• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରୋକ ଠୋକ

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

July 2, 2015 by News Bureau Leave a Comment

କେଦାର ମିଶ୍ର

ଜୁନ୍‍ ମାସ ତୃତୀୟ ସପ୍ତାହରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ଏକ ବଡ଼ ଝଟ୍‍କା ଦେଇଛନ୍ତି । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ମାତି ପଡ଼ିଥିବା ଓଡ଼ିଶାର ଗଣମାଧ୍ୟମରେ ଏହି ଝଟ୍‍କାର ତୀବ୍ରତା ବିଶେଷ ଅନୁଭୂତ ହୋଇନାହିଁ ।

କୁହାଯାଇପାରେ ଯେ ଏହି ଝଟ୍‍କାର ତୀବ୍ରତାକୁ ଅଣଦେଖା କରିବା ପାଇଁ ଏକ ପ୍ରକାର ସୁଚିନ୍ତିତ ଉଦ୍ୟମ ହୋଇଛି । କିଛି ମାସ ତଳେ ଓଡ଼ିଶା ପୋଲିସ୍‍ର ପୂର୍ବତନ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ତାଙ୍କ ପଦବୀରୁ ବିଦା କରାଗଲା ।

ତାଙ୍କୁ ପଦବୀରୁ କେବଳ ବିଦା କରାଗଲା ନାହିଁ, ସେ ଯେମିତି କେନ୍ଦ୍ର ସରକାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ନ ହେବେ, ସେଥିପାଇଁ ଷଡଯନ୍ତ୍ର କରାଗଲା ।

ପ୍ରକାଶ ମିଶ୍ର ରାଜ୍ୟ ପୋଲିସ୍‍ ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ଥିବାବେଳେ ଠିକାଦାରମାନଙ୍କୁ ଦେଇଥିବା ଅଗ୍ରୀମ ଅର୍ଥକୁ ଦୁର୍ନୀତି ବୋଲି କହି ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଦାଏର୍‍ କଲା ।

ଭିଜିଲାନ୍ସର ଏହି ମାମଲାକୁ ମାନ୍ୟବର ହାଇକୋର୍ଟ ବେଆଇନ୍‍ ବୋଲି କହିବା ସହିତ ଓଡ଼ିଶା ଭିଜିଲାନ୍ସ ନିଜ ରାଜନୈତିକ ମାଲିକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଜଣେ ବରିଷ୍ଠ ଓ ସଚ୍ଚୋଟ ପୋଲିସ ଅଧିକାରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ କରିଛନ୍ତି ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି ।

ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍‍ ଏସ୍‍.ସି. ପରିଜା ତାଙ୍କର ୫୧ ପୃଷ୍ଠା ବ୍ୟାପୀ ରାୟରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଭିଜିଲାନ୍ସ ବିଭାଗ ଓ ଏହାର ନିର୍ଦ୍ଦେଶକଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଘଟଣାକ୍ରମର ପୁଙ୍ଖାନୁପୁଙ୍ଖ ତର୍ଜମା କରି ମାନ୍ୟବର ବିଚାରପତି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ – ରାଜ୍ୟସରକାର ଜଣେ ସଚ୍ଚୋଟ ଏବଂ ଦକ୍ଷ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ହଇରାଣ କରିଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶକ ରାଜ ଅନୁଗ୍ରହ ଓ ରାଜ ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ନିଜ ଦାୟିତ୍ୱ ସଠିକ୍‍ ଭାବରେ ତୁଲାଇ ନାହାନ୍ତି ବୋଲି ମଧ୍ୟ ଅଦାଲତ କହିଛନ୍ତି ।

ଅନ୍ୟ କୌଣସି ସମୟ ହୋଇଥିଲେ ଏହି ରାୟକୁ ନେଇ ଏକ ବଡ଼ ରାଜନୈତିକ ତୋଫାନ ଉଠିଥା’ନ୍ତା । ଦୁର୍ଭାଗ୍ୟକ୍ରମେ କୌଣସି ରାଜନୈତିକ ଦଳ ଏହି ତୋଫାନରୁ ରାଜନୈତିକ ଫାଇଦା ନେବାକୁ ଚାହିଁନାହାନ୍ତି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ ଏହି ଘଟଣାରେ ରାଜ୍ୟସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ରାୟ ପ୍ରକାଶ ପାଇଲା ପରେ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ଆହୁରି ଭୀଷଣ ଅବସ୍ଥା ସୃଷ୍ଟି କରିବା କଥା । ଅଥଚ ଆମର ରାଜନୈତିକ ଦଳଗୁଡ଼ିକ ଏକପ୍ରକାର ‘ଅକର୍ମଣ୍ୟ ଓ ନିସ୍ତରଙ୍ଗ’ ।

ପୂର୍ବତନ ପୋଲିସ୍‍ ମହାନିର୍ଦ୍ଦେଶକ ଭାବରେ ପ୍ରକାଶ ମିଶ୍ର ସିଧାସଳଖ ରାଜ୍ୟସରକାରଙ୍କ ଉପରେ ଦୋଷାରୋପ କରିଛନ୍ତି । ଗତ ନିର୍ବାଚନରେ ଆମ୍ବୁଲାନ୍ସରେ ଟଙ୍କା ବଣ୍ଟା ଯାଉଥିଲା ଓ ଏହାର ବିରୋଧ କରିବାକୁ ଯାଇ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି ।

ନିଜ ପିଟିସନ୍ ରେ ଶ୍ରୀ ମିଶ୍ର ନିଜର ସ୍ପଷ୍ଟବାଦିତା ଓ ଆଇନ୍‍କୁ କଡ଼ାକଡ଼ି କାର୍ଯ୍ୟ କରିବାର ଆଭିମୁଖ୍ୟ ଯୋଗୁଁ ଶାସକ ଦଳର କ୍ରୋଧର ଶିକାର ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଯାହାକୁ କି ମାନ୍ୟବର ହାଇକୋର୍ଟ ଗ୍ରହଣ କରିଛନ୍ତି ।

ଓଡ଼ିଶା ସରକାରଙ୍କ ଅଧୀନରେ ପୋଲିସ ମହାନିର୍ଦ୍ଦେଶକ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଜଣେ ପୋଲିସ୍‍ ଅଧିକାରୀଙ୍କ ଏହି ବକ୍ତବ୍ୟକୁ ହାଲୁକା ଭାବରେ ନେଇ ହେବ ନାହିଁ । ବିଜେଡ଼ି ସରକାର ଏହାର ଜବାବ ରଖିବାକୁ ବାଧ୍ୟ । ବିଜେଡ଼ି ମୁଖପାତ୍ରମାନେ ଏ ଘଟଣା ଘଟିଲାବେଳେ ପୋଲିସ୍‍ ଡିଜି କ’ଣ କରୁଥିଲେ ବୋଲି ପ୍ରଶ୍ନ ପଚାରୁଛନ୍ତି ।

ସେମାନେ ବୁଝିବା ଉଚିତ୍‍ ଯେ ପୋଲିସ୍‍ ଡିଜି ସେହି ପ୍ରଶ୍ନ ପଚାରିଲେ ବୋଲି ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ଦିଆଗଲା ନାହିଁ । ପ୍ରଥମଥର ପାଇଁ ଚାକିରିରୁ ଅତୀତରେ ନିଲମ୍ବିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କୁ ଓଡ଼ିଶା ସରକାର ପୋଲିସ ମହା ନିର୍ଦ୍ଦେଶକ ପଦବୀରେ ବସାଇଲେ ।

ଅଥଚ ପ୍ରକାଶ ମିଶ୍ରଙ୍କୁ ବହୁ ପ୍ରକାର ହଟହଟା କରିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରାଗଲା । ପ୍ରଥମେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଏହି ଅନୁମତିକୁ ଶେଷମୁହୂର୍ତ୍ତରେ ପ୍ରତ୍ୟାହାର କରାଗଲା ।

ଦ୍ୱିତୀୟରେ ଅତ୍ୟନ୍ତ ଅପମାନଜନକ ଭାବରେ ତାଙ୍କୁ ଡିଜି ପଦବୀରୁ ହଟାଯାଇ ଓଡ଼ିଶା ପରିବହନ ନିଗମର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଗଲା । ପୁନଶ୍ଚ ଯେତେବେଳେ ତାଙ୍କ ନାଁ ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ଉଠିଲା, ସେତେବେଳେ ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ଦାଏର କଲା ।

ଏହି ମାମଲାର କୌଣସି ଭିତ୍ତି ନଥିଲା ବୋଲି ଅଦାଲତ କହିଛନ୍ତି । ଓଡ଼ିଶା କ୍ୟାଡର୍‍ର ପ୍ରଥମ ଆଇପିଏସ୍‍ ଅଫିସର ଭାବରେ ପ୍ରକାଶ ମିଶ୍ର ସିବିଆଇ ନିର୍ଦ୍ଦେଶକ ହେବାରୁ ବଞ୍ଚିତ ହେଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ସିଆରପିଏଫ୍‍ର ଡିଜି ଭାବରେ ତାଙ୍କୁ କେନ୍ଦ୍ର ସରକାର ଅବସ୍ଥାପିତ କଲେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟରେ ପ୍ରକାଶ ମିଶ୍ର ଅତ୍ୟନ୍ତ ପ୍ରଭାବଶାଳୀ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କର ସେ ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ବୋଲି କୁହାଯାଉଛି ।

ଏହି ଘଟଣାକ୍ରମରେ ପ୍ରକାଶ ମିଶ୍ର କ’ଣ ପାଇଲେ ବା ହରାଇଲେ ତାହା ଯେତିକି ବଡ଼କଥା ନୁହେଁ, ତା’ଠୁ ବଡ଼ କଥା ହେଉଛି ରାଜ୍ୟସରକାରଙ୍କ ଚକ୍ରାନ୍ତକାରୀ ମନୋଭାବ । ପୋଲିସ୍‍ ଅଧିକାରୀମାନଙ୍କୁ ରାଜନୈତିକ ସ୍ୱାର୍ଥ ଲାଗି ବ୍ୟବହାର କରିବାର ହୀନ ଉଦ୍ୟମ ରାଜ୍ୟସରକାର କରିଛନ୍ତି ଓ ଏହି ଉଦ୍ୟମରେ ଯେଉଁମାନେ ସାମିଲ୍‍ ହେଉନାହାନ୍ତି ସେମାନଙ୍କୁ ସରକାର ହଲାପଟା କରୁଛନ୍ତି ବୋଲି ପ୍ରମାଣ ମିଳିଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜ ରାୟରେ ରାଜ୍ୟ ଭିଜିଲାନ୍ସ ବିଭାଗକୁ ତୀବ୍ର ଭର୍ତ୍ସନା କରିଛନ୍ତି । ମାନ୍ୟବର ଅଦାଲତ ଯେଉଁ ଚକ୍ରାନ୍ତକାରୀ ରାଜନୈତିକ ନେତୃତ୍ୱର କଥା କହିଛନ୍ତି ତାହା ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅଥଚ ଏହି ସମଗ୍ର ଘଟଣାକ୍ରମରୁ ଶାସକ ଦଳ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ସବୁଠୁ ମଜାର କଥା ହେଉଛି ବିଜେଡ଼ି ପ୍ରବକ୍ତାମାନଙ୍କର ମତାମତ । ବିଜେଡ଼ିର ଅନ୍ୟତମ ପ୍ରବକ୍ତା ତଥା ନିମାପଡ଼ା ବିଧାୟକ ସମୀର୍‍ ଦାସ୍‍ ଏକ ଟେଲିଭିଜନ ଚ୍ୟାନେଲ୍‍ରେ ଆଲୋଚନା ବେଳେ କହିଲେ ମାନ୍ୟବର ଅଦାଲତ ପ୍ରକାଶ ମିଶ୍ରଙ୍କ ମାମଲାର ଠିକ୍‍ ବିଚାର କରିନାହାନ୍ତି ।

ଏହାଠୁ ବଳି ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ପ୍ରତିକ୍ରିୟା ଆଉ କ’ଣ ଥାଇପାରେ ? ପାଖାପାଖି ଛଅମାସରୁ ଅଧିକ ଧରି ଏହି ମାମଲାର ବିଚାର ଚାଲିଥିଲା । ଓଡ଼ିଶା ସରକାର ନିଜ ପକ୍ଷ ରଖିଥିଲେ । ନିଜ ଅପାରଗତା ଯୋଗୁଁ ମାମଲା ଚାଲିଥିବାବେଳେ ଭିଜିଲାନ୍ସ ବିଭାଗ ବାରମ୍ବାର ବିଚାରପତିଙ୍କୁ ଦ୍ୱାରା ଭର୍ତ୍ସିତ ମଧ୍ୟ ହୋଇଥିଲେ ।

ପରିଶେଷରେ ଯେତେବେଳେ ରାୟ ପ୍ରକାଶ ପାଉଛି ତାକୁ ନେଇ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ବିଜେଡ଼ି ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ସେହିପରି ପ୍ରକାଶ ମିଶ୍ରଙ୍କ ତଥାକଥିତ ଭ୍ରଷ୍ଟାଚାରକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିବା ବିଜେଡ଼ି ଏକଥା ଭୁଲିଯାଉଛି ଯେ ପ୍ରକାଶ ମିଶ୍ରଙ୍କୁ କେନ୍ଦ୍ରରୁ ଡାକି ଆଣି ତାଙ୍କରି ସରକାର ହିଁ ପୋଲିସ୍‍ ମହାନିର୍ଦ୍ଦେଶକ ପଦବୀରେ ବସାଇଥିଲା ।

ଯଦି ପ୍ରକାଶ ମିଶ୍ରଙ୍କ ନାଁରେ ଭ୍ରଷ୍ଟାଚାରର ଅଭିଯୋଗ ଥିଲା, ତାଙ୍କୁ ପୋଲିସ୍‍ ମହା ନିର୍ଦ୍ଦେଶକ କରାଗଲା କାହିଁକି ? ପାଖାପାଖି ଦୁଇବର୍ଷ ମହା ନିର୍ଦ୍ଦେଶକ ପଦବୀରେ ରହିବା ପରେ ହଠାତ୍‍ ପ୍ରକାଶ ବାବୁ ଖଳନାୟକ ପାଲଟିଗଲେ କେମିତି ?

ଏଠି ଆଉ ଏକ କଥା କହିବା ପ୍ରାସଙ୍ଗିକ ହେବ । ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

ପ୍ରାୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅତ୍ୟନ୍ତ ଅପମାନଜନକ ଭାବରେ ପଦବୀରୁ ବିଦା କରାଯାଇଛି । ଏହା ସହିତ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୋଇ ଉଠୁଛି । ନବୀନ ପଟ୍ଟନାୟକ ସରକାରରେ ସଚ୍ଚୋଟ, ଦକ୍ଷ ଓ ପାରଙ୍ଗମ ଅଧିକାରୀମାନଙ୍କର କାମ କରିବାର ସୁଯୋଗ ନାହିଁ ବୋଲି ଧାରଣା ସ୍ପଷ୍ଟ ହୋଇଯାଇଛି ।

ଆଇଏଏସ୍‍ ଓ ଆଇପିଏସ ଅଫିସର ସ୍ତରରେ ବହୁ ନାମକରା ଅଧିକାରୀ ବ୍ୟତିବ୍ୟସ୍ତ ହୋଇ କେନ୍ଦ୍ରୀୟ ଡେପୁଟେସନ୍‍ରେ ଚାଲିଯିବାକୁ ବ୍ୟାକୁଳ । ଯେଉଁମାନେ ଥରେ କେନ୍ଦ୍ରୀୟ ଡେପୁଟେସନ୍‍କୁ ଯାଉଛନ୍ତି, ସେଠୁ ଆଉ ଓଡ଼ିଶା ଫେରିବାକୁ ଚାହୁଁ ନାହାନ୍ତି ।

ପ୍ରକାଶ ମିଶ୍ରଙ୍କ ସମେତ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ରଙ୍କ କଥାକୁ ଉଦାହରଣ ଭାବରେ ନିଆଯାଇପାରେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ମଧ୍ୟ ଏହି ସ୍ଥିତି ବଦଳିଲା ପରି ମନେ ହେଉନାହିଁ । ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି ଏହି ପ୍ରକ୍ରିୟାରେ ବିରୋଧୀଦଳଗୁଡ଼ିକ ସରକାରକୁ ଘେରିବାର ଆଉ ଏକ ସୁଯୋଗ ହରାଇଛନ୍ତି ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ରୋକ ଠୋକ Tagged With: ଦୁର୍ନୀତି, ପ୍ରକାଶ ମିଶ୍ର, ଭିଜିଲେନସ, ହାଇକୋର୍ଟ

କୃଷ୍ଣଲୀଳା:ନୂଆ ଆବିଷ୍କାର ନା ପୁରୁଣାର ଅନୁକରଣ !(ରୋକ୍ ଠୋକ୍)

June 23, 2015 by News Bureau Leave a Comment

କେଦାର ମିଶ୍ର

ଫଟୋ : ଅରବିନ୍ଦ ମହାପାତ୍ର

କୃଷ୍ଣଲୀଳା ଓଡ଼ିଶୀ ରଚନାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶହ ଶହ ବର୍ଷ ଧରି ଓଡ଼ିଶୀ ନୃତ୍ୟ ପରମ୍ପରାରେ କୃଷ୍ଣଙ୍କର ବିବିଧ ଲୀଳାକୁ ପ୍ରଦର୍ଶିତ କରାଯାଇ ଆସୁଛି ।

ପ୍ରାଚୀନ ପରମ୍ପରାଠୁ ଆରମ୍ଭ କରି ଓଡ଼ିଶୀର ନବନିର୍ମାଣ ପ୍ରକ୍ରିୟାରେ କୃଷ୍ଣଲୀଳାର ଶହଶହ କମନୀୟ ନୃତ୍ୟ ଛନ୍ଦ ଆମେ ଦେଖି ଆସିଛୁ । ତେଣୁ ଓଡ଼ିଶୀର ଓଡ଼ିଆ ଦର୍ଶକ ଭାବରେ ଆମ ପାଇଁ କୃଷ୍ଣଲୀଳା ଆମ ରକ୍ତର ଅଂଶ ।

ramli 1 ramliସେହି କ୍ରମରେ ଯେତେବେଳେ ଜଣେ ବିଦେଶୀ ନୃତ୍ୟଗୁରୁ ଓ ନର୍ତ୍ତକ କୃଷ୍ଣଲୀଳାର ନବଆବିଷ୍କାର କଥା କହନ୍ତି ସେଠି ଆମେ ଟିକେ ଚକିତ ହେବାକୁ ବାଧ୍ୟ । ମାଲେସିଆର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍‍ଲୀ ଇବ୍ରାହିମ୍‍  ତାଙ୍କର ନୂଆ ନୃତ୍ୟ ରଚନା “କୃଷ୍ଣପ୍ରେମ : ଏକ ନୂଆ ଆବିଷ୍କାର” ମାଧ୍ୟମରେ ଏବେ ପୃଥିବୀର ବିଭିନ୍ନ ସହରରେ ନିଜ ନୃତ୍ୟ ପରିବେଷଣ କରୁଛନ୍ତି ।

ରାମ୍‍ଲୀ ଇବ୍ରାହିମ୍‍ଙ୍କ ସହ ଓଡ଼ିଶୀର ସମ୍ପର୍କ ଯେତିକି ପୁରୁଣା ଓଡ଼ିଶୀକୁ ନେଇ ତାଙ୍କର ଅଣପାରମ୍ପରିକ ଦୃଷ୍ଟିଭଙ୍ଗୀ ମଧ୍ୟ ସେତିକି ବିବଦମାନ । ରାମ୍‍ଲୀ ଓଡ଼ିଶାର ସବୁଠୁ ପୁରୁଣା ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ଶିଷ୍ୟ ।

ପରବର୍ତ୍ତୀ ସମୟରେ ସେ ଗୁରୁ ଦେବପ୍ରସାଦଙ୍କ ଦୁଇ ପ୍ରମୁଖ ଶିଷ୍ୟ ଗୁରୁ ଦୁର୍ଗାଚରଣ ରଣବୀର୍‍ ଓ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ଅନ୍ୟ ସମୟରେ କେବେ କେବେ ତାଙ୍କ ଛାତ୍ରମାନେ ଗୁରୁ ମୀରା ଦାସଙ୍କ ସମେତ ଅନ୍ୟ ଗୁରୁମାନଙ୍କଠାରୁ ମଧ୍ୟ ନୃତ୍ୟଶିକ୍ଷା ଗ୍ରହଣ କରନ୍ତି ।

ମୋଟାମୋଟି କୌଣସି ନିର୍ଦ୍ଧିଷ୍ଟ ଓଡ଼ିଶୀ ଧାରା ଅପେକ୍ଷା ବହୁ ମିଶ୍ର ଧାରାର ସମନ୍ୱୟ ତାଙ୍କ ସୂତ୍ର ଥିଏଟରରେ ଘଟିଛି । ଏହା ଅଣପାରମ୍ପରିକ ହେଲେ ମଧ୍ୟ ସୃଜନଶୀଳତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଗୋଟିଏ ଶୈଳୀରେ ଆବଦ୍ଧ ନ ହୋଇ ବହୁ ଶୈଳୀର ସମ୍ମିଶ୍ରଣ ଘଟାଇ ରାମ୍‍ଲୀ ଏକ ନିଜସ୍ୱ ଧାରା ପ୍ରୟୋଗ କରିବାର ଚେଷ୍ଟା କରିଥା’ନ୍ତି । ସେଥିରେ ସେ କେତେ ସଫଳ ଏହା ଅବଶ୍ୟ ଏକ ପ୍ରଶ୍ନବାଚୀ !

ଗତ ୨୦ ତାରିଖ ଦିନ ରବୀନ୍ଦ୍ରମଣ୍ଡପରେ ରାମ୍‍ଲୀଙ୍କର ନୂଆ ସଂରଚନା ଦେଖିବାକୁ ମିଳିଲା । ରାମ୍‍ଲୀଙ୍କର ଏକ ନିଜସ୍ୱ ପରିବେଷଣ ଶୈଳୀ ରହିଛି । ତାଙ୍କର ଲାଇଟ୍‍ ଡିଜାଇନର୍‍ ଶିବ ନଟରାଜନ୍‍ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଲାଇଟ୍‍ ଡିଜାଇନର୍‍ ଭାବରେ ବିବେଚିତ । ଶିବାଙ୍କ ଆଲୋକ୍‍ ସମ୍ପାଦନାରେ ଯାଦୁକରୀ ରହିଛି । ଏହା ରାମ୍‍ଲୀଙ୍କ ସଂରଚନାକୁ ଗୋଟେ ନୂଆ ପ୍ରଭାବ ଦେଇଥାଏ ।

ଶିବାଙ୍କ ଯାଦୁକରୀ ଛାଇ ଆଲୁଅର ଖେଳ ସହିତ ମଞ୍ଚସଜ୍ଜା ଅତ୍ୟନ୍ତ ଚମକ୍ରାର । ତେବେ ରାମ୍‍ଲୀ ଯାହାକୁ ନୂଆ ଆବିଷ୍କାର ବୋଲି କହିଛନ୍ତି, ସେ ଆବିଷ୍କାର କେତେ ନୂଆ, ତାହାର ବିବେଚନା କରାଯାଇପାରେ । ରାମ୍‍ଲୀ ତାଙ୍କର ଘଣ୍ଟାଏରୁ ଟିକିଏ ଅଧିକ ସମୟ ଧରି ପରିକଳ୍ପିତ ନୃତ୍ୟରେ ନୂଆ କୌଣସି ସଂରଚନା ନେଇ ନାହାନ୍ତି ।

ଦେବପ୍ରସାଦ ଦାସଙ୍କ ସଂରଚନାରୁ ସ୍ଥାୟୀ, କୃଷ୍ଣତାଣ୍ଡବ, ବଜ୍ରକାନ୍ତିପଲ୍ଲବୀ ଓ ମୋକ୍ଷ ଅଙ୍ଗ ନେଇଥିବାବେଳେ ଅଭିନୟରୁ ମୋହନ ଦେଲି ଚାହିଁ, ଆଗୋ ପ୍ରିୟ ସହି…. ତଥା କେଳୁଚରଣ ମହାପାତ୍ରଙ୍କ ରଚନାରୁ ନାଚନ୍ତି ରଙ୍ଗେ ଶ୍ରୀହରି… ଗୀତ ଦୁଇଟିକୁ ନେଇଛନ୍ତି । ସବୁଗୁଡ଼ିକ ପ୍ରାଚୀନ ନୃତ୍ୟ ରଚନା ।

ramliramli 2 ramli 3

 

ନାଚନ୍ତି ରଙ୍ଗେ ଶ୍ରୀହରିରେ… କେଳୁଚରଣ ମହାପାତ୍ରଙ୍କ ମୂଳ ବୋଲ୍‍ ସମେତ ଘନଶ୍ୟାମ ପଣ୍ଡାଙ୍କ ଗୀତକୁ ନିଆଯାଇଛି । ଏଥିରେ ନୂଆ ପଣ କ’ଣ ? ପୁରୁଣା ଗୁରୁଙ୍କ କ୍ଲାସିକ୍‍ ପର୍ଯ୍ୟାୟର ରଚନାକୁ ଭିଡ଼ାମୋଡ଼ା କରି ନିଜ ଛାଇରେ ପକାଇବା ପାଇଁ ଏହା ଏକ ଅପପ୍ରୟାସ ମାତ୍ର । ରାମ୍‍ଲୀଙ୍କ ନିଜସ୍ୱ ନୃତ୍ୟଶୈଳୀରେ ଓଡ଼ିଶୀର ଛଟା ଖୁବ୍‍ ବେଶୀ ନଥାଏ । ତାଙ୍କର ନୃତ୍ୟଶୈଳୀ ଏକପ୍ରକାର ମିଶ୍ର ଶୈଳୀ ।

ସେଠି କିଛିକାଂଶରେ ଭରତନାଟ୍ୟମ୍‍, ବାଲେ ଓ ସୁଫିଆନା ଶୈଳୀର ମିଶ୍ରଣ ଘଟିଥାଏ । ତେଣୁ ଓଡ଼ିଶୀର ମୌଳିକ ଗତି, ଭଙ୍ଗୀ, ଲାସ୍ୟ, ଛଟା ଓ ଅଭିନୟ ଖୋଜିଲେ ସେଠି ନିରାଶ ହେବାକୁ ପଡ଼େ । କୃଷ୍ଣପ୍ରେମ ଭଳି ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟର ଭାବକୁ ବ୍ୟକ୍ତ କଲାବେଳେ ରାମ୍‍ଲୀ ମୁଖାଭିନୟ ତୁଳନାରେ ଶାରୀରିକ ଗତିକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

ଗୋଟିପୁଅ ନୃତ୍ୟର ବନ୍ଧ ସହିତ ବାଲେର ମିଶ୍ରଣ ଘଟାଇ ନୃତ୍ୟକୁ ଏକପ୍ରକାର ବ୍ୟାୟାମର ସ୍ଥିତିରେ ପହଞ୍ଚାଇବା ଉଦ୍ୟମ ତାଙ୍କର ରହିଛି । ତେବେ ବ୍ୟାୟାମ୍‍ ମାଧ୍ୟମରେ ଅଭିନୟର ଅଭିବ୍ୟକ୍ତି ପ୍ରକାଶିତ ହୋଇପାରେ ନାହିଁ । ଦର୍ଶକ ଗତି ସଂଚାରକୁ ଦେଖି ହୁଏତ ତାଳି ମାରିବେ, ତେବେ ଏଥିରେ ଅଭିଭୂତ ହେବାର କିଛି ନାହିଁ ।

ରାମ୍‍ଲୀଙ୍କ ନୃତ୍ୟସଂରଚନାରେ ଶୃଙ୍ଖଳା ରହିଛି, ଆଗମନ ଓ ପ୍ରସ୍ଥାନରେ ସୌନ୍ଦର୍ଯ୍ୟ ଅଛି, ଆଲୋକ ସମ୍ପାତ୍‍ରେ କୁହୁକ ଅଛି, ସେଟ୍‍ ଡିଜାଇନ୍‍ରେ ନୂଆପଣ ଅଛି – ହେଲେ ତାଙ୍କ ନୃତ୍ୟସଂରଚନାରେ କୌଣସି ନୂତନତ୍ୱ ନାହିଁ । ନୃତ୍ୟର ବୌଦ୍ଧିକ ପରିକଳ୍ପନା ଓ ନୃତ୍ୟର ଗତିରେ କୌଣସି ଭାବ ଉଦ୍ରେକକାରୀ ଗୁଣ ନାହିଁ ।

ଅନେକ ସମୟରେ ସମାନ ପଦପାତ, ମୁଦ୍ରା ଓ ଭଙ୍ଗୀ ବିରକ୍ତିଜନକ ମନେ ହେବ । ବିଶେଷକରି ହସ୍ତଚାଳନା ଓ ପଦଚାଳନାରେ ରାମ୍‍ଲୀଙ୍କ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଦୁର୍ବଳ । ତାଙ୍କର ଗତିରେ ଗୋଟେ ପ୍ରକାର ଚାଲାକି ଅଛି । ଯେଉଁ ଚାଲାକିରେ ତାଳ କଟିବାର ଦୁର୍ବଳତାକୁ ସହଜରେ ଏଡେଇ ଯାଇ ହେବ ।

ମୋଟାମୋଟି ରାମ୍‍ଲୀଙ୍କ ଏହି ନୂଆ ସଂରଚନା ପୁରୁଣାର ଅବିକଳ ନକଲ ମାତ୍ର । ଆମେ ଆଶା କରୁଛୁ ରାମ୍‍ଲୀ ତାଙ୍କ ନିଜସ୍ୱ ସଂରଚନା କେବେ ଥରେ ପ୍ରସ୍ତୁତ କରିବେ ନିଶ୍ଚୟ ।

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ ନୃତ୍ୟଗୁରୁ ଭାବରେ ଗ୍ରହଣ କରିହେବ ନାହିଁ ।

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଓଡିଶୀ, ନୃତ୍ୟ

ମାଡ଼ ଖାଉଥିବା ପୋଲିସ ଓ ବସ୍ତିର ଲେଡି ଡନ୍‍

June 11, 2015 by News Bureau 1 Comment

କେଦାର ମିଶ୍ର

ଏହି ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ଏକ ଘଟଣା ଘଟିଲା । ରାଜଧାନୀର ଏକ ବସ୍ତିରେ ସାଧାରଣ ଲୋକେ ପୋଲିସ୍‍କୁ ଗୋଡ଼େଇ ଗୋଡ଼େଇ ପିଟିଲେ । ସାମ୍ବାଦିକଙ୍କ କ୍ୟାମେରା ଆଗରେ ସ୍ତ୍ରୀ, ପୁରୁଷ ମିଶି ଜଣେ ଥାନା ଅଧିକାରୀଙ୍କୁ ମାଡ଼ ଦେଉଥିବାର ଦୃଶ୍ୟ ଆମେ ଦେଖିବାକୁ ପାଇଲେ । ଅବଶ୍ୟ ଦୃଶ୍ୟଟି ନୂଆ ନୁହେଁ ।

pragativadi-photo
ଫଟୋ ସୌଜନ୍ୟ: ପ୍ରଗତିବାଦୀ ଫେସବୁକ ଆକାଉଣ୍ଟ

ରାଜଧାନୀ ଭୁବନେଶ୍ୱରରେ ଆଗରୁ ମଧ୍ୟ ଏପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ବର୍ଷ ଆଗରୁ ଆଉ ଜଣେ ଥାନାଅଧିକାରୀଙ୍କୁ ରାଜଧାନୀବାସୀ ଗୋଡ଼େଇ ଗୋଡ଼େଇ ମାଡ଼ ଦେଇଥିଲେ । ତେବେ ଶେଷଘଟଣାଟି ଟିକିଏ ଅଲଗା ।

ଏଥିରେ ପୋଲିସ୍‍ ସହ ବସ୍ତି ଜୀବନର ଆଉ ଏକ ପକ୍ଷ ମଧ୍ୟ ଉନ୍ମୋଚିତ ହୋଇଛି । ହଠାତ୍‍ ଓଡ଼ିଆ ସମ୍ବାଦପତ୍ରରେ ଆମେ ଜଣେ  ମହିଳାଙ୍କ ଫଟୋ ଦେଖିଲୁ, ଯାହାଙ୍କୁ କୁହାଗଲା ସେ ଜଣେ ଲେଡି ଡନ୍‍ । ସିନେମା ଶୈଳୀରେ ଖଳନାୟିକାର ଚିତ୍ର ଭଳି ତାଙ୍କର ଚିତ୍କାର କରୁଥିବା ଫଟୋଟି ଖବରକାଗଜରେ ଛପା ହେଲା ।

ଶୈଳ ରଣସିଂହ ନାମକ ଏହି ଭଦ୍ରମହିଳା ଜଣକ ପୋଲିସ ବିରୋଧରେ ଲୋକଙ୍କୁ ମତାଇଥିଲେ ଓ ବସ୍ତିରେ ଆତଙ୍କରାଜ ଚଳାଇଥିଲେ ବୋଲି ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଲା ।

ତାଙ୍କୁ ଲେଡି ଡନ୍‍ ବୋଲି କହିବା ବେଳେ ଆମେ ଚିନ୍ତା କଲୁ ଯେ, ଏହାଙ୍କ ବିଷୟରେ ଆଗରୁ ଖବରକାଗଜରେ କୋଉଠି କିଛି ବାହାରିଥିଲା କି ?

ଯେଉଁ ଟେଲିଭିଜନ ସାମ୍ବାଦିକମାନେ ଶୈଳ ରଣସିଂହଙ୍କ କାର୍ଯ୍ୟଶୈଳୀକୁ ସିନେମାର ଲେଡି ଡନ୍‍ ଭଳି କହୁଛନ୍ତି, ସେମାନେ କେବେ ତାଙ୍କ ବିଷୟରେ ବା ତାଙ୍କର ଅପରାଧ ସମ୍ପର୍କରେ କୌଣସି ରିପୋର୍ଟ ପ୍ରକାଶ କରିଥିଲେ କି !

ଗତ ୧୫ ବର୍ଷ ଧରି ଶୈଳ ରଣସିଂହଙ୍କ ନାଁ ଗଣମାଧ୍ୟମରେ ଅନ୍ତତଃ ମୁଁ ଶୁଣିନଥିଲି ।  ହଠାତ୍‍ ଏବେ ତାଙ୍କୁ ଏତେବଡ଼ ଖଳନାୟିକା ବୋଲି କହିବାର ମାନେ କ’ଣ ?

ପୁଲିସ କହୁଛି ପ୍ରତିବାଦ, ବିକ୍ଷୋଭ ଛଡା ତାଙ୍କ ବିରୁଦ୍ଧରେ ସେମିତି କିଛି ଗୁରୁତର ଅପରାଧିକ ମାମଲା ପୂର୍ବରୁ ପଞ୍ଜୀକୃତ ହୋଇନାହିଁ  ।

ହୁଏତ ବସ୍ତିରେ ରହୁଥିବା ଜଣେ ମୁଖରା ଓ କେବେ କେମିତି ହିଂସ୍ର ହୋଇ ଉଠୁଥିବା ଜଣେ ସାଧାରଣ ମହିଳାଙ୍କୁ ଏତେବଡ଼ ଖଳନାୟିକା ବୋଲି ଚିତ୍ରିତ କରିବା ପଛରେ ଗଣମାଧ୍ୟମର ଉଦ୍ଦେଶ୍ୟ କ’ଣ?

ଗୋଟିଏ ଛୋଟ ଘଟଣା ଏତେ ବଡ଼ ଖଳନାୟିକାକୁ ଜନ୍ମ ଦେଇପାରେ – ଏହା ହେଉଛି ଆମ ଗଣମାଧ୍ୟମର ଚାଲାକି । ଆମେ ଜଣେ ସାଧାରଣ ଗଣ୍ଡଗୋଳକାରିଣୀଙ୍କୁ କଙ୍ଗାରୁ କୋର୍ଟ ଚଲାଉଥିବା ନକ୍ସଲ ବୋଲି କହିପାରୁ । ଏହାହିଁ ଆମ ସମୟର ବିଡମ୍ବନା ।

ଏକଥା ସତ ଯେ, ଯେଉଁମାନେ ପୋଲିସ୍‍ ଉପରେ ଆକ୍ରମଣ କଲେ, ସେମାନେ ଆଇନ୍‍କୁ ହାତକୁ ନେଇଛନ୍ତି ଓ ଏହାର ଦଣ୍ଡ ତାଙ୍କୁ ମିଳିବା ଦରକାର । ତା’ର ଅର୍ଥ ନୁହଁ ଯେ ପୋଲିସ୍‍ ସମ୍ପୂର୍ଣ୍ଣ ଭାବରେ ନିର୍ଦୋଷ ।

ଅପରାଧୀମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଗରିବ ଓ ବସ୍ତିବାସିନ୍ଦାଙ୍କ ପ୍ରତି ପୋଲିସ୍‍ ଯେଉଁ ପ୍ରକାର ବ୍ୟବହାର କରେ, ତାହା କଦାପି କ୍ଷମାଯୋଗ୍ୟ ନୁହେଁ । ପୋଲିସ୍‍ ଉପରେ ଲୋକେ ସେତେବେଳେ ଆକ୍ରମଣ କରନ୍ତି, ଯେତେବେଳେ ପୋଲିସ୍‍ର ନିର୍ଯ୍ୟାତନା ଅସହ୍ୟ ହୋଇ ଉଠେ ।

ଏହି କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ପୋଲିସ୍‍ ଉପରେ ନିରୀହ ବସ୍ତି ବାସିନ୍ଦା ଆକ୍ରମଣ କରିବା ପଛରେ କିଛି ଗୋଟେ ଅସହ୍ୟ କାରଣ ରହିଛି, ଯାହାକୁ ଗଣମାଧ୍ୟମ ପୋଲିସ୍‍ର ପ୍ରରୋଚନାରେ ଲୁଚାଇବାକୁ ଚାହୁଁଛି । ଶୈଳ ରଣସିଂହଙ୍କୁ ଏହି ସମଗ୍ର ଘଟଣାରେ ଦୋଷୀ ବୋଲି ହୁଏତ କୁହାଯାଇପାରେ, କିନ୍ତୁ ତାଙ୍କୁ ଲେଡି ଡନ୍‍ ଓ କଙ୍ଗାରୁ କୋର୍ଟର ବିଚାରପତି ବୋଲି କହିବା ଅତିଶୟୋକ୍ତି ମାତ୍ର ।

ବୋଧହୁଏ ଗଣମାଧ୍ୟମ ପାଇଁ ଏକ ଯାତ୍ରା ନାୟିକା ଦରକାର । ସେଥିପାଇଁ ଶୈଳ ରଣସିଂହ ଜଣେ ସହଜ ଶିକାର । ତାଙ୍କୁ ଲେଡି ଡନ୍‍ ସଜାଇ ଆମେ ଖବରର ଏକ ତଟକା ବଜାର ସୃଷ୍ଟି କରିଛୁ । ଯେଉଁ ବଜାରରେ ପୋଲିସ୍‍ର କଳାକାରନାମା ଲୁଚି ଯାଉଛି ।

ଏକଥା କହିଲାବେଳେ ଆମେ ଭୁଲିଯିବା ଉଚିତ୍‍ ନୁହେଁ ଯେ ସମାନ୍ତରାଳରେ ପୋଲିସ୍‍ ବର୍ବରତାର ଆଉ ଏକ ଉଦାହରଣ ମଧ୍ୟ ଆମେ ଦେଖୁଛୁ । ଜୁନ୍‍ ୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସ୍‍ ଥାନାରେ ଗୌରହରି ସ୍ୱାଇଁ ନାମକ ଜଣେ ଛୋଟିଆ ଚୋରକୁ ଥାନା ହାଜତରେ ପିଟିପିଟି ପୋଲିସ୍‍ ମାରିଦେଇଛି ।

ପୋଲିସ୍‍ର ଅତ୍ୟଧିକ ଅତ୍ୟାଚାରରେ ଗୌରହରି ମୃତ୍ୟୁ ବରଣ କରିଛନ୍ତି । ଏହିଘଟଣାକୁ ନେଇ ଆମର ସାଧାରଣ ଜୀବନରେ ବିଶେଷ ହଲଚଲ୍‍ ଆସୁନାହିଁ । ଗୋଟେ ସମୟ ଥିଲା ହାଜତ ମୃତ୍ୟୁକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ବୋଲି ବିଚାର କରାଯାଉଥିଲା ।

ଆଜିର ତାରିଖରେ ରାଜନୈତିକ ଦଳ ଓ ଗଣମାଧ୍ୟମ ହାଜତ ମୃତ୍ୟୁକୁ ପୋଲିସ୍‍ର ଅଧିକାର କ୍ଷେତ୍ର ବୋଲି ବିଚାର କରୁଛନ୍ତି । ଗଣମାଧ୍ୟମର ଏହି ବିବେକହୀନ ଆଚରଣ ଆଗରେ ସାଧାରଣ ଚୋର ଖଳନାୟକ ପାଲଟିଥିବାବେଳେ ବସ୍ତିର ସାଧାରଣ ମୁଖରା ନାରୀଟିଏ ଲେଡି ଡନ୍‍ ପାଲଟିଯାଉଛି । ଏହା ଅତ୍ୟନ୍ତ ଦୁଃଖଦାୟକ ।

ଫୋନ୍‍ : ୯୪୩୭୧୫୪୪୪୫

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ରୋକ ଠୋକ Tagged With: ପୋଲିସ, ଶୈଳ ରଣସିଂହ

ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

June 1, 2015 by News Bureau Leave a Comment

କେଦାର ମିଶ୍ର

ହଠାତ୍‍ ଏଇ କିଛିଦିନ ହେଲା ଓଡିଶା ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପରଠୁ ରାଜ୍ୟର ମୂଳ ଅଧିବାସୀ ଭାବରେ ପରିଚିତ ଆଦିବାସୀଙ୍କ ଅସ୍ମିତା ଓ ରାଜନୈତିକ ଅଧିକାରକୁ ନେଇ କେବେ ବି ଖାସ୍‍ ଆଲୋଚନା ହୋଇନାହିଁ ।

କହିବାରେ ଦ୍ୱିଧା ନାହିଁ ଯେ ଓଡିଶାରେ ରାଜନୈତିକ ନେତୃତ୍ୱ ପ୍ରାୟତଃ ରାଜା, ବ୍ରାହ୍ମଣ, କରଣ ଓ ଉଚ୍ଚବର୍ଗଙ୍କ ହାତରେ ରହି ଆସିଛି । ଗଜପତି କୃଷଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଓଡିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଏହି ବର୍ଗରୁ ଆସିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

କେବଳ ଦଶ ମାସ ପାଇଁ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ଦୁଇ ଥରରେ ଆଠ ମାସ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ରାଜନୀତିରେ ଇତିହାସ ଦୃଷ୍ଟିରୁ ଉଭୟ ନିଜ ନେତୃତ୍ୱକୁ ନେଇ ସେତେବେଶି ଚର୍ଚ୍ଚାରେ ରହିନାହାନ୍ତି । ସମ୍ପ୍ରତି ଗିରିଧର ଗମାଙ୍ଗ ନିଜର ମୂଳଦଳ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ଜୋର୍‍ ଧରିଛି।

ଇତିମଧ୍ୟରେ ଗମାଙ୍ଗ କଂଗ୍ରେସ ଦଳ ତ୍ୟାଗ କରିଛନ୍ତି । ହୁଏତ ସେ ବିଜେପିରେ ଯୋଗ ଦେଇପାରନ୍ତି । ଓଡିଶାରେ ଆଦିବାସୀ ନେତୃତ୍ୱକୁ ନେଇ ବିଜେପି ଏକ ନୂଆ ସମୀକରଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି । ଏହି ପ୍ରୟାସରେ କେନ୍ଦ୍ରରେ ଓଡିଶାର ଏକମାତ୍ର ବିଜେପି ଲୋକସଭା ସଦସ୍ୟ ଜୁଏଲ୍‍ ଓରାମ୍‍ଙ୍କୁ ପୁଣି କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ବାଜପେୟୀ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ଦ୍ଵିତୀୟ ଥର ପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କର ଦାୟିତ୍ୱ ଅପରିବର୍ତ୍ତିତ ରହିଛି । ଅର୍ଥାତ ସବୁବେଳେ ଜୁଏଲ୍‍ଙ୍କୁ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ୱ ଦିଆଯାଇଛି ।

ଓଡିଶାରୁ ପ୍ରଥମଥର ପାଇଁ ଜୁଏଲଙ୍କ ଭଳି ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ରେ ନେଇ ଅଟଳ ବିହାରୀ ବାଜପେୟୀ ଏକ ଉଦାହରଣ ସୃଷ୍ଟି କରିଥିଲେ । ତେବେ ଜୁଏଲ୍‍ଙ୍କ ନେତୃତ୍ୱ କେବଳ ସେତିକିରେ ହିଁ ସୀମିତ ରହି ଆସିଛି । ଜୁଏଲ୍‍ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ଉଚ୍ଚବର୍ଗର ନେତୃତ୍ୱ ଆଗରେ ତାଙ୍କର ବ୍ୟକ୍ତିତ୍ୱକୁ ଏକପ୍ରକାର ଫିକା କରି ଦେଖାଇବାର ନିରନ୍ତର ପ୍ରୟାସ ଦଳ ଭିତରେ ଓ ଗଣମାଧ୍ୟମରେ ହୋଇଛି ।

ଗିରିଧର ଗମାଙ୍ଗ
ଗିରିଧର ଗମାଙ୍ଗ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ

ଓଡିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ଅଛନ୍ତି । ଜୁଏଲ୍‍ ଓଡିଶା ଲୋକସଭାରୁ ନିର୍ବାଚିତ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ପଦବୀ ଦୃଷ୍ଟିରୁ ଜୁଏଲ୍‍ କ୍ୟାବିନେଟ୍‍ ମନ୍ତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ।

ତେବେ ଧର୍ମେନ୍ଦ୍ରଙ୍କ ହାତରେ ଦୁଧିଆଳୀ ପେଟ୍ରୋଲିୟମ୍‍ ବିଭାଗ ରହିଛି । ତେଣୁ ସ୍ୱାଭାବିକ ଭାବରେ ଦଳ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ଜୁଏଲ୍‍ଙ୍କ ତୁଳନାରେ ବହୁ ଅଧିକ । ଜୁଏଲ୍‍ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ଦୃଢ଼ୀଭୂତ କରିବା ପାଇଁ ଯେତେ ଉଦ୍ୟମ କଲେ ବି ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁନାହିଁ ।

ଧର୍ମେନ୍ଦ୍ର ଏବଂ ଜୁଏଲ୍‍ଙ୍କ ନେତୃତ୍ୱର ତୁଳନା କରି ଦେଖିଲେ ଆମର ଆଦିବାସୀ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯିବ । ଜୁଏଲ୍‍ ଆଦିବାସୀ ନେତା, ସେ ତୃଣମୂଳ ସ୍ତରରେ କାମ କରନ୍ତି, ତାଙ୍କ କଥା କହିବାରେ ସରଳତା ଓ ଭାବପ୍ରବଣତା ରହିଛି ଓ ସର୍ବୋପରି ନିଜର ଆଦିବାସୀ ଅସ୍ମିତାକୁ ନେଇ ସେ ଗର୍ବିତ ।

ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ସହରୀ ନେତୃତ୍ୱର ପ୍ରତୀକ । ତାଙ୍କ କଥା କହିବାରେ ଆଭିଜାତ୍ୟ ଅଛି । ଲୋକସମ୍ପର୍କ ରକ୍ଷାର ସବୁ ଆଧୁନିକ ସୂତ୍ର ତାଙ୍କୁ ଜଣା । ତେଣୁ ବିଜେପିର ସବୁ ଦଳୀୟ ବ୍ୟପାରରେ ଜୁଏଲ୍‍ ଗୌଣ ପରିଲକ୍ଷିତ ହୋଇଥିବା ବେଳେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ଉଭା ହୋଇଛନ୍ତି ।

ଦଳୀୟ କାର୍ଯ୍ୟକ୍ରମରେ ଜୁଏଲ୍‍ଙ୍କୁ ଅଣଦେଖା କରିବାର ବହୁ ନମୂନା ଇତିମଧ୍ୟରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଘଟଣା କ୍ରମରେ ପୂର୍ବତନ ବିଧାୟିକା, ମନ୍ତ୍ରୀ ଓ ମୟୁରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୂଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବରେ ମାନ୍ୟବର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।

ଓଡିଶାରୁ ରାଜ୍ୟପାଳ ପଦ ମଣ୍ଡନ କରିବାରେ ଦ୍ରୌପଦୀ କେବଳ ପ୍ରଥମ ଆଦିବାସୀ ନୁହନ୍ତି, ସେ ପ୍ରଥମ ମହିଳା ମଧ୍ୟ । ଜଣେ ସାଧାରଣ କିରାଣୀରୁ ରାଜ୍ୟପାଳ ପଦବୀକୁ ଯାଇଥିବା ଦ୍ରୈାପଦୀଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ଅସାଧାରଣ ବୋଲି କୁହାଯାଇପାରେ । ତେବେ ଦ୍ରୌପଦୀଙ୍କର ଏହି ସଫଳତା ଓଡିଶାର ଅନେକ ବଡ ମୁଣ୍ଡରେ ହଜମ ହେଉନାହିଁ ।

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ ସାଂସଦ ଜଣଙ୍କ ଉଚ୍ଚ ବର୍ଗର ପ୍ରତିନିଧି ।

ଦ୍ରୌପଦୀ ପୂର୍ବରୁ ମନ୍ତ୍ରୀ ଥିଲେ ଓ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ । ଏହା ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟତା ହେବାରେ ଅସୁବିଧା କଣ ବୁଝାପଡୁନି । ଯଦି ପୂର୍ବତନ ଆଇଏଏସ୍‍, ପୋଲିସ୍‍ ଅଧିକାରୀ ଓ ବିଫଳ ରାଜନେତାମାନେ ରାଜ୍ୟପାଳ ହୋଇପାରନ୍ତି ସେଠି ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆମ ଜାତିଆଣ ମାନସିକତାକୁ ସ୍ପଷ୍ଟ କରୁନାହିଁ କି ?

ଆଦିବାସୀଙ୍କର ନେତୃତ୍ୱ ପ୍ରସଙ୍ଗ ଉଠିଲେ ଆମ ଉଚ୍ଚବର୍ଗର ମାନସିକତା ଚିହିଁକି ଉଠେ । ଆମ ସମ୍ଭ୍ରାନ୍ତ ନାକ କୁଞ୍ଚିତ ହୋଇ ଉଠେ । ଆମେ ଭାବୁ ବଣ, ଡଙ୍ଗରରେ ରହୁଥିବା ଲୋକେ ଶାସନ କରିବା ପାଇଁ ଅନୁପଯୁକ୍ତ ।

ଓଡିଶାରେ ଯେତେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଭିତରୁ ଗିରିଧର ଗମାଙ୍ଗ ଏକ ଭିନ୍ନ ଚରିତ୍ରର ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଭିତରେ ପଦବୀର ଅହଙ୍କାର ନଥିଲା କିମ୍ବା ଲୋକଙ୍କଠୁ ଦୂରେଇ ରହିବାର ପ୍ରବଣତା ନଥିଲା ।

ଦୁର୍ଭାଗ୍ୟକ୍ରମେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ରହିଲେ ସେତେବେଳେ ଓଡିଶାକୁ ମହାବାତ୍ୟା ଭଳି ଏକ ବିରାଟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା । ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରକାର ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ରହିବା କଥା ତାହା ଗମାଙ୍ଗଙ୍କର ନଥିଲା ବୋଲି କହିହେବନି ।

ତେବେ ଏହି ବିପର୍ଯ୍ୟୟ ସମୟରେ ନିଜର ରାଜନୈତିକ ରାଗ ସୁଝାଇବାକୁ ଗମାଙ୍ଗଙ୍କୁ ତାଙ୍କ ଦଳ ଭିତରେ କମ୍‍ ହଲାପଟା କରାଯାଇନାହିଁ । ରାଜନୈତିକ ମଞ୍ଚରେ ସବୁବେଳେ ଆଦିବାସୀ ନେତୃତ୍ୱକୁ ନିଚ କରି ଦେଖେଇବାର ଏକ ପ୍ରବୃତ୍ତି ରାଜନୀତିରେ ଓ ଗଣମାଧ୍ୟମରେ ରହି ଆସିଛି ।

ଓଡିଶା ରାଜନୀତିରେ ୨୫ ଭାଗ ଆଦିବାସୀ ଭୋଟର୍‍ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତଥାପି ରାଜନୈତିକ ପଦପଦବୀ, ପ୍ରଶାସନ, ପୋଲିସ୍‍, ଗଣମାଧ୍ୟମ ଓ ସାମାଜିକ ନେତୃତ୍ୱରେ ତାଙ୍କର କୌଣସି ପ୍ରଭାବ ନାହିଁ । ରାଜନୈତିକ ପଦପଦବୀର ଏକ ସାଙ୍କେତିକ ପ୍ରଭାବ ରହିଥାଏ । ୨୫ ଭାଗ ଆଦିବାସୀଙ୍କ ନେତୃତ୍ୱ ସବୁବେଳେ ଅଣ ଆଦିବାସୀଙ୍କ ହାତରେ ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ଅସୁରକ୍ଷାର ବାତାବରଣ ରହି ଆସିଛି ।

ଏକ ଛୋଟିଆ ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ । ଓଡିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟ୍‍ର ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱ କେଉଁମାନେ ? ଗମାଙ୍ଗ ପରିବାରକୁ ଛାଡିଦେଲେ ଏଠିକାର ନେତୃତ୍ୱ ଐତିହାସିକ ଦୃଷ୍ଟିରୁ କେଉଁମାନେ ନେଇ ଆସିଛନ୍ତି ? ହରିଶ୍‍ଚନ୍ଦ୍ର ବକ୍ସିପାତ୍ର, ରଘୁନାଥ ପଟ୍ଟନାୟକ, ରବି ନନ୍ଦ ପ୍ରମୁଖ ଆଦିବାସୀ ଜିଲ୍ଲାରୁ ଉଚ୍ଚବର୍ଗର ନେତୃତ୍ୱ ନେଇଛନ୍ତି ।

ଗିରିଧର ଗମାଙ୍ଗ ଓ ଖଗପତି ପ୍ରଧାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ସମୟ ଲୋକସଭାରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନେ କେବେ ବି ଆଗ ଧାଡିର ନେତା ଭାବରେ ପରିଗଣିତ ହୋଇନାହାନ୍ତି ।

ବିଜେଡି ସରକାରରେ ମଧ୍ୟ ଅବସ୍ଥା ସମାନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଦିବାସୀ ନେତୃତ୍ୱକୁ ନବୀନ ପଟ୍ଟନାୟକ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଲାଲ୍‍ ବିହାରୀ ହିମିରିକା ଓ ରମେଶ ମାଝୀଙ୍କ ଭଳି ଆଦିବାସୀ ପ୍ରତିନିଧିଙ୍କୁ ସବୁବେଳେ ଗୌଣ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ଆଦିବାସୀଙ୍କ ନେତୃତ୍ୱକୁ ଆମ ଉଚ୍ଚବର୍ଗ ଗ୍ରହଣ କରିବାକୁ ସହଜରେ ପ୍ରସ୍ତୁତ ନୁହଁ ।

ରାଜନୀତିର ପ୍ରଭାବ ସମାଜ ଜୀବନରେ ମଧ୍ୟ ପଡିଥାଏ । ଯେହେତୁ ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରଭାବ ନାହିଁ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର କୌଣସି ପ୍ରତିପତ୍ତି ନାହିଁ ।

ସାନ୍ତାଳି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‍ ହୋଇ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ପାଇସାରିଛି । ଓଡିଆ ଭାଷାର ସାହିତ୍ୟିକଙ୍କ ପରି ବହୁ ଓଡିଶାବାସୀ ସାନ୍ତାଳି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।

ହେଲେ ସେମାନଙ୍କ ବିଷୟରେ ଆମ ଓଡିଶାର ଗଣମାଧ୍ୟମ ବା ସାମାଜିକ ସଙ୍ଗଠନଗୁଡିକ କିଛି ଜାଣନ୍ତି କି ? ଦମୟନ୍ତୀ ବେଶ୍ରା ବା ଯଦୁନାଥ ବେଶ୍ରାଙ୍କ ନାଁ କେତେଜଣ ଶୁଣିଛନ୍ତି ? କୁଇ, ସାନ୍ତାଳି, ମୁଣ୍ଡାରୀ ଭଳି ଭାଷାରେ ଅନେକ ସାହିତ୍ୟ ରଚନା ହେଲାଣି – ତାର ଚର୍ଚ୍ଚା ଆମେ କେବେ କରିଛୁ କି ?

ସମାଜ, ରାଜନୀତି ଓ ଚିନ୍ତନ କ୍ଷେତ୍ରରେ ଆଦିବାସୀଙ୍କୁ ଦଳିତ କରି ରଖିବାର ପ୍ରବଣତା ଆମ ପାଇଁ ଦିନେ ନା ଦିନେ ମହଙ୍ଗା ସାବ୍ୟସ୍ତ ହେବ ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ରୋକ ଠୋକ Tagged With: ଆଦିବାସୀ, ଓଡିଶା, କେଦାର ମିଶ୍ର, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ, ନେତୃତ୍ୱ, ରୋକ ଠୋକ, ହେମାନନ୍ଦ ବିଶ୍ଵାଳ

ହଳଧର ନାଗ କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର

May 12, 2015 by News Bureau 1 Comment

କେଦାର ମିଶ୍ର

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ଯୌବନପ୍ରାପ୍ତି ପରେ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ ପୃଥିବୀ ସହ ଦେବରାଜ ଇନ୍ଦ୍ରଙ୍କ ପରିଣୟ ପାଇଁ ।

ଅସାମାନ୍ୟ ରୂପସୀ ପୃଥିବୀକୁ ବାହା ହେବା ପାଇଁ ଦେବସଭାରେ ନିଷ୍ପତ୍ତି ହୋଇଗଲା । ଏ ଖବର ପାଇବା ମାତ୍ରେ ଭୟ ଓ ଆଶଙ୍କାରେ କାତର ପୃଥିବୀ ଚନ୍ଦ୍ରମାଙ୍କୁ ଝିଙ୍ଗାସ କଲେ ଏବଂ ସେ ସମୟ ସହ ପ୍ରଣୟବଦ୍ଧ ବୋଲି ଜଣାଇଦେଲେ । ବିଚଳିତ ଚନ୍ଦ୍ରମା ଏବେ କରନ୍ତି କଣ ? ଦେବରାଜଙ୍କୁ କହିଲେ, ‘ମହାରାଜ ! ମୋ ସାନ ଭଉଣୀ ଏବେ ମହାକାଳ ପ୍ରେମରେ ପଡିଯାଇଛି ।’ କ୍ରୋଧରେ ଇନ୍ଦ୍ର ନିଜ ବଜ୍ର ମାଧ୍ୟମରେ ସମୟକୁ ଖଣ୍ଡ ଖଣ୍ଡ କରି ହତ୍ୟା କଲେ ।

Haldhar_Nagପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ । ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି ? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ । ଲୋକପିତା କହିଲେ – ‘ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି ।’

ତା ପରେ ବ୍ରହ୍ମା ତାଙ୍କ କମଣ୍ଡଳରୁ ଅମୃତ ଜଳ ସିଞ୍ଚି ସମୟକୁ ଜୀବନ୍ୟାସ ଦେଲେ । କିନ୍ତୁ ଏ କ’ଣ ? ଇନ୍ଦ୍ରଙ୍କ ବ୍ରଜାଘାତରେ ସମୟ ଛଅ ଖଣ୍ଡ ହୋଇଯାଇଛି ଏବଂ ଅମୃତ ଜଳ ପାଇଲା ପରେ ସମୟର ଛଅଟି ସ୍ୱରୂପ ପୃଥିବୀକୁ ପ୍ରଣୟ ଭିକ୍ଷା କରୁଛନ୍ତି । ପୃଥିବୀ କହିଲେ, ‘ ଏ କି ଆଚମ୍ବିତ କଥା ? ଜଣେ ନାରୀ ଛଅ ପୁରୁଷଙ୍କ ସହ ଜୀବନ କଟାଇବ କେମିତି ? ବ୍ରହ୍ମା କହିଲେ – ‘ତମେ ବିଚଳିତ ହୁଅ ନାହିଁ । ସେମାନେ ସମୟର ଛଅଟି ସ୍ୱରୂପ – ଛଅଟି ଋତୁ ।’

ଜଣେ ପରେ ଜଣେ ସେମାନେ ତମ ପାଖକୁ ଆସିବେ ଓ ଦୁଇ ମାସ ଲେଖାଏଁ ତମକୁ ଭୋଗ କରିବେ । ସେହି ଦିନଠୁ ଛଅ ଋତୁ କ୍ରମାନ୍ମୟରେ ପୃଥିବୀ ପୃଷ୍ଠକୁ ଆସନ୍ତି ଓ ପୃଥିବୀ ରାଣୀକୁ ଭୋଗ କରନ୍ତି ।

ଇଏ କାହାଣୀ ନା କବିତା ? କେଉଁ ପୁରାଣରେ ଆପଣ ପଢ଼ିଛନ୍ତି ଏ କାହାଣୀ ? କବିର କଳ୍ପନାରେ ସମୟ ଓ ପୃଥିବୀର କାହାଣୀ ନୂଆ ରୂପେ ଗଢ଼ାଯାଇଛି । ସମ୍ବଲପୁରୀ-କୋଶଳୀ ଭାଷାରେ ରଚିତ ‘ବଛର’ ନାମକ କାବ୍ୟର କାହାଣୀ ଇଏ । କାବ୍ୟର କବି ହେଉଛନ୍ତି ଶ୍ରୀଯୁକ୍ତ ହଳଧର ନାଗ ।

କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟ ନାମ କବି ହଳଧର ନାଗ । ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ । ଘଣ୍ଟା ଘଣ୍ଟା ଧରି କବିତା ତାଙ୍କର ମୁଖସ୍ଥ ଥାଏ । ଆତ୍ମବିଭୋର, କବିତା ବିଭୋର କବିଙ୍କୁ ଶୁଣିବା ପାଇଁ ଯାତ୍ରା ପରି ଗହଳି ଲାଗିଯାଏ ପଶ୍ଚିମ ଓଡିଶାରେ ।

ହଳଧର ନାଗ, ଦେଖିବାକୁ ଡେଙ୍ଗା, କଳା, ନହନହକା ମଣିଷଟିଏ । ଭାବପ୍ରବଣ ଦୁଇଟି ଆଖି । ବବୁରି ବାଳ ଲମ୍ବି ଯାଇଥାଏ ପଛକୁ । ଅଣ୍ଟାରେ ବେଢ଼ାଇ ହୋଇଥାନ୍ତି ଧଳା ଧୋତିଟିଏ, କାନ୍ଧରେ ଗାମୁଛା, ପାଦରେ ଚପଲ ନଥାଏ । ଦେଖିଲେ ଅତି ସାଧାରଣ ଗାଉଁଲି ମଣିଷଟିଏ । ସାଧାରଣ ଚେହେରା ତଳେ ଏକ ଅସାଧାରଣ ପ୍ରତିଭାର ଜ୍ୟୋତି ଉଦ୍‍ଭାସିତ ହେଉଥାଏ ତାଙ୍କ ଆଖି ଦିଓଟିରେ ।

ଅତ୍ୟନ୍ତ ନମ୍ର ଏବଂ ବିନୟୀ ସ୍ୱଭାବର କବି ହଳଧର ନାଗଙ୍କୁ ଦେଖିଲେ ଲାଗେନା ତାଙ୍କର ଗ୍ରନ୍ଥାବଳୀ ପ୍ରକାଶ ହୋଇଛି ଗ୍ରନ୍ଥ ମନ୍ଦିର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ । ତାଙ୍କୁ ନେଇ ‘ବିବିସି’ ତିଆରି କରି ସାରିଛି ଗୋଟିଏ ସିନେମା । ତାଙ୍କୁ ନିମନ୍ତ୍ରଣ ନକଲେ ପଶ୍ଚିମଓଡିଶାର କୌଣସି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୁଏନା ।

ତାଙ୍କୁ ଦେଖିଲେ ବହୁ ବିଦ୍ୱାନ ହାତଯୋଡି ସମ୍ମାନ କରନ୍ତି । ଅଥଚ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହଳଧର ନାଗଙ୍କ ଆନୁଷ୍ଠାନିକ ଶିକ୍ଷା । ବୃତ୍ତିରେ ସେ ଚନାଚୁରବାଲା । କେବେ କେମିତି ଚାଷ କାମ କରନ୍ତି । ଗାଁ ସ୍କୁଲରେ ଭାରରେ ପାଣି ବୋହି ନିଅନ୍ତି । କିନ୍ତୁ କବିତାର ସେ ଏକ ଜ୍ୟୋତିର୍ମୟ ଅବତାର ।

କବି ହଳଧର ନାଗଙ୍କ ଜନ୍ମ ୩୧.୦୩.୧୯୫୦ ବରଗଡ ଜିଲ୍ଲାର ଘେଁସ୍‍ ଗାଁରେ । ଘେଁସ୍‍ ପଶ୍ଚିମଓଡିଶାର ଏକ ଐତିହାସିକ ଗାଁ । ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶରାଜ ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ଆଂଦୋଳନର ତୀର୍ଥ ଭୂମି ହେଉଛି ଘେଁସ୍‍ । ଏକ ଐତିହାସିକ ଗାଁର ଅତି ସାଧାରଣ ବାଳକଟିଏ ଅସାଧାରଣ ଇତିହାସ ରଚନା କରିବ ଏକଥା ଘେଁସ୍‍ ଗାଁର କେହି କେବେି ବି କଳ୍ପନା କରିନଥିବେ ।

ଲେଖକଙ୍କ ସହ ହଳଧର
ଲେଖକଙ୍କ ସହ ହଳଧର

ଲୋକଗୀତ ଏବଂ ଲୋକନୃତ୍ୟ ପ୍ରତି ପିଲାଦିନରୁ ହଳଧରଙ୍କ ଥିଲା ପ୍ରଚୁର ଆଗ୍ରହ । ରାମାୟଣ, ମହାଭାରତ ଶୁଣି ଶୁଣି ଡାଲଖାଇ, ରସରକେଲି, ଗୁଣୁ ଗୁଣେଇ ଆରମ୍ଭ ହୋଇଥିଲା ତାଙ୍କ କବିତ୍ୱର ଯାତ୍ରା । ଅଳ୍ପ ପାଠୁଆ ତାଙ୍କ ମନ ଓ ହୃଦୟକୁ ନିଜର ନିବାସ ରୂପେ ବାଛି ନେଇଥିଲେ କବିତାର ସରସ୍ୱତୀ । ଆପେ ଆପେ ଆପଣଛାଏଁ ସେ ଆବୃତ୍ତି କରୁଥିଲେ ସୁକୁମାର କବିତା ।

ତାଙ୍କ ଆଗରେ ପ୍ରେରଣାର ଉତ୍ସ ଥିଲେ ବ୍ୟାସ, ବାଲ୍ମିକୀ, ଗଙ୍ଗାଧର ମେହେର ଓ ଭୀମଭୋଇ । ତାଙ୍କ କାବ୍ୟସିଦ୍ଧି ଗୋଟିଏ କଥା ପ୍ରମାଣିତ କରେ, ତା ହେଲା- କବିତାର ଉତ୍ସ ସବୁବେଳେ ସ୍ୱାଭାବିକ ଏବଂ କବିତା ରଚନା କୌଣସି ବୌଦ୍ଧିକ କସରତର ଆବଶ୍ୟକତା ରଖେ ନାହିଁ ।

ତାଙ୍କ କବିତାରେ ପଶ୍ଚିମ ଓଡିଶାର ଜନଜୀବନ, ପ୍ରାକୃତିକ ପରିବେଶ, ଚଳଣୀ, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ଛନ୍ଦ ଏବଂ ସର୍ବୋପରି ଜୀବନର ଉଦ୍ଧାମତା ପ୍ରତିଫଳିତ ହୋଇଥାଏ । କାବ୍ୟ ଓ ପୁରାଣରୁବ ବିଷୟବସ୍ତୁ ଚୟନ କରୁଥିଲେ ହେଁ ବର୍ଣ୍ଣନା ଏବଂ ସର୍ଜନା କ୍ଷେତ୍ରରେ ତାଙ୍କ ଶୈଳୀ ମୌଳିକ । ଆଞ୍ଚଳିକ ଅସ୍ମିତାର ଉଦ୍‍ଗାତା ରୂପେ ଏବେ ସମଗ୍ର ପଶ୍ଚିମ ଓଡିଶାରେ ହଳଧର ନାଗ ସଂସ୍କୃତିର ଦେବଦୂତ ପାଲଟି ଯାଇଛନ୍ତି । ଆଞ୍ଚଳିକ ସଂସ୍କୃତିର ପ୍ରାଣବନ୍ଦ ପ୍ରତୀକ ତାଙ୍କର କବିତା ।

ପଶ୍ଚିମଓଡିଶାର ବିଶେଷ ଚର୍ଚ୍ଚା ହୋଇଥାଏ ଏ ଅଞ୍ଚଳର ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ଦାଦନ ଶ୍ରମିକ ଓ ପିଲାବିକ୍ରୀ ଇତ୍ୟାଦି ପ୍ରସଙ୍ଗ ପାଇଁ । ତେଣୁ ଏ ଅଞ୍ଚଳକୁ ନେଇ ଯେଉଁମାନେ କବିତା ଲେଖନ୍ତି ବା ଏ ଅଞ୍ଚଳରେ ରହି କବିତା ଲେଖନ୍ତି ସେମାନଙ୍କ ପାଇଁ କବିତାର ବିଷୟବସ୍ତୁ ପ୍ରାୟ ପୂର୍ବନିର୍ଦ୍ଧାରିତ ।

ସ୍ଥିତାବସ୍ଥା ବିରୁଦ୍ଧରେ ହେଉ କିଂବା ଏକ ନୂତନ ଆଂଦୋଳନର ସୂଚନା ହେଉ କବିତାରେ ତାର ସଙ୍କେତ ରହିଥାଏ । ଯଦିଓ ଆଧୁନିକ ଓଡିଆ କବିତାର ଅସ୍ପଷ୍ଟ, ରହସ୍ୟମୟ ଏବଂ ଦୁର୍ବୋଧ୍ୟ ପରମ୍ପରାରରେ ଏସବୁ ସ୍ୱରର ବିଶେଷ କିଛି ମାନେ ନଥାଏ । ପରମ୍ପରାର ମୁଖ୍ୟସ୍ରୋତରେ ଗୌଣସ୍ରୋତର ଭାବାବେଗ ପ୍ରାୟତଃ ବିଲୀନ ହୋଇଯାଏ ।

ସୌଭାଗ୍ୟକ୍ରମେ ହଳଧର ନାଗଙ୍କ କବିତା ଏହି ଦୁର୍ଭାଗ୍ୟଜନକ ପରିଣତି ଭୋଗିନାହିଁ । ପ୍ରାୟତଃ ପୁରାର, କାବ୍ୟ ଓ କଳ୍ପନାର ଆଧାରରେ ତାଙ୍କ କବିତ୍ୱର ପ୍ରତିଷ୍ଠା । ତେଣୁ ଆଧୁନିକତା କିମ୍ବା ଉତ୍ତର ଆଧୁନିକତାର ବ୍ୟୁହ ଭିତରେ ବାଟବଣା ଆଲୋଚକମାନଙ୍କ ପାଇଁ ତାଙ୍କ କବିତା ପାରମ୍ପରିକ କିମ୍ବା ପ୍ରାଚୀନପନ୍ଥୀ ମନେ ହୋଇପାରେ ।

କିନ୍ତୁ ଟିକେ ଗଭୀର ଭାବରେ ତାଙ୍କ କବିତାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, କଳ୍ପନା ଏଠି ବିଦ୍ରୋହର ଏକ ଛଦ୍ମ ଆୟୁଧ । ଶୋଷଣ ଓ ଅବହେଳାର ନିଶାଗ୍ରସ୍ତ ଗୋଟିଏ ଅଞ୍ଚଳର ଜନଜୀବନରେ ଚାଞ୍ଚଲ୍ୟ ଖେଳାଇବା ପାଇଁ ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ । ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ ।

ପୌରାଣିକ କଳ୍ପନା ଆଧାରରେ ଜାତୀୟ ଅସ୍ମିତାର ପ୍ରତିଷ୍ଠା ପାଇଁ କାବି୍ୟକ ପ୍ରୟାସ କରିଥିବା ଶାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ପରି ହଳଧର ନାଗ ସେଇ ବିଷୟବସ୍ତୁ ଓ ଶୈଳିର ଚୟନ କରିଛନ୍ତି । ତାଙ୍କ ବର୍ଣ୍ଣନାରେ ପଶ୍ଚିମ ଓଡିଶାର ଜୀବନ୍ତ ଚିତ୍ର ପାଠକର ଆଖି ଆଗରେ ଚଳଚ୍ଚିତ୍ର ପରି ଭାସି ଉଠେ । ତାଙ୍କ କଳ୍ପନା ସାମର୍ଥ୍ୟ କ୍ଲାସିକ୍‍ କବିମାନଙ୍କର ସାମର୍ଥ୍ୟ ସହ ପ୍ରାୟ ସମାନ ।

ଏହି ଯଶସ୍ୱୀ କବିଙ୍କର କେତୋଟି ମୁଖ୍ୟ କାବ୍ୟଗ୍ରନ୍ଥ ହେଉଛି ‘ବଛର’, ‘ମହାସତୀ ଉର୍ମିଲା’, ‘ତାରା ମନେ୍ଦାନ୍ଦରୀ’, ‘ରସିଆ କବି’, ‘ଅଛିଆ’, ‘ସିରି ସମ୍‍ଲାଇ’ ଇତ୍ୟାଦି । ସରଳ ମନରେ ଯେଉଁ ଅପୂର୍ବ ଆଧ୍ୟାତ୍ମିକ ଦର୍ଶନର ଉଦ୍‍ଭାସ ସମ୍ଭବ ହୁଏ ତାହା କବିତାରେ ହିଁ ପ୍ରତିଫଳିତ ହୋଇଥାଏ ।

ଏକ ନଗଣ୍ୟ ଉପଭାଷା ବୋଲି ଗଣାଯାଉଥିବା ସମ୍ବଲପୁରୀ କୋଶଳୀ ଭାଷାରେ ଯେଉଁ ବୌଦ୍ଧିକ ଉଚ୍ଚତାର କାବ୍ୟ ରଚନା ହୋଇଛି, ତାହା ସେ ଭାଷାର ଉକ୍ରର୍ଷ ଓ ମୌଳିକତାର ପରିଚୟ । ଓଡିଶା ଭାଷା ସହ ସମାନ୍ତରାଳ ଭାବେ ସମ୍ବଲପୁରୀ-କୋଶଳୀର ଏହି ପ୍ରତିଷ୍ଠାକୁ ନକରାତ୍ମକ ଦୃଷ୍ଟିରେ ନଦେଖିଲେ ଓଡିଆ ସାହିତ୍ୟର ଯଥେଷ୍ଟ ମଙ୍ଗଳ ହେବ ।

କବି ହଳଧରଙ୍କ କାବ୍ୟକୃତିରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି ତାଙ୍କ ଭାଷା ପ୍ରୟୋଗର ଅପୂର୍ବ ସ୍ୱତଃସ୍ଫୂର୍ତ୍ତତା । ପୁରାଣରେ ବର୍ଣ୍ଣିତ ବ୍ୟାସଙ୍ଗ ଶୃତଲିଖନ ଓ ଗଣେଷଙ୍କ ଲିଖନ ପରି ତାଙ୍କର କାବ୍ୟଧାରା । ହଳଧରଙ୍କ କାବ୍ୟକୃତିରେ ଏତେ ଟିକିଏ ବି ଦୂର୍ବେଧ୍ୟତା ବା ଜଟିଳତା ନଥାଏ । ତାଙ୍କ ନିରୀହତା ପରି କବିତାର ଆବେଦନ ମଧ୍ୟ ନିରୀହ ଓ ରସମୟ ।

ପଶ୍ଚିମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନଜୀବନର ଆଚାର, ଆଚରଣ, ପରମ୍ପରା ଓ ସଂସ୍କୃତି ସୌନ୍ଦର୍ଯ୍ୟବୋଧ ଏବଂ ଭାରତୀୟ ଆଧ୍ୟାତ୍ମିକତାର ସରଳ ପରିବେଷଣ ତାଙ୍କ ରଚନାର ଶ୍ରେଷ୍ଠତମ ସିଦ୍ଧି । ତା ସହ ତାଙ୍କ କବିତାରେ ଥାଏ ଶାଣିତ ଶ୍ଲେଷ ଓ ତୀବ୍ର କଟାକ୍ଷ । ବେଳେବେଳେ ବ୍ୟଙ୍କ କବିତା ରଚନାରେ ହାତ ଦିଅନ୍ତ କବି ।

ଓଡିଆ ବ୍ୟଙ୍କ କବିତାର ପ୍ରଚଳିତ ଧାରାଠୁ ଭିନ୍ନ ଶୁଦ୍ଧ ଶ୍ଲେଷ ଓ ବ୍ୟଞ୍ଚନାର ପରିବେଷଣ ତାଙ୍କ ବ୍ୟଙ୍ଗ କବିତାର ବିଶେଷ ଗୁଣ । ସ୍ଲୋଗାନ୍‍ଧର୍ମୀ ସମାଲୋଚନା ତାଙ୍କର ଏକ ଉଲ୍ଲେଖନୀୟ ସଫଳତା ।

ହଳଧରଙ୍କ କାବ୍ୟ ସାହିତ୍ୟ ଉପରେ ଏବେ ବହୁ ଗବେଷଣା ଆରମ୍ଭ ହୋଇ ସାରିଛି । ପଶ୍ଚିମ ଓଡିଶାର ଛୋଟବଡ ଗାଁ, ସହରମାନଙ୍କରେ କବିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ହଳଧରଙ୍କ କବିତା ସନ୍ଧ୍ୟା ଏବେ ମନୋରଞ୍ଜନର ଏପ ପରିଶୁଦ୍ଧ ସ୍ୱରୂପ । ତାଙ୍କ କବିତା ବହିର ଗ୍ରାହକ ଆମର ତଥାକଥିତ ପ୍ରତିଷ୍ଠିତ କବିମାନଙ୍କ ଠାରୁ ବହୁଗୁଣରେ ଅଧିକ ।

କିନ୍ତୁ ଦୁଃଖର କଥା ଓଡିଆ ସାହିତ୍ୟର ଆଲୋଚକ ଏବଂ ଐତିହାସିକମାନେ ତାଙ୍କ ପ୍ରତିଭା ବିଷୟରେ ପ୍ରାୟ ଉଦାସୀନ । କାବ୍ୟ ରଚନା ଏବଂ ସାହିତ୍ୟକର୍ମରେ ବିଶେଷ ରୁଚି ରଖୁଥିବା ଓଡିଆ ଭାଷାର ଦିଗ୍‍ଗଜମାନେ ହଳଧରନାଗଙ୍କ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ ।

ଲୋକ ଏବଂ ପାଠକଠାରୁ ସ୍ୱୀକୃତି ପାଇବା ଜଣେ କବି ଜୀବନର ସବୁଠାରୁ ବଡକଥା । କିନ୍ତୁ ଆମ ସାହିତ୍ୟ ଏକାଡେମୀ ବା ତଥାକଥିତ ସାହିତ୍ୟର ପ୍ରମୁଖ ସଂସ୍ଥାମାନେ ହଳଧର ନାଗଙ୍କ ବିଷୟରେ କିଛି ଜାଣନ୍ତି କି ? ଏହି ଯଶସ୍ୱୀ କବିଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିବା ପ୍ରତ୍ୟେକ ଓଡିଆ ପାଇଁ ଗୌରବର ବିଷୟ ହେବା ଉଚିତ୍‍ ନୁହେଁ କି ?

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ରୋକ ଠୋକ, ସାହିତ୍ୟ Tagged With: କବି, କେଦାର ମିଶ୍ର, ପଶ୍ଚିମ ଓଡ଼ିଶା, ସାହିତ୍ୟ, ହଲଧର ନାଗ

‘ଆଦିମ ବିଚାର’ର ବିଚାର

May 4, 2015 by News Bureau 2 Comments

କେଦାର ମିଶ୍ର

ମୌଳିକ ସିନେମାର ଅଭାବୀ ସମୟରେ ସବ୍ୟସାଚୀ ମହାପାତ୍ରଙ୍କ ବହୁଚର୍ଚ୍ଚିତ ଓ ପୁରସ୍କୃତ ସିନେମା ‘ଆଦିମ ବିଚାର’ ଓଡିଶାର ସିନେମା
କ୍ଷେତ୍ରରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି । ଗତ  କିଛି ବର୍ଷ ଧରି ଓଡିଆ ସିନେମା ନାଁରେ ଆମେ ତେଲୁଗୁ କିମ୍ବା ତାମିଲ୍‍ ସିନେମାର ଅବିକଳ କପିକୁ ଦେଖି ଚାଲିଛୁ ।

Director Sabyasachi Mohapatra 3 ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ ଯେମିତି ଆମର ମରିଯାଇଛି । କା’, ମାଟିର ମଣିଷ କିମ୍ବା ସ୍କୁଲ୍‍ ମାଷ୍ଟର ଭଳି ସିନେମା କରିବା ପାଇଁ ଆଜି ଆମ ପାଖରେ ଆଗ୍ରହ ନାହିଁ ।

ସେହି ପୃଷ୍ଠଭୂମିରେ ସବ୍ୟସାଚୀମହାପାତ୍ର ଗୋଟିଏ ପରେ ଗୋଟିଏ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରି ସିନେମାରେ ଆମ ସାଂସ୍କୃତିକ ଜୀବନକୁ ବଞ୍ଚାଇ ରଖିଛନ୍ତି । ତିନୋଟି ଦୃଷ୍ଟିରୁ ସବ୍ୟସାଚୀ ମହାପାତ୍ରଙ୍କ ଅବଦାନ ଓଡିଶାର ସିନେମାଜଗତ ପାଇଁ ଅତୁଳନୀୟ ।

ପ୍ରଥମତଃ ସେ ଓଡିଆ ଭାଷା ଅପେକ୍ଷା ପଶ୍ଚିମାଞ୍ଚଳର କୋଶଳୀ ଲଗାତାର ସିନେମା କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଭୁଖା,
ଶଲାବୁଢ଼ା ଓ ଆଦିମ ବିଚାର ଏହି କ୍ରମରେ ତିନୋଟି ମାଇଲ୍‍ଖୁଣ୍ଟ । ଦ୍ୱିତୀୟ କଥା ହେଉଛି ସିନେମାର ଦେଶୀ ସାଂସ୍କୃତିକ ପୃଷ୍ଠଭୂମି ।

https://youtu.be/3nZKobPa5MY

ତାଙ୍କର ପ୍ରତ୍ୟେକ ସିନେମାରେ ଓଡିଶାର ଜନଜୀବନ ଓ ଅନାଲୋଚିତ ସାଂସ୍କୃତିକ ଦିଗଗୁଡିକ ନୂଆ ରୂପ ପାଇଥାନ୍ତି ।
ତୃତୀୟ କଥା ହେଉଛି ସିନେମାରେ ଓଡିଶାର ଲୋକକଳା ଓ ସଙ୍ଗୀତକୁ ନୂଆ କରି ଆବିଷ୍କାର କରିବାର ନିଶା ।

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ସାଂସ୍କୃତିକ ଜୀବନବୋଧକୁ ନେଇ ଏକପ୍ରକାର ନିଶାଗ୍ରସ୍ତ । ସେହି ନିଶାରୁ ତାଙ୍କର ସିନେମା ସୃଷ୍ଟି ହୁଏ ।
ସେଥିପାଇଁ ପ୍ରତ୍ୟେକ ସିନେମାରେ ଏକ ନିଶାଗ୍ରସ୍ତ ମଣିଷର ଭାବପ୍ରବଣ ସମ୍ପୃକ୍ତି ବାରି ହୋଇପଡିବ ।

ଆଦିମ ବିଚାର ଗତ ସପ୍ତାହରେ ଶ୍ରେଷ୍ଠ ଓଡିଆ ସିନେମା ଭାବରେ ରାଷ୍ଟ୍ରପତିଙ୍କ ‘ରଜତ କମଳ’ ପୁରସ୍କାର ପାଇଛି । ପ୍ରାୟ ୯ ବର୍ଷ ପରେ ଓଡିଆ
ସିନେମା ଜାତୀୟ ସ୍ତରFIlm Still ADIM VICHAR 1ରେ ପୁରସ୍କୃତ ହୋଇଛି । ହୁଏତ ଏହାକୁ ସିନେମାର ଏକ ସଫଳତା ବୋଲି ଆମେ କହିପାରିବା ।

ତେବେ ପୁରସ୍କାରଠୁ ବଡ ସଫଳତା ହେଉଛି ଆଦିମ ବିଚାରକୁ ନେଇ ଦର୍ଶକ ତଥା ଆଲୋଚକ ମହଲରେ ଉତ୍ସାହ ।
କାହାଣୀ ଦୃଷ୍ଟିରୁ ଦେଖିଲେ‘ଆଦିମ ବିଚାର’ ଏକ ସହଜ ଓ ସରଳ କାହାଣୀ ଦେଇ ଗତି କରୁଛି ।

ପୁରାତନ ଗାଁର ଜଣେ ପୁରୁଖା କନ୍ଧ ବୁଢ଼ା ।ଲୋକବିଦ୍ୟାରେ ଧୁରନ୍ଧର କନ୍ଧ ବୁଢ଼ା ତା ଜୀବନରେ ସତ୍ୟ, ନ୍ୟାୟ ଓ ସାମାଜିକ ମୂଲ୍ୟବୋଧ ପାଇଁ ନିଜସ୍ୱ ମୌଳିକ ବିଚାର ରଖିଛି ।

ଯୌଥ ପରିବାରର ହସଖୁସିକୁ ନେଇ କାହାଣୀ । ସେଠି ଗୀତ ଅଛି, ନାଚ ଅଛି, ହାସ୍ୟ ଓ ବ୍ୟଙ୍ଗ ଅଛି, ଘର ଭାଙ୍ଗିବାର ଯନ୍ତ୍ରଣା ଅଛିତା ସାଙ୍ଗକୁ ରହିଛି ଏସବୁକୁ ସାମ୍ନା କରିବାର ଏକ ପାହାଡି ସାହସ ।

ଓଡିଆରେ ନିର୍ମାଣ ହେଇଥିବା ତିନୋଟି ମହାନ ଚଳଚ୍ଚିତ୍ର, ଯାହାକି ଓଡିଶାର ଯୌଥ ପରିବାରକୁ ନେଇ ନିର୍ମିତ – ମୃଣାଳ ସେନ୍‍ଙ୍କ ‘ମାଟିର ମଣିଷ’, ନିରଦ ମହାପାତ୍ରଙ୍କ ‘ମାୟାମିରିଗ’ ସହ ଆଦିମ ବିଚାରକୁ ତୁଳନା କରି ଦେଖା ଯାଇପାରେ ।

‘ମାଟିର ମଣିଷ’ର ଏକ ଆଦିବାସୀ ରୂପକଳ୍ପ ‘ଆଦିମ ବିଚାର’ରେ ରହିଛି । ତେବେ ମୃଣାଳ ସେନ୍‍ ଗାଁରୁ ସହରକୁ ଯାଉଥିବା ବରଜୁ
ଭିତରେ ଭାଙ୍ଗି ଯାଉଥିବା ଗ୍ରାମ୍ୟଜୀବନର କଥା କହିଥିବା ବେଳେ ସବ୍ୟସାଚୀ ମହାପାତ୍ର ସହର ଆଗରେ କନ୍ଧ ବୁଢ଼ାର ଦୃଢ଼ ଓ ଅବିଚଳ ବିଚାରକୁ ବିଜୟୀ କରି ଛିଡା କରାଇଛନ୍ତି ।

ସିନେମାର ଆଲୋଚନା କଲାବେଳେ ତିନୋଟି ଦିଗକୁ ଅଧିକ ତାରିଫ କରିବାକୁ ପଡିବ । ‘ଆଦିମ ବିଚାର’ର ସଙ୍ଗୀତ ମୌଳିକ, ଅତ୍ୟନ୍ତ ପ୍ରଭାବଶାଳୀ ଓ ଏକ ଚିରସ୍ଥାୟୀ ପରମ୍ପରାର ମୂର୍ଚ୍ଛନାକୁ ନୂଆ ରୂପ ଦେବାରେ ସଫଳ । ଘାସିରାମ ମିଶ୍ର ଓ ପଙ୍କଜ ଜାଲ୍‍ଙ୍କ ସଙ୍ଗୀତରେ ରହିଛି ଅପୂର୍ବ ଯାଦୁକରୀ ।

ଉଭୟ ପ୍ରଚ୍ଛଦ ସଙ୍ଗୀତ ଓ ପୃଷ୍ଠଭୂମି ସଙ୍ଗୀତରେ ଏହା ନିଜସ୍ୱ ସଫଳତା ଅଙ୍କନ କରିଛି । ଦ୍ୱିତୀୟରେ ଆଦିମ ବିଚାରର ଗଢ଼ଣ, ପୃଷ୍ଠଭୂମି, ଲ୍ୟାଣ୍ଡସ୍କେପ୍‍ ଓ ଚିତ୍ରତ୍ତୋଳନରେ ଅପୂର୍ବ କାରିଗରୀର ସଙ୍କେତ ରହିଛି । ତୃତୀୟ ଏବଂ ସବୁଠୁ ବଡ ଅନୁଭବ ହେଉଛି, ବଳିଷ୍ଠ ଅଭିନୟ ।

ବର୍ଷୀଆନ୍‍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ କାନ୍ଧରେ ଭାରା ଦେଇ ସିନେମାଟି ଠିଆ ହୋଇଛି । ଅଶୀ ବର୍ଷ ପରେ ମଧ୍ୟ
ଅଟଳ ବିହାରୀ ପଣ୍ଡାଙ୍କ ଅଭିନୟରେ ରହିଛି ନବଯୁବକର ଉତ୍ସାହ । ଅଭିନୟରେ ସ୍ୱାଭାବିକ ଓ ସହଜ ଅଭିବ୍ୟକ୍ତି ତାଙ୍କୁ ଜଣେ ନିଆରା
ଅଭିନେତାର ମର୍ଯ୍ୟାଦା ଆଣି ଦେଇଛି ।

କନ୍ଧବୁଢ଼ାର ଜୀବନ ଓ ସଂସ୍କୃତି ଅଟଳ ବାବୁଙ୍କ ଅଙ୍ଗଭଙ୍ଗୀରେ ଏତେ ସହଜରେ ଫୁଟି ଉଠିଛି ଯେ ସେଠି ଅଭିନୟ ବୋଲି କିଛି ନାହିଁ ।

ଅଶୀ ବର୍ଷ ବୟସର ଏହି ନିଷ୍ଠାପର ବ୍ରାହ୍ମଣଜଣଙ୍କ ଅତି ସ୍ୱାଭାବିକ ଓ ସହଜ ରୀତିରେ ଆଦିବାସୀ ଚରିତ୍ର ପାଲଟି ଯାଇଛନ୍ତି । ତାଙ୍କ ସହ ତାଳ ଦେଇ ତପସ୍ୱିନୀ ଗୁରୁ, ଜଗଦାନନ୍ଦ ଛୁରିଆ, ଘାସିରାମ ମିଶ୍ର, ଗଦାଧର ବାରିକ, ପୁରୁଷୋତ୍ତମ, ପ୍ରଦ୍ୟୁମ୍ନ, ଲୋଚନୀ, ସସ୍ମିତା ପ୍ରମୁଖ ନିଜର ଅଭିନୟ ପରାକାଷ୍ଠା ଦେଖାଇଛନ୍ତି ।

ଏସବୁର ବାହାରେ ଆଉ ଏକ ଦିଗ ଯାହାକି ସିନେମାଟିକୁ ଅଧିକ ପ୍ରଭାବଶାଳୀ କରିଛି, ତାହା ହେଉଛି ସିନେମାର ସଂଳାପ । ନିଚ୍ଛକ, ପ୍ରାଣସ୍ପର୍ଶୀ
ଓ ଭାଷାର ଲାଳିତ୍ୟକୁ ବ୍ୟକ୍ତ କରୁଥିବା ଏହି ସବୁ ସଂଳାପର ଲେଖକ ଭାବରେ ଅଟଳ ବିହାରୀ ପଣ୍ଡାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‍ ହେବ ।

ଓଡିଆ ସିନେମାର ଧାରାରେ ସବ୍ୟସାଚୀ ମହାପାତ୍ର ଅନେକ କିଛି ନୂଆ କରିଛନ୍ତି । ସିନେମା ତିଆରି କଲା ବେଳେ ଗୋଷ୍ଠୀ ଜୀବନର ଅନୁଭବକୁ ସେ କାମରେ ଲଗାଇଛନ୍ତି । ତାଙ୍କ ସିନେମା ବ୍ୟାବସାୟିକ ପ୍ରଯୋଜନା ନୁହେଁ, ତାହା ଗୋଷ୍ଠୀର ଗଣତନ୍ତ୍ର ଦ୍ୱାରା ପରିଚାଳିତ ଏକ କଳାତ୍ମକ ପ୍ରକ୍ରିୟା ।

ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ, ଟେକନିସିଆନ୍‍, ଅଭିନେତା ଅଭିନେତ୍ରୀ, ସେଟ୍‍ ଡିଜାଇନ୍‍ର, ସ୍ପଟ୍‍ ବୟ, ଲାଇଟ୍‍ ବୟ, କ୍ୟାମେରାମ୍ୟାନ୍‍ ଓ ପୋଷ୍ଟ ପ୍ରଡକ୍‍ସନ୍‍ ଟେକ୍ନିସିଆନ୍‍- ସମସ୍ତେ ଗୋଟିଏ ପରିବାରର ଅଂଶବିଶେଷ । ସିନେମା ପାଇଁ ସବ୍ୟସାଚୀ ମହାପାତ୍ରଙ୍କର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟଶୈଳୀ ରହିଛି ।

ତେବେ ସିନେମା ନିର୍ମାଣରେ ଗୋଷ୍ଠୀର ଗଣତନ୍ତ୍ର ବା କମୁ୍ୟନିଟି ଡେମୋକ୍ରାସି ଆଣିବାରେ ତାଙ୍କର ଭୂମିକା ତାଙ୍କ ନିଜ ସିନେମାର କନ୍ଧ ବୁଢ଼ା ପରି । ସେ ନିର୍ଦ୍ଦେଶକ ଅପେକ୍ଷା ମୁରବୀ ବେଶି । ଏହା ହିଁ ‘ଆଦିମ ବିଚାର’ର ବୌଦ୍ଧିକ ଓ ବୈଚାରିକ ସଫଳତା ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଆଦିମ ବିଚାର, ପଶ୍ଚିମାଞ୍ଚଳ, ଶଲାବୁଢ଼ା, ସବ୍ୟସାଚୀ ମହାପାତ୍ର

ଓଡିଆ ନିଉଜ ଚ୍ୟାନେଲର ବୁମ ଟାଇମ

April 26, 2015 by News Bureau Leave a Comment

କେଦାର ମିଶ୍ର

ଏପ୍ରିଲ୍‍ ଖରାର ତାତି ଯେତିକି ବଢ଼ୁଛି ରାଜଧାନୀ ଭୁବନେଶ୍ୱରରେ ମିଡିଆ ବଜାର ସେତିକି ସର୍‍ଗରମ୍‍ ହୋଇ ଉଠୁଛି । ଏଇ ଅଳ୍ପ କେଇମାସ ଭିତରେ ଇଲେକ୍‍ଟ୍ରୋନିକ୍ସ ମିଡିଆରେ ଏତେ ଅଧିକ ହଲ୍‍ଚଲ୍‍ ଦେଖା ଦେଇଛି ଯେ ତାକୁ ନେଇ ଗୋଟେ ବହି ଲେଖା ଯାଇପାରିବ ।

kalinga naxatra-logo otv zee୯୦ ଦଶକ ପର୍ଯ୍ୟନ୍ତ ଓଡିଆ ଦୂରଦର୍ଶନ ଓ ଆକାଶବାଣୀର ସମ୍ବାଦକୁ ଆମେ ଦୈବବାଣୀ ବୋଲି ଭାବୁଥିଲୁ । ଯତୀନ୍‍ ଦାସ୍‍ କିମ୍ବା ଉପେନ୍ଦ୍ର କୁମାର ପାହାଡାସିଂଙ୍କ ଗୁରୁଗମ୍ଭୀର ସ୍ୱରରେ ଯେଉଁ ଖବର ରେଡିଓରୁ ଭାସି ଆସୁଥିଲା ତାହା ଥିଲା ଆମ ପାଇଁ ତ୍ୱରିତ ଖବର ପାଇବାର ଏକମାତ୍ର ମାଧ୍ୟମ । ତେବେ ସେ ଶୂନ୍ୟବାଣୀର ପରମ୍ପରା ୯୦ ଦଶକ ବେଳକୁ ନବକଳେବର ଗ୍ରହଣ କଲା ।

ପ୍ରଥମେ ରାମୋଜୀ ରାଓ ଘରୋଇ ଟିଭି ଚ୍ୟାନେଲ ଓଡିଆ ସମ୍ବାଦ ପ୍ରସାରଣ ଜଗତକୁ ପ୍ରବେଶ କଲେ । ୯୦ ଦଶକରେ ‘ଇ’ ଟିଭି ବ୍ୟାବସାୟିକ ଖବର ପ୍ରସାରଣର ଏକ ନୂଆ ଧାରା ଓ ଶୈଳୀ ତିଆରି କଲା । ଦୂର୍ଭାଗ୍ୟ କ୍ରମେ ‘ଇ’ ଟିଭିର ସେଇ ଧାରା ଓ ଶୈଳୀ ଆଜି ପର୍ଯ୍ୟନ୍ତ ଇଲେକ୍‍ଟ୍ରୋନିକ୍ସ ଗଣମାଧ୍ୟମର ମାର୍ଗ ଦର୍ଶକ ହୋଇ ରହିଛି । ଇତିମଧ୍ୟରେ ଓଡିଆ ଟିଭି ଚ୍ୟାନେଲ୍‍ର ସଂଖ୍ୟା ବଢ଼ିଛି ହେଲେ ଖବର ପ୍ରସାରଣ ଓ ବିଶ୍ଲେଷଣର ଶୈଳୀ ଯେମିତିକି ସେମିତି ରହିଛି ।

ଗତ କିଛି ବର୍ଷ ଭିତରେ ରାଜ୍ୟରେ ଅନେକ ଟିଭି ଚ୍ୟାନେଲ ଆତ୍ମପ୍ରକାଶ କରିଛି । ବଡ ବଡ ବ୍ୟବସାୟୀକ ସଂସ୍ଥା ମେଡିଆର ଏହି ଗ୍ଲେମର ଦୁନିଆଁରେ ପାଦଥାପିଛନ୍ତି ଅଥବା ପାଦ ଥାପିବାକୁ ଯାଉଛନ୍ତି ।ପୂର୍ବରୁ ଶିକ୍ଷା ବ୍ୟବସାୟରେ ଜଡିତ କୌସ୍ତୁଭ ଗ୍ରୁପ୍‍ର ମାଲିକ ନକ୍ଷତ୍ର ଟିଭି ପ୍ରତିଷ୍ଠା କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନର ମନୋଜ ନାୟକ ନିକଟରେ ନିଉଜ୍‍ ୭ ଆରମ୍ଭ କରିଛନ୍ତି ।

କିଟ୍‍ ଓ କିସ ର ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କଳିଙ୍ଗ ଟିଭି ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରୁ ଏହାର ସ୍ଵାଭାବିକ ପ୍ରସାରଣ ଆରମ୍ଭ ହେବ । ସେହିପରି ଖଣି ବ୍ୟବସାୟିକ ସଂସ୍ଥା ସିରାଜ୍‍ଉଦ୍ଧିନ୍‍ ଏଣ୍ଡକୋ ପ୍ରଥମେ ଖବରକାଗଜ ଓ ପରବର୍ତ୍ତୀ ସମୟରେ ଟିଭି ଚ୍ୟାନେଲ୍‍ ବ୍ୟବସାୟରେ ପ୍ରବେଶ କରିବେ ବୋଲି ଶୁଣାଯାଉଛି ।

ଦୁଇଟି ବ୍ୟବସାୟିକ ସଂସ୍ଥା ଇତିମଧ୍ୟରେ ଚଳ ଚଞ୍ଚଳ ହୋଇ ସାରିଛନ୍ତି । ଜିନ୍ଦଲ ଗ୍ରୁପ୍‍ର ଫୋକସ୍‍ ଟିଭି ଓ ଜୀ ଗ୍ରୁପ୍‍ର ଜୀ କଳିଙ୍ଗ ଏବେ ପ୍ରସାରିତ ହେଉଛି ।

ଏହା ପୂର୍ବରୁ ଚିଟ ଫଣ୍ଡ ଦୁର୍ନୀତିରେ ଫସିଥିବା ସି ସୋର ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏସ୍‍ ଟିଭି ବନ୍ଦ ହୋଇଯାଇଥିବା ବେଳେ କାମୟାବ୍‍ ଟିଭି ଦରମଲା ଅବସ୍ଥାରେ ବଞ୍ଚିରହିଛି । ଏମ୍‍ବିସି ଟିଭି ଚିଟ୍‍ଫଣ୍ଡର କାଳିମା ସତ୍ତ୍ୱେ ନିଜର ସ୍ଥିତି ବଜାୟ ରଖିଛି ।

କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ କରି ଟେଲିଭିଜନ୍‍ ଚ୍ୟାନେଲ୍‍ ବସାଇବାର ସ୍ୱପ୍ନ ପଛରେ ବ୍ୟାବସାୟିକ ଲାଭର ସମ୍ଭାବନା ରହିଛି କି ? ଏ ପ୍ରଶ୍ନ ଅବାନ୍ତର । ଓଡିଆରେ ଚାଲୁଥିବା କେବଳ ‘ଓ’ ଟିଭିକୁ ବାଦ୍‍ ଦେଲେ ଆଉ କୌଣସି ଚ୍ୟାନେଲ୍‍ ଲାଭ କରୁଥିବାର ରେକର୍ଡ ନାହିଁ ।

ଆପାତତଃ ଟିଭି ଚ୍ୟାନେଲ୍‍ ହେଉଛି ପ୍ରାରମ୍ଭିକ ଭାବରେ ନିଶ୍ଚିତ କ୍ଷତି ସହିବାର ଏକ ମାଧ୍ୟମ । କ୍ଷତିରେ ଚାଲୁଥିବା ସତ୍ତ୍ୱେ ଟିଭି ଚ୍ୟାନେଲ୍‍ ବସାଇବାକୁ ଏପ୍ରକାର ଅହେତୁକ ଆଗ୍ରହର କାରଣ କଣ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି ।

ଗଣମାଧ୍ୟମରେ ପ୍ରତିଯୋଗିତା ଏକ ଶୁଭ ସୂଚନା । ପ୍ରତିଯୋଗିତା ମାଧ୍ୟମରେ ହିଁ ଖବରର ମାନ, ନିରପେକ୍ଷତା ଓ ପ୍ରଭାବ ବଢ଼ିଥାଏ । ନୂଆ ଶୈଳୀ ତଥା ବିଚାରଧାରା ଆସିଥାଏ । ତେବେ ଗତ କେତେ ବର୍ଷର ଟେଲିଭିଜନ୍‍ ଅନୁଭୂତିରୁ କହି ହେବ ଯେ ଖବର ପ୍ରସାରଣର ଶୈଳୀ ଓଡିଆ ଦର୍ଶକଙ୍କ ବ୍ୟାପକ ଆଦୃତି ଲାଭ କରି ନାହିଁ । ସୁତରାଂ ଟିଆର୍‍ପି ଯୁଦ୍ଧରେ ବ୍ୟବସାୟୀକ ପୁଞ୍ଜିନିବେଶ ସତ୍ତ୍ୱେ ଫୋକସ୍‍ ଓ ଜୀ କଳିଙ୍ଗ ଢ଼େର୍‍ ପଛରେ ରହିଛନ୍ତି ।

ଗତ ତିନି ସପ୍ତାହର ଟିଆର୍‍ପି ଅନୁଧ୍ୟାନ କଲେ ଆମେ ଦେଖିବା ଯେ ‘ଓ’ ଟିଭି ୧୪୧-୧୪୫-୧୦୯ ପଏଣ୍ଟ ପାଇ ଆଗରେ ରହିଛି । ଏମ୍‍ବିସି ଟିଭି ୧୦୩-୧୧୭-୧୨୧ ପାଇ ତା ପଛକୁ ରହିଛି ।

ଫୋକସ୍‍ ଟିଭି ୨୮-୩୧-୨୬ ପାଇ ବହୁ ପଛରେ ରହିଛନ୍ତି । ଜୀ କଳିଙ୍ଗ ବହୁ ରାଜନୈତିକ ତୁମ୍ବିତୋଫାନ ସତ୍ତ୍ୱେ ୨୧-୨୩-୨୦ରେ ସୀମିତ ରହିଛି । ନୂଆ ଆସିଥିବା ନିଉଜ୍‍ ୭ ଟିଆର୍‍ପି ଦୌଡରେ ଢ଼େର୍‍ ପଛୁଆ ରହିଛି । ଏହାର ରେଟିଂ ହେଉଛି ୧୧-୧୧-୧୪ । ଏହି ସବୁ ପ୍ରତିଯୋଗିତାରେ ସୌମ୍ୟରଞ୍ଜନ ପଟନାୟକଙ୍କ କନକ ଟିଭିର ନିଜସ୍ୱ ଗଣମାଧ୍ୟମ ଅଭିଜ୍ଞତା ରହିଛି ।

ରାଜ୍ୟର ସବୁଠୁ ଅଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ପାଖରେ ଏହାର ମାଲିକାନା ରହିଥିଲେ ମଧ୍ୟ ଏହାର ବିଶେଷ ଉନ୍ନତି ପରିଲକ୍ଷିତ ହୋଇନାହିଁ । ଟିଆର୍‍ପି ରେଟିଂରେ ଗତ ୩ ସପ୍ତାହରେ ଏହାର ସ୍ଥିତି ହେଉଛି ୧୮-୧୮-୧୬ ।

ବ୍ୟବସାୟୀ ଓ କର୍ପୋରେଟ୍‍ଙ୍କ ଏହି ଅସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛି ଓଡିଆ ସାମ୍ବାଦିକଙ୍କର ବୃତ୍ତିଗତ ସୁରକ୍ଷା ତଥା ସାମାଜିକ ମର୍ଯ୍ୟାଦା । ଯାତ୍ରାପାର୍ଟିରେ ଅଭିନେତା ବଦଳିଲା ଭଳି ପ୍ରତିମାସ ଟେଲିଭିଜନରେ ମୁହଁ ବଦଳୁଛି ।

ଅନେକ ସମୟରେ ବରିଷ୍ଠ ସାମ୍ବାଦିକମାନଙ୍କୁ ଅତ୍ୟନ୍ତ ଅପମାନଜନକ ସ୍ଥିତିରେ ଚ୍ୟାନେଲ୍‍ରୁ ବିଦା କରି ଦିଆଯାଉଛି । କିନ୍ତୁ ପାୱାର କରିଡରର ନିକଟତର ଥିବା କେତେକ ସାମ୍ବାଦିକଙ୍କର ହିଁ କଚେପୁଅ ବାର ହୋଇଛି ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ରୋକ ଠୋକ Tagged With: ଇ ଟିଭି, ଓ ଟିଭି, ଓଡିଆ, କଳିଙ୍ଗ ଟିଭି, ଜୀ କଳିଙ୍ଗ, ନକ୍ଷତ୍ର ଟିଭି, ନିଉଜ ଚ୍ୟାନେଲ

ଜାନକୀ ବାବୁ ; ବ୍ୟକ୍ତିତ୍ୱ ଓ ନେତୃତ୍ୱ

April 22, 2015 by ନିଉଜ ଡେସ୍କ 2 Comments

କେଦାର ମିଶ୍ର

ଓଡିଶା ରାଜନୀତିରେ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଧେ ସବୁଠୁ ଅଧିକ ବିତର୍କିତ ଓ ଚର୍ଚ୍ଚିତ ଚେହେରା । ୧୯୫୬ରୁ ୧୯୮୦ ଭିତରେ ଓଡିଶା ରାଜନୀତି ଯେଉଁ ଅସ୍ଥିରତା ଦେଇ ଗତି କରୁଥିଲା ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ସେହି ଅସ୍ଥିରତା ଦୂର ହେଲା ।

ପ୍ରଥମଥର ପାଇଁ ଓଡିଶାବାସୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ଯେ ଲଗାତାର ୯ ବର୍ଷ ଧରି ଶାସନ ଗାଦିରେ ବସିଲେ । ତେବେ ଏହି ୯ ବର୍ଷ ଜାନକୀ ବାବୁଙ୍କ ପାଇଁ ସଫଳତା ଯେତିକି ଗଣମାଧ୍ୟମରେ ତାଙ୍କ ପ୍ରତି ନିନ୍ଦା ଓ ଅପବାଦ ମଧ୍ୟ ସେତିକି ।

ଓଡିଶା ରାଜନୀତିରେ ଗଣମାଧ୍ୟମ ଦ୍ୱାରା ସବୁଠୁ ଅଧିକ ସମାଲୋଚିତ ହୋଇଥିବା ନେତା ବୋଲି ଜାନକୀ ବାବୁଙ୍କୁ କୁହାଯାଇପାରେ । ତେଣୁ ଜାନକୀ ବାବୁଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ହେଲା ବୋଲି ତାଙ୍କର ପ୍ରଶଂସକମାନେ କହୁଥିବା ବେଳେ ତାଙ୍କ ନିନ୍ଦୁକମାନଙ୍କ ସଂଖ୍ୟା ଆଜି ମଧ୍ୟ କମ୍‍ ନୁହେଁ ।

ବ୍ୟକ୍ତିଗତ ଭାବରେ ଏହାକୁ ନେଇ ମୋର ଏକ ଅନୁଭବ ମୁଁ ଲେଖିବାକୁ ଚାହୁଁଛି । ୨୧ ଏପ୍ରିଲ୍‍ ସକାଳେ ଜାନକୀ ବାବୁଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଫେସ୍‍ବୁକ୍ ମୁଁ ଏକ ବାର୍ତ୍ତା ଲେଖିଥିଲି । ମୋ ପୋଷ୍ଟିଂ ଥିଲା ଏମିତି – ‘ମୁଁ ହେଉଛି ସେହି ଯୁବପୀଢ଼ିର ପ୍ରତିନିଧି ଯେ ଜାନକୀ ବାବୁଙ୍କୁ ସମାଲୋଚନା କରି ରାଜନୀତିକୁ ପ୍ରବେଶ କରିଛି ।

ସବୁ ପ୍ରକାର ରାଜନୈତିକ ପରିସରରେ ଆମେ ଜାନକୀ ବାବୁଙ୍କୁ ଗ୍ରହଣ କରିପାରିନୁ । ୮୦ ଦଶକରେ ଜାନକୀ ବାବୁଙ୍କ ଶାସନର ଭୁକ୍ତଭୋଗୀ ଭାବରେ ମୁଁ କହିପାରେ ଯେ ମୁଁ କେବେହେଲେ ଜାନକୀ ବାବୁଙ୍କ ରାଜନୀତି ଓ ଶାସନର ପ୍ରଶଂସକ ହୋଇପାରିବି ନାହିଁ । ମୁଁ ସବୁବେଳେ ତାଙ୍କର ଜଣେ ସମାଲୋଚକ ଥିଲି ଓ ରହିବି ।

ତେବେ ଏକଥା ମଧ୍ୟ ଆଜି କହିବାକୁ ପଡିବ ଯେ ଜାନକୀ ବାବୁ ହେଉଛନ୍ତି ଆମ ସମୟର ରାଜନୀତିରେ ସର୍ବଶ୍ରେଷ୍ଠ ଲେଖକ ଓ ଚିନ୍ତାନାୟକ । ସେ ଥିଲେ ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ଯେ ଓଡିଆ ଲୋକଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଜୀବନବୋଧ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ । ଆମେ କହୁଥିଲୁ ସେ ବେଶ୍‍ ଦୁର୍ନୀତିଖୋର୍‍ । ତେବେ ଗତ ୧୫ ବର୍ଷର ବିଜେଡି ଶାସନର ଦୁର୍ନୀତି ଦେଖିଲା ପରେ ଆଜି ଲାଗୁଛି ଜାନକୀ ବାବୁ ଢ଼େର୍‍ ଭଲ ମୁଖ୍ୟମନ୍ତ୍ରୀ ।

ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଜାନକୀ ବାବୁଙ୍କ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ପରିମାଣ ନବୀନ ସରକାର ତୁଳନାରେ ଯଥେଷ୍ଟ କମ୍‍ ।’ ଏହି ବକ୍ତବ୍ୟକୁ ନେଇ ମୋର କିଛି ବନ୍ଧୁ ଏତେ କ୍ଷୁବ୍ଧ ଯେ ସେମାନେ ମୋ ସହ ଝଗଡା କରିବାକୁ ମଧ୍ୟ ପ୍ରସ୍ତୁତ ।

ଗତ ୧୫ ବର୍ଷ ଧରି ଆମେ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରୁଛୁ ଯେ ଲୋକଙ୍କ ଭାଷା ବୁଝନ୍ତି ନାହିଁ, ଲୋକଙ୍କ ସହ ମିଶନ୍ତି ନାହିଁ, ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ; ତଥାପି ଆମ ଲୋକେ ତାଙ୍କୁ ଭଲପାଆନ୍ତି ।

ତେବେ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ତାଙ୍କୁ ଭଲ ପାଆନ୍ତି ତାହା ମଧ୍ୟ ନୁହେଁ । ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ଉଭୟ ଜାନକୀ ଓ ନବୀନ ସରକାର ସମାନ ଭାବରେ ସମାଲୋଚିତ । ତେବେ ୮୦ ଦଶକରେ ଓଡିଶା ଓ ଆଜିର ଓଡିଶା ଭିତରେ ଯଥେଷ୍ଟ ଫରକ ଅଛି ।

ସେତେବେଳେ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ସମାଲୋଚନା କରୁଥିବା ବେଳେ ଆଜି ଶାସକ ଦଳର ପରୋକ୍ଷ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି । ଜାନକୀ ବାବୁଙ୍କୁ ସେତେବେଳେ ଓଡିଶାର ଦୁଇଟି ପ୍ରମୁଖ ଖବରକାଗଜ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ପ୍ରଚୁର ଆକ୍ରମଣ କରିଥିଲେ ।

ନିରନ୍ତର ଓ ନିୟମିତ ଭାବରେ ଜେବିଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି । ସେଥିପାଇଁ ସେତେବେଳେ ଓଡିଆ ସାମ୍ବାଦିକତା କ୍ଷେତ୍ରରେ ଜାନକୀ ସପକ୍ଷବାଦୀ ଓ ବିପକ୍ଷବାଦୀ ଦୁଇଟି ସାମ୍ବାଦିକ ଗୋଷ୍ଠୀ ମଧ୍ୟ ତିଆରି ହୋଇଥିଲେ । ବିରୋଧୀ ଦଳ ଅପେକ୍ଷା ଗଣମାଧ୍ୟମ ଥିଲା ଜାନକୀଙ୍କ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ।

ସେଥିପାଇଁ ଗଣମାଧ୍ୟମର ସେ ଦୀର୍ଘ ବର୍ଷ ଧରି ନିନ୍ଦିତ ନାୟକ ଭାବରେ ଚିତ୍ରିତ ହୋଇଥିଲେ । ତେବେ ତାଙ୍କର ନେତୃତ୍ୱର ପରାକାଷ୍ଠା ଏହାରି ମାଧ୍ୟମରେ ହିଁ ପ୍ରକଟିତ ହୋଇଛି । ସବୁପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜକୁ ଜାହିର୍‍ କରିବାର ରାଜନୈତିକ କୌଶଳ ଜାନକୀ ବାବୁଙ୍କୁ ଜଣାଥିଲା । ନିଜ ବିରୋଧୀଙ୍କୁ ସାମ୍ନା କରିବାର ଚତୁରତା ଓ ଗୋଟି ଚାଳନାରେ ତାଙ୍କର ସମକକ୍ଷ ଓଡିଆ ରାଜନେତା ନାହାନ୍ତି ।

ଜଣେ ଲେଖକ ଭାବରେ ସେ ଭାଷାକୁ ରାଜନୀତିରେ ପ୍ରୟୋଗ କରିବାର ଓ ରାଜନୀତିକୁ ସାହିତ୍ୟରେ ଉପଯୋଗ କରିବାର କୌଶଳ ଜାଣିଥିଲେ । ସାମ୍ବାଦିକତା, ସାହିତ୍ୟ, ଅନୁବାଦ, ରାଜନୀତି, ପ୍ରଶାସନ, ସଙ୍ଗଠନ ଓ ଗବେଷଣା ଭଳି ଭିନ୍ନ ଭିନ୍ନ କ୍ଷେତ୍ରରେ ତାଙ୍କର ସଫଳ ପ୍ରବେଶ ଥିଲା । ଜାନକୀ ବାବୁ ଅତ୍ୟନ୍ତ ଜ୍ଞାନୀ ଓ ସର୍ଜନଶୀଳ । ସେହିପରି ରାଜନୀତିରେ ଭୀଷଣ କୁଶଳୀ ଓ ନିଜ ବିରୋଧୀଙ୍କୁ ହଲାପଟା କରିବାର କଳାରେ ବେଶ୍‍ ମାହିର୍‍ ।

ତାଙ୍କର ରାଜନୈତିକ ପ୍ରତିପକ୍ଷ ଭାବରେ ବିଜୁ ପଟ୍ଟନାୟକ ବ୍ୟକ୍ତିତ୍ୱ ଦୃଷ୍ଟିରୁ ଯଥେଷ୍ଟ ଡେଙ୍ଗା । ତେବେ ବିଜୁ ବାବୁ ରାଜନୀତିରେ ଚତୁର ଓ କୁଶଳୀ ନୁହନ୍ତି । ସେଥିଲାଗି ସବୁପ୍ରକାର ପ୍ରତିଭା ସତ୍ତ୍ୱେ ବିଜୁ ବାବୁ ଓଡିଶାରେ ମାତ୍ର ୬ ବର୍ଷର ମୁଖ୍ୟମନ୍ତ୍ରୀ । ଜାନକୀ ବାବୁ କିନ୍ତୁ ବିଜୁ ବାବୁଙ୍କ ବିପରୀତ ।

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ ବହୁ ବଡବଡ ଦ୍ରୁମଙ୍କୁ ରାଜନୀତିରେ ସେ ଉଡାଇ ଦେଇଛନ୍ତି । ବହୁ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରି ସେ ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି ।

ଆଜି ଯେତେବେଳେ ଅଣଓଡିଆ ଜୀବନବୋଧ ଆମ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ସେତେବେଳେ ଜାନକୀ ବାବୁଙ୍କ କଥା ଓ ତାଙ୍କ ନେତୃତ୍ୱର ପ୍ରାସଙ୍ଗିକତା ଅଧିକ ଉପଯୋଗୀ । ଜାନକୀ ବାବୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ପ୍ରାଣବନ୍ତ ରାଜନୀତି କରିଥିବା ଶେଷତମ ଦିଗପାଳ ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଓଡିଶା, ଗଣମାଧ୍ୟମ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

April 16, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ନବୀନ ନିବାସରୁ ରେଭେନସା କଲେଜ୍‍ର ଦୂରତା କେତେ ? ଜଣେ ସାଧାରଣ ଲୋକ ଆଖି ବୁଜି କହି ଦେଇପାରିବ ପାଖାପାଖି ୩୦ କିଲୋମିଟର ।

kedarଯେତେ ଭିଡ ଟ୍ରାଫିକ୍‍ ଥିଲେ ବି ସେଠି ପହଞ୍ଚିବାକୁ ଟ୍ୟାକ୍ସିରେ ୪୫ ମିନିଟ୍‍ ଲାଗିବ । ମୁଖ୍ୟମନ୍ତ୍ରୀ ଯଦି ନିଜ କାର୍କେଡ୍‍ରେ ଯାଆନ୍ତି ତାହେଲେ ୨୫ ମିନିଟ୍‍ରୁ ଅଧିକ ଲାଗିବ ନାହିଁ । ଏହି ଦୂରତାକୁ ଅତିକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟାଏ ହେଲିକପ୍ଟରର ଆବଶ୍ୟକତା ପଡିଲା ।

ଗୋଟିଏ ଦରିଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ କଟକରୁ ଭୁବନେଶ୍ୱର ଯିବାକୁ ହେଲିକପ୍ଟର ବ୍ୟବହାର କରିବା ଏ ରାଜ୍ୟବାସୀଙ୍କ ପାଇଁ ଏକ ସୁନ୍ଦର ଉପହାସ ଛଡା ଆଉ କଣ ହେଇପାରେ ।

ମୁଖ୍ୟମନ୍ତ୍ରୀ ଅବଶ୍ୟ ବଡଲୋକ । ଏଠି ସାଧାରଣ ମୁନିସ୍‍ପାଲ୍‍ଟି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଳର କୁଜି ତାରକାମାନେ ହେଲିକପ୍ଟରରେ ଉଡି ଉଡି ପହଞ୍ଚନ୍ତି ।

କୌଣସି ଏକ ରାଜ୍ୟର (ଧନୀ ରାଜ୍ୟ ହେଲେ ମଧ୍ୟ) ରାଜନୀତି ପାଇଁ ଏହାଠୁ ବଳି କଳଙ୍କର କାହାଣୀ ଆଉ କିଛି ନଥାଏ । ସ୍ଥାନୀୟ ମୁନିସ୍‍ପାଲିଟି ନିର୍ବାଚନରେ ହେଲିକପ୍ଟରର ବ୍ୟବହାର କଥା କେବଳ ଅନୈତିକ ନୁହେଁ ଏହା ନିର୍ବାଚନ ରାଜନୀତିରେ ଏକ ଅପରାଧୀ ମାନସିକତାର ପରିଚାୟକ ।

ବିଜେଡି ଟିକେଟରେ ରାଜ୍ୟସଭା ସଂସଦ ହୋଇଥିବା ଓ ବିଧାୟକ ପଦରେ ଥିବା ଅନୁଭବ ମହାନ୍ତି ଏବଂ ଆକାଶ ଦାସନାୟକ ହେଲିକପ୍ଟର ଚଢ଼ି ରେଢ଼ାଖୋଲ, ବେଲ୍‍ପାହାଡ, ଧର୍ମଗଡ ଭଳି ଛୋଟିଆ ସହରରେ ନିର୍ବାଚନ ପ୍ରଚାର କରିବା ବିଜେଡିର ଅହଙ୍କାର ଓ କ୍ଷମତାର ଅନ୍ଧପଣକୁ ଦର୍ଶାଉଛି ।

ଗୋଟିଏ ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଏକମାତ୍ର ନିର୍ବିକଳ୍ପ ନେତା ବୋଲି ବିଜେଡି କହୁଥିବା ବେଳେ ଅପରପକ୍ଷରେ ସବୁ ଛୋଟିଆ ନିର୍ବାଚନକୁ ଜିଣିବା ଲାଗି ବିଜେଡି ତରଫରୁ ସବୁପ୍ରକାର ସମ୍ବଳ ଓ କୌଶଳ ପ୍ରୟୋଗ କରାଯାଉଛି ।

ନିର୍ବାଚନ ରାଜନୀତିକୁ ଏକପ୍ରକାର ଶସ୍ତା ସିନେମାର ଚିତ୍ରନାଟ୍ୟ ଭାବରେ ବିଜେଡି ଗ୍ରହଣ କରିସାରିଛି । ଏଠି ଜିତିବା ହେଉଛି ଏକମାତ୍ର ଲକ୍ଷ୍ୟ – ସେ ଯେ କୌଣସି ଉପାୟ ବା କୌଶଳରେ ହେଉ ବରଂ ।

ବିଜେଡି ନେତାମାନେ ଗଣମାଧ୍ୟମରେ ଛାତି ଫୁଲାଇ କହନ୍ତି ନବୀନ ବାବୁଙ୍କ ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କ ନାଁରେ ଯାହାକୁ ଟିକେଟ୍‍ ଦେଲେ ମଧ୍ୟ ସେ ଜିତିବ ।

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ ।

ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି ସାଧାରଣ ଘଟଣାରେ ଚଳଚ୍ଚିତ୍ର ତାରକା, ହେଲିକପ୍ଟର ଓ ଅଯଥା ଆଡମ୍ବରର ପ୍ରୟୋଗ କରି ଚାଲିଛି ।

ଏଥିରୁ ନବୀନ ବାବୁଙ୍କ ଲୋକପ୍ରିୟତା ତୁଳନାରେ ବିଜେଡିର କ୍ଷମତା ଅହଙ୍କାର ଅଧିକ ବାରି ହୋଇପଡୁଛି । କ୍ଷମତାର ଶୀର୍ଷରେ ଥିବା ଭଳି ଏପ୍ରକାର ଅହଙ୍କାର ଆମ ରାଜନୀତିକୁ ଏକ ଭୟଙ୍କର ପରିସ୍ଥିତି ଆଡକୁ ଟାଣି ନେବ । ଉଡନ୍ତା ନେତାମାନଙ୍କର ଏହି ନିର୍ବାଚନୀ ବିଳାସ ସହିତ ମୁଖ୍ୟମନ୍ତ୍ରୀଙ୍କ ଆକାଶ ପ୍ରୀତି ସାଧାରଣ ଜନତାଙ୍କ ଠାରୁ ରାଜନୈତିକ ନେତାଙ୍କୁ ବହୁ ଦୂରକୁ ନେଇଯିବ ।

ଗୋଟିଏ ଦିଗରେ ନେତାମାନେ ଉଡାଜାହାଜ ଚଢ଼ି ବୁଲୁଥିବା ବେଳେ ଅନ୍ୟଦିଗରେ ଏ ରାଜ୍ୟର ଜନସାଧାରଣ ପାଞ୍ଚ ଟଙ୍କା ହାତରେ ଧରି ଭାତଡାଲ୍‍ମା ଖାଇବାକୁ ସରକାରୀ ଛତ୍ରରେ ଧାଡି ବାନ୍ଧି ଠିଆ ହୋଇଛନ୍ତି ।

୧୬ ବର୍ଷର ଶାସନ ଭିତରେ ବିଜେଡି ଓ ନବୀନ ପଟ୍ଟନାୟକ ଓଡିଶାକୁ ଏକ ଦରିଦ୍ରତମ ରାଜ୍ୟର ମର୍ଯ୍ୟାଦାବନ୍ତ ବିଭୂଷଣ ଦେଇଛନ୍ତି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ସବୁଠୁ ତଳେ ରହିଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଅନ୍ୟତମ । ୨୦୧୩-୧୪ ମସିହାରେ ଜାତୀୟ ମୁଣ୍ଡ ପିଛା ଆୟ ୩୯,୯୦୪ ଟଙ୍କା ହୋଇଥିବା ବେଳେ ଓଡିଶାରେ ଏହା ମାତ୍ର ୨୫,୮୯୧ ଟଙ୍କା । ଓଡିଶା ତଳକୁ ଆସାମ, ଉତ୍ତରପ୍ରଦେଶ ଓ ବିହାର ରହିଛନ୍ତି ।

ଓଡିଶା ତୁଳନାରେ ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ମେଘାଳୟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଢ଼େର୍‍ ଆଗରେ ରହିଛନ୍ତି । ଦିଲ୍ଲୀ, ପଣ୍ଡିଚେରୀ, ସିକିମ୍‍, ମହାରାଷ୍ଟ୍ର, ହରିୟାଣା, ତାମିଲ୍‍ନାଡୁ ଭଳି ରାଜ୍ୟ ସହ ଓଡିଶାର ତୁଳନା ମଧ୍ୟ କରାଯାଇପାରିବ ନାହିଁ । ଦିଲ୍ଲୀ ଭଳି ରାଜ୍ୟରେ ମୁଣ୍ଡ ପିଛାର ବାର୍ଷିକ ଆୟର ପରିମାଣ ୧୨,୭୬୬୭ଟଙ୍କା ।

ଅର୍ଥାତ ଓଡିଶା ତୁଳନାରେ ଦିଲ୍ଲୀର ମୁଣ୍ଡପିଛା ଆୟ ପାଖାପାଖି ଲକ୍ଷେ ଟଙ୍କା ଅଧିକ । ଏପରିକି ଉତ୍ତରପୂର୍ବ ରାଜ୍ୟ ସିକିମ୍‍ରେ ଏହା ୮୩,୫୨୭ ଟଙ୍କା । ଏହା ଆମର ଦାରିଦ୍ରର ଏକ ଛୋଟିଆ ସୂଚକାଙ୍କ ।

୨୦୧୪-୧୫ ବେଳକୁ ଆମର ମୁଣ୍ଡପିଛା ଆୟ ୨୮,୦୦୦ରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଅର୍ଥାତ ଜାତୀୟହାର ସହ ସମକକ୍ଷ ହେବାକୁ ଓଡିଶାକୁ ଆହୁରି ଅନେକ ବର୍ଷ ଲାଗିବ ।

ସେଥିଲାଗି ଦରିଦ୍ର ରାଜ୍ୟର ଜନସାଧାରଣଙ୍କୁ ଟଙ୍କାଏରେ ଚାଉଳ କିଲେ ଓ ପାଞ୍ଚଟଙ୍କାରେ ଭାତ, ଡାଲ୍‍ମା ଯୋଜନା କରାଯାଇଛି । ସାରା ରାଜ୍ୟକୁ ଭିକାରୀମାନଙ୍କ ଏକ ପ୍ରଦେଶ ଭାବରେ ରାଜ୍ୟ ସରକାର ଗଢ଼ିବାକୁ ଚାହୁଁଛନ୍ତି ।

ରାଜ୍ୟବାସୀ ଭିକାରୀ ହୋଇ ରହିଲେ ସେମାନେ ହେଲିକପ୍ଟର ଦେଖିବାକୁ ଆସିବେ, ଆକାଶରୁ ଓହ୍ଲାଉଥିବା ଚଳଚ୍ଚିତ୍ର ତାରକାମାନଙ୍କର ଶସ୍ତା ସଂଳାପ ଶୁଣିବେ ଓ ପାଞ୍ଚଟଙ୍କାରେ ଭାତ ଡାଲ୍‍ମା ଖାଇ ଯାବତ୍‍ଜୀବନ ବିଜେଡିକୁ ଭୋଟ୍‍ ଦେଇ ଚାଲୁଥିବେ ।

ଏହାବୋଧେ ଓଡିଶା ପାଇଁ ବିଜୁ ଜନତା ଦଳର ଏକମାତ୍ର ସ୍ୱପ୍ନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ହେଲିକପ୍ଟରର ବ୍ୟବହାର କଲେ ସେତେବେଳେ ତାଙ୍କୁ ଜାତୀୟ ଗଣମାଧ୍ୟମରେ ପ୍ରଚୁର ସମାଲୋଚନା କରାଯାଇଥିଲା ।

ତେବେ ଦିଲ୍ଲୀ ସହରର ଟ୍ରାଫିକ୍‍ ସମସ୍ୟା ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାବଳୟ ଦୃଷ୍ଟିରୁ ଏହା ଅତ୍ୟାବଶ୍ୟକ ଥିଲା ବୋଲି କୁହାଯାଇପାରେ । ତେବେ ଓଡିଶା ମୁଖ୍ୟମନ୍ତ୍ରୀ କଟକ କିମ୍ବା ଭୁବନେଶ୍ୱରରେ ସୁରକ୍ଷା ଦୃଷ୍ଟିରୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

ଅତିବେଶୀରେ ଯୁବକଂଗ୍ରେସ କର୍ମୀମାନେ କେଉଁଠି କେମିତି କଳା ପତାକା ଦେଖାଇପାରନ୍ତି ଅଥବା ଅଣ୍ଡା ଫୋପାଡି ପାରନ୍ତି । ଅଣ୍ଡା ଫୋପାଡିଲେ କାର୍‍ କାଚ ଭାଙ୍ଗିବ ନାହିଁ କି ସୁରକ୍ଷାକର୍ମୀମାନେ ଖୁବ୍‍ ଗୋଟାଏ ବଡ ଅସୁବିଧାରେ ପଡିବେ ନାହିଁ ।

ସାଧାରଣ ଅଣ୍ଡା ଓ କଳା ପତାକାକୁ ଡରି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଭୁବନେଶ୍ୱରରୁ କଟକ ଯଦି ଯାଆନ୍ତି ତାହା ସାଧାରଣ ଲୋକଙ୍କ ପାଇଁ କେତେବଡ ଉପହାସ ତାହା ଚିନ୍ତାର ବିଷୟ ।

ବିଜେଡି ସମର୍ଥକ ଓ ନେତାମାନେ କହିବେ ଏତେବଡ ମୁଖ୍ୟମନ୍ତ୍ରୀ ସେ ହେଲିକପ୍ଟର ଚଢ଼ିଲେ ଅସୁବିଧା କଣ ? ଏହି ହେଲିକପ୍ଟର ପାଇଁ ସରକାର କେତେ ଖର୍ଚ୍ଚ କରନ୍ତି ତାହା ଜନସାଧାରଣ ଜାଣନ୍ତି କି ?

ଘଣ୍ଟା ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ହେଲିକପ୍ଟର ଭଡା ରାଜ୍ୟ ତହବିଲ୍‍ରୁ ଯାଇଥାଏ । ଯେଉଁ ଚଳଚ୍ଚିତ୍ର ତାରକାମାନେ ଉଡାଜାହାଜରେ ଉଡି ଭୋଟ୍‍ ପ୍ରଚାର କରୁଛନ୍ତି ସେମାନଙ୍କ ବ୍ୟକ୍ତିଗତ ଆୟବ୍ୟୟର ହିସାବ ଲୋକେ ଜାଣିବା ଉଚିତ୍‍ ।

ଓଡିଆ ସିନେମାର ଅର୍ଥନୀତି ଯାହା ସେଥିରେ ଅନୁଭବ ମହାନ୍ତି ବା ଆକାଶ ଦାସନାୟକ ନିଜ ଆୟରୁ ସାଣ୍ଟ୍ରୋ କାର୍‍ରେ ତେଲ ପକାଇବା ଖର୍ଚ୍ଚ ଉଠିବ ନାହିଁ । ସେମାନେ ବିଜେଡି ପଇସାରେ ଆକାଶରେ ଉଡିବା ଆମ ପାଇଁ ବିଡମ୍ବନା ଛଡା ଆଉ କଣ ହୋଇପାରେ ।

ତେବେ ଏକଥା ଲେଖିଲା ବେଳେ ଆମେ ଆହୁରି ସଚେତନ ଯେ ସଦ୍ୟପ୍ରକାଶ ପାଇଥିବା ପୌର ନିର୍ବାଚନ ଫଳାଫଳରେ ବିଜେଡି ୮୦ ପ୍ରତିଶତରୁ ଅଧିକ ସ୍ଥାନରେ ବିଜୟୀ ହୋଇଛି ।

୮ଟି ଯାକ ପୌର ପରିଷଦ ବିଜେଡି ଦଖଲକୁ ଯାଇଛି । ତେଣୁ ଭୋଟ୍‍ ରାଜନୀତିରେ ବିଜେଡିକୁ ମାତ୍‍ ଦେଲା ଭଳି ଶକ୍ତି ଓଡିଶାରେ ନାହିଁ ବୋଲି କହିବାରେ ଅସୁବିଧା ନାହିଁ ।

ତେବେ ଏତେ ପରିମାଣର ଅର୍ଥ, କ୍ଷମତା ଓ ଅହଙ୍କାର ସହ ଯୁଦ୍ଧ କଲା ଭଳି ଶକ୍ତି ବିରୋଧୀଙ୍କ ପାଖରେ ଆସିବ କୁଆଡୁ ? କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାସ୍ତ ହେଲା ପରେ ନୈତିକ ଦୃଷ୍ଟିରୁ ଏକପ୍ରକାର ଶକ୍ତିହୀନ ହୋଇବସିଛି ।

ଲୋକଙ୍କ ପାଇଁ ବିରୋଧୀ ପକ୍ଷରେ ରହି ସଂଘର୍ଷ କରିବାର ଅନୁଭବ କଂଗ୍ରେସ ପାଖରେ ନାହିଁ । ଓଡିଶାରେ ଗତ ୧୬ ବର୍ଷ ଧରି ସବୁ ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ଏକପ୍ରକାର ଦେବାଳିଆ ହୋଇ ସାରିଛି ।

ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲାବେଳେ ଏହି ଦଳର ସ୍ୱରରେ ଶକ୍ତି ନାହିଁ ବା ପ୍ରଭାବ ମଧ୍ୟ ନାହିଁ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଠନ କରିଥିଲେ ମଧ୍ୟ ଓଡିଶାରେ ଏହି ଦଳ ବିଜେଡିର ବି ଟିମ୍‍ ଭାବରେ କାମ କରିବାକୁ ଏକପ୍ରକାର ଲାଳାୟିତ ଅବସ୍ଥାରେ ରହିଛି ।

ଗୋଟିଏ ପରେ ଗୋଟିଏ କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଯାଉଥିବାରୁ ଓଡିଶା ବିଜେପି ନେତାଙ୍କ ମୁହଁ ଶୁଖି ଯାଇଛି ।

କେନ୍ଦ୍ରରେ ମନ୍ତ୍ରୀ ଥିବା ଓଡିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବୀନଙ୍କ ପ୍ରତି ଏତେ ଅଧିକ ଅନୁଗତ ଯେ ରାଜ୍ୟ ବିଜେପିର ନବୀନ ବିରୋଧୀ ସ୍ୱର ତାଙ୍କ ଆନୁଗତ୍ୟ ଆଗରେ ଫିକା ପଡିଯାଉଛି ।

ଏହି ପରିସ୍ଥିତି ଓ ପୃଷ୍ଠଭୂମିରେ ବିଜେଡିର ଆକାଶଚାରୀ ଅହଙ୍କାର ଥମିବାର କୌଣସି ସମ୍ଭାବନା ନାହିଁ । ଦିନ ଆସିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ସିଧାସଳଖ ହେଲିକପ୍ଟର ଚଢ଼ି ସଚ୍ଚିବାଳୟରେ ଓହ୍ଲାଇବେ ଓ ସେଇ ଆକାଶମାର୍ଗରେ ଫେରିଯିବେ ।

ଆମେ ଭକୁଆ ଓଡିଆମାନେ ହାଁ କରି ଆକାଶକୁ ଅନାଇଥିବା ଓ ଆଗାମୀ ନିର୍ବାଚନରେ ପୁଣି ଥରେ ତାଙ୍କୁ ଭୋଟ୍‍ ଦେଇ ନିଜକୁ ଭାଗ୍ୟବାନ ମନେ କରିବା ।

କେଦାର ମିଶ୍ର
ଫୋନ୍‍ : ୯୪୩୭୧୫୪୪୪୫

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ନିର୍ବାଚନ, ମୁଖ୍ୟମନ୍ତ୍ରୀ, ମୁନିସ୍‍ପାଲ୍‍ଟି, ରେଭେନସା କଲେଜ୍‍

  • « Go to Previous Page
  • Page 1
  • Page 2
  • Page 3
  • Page 4

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ