• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଶିକ୍ଷା

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

December 8, 2019 by ଓଡିଶା ଡଟ କମ Leave a Comment

ନୂଆପଡ଼ା, ଡିସେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍) : ବାପା ମାନସିକ ଅନଗ୍ରସର ଆଉ ମା ଜଣେ ଦାଦନ ଶ୍ରମିକ, ଏଭଳି ଏକ ପରିବାରର ଜଣେ ଦିବ୍ୟାଙ୍ଗ ପୁଅ ରବି ଶବରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

ନିଜ ଶାରୀରିକ ଅନଗ୍ରସରତାକୁ ପଛରେ ପକାଇ ଦିବ୍ୟାଙ୍ଗଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ନୂଆପଡ଼ା ଜିଲ୍ଲାର ଏକ ଅଖ୍ୟାତ ଗାଁର ରବି ଗତ ୩ ତାରିଖ ଭିନ୍ନକ୍ଷମ ଦିବସ ଅବସରରେ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି।

ରବିଙ୍କୁ ରାଜ୍ୟ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ଏହାପରେ ସାମ୍ନାକୁ ଆସିଛି ନୂଆପଡ଼ାରେ ଥିବା ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟର ନାଁ।

ଏଯାଏ ସରକାରୀ ଅନୁଦାନ ପାଇନଥିବା ଏହି ସ୍କୁଲ୍ ଏବେ ନୂଆପଡ଼ା ଭଳି ଏକ ଉପାନ୍ତ ଜିଲ୍ଲାର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆଶାର କିରଣ ପାଲଟିଛି।

୨୦୦୦ ମସିହା ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସରେ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ।

ରେଡକ୍ରସ୍ ସୋସାଇଟି ଏଥିପାଇଁ ସହଯୋଗର ହାତ ବଢ଼ାଇଥିଲା।

ସେହିଦିନଠାରୁ ଏହି ବିଦ୍ୟାଳୟ ରେଡକ୍ରସ ପକ୍ଷରୁ ହିଁ ପରିଚାଳିତ ହେଉଛି ଆଉ ଏଥିପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିଆସୁଛନ୍ତି।

ଏହି ସ୍କୁଲର ବିଶେଷତ୍ବ ହେଲା, ଏଠାରେ ୬ରୁ ୧୮ ବର୍ଷ ବୟସର ପିଲା ଶିକ୍ଷାଗ୍ରହଣ କରନ୍ତି।

ସ୍କୁଲ ଛାଡ଼ିଲା ପରେ ସେମାନେ କିଭଳି ଅନ୍ୟର ସହଯୋଗ ନଲୋଡ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ତାରି ଉପରେ ଏଠାରେ ଗୁରୁତ୍ବ ଦିଆଯାଏ ବୋଲି କହନ୍ତି ଏହାର ଅଧ୍ୟକ୍ଷା ରାଜେଶ୍ବରୀ ସାମନ୍ତ।

ରାଜେଶ୍ବରୀ କହିଛନ୍ତି ଯେ, ସ୍କୁଲ୍ ଆରମ୍ଭ ହେବା ସମୟରୁ ହିଁ ପିଲାମାନେ କାଗଜ ବ୍ୟାଗ ଓ ଠୁଙ୍ଗା ତିଆରି ସମେତ ଗୋପାଳନ ଶିଖୁଥିଲେ ଆଉ ଏବେ ଏହି ସ୍କୁଲରେ ୫୦ ଜଣ ପିଲା ଅଛନ୍ତି ଓ ସେମାନଙ୍କୁ ଚକଖଡ଼ି ତିଆରି ସମେତ ବଗିଚା କାମ ତଥା ଚାଷବାସ ଲାଗି ପ୍ରଶିଷଣ ଦିଆଯାଉଛି।

ସବୁଠାରୁ ବଡ଼କଥା ହେଉଛି, ଏଠାକୁ ଆସୁଥିବା ପିଲାମାନେ ମାନସିକ ଭାବେ କିଭଳି ଦୃଢ଼ ହେବେ ଓ ତାକୁ ପୁଞ୍ଜି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।

ଏମାନଙ୍କୁ ପ୍ରାୟ ପ୍ରତିଦିନ ମନସ୍ତତ୍ତ୍ବବିତଙ୍କ ପରାମର୍ଶ ଦିଆଯାଉଛି।

ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଏହି ସ୍କୁଲପିଲାଙ୍କର କୃତିତ୍ବ ବି କମ୍ ନୁହେଁ।

ଏଠାକାର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ଆଣିଛନ୍ତି।

କେବଳ ଏତିକି ନୁହେଁ, ୧୮ ବର୍ଷ ପରେ ଅନାଥ ପିଲାମାନଙ୍କୁ ଏଠାରେ ଆଶ୍ରୟ ଦିଆଯିବା ସହ ସେମାନେ ନିଜ ଉଦ୍ୟମରେ ଏହି ସ୍କୁଲ ପରିସରରେ କିଛି ନା କାମ କରୁଛନ୍ତି।

ଏହିଭଳି ୧୨ ଜଣ ଅନାଥ ପିଲା ଏବେ ସ୍କୁଲରେ ହିଁ ରହୁଛନ୍ତି।

ଯେଉଁ ପିଲାମାନେ ଏହି ସ୍କୁଲରୁ ବାହାରୁ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛି ନା କାମ କରି ଗୁଜୁରାଣ ମେଣ୍ଟାଉଥିବା ରାଜେଶ୍ବରୀ ସୂଚନା ଦେଇଛନ୍ତି।

ନୂଆପଡ଼ା ଭଳି ଜାଗାରେ ବିନା ସରକାରୀ ଅନୁଦାନରେ ଭିନ୍ନକ୍ଷମଙ୍କ ଲାଗି ଏଭଳି ଏକ ସ୍କୁଲ୍ ଚଳାଇବା କମ୍ କଷ୍ଟକର କଥା ନୁହେଁ, ତେବେ ତାକୁ କରି ଦେଖାଇଛନ୍ତି ଏହି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳକମାନେ।

ସେମାନଙ୍କ ଆଶା, ଦିନେ ନା ଦିନେ ସ୍କୁଲ୍ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ।

ଲୋକାଲ ୱାୟାର ସୌଜନ୍ୟରୁ

Filed Under: ଜଣା ଅଜଣା, ଶିକ୍ଷା

ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

May 14, 2018 by ଘାସିରାମ ପଣ୍ଡା Leave a Comment

ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ ପରିସଂଖ୍ୟନରୁ ଜଣାପଡେ ଯେ, ୨୦୦୭ – ୦୮ ଶିକ୍ଷା ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୪୩ ଲକ୍ଷ ୯୨ ହଜାର ପିଲା ପଢୁଥିବା ବେଳେ ୨୦୧୪ – ୧୫ ବେଳକୁ ଏହା ୪୨ ଲକ୍ଷ ୨୪ ହଜାରକୁ ଖସି ଆସିଛି ।

ଅପର ପକ୍ଷରେ ୨୦୦୭ -୦୮ ବେଳକୁ ଘରୋଇ ବିଦ୍ୟାଳୟରେ ୨ ଲକ୍ଷ ୨୨ ହଜାର ପିଲା ଥିଲେ ଯାହା ୨୦୧୪ – ୧୫ ବେଳକୁ ୪ ଲକ୍ଷ ୭୭ ହଜାରକୁ ବୃ୍ଦ୍ଧି ପାଇଛି ।

ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗତ ବିଧାନସଭା ଅଧିବେଶନରେ ଶିକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ବିଗତ ୬ ବର୍ଷ ଭିତରେ ପ୍ରାଥମିକ ବିଦ୍ୟାଲୟରେ ନାମଲେଖା ହାର ୩.୬୯ ପ୍ରତିଶତ କମିଛି ଓ ସମାନ ସମୟରେ ଘରୋଇ ବିଦ୍ୟାଳୟରେ ୧୪.୩୧ ପ୍ରତିଶତ ବଢିଛି । ‎କ୍ରମଶଃ ଅଧିକରୁ ଅଧିକ ପିଲାଙ୍କୁ ସାମିଲ କରୁଥିବା ଏହି ଘରୋଇ ବ‎୍ୟବସ୍ଥାକୁ କିନ୍ତୁ ପିଲାମାନଙ୍କର ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ ପରିସରକୁ ସକ୍ରିୟ ଭାବେ ଅଣାଯାଇ ପାରିନାହିଁ ।
ସ୍ୱଚ୍ଛଳ ବର୍ଗର୍ଙ୍କ ସାମାଜିକ ପ୍ରତିପତ୍ତିକୁ ପୁଞୀ କରି ଘରୋଇ ବିଦ୍ୟାଳୟ କାୟା ବିସ୍ତାର କରୁଛନ୍ତି ।

ଆର୍ଥିକ ସ୍ୱଚ୍ଛଳ ଓ ଗରିବଙ୍କ ମଧ୍ୟରେ ତଫାତ ରଖୁଥିବା ଏହିସବୁ ବିଦ୍ୟାଳୟମାନଙ୍କରେ ସାମାଜିକ ଅସମାନତା, ସାମଗ୍ରୀକ ବିକାଶ ଭଳି ସାମ୍ବୀଧାନିକ ମୂଲ୍ୟବୋଧକୁ ହେୟ ମନେକରାଯାଉଛି । ଶିକ୍ଷା ଅଧିକାର ଆଇନ, ୨୦୦୯ ପ୍ରବର୍ତ୍ତନ ପରେ ଘରୋଇ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକତା ଓ ବିବିଧାତାକୁ ବଜାୟ ରଖିବାନେଇ ସ୍ପଷ୍ଟ ଆଇନଗତ ପ୍ରାବଧାନ ଥିବା ସତ୍ତେ୍ୱ ପ୍ରଶାସନ ଏମାନଙ୍କୁ ନିୟନ୍ତ୍ରିତ କରିବାରେ ବିଫଳ ହେଉଛି ।

ଅଭିଭାବକମାନେ ମଧ୍ୟ ବାହ୍ୟ ଆଡମ୍ବରରେ ମୋହିତ ହୋଇ ବିଦ୍ୟାଳୟର ଆଇନଗତ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି ଓ ପରେ ପିଲାର ଭବିଷ୍ୟତ ପ୍ରଭାବିତ ହେଉଛି । ଶିକ୍ଷା ଅଧିକାର ଆଇନ, ୨୦୦୯ ଧାରା ୧୮ ଅନୁଯାୟୀ ପ୍ରତ୍ୟେକ ଘରୋଇ ବିଦ୍ୟାଳୟ ପାଇଁ ସରକାରଙ୍କ ‘ସ୍ୱିକୃତୀ ପ୍ରମାଣପତ୍ର’ ଅନିର୍ବାର୍ଯ୍ୟ ଅଟେ । ଏଥିପାଇଁ ବିଦ୍ୟାଳୟ ପରିଚାଳକଙ୍କୁ ଏହି ଆଇନ ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦିଷ୍ଟ ‘ମାନ’ ଯେପରିକି ପିଲା ଓ ଶିକ୍ଷକଙ୍କ ଅନୁପାତ, ଶ୍ରେଣୀଗୃହର ସଂଖ୍ୟା, ବାର୍ଷିକ ଶିକ୍ଷା ଦିବସ, ପାଠାଗାର, ଖେଳ ଓ ଶିକ୍ଷଣ ସାମଗ୍ରୀ, ଭିନ୍ନକ୍ଷମଙ୍କ ପାଇଁ ବାଧାହୀନ ଯାତାୟତ ଇତ୍ୟାଦିର ସ୍ଥିତି ସମ୍ପର୍କିତ ଘୋଷଣା ପତ୍ର ଦାଖଲ କରିବାକୁ ପଡିଥାଏ ।

ଏହା ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଦର୍ଶିତ ହେବା ଉଚ୍ଚିତ । ଏହାର ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସରଜମୀନ ତଦନ୍ତ କରାଯିବ ଓ ମାନ ପୂରଣ କରୁଥିବା ବିଦ୍ୟାଳୟମାନଙ୍କୁ ସର୍ତ୍ତ ମୂଳକ ସ୍ୱିକୃତୀ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ସରଜମୀନ ତଦନ୍ତ ରିପୋର୍ଟ ମଧ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଜିଲ୍ଲା ପ୍ରଶାସନ ୱେବ ସାଇଟ ଭଳି ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଥିବା ସ୍ଥାନରେ ପ୍ରଦର୍ଶିତ ହେବାର ବିଧି ରହିଛି ।

ସ୍ୱିକୃତୀ ପ୍ରମାଣପତ୍ର ନଥିବା ବିଦ୍ୟାଳୟମାନଙ୍କୁ ପ୍ରଶାସନ ବନ୍ଦ କରିଦେଇ ପାରିବେ । ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ୧୪ ଗୋଟି ଘରୋଇ ବିଦ୍ୟାଳୟ ଥିଲେହେଁ ବର୍ତ୍ତମାନ ୧୩ଟିର ସ୍ୱିକୃତୀ ପ୍ରମାଣପତ୍ର ନାହିଁ । ଏ ସମ୍ପର୍କିତ ସରଜମୀନ ତଦନ୍ତ କରାଯାଇଥିବା କୁହାଯାଉଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ସ୍ଥଳିରେ ରିପୋର୍ଟ ପ୍ରଦର୍ଶିତ ହୋଇନାହିଁ ।

ଏହାସତ୍ତେ୍୍ୱ ପିଲାଙ୍କ ନିୟମିତ ନାମଲେଖା ଅବ୍ୟାହତ ଅଛି । ଏହା ଉଦାହରଣ ମାତ୍ର । ରାଜ୍ୟର ରାଜଧାନୀ ସମେତ ସମଗ୍ର ରାଜ୍ୟର ସ୍ଥିତି ଏହାଠାରୁ ଭିନ୍ନ ନୁହେଁ । ଶିକ୍ଷା ଅଧିକାର ଆଇନ କାର୍ଯ‎୍ୟକାରି ହେବାର ପାଂଚ ବର୍ଷ ପରେବି ଏହିସବୁ ବିଦ୍ୟାଳୟମାନଙ୍କ ପ୍ରତି ଆଇନଗତ ପଦକ୍ଷେପ ନିଆନଯିବା ପରୋକ୍ଷରେ ବେଆଇନ ପରିଚାଳନା ପାଇଁ ପ୍ରୋତ୍ସାହନ ନୁହେଁ କି ? ଅଭିଭାବକମାନେ ବିଦ୍ୟାଳୟର ସ୍ୱିକୃତୀ ପ୍ରମାଣପତ୍ର ଯାଂଚ ନକରି ନାମ ଲେଖାଇବା ପିଲାଙ୍କ ଭବିଷ୍ୟତ ସହିତ ଖେଳ ନୁହେଁ କି?
ଶିକ୍ଷା ଅଧିକାର ଆଇନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ହେଲା ଗରୀବଙ୍କ ପାଇଁ ଘରୋଇ ବିଦ୍ୟାଳୟର ଦ୍ୱାର ଉନ୍ମୁକ୍ତ କରିବା । ଏହି ଆଇନର ଧାରା ୧୨ (୧) ଏବଂ (୨) ଅନୁଯାୟୀ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ପିଲାଙ୍କ ପାଇଁ ମୋଟ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟାର ୨୫ ଶତାଂସ ସଂରକ୍ଷିତ କରାଯିବାର ପ୍ରାବଧାନ ରହିଛି ।

ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଜର ପତ୍ରସଂଖ୍ୟା ୨୨୬୫୫ ତା ୧୮/୧୨/୨୦୧୦ ରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର ପିଲାଙ୍କ ପାଇଁ ୧୦% ଓ ତଫସିଲ ଭୂକ୍ତ ଜାତି, ଜନଜାତି, ବାସହରା, ଭିକ ମଗୁଥିବା, ଶିଶୁ ଶ୍ରମିକଙ୍କ ପାଇଁ ୧୫% ସ୍ଥାନରେ ନାମଲେଖାକୁ ବାଧ୍ୟତାମୂଲକ କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ନାମଲେଖା କେବଳ ପ୍ରଥମ ଅବା ପ୍ରାକ ପ୍ରାଥମିକ ଭଳି ପ୍ରବେଷ ଶ୍ରେଣୀରେ ହେବ ।

ଉଦ୍ଦେଶ୍ୟ, ଏହି ପ୍ରକ୍ରୟା ଚାଲୁରହିଲେ କିଛି ବର୍ଷ ପରେ ସମଗ୍ର ବିଦ୍ୟାଳୟରେ ୨୫ ଭାଗ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ପିଲା ପଠ ପଢୁଥିବେ । ଏହି ୨୫ ଶତାଂସ ସ୍ଥାନର ଖର୍ଚ ବିଦ୍ୟାଳୟମାନଙ୍କ ଉପରେ ବୋଝ ହେବ ନାହିଁ । ବିଦ୍ୟାଳୟର ଆବେଦନ କ୍ରମେ ଏ ସଂକ୍ରାନ୍ତିୟ ଖର୍ଚ ସରକାର ଭରଣା କରିବେ । ଥିବା ଓ ନଥିବା ବର୍ଗ ଭିତରେ ଏହା ସୌହାର୍ଦ୍ଧ୍ୟ ବୃ୍ଦ୍ଧିର ମାଧ୍ୟମ ଭାବରେ ବ୍ୟବହୃତ ହୋଇପାରିବ ।

କିଛି ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଠାରେ ଏହା କାର୍ଯ୍ୟକାରି କରାଯିବାର ଦୃଷ୍ଟାନ୍ତ ମିଳିଛି । ପ୍ରକାଶିତ ତଥ‎‎୍ୟ ଅନୁଯାୟୀ ସମ୍ବଲପୁର ଜିଲ୍ଲା ପ୍ରଶାସନର ଉଦ‏୍ୟମ କ୍ରମେ ୨୦୧୪ – ୧୫ ଶିକ୍ଷା ବର୍ଷରେ ସହରର ଆଖପାଖ ୧୪ଗୋଟି ଘରୋଇ ବିଦ୍ୟାଳୟରେ ୨୨୮ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ହେଲେ ୨୦୧୫ – ୧୬ ବେଳକୁ ଏହା କ୍ରମଶଃ ଖସି ଆସି ୧୨୭ରେ ପହଂଚି ଥିଲା ।

ଏପରିକି ୨୦୧୪ – ୧୫ରେ ନାମ ଲେଖାଇଥିବା ପିଲାଙ୍କ ଭିତରୁ ୨୨ଜଣ ବିଦ୍ୟାଳୟ ଛାଡି ସାରିଛନ୍ତି । ଏଣୁ ଏକଥା ମଧ୍ୟ ଦେଖିବାକୁ ପଡିବ ଯେ, ଆଇନଗତ ବାଧ୍ୟ ବାଧକତାରେ କୌଣସି ବିଦ୍ୟାଳୟ ଏହି ୨୫ ଭାଗ ପିଲାଙ୍କୁ ନାମ ଲେଖାର ସୁଯୋଗ ଦେଇ ଶ୍ରେଣୀଗୃହରେ ବସେଇବା, ମଧ୍ୟାହ୍ନ ଭୋଜନ, ପୋଷାକ, ପୁସ୍ତକ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ଯ୍ୟକ୍ରମରେ ଯେପରି ପାତର ଅନ୍ତର ନକରନ୍ତି ।

ଏପରି ହେଲେ ବିଦ୍ୟାଳୟ କତୃପକ୍ଷ ଉତ୍ତରଦାୟୀ ରହିବେ ଓ ତାଙ୍କ ପ୍ରତି ଆଇନଗତ ଦଣ୍ଡ ବିଧାନ କରାଯାଇ ପାରିବ । ଅନେକାଂଶ ଘରୋଇ ବିଦ୍ୟାଳୟର ଅନଗ୍ରସର ଓ ପଛୁଆ ବର୍ଗଙ୍କ ପ୍ରତି ଥିବା ଅସ୍ପୃଶ୍ୟ ମନୋଭାବ ହେତୁ ଏହି ପ୍ରାବଧାନକୁ ଅନେକ ଏଡାଇ ଯାଉଥିବା ବେଳେ ଆଉ କିଛି ଚାଲାକିରେ ପୂରଣ କରୁଥିବାର ନଜିର ପରିତାପର ବିଷୟ ନିଶ୍ଚୟ ।
ଅଧିକାଂଶ ଘରୋଇ ବିଦ୍ୟାଳୟ ଅଣଲାଭକାରୀ ସଂସ୍ଥା ଭାବେ ପଞୀକୃତ ହୋଇଥିଲେ ହେଁ ଶିକ୍ଷା ନାମରେ ବ୍ୟବସାୟ କରିବା ସେମାନଙ୍କର ଧର୍ମ ହୋଇଯାଇଛି । ପିଲାଙ୍କ ନାମ ଲେଖା ସମୟରେ ନିଆଯାଉ ଥିବା ଦେୟ ବା ବାର୍ଷିକ ଦେୟର କୌଣସି ନିର୍ଦ୍ଦିଷ୍ଟ ନୀତି ନୀୟମ ନାହିଁ । ପ୍ରତ୍ୟେକ ବିଦ୍ୟାଳୟ ନିଜର ଇଚ୍ଚା ଅନୁସାରେ ଏହା ଧାର୍ଯ୍ୟ କରନ୍ତି । ଏପରିକି ଆଦାୟ ହେଉଥିବା ଦେୟର ଖର୍ଚ ଉପରେ ବି କୌଣସି ଅଙ୍କୁଶ ନାହିଁ ।

ଏହି କାରଣରୁ ଘରୋଇ ବିଦ୍ୟାଳୟମନାଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଯେତେ ବଢିନଥାଏ ତାଠାରୁ ଯଥେଷ୍ଟ ଅଧିକ ଏମାନଙ୍କର କୋଠାବାଡି ଓ ଜମା ପାଣ୍ଠି ବଢିଥଏ । ଏହି ହେତୁ ଶିକ୍ଷା ଅଧିକାର ଆଇନ ଧାରା ୧୩ ଭେଦଭାବହୀନ ଓ ସ୍ୱଚ୍ଚ ନାମଲେଖାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ପରୀକ୍ଷା, ପିତାମାତଙ୍କ ସହିତ ମୌଖିକ ଆଲୋଚନା ଓ ନାମଲେଖା ‘ଚାନ୍ଦା’ ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇଛି ।

ଶିକ୍ଷା ଅଧିକାର ଆଇନର ସଠିକ କାର୍ଯ୍ୟକାରୀତା ଓ ତଦାରଖ ପାଇଁ ରାଜ୍ୟ ଶିଶୁ ଅଧିକାର କମିଶନଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି । ଘରୋଇ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କମିଶନ ତରଫରୁ ତଦନ୍ତ ପୂର୍ବକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଆଇନର ନିୟନ୍ତ୍ରଣରେ ଏହିସବୁ ବିଦ୍ୟାଳୟମାନେ ପରିଚାଳିତ ହେବାକୁ ବାଧ୍ୟ ହେବେ ।

Filed Under: ଶିକ୍ଷା Tagged With: ଘରୋଇ ବିଦ୍ୟାଳୟ, ଶିକ୍ଷା ଅଧିକାର ଆଇନ

ପ୍ରାଥମିକ ଶିକ୍ଷା ଓ ଫେଲ ପ୍ରସଙ୍ଗ

May 14, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନରେ କୌଣିସି ପିଲାକୁ ସେହି ସମାନ ଶ୍ରେଣୀରେ ଅଟକ ରଖାଯିବାକୁ ବାରଣ କରାଯାଇଛି । ଅର୍ଥାତ ପିଲାଟି ଥରେ ନାମ ଲେଖାଇଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶ୍ରେଣୀକୁ ପ୍ରତି ବର୍ଷ ଆପେ ଉନ୍ନୀତ ହୋଇ ଚାଲିବ । ଅନେକଙ୍କ ଧାରଣା ଯେ ଏଥିରେ ଯେହେତୁ ଭଲ ଆଉ ଖରାପ ଭତରେ ଛଟେଇ ହେଉନାହିଁ, ସମସ୍ତଙ୍କୁ ଖରାପ କରିଦେଉଛି । ଏଣୁ କିଛି ଶିକ୍ଷକ, ଶିକ୍ଷା ପ୍ରଶାସକମାନେ ମଧ୍ୟ ଏହାକୁ ବିରୋଧ କରୁଥିବା ନଜରକୁ ଆସିଛି ।

ଶିକ୍ଷା ଅଧିକାର ଆଇନର ଏହି ଧାରାରେ ପରିବର୍ତ୍ତନ କରାଯାଇ ପୂର୍ବ ପରି ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା କରିବାକୁ କିଛି ରାଜ୍ୟରେ ପ୍ରସ୍ତାବ ବିଚାରାଧିନ ଅଛି । ଆମ ରାଜ୍ୟରେ ଗଣ ଶିକ୍ଷା ବିଭାଗ ମଧ୍ୟ ଏମିତି ବିଚାର କରୁଥିବା ଗଣ ମାଧ୍ୟମରେ ଚର୍ଚାକୁ ଆସିଥିବା ବେଳେ ଏହି ଆଲେଖ୍ୟ ଆଲୋଚନାର ଆଉ ଏକ ଦିଗ ଉପରେ ଆଲୋକପାତ କରିବ । ନିକଟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହୋଇଥିବା ବାର୍ଷିକ ପରୀକ୍ଷାରେ ଏମିତି କିଛି ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି ।

ପ୍ରାଥମିକ ସ୍ତରରେ ପ୍ରଶ୍ନ ପତ୍ର ପ୍ରସ୍ତୁତି, ଲିଖିତ ପରୀକ୍ଷା ଖାତାକୁ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ମୂଲ୍ୟାଙ୍କନ କରିବା ପ୍ରଭୃତି ଏଥର ଦେଖିବାକୁ ମିଳିଥିଲା । ହୁଏତ ଉଦ୍ଦେଶ୍ୟ ଥିଲା ପରୀକ୍ଷା ମାଧ୍ୟମରେ ପିଲାଙ୍କ ପ୍ରକୃତ ଶିକ୍ଷଣ ଦକ୍ଷତାକୁ ପରଖିବା ।

ହେଲେ ଯଥେଷ୍ଟ ସମୟ ଆଗରୁ ପ୍ରଶ୍ନପତ୍ର ପ୍ରଘଟ, କଳାପଟା ଓ ପରୀକ୍ଷାଖାତାରେ ଉତ୍ତର ଲେଖି ପରୀକ୍ଷା କରେଇବା ଭଳି ଘଟଣା ଅନେକ ଜାଗାରେ ଲୋକଲୋଚନକୁ ଆସିଛି । ତୁତ ମୁତୁରି ମୁତ ମୁତୁରି ନ୍ୟାୟରେ କଥାଟି ଜଣା ଅଥଚ ଅଜଣା ହୋଇ ରହିଯାଇଛି । ଅ- ଆ , ଯୋଗ- ବିୟୋଗ ଭଳି ସର୍ବ ନିମ୍ନ ଶିକ୍ଷଣ ପିଲାଙ୍କର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗର ଶରବ୍ୟ ହେଉଥିବା ଶିକ୍ଷା ବିଭାଗ ହୁଏତ ଏଥିରୁ ମୁକୁଳିବାକୁ ଏପରି କରିଥାଇ ପାରନ୍ତି ।

ହେଲେ ଏମିତି ସ୍ଥିତିରେ ପିଲାଙ୍କ ଜ୍ଞାନ ଓ ଦକ୍ଷତା ପରୀକ୍ଷା କରାଗଲା ନା ଶିକ୍ଷକମାନେ ଅପଦସ୍ତ ହେଲେ ଏହା ବୁଝିବା ଲୋକ ଠିକ ବୁଝି ପରୁଥିବେ! ଶିକ୍ଷା ଅଧିକାର ଆଇନର ଏହି ବ୍ୟବସ୍ଥାକୁ ବିରୋଧ କରିବାର ପ୍ରମୁଖ ଯୁକ୍ତି ହେଉଛି ଯେ, ଏହା ଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି । କହିବାକୁ ଗଲେ ପୁର୍ବ ଶ୍ରେଣୀର ପାଠ ଜାଣି ନଥିବା ପିଲା ପରବର୍ତ୍ତି ଶ୍ରେଣୀକୁ ଉନ୍ନିତ ହେଲେ ସ୍ଥିତି ଆହୁରି ଖରାପ ହେଉଛି । ଏହା ପ୍ରକୃତ କଥା ।

ତେବେ ଏହାରି ଆଳରେ ପିଲାଙ୍କୁ ଫେଲ କରାଯିବାର ଯୁକ୍ତି ଗ୍ରହଣୀୟ ନୁହେଁ । କାରଣ ଶିକ୍ଷା ଅଧିକାର ଆଇନରେ ପିଲାଙ୍କୁ ଅଟକ ନରଖିବା କଥା କୁହାଯାଇଥିଲେ ହେଁ ମୂଲ୍ୟାୟନକୁ ବନ୍ଦ କରିବାକୁ କୁହାଯାଇ ନାହିଁ । ଏହି ଆଇନ ଆନୁଯାୟୀ ନିରନ୍ତର ପ୍ରକ୍ରୟାରେ ପିଲାଙ୍କ ମୂଲ୍ୟାୟନ କରାଯିବା କଥା କୁହାଯାଇଛି । ପ୍ରତ୍ୟେକ ଶ୍ରେଣୀର ଏକ ସର୍ବନିମ୍ନ ଶିକ୍ଷଣ ସ୍ତର ଧାର୍ଯ୍ୟ କରାଯାଇଛି । ତାରି ଆଧାରରେ ଶିକ୍ଷକ ପିଲାଙ୍କୁ ପଢେଇବେ ଓ ନିରନ୍ତର ଭାବେ ମୂଲ୍ୟାୟନ ମଧ୍ୟ କରିବେ ।

ଯେକୌଣସି ମୂହୁର୍ତ୍ତରେ ପିଲାଟି ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷଣ ସ୍ତରରୁ ନିମ୍ନକୁ ଯାଉଥିବାର ଅନୁଭବ ହେଲେ ସେଥିପାଇଁ ସ୍ୱତନ୍ତ୍ର ଶିକ୍ଷାର ପ୍ରବଧାନ କରିବେ । ପ୍ରକୃତ ପକ୍ଷେ ‏ଯଦି ନିରନ୍ତର ମୂଲ୍ୟାୟନ ହେଉଥିବ ତାହେଲେ ବାର୍ଷିକ ପରୀକ୍ଷା କରାଯାଇ ଫେଲ କରିବାର ଆବଶ୍ୟକତା ପଡିବ ନାହିଁ । ଶିକ୍ଷା ଅଧିକାର ଆଇନରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ସର୍ବନିମ୍ନ ମାନ ନିର୍ଦ୍ଧାରଣ କରାଯାଇଛି । ଏଥିରେ ଶ୍ରେଣୀ କକ୍ଷ, ଶୌଚାଳୟ, ଶିକ୍ଷକ ଛାତ୍ର ଅନୁପାତ, କାର୍ଯ୍ୟ ଦିବସ ଓ ସମୟ ନିର୍ଘଣ୍ଟ, ଗ୍ରନ୍ଥାଗାର, ଖେଳପଡିଆ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ହେଲେ ବିଭିନ୍ନ ଆକଳନ ଅନୁଯାୟୀ ମାତ୍ର ଚାରି ଶତକଡା ସରକାରୀ ବିଦ୍ୟାଳୟ ଏହି ମାନ ପୁରଣ କରିପାରଛନ୍ତି । ଏବେ ବି ବିଦ୍ୟାଳୟରେ ତାଲିମ ପ୍ରାପ୍ତ ଶିକ୍ଷକ ନାହାନ୍ତି । ତିରିଶ ଭାଗରୁ ଅଧିକ ବିଦ୍ୟାଳୟକୁ ପାଠ୍ୟ ପୁସ୍ତକ ପହଞ୍ôଚ ପାରିନାହିଁ । ଶୌଚାଳୟର ଅଭାବରୁ ମାସିକ ଋତୁଶ୍ରାବ ସମୟରେ ଝିଅ ମାନେ ଅନୁପସ୍ଥିତ ରହୁଛନ୍ତି । ବାଧାହିନ ବ୍ୟବସ୍ଥା ନଥିବା କାରଣରୁୁ ଅନେକ ଭିନ୍ନକ୍ଷମ ବିଦ‏୍ୟାଳୟକୁ ଅସୁନାହାନ୍ତି ।

ଏପରି ସ୍ଥଳରେ ଆମେ ଗୁଣାତ୍ମକ ଶିକ୍ଷା କିପରି ଆଶା କରିବା? ପ୍ରଥମରେ ଆମେ ଏସବୁ ବ୍ୟବସ୍ଥାରେ ସୁଧାର ଆଣିବା ଓ ତାପରେ ପିଲାଙ୍କୁ ଦାୟୀ କରି ପାରୀକ୍ଷା କଲେ ଯୁକ୍ତିଯୁକ୍ତ ମନେ ହେବ । ଅନ୍ୟଥା ମୁଣ୍ଡ ବ୍ୟଥା ପାଇଁ ମୁଣ୍ଡ କାଟ କଲା ଭଳି କଥା ହେବ । ଗୁଣାତ୍ମକ ଶିକ୍ଷା ଓ ଶିକ୍ଷଣ ସ୍ତରକୁ ସୁନିଶ୍ଚିତ କରିବାର ଆଉ ଏକ ଦିଗ ହେଲା ନିରନ୍ତର ତଦାରଖ କରିବା । ବିଦ୍ୟାଳ଼ୟ ସ୍ତରରେ ତଦାରଖ ଓ ସହାୟତା ପାଇଁ ସର୍ବ ଶିକ୍ଷା ଅଭିଯାନ ବ୍ୟବସ୍ଥାରେ ସିଆରସିସି ଓ ବିଆରସିସି ନିଯୁକ୍ତ ହୋଇଛନ୍ତି ।

ରାଜ୍ୟସ୍ତରରୁ ଏକ ସ୍ୱତନ୍ତ୍ର ତଦାରଖ ବ୍ୟବସ୍ଥା ‘ସମୀକ୍ଷା’ ଓଡିଶା ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେଉଛି । ନୀୟମାନୁଯାୟୀ ପ୍ରତ୍ୟେକ ସିଅରସିସି ଅତିକମରେ ମାସରେ ଦଶଟି ବିଦ୍ୟାଳୟକୁ ପରିଦର୍ଶନ କରିବେ ଓ ସେହି ବିଦ୍ୟାଳୟରେ ଦିନଟିଏ କାଟିବେ । ନିଜେ ପାଠ ପଢେଇବେ ଓ ଅନ୍ୟ ଶିକ୍ଷକମାନେ ଶ୍ରେଣୀରେ ପଢାଉଥିବା ବେଳେ ଅନୁଧ୍ୟାନ କରିବେ । ସେହିପାରି ବିଆରସିସି, ଜିଲ୍ଲା ଶିକ୍ଷାଧିଶ ପ୍ରଭୃତିଙ୍କପାଇଁ ତଦାରଖର ନିର୍ଦ୍ଦିଷ୍ଟ ଉତ୍ତରଦାୟୀତ୍ୱ ଧାର୍ଯ୍ୟ ହୋଇଛି ।

ପିଲାଙ୍କୁ ପରୀକ୍ଷା କରିବା ପୁର୍ବରୁ ଆମର ଏହି ବ୍ୟବସ୍ଥାର ପରୀକ୍ଷା ହେବା ଆବଶ୍ୟକ । ଅନ୍ୟଥା ବ୍ୟବସ୍ଥାର ଦୋଶ ଘୋଡାଇବାକୁ ଯାଇ ପିଲାଙ୍କୁ ଦାୟୀ କରାଯିବା ଘୋର ଅନ୍ୟାୟ ହେବ । ସାମାଜିକ ଅସମାନତା, ଅସ୍ପୃଶ୍ୟତା, ଦାରିଦ୍ର୍ୟ ପ୍ରଭୃତି କାରଣରୁ ଏବେବି ଅନେକ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି । ଅନେକ ପ୍ରୟାସର ଫଳ ସ୍ୱରୁପ ଏମାନଙ୍କ ଭିତରେ ବିଦ୍ୟାଳୟକୁ ଫେରିବାର ଆଗ୍ରହ ବଢୁଛି । ଏପରି କ୍ଷେତ୍ରରେ ଯେଉଁମାନେ ବିଦ୍ୟାଳୟ ଆସିବରେ ‘ପ୍ରଥମ ପିଢି’ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

ଗୋଟିଏ ଶ୍ରେଣୀରେ ବାରମ୍ବାର ଅଟକ ରଖିଲେ ଏହାର ମାନସିକ ପ୍ରଭାବ ପିଲାଙ୍କ ଉପରେ ପଡେ ଓ ଅଧାରୁ ପାଠ ଛାଡିବାର ଏହା ଏକ ପ୍ରମୁଖ କାରଣ । ବିଦ୍ୟାଳୟ ପରିବେଶକୁ ଆକର୍ଷଣୀୟ ଓ ଶିଶୁ କୈନ୍ଦ୍ରିକ କରି ଗଢି ତୋଳିବାର ଉତ୍ତରଦାୟୀତ୍ୱ ଆମ ସମସ୍ତଙ୍କର । ଏଥିରେ ଆମେ ପାସ ହେଲେ ପିଲାଙ୍କୁ ଫେଲ କରିବାର ଅବଶ୍ୟକତା ରହିବ ନାହିଁ ।

 

Filed Under: ଶିକ୍ଷା Tagged With: ପ୍ରାଥମିକ ସ୍ତର, ଶିକ୍ଷା

ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା

May 14, 2018 by ଘାସିରାମ ପଣ୍ଡା Leave a Comment

ନିକଟରେ ଗୁରଗାଓଁର ଏକ ବେସରକାରୀ ବିଦ୍ୟାଳୟରେ ଘଟିଯାଇଥିବା ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମର ସକ୍ରିୟତା ପ୍ରଶାସନକୁ କ୍ରିୟାଶିଳ ହେବାକୁ ବାଧ୍ୟ କରିଛି । ଫଳସ୍ୱରୂପ ସିବିଏସଇ, ଦିଲ୍ଲୀ ପୋଲିସ ଓ ଆମ ଗଣ ଶିକ୍ଷା ବିଭାଗ ସମସ୍ତେ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତାକୁ ନେଇ ସାନି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏପରି ଏକ ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ।

ପାଠକେ ମନେ ପକାନ୍ତୁ ପାଚେରି ଭାଙ୍ଗି ଛାତ୍ରୀ ମୃତ, ଘରମ ପେଜ ପଡି ଆହତ, ଗଛରୁ ପଡି ହାତ କଟା, ପରିସ୍ରା କରିବାକୁ ଯାଇ ଛାତ୍ରୀ ଅସାଦାଚରଣର ଶିକାର, ଛାତ୍ରୀବାସରେ ଯୌନ ନିର୍ଯ୍ୟାତନା ଓ କୁମାରୀ ମାତୃତ୍ୱ ପ୍ରଭୃତି ଅନେକ ଘଟଣା ଓଡିଶାର ଗଣ ମାଧ୍ୟମ ବିଭିନ୍ନ ସମୟରେ ଲୋକଲୋଚନକୁ ଆଣିଛି । ପିଲା ଘରୁ ବାହାରି ବିଦ୍ୟାଳୟକୁ ଯିବା ଓ ପୁଣି ଘରକୁ ଫେରିବା ପର୍ଯ୍ୟନ୍ତ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ପୂର୍ବରୁ ଯଥେଷ୍ଟ ଦିଶା ନିର୍ଦ୍ଦେଶ ରହିଛି ।

ତଦାରଖ ଓ ଉତ୍ତରଦାୟୀତ୍ୱବୋଧ ଅଭାବରୁ ଏଗୁଡିକ କାର୍ଯକାରୀ ହୋଇ ପାରୁନଥିବା ବେଳେ ଆଉ ଏକ ସାନି ନିର୍ଦ୍ଦେଶାବଳୀ କେବଳ ନିଜ ମୁଣ୍ଡରୁ ଦୋଶ ଖସେଇବା ପାଇଁ ଉଦ୍ଦିଷ୍ଟ । ହିଂସା, ନିର୍ଯ୍ୟାତନା ଏବଂ ଅବହେଳାରୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର । ଏଥିପାଇଁ ପରିବାର, ପଡୋଶି ବା ସମାଜ ଯେତିକି ଉତ୍ତରଦାୟୀ, ଶିଶୁଟି ଯତ୍ନ ଅବା ପାଠ ପଢିବା ପାଇଁ ଯେଉଁଠିକି ଯାଉଛି, ସେହି ଅନ୍ୟୁନର ମଧ୍ୟ ସମପରିମାଣର ଉତ୍ତର ଦାୟୀତ୍ୱ ରହିଛି ।

ଯେଉଁ ଅନୁ ।ନରେ ଶିଶୁ ପଢୁଛି ବା ରହୁଛି ସେ ସମସ୍ତ ସ୍ଥଳିରେ ଶିଶୁ ପାଇଁ ସୁରକ୍ଷିତ ପରିବେଶ ଯୋଗେଇ ଦେବାପାଇଁ ୨୦୧୪ ମସିହା ଅଗଷ୍ଟ ୨୩ ତାରିଖରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଦିଶା ନିର୍ଦ୍ଦେଶ ଜାରୀ କରାଯାଇଥିଲା । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟୁନର ପରିସର ଅବା ବାହାରେଅନ୍ୟୁନ ଦ୍ୱାରା ଯୋଗେଇ ଦିଆଯାଉ ଥିବା ସମସ୍ତ ସେବା ଯେପରିକି ଗ୍ରୀଷ୍ମ ଶିବିର, ବସ ସେବା, ଆନ୍ତଃ ବିଦ୍ୟାଳୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା, ପରିଭ୍ରମଣ, ବଣଭୋଜି ପ୍ରଭୃତି ସମସ୍ତ ଜାଗାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ସେହି ନିର୍ଦ୍ଦିଷ୍ଟ ଅନ୍ୟୁନର ଦାୟୀତ୍ୱ ।

ଏହା ଉଭୟ ସରକାରୀ ଓ ଘରୋଇ ଅନ୍ୟୁନମାନଙ୍କ ପାଇଁ ଲାଗୁ । ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ ଅନୁ ।ନ ନିଜର ଏକ ଶିଶୁ ସୁରକ୍ଷା ପ୍ରଟୋକଲ ପ୍ରସ୍ତୁତ କରି ବା ସହ ର ମୂଖ୍ୟଙ୍କୁ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଘୋଷଣା କରିବ ।ମାନେ ଶିଶୁ ମାନଙ୍କ ପାଇଁ କ’ଣ କ୍ଷତି ଭୟ ରହିଛି ତାର ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ଓ ସେହି ଅନୁସାରେ ମୁକାବିଲା ଯୋଜନା ମଧ୍ୟ ତିଆରି କରିବେ ।

ଅନ୍ୟୁନରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କୁ ଶିଶୁ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ ଓ ସେମାନେ ଏହାକୁ ପାଳନ କରିବା ନେଇ ଅଙ୍ଗିକାରବଦ୍ଧ ହେବେ । ପିଲାଙ୍କୁ ନେବା ଆଣିବା କରୁଥିବା ବସରେ ଅନ୍ୟୁନର ନିୟମିତ କର୍ମଚାରୀ ରହିବା ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି । ହେଲେ ପ୍ରକୃତ ପକ୍ଷେ ନା ସରକାରୀ ନା ବେସରକାରୀ କୌଣସି ବି ଅନୁ ।ନ ଏହି ସବୁ ନିର୍ଦ୍ଦେଶର ପାଳନ କରୁନାହାନ୍ତି ।

ଶିଶୁଙ୍କ ସୁରକ୍ଷା ଓ ନିରାପତ୍ତା ଆଧାରିତ କ୍ଷତି ଭୟର ଆକଳନ କଲାବେଳକୁ ବିଦ୍ୟାଳୟ ଗୃହ, ପାଚେରି, ଶ୍ରେଣୀଗୃହ, ଶୌଚାଳୟ ପ୍ରଭୃତିର ଅବସ୍ଥିତି ଓ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ଆମ ସରକାରୀ ବିଦ୍ୟାଳୟମାନଙ୍କର ସ୍ଥିତି କ’ଣ ରହିଛି ଆଲୋଚନା କରିବା । ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ୱବସାଇଟରେ ୨୦୧୫ – ୧୬ ପର୍ଯ୍ୟନ୍ତ ତଥ୍ୟ ଉପଲବ୍ଧ ।

ସରକାରଙ୍କ ଏହି ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ୫୮୨୬୯ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରୁ ୧୮୭୭୪ରେ ସର୍ବସାଧାରଣ ଶୌଚାଳୟ ନଥିବା ବେଳେ ୧୯୦୨୦ରେ ବାଳିକାଙ୍କ ପାଇଁ ଶୌଚାଳୟ ନାହିଁ । ୪୪୪୭୦ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ ଓ ୪୩୫୧୪ରେ ଖେଳପଡିଆ ନାହିଁ । ସେହିପରି ୨୩୪୯୧ ବିଦ୍ୟାଳୟରେ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ର୍ୟାମ୍ପ ନାହିଁ ଓ ୩୭୫୯୬ରେ ରୋଶେଇ ଘର ନାହିଁ ।

୨୯୯୫ ବିଦ୍ୟାଳୟର ଘର ନାହିଁ ଓ ୧୯୩୫୮ର ପାଚେରି ନଥିବା ବେଳେ ୧୧୨୭୭ ବିଦ୍ୟାଳୟରେ ପାଚେରି ଅସମ୍ପୁର୍ଣ୍ଣ ହୋଇ ପଡିରହିଛି । ହୁଏତ ଗୋଟିଏ ବର୍ଷ ଭିତରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥାଇପାରେ ବୋଲି ଧରି ନେଲେ ବି ଆମ ପିଲାମାନେ ବିଦ୍ୟାଳୟରେ କେତେ ସୁରକ୍ଷିତ ଓ ନିରାପଦ ତାହା ଅନୁମେୟ । ଘରୋଇ ପରିଚାଳନାରେ ଥିବା ବିଦ୍ୟାଳୟରେ ପଢୁଥିବା ପିଲା ଯେ ସୁରକ୍ଷିତ ଏକଥା ବି କହି ହେବ ନାହିଁ ।

ଗତ କିଛି ବର୍ଷ ଭିତରେ ରାଜ୍ୟରେ ଘରୋଇ ବିଦ୍ୟାଳୟ ସଂଖ୍ୟା ବଢିଛି ଓ ସେହି ଅନୁସାରେ ଏଥିରେ ପଢୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଅଥଚ ଏହି ସବୁ ବିଦ୍ୟାଳୟଗୁଡିକୁ ସରକାର ତାଲିକା ଓ ତଦାରଖ ପରିସରକୁ ଆଣିବାରେ ବିଫଳ ହୋଇଛନ୍ତି । ଶିକ୍ଷା ଅଧିକାର ଆଇନରେ ଏହି ସବୁ ବିଦ୍ୟାଳୟମାନଙ୍କ ପାଇଁ ମାନ ଓ ନିତୀ ଧାର୍ଯ୍ୟ କରାଯାଇଛି ।

ତାରି ଆଧାରରେ ଗଣ ଶିକ୍ଷା ବିଭାଗ ଏମାନଙ୍କୁ ସ୍ୱିକୃତି ପ୍ରମାଣ ପତ୍ର ଦେଲା ପରେ ଯାଇ ଘରୋଇ ବିଦ୍ୟାଳୟ ପରିଚାଳିତ ହୋଇ ପାରିବ । ମାନ ଓ ନିତୀ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଏବଂ ପିଲାଙ୍କ ସୁରକ୍ଷା ଆଧାରେ ପ୍ରସ୍ତୁତ କରାଯାଇଛି । ବିନା ସ୍ୱିକୃତି ପ୍ରମାଣ ପତ୍ରରେ ପରିଚାଳିତ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଅଧିକାରୀ ବନ୍ଦ କରିଦେଇ ପାରିବେ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଜାରୀ କରିପାରିବେ । ହେଲେ ଏପରି ହେଉ ନାହିଁ ।

କାଁ ଭାଁ କାହାକୁ ଛାଡି ଦେଲେ କୌଣସି ଘରୋଇ ବିଦ୍ୟାଳୟ ଏହି ମାନ ଓ ନିତୀକୁ ପୁରଣ କରୁ ନାହିନ୍ତି ଓ ବିନା ସ୍ୱିକୃତି ପ୍ରମାଣ ପତ୍ରରେ ବିଦ୍ୟାଳୟ ପରିଚାଳନା କରୁଛନ୍ତି । ଏଣୁ ଏହି ସବୁ ବିଦ୍ୟାଳୟରେ ପଢୁଥିବା ପିଲା ମାନେ ସମ୍ପୁର୍ଣ୍ଣ ଅସୁରକ୍ଷିତ ବୋଲି ଧରି ନେବାକୁ ହେବ । ଏତେ ସବୁ ଆଇନ, ଦିଶାନିର୍ଦ୍ଦେଶ ଥିବା ସତ୍ୱେ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ବିପର୍ଣ୍ଣ ହେଉଛି ।

କିଛି ଗୋଟିଏ ଘଟିଗଲା ପାରେ ଆମର ଗଣମାଧ୍ୟମ ସାମୟିକ ତୁମ୍ବିତୋଫାନ କରି ପୁଣି ନିରବି ଯିବାର ଧାରାରେ ଅଧିକାରୀମାନେ ମଧ୍ୟ ତାଳ ଦେଇ ସାମୟିକ ତତ୍ପରତା ପରେ ପୁଣି ‘ପୁଃର୍ନ ମୁସିକ ଭବ’ ଅଭ୍ୟାସରେ ପରିଣତ ହୋଇଗଲାଣି । ମନରେ ପ୍ରଶ୍ନ ଉଠେ ଶିଶୁ ସୁରକ୍ଷା ପ୍ରଟୋକଲ, ଶିଶୁ ମାନଙ୍କ କ୍ଷତି ଭୟର ଆକଳନ ରିପୋର୍ଟକୁ ଏତେ ଗୁରୁତ୍ୱ ଦିଆଯାଇଛି ।

ହେଲେ ଆମ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ଆଶ୍ରମ ସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ବେସରକାରୀ କ୍ରେଚ, ଘରୋଇ ଶିକ୍ଷା ଅନୁ ।ନ କେଉଁଠିବି ଏସବୁ ଉପଲବ୍ଧ କି? ଯଦି ନାହିଁ ତା ପାଇଁ ଆମେ ପ୍ରୟାସ କରିଛେ କି? ଆମ ଅଧିକାରୀ ମାନେ ପରିଦର୍ଶନରେ ଗଲାବେଳେ ଏହାକୁ କେବେ ଅନୁଧ୍ୟାନ କରିଛନ୍ତି କି ? ଦୁର୍ଘଟଣା ପରବର୍ତ୍ତି ସାମୟିକ ପ୍ରତିକ୍ରିୟା ଅପେକ୍ଷା ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଲେ ବ୍ୟବସ୍ଥାରେ ସୁଧାର ଆସିବ । କେବଳ ଦିଶା ନିର୍ଦ୍ଦେଶ ଜାରି କରିଦେଲେ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ।

Filed Under: ଶିକ୍ଷା Tagged With: ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାଳୟ, ଶିଶୁ

ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

May 14, 2018 by ଘାସିରାମ ପଣ୍ଡା 1 Comment

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା ୨୪୨୫ଟି ବିଦ୍ୟାଳୟ ସମ୍ପର୍କରେ ସରଜମୀନ ତଦନ୍ତ ପୂର୍ବକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବିଦ୍ୟାଳୟ ବନ୍ଦ ପ୍ରକ୍ରିୟାର ପ୍ରଥମ ପାଦ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୫୦୦ ବିଦ୍ୟାଳୟ ବନ୍ଦ ହୋଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ୫ରୁ କମ ଉପସ୍ଥାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରାଯାଇ ବିଦ୍ୟାଳୟ ବନ୍ଦକୁ ବିରୋଧ କରଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ଏହି ଚାପ ଯୋଗୁଁ କିଛି ବିଦ୍ୟାଲୟ ବନ୍ଦ ହେବାରୁ ବର୍ତ୍ତି ଯାଇଥିଲେ । ୨୨ ତାରିଖର ଏହି ଚିଠି ଅନୁସାରେ ଏବେ ସୁଦ୍ଧା ୫ରୁ କମ ଉପସ୍ଥାନ ଥିବା ୨୮ ଓ ୧୦ରୁ କମ ଉପସ୍ଥାନ ଥିବା ୨୩୯ ଟି ବିଦ୍ୟାଳୟ ବନ୍ଦ ହୋଇନାହିଁ । ହେଲେ ଏହି ଆବଶ୍ୟକାତାକୁ ସ୍ୱିକୃତି ଦେବା ପରିବେର୍ତ୍ତେ ଏପର୍ଯନ୍ତ ଏହି ସବୁ ବିଦ୍ୟାଳୟ ବନ୍ଦ ନହେବାକୁ ନେଇ ପ୍ରଶାସନିକ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ବିଦ୍ୟାଳୟ ବନ୍ଦ ହେôବା ଯୋଗୁଁ ପିଲା ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ୧ ଜୁଲାଇ ଓ ୬ ଜୁଲାଇରେ ଓପେପା ପକ୍ଷରୁ ଜାରୀ ହୋଇଥିବା ଦୁଇଟି ଚିଠି ଏହି ସତ୍ୟକୁ ସାବ୍ୟସ୍ତ କରୁଛି । ୧ ଜୁଲାଇର ଚିଠିରେ ୨୪ଟି ଜିଲ୍ଲାର ବନ୍ଦ ହୋଇଥିବା ବିଦ୍ୟାଳୟମାନଙ୍କର ଏକ ତାଲିକା ଦିଆଯାଇଛି । ଏଥିରେ ଦିଆଯାଇଥିବା ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ହେଲା ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ୨୬୧ର ପ୍ରଭେଦ ଥିଲା ।

ହୁଏତ ୨୬୧ ରାଜ୍ୟ ପାଇଁ ବହୁତ ବଡ ସଂଖ୍ୟା ହୋଇ ନପାରେ । ହେଲେ ଜିଲ୍ଲା ସ୍ତରକୁ ଯାଇ ଅନୁଧ୍ୟାନ କଲେ ସୁନ୍ଦରଗଡରେ ୧୬୦ ପିଲା, ସମ୍ବଲପୁରରେ ୫୨ ପିଲାଙ୍କ ହିସାବ ନମିଳିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ପରେ ୬ ତାରିଖରେ ସମାନ ଅଧିକାରୀଙ୍କ ଦ୍ୱାରା ଆଉ ଏକ ପତ୍ର ସମାନ ବିଷୟକୁ ନେଇ ଜାରି ହୋଇଛି । ଏଥିରେ ୨୮ଟି ଜିଲ୍ଲାର ତଥ୍ୟ ଦିଆଯାଇଛି ।

ପରେ ସାମିଲ କରାଯାଇଥିବା ଚାରି ଜିଲ୍ଲା ବାଲେଶ୍ୱର, କଳାହାଣ୍ଟି, କେନ୍ଦୁଝର ଓ ମୟୁରଭଞରେ ବନ୍ଦ ହୋଇଥିବା ବିଦ୍ୟାଳୟର ପିଲା ସଂଖ୍ୟା ଯଥାକ୍ରମେ ୧୮, ୧୮୪, ୧୦୪ ଓ ୧୦୬ । ବିଦ୍ୟାଳୟ ବନ୍ଦ ପରେ ଏ ପିଲାମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଶାସନ ପାଖରେ ନାହିଁ । ଫଳରେ ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ପ୍ରଭେଦ ୨୬୧ରୁ ବୃଦ୍ଧି ପାଇ ୬୭୩ ହୋଇଛି ।

ଜଗତସିଂପୁର ଓ ମଲକାନଗିରିର ସ୍ଥିତି ଏବେବି ସରକାରଙ୍କ ପାଖରେ ନାହିଁ ! ଏହା ବିଦ୍ୟାଳୟ ବନ୍ଦ ପୂର୍ବ ପ୍ରସ୍ତୁତିରେ ସରକାରଙ୍କ ଭୂମୀକାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସି୍ଥତି, ଗ୍ରାମାଞ୍ଚଳ ଗରୀବ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ଯେତିକି ତତ୍ପର ନାହାନ୍ତି, ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ନେଇ ସେତିକି ବ୍ୟଗ୍ର ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଅତିକମରେ ଦୁଇ ଜଣ ଶିକ୍ଷକ ରହିବେ । କମ ପିଲା ଥିବା ବିଦ୍ୟାଳୟକୁ ବନ୍ଦ କାରାଗଲେ ସରକାର ଏହି ଶିକ୍ଷକ ମାନଙ୍କୁ ଅନ୍ୟ ବିଦ୍ୟାଳୟରେ ନିଯୁକ୍ତି ଦେଇ ପାରିବେ । ଏହା ଦ୍ୱାରା ବିଭାଗର ବ୍ୟୟ ଭାର କମାଯାଇ ପାରିବ । ଆଗାମୀ ଦିନରେ ୨୫ରୁ କମ ଉପସ୍ଥାନ ଥିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ହେବ ।

ଏପରି ହେଲେ ପ୍ରାୟ ୧୨୫୦୦ ବିଦ୍ୟାଳୟ ବନ୍ଦ ହେବ ଓ ସେହି ହାରରେ ବ୍ୟୟ ସଂକୁଚିତ ହୋଇପାରିବ । ତେବେ ବ୍ୟୟ ଭାର କମ କରିବାର ଏହି ଯୋଜନାରେ ପ୍ରଭାବିତ ହେଉଛି କିଏ ? ୧୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟର ଚିଠାକୁ ଦେଖିଲେ ଆଦିବାସୀ ଅଞ୍ଚଳ ଯେପରିକି ରାୟଗଡା, ଗଜପତି, ମାଲକାନଗିରି, କେନ୍ଧୁଝର ଭଳି ଜିଲ୍ଲାମାନେ ବିଶେଷ ପ୍ରଭାବିତ ହେବେ ।

ଗୋଟିଏ ପଟେ ପ୍ରତ୍ୟେକ ଆଦିବାସୀ ଜିଲ୍ଲାରେ କାଉନସିଲ ଗଠନ କରାଯାଇ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଜନା ଓ ଅପରପକ୍ଷେ ଶିକ୍ଷା ପାଇଁ ବ୍ୟୟକୁ ବୋଝ ମନେକରାଯିବା ପରସ୍ପରର ବିରୋଧାଭାସ ।ଶିକ୍ଷା ଅଧିକାର ଆଇନର ତଦାରଖ ଓ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସର୍ବୋଚ୍ଚ ଅନୁ ।ନ । ବିଦ୍ୟାଳୟ ବନ୍ଦ କାରଣରୁ ଅନେକଙ୍କ ଶିକ୍ଷା ଅଧିକାର ବାଧାପ୍ରାପ୍ତ ହେଉଥିବାର ଅନୁଭବ କରି ଆୟୋଗ ଗୋଟିଏ ବର୍ଷ ପୂର୍ବରୁ ଗତ ଜୁନ ୨୪ରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହି ଲେଖକଙ୍କ ଅଭିଯୋଗର ଆଧାରରେ ଶୁଣାଣି କରି ଆୟାଗ ନିଜ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟାଳୟ ବନ୍ଦ ଶିକ୍ଷା ଅଧିକାର ଆଇନରେ ପ୍ରଦତ୍ତ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାରକୁ ପ୍ରଭାବିତ କରୁଛି । ଗରିବ ଘରର ପୁଅ, ଝିଅ ଯେଉଁମାନେ ଦୂର ଗାଁକୁ ପାଠ ପଢିବା ପାଇଁ ଯାଇ ପାରିବେ ନାହିଁ, ଏହା ଦ୍ୱାରା ପ୍ରଭାବିତ ହେବେ ।

ସରାକାରୀ ବିଦ୍ୟାଳୟ ବନ୍ଦ ହେଲେ ନିମ୍ନ ମାନର ବେସରକାରୀ ବିଦ୍ୟାଳୟ ଖୋଲିବ । ଏହା କ୍ରମାନ୍ୱୟରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ । ବିଦ୍ୟାଳୟକୁ ପିଲା ଆସୁନଥିବା ହେତୁ ବନ୍ଦ କରିବା ପାଇଁ ନିଷ୍ପତ୍ତ ନନେଇ, ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ପୋଷାକ ଓ ସାଇକଲ ଦିଆଯାଉଥିବା ବେଳେ ପିଲାଙ୍କ ବିଦ୍ୟାଳୟ ବିମୁଖତାର କାରଣ ଖୋଜିବା ଆବଶ୍ୟକ ।

ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଧାରିତ ମାନ ଅନୁଯାୟୀ ସରକାରୀ ବିଦ୍ୟାଳୟକୁ ପ୍ରସ୍ତୁତ କରାଗଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ଓ ପିଲା ଅକୃଷ୍ଟ ହେବେ । ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ ବନ୍ଦ ପାଇଁ ପ୍ରସ୍ତାବିତ ପ୍ରତ୍ୟେକ ବିଦ୍ୟାଳୟର ତଦଜନିତ ପ୍ରଭାବ ଆକଳନ କରିବାକୁ ଆୟୁକ୍ତ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବନ୍ଦ କରିବା ପାଇଁ କେବଳ ଉପସ୍ଥାନ ସଂଖ୍ୟାକୁ ଧ୍ୟାନ ଦିଆ ନଯାଇ, ପଢିବା ପାଇଁ ପିଲାଙ୍କୁ କେତେ ଦୂର ଯିବାକୁ ପଡିବ ତାକୁ ବିଚାରକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

କେବଳ ସରାକାରୀ ସ୍ତରରେ ନିଷ୍ପତ୍ତି ନନେଇ ସ୍ଥାନୀୟ ଲୋକ ଅନୁ ।ନ, ଗ୍ରାମ ପଂଚାୟତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ସହ ପାରାମର୍ଶକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି । ପରିତାପର ବିଷୟ ଆୟୁକ୍ତଙ୍କ ନିଦ୍ଦେର୍ଶକୁ ବିଭାଗ ଅଣଦେଖା କରୁଛି । ଶିକ୍ଷା ଅଧିକାର ସୁରକ୍ଷା କ୍ଷେତ୍ରରେ ଶିକ୍ଷା ବିଭାଗ ସେବା ପ୍ରଦାନ କାରୀ ଓ ପିଲା ଅଧିକାରର ଧାରକ । ସେବା ପ୍ରଦାନ କାରୀ ଦାୟିତ୍ୱରେ ଖିଲାପ କଲେ ଆୟୁକ୍ତ ତାଗିଦ ଓ ନିର୍ଦ୍ଦେଶ ଦେବାର ସାମ୍ବୀଧାନିକ ଦାୟୀତ୍ୱ । ବିଦ୍ୟାଳୟ ବନ୍ଦ ଯୋଗୁଁ ୨୮ ଜିଲ୍ଲାରେ ୬୭୩ ଛାତ୍ର ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ଶିକ୍ଷା ଅଧିକାର ଆଇନର ଉଲଂଘନ ।

ବିଭାଗର କୌଣସି ନିଷ୍ପତ୍ତ ଯୋଗୁଁ ଯଦି ୬ ରୁ ୧୪ ବର୍ଷର ଜଣେ ବି ପିଲା ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବାରୁ ବଂଚିତ ହେଲେ ଶିକ୍ଷା ଅଧିକାର ଆଇନର ଉଲଂଘନ ବୋଲି ଧରାଯିବ । ମାନବ ସମ୍ଭଳ ବିକାଶ ପାଇଁ ଶିକ୍ଷା ଆବଶ୍ୟକ । ଏଣୁ ଶିକ୍ଷା ପାଇଁ ବ୍ୟୟକୁ ବୋଝ ବୋଲି ମନେ ନକରି କୌଣସି ବି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଆୟୁକ୍ତଙ୍କ ରାୟର ପାଳନ କଲେ ସାମ୍ବିଧାନିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ଶିକ୍ଷା ଅଧିକାର ସୁରକ୍ଷିତ ହେବ ।

Filed Under: ଶିକ୍ଷା Tagged With: ଓଡିଶା, ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା

ଶିକ୍ଷାର ଘରୋଇକରଣ ଓ ସରକାରୀ ଆଭିମୂଖ୍ୟ

May 14, 2018 by ଘାସିରାମ ପଣ୍ଡା Leave a Comment

ସରକାରୀ ବିଦ୍ୟାଳୟ ପ୍ରତି ଅବହେଳା ଓ ଘରୋଇଙ୍କୁ ଅନୁଗ୍ରହ ପ୍ରାଥମିକ ଶିକ୍ଷାରେ ଘରୋଇକରଣର ପଥ ପ୍ରସ୍ତୁତ କରୁଛି । ଲଗାତାର ଭାବେ ଗତ ଦୁଇ ବର୍ଷ ହେଲା ଉପସ୍ଥାନ ଅଭାବ ଆଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଉଛି । ଅପର ପକ୍ଷରେ ବିନା ସ୍ୱୀକୃତି ପ୍ରମାଣ ପତ୍ରରେ ରାଜ୍ୟରେ ହଜାର ହଜାର ଘରୋଇ ବିଦ୍ୟାଳୟ ବେଆଇନ ଭାବେ ଚାଲୁଥିଲେ ବି କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କରାଯାଉ ନାହିଁ ।

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସମସ୍ତ ପ୍ରାଥମିକ ଶିକ୍ଷା ପ୍ରଦାନକାରୀ ଅନୁ ।ନକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଏଗୁଡିକ ହେଲା ସମ୍ପୁର୍ଣ୍ଣ ସରକାରୀ ଯାହା ସରକାରଙ୍କ ଦ୍ୱାରା ପ୍ରତି ିତ ଓ ପରିଚାଳିତ, ଅନୁଦାନ ପ୍ରାପ୍ତ ଯାହା ବ୍ୟକ୍ତି ବା ଗୋ ୀ ଉଦ୍ୟମରେ ପ୍ରତି ିତ ହୋଇଥିଲା ହେଲେ ପରେ ଆଂଶିକ ବା ସମ୍ପୁର୍ଣ୍ଣ ସରକାରୀ ଅନୁଦାନରେ ପରିଚାଳିତ, ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ସ୍ଥାପିତ ଯଥା ସୈନିକ ବିଦ୍ୟାଳୟ ବା ନବୋଦୟ ବିଦ୍ୟାଳୟ ଓ ଅଣଅନୁଦାନ ପ୍ରାପ୍ତ ଯଥା ବେସରକାରୀ ଓ ଘରୋଇ ପରିଚାଳିତ ବିଦ୍ୟାଳୟ ।

ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ସ୍ଥାପିତ ଓ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ କେବଳ ସଂଖ୍ୟାଲଘୁଙ୍କ ଦ୍ୱାରା ପରିଚାଳିତ ଘରୋଇ ବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଅନୁ ।ନ ପାଇଁ ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଦିଷ୍ଟ ନୀତି ଓ ମାନ ନିର୍ଦ୍ଧାରିତ ହୋଇଛି । ଆଇନର ଧାରା ୧୮ ଅନୁଯାୟୀ ସମସ୍ତ ଘରୋଇ ବିଦ୍ୟାଳୟ ପାଇଁ ‘ସ୍ୱୀକୃତି ପ୍ରମାଣ ପତ୍ର’ ଅନିର୍ବାର୍ଯ୍ୟ ଅଟେ ।

ତେବେ ଶିକ୍ଷା ଅଧିକାର ଆଇନରେ ଧାର୍ଯ୍ୟ ନୀତି ଓ ମାନକୁ ପୁରଣ କରୁଥିବା ବିଦ୍ୟାଳୟମାନେ ହିଁ ଏହି ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ । ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏଥିପାଇଁ ସରଜମୀନ ତଦନ୍ତ କରାଯାଇଥାଏ । ଶିକ୍ଷା ଅଧିକାର ଆଇନ ଲାଗୁ ହେଲାପାରେ ଧାର୍ଯ୍ୟ ମାନକୁ ପୁରଣ କରିବା ପାଇଁ ସମସ୍ତ ବିଦ୍ୟାଳୟକୁ ପାଂଚ ବର୍ଷର ମହଲତ ଦିଆଯାଇଥିଲା ।

ହେଲେ ଏବେ କାଁ ଭାଁ କିଛି ବିଦ୍ୟାଳୟ ଏହାକୁ ମାନୁଥିବାର ଦେଖାଯାଉଛି । ବଡ ବଡ ବିଦ୍ୟାଳୟମାନଙ୍କରେ ଭିତ୍ତିଭୂମୀ ଜନିତ ସମସ୍ତ ମାନ ପୁରଣ ହୋଇ ଯାଉଥିଲେବି ତାଲିମ ପ୍ରାପ୍ତ ଶିକ୍ଷକ ଓ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ପଚିଶ ଭାଗ ସ୍ଥାନ ସଂରକ୍ଷଣର ସର୍ତ୍ତ ପୁରଣ ହୋଇପାରୁ ନାହିଁ । ଆଇନର ଧାରା ୧୨ (୧) ଏବଂ (୨) ଅନୁଯାୟୀ ଏହା ବାଧ୍ୟତାମୂଳକ ।

ଗାଁ ଗହଳିରେ ଛତୁଫୁଟା ଘରୋଇ ବିଦ୍ୟାଳୟମାନଙ୍କରେ ଗୋଟିଏ ବି ମାନ ପୁରଣ ହଉ ନାହିଁ । ସ୍ୱୀକୃତି ପ୍ରମାଣ ପତ୍ର ନଥାଇ ପରିଚାଳିତ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କାର ଜରିମାନ ସହ ବନ୍ଦ କରି ଦିଆଯାଇ ପାରିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷମତା ପ୍ରାପ୍ତ । ବନ୍ଦ ନିର୍ଦ୍ଦେଶ ପରେ ବି ବିଦ୍ୟାଳୟ ଚାଲୁ ରହିଲେ ପ୍ରତ୍ୟେକ ଗୋଟିଏ ଦିନ ପାଇଁ ଅଧିକ ଦଶ ହଜାର ଟଙ୍କା ଜରିମାନା ଆଦାୟ ହେବ ।

ଏହା କଡାକଡି ଭାବେ କାର୍ଯକାରୀ ହେଲେ ଘରୋଇ ବିଦ୍ୟାଳୟରେ ଗୁଣାତ୍ମକ ମାନ ବଜାୟ ରହିବ । ହେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଘରୋଇ ବିଦ୍ୟାଳୟ ପ୍ରତି ଉଦାର ମନୋଭାବ ଆଇନର କାର୍ଯ୍ୟକାରିତାରେ ଅନ୍ତରାୟ ସାଜୁଛି । ୨୦୧୬ ଅଗଷ୍ଟ ୨୩ ରେ ବିଭାଗ ଦ୍ୱାରା ଜାରି କରାଯାଇ ଥିବା ପତ୍ର ସଂଖ୍ୟା ୧୬୮୩୭ ଏହାର ଏକ ଉଦାହରଣ ।

ଏହି ପତ୍ର ଅଧାରରେ ବିନା ସରଜମୀନ ତଦନ୍ତରେ ବିଦ୍ୟାଳୟ ମାନଙ୍କର ସ୍ୱୀକୃତି ଅବଧି ଗୋଟିିଏ ବର୍ଷ ପାଇଁ ବଢେଇ ଦିଆଗଲା । ଏଥିରେ ୨୦୧୭ ମସିହା ମାର୍ଚ ୩୧ ସୁଦ୍ଧା ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟର ସ୍ୱୀକୃତି ପ୍ରମାଣ ପତ୍ର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଥିଲା । ସାଧାରଣତଃ ସ୍ୱୀକୃତି ପ୍ରମାଣ ପତ୍ର ପାଇଥିବା ବିଦ୍ୟାଳୟର ତାଲିକା ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କ ୱବ ସାଇଟରେ ପ୍ରକାଶିତ ହୁଏ ।

ହେଲେ ଚଳିତ ଶିକ୍ଷା ବର୍ଷ ପାଇଁ ଗୋଟିଏ ବି ବିଦ୍ୟାଳୟ ଏହି ପ୍ରମାଣ ପତ୍ର ପାଇଥିବା ପ୍ରଦର୍ଶିତ ହୋଇ ନାହିଁ । ଇତି ମଧ୍ୟରେ ବିଭାଗ ତରଫରୁ ବିଭନ୍ନ ପର୍ଯ୍ୟାୟରେ କେବଳ ଭୁବନେଶ୍ୱରରେ ଥିବା ଘରୋଇ ବିଦ୍ୟାଳୟ ପରିଚାଳନା ମୂଖ୍ୟମାନଙ୍କ ବୈଠକ କରାଯାଇଥିଲେ ହେଁ ପ୍ରମାଣ ପତ୍ରକୁ ବାଧ୍ୟତା ମୂଳକ କରିବାରେ ବିଭାଗ ସକ୍ଷମ ହୋଇ ପାରି ନାହିଁ ।

ଚଳିତ ବର୍ଷ ଫେବୃୟାରୀ ୨୧ରେ ବିଭାଗ ଦ୍ୱାରା ଜାରି ପତ୍ର ସଂଖ୍ୟା ୨୯୫୬ ଘରୋଇ ବିଦ୍ୟାଳୟକୁ ଆହୁରି ସୁହାଇବ । ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱୀକୃତି ପ୍ରମାଣ ପତ୍ର ଏକ କାଳିନ ପାଂଚ ବର୍ଷ ପାଇଁ ଦିଆଯାଇ ପାରିବ । ଏହି ପାଂଚ ବର୍ଷ ଭିତରେ ଉପଯୁକ୍ତ ଅଧିକାରୀ ଅତିକମରେ ଥରେ ପରିଦର୍ଶନ କରିବେ । ଏହା ମୂଳ ଆଇନର ପରିପନ୍ଥି । ସ୍ୱୀକୃତି ପ୍ରମାଣ ପତ୍ର ସବୁବେଳେ ସର୍ତ୍ତ ମୂଳକ ।

ଆଇନ ଆଧାରିତ ନୀତି ଓ ମାନକୁ ବିଦ୍ୟାଳୟ ଉଲଂଘନ କରୁଥିବା ଅଧିକାରୀ ପ୍ରମାଣ ପାଇଲେ ପ୍ରମାଣ ପତ୍ର ପ୍ରତ୍ୟାହୃତ କରି ପାରିବେ । ପାଂଚ ବର୍ଷରେ ଥରେ ଅଧିକାରୀ ବିଦ୍ୟାଳୟକୁ ପରିଦର୍ଶନରେ ଗଲେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ନୀତି ଓ ମାନର କିପରି ତଦାରଖ ହୋଇପାରିବ ? ନୀୟମିତ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ଛଅ ମାସ ବା ବର୍ଷରେ ଥରେ ବୋଲି ଧାର୍ଯ୍ୟ କରିବାରେ ଅସୁବିଧା କ’ଣ ? ପାଂଚ ବର୍ଷରେ ଅତିକମରେ ଥରେ କହି ବିଭାଗ ଘରୋଇ ବିଦ୍ୟାଳୟକୁ ଜାଣିଶୁଣି ନିୟନ୍ତ୍ରଣ ବାହାରକୁ ଛାଡିଦେଇଛି !

ଏହି ବର୍ଷ ଅଗଷ୍ଟ ୨୩ରେ ଜାରି ଆଉ ଏକ ପତ୍ର ସଂଖ୍ୟା ୧୫୬୬୩ ସରକାରଙ୍କ ଘରୋଇ ପ୍ରିତୀକୁ ସ୍ପଷ୍ଟ କରୁଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ସରକାରୀ ବିଦ୍ୟାଳୟକୁ ସମୟାନୁଯାୟୀ ସବୁ ବିଷୟର ପାଠ୍ୟ ପୁସ୍ତକ ଯୋଗାଇ ପାରୁ ନଥିବା ବିଭାଗ ଏକ ନିର୍ଦ୍ଧିଷ୍ଟ ଅନୁ ।ନ ଦ୍ୱାରା ପରିଚାଳିତ ଘରୋଇ ବିଦ୍ୟାଳୟର ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଇବାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପତ୍ରରେ ଉଲ୍ଲେଖ ଅଛିଯେ, ଏହି ଅନୁ ।ନ ଦ୍ୱରା ପରିଚାଳିତ ବିଦ୍ୟାଳୟମାନଙ୍କରେ ସମସ୍ତ ଜାତି, ଧର୍ମର ପିଲାଙ୍କୁ ଦାରିଦ୍ର୍ୟତା ତଥା ଯୋଗ୍ୟତା ଆଧାରରେ ନାମଲେଖା ଯାଏ । ଶିକ୍ଷା ଅଧିକାର ଆଇନ ଧାରା ୧୩ ସ୍ୱଚ୍ଚ ନାମଲେଖାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ଚୟନ ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇଛି । ଯୋଗ୍ୟତା ଆଧାରରେ ନାମ ଲେଖାଇବାକୁ ଏକ ପ୍ରକାରର ଚୟନ ପ୍ରକ୍ରୟା ବୋଲି ବିଭାଗ ବିଚାରକୁ ନେଉ ନାହନ୍ତି କି? ଦେୟ ଦେଇ ପାରୁଥିବା ଅଭିଭାବକ ନିଜ ପିଲାଙ୍କୁ ଏହି ବିଦ୍ୟାଳୟରେ ପଢାନ୍ତି ।

ଏଣୁ ଏମାନେ ବହି କିଣି ପଢି ପରିବେ । ମାଗଣା ଶିକ୍ଷା ଇଚ୍ଛା କରୁଥିବା ଅଭିଭାବକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଲେ ପାଠ୍ୟ ପୁସ୍ତକ ସମେତ ପୋଷାକ, ମଧ୍ୟାହ୍ନ ଭୋଜନ ଭଳି ଅନ୍ୟାନ୍ୟ ସରକାରୀ ସୁବିଧା ପାଇବେ । ଘରୋଇ ପରିଚାଳିତ ବିଦ୍ୟାଳୟରେ ମାଗଣା ବ୍ୟବସ୍ଥା ପ୍ରଚଳିତ ହେଲେ ଏହା ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ କହିବା ନାହିଁ କି ? ସ୍ୱୀକୃତି ପ୍ରମାଣ ପତ୍ର ନଥିବା କାରଣରୁ କିଛି ବିଦ୍ୟାଳୟର ଛାତ୍ରଛାତ୍ରି ଗତବର୍ଷ ନବୋଦୟ ନିର୍ବାଚନୀ ପରୀକ୍ଷାରୁ ବାଦ ପଡିଥିଲେ ।

ଏହି ପରିପ୍ରେକ୍ଷିରେ ସ୍ୱୀକୃତି ପ୍ରମାଣ ପତ୍ର ନଥିବା ବିଦ୍ୟାଳୟକୁ ବିଧାୟକ ଉନ୍ନୟନ ପାଣ୍ଠି ଓ ଅନ୍ୟାନ୍ୟ ସରକାରୀ ସହାୟତା କୁ ଆଇନ ସମ୍ମତ ବୋଲି କହିବା କିପରି ? ଶିକ୍ଷା ଅଧିକାର ଆଇନ ପ୍ରଣିତ ହେବା ପରେ ଘରୋଇ ବିଦ୍ୟାଳୟକୁ ପ୍ରସ୍ତୁତ ହେବା ପାଇଁ ଯଥେଷ୍ଟ ସମୟ ମିଳି ସାରିଛି । ଏବେ ସ୍ୱୀକୃତି ପ୍ରମାଣ ପତ୍ର ବିନା ଘରୋଇ ବିଦ୍ୟାଳୟ ଚାଲୁ ରହିଲେ ଏହା ସରକାରଙ୍କ ଅସହାୟତା ନତୁବା ଘରୋଇ ପ୍ରିତି ବୋଲି ଧରିନେବାକୁ ହେବ ।

Filed Under: ଶିକ୍ଷା Tagged With: ଶିକ୍ଷା, ସରକାରୀ ବିଦ୍ୟାଳୟ

ବିଦ୍ୟାଳୟ ବାହାରେ କେତେ ପିଲା ?

May 12, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ଶିକ୍ଷାକୁ ମାଗଣା ଓ ବାଧ୍ୟତା ମୂଳକ କରାଯାଇଛି । ଏଥି ସହିତ ସମସ୍ତଙ୍କ ପାଇଁ ପ୍ରାକ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଏହି ଆଇନରେ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି । ସମସ୍ତେ ବିଦ୍ୟାଳୟକୁ ଯାଇପାରିବେ, ଏଣୁ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା ସରକାର ନୀୟମାବଳୀରେ ପ୍ରତିଶୃତି ଦେଇଛନ୍ତି ।

ଏଥିପାଇଁ ପ୍ରତି ବର୍ଷ ସର୍ବେକ୍ଷଣ କରାଯାଇ ଆବଶ୍ୟକତା ଥିବା ଅଂଚଳରେ ବିଦ୍ୟାଳୟ ସ୍ଥାପନ କରିବା ସରକାରଙ୍କ ଏକ ଆଇନଗତ କର୍ତ୍ତବ୍ୟ । ଯେଉଁମାନଙ୍କୁ ନିର୍ଦ୍ଧାରିତ ଦୂରତାରୁ ଅଧିକ ଯିବାକୁ ପଡୁଛି, ସେମାନଙ୍କ ପାଇଁ ସହାୟକ ଓ ଯାତାୟତ ଖର୍ଚ୍ଚ ପ୍ରଦାନ ଶିକ୍ଷା ଅଧିକାର ଆଇନର ଏକ ବୈଶିଷ୍ଠ୍ୟ । ଏତେ ବ୍ୟବସ୍ଥା ସତ୍ୱେ ଏହି ବୟସର ଅନେକ ପିଲା ରାସ୍ତା କଡ ଢାବା, ଚା ଦୋକାନ, ଘରୋଇ କାର୍ଯ୍ୟ ଓ ଆହୁରି ଅନେକ ବିପଦସଂକୁଳ ସ୍ଥଳିରେ ଦେଖିବାକୁ ମିଳୁଛନ୍ତି ।

କହିବାକୁ ଗଲେ ୬ ରୁ ୧୪ ବର୍ଷର ସମସ୍ତ ପିଲା ଏବେ ବି ବିଦ୍ୟାଳୟର ପରିଧି ଭିତରକୁ ଆସିପାରି ନାହାନ୍ତି । ବିଭିନ୍ନ ସମୟରେ ପିଲା ମାନେ କାହିଁକି ବିଦ୍ୟାଳୟ ବାହାରେ ରହୁଛନ୍ତି ତାର କାରଣ ଆଲୋଚିତ ହୋଇଛି ଓ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସତ୍ୱେ ବି ସଫଳତା ମିଳି ପାରୁ ନାହିଁ । ଏହାର ଏକ ବଡ କାରଣ ହେଲା କେଉଁ ସ୍ଥାନରେ କେତେ ସଂଖ୍ୟାରେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ତାକୁ ନେଇ ଏକ ସ୍ପଷ୍ଟ ଚିତ୍ର କାହା ପାଖରେ ନାହିଁ ।

ପ୍ରତ୍ୟେକ ପିଲାଙ୍କୁ ଠାବ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚହ୍ନଟ ସଂଖ୍ୟା ପ୍ରଦାନ ପୂର୍ବକ ପ୍ରଗତିର ବିବରଣୀ ରଖିବାକୁ ସର୍ବ ଶିକ୍ଷା ଅଭିଯାନ ଇ-ଶିଶୁ କାର୍ଯକ୍ରମ କରିଛନ୍ତି । ଏହାର ସଫଳତା ପାଇଁ ଗଣ ଶିକ୍ଷା ବିଭାଗ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ପ୍ରଧାନ ମନ୍ତ୍ରୀ ପୁରଷ୍କାର ଲାଭ କରିଛି । ଏହା ସତ୍ୱେ ବିଦ୍ୟାଳୟ ବାହାରେ କେତେ ପିଲା, ଏହାର ଉତ୍ତର ବିଭାଗ ପାଖରେ ନାହିଁ !

ବିଦ୍ୟାଳୟ ବାହରେ ଥିବା ପିଲାଙ୍କ ସ୍ଥିତି କୁ ନେଇ ୨୦୧୫ ମସିହାରେ ଉଚ୍ଚ ନ୍ୟାୟାଳୟରେ ବିଭାଗ ସତ୍ୟ ପାଠ ଦାଖଲ କରି ୨୦୦୫ ପରଠାରୁ ଏନେଇ କୌଣସି ଅଗ୍ରଗତି ହୋଇନଥିବା ସ୍ୱିକାର କରିଥିଲେ । ଏବେବି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ । କିଛିଦିନ ପୂର୍ବେ ଶିକ୍ଷକ ମାନଙ୍କ ସହାୟତାରେ ପିଲାଙ୍କ ସ୍ଥିତି ନେଇ ସମଗ୍ର ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯାଇଛି ।

ଏପରି ଏକ ବ୍ୟୟ ବହୁଳ ଓ ସମୟ ସାପେକ୍ଷ କାର୍ଯକ୍ରମ ସତ୍ୱେ ବିଭାଗ ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟାକୁ ନେଇ ନିଶ୍ଚିତ ନାହାନ୍ତି! ଏଣୁ ଏପର୍ଯ୍ୟନ୍ତ ଏହି ତଥ୍ୟକୁ ସର୍ବ ସାଧାରଣଙ୍କ ଗୋଚରକୁ ଅଣାଯାଇ ନାହିଁ (?) ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଠାବ କରିବା ଏକ ନିରନ୍ତର ପ୍ରକ୍ରୟା । ଏପରି ହେଲେ ହିଁ ପିଲାଙ୍କୁ ପୁନଃ ବିଦ୍ୟାଳୟକୁ ଫରେଇ ଅଣାଯାଇ ପାରିବ ଓ ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ କରିବାରେ ସହାୟକ ହେବ ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଗତ ୩୧ ମାର୍ଚ, ୨୦୧୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଲୋଚନାକୁ ଅଣାଯାଇ ପାରେ । ୬ ରୁ ୧୪ ବର୍ଷ ବୟସର ଅନେକ ପିଲା ଥାଇ ପାରନ୍ତି ଯେଉଁମାନେ କେବେବି ବିଦ୍ୟାଳୟରେ ନାମ ଲେଖାଇ ନଥିବେ । ଶିକ୍ଷା ଅଧିକାର ଆଇନ ଧାରା ୯ (ଛ) ଅନୁଯାୟୀ ସେପରି ପିଲାମାନଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା ସହ ଅବଶ୍ୟକୀୟ ସ୍ୱତନ୍ତ୍ର ତାଲିମ ଯୋଗାଇବା ସ୍ଥାନୀୟ ଅଧିକାରୀଙ୍କ ଦାୟୀତ୍ୱ ।

ଏଣୁ ଏପରି ପିଲାଙ୍କୁ ଚିହ୍ନଟ କରାଯିବାର ଅବଶ୍ୟକତା ଉପରେ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଆମ ରାଜ୍ୟ ନୀୟମାବଳୀର ଧାର ୫ ଅନୁଯାୟୀ ୬ ରୁ ୧୪ ବର୍ଷର ପିଲା ଯେଉଁମାନେ ନାମ ଲେଖାଇ ନାହାନ୍ତି ଓ ଯେଉଁମାନେ ନାମ ଲେଖାଇଛନ୍ତି ଅଥଚ ଅନୁପସ୍ଥିତ ରହୁଛନ୍ତି, ଉଭୟଙ୍କୁ ବିଦ୍ୟାଳୟ ବାହାରେ ଥିବା ପିଲା ଭାବରେ ଗଣାଯାଇଛି ।

ନାମ ଲେଖାଯାଇଥିବା ସତ୍ୱେ ବିଦ୍ୟାଳୟରେ ଅନୁପସ୍ଥିତ ହେଉଥିବା ପିଲାଙ୍କୁ ଚିହ୍ନଟ ଓ ପୁନଃ ଯୋଗଦାନ ନିମନ୍ତେ ଉତ୍ସାହିତ କରିବା ପାଇଁ ବିଭାଗ ଦ୍ୱାରା ଜାରୀ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଯଦି ପିଲା ୭ ଦିନ ହେଲା ଅନୁପସ୍ଥିତ ହେଲାଣି ତାହେଲେ ପିଲା ତଥା ଅଭିବାବକଙ୍କୁ ବିଦ୍ୟାଳୟର ଶିକ୍ଷକ ଦେଖାକରି ଅସୁବିଧା ବୁଝିବେ ଓ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ବୁଝାସୁଝା କରିବେ । ଯଦି ପିଲା ୧୦ ଦିନ ହେଲା ଅନୁପସ୍ଥିତ ରହିଲାଣି ଏହି ଦାୟୀତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେବେ ।

ଏହା ସତ୍ୱେବି ପିଲା ଅନୁପସ୍ଥିତ ରହିଲେ ୧୫ ଦିନ ପରେ ବିଦ୍ୟାଳୟ ପରିଚାଲନା କମିଟି ତଥା ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟ / ସଦସ୍ୟା ମାନେ ଏଥିରେ ସହାୟତା କରିବେ । ଏହା ପରେବି ପରବର୍ତ୍ତି ତନି ଦିନ ପର୍ଯ୍ୟନ୍ତ ପିଲା ବିଦ୍ୟାଳୟକୁ ନଆସିଲେ ସିଆରସିସି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିବେ ।

ଯଦି ପିଲା ୩୦ ଦିନରୁ ଅଧିକ ଅନୁପସ୍ଥିତ ରୁହେ ତାହେଲେ ତାକୁ ବିଦ୍ୟାଳୟ ବାହାରେ (ଡ୍ରପ ଆଉଟ) ବୋଲି ଘୋଷଣା କରାଯିବ ଓ ୩୦ ଦିନ ପରେ ବିଦ୍ୟାଳୟକୁ ଫେରିଲେ ଆଉଥରେ ନାମ ଲେଖିବାକୁ ହେବ । ୨୦୧୪ ମସିହା ଠାରୁ ଜାରି ଏହି ବିଜ୍ଞପ୍ତି କିନ୍ତୁ ନଜର ଅଢୁଆଳରେ ରହିଯାଛି । ବିଜ୍ଞପ୍ତିରେ ଦାୟୀତ୍ୱ ନ୍ୟସ୍ତ କରାଯାଇ ଥିବା ଅଧିକାରୀଙ୍କ ସମେତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ତଦାରଖ କାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହାର କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇ ନାହାନ୍ତି ।

ପ୍ରକୃତ ପକ୍ଷେ ଏହାକୁ କାର୍ଯକାରୀ କରିବାକୁ ଥିବା ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଅବା ସିଆରସିସି ମାନେ ଅନେକ ଜାଗାରେ ଏପରି ଏକ ବିଜ୍ଞପ୍ତି ଥିବା ନେଇ ଅଜ୍ଞ । ଆଉ ଯେଉଁମାନେ ଏ ବିଜ୍ଞପ୍ତି ସମ୍ପର୍କରେ ଜାଣିଛନ୍ତି, ଉପରିସ୍ଥ ଅଧିକାରୀ ଏ ବିଷୟରେ କେବେବି ତଦାରଖ କରୁନଥିବାରୁ ଅଯଥା ଦାୟୀତ୍ୱ ଭାବି ଆଡେଇ ଯାଉଛନ୍ତି ।

ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ମାନଙ୍କରୁ ଦାଦନ ଯାଉଥିବା ପିଲାମାନେ ତିନିମାସ ପରେ ଫେରିଲେ ବି ବିଦ୍ୟାଳୟ ବାହାରେ ବୋଲି ଘୋଷିତ ହେଉ ନାହନ୍ତି କି ଆଉଥରେ ସେମାନଙ୍କ ନାମ ଲେଖା ଯାଉ ନାହିଁ । ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ପିଲା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହୁଥିଲେବି ୭, ୧୦ ବା ୧୫ ଦିନରେ ନିଆଯିବାକୁ ଥିବା ବା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ବିଦ୍ୟାଳୟ ମାନଙ୍କରେ ଉପଲବ୍ଧ ନହେବା ଏହାର ଗୋଟିଏ ଗୋଟିଏ ଉଦାହରଣ ।

୭ ଦିନରୁ ୩୦ ଦିନ ପାର୍ଯନ୍ତ ପର୍ଯାୟ କ୍ରମେ ଦିଆଯାଇ ଥିବା ଦାୟୀତ୍ୱ ତୁଳାଯାଇ ପାରିଲେ ବିଭିନ୍ନ ସ୍ଥିତିରେ ବିଦ୍ୟାଳୟ ବାହାରେ କେଉଁ ଠାରେ କେତେ ପିଲା ଅଛନ୍ତି ତାର ନିରନ୍ତର ଆକଳନ କରାଯାଇ ପାରିବ । ଏହା ବିଦ୍ୟାଳୟ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟାଇବାରେ ସହାୟକ ହୋଇ ପାରିବ ।

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

ଭେଦଭାବ ମୁକ୍ତ ବିଦ୍ୟାଳୟ

May 12, 2018 by ଘାସିରାମ ପଣ୍ଡା Leave a Comment


ସାମାଜିକ ଅସମାନତାର ପରିବେଶରେ ଆମେ ବହୁତ ସମୟରେ ଜାତି, ଲିଙ୍ଗ, ଧର୍ମ, ଶାରୀରିକ ଗଠନ ଇତ୍ୟାଦି ଆଧାରରେ ଘଟୁଥିବା ଭେଦଭାବର ସମ୍ମୁଖିନ ହେଉ । ଭେଦଭାବ ଦ୍ୱାରା ଜଣେ ଆଉ ଜଣକୁ ନୀଚ ବୋଲି ଦେଖାଏ । ଧର୍ମ ଓ ସାମାଜିକ ପ୍ରଥା, ପାରମ୍ପରା, ଚଳଣିରେ ଥିବା ରିତି ନୀତି ଯୋଗୁଁ ନୀଚ ବୋଲି ଗଣାଯାଉଥିବା ସେହି ବର୍ଗର ଲୋକେ ଅନେକ ସାର୍ବଜନୀନ ସୁବିଧା ସୁଯୋଗରୁ ବଞ୍ôଚତ ହୁଅନ୍ତି ।

ଅନେକ ସମୟରେ ସେମାନେ ଅସମ୍ମାନ ଜନକ ସ୍ଥିତିର ସାମନା କରନ୍ତି, ଯାହା କର୍ମ ଫଳ ମନେକରି ଦେହ ସୁହା କରି ନିଅନ୍ତି । ଶିକ୍ଷା ଓ ସଚେତନତା ମାଧ୍ୟମରେ ଭେଦଭାବ ଓ ତଦଜନିତ ଅସମାନତାକୁ ଦୂର କରିବା ପାଇଁ ଅନେକ ପ୍ରୟାସ କରାଯାଇଛି । ହେଲେ ଶିକ୍ଷାର ମୂଳ କେନ୍ଦ୍ର ଶିକ୍ଷାୟତନ ମାନେ ମଧ୍ୟ ଭେଦଭାବରୁ ଉଦ୍ଧ୍ୱର୍କୁ ଯାଇ ପାରିନାହାନ୍ତି । ଫଳରେ ଆଜି ଅନେକ ପିଲା ଶିକ୍ଷାରୁ ବାଦ ପଡୁଛନ୍ତି ।

ସରକାରଙ୍କ ସୁଚନା ଅନୁସାରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ସଂଖ୍ୟା ଆଶାତିତ ଭାବରେ କମାଯାଇପାରିଛି । ଏହା ସାଧାରଣରେ ୨୦୧୨ – ୧୩ ବେଳକୁ ୧୮.୭୨ଶତକଡା ଥିଲା ଯାହା ୨୦୧୫ – ୧୬ ବେଳକୁ ୬.୦୨କୁ ଖସି ଆସିଛି । ହେଲେ ତଫସିଲ ଭୂକ୍ତ ଜାତିଙ୍କ କ୍ଷେତ୍ରରେ ଏହା ମାତ୍ର ୧୫ ଶତକଡାକୁ କମିଛି ।

ଶିକ୍ଷା ଅଧିକାର ଆଇନର ଧାରା ୮ (ଗ) ଓ ୯ (ଗ) ଅନୁଯାୟୀ ଏହା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ଉତ୍ତରଦାୟୀତ୍ୱ ଯେପରି ଦୁର୍ବଳ ଓ ପଛୁଆ ବର୍ଗର ପିଲାମାନେ ଭେଦଭାବର ଶିକାର ନହୁଅନ୍ତି ଏବଂ ଏହା ସେମାନଙ୍କର ପଢା ଛାଡିବାର କାରଣ ନହୁଏ । ପରବର୍ତ୍ତି ସମୟରେ ଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ ପତ୍ର ସଂଖ୍ୟା ୧୦୪୦୦/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ ଓ ପତ୍ର ସଂଖ୍ୟା ୧୦୪୦୧/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ରେ ଦୁଇଟି ଗୁରୁତ୍ୱପୁର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ପ୍ରଥମଟିରେ ଉଲ୍ଲେଖ କରାଯାଇଛି ଯେ, ଜାତି, ଧର୍ମ, ମତବାଦ ଆଧାରରେ ବିଦ୍ୟାଳୟରେ ଭେଦଭାବ ହେଉଥିବା ଦୃଷ୍ଟିକୁ ଆସୁଛି । ଏହା ପିଲାମାନଙ୍କ ନିରନ୍ତର ଶିକ୍ଷାରେ ବାଧକ ସାଜୁଛି । ଶିଶୁର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ବିଦ୍ୟାଳୟଗୁଡିକୁ ଭେଦଭାବ ମୁକ୍ତ ପରିବେଶ କରିବା ପାଇଁ ପଦେକ୍ଷପ ନିଆଯିବାର ଆବଶ୍ୟକତା ରହିଛି । ଏଣୁ ବିଦ୍ୟାଳୟର ପ୍ରମୁଖ ସ୍ଥାନରେ ‘ଭେଦବାବ ଶୂନ୍ୟ ଅଂଚଳ’ ଲେଖାଯିବ ।

ଦ୍ୱିତୀୟଟିରେ ଉଲ୍ଲେଖ କରାଯାଇଛି ଯେ, ଆମ ରାଜ୍ୟରେ ବିଭିନ୍ନ ଜାତି ନାଁରେ ଅନେକ ବିଦ୍ୟାଳୟ ନାମିତ ହୋଇଛି । ଏହା ସାମ୍ବୀଧାନିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରିବା ସହ ସମ୍ପ୍ରଦାୟ ଭିତରେ ଅସନ୍ତୁଳନ ସୃଷ୍ଟି କରୁଛି । ଏଣୁ ଏହି ଭଳି ଜାତି ନାଁରେ ନାମିତ ବିଦ୍ୟାଳୟ ମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ନାମର ପରର୍ତ୍ତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅଧିକାର ଆଇନକୁ ବ୍ୟବହାର କରି ପଚାରାଯାଇ ଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟର କୌଣସି ବି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଭେଦଭାବର ଘଟଣା ଚିହ୍ନଟ ବା ଅଭିଯୋଗ ହେବାର ନଜିର ନାହିଁ ବୋଲି ‘ଓପେପା’ ଉଲ୍ଲେଖ କରିଛନ୍ତି । ରାଜ୍ୟର ପ୍ରାଥମିକ ଶିକ୍ଷା ପରିଚାଳନା କରୁଥିବା ପ୍ରମୁଖ ଅନୁଷ୍ଠାନର ଏପରି ଦାବୀ ସେମାନଙ୍କର ଅଜ୍ଞତାର ପରିଚାୟକ ।

ପ୍ରକୃତ ପକ୍ଷେ ଭେଦଭାବକୁ ବୁଝିବା, ଏପରି ସମ୍ବେଦନଶୀଳ ଘଟଣାକୁ ଚିହ୍ନଟ କରି ପରାମର୍ଶ ମାଧ୍ୟମରେ ସମାଧାନ କରିବା ଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭିତରକୁ ଆସିପାରି ନାହିଁ । ନିର୍ଦ୍ଦିଷ୍ଟ ଜାତିର ପିଲାଙ୍କୁ ସଫା କରିବା କାମରେ ଲଗେଇବା, ମଧ୍ୟାହ୍ନ ଭୋଜନରେ ଅଲଗା ବସେଇବା, ପୂଜା ପାର୍ବଣରେ ସାମିଲ ନକରେଇବା ଭଳି ଅନେକ ସଙ୍ଗିନ ଅଭିଯୋଗ ବିଭିନ୍ନ ସମୟରେ ଆସିଛି ।

ଅନେକ ବିଦ୍ୟାଳୟରେ ଏକଥା ଆଲୋଚନା କଲେ ‘ଆମର ଏଠି ତ ଏମିତି ହୁଏ ନାହିଁ’ ର ଉତ୍ତର ମିଳେ । ତଳେଇ କରି ଦେଖିଲେ ସେଠାରେ ବି ଦଳିତ ପିଲାଙ୍କର ଉତ୍ତର ଖାତା ଶିକ୍ଷକ ଛୁଉଁ ନଥିବା, ନିର୍ଦ୍ଦିଷ୍ଟ ପିଲାଙ୍କ ହାତରୁ କେବେ ପାଣି ପିଉ ନଥିବା, ପିଲା ଅନୁପସ୍ଥିତ ରହିଲେ ଅବିଭାବକଙ୍କୁ ଦେଖାକରିବା ପାଇଁ ଦଳିତ ବସ୍ତିକୁ ନଯିବା ଭଳି ଅନେକ ଉଦାହରଣ ଆସେ । ମାସିକ ଋତୁଶ୍ରାବ ସମୟରେ ବାଛବିଚାର ହେତୁ ଅଧିକାଂଶ ଝିଅ ଏହି ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି । ଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ମାନସିକ ଅନଗ୍ରସର ପ୍ରଭୃତି ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଶ୍ରେଣୀ ଗୃହ, ପାଇଖାନା, ଖେଳପଡିଆ, ପାଠ୍ୟ ଉପକରଣ, ଶିକ୍ଷଣ ପ୍ରଣାଳୀ ଇତ୍ୟାଦି ଅନୁପୁରକ ହୋଇପାରି ନାହିଁ ।

ଏଣୁ ଏମାନେ ମଧ୍ୟ ଭେଦଭାବର ଶିକାର ହୁଅନ୍ତି । ଜାତି ନାଁରେ ନାମିତ ବିଦ୍ୟାଳୟ ଉଭୟ ପିଲା ଓ ଶିକ୍ଷକଙ୍କ ପାଇଁ ଅଶ୍ୱସ୍ଥିକର ହୋଇଥାଏ । ଏପରି ବିଦ୍ୟାଳୟରେ ପିଲା ନାଁ ଲେଖାଇବାକୁ କୁଣ୍ଠିତ ହୁଅନ୍ତି । ଏଣୁ ପାଖ ବିଦ୍ୟାଳୟ ଛାଡି ସେମାନେ ଦୂର ଜାଗାରେ ନାଁ ଲେଖାନ୍ତି ଓ ପରେ ଏହା ବିଦ୍ୟାଳୟରେ ଅନୁପସ୍ଥିତିର କାରଣ ହୁଏ । ରାଜ୍ୟରେ ଜାତି ନାଁରେ କେତେ ବିଦ୍ୟାଳୟ ଅଛି ଓ ଏପର୍ଯ୍ୟନ୍ତ କେତେ ବିଦ୍ୟାଲୟର ନାଁ ନିର୍ଦ୍ଦେଶ ମୂତାବକ ପରିବତ୍ତିତ ହୋଇସାରିଛି – ଏମିତି ଏକ ପ୍ରଶ୍ନର ଉତ୍ତର ଶିକ୍ଷା ବିଭାଗ ପାଖରେ ନାହିଁ ।

ଭେଦଭାବ କେବଳ ଏକ ଭିତ୍ତିଭୂମୀ ଜନିତ ଅସୁବିଧା ନୁହେଁ । ଏହା ଅଧିକାଂଶରେ ମାନସିକ ଯାହା ଭ୍ରମଧାରଣା ଓ ସଠିକ ସୂଚନାର ଅଭାବରୁ ଉତ୍ପନ୍ନ ହୋଇଥାଏ । ମାନସିକତର ପରିବର୍ତ୍ତନ ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ କୌଣସି ପ୍ରକାରର ତାଲିମ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ବିଭାଗ ଅଜ୍ଞ । ଏକ ତଥ୍ୟ ରହିତ ବିଭାଗ ଭେଦଭାବ ଭଳି ବ୍ୟାପ୍ତ ଓ ଗମ୍ଭୀର ସମସ୍ୟାର ସମାଧାନ କରିବା ଦୁରୁହ ବ୍ୟାପାର ।

ଏଣୁ ପ୍ରଥମେ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ଏପରି ଅଭିଯୋଗ ହେଲେ ଅପମାନିତ ହେବାର ଭୟରେ ଯଦି ଘଟଣା ଗୁଡିକୁ ଦବେଇ ଦିଆଯାଏ ତାହେଲେ ଶିକ୍ଷାର ଅସଲ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେବ । ଏଣୁ ପ୍ରତ୍ୟେକ ବିଦ୍ୟାଳୟରେ ଭେଦଭାବ ସମ୍ପର୍କରେ ଆଲୋଚନା କରିବା, ଏ ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଅନୁକୁଳ ବାତାବରଣ ତିଆରି କରାଯିବାର ଆବଶ୍ୟକତା ରହିଛି ।

ଏକ ଭେଦଭାବ ମୁକ୍ତ ବିଦ୍ୟାଳୟର ବାସ୍ତବ ରୂପାୟନ ବାହାରେ ରହିଯାଇଥିବା ପିଲାମାନଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିପାରିବା ସହ ସାମାଜିକ ସମନାତାର ସ୍ରୋତ ବୁହାଇବାରେ ମଧ୍ୟ ସହାୟକ ହେବ ।

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

ବନ୍ଦ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ

May 12, 2018 by ଘାସିରାମ ପଣ୍ଡା Leave a Comment

 


ଭାରତୀୟ ସମ୍ବୀଧାନର ୮୬ ତମ ସଂଶୋଧନରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇଛି । ଏଥି ନିମିତ୍ତ ଦେଶରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାଙ୍କ ଅଧିକାର ଆଇନ, ୨୦୦୯ ମଧ୍ୟ ପ୍ରଣୟନ କରାଯାଇଛି ।

ଉଦ୍ଦେଶ୍ୟ, ଦେଶର ପ୍ରତିଟି ପିଲା ନିରବଚ୍ଛିନ୍ନ ଭାବରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁ । ଏଥିପାଇଁ ଆଇନରେ ଅନେକ ପ୍ରାବଧାନ କରାଯାଇଛି, ଯେପରିକି ପ୍ରଥମରୁ ପଂଚମ ଶ୍ରେଣୀ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ଅତିବେଶିରେ ଏକ କିଲୋମିଟର ଭିତରେ ବିଦ୍ୟାଳୟ ଉପଲବ୍ଧ ହେବାର ଆବଶ୍ୟକତା ଥିବା ବେଳେ ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀ ଅତିବେଶିରେ ତିନି କିଲୋମିଟର ଭିତରେ ବିଦ୍ୟାଳୟ ପାଇପାରୁଥିବେ ।

ଆମ ରାଜ୍ୟରେ ଆଜି ବି ଅନେକ ଉପାନ୍ତ ଅଂଚଳରେ ବିଦ୍ୟାଳୟ ନାହିଁ । ବିଦ୍ୟାଳୟ ଥିଲେ ଶିକ୍ଷକ ନାହାନ୍ତି । ପ୍ରାଥମିକ ଶିକ୍ଷାକୁ ମାଗଣା, ବାଧ୍ୟତାମୂଳକ ଓ ଗୁଣତ୍ମକ କରିବାକୁ ଉତ୍ତରଦାୟୀ ସରକାର କିନ୍ତୁ ଏହିସବୁ ଅଂଚଳରେ ଶିକ୍ଷା ପହଂଚେଇବାର ପ୍ରୟାସ କରିବା ବଦଳରେ ଖୋଲାଯାଇଥିବା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ଆରମ୍ଭ କରିଦେଇଛନ୍ତି । ଆମ ରାଜ୍ୟରେ ୭୩ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।

ଏହାରି ମଧ୍ୟରୁ ୫ ରୁ କମ ପିଲା ଥିବା ବିଦ୍ୟାଳୟର ସଂଖ୍ୟା ୧୬୫ ଥିବା ବେଳେ ୭୫୦ଟି ବିଦ୍ୟାଳୟରେ ୧୦ରୁ କମ ପିଲା ଅଛନ୍ତି । ୧୫ଟି ରୁ କମ ୧୯୬୫ଟି ବିଦ୍ୟାଳୟରେ ଥିବା ବେଳେ ୩୭୧୬ଟି ବିଦ୍ୟାଳୟରେ ୨୦ରୁ କମ ଓ ୫୮୧୩ଟି ବିଦ୍ୟାଳୟରେ ୨୫ରୁ କମ ପିଲାଥିବା ସରକାରଙ୍କ ଟ – ଊଓଝଋ ତଥ୍ୟରୁ ଜଣାପଡିଛି । ଏହିପରି ମୋଟ ୧୨୪୦୯ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି ।

ଏହାର ପ୍ରକ୍ରିୟା ୨୦୧୩ ମସିହା ଜୁଲାଇ ୨୩ ଓ ୨୪ ତାରିଖରେ ହୋଇଥିବା ଏକ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ଆରମ୍ଭ ହୋଇ ପ୍ରଥମେ ୫ରୁ କମ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବାପାଇଁ ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ରସଂଖ୍ୟା ୨୩୬୫ (୩୦)/ଇମମରଗ୍ଦଗ୍ଦ/୧୫, ତା ୨୭.୨.୧୫ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜଣେଇ ଦିଆଯାଇଛି ।

ପରବର୍ତ୍ତି ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ବି ଦିଆସରିଛି । ଏକା ସାଙ୍ଗରେ ୨୫ରୁ କମ ପିଲାଥିବା ସମସ୍ତ ୧୨୪୦୯ଟି ବିଦ୍ୟାଳୟକୁ ବନ୍ଦ କରାଗଲେ କାଳେ ଲୋକଙ୍କର ଆକ୍ରୋଶର ଶିକାର ହୋଇଥାନ୍ତେ, ସେଥିପାଇଁ ସରକାର ଚାଲାକିରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ପାଇଁ ସ୍ଥିର କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷା ଅଧିକାର ଆଇନର ସମ୍ପୁର୍ଣ୍ଣ ଉଲଂଘନ ମନେକରି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଗତ ଏପ୍ରିଲ ୨୦୧୫ରେ ଏକ ଅଭିଯୋଗ ଆଗତ କରାଯାଇଥିଲା । ଆୟୋଗଙ୍କ ନିର୍ଦ୍ଦେଶମତେ ସରକାର ସ୍ପଷ୍ଟିକରଣ ଦେଇଛନ୍ତି ଯେ, ପ୍ରାଥମିକ ପର୍ଯାୟରେ ୧୬୫ଟି ବିଦ୍ୟାଳୟ ବନ୍ଦ ହେବା ଦ୍ୱାରା କୌଣସି ପିଲା ଶିକ୍ଷା ଅଧିକାରରୁ ବଂଚିତ ହୋଇନାହାନ୍ତିି ।

ଏହି ପର୍ଯାୟରେ ବନ୍ଦ ଥିବା ବିଦ୍ୟାଳୟ ମଧ୍ୟରୁ ମାତ୍ର ୧୦ଟି ବିଦ୍ୟାଳୟକୁ ନେଇ କରାଯାଇଥିବା ଏକ ତଥ୍ୟ ଅନୁସନ୍ଧାନ କିନ୍ତୁ ସରକାରଙ୍କ ଏହି ସ୍ପଷ୍ଟିକରଣକୁ ଭୂଲ ପ୍ରମାଣିତ କରୁଛି । କନ୍ଧମାଳ ଜିଲ୍ଲାର ମଲିକପଡା ପ୍ରାଥମିକ ବିଦ୍ୟାଳୟ, ବରଗଡ ଜିଲ୍ଲାର ବାରବଖରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଭଳି ଅନେକ ବିଦ୍ୟାଳୟରେ ପ୍ରକୃତ ପକ୍ଷେ ୫ରୁ ଅଧିକ ପିଲା ଅଛନ୍ତି । ଏହା ସତ୍ୱେ ଏହି ବିଦ୍ୟାଳୟଗୁଡିକ ବନ୍ଦ ତାଲିକାରେ ଅଛି ।

ଗତ ତିନି ବର୍ଷ ଧରି ୨୦ରୁ ଅଧିକ ପିଲା ପଢୁଥିବା କନ୍ଧମାଳ ଜିଲ୍ଲର ମଲିକପଡା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାର ପ୍ରସ୍ତାବ ଜିଲ୍ଲପାଳ ଦେଲେ କେମିତି ? ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ବା ସେହି ବିଦ୍ୟାଳୟର ଶିକ୍ଷକମାନଙ୍କ ସହ କୌଣସି ପରାମର୍ଶ କରାନଯାଇ କେବଳ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଏହା ଏକ ସ୍ପଷ୍ଟ ଉଦାହରଣ ।

ପ୍ରାଥମିକ ଶିକ୍ଷା ଗ୍ରାମ ପଂଚାୟତର ଅଧିକାର ପରିସର ଭୂକ୍ତ ହୋଇଥିବା ସତ୍ୱେ ସେମାନଙ୍କ ପରାମର୍ଶ ଗ୍ରହଣ କରିବା ଉଚ୍ଛିତ ମନେକରାଯାଇ ନାହିଁ । କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାର କୁରୁମଣି ପ୍ରାଥମିକ ବିଦ୍ୟାଳୟ ହେଉ ବା ସୁନ୍ଦରଗଡ ଜିଲ୍ଲାର ଝରିପାଣୀ ଅବା ରାୟଗଡା ଜିଲ୍ଲାର ଗୁନଗବାଲୀ ପ୍ରାଥମିକ ବିଦ୍ୟାଳୟ ଓ ଏହିପରି ଅନେକ ବିଦ୍ୟାଳୟ ବନ୍ଦ ହେବାପରେ ପିଲାମାନଙ୍କୁ ଅତିକମରେ ୩ ରୁ ୫ କିଲୋମିଟର ଜଙ୍ଗଲ, ପାହାଡ, ନାଳ ଅତିକ୍ରମ କରି ଯିବାକୁ ପଡୁଛି ।

ସେହି ସମୟର ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବ ନିଜର ପତ୍ର ସଂଖ୍ୟା ୩୫୪୮/ଝଗଋ, ତା ୨୧.୨.୨୦୧୫ ଅନୁଯାୟୀ ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ କିଛି ସର୍ତ୍ତ ପୂରଣର ପ୍ରାବଧାନ ରଖିଥିଲେ । ଦୂର ବିଦ୍ୟାଳୟକୁ ଯିବା ପାଇଁ ଆଦିବାସୀ ଅଂଚଳ ମାନଙ୍କରେ ଗମନାଗମନର ବ୍ୟବସ୍ଥା, ସ୍ୱତନ୍ତ୍ର ଶିକ୍ଷା ସହାୟକଙ୍କ ନିଯୁକ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ବ୍ୟକ୍ତିଗତ ଦାୟୀତ୍ୱ ଯେପରିକି କୌଣସି ପିଲା ବିଦ୍ୟାଳୟ ବାହାରେ ରହିବେ ନାହିଁ, ଆବଶ୍ୟକତା ମୁତାବକ ପିଲା ହେଲେ ପୁନର୍ବାର ବିଦ୍ୟାଳୟ ଖୋଲାଯିବାର ଗ୍ରାମବାସୀଙ୍କୁ ପ୍ରତିଶୃତି, ଗ୍ରାମ ପଂଚାୟତକୁ ବିଦ୍ୟାଳୟ ଗୃହ ସମେତ ସମସ୍ତ ଅସବାବପତ୍ରର ଦାୟୀତ୍ୱ ହସ୍ତାନ୍ତରଣ ଏହି ସର୍ତ୍ତ ଅନ୍ତର୍ଭୂକ୍ତ ଅଛି ।

ସୁବର୍ଣ୍ଣପୁର ଜିଲ୍ଲପାଳ ପତ୍ର ସଂଖ୍ୟା ୮୮୪ ତା୨୨.୪.୧୫ ରେ ଦଶଟି ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ ବି ବନ୍ଦ ପୂର୍ବର ସର୍ତ୍ତ ସମ୍ପର୍କରେ ପତ୍ରରେ କିଛି ଉଲ୍ଲେଖ କରି ନାହନ୍ତି । ବରଂ ଗ୍ରାମ ପଂଚାୟତକୁ ବିଦ୍ୟାଳୟ ଗୃହ ହସ୍ତାନ୍ତର ପରିବର୍ତ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା କେବଳ ଏକ ଉଦାହରଣ ମାତ୍ର । ଉଲ୍ଲେଖ ସର୍ତ୍ତ କେବଳ ଧର୍ମକୁ ଆଖିଠାର ସାଜିଛି ।

ଆଜି ପର୍ଯ୍ୟନ୍ତ ବନ୍ଦ ହୋଇସାରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସର୍ତ୍ତ ଅନୁଯାୟୀ ନା ମିଳୁଛି ଗସ୍ତଖର୍ଚ ନା ସ୍ୱତନ୍ତ୍ର ଶିକ୍ଷା ସହାୟକର ସୁବିଧା । ପରିଣାମ ସ୍ୱରୂପ ଦୂରଦୂରାନ୍ତରରେ ଥିବା ଆବାସୀକ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି ସେମାନେ । ତଥ୍ୟ ଅନୁସନ୍ଧାନ କଲା ସମୟରେ ଏକଥା ମଧ୍ୟ ନଜରକୁ ଆସିଥିଲା ଯେ, ଅଙ୍ଗନଓା୍ୱଡି କେନ୍ଦ୍ରମାଙ୍କରେ ଯଥେଷ୍ଟ ମାତ୍ରାରେ ପିଲା ଅଛନ୍ତି ଯେଉଁମାନେ ପରବର୍ତ୍ତି ସମୟରେ ପ୍ରାଥମିକ ବିଦ୍ୟାଳୟକୁ ଆସିବେ ଓ ଉପସ୍ଥାନ ବୃଦ୍ଧି ପାଇବ । ହେଲେ ଉପସ୍ଥାନ ବୃଦ୍ଧିହେଲେ ପୁନଃବିଦ୍ୟାଳୟ ଖୋଲିବାର ପ୍ରତିଶୃତିକୁ ସରକାର ଜାଣିଶୁଣି ଏଡାଇ ଯାଇଛନ୍ତି ।

୨୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟ ବନ୍ଦ ହେଲେ ଆଦିବାସୀ ଅଂଚଳରେ ସରକାରୀ ବିଦ୍ୟାଳୟ ଶୂନ୍ୟ ହୋଇଯିବ । ବର୍ତ୍ତମାନ କେବଳ ସହରମାନଙ୍କରେ ସୀମିତ ଥିବା ଶିକ୍ଷା ବେପାରୀଙ୍କ ପାଇଁ ଗ୍ରାମାଂଚଳରେ ବେପାର ଖୋଲିବା ପାଇଁ ଏହା ଯଥେଷ୍ଟ ସୁଯୋଗ ସୃଷ୍ଟି କରିବ । ଏହା ସେମାନଙ୍କୁ ଆର୍ଥିକ ଶୋଷଣର ଆଉ ଏକ ବାଟ ହେବା ସହିତ ସେମାନଙ୍କ ଭାଷା, ସଂସ୍କୃତି ଓ ପରିଚିତିକୁ ଲୋପ କରିବାର କାରଣ ସାଜିବ ।

୧୫ରୁ ଅଧିକ ପିଲା ଥିଲେ ନୂତନ ବିଦ୍ୟାଳୟ ଖୋଲାଯାଉ ଥିଲା । ଏବେ ୨୫ରୁ କମ ହେଲେ ବିଦ୍ୟାଳୟକୁ ବନ୍ଦ କରିବାର ନିଷ୍ପତ୍ତି ପ୍ରାଥମିକ ଶିକ୍ଷାକୁ ସରକାର ଆର୍ଥିକ ବୋଝ ଭାବୁଥିବାର ଏକ ସଙ୍କେତ, ଯାହା ଆଦୌ ଶୁଭଙ୍କର ନୁହେଁ ।

Filed Under: ଶିକ୍ଷା Tagged With: ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା, ସରକାରୀ ପ୍ରାଥମିକ ବିଦ୍ୟାଳୟ

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

April 28, 2018 by ଓଡିଶା ଡଟ କମ Leave a Comment


ଘାସିରାମ ପଣ୍ଡା

ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ ।

ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ ଭିତରୁ କେହି କେହି ବିଲକୁଲ ପଢି ନାହାନ୍ତି, ଆଉ କେହି କେହି ଅଧାରୁ ପାଠ ଛାଡିଛନ୍ତି ।

ନିଜ ସାହି ବସ୍ତି ବା ପାଖ ଗାଁର କେଉଁ ଏକ ପିଲାକୁ ଭଲ ପାଇ ଉଧୁଲିଆ ଯାଇଥିଲେ । ପରେ ସାମାଜିକ ସ୍ୱୀକୃତିରେ ବାହା ହୋଇ ଘରକୁ ଫେରିଛନ୍ତି । ଗତ ଦୁଇ ବର୍ଷ ଭିତରେ ଏମାନଙ୍କ ଭଳି କମ ବୟସରେ ବାହା ହୋଇଥିବା ଏହି ବସ୍ତିର ୬ ଜଣ ମହିଳଙ୍କ ଗର୍ଭାବସ୍ଥା ବା ପ୍ରସବ ସମୟରେ ମୃତ୍ୟୁ ଘଟି ସାରିଛି ।

ଏହି ସବୁ କଥା ସେମାନଙ୍କ ସହ ଆଲୋଚନା କଲାବେଳେ ସେଠି ବସିଥିବା ଜଣେ ମାଁ ଗୋଟେ ଛୋଟ ଝିଅ ଆଡକୁ ଆଙ୍ଗୁଠି ଦେଖେଇ କହିଲେ, ଝିଅ ମୋର ଏଥର ଅଷ୍ଟମ ଶ୍ରେଣୀ ପାସ କଲା, ଏବେ ନବମ ପଢିବାକୁ ଦୂର ଗାଁକୁ ଯିବାକୁ ପଡିବ । ତାର ପଢିବାର ବହୁତ ଇଚ୍ଛା ।

ହେଲେ ବାପା ତାର ମଦୁଆ – ରୋଜଗାର ବୋଲି କିଛି ନାହିଁ । ମୁ ଏକା ପାଇଟି କରି କେତେ ରୋଜଗାର କରି ପାରିବି? ଆମର ତ ଘର ନାହିଁ ଯେ, ଜରି ଘେରା କରି ରହୁଛୁ । ସେଥିରେ ନାଁ ଲେଖେଇବାକୁ ମୋ ପାଖରେ ପଇସା କାହିଁ ଯେ ସେ ପଢି ପାରିବ! ଆଇନଗତ ଆବଶ୍ୟକତା ଓ ଶିଶୁ ଅଧିକାରକୁ ସ୧ାନ ଦେଇ ପିଲାର ପରିଚୟକୁ ଗୋପନ ରଖୁଛି ।

କହିବା ବାହୁଲ୍ୟ ଏହା କେବଳ ଗୋଟିଏ ପିଲାର କଥା ନୁହେଁ । ଏମିତି ଅନେକ ଶିଶୁଙ୍କ ସ୍ୱପ୍ନ ଦଳି ମକଚି ହୋଇ ଯାଉଛି ଦାରିଦ୍ର୍ୟ ଓ ସୁଯୋଗ ଅଭାବ କାରଣରୁ । ପାଠରେ ଡୋରି ବନ୍ଧା ହେଲା ପରେ ବାହା ହେବାର ଏକମାତ୍ର ବାଟ ଯାହା ସେମାନଙ୍କ ପାଇଁ ଉନ୍ମୁକ୍ତ ଥାଏ ।

ଆମ ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲା ବାଲ୍ୟ ବିବାହ ପ୍ରବଣ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଏହିସବୁ ଜିଲ୍ଲାରେ ଯଥାକ୍ରମେ ୩୯.୩, ୩୭.୯, ୩୪.୭ ଓ ୩୪.୪ ଶତକଡା ରହିଛି । ଏହା ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ।

ଏହି ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରିରେ ୧୧.୮, ନବରଙ୍ଗପୁରରେ ୧୦.୭, କୋରାପୁଟରେ ୧୪.୫ ଓ ରାୟଗଡାରେ ୧୨.୭ ପ୍ରତିଶତ ମାତ୍ର ମହିଳା ଦଶମ ବା ତଦୁର୍ଦ୍ଧ ପାଠ ପଢି ପାରିଛନ୍ତି । ଅଧା ବାଟରେ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହର ସମ୍ପର୍କକୁ ଏହି ତଥ୍ୟ ପୁଷ୍ଟ କରୁଛି ।

୨୦୧୧ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୫ମ ଠାରୁ କମ ପାଠ ପଢିଥିବା ଝିଅ ପିଲା ମାନଙ୍କ ଭିତରୁ ୫୨.୧ ଭାଗ ୧୮ ବର୍ଷ ପୁର୍ବରୁ ବିବାହ କରୁଥିବା ବେଳେ ୫ମ ରୁ ୯ମ ଶ୍ରେଣୀ ପଢିଥିବା ଝିଅଙ୍କ କ୍ଷେତ୍ରରେ ଏହା ୨୯.୮ ପ୍ରତିଶତ ଓ ୧୦ମରୁ ତଦ୍ଦୁର୍ଦ୍ଧଙ୍କ କ୍ଷେତ୍ରରେ ଏହା ମାତ୍ର ୯.୩ ପ୍ରତିଶତ ହୋଇଥାଏ ।

ଏଣୁ ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ଦୃଢତାର ସହ କୁହାଯାଇ ପାରିବ । ହେଲେ ଏ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି ।

ପ୍ରଥମଟି ହେଲା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଲକ ଶିକ୍ଷା ବ୍ୟବସ୍ଥା ଥିଲେବି ଇଚ୍ଛା ଓ ଆଗ୍ରହ ଅଭାବରୁ ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରୁ ନାହିଁ ।

ଏପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଓ ଭିତରେ କେତେ ପିଲା ତାର ସଠିକ ହିସାବ ଶିକ୍ଷା ବିଭାଗ ଠଉରାଇ ପାରିନାହିଁ । ୨୦୧୪ – ୧୫ ରେ ସମଗ୍ର ରାଜ୍ୟରେ ୬ ରୁ ୧୪ ବର୍ଷର ମାତ୍ର ୫୧୫୨ ପିଲା ବିଦ୍ୟାଳୟ ବାହରେ ଥିବା ଓପେପା ୱେବସାଇଟରେ ଉଲ୍ଲେଖ ଅଛି । ଏବେ ଏହା ୪୧ ହଜାର ବୋଲି କୁହାଯାଇଛି ।

ତେବେ ଉଭୟ ତଥ୍ୟକୁ ବିଶ୍ୱାସକୁ ନେବା କଷ୍ଟ । ନିକଟରେ ମିଳିମିଳା ଓ ରୁବେଲା ଟିକା କରଣ ବେଳେ ନୂଆପଡା ଜିଲ୍ଲାରେ ୯୯୧୪ ପିଲାଙ୍କ ହିସାବ ମିଳି ନାହିଁ । ଜାପାନି ଜ୍ୱର ଟିକା କରଣ ସମୟରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ବ୍ୟତିକ୍ରମ ନଜରକୁ ଆସିଥିଲା ।

ୟୁଡାଇସ, ଏସଡିଏମଆଇଏସ, ଆଧାର ପଞୀକରଣରେ ପିଲାଙ୍କ ସଂଖ୍ୟାର ତାଳମେଳ ନାହିଁ । ୧୦ ବା ୧୦ରୁ କମ ଉପସ୍ଥାନ ଥିବା ଅନେକ ବିଦ୍ୟାଳୟ ଇତି ମଧ୍ୟରେ ବନ୍ଧ ହେବା ଯୋଗୁଁ ମଧ୍ୟ କିଛି ପିଲା ବିଦ୍ୟାଳୟ ବାହରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏ ପରିସ୍ଥିତିରେ ଆମେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷାର ପରିଧିକୁ ଆଣିବା କିପରି? ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଶୁ ବୋଲି ସଜ୍ଞା ନିରୁପିତ ହୋଇଥିଲେ ହେଁ ଶିକ୍ଷା ଅଧିକାର ଆଇନରେ ଶିଶୁ କହିଲେ ୧୪ ବର୍ଷ ଧରି ନିଆଯାଇଛି । ଫଳରେ ୧୪ ବର୍ଷ ପରେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରତି ସରକାରଙ୍କ ଅଇନଗତ ଉତ୍ତରଦାୟୀତ୍ୱ ନାହିଁ ।

ଏଣୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢୁଥିବା ଝିଅମାନେ ଅଷ୍ଟମ ଶ୍ରେଣୀ ପରେ ସୁଯୋଗ ଅଭାବରୁ ପ୍ରାୟ ଆଉ ପଢୁ ନାହାନ୍ତି । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ୫ -୭ କିମି ଦୂର ବଣ, ପାହାଡ, ଝରଣା ଡେଇଁ ଯିବାକୁ ପଡୁଛି ।

ଆଶ୍ରମ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ତଥା ଶିଶୁ ମାନଙ୍କ ପ୍ରତି ଶୋଷଣର ଖବର ଅଭିଭାବକମାନଙ୍କୁ ନିରୁତ୍ସାହିତ କରୁଛି । ଅତିକମରେ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିଲେ ପ୍ରତ୍ୟେକ ଶିଶୁ ମନରେ ଥିବା ସ୍ୱପ୍ନ ସବୁ ଅଙ୍କୁରିତ ହେବା ପାଇଁ ସୁଯୋଗ ପାଇବେ । ମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ଶିକ୍ଷା ସହାୟକ ହୁଏ ।

ଉପଯୁକ୍ତ ଶିକ୍ଷା ପାଇଥିଲେ ସ୍ୱାଧିନ ମତବ୍ୟକ୍ତ କରିବାର ସାହସ ଆସେ । ଏଣୁ ପିଲାଙ୍କ ଶିକ୍ଷା ସୁନି୧⁄୨ିତ କରାଯାଇ ପାରିଲେ ବାଲ୍ୟ ବିବାହ ବିରୁଦ୍ଧରେ ନିଜେ ନିଜ ପାଇଁ ସ୍ୱର ଉେ ।ଳନ କରି ପାରିବେ । ଏହା ସମାଜିକ ପରିବର୍ତ୍ତନର ଏକ ବଡ ମାଇଲଖୁ ସାବ୍ୟସ୍ତ ହେବ ।

ଛବି: ପ୍ରତୀକାତ୍ମକ

ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
[email protected]

Filed Under: ଶିକ୍ଷା Tagged With: ବାଲ୍ୟ ବିବାହ, ରୋଜଗାର, ଶିକ୍ଷା, ଶୈଶବ, ସ୍ୱାସ୍ଥ୍ୟ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 7
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା