କ ଦୂରଦୃଷ୍ଟି କୋଣର ବିକଳ୍ପ ନାହିଁ ।

ଅନୁରୂପ ଶ୍ରମ ଏବଂ ସମର୍ପଣଭାବ ଭାରତୀୟମାନଙ୍କ ହୃଦୟରେ କିଭଳି ଜାଗ୍ରତ ହେବ ସେଥିଲାଗି ବିଗତ କିଛି ବର୍ଷ ହେଲା ସେ ଉଦ୍ୟମ ଚଳାଇ ଆସୁଛନ୍ତି । ଉଦ୍ୟମର ପ୍ରଥମ ପାଦରେ ଜନ୍ମ ନେଇଛି ଗତ ୨୦୦୪ ମସିହା ଜୁଲାଇ ୪ ତାରିଖ ଦିନ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବାଲିଘାଇ ନିକଟରେ ଚନ୍ଦ୍ରଶେଖର ଏକାଡେମୀ ।

ଏହି ଅନୁଷ୍ଠାନକୁ ଯିବା ନିମନ୍ତେ ପୁରୀରୁ ମାତ୍ର ୧୫ ମିନିଟ୍ ତଥା ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ନିକଟରୁ କେବଳ ୪୫ ମିନିଟ୍ ବ୍ୟୟ କରିବାକୁ ପଡୁଛି ।

ଇଂରାଜୀ ଶିଖିବା ଲାଗି ଜାପାନୀମାନେ ମୁଖ୍ୟତଃ ପାଶ୍ଚାତ ରାଷ୍ଟ୍ର ଗୁଡିକ ଉପରେ ନିର୍ଭର କରିଥାନ୍ତି । ତେବେ ଏହି କାର୍ଯ୍ୟ ସକାଶେ ସେମାନଙ୍କୁ ପକେଟରୁ ଅଧିକ ଅର୍ଥ ଶ୍ରାଦ୍ଧ କରିବାକୁ ପଡିଥାଏ । ତେଣୁ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ କ୍ଲବ୍ ଜରିଆରେ ଇଂରାଜୀ ଶକ୍ଷା ନିମିତ୍ତ ଆଗ୍ରହୀ ଜାପାନୀମାନଙ୍କୁ ଗ୍ରୀଷ୍ମ ଓ ଶୀତ ଅବକାଶରେ ଏଠାକୁ ପ୍ରେରଣ କରାଯାଉଛି ।

ଅନ୍ୟପକ୍ଷରେ ଏହାଦ୍ୱାରା ଭାରତ-ଜାପାନ ମଧ୍ୟରେ ବିଦେଶୀ ମୁଦ୍ରାର ଅନୁପାତରେ ଅକ୍ଲେଶରେ ସମନ୍ୱୟ ରକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି କହନ୍ତି ସେ ।

ଏହାଛଡା ସି.ଏସ୍.ଏକାଡେମୀ ଜାପାନୀରେ ଭାଷା ସମ୍ପର୍କରେ ଶିକ୍ଷା ଦେବାପାଇଁ ଏହାର ପରିଚାଳନା ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଗାମୀ ଦିନରେ ଭାରତରେ ଖୋଲିବାକୁ ଯାଉଥିବା ବିଭିନ୍ନ କମ୍ପାନୀମାନଙ୍କରେ ନିଯୁ୍କ୍ତି ପାଇବାର ସୁଯୋଗ ଲାଭ କରିବେ ଏଠାକାର ଶିକ୍ଷାର୍ଥୀଗଣ ।

ସେଭଳି ଜାପାନୀଭାଷା ଏବଂ ବୈଷୟିକ ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷାର୍ଥୀମାନଙ୍କୁ ଅଧିକ ଦକ୍ଷ କରାଇବା ଏବଂ ଉଜ୍ୱଳ ଭବିଷ୍ୟତ ଗଠନ ଲାଗି କିଭଳି ଜାପାନ ପଠା ଯିବାର ବନ୍ଦୋବସ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସି.ଏସ୍.ଏ.ର ସଭାପତି ପନ୍ଥା ଅନ୍ୱେଷଣରେ ଲାଗି ପଡିଛନ୍ତି ।

୫ ଏକର ପରିମିତ ଅଞ୍ଚଳକୁ ନେଇ ଇକୋ-ଫ୍ରେଣ୍ଡଲି ପରିବେଶ ମଧ୍ୟରେ ଗଠିତ ଏହି ଅନୁଷ୍ଠାନରେ ସବୁ ପ୍ରକାରର ଆଧୁନିକ ସୁଖସ୍ୱାଚ୍ଛନ୍ଦ୍ର ରହିଛି । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅନୁପାତ ହାର ୧:୧୫ ଧାର୍ଯ୍ୟ କରାଯାଇଛି ।

“ପ୍ରତିବର୍ଷ ଥରେ କିମ୍ବା ଦୁଇଥର ଭାରତକୁ ଆସିଥାଏ” ।”ପରିବାରର ସଦସ୍ୟମାନଙ୍କ ସହ ଦିନ କାଟିବା ସହ ବ୍ୟବସାୟ ଏବଂ ଏକାଡେମୀର ଭଲମନ୍ଦ ବୁଝିଥାଏ ବୋଲି କହନ୍ତି ଶ୍ରୀକାନ୍ତ ।

ଗୁଜୁରାଟ ଭୂମିକମ୍ପବେଳେ ଜାପାନରୁ ବିଭିନ୍ନ କିସମର ଲୁଗାପଟା ସଂଗ୍ରହକରି ଭାରତକୁ ନିଜ ଭାଇ,ଭଉଣୀମାନଙ୍କ ଜରିଆରେ ପଠାଇଥିଲେ ସେ ।

ଶ୍ରୀକାନ୍ତଙ୍କ ମତରେ ଭାରତରେ ପ୍ରଚୁର ସମ୍ପଦ ରହିଛି । ଖଣି, ଜଙ୍ଗଲ, ନଦୀ, ନାଳ, ସାଗର ଏବଂ ଲୋକବଳର କୌଣସି ଅଭାବ ନାହିଁ । ତେବେ ଏ ସବୁ ସମ୍ପଦର ସଠିକ୍ ବିନିଯୋଗ ହୋଇପାରୁନାହିଁ । ସମ୍ବଳର ବିନିଯୋଗ ଲାଗି ଆମ ନିକଟରେ ଉଦ୍ୟୋଗ ମଧ୍ୟ ରହିଛି ।

ତେବେ ଏହି ସବୁ କିଭଳି ସଠିକ୍ ମାର୍ଗରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଆମ୍ଭେମାନେ ସଚେତନ ହେବା ଏକାନ୍ତ ଜରୁରୀ । ତାଛଡା ଏକତା ହିଁ ପ୍ରତ୍ୟେକ ଶକ୍ତିର ମୂଳ ଆଧାର । ଭାରତକୁ ଧନୀ ଓ ସମୃଦ୍ଧିଶାଳୀ ରାଷ୍ଟ୍ରର ମାନ୍ୟତା ଦେବାପାଇଁ ସମସ୍ତ ଭାରତୀୟ ଗୋଟିଏ ଛାତ ତଳେ ଏକତ୍ରିତ ହେବାର ଆବଶ୍ୟକତା ରହିଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓସାକା, ଜାପାନ, ସାକ୍ଷାତକାର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ