• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାହିତ୍ୟ

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

ହଳଧର ନାଗ ଏବଂ ତାଙ୍କର ଲୋକପ୍ରିୟ କବିତା

March 31, 2016 by ନିଉଜ ଡେସ୍କ 1 Comment

ଦେବେନ୍ଦ୍ର ପୃଷ୍ଟି

ଅବହେଳିତ ପଶ୍ଚିମ ଓଡ଼ିଶାର ବରଗଡ଼। ଏଇ ଜିଲ୍ଲାର ଘେଁସ ହେଉଛି ଏକ ଐତିହାସିକ ଜମିଦାରୀ।

ବ୍ରିଟିଶ ଶାସନ ବିରୋଧରେ ଘେଁସ ଜମିଦାରଙ୍କ ବିଦ୍ରୋହ ଓ ବଳିଦାନର କଥା ଉପକୂଳ ଓଡ଼ିଶାର ଲୋକଙ୍କୁ ଅଜଣା ହୋଇପାରେ, ମାତ୍ର ତାହା ଥିଲା ପରାଧୀନ ଭାରତର ବୀରତ୍ଵ ଓ ବିଦ୍ରୋହର ବିଶାଳ ଐତିହ୍ୟ।

ଘେଁସର ତତ୍କାଳୀନ ଜମିଦାର ମାଧବ ସିଂହ ବରିହବା ଓରଫ ମାଧୋ ସିଂହ ବରିହା ଏବଂ ତାଙ୍କର ପୂରା ପରିବାର ବ୍ରିଟିଶ ସରକାର ବିରୋଧରେ ବିଦ୍ରୋହ କରି ପ୍ରାଣବଳି ଦେଇଥିଲେ।

haladharaସେଇ ମାଟିର ଲୋକ ହେଉଛନ୍ତି ହଳଧର ନାଗ, ଲୋକ କବି ରତ୍ନ। ପଦ୍ମଶ୍ରୀ ହଳଧର ନାଗ। ପନ୍ଦର ଦିନ ତଳ ପର୍ଯ୍ୟନ୍ତ ହଳଧର ନାଗ କିଏ ପଚାରିଲେ ଓଡ଼ିଶାର ନବେ ପ୍ରତିଶତ ହୁଏତ ଉତ୍ତର ଦେଇପାରି ନଥାନ୍ତେ। ଜଣେ ସାଧାରଣ ଜଳଖିଆ ଓ ଷ୍ଟେସନାରୀ ଦୋକାନୀଙ୍କୁ କିଏ କାହିଁକି ଜାଣିଥାନ୍ତେ?

ଏବେ କିନ୍ତୁ ଓଡ଼ିଶାର ଘରେ ଘରେ ନହେଲେ ମଧ୍ୟ ଶିକ୍ଷିତ ଓ ସମ୍ଭ୍ରାନ୍ତ ମହଲରେ ସେ ଏକ ପରିଚିତ ନାମ। ପଦ୍ମଶ୍ରୀ ହଳଧର ନାଗ। ବେଶଭୂଷା ସଂପୂର୍ଣ୍ଣ ସରଳ। ଚାଳିଚଳନ ଓ କଥାବାର୍ତ୍ତା ବି ସେଇଆ। ନିହାତି ଦେହାତି ମଣିଷ ଜଣେ।

ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର କାବ୍ୟ ଓ କବିତା ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ତାଙ୍କ ବାପା ପରପୁରକୁ ଚାଲିଗଲେ। ବିଧବା ମା’ଙ୍କ ପକ୍ଷେ ତାଙ୍କୁ ପାଠ ପଢ଼ାଇବା କଷ୍ଟକର ହେଲା। ସେଇଠୁ ପାଠରେ ଡୋରି ବନ୍ଧାଗଲା। ହଳଧର ପାଠ ଛାଡ଼ି ଜୀବନ ସଂଗ୍ରାମରେ ଯୋଗଦେଲେ।haladhar-new

ଗୋଟେ ଜଳଖିଆ ଦୋକାନରେ ବାସନ ମାଜିବା ଥିଲା ତାଙ୍କର ପ୍ରଥମ କାମ। ସେଇଆ କରିବା ଭିତରେ କିଛି ବର୍ଷ ବିତିଗଲା। ଥରେ ତାଙ୍କ ଗାଁ ଅଂଚଳର ଜଣ ମୁଖିଆ ସ୍ଥାନୀୟ ଲୋକ ତାଙ୍କୁ ଡାକିନେଇ ଗୋଟେ ସ୍କୁଲରେ ମୁକରିର କରିଦେଲେ। କାମ ହେଉଛି ରୋଷେଇ।

ସ୍କୁଲ ରୋଷେୟା ଭାବରେ ସେ ପ୍ରାୟ ୧୬ ବର୍ଷ କାମ କଲେ। ସେତେବେଳଙ୍କୁ ତାଙ୍କ ଅଂଚଳରେ ଅନେକ ସ୍କୁଲ ଖୋଲିଲାଣି। ବହୁତ ପିଲା ପାଠ ପଢ଼ିଲେଣି। ସେ ୧୦୦୦ ଟଙ୍କା କରଜ କରି ସ୍କୁଲ ପିଲାଙ୍କ ପାଇଁ ଗୋଟେ ଦୋକାନ ଖୋଲିଲେ। ଦୋକାନ ମାନେ ପିଲାଙ୍କ ଦରକାରୀ ଖାତା, କଲମ, ପେନସିଲ ସହିତ କିଛି ଖାଇବା ଜିନିଷର ପସରା। ସେଇଥିରେ ଚଳିଗଳେ ହଳଧର।

କିନ୍ତୁ କେବଳ ଏଇଥିପାଇଁ ତ ସେ ଜନ୍ମ ହୋଇ ନଥିଲେ! ତାଙ୍କ ଆତ୍ମା ଡାକୁଥିଲା ଅନ୍ୟ କିଛି। ହୃଦୟ ଥିଲା ନରମ, ଦରଦୀ। ତେଣୁ କବିତାର ଭାବରେ ସେ ଅନେକ ସମୟରେ ବିଭୋର ରହୁଥିଲେ।

ମନ ଭିତରର ଭାବ ଓ ଭାବନାକୁ ଅଧିକ ଦିନ ଚାପି ନରଖି ସେ ନିଜର କଥିତ ଭାଷାରେ ଲେଖିବା ଆରମ୍ଭ କଲେ କବିତା, ଲୋକ ବୁଝିଲା ଭଳି କବିତା। ଇତିମଧ୍ୟରେ ସେ ଲେଖିସାରିଲେଣି ୨୦ ଖଣ୍ଡ କାବ୍ୟ ଓ ଅଗଣତି କବିତା। ସବୁ ତାଙ୍କ ମୁହଁରେ। କବିତାର ନାଁ ବା ବିଷୟ ନାଁ କହିଦେଲେ ଅନର୍ଗଳ ଆବୃତି କରିପାରନ୍ତି ହଳଧର।

ଜୀବନରେ କେବେ ବି ଚପଲ ପିନ୍ଧି ନାହାନ୍ତି ହଳଧର। ବୟସ ହେଲାଣି ୬୬। ଜନ୍ମ ୧୯୫୦ ମସିହାରେ। ଧଳା ରଙ୍ଗର ଧୋତି ଓ ଧଳା ଗଂଜିଟିଏ ହେଉଛି ତାଙ୍କର ନିତିଦିନିଆ ପୋଷାକ। ଚୁଲି ରୋଷେଇ, ମାଟିଘର। ଦାରିଦ୍ର୍ୟ ନୁହେଁ, ସରଳ ଜୀବନର ନିରାଡମ୍ବର ପରିପ୍ରକାଶ ହେଉଛି ହଳଧରଙ୍କ ଜୀବନ।

ଏଇ ନିକଟରେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ନିଜ ରଚନା ପାଇଁ ସେ କେବେ ବି ଓଡ଼ିଶା ସାହିତ୍ୟ ଏକାଡମୀ କିମ୍ବା ଓଡ଼ିଶାର ଅନ୍ୟ ବ‍ଡ଼ ବଡ଼ ସାହିତ୍ୟାନୁରାଗୀ ସଂସ୍ଥା ପ୍ରଦତ୍ତ ପୁରସ୍କାର ପାଇ ନାହାନ୍ତି। ଶାରଳା, ସାରଳା, ବିଷୁବ, ସାହିତ୍ୟ ଭାରତୀ ଆଦି ସମ୍ମାନ ଓ ପୁରସ୍କାର କ’ଣ ଜାଣନ୍ତି ନାହିଁ ହଳଧର, ଏସବୁ ପୁରସ୍କାର ବି ଜାଣନ୍ତି ନାହିଁ କିଏ ଏହି ହଳଧର।

ସେହିପରି ଓଡ଼ିଆର ଏକ ଉପଭାଷା ଭାବ ପରିଗୃହୀତ କୋଶଳୀକୁ ସାମ୍ବିଧାନିକ ମାନ୍ୟତା ମିଳି ନଥିବାରୁ  କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ହଳଧରିଙ୍କ ପ୍ରତିଭାକୁ ମାନ୍ୟତା ଦେଇନାହିଁ।

କିନ୍ତୁ ଭାରତ ସରକାର ତାଙ୍କୁ ପ୍ରଦାନ କରିଛନ୍ତି ପଦ୍ମଶ୍ରୀ ସମ୍ମାନ- ଭାରତ ରତ୍ନ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପରେ ଭାରତର ଚତୁର୍ଥ ଶ୍ରେଷ୍ଠ ବେସାମରିକ ପୁରସ୍କାର। ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ଏଇ ଲୋକଟି ଉପରେ ପିଏଚଡି କରିଛନ୍ତି ୫ ଜଣ ଅଧ୍ୟାପକ। ତାଙ୍କୁ ଯେତେବେଳେ

ତାଙ୍କ ଗ୍ରନ୍ଥ ପ୍ରକାଶନର ଦାୟିତ୍ଵ ନେଇଛି ସମ୍ବଲପୁର ବିଶ୍ଵବିଦ୍ୟାଳୟ। ଏବେ ପ୍ରତିଦିନ ପ୍ରାୟ ଚାରିଟି ଜାଗାରୁ ତାଙ୍କୁ ମିଳୁଛି କବିତା ଆବୃତିର ନିମନ୍ତ୍ରଣ। ଆଉ ଯୁବଗୋଷ୍ଠୀ ହିଁ ହେଉଛନ୍ତି ହଳଧରଙ୍କ କବିତାର ମୁଗ୍ଧ ଶ୍ରୋତା। ତାଙ୍କ କବିତାରେ ଅଛି ପ୍ରକୃତି ଓ ମାନବିକତାର କଥା। ଏହା ର୍ହି ତାଙ୍କ ଜୀବନର ଅନ୍ତଃସ୍ଵର।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ, ସାହିତ୍ୟ Tagged With: କବି, ପଦ୍ମଶ୍ରୀ, ପୁରସ୍କାର, ସମ୍ମାନ, ହଲଧର ନାଗ

ପୁସ୍ତକ ସମୀକ୍ଷା: ଡେମୋଗ୍ରାଫିକ ପ୍ରୋଫାଇଲ ଅଫ ଓଡିଶା

March 15, 2016 by ଓଡିଶା ଡଟ କମ Leave a Comment

ଡେମୋଗ୍ରାଫିକ ପ୍ରୋଫାଇଲ ଅଫ ଓଡିଶା
ଲେଖକ ବିଷ୍ଣୁପଦ ସେଠୀ ଓ ଚିତ୍ତ ରଞ୍ଜନ ମହାନ୍ତି

ଓଡିଶା ଡଟକମ ସଂବାଦ ଦାତା

bishnu1

ଭୁବନେଶ୍ଵର, ମାର୍ଚ ୧୫ (ଓଡିଶା ଡଟ କମ)-ନିକଟ ଅତୀତରେ ଓଡିଶାରେ ହୋଇଥିବା ଜନ ଗଣନାରେ ସାମନାକୁ ଆସିଥିବା ତଥ୍ୟ ଉପରେ ଆଧାରିତ ଏକ ପୁସ୍ତକ ପ୍ରକାଶ ପାଇଛି । ଭୁବନେଶ୍ଵରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମେଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାର ଉନ୍ମୋଚନ କରିଥିଲେ।

‘ଡେମୋଗ୍ରାଫିକ ପ୍ରୋଫାଇଲ ଅଫ ଓଡିଶା’ଶୀର୍ଷକ ଏହି ପୁସ୍ତକର ଲେଖକ ହେଉଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀ ଓ ଚିତ୍ତ ରଞ୍ଜନ ମହାନ୍ତି ।

ଜନସଂଖ୍ୟା ସମ୍ପର୍କୀୟ ତଥ୍ୟ ସବୁ ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟରେ ଶିକ୍ଷାପ୍ରାପ୍ତ କରିଥିବା ଲୋକଙ୍କ ସଂଖ୍ୟା ବୟସାନୁସାରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ବାଲ୍ୟବିବାହ , ପ୍ରଜନନ ବ୍ୟାଙ୍କ ସେବା ପାଉଥିବା ପରିବାର ଙ୍କ ସଂଖ୍ୟା, ଧର୍ମ ଇତ୍ୟାଦି ସମ୍ବନ୍ଧରେ ଜନଗଣନା ବ୍ୟତିତ ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ଓ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ମାଧ୍ୟମରେ ସଂଗୃହିତ ହୋଇଥିବା ତଥ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି । bishnu

ଜନଗଣନା ଆମ ଦେଶ ତଥା ରାଜ୍ୟର ଲୋକମାନଙ୍କର ବିଷୟରେ ତଥ୍ୟମାନ ପ୍ରଦାନ କରିଥାଏ |ଗୋଟିଏ ନିର୍ଦ୍ଦିଷ୍ଟ ମୂହୁର୍ତ୍ତରେ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସଂଖ୍ୟା ଓ ସେମାନଙ୍କର ଅର୍ଥନୈତିକ, ସାମାଜିକ ଏବଂ ସାସ୍କୃତିକ ତଥ୍ୟମାନ ଜନଗଣନା ମାଧ୍ୟମରେ ଉପଲବ୍ଧ ହୋଇଥାଏ ।

ପ୍ରଶାସନିକ, ଅର୍ଥନୈତିକ ଏବଂ ସାସ୍କୃତିକ କ୍ଷେତ୍ରରେ କାର୍ଯ୍ୟପାଇଁ ଜନଗଣନାର ତଥ୍ୟମାନ ଅପରିହାର୍ଯ୍ୟ ।

ପ୍ରଶାସନିକ, ଉନ୍ନୟନ, ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ପୂର୍ନ୍ନଗଠନ ପାଇଁ ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ବହୁମାତ୍ରାରେ ବ୍ରିଟିଶ ରାଜତ୍ୱ କାଳରେ ୧୮୬୫ ରୁ ୧୮୭୨ ମସିହା ମଧ୍ୟରେ ବିଭିନ୍ନ ସମୟରେ ଭାରତର ବିଭିନ୍ନ ଭାଗରେ ଜନଗଣନା କରା ହୋଇଥିଲା, ଯାହାକି ଭାରତର ପ୍ରଥମ ଜନଗଣନା ଭାବେରେ ବିଦିତ ।

କିନ୍ତୁ ୧୮୮୧ ମସିହାରେ ସାରା ଭାରତରେ ଗୋଟିଏ ସମୟରେ ଜନଗଣନା କରାଯାଇଥିଲା ।  ସେହି ଦିନଠାରୁ ପ୍ରତି ଦଶ ବର୍ଷରେ ଥରେ ନିରବଚ୍ଛିନ୍ନ ଭାବରେ ଆମଦେଶରେ ଜନଗଣନା ହୋଇ ଆସୁଅଛି ଏବଂ ଶେଷ ଜନଗଣନା ୨୦୧୧ ମସିହାରେ ହୋଇଥିଲା ।

bishnu
ବିଷ୍ଣୁପଦ ସେଠୀ

ଗତ ଜନଗଣନା ପୂର୍ବରୁ ଆମ ରାଜ୍ୟରେ ୨୦୧୦ ମସିହା ଅପ୍ରେଲ ମାସ ସାତ ତାରିଖରୁ ମେ ୨୨ ତାରିଖ ପର୍ଯ୍ୟନ୍ତ ଗୃହ ତାଲିକା ପ୍ରସ୍ତୁତି ଓ ଗୃହ ଗଣନା କାର୍ଯ୍ୟ କରାଯାଇଥିଲା ।

ଜନଗଣନା କାର୍ଯ୍ୟ ୨୦୧୧ ମସିହା ଫେବୃଆରୀ ମାସ ୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ (ଉଭୟ ଦିନ ଅନ୍ତର୍ଭୁକ୍ତ) କରାଯାଇଥିଲା ଏବଂ ମାର୍ଚ ପହିଲାରୁ ମାର୍ଚ ପାଞ୍ଚ ୨୦୧୧ ପର୍ଯ୍ୟନ୍ତ ପୂନଃଗଣନା କରାହୋଇଥିଲା ।

୨୦୧୧ ମସିହା ମାର୍ଚ୍ଚ ମାସ ଏକ ତାରିଖ ର ଶୂନ୍ୟ କାଳ (00.00 ଘଣ୍ଟା) ୨୦୧୧ ଜନଗଣନା ପାଇଁ ନିର୍ଦ୍ଧାରିତ ମୁର୍ହୁତ୍ତ ଥିଲା । ଜନଗଣନା ସରିବା ପରେ ରାଜ୍ୟର ଜନଗଣନା ନିର୍ଦ୍ଦେଶକ ଅପ୍ରେଲ ମାସ ସାତ ତାରିଖ ଦିନ ରାଜ୍ୟର ଓ ଜିଲ୍ଲା ମାନଙ୍କର ପ୍ରାରମ୍ବିକ ଫଳାଫଳ ପ୍ରକାଶ କରିଥିଲେ ।

ଏହା ପରେ ପ୍ରାଇମେରୀ ସେନସସ ଆବଷ୍ଟ୍ରାକ୍ଟ (PRIMARY CENSUS ABSTRACT ) ମାଧ୍ୟମରେ ଜନଗଣନାର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଥିଲା । (PCA)ରେ ଲୋକସଂଖ୍ୟା 0-୬ ବର୍ଷର ପିଲାମାନଙ୍କ ସଂଖ୍ୟା, ଶିକ୍ଷିତ ଏବଂ କାମକରୁଥିବା ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ତଥ୍ୟମାନ ପ୍ରକାଶ ପାଇଥିଲା ।

PCA ବ୍ୟତିତ ଶିକ୍ଷା, ବୟସ, ବୈବାହିକ ଅବସ୍ଥା, ପ୍ରଜନନ, ପରିବାରର ଆକାର ସମ୍ବନ୍ଧରେ ତଥ୍ୟ ମାନ ଦେଶ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ପାଇଁ ପ୍ରକାଶ ହୋଇଅଛି ।bishnu2

ଭାରତର ରେଜିଷ୍ଟାର ଜେନେରାଲଙ୍କ ଦ୍ୱାରା ତଥ୍ୟ ମାନ ସାଧାରଣତଃ ବିଭିନ୍ନ ଟେବଲ (Table) ମାଧ୍ୟମରେ ପ୍ରକାଶ ପାଇଥାଏ, ଯେଉଁଗୁଡିକ ପରବର୍ତ୍ତୀ ସମୟରେ ଶିକ୍ଷାବିତ, ଗବେଷଣା କରୁଥିବା ବ୍ୟକ୍ତି ଏବଂ ତଥ୍ୟ ବିଶ୍ଲେଷକ ମାନଙ୍କ ଦ୍ୱାରା ବିଶ୍ଲେଷଣ କରାଯାଇଥାଏ

ଡେମୋଗ୍ରାଫିକ ଅଫ ଓଡିଶା ପୁସ୍ତକର ଲେଖକ ବିଷ୍ଣୁପଦ ସେଠୀ ଓ ଚିତ୍ତରଂଜନ ମହାନ୍ତି ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ସବୁ ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟରେ ଶିକ୍ଷାପ୍ରାପ୍ତ କରିଥିବା ଲୋକଙ୍କ ସଂଖ୍ୟା ବୟସାନୁସାରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ବାଲ୍ୟବିବାହ, ପ୍ରଜନନ ବ୍ୟାଙ୍କ ସେବା ପାଉଥିବା ପରିବାରଙ୍କ ସଂଖ୍ୟା, ଧର୍ମ ଇତ୍ୟାଦି ସମ୍ବନ୍ଧରେ ଜନଗଣନା ବ୍ୟତିତ ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ଓ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ ମାଧ୍ୟମରେ ସଂଗୃହିତ ହୋଇଥିବା କେତକ ତଥ୍ୟ ଏହି ପୁସ୍ତକରେ ପ୍ରକାଶିତ ହୋଇଅଛି ।

୨୦୧୧ ଜନଗଣନାର ତଥ୍ୟକୁ ଆଧାର କରି ନିମ୍ନ ଲିଖିତ ବିଷୟଗୁଡିକ ଉପରେ ଆମ ରାଜ୍ୟ ସମ୍ବନ୍ଧରେ ଆଲୋଚନା ଆଲୋଚନା କରାଯାଇଛି ।

୧. ଜନସଂଖ୍ୟା ଓ ଏହାର ବୃଦ୍ଧି ର ହାର, ସ୍ତ୍ରୀ ପୁରୁଷ ଅନୁପାତ, 0-6 ବର୍ଷ ର ଲୋକସଂଖ୍ୟା, ଶିଶୁ ମାନଙ୍କ ଲିଙ୍ଗାନୁପାତ ଏବଂ ଶିକ୍ଷା । ୨. ବିଭିନ୍ନ ଶିକ୍ଷା ଗତ ଯୋଗ୍ୟତା ପ୍ରାପ୍ତ କରିଥିବା ଲୋକଙ୍କ ସଂଖ୍ୟା| ୩. ଭିନ୍ନକ୍ଷମ ବ୍ୟକ୍ତିଙ୍କର କାର୍ଯ୍ୟକଳାପ ।  ୪. ବୟସ ଅନୁସାରେ କାର୍ଯ୍ୟକଳାପ ।  ୫. ପରିବାରର ଆକାର ଅନୁସାରେ କାର୍ଯ୍ୟ କରୁଥିବା ପରିବାର ସଂଖ୍ୟା ।  ୬. ବୈବାହିକ ଅବସ୍ଥା ।

୭. ବିବାହ ସମୟର ବୟସ ଏବଂ ବୈବାହିକ ଅବସ୍ଥା ।  ୮. ସ୍ତ୍ରୀ ଲୋକ ମାନଙ୍କ ପ୍ରଜନନ କ୍ଷମତା । ୯. AHS ଅନୁସାରେ ଓଡିଶାରେ ବିବାହ, ଜନ୍ମମୃତ୍ୟୁ ଓ ଗର୍ଭପାତର ବିବରଣୀ । ୧୦. ଧର୍ମ । ୧୧. ବ୍ୟାଙ୍କ ସେବା ପାଉଥିବା ପରିବାର ସଂଖ୍ୟା । ୧୨. AHS ଅନୁସାରେ ରୋଗର ବିବରଣ ।  ୧୩. ପରିବାର ଗୁଡିକୁ ଉପଲବ୍ଧ ହୋଉଥିବା ପିଇବାପାଣି ପାଇଖାନା ଇତ୍ୟାଦିର ସୁବିଧା ।

ଓଡିଶା ଜନଗଣନା ନିର୍ଦ୍ଧେଶାଳୟର ନିର୍ଦ୍ଦେଶକ ଭାବେ ସେଠୀ ଅତି ସଫଳତାର ସହିତ ୨୦୧୧ ଜନଗଣନା କାର୍ଯ୍ୟ ସମ୍ପାଦନ କରିଛନ୍ତି ।  ଚିତ୍ତରଂଜନ ମହାନ୍ତି, ଯେକି ଜନଗଣନା ସଂସ୍ଥା ସହିତ ୧୯୬୧ ମସିହାରୁ ଜଡିତ ଅଛନ୍ତି ସେ ଲେଖକଙ୍କୁ ବହୁତ ଭାବରେ ସାହାଯ୍ୟ କରିଅଛନ୍ତି ।  ସେ ୧୯୬୧ ରୁ ୨୦୧୧ ମସିହା ପର୍ଯୟନ୍ତ ଛଅଟି ଜନଗଣନାରେ ପ୍ରମୁଖ ଭାବେ ଜଡିତ ଅଛନ୍ତି ।

ଏହି ପୁସ୍ତକଟି INDIA BOOK BAZAR, C/O- Imperial Edusystems Pvt. Ltd. Hydrabad ଦ୍ୱାରା ପ୍ରକାଶିତ ହୋଇଅଛି ଏବଂ ଏହା ବିଭିନ୍ମ ପୁସ୍ତକ ଭଣ୍ଡାରରେ ମିଳିବା ସଙ୍ଗେ ସଙ୍ଗେ online ରେ ମଧ୍ୟ ମିଳିପାରିବ । ଅନଲାଇନରେ ଏହାକୁ www.indiabookbazar.com ଏବଂ www.odiabookbazar.com ୱେବସାଇଟ ଜରିଆରେ ଅର୍ଡର କରି ହେବ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: କବିତା, ନିବନ୍ଧ, ପୁସ୍ତକ, ବିଷ୍ଣୁପଦ ସେଠୀ, ସାହିତ୍ୟ

ଦୃଷ୍ଟିପାତ:  ଶବ୍ଦର ବିଷ୍ଣୁପଦୀ: ବିଷ୍ଣୁପଦଙ୍କ କବିତା

January 24, 2016 by ନିଉଜ ଡେସ୍କ Leave a Comment

ପ୍ରଫେସର ବିଜୟ କୁମାର ଶତପଥୀ

“Art is the product of society as the pearl is the product of oyster, and to stand outside art is to stand inside society. The criticism of art differs from pure enjoyment or creation in that it contains a sociological component. In art criticism values are ranged and integrated in a perspective or worldview which is more general view of art from outside.

It is an active view implying an active living relation to art and not a cold contemplation of it, and implying therefore a view of art as active with an explosive, energetic content
and it is a view of art, not of society or of the mind” (1)

bishnupada
ବିଷ୍ଣୁପଦ ସେଠୀ

ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପ୍ରସିଦ୍ଧ ସାହିତ୍ୟ ସମାଲୋଚକ ଖ୍ରୀଷ୍ଟୋଫର କଙ୍ଗୱେଲ ତାଙ୍କର ‘ଇଲ୍ୟୁଜନ ଆଣ୍ଡ ରିଏଲିଟି’ ଗ୍ରନ୍ଥରେ । କଳା ଓ ସାହିତ୍ୟର ସମାଜନିଷ୍ଠତା ଓ ଏହାର ଗଣ ଆବେଦନ ସମ୍ପର୍କରେ ସେ ଚର୍ଚ୍ଚା କଲାବେଳେ ସେ ସମୂହ ମାନସିକତା, ସମୂହ ଭାବାବେଗ କିପରି ସାର୍ଥକ ଓ ଉଚ୍ଚମାନର କବିତାଗୁଡିକରେ କ୍ରିୟାଶୀଳ ତାହା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

କବିତାଟିଏ ଲେଖିସାରିଲା ପରେ ତାହା ଆଉ କବିର ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହେ ନାହିଁ । ତାହା ହୁଏ ସମାଜର ସମୂହ ମଣିଷର । ତେଣୁ ସାର୍ଥକ କବିତା ସବୁବେଳେ ସାମାଜିକ ବାସ୍ତବତାର କଥା କହେ । ଏ ପ୍ରସଙ୍ଗରେ ଆମେ ସ୍ମରଣ କରିବା ଠିକ ହେବ ଆଉ ଜଣେ କଳା ଓ ସାହିତ୍ୟର ବିଶିଷ୍ଟ ସମାଲୋଚକ ଅର୍ନଷ୍ଟ ଫିଶରକୁ ।

ତାଙ୍କ ମତରେ କଳା ଓ ସାହିତ୍ୟ ମଧ୍ୟରେ ନିହିତ ଏପରି କ୍ଷମତା ଯାହା ମଣିଷର ଖଣ୍ଡିତ ସତ୍ତାକୁ ପୂର୍ଣ୍ଣତା ଦେବାରେ ସମର୍ଥ ହୋଇଥାଏ । ସକଳ ମାନବିକ ସଂକଳ୍ପକୁ ଏହା ଦୃଢତର କରେ ଓ ବାସ୍ତବତାକୁ ନିବିଡ ଭାବରେ ଉପଲବ୍ଧି କରିବା ପାଇଁ ଏହା ସାହାଯ୍ୟ କରେ ।

Necessity of Art ଗ୍ରନ୍ଥରେ ସେଥିପାଇଁ ସେ କହନ୍ତି – “Art can raise man upfrom a fragmented stature into that of a whole, integrated being. Art enables man to comprehend reality and not only helps him to bear it, but increases his determination to make it more worthy of mankind” (2)

ଏହି ପ୍ରେକ୍ଷାପଟ୍ଟରେ ବିଚାର କରିବାକୁ ହେବ ସାଂପ୍ରତିକ କାଳର ଜଣେ ଯଶସ୍ୱୀ କବି ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କର କବିତା ସଂକଳନ ‘କୁଆଡେ ଯିବି’ର କବିତା ଗୁଡିକୁ । କବି ବିଷ୍ଣୁପଦଙ୍କ ବିଶେଷତ୍ୱ ହେଲା ଯେ ସେ ଜଣେ ଦ୍ୱିଭାଷୀ (bilingual) କବି । ଇଂରାଜୀ ଓ ଓଡିଆରେ ସେ କବିତା ଲେଖନ୍ତି । ଇଂରାଜୀରେ ପୁଣି ନିଜର ମାତୃଭାଷାରେ କବିତା ରଚନାର ଦକ୍ଷତା ହାସଲ କମ କଷ୍ଟସାଧ୍ୟ କଳା ନୁହେଁ ଯାହା ସେ ହାସଲ କରିଛନ୍ତି ।

ଓଡିଶାର ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଏହି ଦକ୍ଷତା ପ୍ରଦର୍ଶନ କରି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିସାରିଛନ୍ତି । କବି ବିଷ୍ଣୁପଦଙ୍କ କାବ୍ୟ ଭାବନା ସେହି ଦିଗରେ ଗତିଶୀଳ, ଏହା ଓଡିଶାର ପାଠକମଳନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । କାରଣ ତାଙ୍କର କବିତା ଗୁଡିକରେ ନିହିତ ଆମ ମାଟି, ପାଣି, ପବନର ଗାଥାକୁ ଇଂରାଜୀ ଭାଷା ମାଧ୍ୟମରେ ସେ ବିତରି ଚାଲିଛନ୍ତି ବିଶ୍ୱବାସୀଙ୍କ ଉଦେ୍ଧଶ୍ୟରେ ।

ତାଙ୍କର ଇଂରାଜୀ କବିତା ସଂକଳନ ‘‘Where Shall I Go’ (First Edition – 2005, Second Edition – 2007) My World of Words (2007), ‘ Beyond Feelings” (2012) , ପ୍ରଭୃତି ପ୍ରକାଶ ପାଇଛି ଓ ସେଗୁଡିକ ଏଳବିଂଶ ଶତକର ପ୍ରଥମ ଦୁଇଦଶନ୍ଧିରେ ଭାରତବର୍ଷ ତଥା ବିଦେଶରେ ଅଗଣିତ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିସାରିଛି । ଏପରିକି ‘Where Shall I Go” ର ଉର୍ଦୁ ଅନୁବାଦ ମଧ୍ୟ ୨୦୦୯ ମସିହାରେ ପ୍ରକାଶ ପାଇଛି ।

ଅନୁବାଦକ ହେଉଛନ୍ତି ସୋହାଇଲ୍ ଅଖଚ୍ଛାର । କବି ବିଷ୍ଣୁପଦଙ୍କର ଇଂରାଜୀ କବିତା ସଂକଳନ ‘Where Shall I Go’ ରେ ଥିବା ୭୫ ଟି କବିତା ମଧ୍ୟରୁ ସୁନିର୍ବାଚିତ କେତୋଟିକୁ ନେଇ ସେଗୁଡିକର ଅନୁବାଦ କରିଛନ୍ତି ଶ୍ରୀଯୁକ୍ତ ପର୍ଶୁରାମ ସ୍ୱାଇଁ । ଉକ୍ତ କବିତା ସଂକଳନ ସଂପର୍କରେ ପ୍ରସ୍ତୁତ ହୋଇଛି ଉକ୍ତ ଆଲେଖ୍ୟଟି ।

ତେବେ ବିଷ୍ଣୁପଦଙ୍କ କବିତା ସଂପର୍କରେ ଭାରତୀୟ ସାହିତ୍ୟର ଅଗ୍ରଗଣ୍ୟ ଲେଖକ ପଦ୍ମଶ୍ରୀ ମନୋଜ ଦାସ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯଥାର୍ଥ ।

“ବିଷ୍ଣୁପଦ ସେଠୀଙ୍କ କବିତାରେ ଯାହା ମତେ ସବୁଠାରୁ ବେଶି ଆକର୍ଷିତ କଲା ଏବଂ ତାହା ଥିଲା ମୋ ପାଇଁ ଏକ ଚମତ୍କାର ଆବିଷ୍କାର । ସେ ହେଲା ଅତୀତର ଆବେଗପୂର୍ଣ୍ଣ ସ୍ମୃତିର ଭାବମୟ ପରିପ୍ରକାଶ ସହିତ ପ୍ରକୃତିର ମଧୁର ଅନୁଭୁତି ଏବଂ ମାନବୀୟ ସ୍ୱଭାବର ଏକ ଅପୂର୍ବ ସଂଯୋଗ ।”

ମୂଳ ଇଂରାଜୀ କବିତାଗୁଡିକ ପଢିବାର ସୌଭାଗ୍ୟ ଏହି ଆଲୋଚକର ହୋଇଛି । ନିର୍ବାଚିତ କବିତା ଗୁଡିକର ଅନୁବାଦ ପଢିଲା ପରେ ମନେ ହେଲା ଯେ ମୁଳ କବିତା ଗୁହିକର ବକ୍ତବ୍ୟ ଓ ଭାବଧର୍ମ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚାହିଁଛନ୍ତି ଅନୁବାଦକ । ମନୋଜ ଦାସ ତାଙ୍କ ବକ୍ତବ୍ୟରେ ବିଷ୍ଣୁପଦଙ୍କ କବିତା ସଂପର୍କରେ ଯେଉଁ ‘ଚମତ୍କାର ଆବିଷ୍କାର’ କଥାଟି କହିଛନ୍ତି ଯାହା କବିଙ୍କର ତିନୋଟି ବୈଶିଷ୍ଟ୍ୟକୁ ଆଧାର କରି ଗଢିଉଠିଛି ବୋଲି ମନେହୁଏ ।

ସେଗୁଡିକ ହେଲା – (କ) ମୁଗ୍ଧ ଅତୀତର ଆବେଗପୂର୍ଣ୍ଣ ଅନୁଭବ ଗୁଡିକର ବାଙମୟ ପରିପ୍ରକାଶ, (ଖ) ପ୍ରକୃତି ସହ ଏକୀଭୁତ ହେବାର ଆକାଂକ୍ଷା, (ଗ) ଗଭୀର ମାନବବାଦୀ ଚିନ୍ତାଧାରାର କେରଳର ଆଉଜଣେ ବିଶିଷ୍ଟ ଦ୍ୱିଭାଷୀ କବି ଆଚୋମ ପୋଏଲି ରାଜୀବନ ବିଷ୍ଣୁପଦଙ୍କର କାବ୍ୟଚେତନା ସଂପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଲକ୍ଷ୍ୟ କରାଯାଉ ।

““Bishnupada Sethi’s poem have a sort of primeval innocence and an urban strength in them. His inscape reminds us of an unihabited interior of a forest land, where everything is as fresh and unpolluted as “the first flow in the river during rains’ and the ‘drew drops on green leaves’. In him meet two streams: a refined lyricism which some times soars up into what can be called Tagorian mysticism, and the down-to-earth folk tradition that often contextualises time and space in terms of a society’s collective memory”

ଉକ୍ତ ଆଲୋଚନାର ପ୍ରାରମ୍ଭରେ ସମାଜ ଜୀବନରେ ନିହିତ ସମୂହ ମାନସିକତା ଓ ଯାହା ଉଚ୍ଚ ମଳନର କବିତାର ବୈଶିଷ୍ଟ୍ୟ ତାହାକୁ ହିଁ ସ୍ୱୀକାର କରଛନ୍ତି ଏଙ୍ଖାରେ କବି ରାଜୀବନ୍ ବିଷ୍ଣୁପଦଙ୍କ କବିତାଗୁଡିକ ପଢିସାରିଲା ପରେ । ସଂକଳନସ୍ଥ କବିତା ଗୁଡିକର ଶିରୋନାମା ରହିଛି ଓଡିଆ ଓ ଇଂରାଜୀ ଏହି ଉଭୟ ଭାଷାରେ ।

ଯେପରି ‘ସେଦିନ ଓ ଆଜି’ (That Day and Today) , ‘ମୁଁ କାନ୍ଦିବାକୁ ଚାହେଁ’ (I Wish to Cry), ‘ମୋ ପିତୃପୁରୁଷଙ୍କ ପୃଥିବୀ’ (My World of Spirits),), ‘ସେଇ ଜଂଗଲର ଲୋକମାନେ’ (The Man in the Jungle), ‘ଟାଇଲ ଦେହରେ ଲେଖା’ ((The Inscriptions on the Tiles), ‘ଅସମାହିତ ପ୍ରଶ୍ନ’ ((Unsolved Queries), ‘ଅଶାନ୍ତ ସମୁଦ୍ର’ (Restless Sea), ‘ପ୍ରିୟ ନିରବତା’ (The Silence I Love), ‘ପାର୍କରେ ପ୍ରଭାତ’ (Morning in the Park), ‘କ୍ଷୁଦ୍ର  ମତ୍ସ୍ୟକନ୍ୟା’ (Little Mermaid), ‘ଜୀବନଯାତ୍ରା’ ((Journey), ‘ବିଦାୟ ମୋ ପଞ୍ଜୁରୀର ପକ୍ଷୀ’ (Bye ! The Bird of my cage), ‘ମୁଁ ଉପଭୋଗ କରେ’ (I Enjoy), ‘ଆମେ ତିଷ୍ଠି ରହିଛେ’ ((We Exist), ‘ପୂଜା’ (Worship), ‘ମୋ ଫଟୋଚିତ୍ର’ (My Photographs), ‘ମୋ ଫୁଲମାଳ’ (My Garland), ‘ମୁଁ ଯେବେ କାନ୍ଦେ’ ((As I Cry), ‘ମୁଁ ଶୋଇଯାଇଛି’ (I Have Gone to Sleep), ‘ସ୍ୱପ୍ନରୁ ବାସ୍ତବତା’ (From Dream to Reality), ‘ମୃତ୍ୟୁ’ (Death), ‘ଶୀତ ରାତି’ (The Winter Night), ‘ଜୀବନର ଶକ୍ତି’ (Forces of Life), ‘ବୃଦ୍ଧ ବଟ ବୃକ୍ଷ’ (The Old Banyan Tree), ଓ ଗ୍ରନ୍ଥର ଶୀର୍ଷକ କବିତା ‘କୁଆଡେ ଯିବି’ (Where Shall I Go) ।

ଗ୍ରନ୍ଥର ଏହି ଶୀର୍ଷକ କବିତା ‘କୁଆଡେ ଯିବି’ର ସ୍ୱର ଅନନ୍ୟ । ମାଟି ମନସ୍କତା, ପରଂପରା ମୋହ, ନିବିଡ ତଥା ଅନ୍ତରଙ୍ଗ ଜୀବନ ଦୃଷ୍ଟି ଉକ୍ତ କବିତାଟିକୁ ଆବୋରି ରହିଛି । ଭିଟା ମାଟିକୂୁ ଛାଡି କେଉଁଆଡେ ଯିବ କାବ୍ୟ ନାୟକ? ଯେଉଁ ଭିଟା ମାଟି ତା’ ବାପା, ଗୋସେଇଁ ବାପା, ପୂର୍ବପୁରୁଷଗଣ ଓ ବୁନିଆଦିର ସତ୍ତାକୁ ଧରି ପଡିରହିଛି କେଉଁ ଅନାଦି କାଳରୁ । କାବ୍ୟ ନାୟକର ହୃଦୟର ସ୍ପନ୍ଦନ ସେଇ ଭିଟା ମାଟି ଖଣ୍ଡକ । ତା’ ନିକଟରେ ଥିବା ବରଗଛ, ଝରଣା (ଝୋଲା) ଏସବୁ କେଉଁ କାଳରୁ ରହିଛନ୍ତି ତା’ର ଓ ତା’ ପୂର୍ବପୁରୁଷର ଅସ୍ତିତ୍ୱର ସ୍ମାରକୀ ହୋଇ ।

ସେଠାରେ ଘୂରି ବୁଲୁଛନ୍ତି ତା’ର ପୂର୍ବପୁରୁଷର ଆତ୍ମାମାନ । କେମିତି ବା ସେ ଛାଡି ଦେଇଯିବ ତା’ର ଏ ପ୍ରିୟ ମାଟିକୁ? ନିଜ ଭିଟାମାଟିରୁ ବିସ୍ଥାପିତ ହେବାର ଦୁଃଖରେ ମ୍ରିୟମାଣ କାବ୍ୟ ନାୟକ । ଜଗତୀକରଣ ଆଣିଛି ବିସ୍ଥାପନ, ଉପଭୋକ୍ତାବାଦ ଓ ସାଂସ୍କୃତିକ ବିଘଟନ । ମଣିଷକୁ ଚ୍ଛିନ୍ନମୂଳ କରିବା ହେଉଛି ତା’ର ଅଭିପ୍ରାୟ । ପଲ୍ଲୀଭୂମିର ସରଳ କୃଷକ ଓ ବନଗହନ ଜଳେ ବଂଚୁଥିବା ନିରୀହ ଆଦିବାସୀ ଏମାନେ ବି ଜଗତୀକରଣର ପଞ୍ଝାରୁ ମୁକ୍ତ ନୁହନ୍ତି ।

ଚଚ୍ଛୁର୍ଦ୍ଧିଗରେ ତା’ର ଆଧିପତ୍ୟ । ଗାଁ ଗୋହିରୀ, ଆଦିବାସୀ କୁଡିଆ, ସାଧାରଣ ମଣିଷର ଜୀବନଜର୍ଯ୍ୟା ଜଗତୀକରଣର ବିଷାକ୍ତ ହାୱାରେ କଳୁଷିତ, ବିପର୍ଯ୍ୟସ୍ତ, ସୁସ୍ଥ ମୂଲ୍ୟବୋଧ ବିଡମ୍ବିତ । କବିତାର ବକ୍ତବ୍ୟରୁ ବୁଛାପଡୁଛି କାବ୍ୟନାୟକ ସରଳ ଆଦିବାସୀଟିଏ ନିଶ୍ଚୟ । ଦ୍ରୁତ ସହରୀକରଣ ଓ ଶିଳ୍ପାୟନର ଦୁର୍ଦ୍ଧଶା ଆସି ପହଞ୍ଚିଛି ତା’ ଜୀବନରେ । ତା’ ମାଟିରୁ ତାକୁ ଉଚ୍ଛେଦ କରିବାପାଇଁ ଯେପରି ଷଡଯନ୍ତ୍ରର ବ୍ୟୁହ ରଚନା କରାଯାଇଛି । ପ୍ରୋଟାଗୋନିଷ୍ଟକୁ କେବଳ ଆଦିବାସୀ କୁହାନଯାଇ ବିଷବାଷ୍ପରେ ଜଳିଜଳାନ୍ତ ହେଉଥିବା ମାଟିର ମଣିଷମାନଙ୍କୁ । ସେଇ ମାଟିର ମଣିଷ ଯେମିତି କହୁଛି ଏଇଠି –

“କିଏ ବିସ୍ଥାପିତ କରିବ ଏ ବରଗଛକୁ ଯାହାତଳେ

ଆମ ଗୋସେଇଁପାଙ୍କର ଆତ୍ମା ଘୂରି ବୁଲୁଛି

କ’ଣ ହେବ ଏ ଚପଳ ଛନ୍ଦା ଛରଣାର? ଯେ ଅନବରତ

ଅସ୍ତିତ୍ୱର ଓଁକାର ଗାନ କରଚଛି, ଆଉ ଏ

ପାହାଚ? ଯାହାର ସ୍ମୃତିର ମହୁଫେଣାମାନ ଯୁଗ

ଯୁଗରୁ ଦାନା ବାନ୍ଧି ଆସିଛି ।”

ମାଟି ମନସ୍କତା, ପରଂପରା ସହ ଏକୀଭୂତ ହୋଇ ମହତର ଜୀବନର ଜୟଗାନ ଓ ସର୍ବୋପରି ସୁସ୍ଥ ମୂଲ୍ୟବୋଧର ବିରୋଧୀ ସତାମାନଙ୍କର କବଳରୁ ମୁକ୍ତ ନେବାପାଇଁ ପ୍ରୟାସ ଏହି କବିତାରେ ପ୍ରତିଫଳିତ ହୋଇଥିବା ଯୋଗୁଁ ଏହାକୁ ଏକ ଉଚ୍ଚକୋଟୀର ଆଧୁନିକ କବିତା (post modern poetry) ଭାବରେ ଗ୍ରହଣ କରାଯାଇପାରିବ ।

କାବ୍ୟନାୟକ ପାଇଁ ତା’ର ପିତୃପୁରୁଷର ପୃଥିବୀ ହେଉଛି ମହାନ୍ । ସେଠି ଅଲିଖିତ ପିତୃପୁରୁଷଙ୍କ ସମ୍ବିଧାନ ପରଂପରାର ମନ୍ତ୍ରରେ ଅଭିମନ୍ତ୍ରିତ । ସେଠାରେ ମନ୍ଦିର ହେଉଛି ଗୋଷ୍ଠୀବଦ୍ଧ ଜୀବନ ଓ ଭଗବାନ ହେଉଛନ୍ତି ସେହି ଗୋଷ୍ଠୀବଦ୍ଧ ଜୀବନର ସମୂହ ସତା ବିଶେଷ । ସେଇ ମନ୍ଦିରରେ ନୀଦବ ମନ୍ତ୍ର ଉଚ୍ଚାରଣ କରନ୍ତି ସଦା ପିତୃପୁରୁଷଗଣ ।

‘ମୋ ପିତୃପୁରୁଷ ପୃଥିବୀ କବିତା’ରେ ମାଟି ମନସ୍କଚ୍ଛାର ଉଚ୍ଚରଣ ବେଶ୍ ତାପ୍ତର୍ଯ୍ୟପୂର୍ଣ୍ଣ । “ମୋ ପିତୃପୁରୁଷଙ୍କ ଅଲିଖିତ ସମ୍ବିଧାନ, ସଦା ଶିରୋଧାର୍ଯ୍ୟ ପରଂପରା ପ୍ରବାହିତ ସତ୍ୟ ସମୟର କଷଟିରେ ସଦା ପରୀକ୍ଷିତ । ପାହାଡ ମଥାନ ଆଉ ସୂର୍ଯ୍ୟ-ଚନ୍ଦ୍ର-ତାରା ଆମ ଭଗବାନ ସତ୍ୟ ସନାତନ ।”

ଅତୀତର ମୁଗ୍ଧ ଉଚ୍ଚାରଣ ସହ ଭବିଷ୍ୟତର ଦୃଶ୍ୟପଟ୍ଟକୁ ଉପସ୍ଥାପନ କରାଯାଇଛି ‘ସେଦିନ ଓ ଆଜି’ କବିତାରେ । କବିତାରେ ରୁପାୟିତ ଜୀିବନ ବୃତ୍ତର କାହାଣୀ । ଦୁଇଟି ସ୍ତବକ ରହିଛି କବିତାରେ । ପ୍ରଥମ ସ୍ତବକଟିରେ ଜୀବନର କୋଳାହଳ ମୁଖରିତ ଦିନ । ଜୀବନ ସାଥୀକୁ ଭେଟିବାର ଦିନ, ପରିଣୟ ପୀଠ ଉପରେ ଚାରିଚକ୍ଷୁ ବିସ୍ମିତ ମିଳନ ହେବାର ଦିନ ।

ନୂଆ ଜୀବନଟେ ଆରମ୍ଭ ହେଉଛି ସେହିଦିନଠାରୁୂ । ପ୍ରାଣ ସଙ୍ଗିନୀର ହାତଧରି ସୁଖ ଦୁଃଖର ଲମ୍ବା ରାସ୍ତାକୁ ଅତିକ୍ରମ କରିବାକୁ ପଡିଛି ସେହିଦିନଠାରୁ । ତେବେ ଆଜି ରାସ୍ତା ସବୁ ସରି ଯାଉଛି ।

ଜୀବନ ବୃତ୍ତର କାହାଣୀ ସରୁଛି ବିୟୋଗାନ୍ତକ ନାଟକର ଶେଷ ଦୃଶ୍ୟ ପରି । ପଡିଯାଉଛି ଜୀବନର ଯବନିକା । କବି ବିଷ୍ଣୁପଦ ତା’ରି ଚିତ୍ରପଟ୍ଟ ଥୋଇ ଦେଇଛନ୍ତି ଅନୁପମ ଶବ୍ଦ ସଂଯୋଜନା ମାଧ୍ୟମରେ । ସେଇ ଯବନିକାପାତର ଛାତିଫଟା ଦୁଃଖ ଓ ହାହାକାରର ଚିତ୍ର ଏହିପରି –

“ପାଟିତୁଣ୍ଡ ଓ ଗହଳ ଚହଳନାହିଁ, ତୁମେ ଲୋତକରେ

ଭିଜିଯାଇଛ ସେଠାରେ ଅନେକ ତୁମକୁ ସାନ୍ତ୍ୱନା

ଦେଉଛନ୍ତି ତୁମର କରୁଣ ଚିକ୍ରାର ନୀରବତାକୁ

ବିଦୀର୍ଣ୍ଣ କରୁଛି, ତୁମେ ଜାଣିବାକୁ ଚାହୁଁଛ

କିଛି ବର୍ଷ ଜଳେ ଗଢି ଉଠିଥିବା ସେହି ଆଶା

ସ୍ୱପ୍ନର ଓ ସଂପର୍କରେ ।”

ଉଲ୍ଲେଖ ଯୋଗ୍ୟ ଯେ ବିଷ୍ଣୁପଦଙ୍କ କବି ସତ୍ତାକୁ ଘେରି ରହିଛି ଏକ କାରୁଣ୍ୟ ଯେତେବେଳେ ସେ ଅତୀତର ସ୍ମୃତି ଚାରଣ କରୁଛନ୍ତି ତାଙ୍କର କବିତା ଗୁଡିକରେ । ଏହାକୁ (romantic pessimism) ବୋଲି ଅଭିହିତ କରିହେବ । ପୂର୍ବ ଆଲୋଚିତ କବିତା ‘ମୁଁ କାନ୍ଦିବାକୁ ଚାହେଁ’ କବିତାର କାବ୍ୟନାୟକକୁ କବି ଯେପରି ଭାବରେ ଉପସ୍ଥାପନ କରିଛନ୍ତି ତାହା ଆମ ବକ୍ତବ୍ୟର ସତ୍ୟତା ପ୍ରତିପାଦନ କରେ ।

ଅତୀତରେ ସାଇତା ହୋଇ ରହିଥାଏ ଗଲା ହଚିଲା ଦିନର ସ୍ମୃତି । ନିରୋଳାରେ ନିଃଶବ୍ଦରେ ଅତୀତର ପଦପାତ ମନରେ ଆଣେ ବେଦନା ମିଶ୍ରିତ ଆନନ୍ଦ ଯାହାକୁ (romantic pleasure) ବୋଲି କୁହାଯାଏ । ଏହାର ଅନୁଭବକୁ କବି ଯେପରି ପ୍ରକାଶ କରିଛନ୍ତି ତାର ପିୟଦଂଶ ଆଲୋଚ୍ୟ କବିତାରୁ ନିମ୍ନରେ ଦିଆଗଲା ।

“ସ୍କୁଲ ଦିନ ଗୁଡାକ ଭାରି ମନେ ପଡେ ଆଉ ମନେ

ପଡେ ବୋହୂ ଚୋରି, ବାଗୁଡିର ଦିନ ଜିତିବା,

ହାରିବାର ଦିନ, ଆଉ ସେଦିନ, ଯେବେ ପ୍ରିୟଜନ

ପାଖରେ ଛିଡାହୋଇ କାନ୍ଧରେ ହାତ ରଖିବାର ଦିନ ।

ସେମାନଙ୍କ ସମ୍ମାନାର୍ଥେ ଆଜି କାନ୍ଦିବାକୁ ଇକ୍ତା ହୁଏ ।”

ଆଜିର ମଣିଷ କାନ୍ଦିବାକୁ ଶିଖିନି । ପ୍ରାଣ ଖୋଲା ହସ ହସିବାକୁ ସେ ମଧ୍ୟ ଚାହୁଁନି । ଆଖିର ଅଶ୍ରୁଜଳରେ ଅତୀତର ପ୍ରତିବିମ୍ବ ଦେଖିବାପାଇଁ ସେ ବିମୁଖ । ଅତୀତ କିପରି ମଣିଷର ଗୋପନ ହୃଦୟରେ କଥା କହେ, ପ୍ରାଣକୁ କୁଣି କୁଲକିତ ଓ ଉଚ୍ଚକିତ କରେ – ସେ ଭାଷାକୁ ସେ ବୁଝିବା ପାଇଁ ଅସମର୍ଥ । ଜଡତ୍ୱ ଓ ଅଥର୍ବପଣିଆ ଗଆସ କରିଥିବା ଏଇ ଆଧୁନିକ ମଣିଷ ପାଇଁ ‘ମୁଁ କାନ୍ଦିବାକୁ ଚାହେଁ’ କବିତାର ମେସେଜ୍ ଖୁବ୍ ତାପ୍ତର୍ଯ୍ୟପୂର୍ଣ୍ଣ ।

ପ୍ରକୃତି ସହ ଏକାତ୍ମ ହେବାକୁ ଚାହାନ୍ତି କବି ବିଷ୍ଣୁପଦ । କବିଙ୍କର ଏହି ଭାବକୁ କବି Worldsworthଙ୍କର ଦୃଷ୍ଟିଭଙ୍ଗୀ ଅନୁଯାୟୀ Patnheism ବୋଲି କହିହେବ । କବି ପରି ଦୃଶ୍ୟମାନ ଜଗତକୁ ନୂଆ ନୂଆ ଢଙ୍ଗରେ ଅବଲୋକନ କରିଛନ୍ତି । ଏହା ତାଙ୍କର କବିତା ଗୁଡିକରେ ଆଣୁଛି ନୂଆ ପୁଲକ ଓ ଉନ୍ମାଦନା ।

Freshness ସହିତ spontaneity ମିଶି ରହିବା ଫଳରେ ଏହା ପାଠକର ମରମଛୁଆଁ ହୋଇପାରିଛି । ମଧ୍ୟେ ମଧ୍ୟେ ଦୃଶ୍ୟରୁ ଦୃଶ୍ୟାନ୍ତରକୁ ଗତି କଲାବେଳେ କବି ରହସ୍ୟବାଦୀ ହୋଇପଡିଛନ୍ତି । କବିଗୁରୁ ରବୀନ୍ଦ୍ର ନାଥ ଓ କବି ବୈକୁଣ୍ଠନାଥଙ୍କ ପରି ରୂପାତୀତ ସ ଦୃଶ୍ୟାତୀତର କଥା ସେ କହୁଛନ୍ତି ତାଙ୍କର ଶବ୍ଦ ଚିତ୍ର ଗୁଡିକରେ । ‘ପ୍ରିୟ ନୀରବତା’, ‘ପାର୍କରେ ପ୍ରଭାତ’, ‘ମୁଁ ଉପଭୋଗ କରେ’ ପ୍ରଭୃତି କବିତାରେ ଏହାର ଦୃଷ୍ଟାନ୍ତ ମିଳିବ ।

ଗଭୀର ନିର୍ଜନତା ସହ ଏଳାକାର ହୋଇଯିବା, ନୀରବ, ନିଥର ପ୍ରକୃତିର ଭାଷା ପଢିବାକୁ ଚାହିଁଛନ୍ତି କବି । ଝରଣା, ପଥର, ନିବିଡ ଅରଣ୍ୟାନୀ ତାଙ୍କ ଅନ୍ତରରେ ଗୋପନ କଥା କହିଛି । ତା’ରି ମଧ୍ୟରେ ରହିଛି ଈଶ୍ୱରଙ୍କ ଅସ୍ତିତ୍ୱ । ‘ପୂଜା’, ‘ଫୁଲମାଳ’ କବିତାରେ କବି ସେଇ ଐଶ୍ୱରିକ ସତ୍ତାର ଅନ୍ୱେଷଣ କରିଛନ୍ତି । ଯାଇଛନ୍ତି ରୂପରୁ ରୂପାତୀତକୁ, ଦୃଶ୍ୟରୁ ଦୃଶ୍ୟାତୀତକୁ । ଜୀବନୀ ଶକ୍ତିର ସନ୍ଧାନ ଓ ପ୍ରାଣ ପ୍ରାଚୁର୍ଯ୍ୟର ଆବାହନ ସେ ଶିଖିଛନ୍ତି ପ୍ରକୃତି କୋଳରୁ ।

‘ଜୀବନର ଶକ୍ତି’ ଓ ‘ବୁଦ୍ଧ ବଟବୃକ୍ଷ’ କବିତା ଦୁଇଟି ଏ ଦୃଷ୍ଟିରୁ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ଉପତ୍ୟକାରବୁକୁଚିରି ବହିଯାଉଥିବା ଅବିଶ୍ରାନ୍ତ ଝରଣା, ନୂତନ ସକାଳର ଛବି, ସନ୍ଧ୍ୟାର ଶୀତଳ ମୃଦୁ ସମୀରଣ, ଗୋଧୁଳି ଭଗ୍ନ ଏସବୁ ଭରିଦିଏ କବି ପ୍ରାଣରେ ଅଫୁରନ୍ତ ଜୀବନୀଶକ୍ତି । କବିଙ୍କ ଭାଷାରେ –

“ସନ୍ଧ୍ୟାର ଶୀତଳ-ମୃଦୁ-ସମୀରଣ ତମ୍ତ ପୃଥିବୀକୁ

ବିଂଚି ବିଂଚି ଯାଏ ଯେତେବେଳେ ଏକ ପ୍ରଶସ୍ତ ସୂକ୍ଷ୍ମ

ପରଦା ଗୋଧୂଳି ସମୟକୁ ଆଚ୍ଛାଦିତ କରେ । ଏ ସବୁ

ଭିତରେ ମୁଁ ଖୋଜେ ଏକ ମୁଗ୍ଧ-ମଧୁର ସଂଗୀତର

ମୂର୍ଚ୍ଛନା ଏବଂ ଜୀବନର ଏହି ଶକ୍ତି ସମ୍ମୁଖରେ ମୋର

ମସ୍ତକ-ଅବନମିତ କରେ ।”

‘ବୁଦ୍ଧ ବରଗଛ’ କବିତାରେ ସେହିପରି ରହିଛି ସମୟରୁ ସମୟାତୀତ ହେବାର ପରିକଳ୍ପନା । ବରଗଛଟି ବୁଢା ହୋଇଯାଇପାରେ କିନ୍ତୁ ତାର ଓହଳ ଗୁଡିକ ମଧ୍ୟରୁ ପୁଣି କଅଁଳି ଉଠେ ଜୀବନୀ ଶକ୍ତି । ସେଥିରୁ ଜନ୍ମ ନିଏ ପୁଣି ଶାଖା ପ୍ରଶାଖାଯୁକ୍ତ ବୃକ୍ଷ । ତେଣୁ ଜୀବନର ଅସରନ୍ତି ଶୋଭାଯାତ୍ରା ତାର ଅସମ୍ଭବ ପ୍ରାଣଶକ୍ତି ସଂପର୍କରେ କବି ଏହି କବିତା ଦୁଇଟିରେ ବେଶ୍ ସଚେତନ ।

ସମଗ୍ରତଃ ‘କୁଆଡେ ଯିବି’ ସଂକଳନରେ ସ୍ଥାନିତ ହୋଇଛି ଜୀବନଧର୍ମୀ କବିତା ସମୂହ ଯାହା ବିଶାଳ ପ୍ରକୃତିକୁ ସମୂହ ମାନବକୁ ତାର ସକଳ ସୁଖ ଦୁଃଖକୁ କୋଳେଇ ନେବାରେ ସମର୍ଥ । ସାର୍ଥକ କବିତା ହେଉଛି ଶବ୍ଦର ଗଙ୍ଗୋତ୍ରୀ । ପବିତ୍ର ଗଙ୍ଗାଧର ପରି ସ୍ୱଚ୍ଛ, ନିର୍ମଳ କବିତ୍ୱର ପରିପ୍ରକାଶ ରହିଛି ଆଲୋଚ୍ୟ କବିତା ସଂକଳନର କବିତା ଗୁଡିକରେ ।

ପୁରି ।ବ୍ଦ ଓ ଅର୍ଥର ଲୁଚକାଳି ଖେଳକୁ ସରଳ, ସାଲୀଳ ଓ ପରିଛନ୍ନ ଶୈଳୀରେ ପ୍ରକାଶ କରିବା ଏକ ଆୟାସାଧ୍ୟ ବ୍ୟାପାର ନିଶ୍ଚୟ । କବି ବିଷ୍ଣୁପଦ ଏହି କ୍ମୃସାଧ୍ୟ କଳାକୁ ଆୟତ୍ତ କରିପାରିଛନ୍ତି ତାଙ୍କର ଏଇ ଜୀବନଧର୍ମୀ କବିତା ଗୁଡିକରେ ।

ସେ ଶବ୍ଦର, ଶୈଳୀର ମୁକ୍ତ ପ୍ରବାହ ରଚିଛନ୍ତି ବିଷ୍ଣୁପଦ ପରି ଓ ବିଷ୍ଣୁପଦୀର ପବିତ୍ର ପ୍ରବାହ ଆମର ପାଠକମାନଙ୍କ ପାଇଁ ଆଣିଛନ୍ତି ବୋଲି ସ୍ୱୀକାର କରିବାକୁ ହେବ । କବି ଇଞ୍ଜିନିୟରିଂ ପଢିଛନ୍ତି, ଭାରତୀୟ ପ୍ରଶାସନିକ ସେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମାନ ସଫଳତାର ସହ ନିର୍ବାହ କରିଛନ୍ତି । ଏଇ ସବୁ ବ୍ୟସ୍ତତା ଓ ଜଂଜାଳ ମଧ୍ୟରେ ରହି ସେ ଜୀବନ ଓ ଜଗତକୁ ତାଙ୍କର ଅନ୍ତର୍ଚକ୍ଷୁ ନେଇ ଯେପରି ଦେଖି, ପରଖିଛନ୍ତି – ସେଇ କଥା କହିଛି ତାଙ୍କର କବିତା ସମୂହ, କୌଣସି କପଟଚ୍ଛା ଓ ଛଳନାର ଆଶ୍ରୟ ନ ନେଇ ।

କବିତା ସଂକଳନର ପ୍ରଚ୍ଛଦ ପାଇଁ ସେ ସଉରା ଆଦିବାସୀଙ୍କର କୁଡିଆର ଭିତର ଘରକୁ ସଜ୍ଜିତ କରିବାପାଇଁ ଚାଉଳ ଚୂନା ଓ ପାଣିର ମିଶ୍ୟଣରେ ହୋଇଥିବା ଚିତ୍ରଟିକୁ ନେଇଛନ୍ତି ଯାହା ବୈଶାଳୀ ସେଠୀଙ୍କର ନିପୁଣ ହାତରେ ହୋଇଛି ଅଙ୍କିତ । ଏହା କବିଙ୍କର ପ୍ରସାରିତ ଜୀବନଦୃ୍େୟି ଓ ମାନବ ସଂପ୍ରୀତିର ଉଜ୍ଜ୍ୱଳତମ ଦୃଷ୍ଟାନ୍ତ ।

କବିତାରେ ବିଷ୍ଣୁପଦୀର ପବିତ୍ର ପ୍ରବାହ ଆଣୁଥିବା ବିଷ୍ଣୁପଦ କାବ୍ୟ ଭାବନାକୁ ସେଥିପାଇଁ ଇଚ୍ଛାହୁଏ ଅନ୍ତରରେ ସାଇତି ରଖିବାପାଇଁ ।

Reference:
1. Illusion and Reality, – Introduction, P.P.H., New Delhi, 1956, page-XIV.
2. The Necessity of Art – Penguin Books Pvt. Ltd.- 1963, page-15
ସତସଙ୍ଗ ଲେନ୍ , ଦରଖାପାଟଣା
କଲ୍ୟାଣୀନଗର, କଟକ – ୧୩
ଦୂରଭାଷା – ୯୦୪୦୬୦୮୦୭୩

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: Where Shall I Go, କବିତା, ବିଷ୍ଣୁପଦ ସେଠୀ, ସାହିତ୍ୟ

ପୁରସ୍କାର ଫେରାଇବା ବିପକ୍ଷରେ ଓଡିଶା ଲେଖକ

October 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: କପିଳାସ ଭୂୟାଁ

ଭୁବନେଶ୍ଵର, ଅକ୍ଟୋବର ୨୨ (ଓଡିଶା ଡଟ କମ) ସାରା ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ କରି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବିଭିନ୍ନ ରାଜ୍ୟର ତିରିଶରୁ ଅଧିକ ଲେଖକ ସେମାନଙ୍କ ପୁରସ୍କାର ଫେରେଇଛନ୍ତି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ମଧ୍ୟ ।

ରମାକାନ୍ତ ରଥ
ରମାକାନ୍ତ ରଥ

ତେବେ ଆମ ରାଜ୍ୟରୁ କୌଣସି ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଲେଖକ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓଡିଶାର ଲେଖକମାନଙ୍କ ମତାମତ ଅନୁଶୀଳନ କଲେ ଲାଗେ ଯେ ଅଧିକାଂଶରେ ଆମ ଲେଖକମାନେ ଏଭଳି ପଦକ୍ଷେପରେ ବିଶ୍ଵାସ ରଖନ୍ତି ନାହିଁ ।

ବିଜୟ ମିଶ୍ର
ବିଜୟ ମିଶ୍ର

ବରଂ ମନେ କରନ୍ତି ଯେ ପୁରସ୍କାର ଲେଖକଙ୍କ କୃତିକୁ ଦିଆ ଯାଇଥାଏ, ଲେଖକଙ୍କୁ ନୁହେଁ। ତେଣୁ ପୁରସ୍କାର ଫେରେଇବା ଅଧିକାର ଲେଖକଙ୍କର ନାହିଁ । ପୁଣି ଆଉ କେତେକ ଲେଖକ ପୁରସ୍କାର ଫେରସ୍ତକୁ ଶସ୍ତା ରାଜନୀତି ଓ ଆତ୍ମପ୍ରଚାର ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ।

ମୂଳ ପ୍ରସଙ୍ଗ ହେଲା କି ଯେ ଗତ ଅଗଷ୍ଟ ମାସ ଶେଷ ବେଳକୁ କର୍ଣାଟକ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ହେତୁବାଦୀ ଲେଖକ ଡ॰ ଏମଏମ କଲ୍ବର୍ଗୀଙ୍କୁ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୁଳିମାରି ହତ୍ୟା କଲେ। ଧାର୍ମିକ ଅସହିଷ୍ଣୁତା କାରଣରୁ ଏହି ହତ୍ୟା କରାଯାଇଛି ବୋଲି ପ୍ରଚାରିତ ହୋଇଥିଲା ।

ଦାସ ବେନହୁର
ଦାସ ବେନହୁର

ତାହାର ଠିକ ପରେ ପରେ ଉତ୍ତର ପ୍ରଦେଶର ଦାଦ୍ରିଠାରେ ଗୋମାଂସ ଭକ୍ଷ୍ୟଣ କରିଥିବା କାରଣରୁ ମହମ୍ମଦ ଇକ୍ଲାକ ନାମକ ଜଣେ ବ୍ୟକ୍ତିଙ୍କୁ ଲୋକ ମାନେ ପିଟିପିଟି ମାରିଦେଲେ। ଏହା ପରେ ସାହିତ୍ୟିକ ମାନେ ଗୋଟିଏ ପରେ ଗୋଟିଏ ସେମାନଙ୍କର ପୁରସ୍କାର ଫେରାଇବା ଆରମ୍ଭ କଲେ ।

ଓଡିଶାର ବିଶିଷ୍ଟ କବି ରମାକାନ୍ତ ରଥଙ୍କ ମତରେ “ପୁରସ୍କାର ସାହିତ୍ୟିକଙ୍କୁ ନୁହେଁ ବରଂ ସାହିତ୍ୟକୁ ଦିଆଯାଇଥାଏ। ପୁରସ୍କାର ଫେରେଇବା ଅର୍ଥ ସାହିତ୍ୟର ଅସମ୍ମାନ କରିବା”।

ଶାନ୍ତନୁ ଆଚାର୍ଯ୍ୟ
ଶାନ୍ତନୁ ଆଚାର୍ଯ୍ୟ

ଏହା ସହ ପଢନ୍ତୁ !

  • ଅସହିଷ୍ଣୁତାର ସୀମା- ପ୍ରଶାନ୍ତ ପଟ୍ଟନାୟକ (ତୃତୀୟ ନୟନ)
  • ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)

ଅନ୍ୟପକ୍ଷରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ପୁରସ୍କାର ଫେରେଇବାକୁ ଏକ ବ୍ୟକ୍ତିଗତ ନିଷ୍ପତି ବୋଲି ଅଭିହିତ କରିବା ସହ ଏହା ଏକ ଯୁକ୍ତିଯୁକ୍ତ ପଦକ୍ଷେପ ନୁହେଁ ବୋଲି ମନେ କରନ୍ତି ଓ (ବହୁ ପୂର୍ବରୁ) ଜଣେ ପାଇଥିବା ସମ୍ମାନ ଫେରେଇଦେବା ଠିକ ନୁହେଁ ବୋଲି ମତ ଦିଅନ୍ତି।

ସୌଭାଗ୍ୟ ମିଶ୍ର
ସୌଭାଗ୍ୟ ମିଶ୍ର

ଆମ ସମୟର ଅନ୍ୟତମ ବିଶିଷ୍ଟ ଉପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏଭଳି ପୁରସ୍କାର ଫେରସ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଥିଲା ବେଳେ ବିଶିଷ୍ଟ କବି ପ୍ରଫେସର ସୌଭାଗ୍ୟ କୁମାର ମିଶ୍ରଙ୍କ ମତ ହେଲା, “ଯେଉଁମାନେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛନ୍ତି ପ୍ରକୃତରେ ତାହା ଠିକ ନୁହେଁ”।

PratibaRay
ପ୍ରତିଭା ରାୟ

“ଏକଥା ସତ, ମୌଳିକ ଅଧିକାର ଉପରେ ଆକ୍ରମଣ ହୋଇଛି। ତେଣୁ ଏହା ବିରୋଧରେ ପ୍ରତିବାଦ କରିବା କେବଳ ଲେଖକ ନୁହନ୍ତି ପ୍ରତ୍ୟେକଙ୍କର ଅଧିକାର ଅଛି।

କିନ୍ତୁ ପୁରସ୍କାର ଫେରେଇବା ଠିକ ନୁହେଁ, କାରଣ ଏହାକୁ କେନ୍ଦ୍ର ସରକାର ଦିଅନ୍ତି ନାହିଁ”, କହନ୍ତି ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଲେଖିକା ଡ॰ ପ୍ରତିଭା ରାୟ।

Sitakanta-Mahapatra
ସୀତାକାନ୍ତ ମହାପାତ୍ର

“… ମୋ ମତରେ ପ୍ରତ୍ୟେକ ସୃଜନଶୀଳ ଲେଖକ ପୁରସ୍କାର ନଫେରେଇ ନିଜର ସୃଜନ ସୃଷ୍ଟି ମାଧ୍ୟମରେ ଏହାର ଜବାବ ଦେବା ଉଚିତ”, କହନ୍ତି ଅନ୍ୟତମ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର।

ସେହିଭଳି ବିଶିଷ୍ଟ ସାହିତ୍ୟିକ ଦାସ ବେନହୁରଙ୍କ ମତ ହେଲା କି ଯେ ବ୍ୟକ୍ତିଗତ ଭାବେ ପୁରସ୍କାର ଫେରେଇବା ଅପେକ୍ଷା ସାମୁହିକ ଭାବେ ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇ ପାରିଥିଲେ ଭଲ ହୋଇଥାନ୍ତା।

ହରପ୍ରସାଦ ଦାସ
ହରପ୍ରସାଦ ଦାସ

ତେବେ ଆମ ସମୟର କବି ଓ ଚିନ୍ତକ ହର ପ୍ରସାଦ ଦାସଙ୍କ ସ୍ଵର ଅତି ସ୍ପଷ୍ଟ – “ପୁରସ୍କାର ପାଇବାର ୨୦/୩୦ ବର୍ଷ ପରେ, ସମସ୍ତ ଯଶ ଅର୍ଜନ କରିସାରିବା ପରେ ପୁରସ୍କାରକୁ ଫିଙ୍ଗିଦେବା ଅନୈତିକ ଓ ଅସୁନ୍ଦର”।

gaurahari das
ଗୌରହରି ଦାସ

କେନ୍ଦ୍ର ସାହିତ୍ୟ ଏକାଡେମିର କାର୍ଯକାରିଣୀ ସଦସ୍ୟ ଥିବା ବିଶିଷ୍ଟ ଲେଖକ ଗୌରହରି ଦାସ କହନ୍ତି, “ସାହିତ୍ୟ ଏକାଡେମି ଆସନ୍ତା ୨୩ ତାରିଖରେ ଏ ବିଷୟରେ ଆଲୋଚନା କରିବା ପାଇଁ ବୈଠକ ଡାକିଛନ୍ତି ।

ମୋ ବିଚାରରେ ମାସେ ପୂର୍ବରୁ ଏହି ବୈଠକ ଡକାଯାଇଥିଲେ ପରିସ୍ଥିତି ଏତେ ବାଟକୁ ଆସି ନଥାନ୍ତା”।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: କପିଳାସ ଭୂୟାଁ, ଧାର୍ମିକ ଅସହିଷ୍ଣୁତା, ପୁରସ୍କାର, ଫେରାଇବା

ମନୋଜ ପଣ୍ଡାଙ୍କୁ ଶାରଳା ପୁରସ୍କାର

August 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୨୧ (ଓଡିଶା ଡଟ କମ) ଓଡ଼ିଶାର ଖ୍ୟାତନାମା କଥାଶିଳ୍ପୀ ତଥା ଭାଷା ବିଚାରକ ମନୋଜ କୁମାର ପଣ୍ଡାଙ୍କୁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି  ।

manoj pandaଆର୍ଥିକ ଦୃଷ୍ଟିରୁ ଓଡ଼ିଶାର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଭାବରେ ପରିଗଣିତ ଶାରଳା ପୁରସ୍କାର ଚୟନ କମିଟି ଗତ କିଛି ବର୍ଷ ଧରି ନିଜ ଚୟନ ପଦ୍ଧତିକୁ ନେଇ ବେଶ୍‍ ବିସ୍ମୟକର ନିଷ୍ପତ୍ତି ନେଇଛନ୍ତି  ।

ମୁଖ୍ୟ ସ୍ରୋତଠୁ ଦୂରରେ ରହି ସାହିତ୍ୟ ସାଧନା କରୁଥିବା ନିଷ୍ଠାପର ଲେଖକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାର ଏକ ସୁନ୍ଦର ଧାରା ଆରମ୍ଭ ହୋଇଛି  ।

ଯାହା ଫଳରେ ପ୍ରଫୁଲ୍ଲ ଦାସଙ୍କ ଭଳି ଲେଖକଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି  । ଚଳିତ ବର୍ଷ ଏହି କ୍ରମରେ ଆଉ ଏକ ବିସ୍ମୟକର ନିଷ୍ପତ୍ତି ହେଉଛି ମନୋଜ ପଣ୍ଡାଙ୍କୁ ଶାରଳା ପୁରସ୍କାର ମନୋଜ କୁମାର ପଣ୍ଡା ଖୁବ୍‍ ବେଶି ଲେଖିନାହାନ୍ତି  ।

ତାଙ୍କର ତିନୋଟି ମାତ୍ର ଗଳ୍ପ ସଂକଳନ – ହାଡ଼ ବଗିଚା, ବର୍ଣ୍ଣବଗିଚା ଓ ମାୟା ବଗିଚା  । ମାୟା ବଗିଚା ଗଳ୍ପ ସଂକଳନ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ  ।

ଅଳ୍ପ ଲେଖିଥିଲେ ମଧ୍ୟ ତାଙ୍କର କଥନଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ ଓ ସମକାଳର ଗଳ୍ପ କ୍ଷେତ୍ରରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି  । ବର୍ଣ୍ଣନା ବହୁଳ ଗପର ଧାରାଠୁ ଅଲଗା ପ୍ରତୀକାତ୍ମକ ଗଳ୍ପଧାରାର ସେ ଜଣେ ଅଗ୍ରଣୀ ଶିଳ୍ପୀ  ।

ଭାଷା, ଶୈଳୀ, ବିଷୟବସ୍ତୁ ଓ ଚରିତ୍ର ନିର୍ମାଣରେ ମନୋଜ ପଣ୍ଡାଙ୍କ କାରିଗରୀର ଏକ ସ୍ୱତନ୍ତ୍ର ଆବେଦନ ରହିଛି  । ଖୁବ୍‍ କମ୍‍ ଗପ ଲେଖି ସବୁବେଳେ ଚର୍ଚ୍ଚାରେ ରହିଥିବା ମନୋଜପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ଫଳରେ ଓଡ଼ିଆ ଗଳ୍ପର ବିକଳ୍ପଧାରାକୁ ସମ୍ମାନିତ କରାଯାଇଛି  ।

ଗାଳ୍ପିକ ମନୋଜ ପଣ୍ଡାଙ୍କ ଜନ୍ମ ବଲାଙ୍ଗୀରରେ  । ବୃତ୍ତିରେ ଶିକ୍ଷକ  । ଅଳ୍ପଦିନ ତଳେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି  । ତାଙ୍କର ନିଆରା ଗଳ୍ପ ଶୈଳୀ ଓ କଥନଭଙ୍ଗୀ ଯୋଗୁଁ ବେଶ୍‍ ଚର୍ଚ୍ଚାରେ ରହିଥିବା ମନୋଜ ପଣ୍ଡାଙ୍କୁ କୌଣସି ପ୍ରକାରେ ଆନୁଷ୍ଠାନିକ ସ୍ୱୀକୃତି ଆଜି ପର୍ଯ୍ୟନ୍ତ ମିଳିନଥିଲା  ।

ଏପରିକି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ଏଯାଏଁ ମିଳିନାହିଁ  । କେବଳ ଗଳ୍ପ ରଚନା ନୁହେଁ, ପ୍ରବନ୍ଧ ଓ ଭାଷା ଚର୍ଚ୍ଚା କ୍ଷେତ୍ରରେ ମଧ୍ୟ ମନୋଜ କୁମାର ପଣ୍ଡାଙ୍କର ସ୍ୱତନ୍ତ୍ର ଅବଦାନ ରହିଛି  ।

ବ୍ୟାବହାରିକ ଜୀବନରେ ଓଡ଼ିଆ ଭାଷାର ପ୍ରୟୋଗକୁ ନେଇ ସେ କିଛି ସୁନ୍ଦର ପ୍ରବନ୍ଧ ମଧ୍ୟ ଲେଖିଛନ୍ତି  । ସେହି ଦୃଷ୍ଟିରୁ ଦେଖିଲେ ଶାରଳା ପୁରସ୍କାର ଚୟନ କମିଟିର ଏହି ନିଷ୍ପତ୍ତି ଐତିହାସିକ  ।

ଲେଖକର ପ୍ରଭାବ ଓ ପ୍ରତିଷ୍ଠା ଅପେକ୍ଷା ତା’ର ଲେଖାକୁ ଗୁରୁତ୍ୱ ଦେଇ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶାରଳା ପୁରସ୍କାର କମିଟିକୁ ଧନ୍ୟବାଦ ଦେବାକୁ ପଡ଼ିବ  । ପୁରସ୍କାର ବାବଦରେ ଶ୍ରୀ ପଣ୍ଡାଙ୍କୁ ୫ ଲକ୍ଷଟଙ୍କା ପ୍ରଦାନ କରାଯିବ  ।

ଏହି ଅବସରରେ ଆସନ୍ତା ମାସ ଆୟୋଜିତ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହରେ ବିଶିଷ୍ଟ ହିନ୍ଦୀ କଥାଶିଳ୍ପୀ ମୃଦୁଳା ଗର୍ଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବେ  ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ମନୋଜ ପଣ୍ଡା, ଶାରଳା ପୁରସ୍କାର

ବରିଷ୍ଠ ସାହିତ୍ୟିକ ଗଣେଶ୍ଵର ମିଶ୍ରଙ୍କ ପରଲୋକ

August 10, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୧୦ ଅଗଷ୍ଟ (ଓଡିଶା ଡଟ୍ କମ୍): ଗତ ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିବା ୭୨ ବର୍ଷୀୟ ସାହିତ୍ୟିକ ତଥା ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ଗଣେଶ୍ଵର ମିଶ୍ରଙ୍କର ସୋମବାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି ।

ସେ ଏକାଧାରରେ ଜଣେ ସୁନାମଧନ୍ୟ ସାହିତ୍ୟିକ, ଔପନ୍ୟାସିକ, ଗାଳ୍ପିକ, ଶିକ୍ଷାବିତ୍ ଓ ପ୍ରମେୟ ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ଥିଲେ।

ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ପିଏଚଡ଼ି ଲାଭ କରିଥିବା ମିଶ୍ରଙ୍କ ଓଡିଆ ସାହିତ୍ୟ ପ୍ରତି ବହୁତ ଶ୍ରଦ୍ଧା ରହିଥିଲା । ଓଡିଆ ଓ ଇଂରାଜୀରେ ସେ ବହୁ ପୁସ୍ତକ ରଚନା କରିଛନ୍ତି ।

ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନ ମିଳିଛି । ସେ ଲେଖିଥିବା ‘ବିଲାତର ବାବୁ ଓ ପପୁ ‘ ନାମକ ପୁସ୍ତକ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଛି ।

ସେ ପଛରେ ପତ୍ନୀ ସୁରଙ୍ଗିଣୀ, ତିନି ପୁତ୍ର ସୁବ୍ରତ, ସୁନନ୍ଦ ଓ ସନ୍ଦୀପଙ୍କୁ ଛାଡି ଯାଇଛନ୍ତି । ତାଙ୍କ ତୃତୀୟ ପୁତ୍ର ସିଦ୍ଧାର୍ଥଙ୍କ ୨୦୧୨ ରେ ଅକାଳ ବିୟୋଗ ଘଟିଥିଲା । ସିଦ୍ଧାର୍ଥ ଇଂରାଜୀ ଦୈନିକ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ର ଖେଳ ସମ୍ପାଦକ ଥିଲେ ।

୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଓଡିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ମୃତ୍ୟୁ ଓଡିଶା ସାହିତ୍ୟ ଜଗତର ଏକ ଅପୂରଣୀୟ କ୍ଷତି, ଲେଖକ ସୌରିବନ୍ଧୁ କର କହିଛନ୍ତି।

ତାଙ୍କ ମୃତ୍ୟୁରେ ସ୍ତୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ପୂରଣ ହୋଇପାରିବ ନାହିଁ, ସୂଚନା ଓ ଲୋକ ସମ୍ପର୍କ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ଶୋକ ବାର୍ତ୍ତା ରେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: କର୍କଟ, ଗଣେଶ୍ଵର ମିଶ୍ର

ଅଗଷ୍ଟ ୮ରେ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ

August 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ୬ ଅଗଷ୍ଟ (ଓଡିଶା ଡଟ କମ) ପ୍ରଥମଥର ପାଇଁ ରାଜ୍ୟରେ ଲୋକାଭିମୁଖି ସାମ୍ବାଦିକତାକୁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ ପୂର୍ବକ କିଛି ସାମ୍ବାଦିକ ତଥା ପ୍ରତିବଦ୍ଧ ସମାଜସେବୀଙ୍କ ଦ୍ୱାରା ଓଡିଶା ମିଡିଆ ଆୱାର୍ଡର ପରିକଳ୍ପନା କରାଯାଇଛି ।

ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ରିପୋର୍ଟ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଏବଂ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବା ଏହାର ଲକ୍ଷ୍ୟ ।

ଗତ ଫେବୃଆରୀ ୫ ତାରିଖରୁ ଓଡିଶା ମିଡିଆ ଆୱାର୍ଡ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଏଥି ମଧ୍ୟରେ ମନୋନୟନ ପ୍ରକ୍ରିୟା ଶେଷ ହେବା ସଂଗେ ସଂଗେ ସମ୍ମାନିତ ପ୍ରତିଭା ମାନଙ୍କର ନାମ ଘୋଷଣା ହୋଇଛି । ଶ୍ରେଷ୍ଠ ସଂପାଦକ, ସ୍ତମ୍ଭକାର, କାର୍ଟୁନିଷ୍ଟ୍, ରେଡିଓ ଓ ଟେଲିଭିଜନ କାର୍ଯ୍ୟକ୍ରମ, ଡକ୍ୟୁମେଂଟାରୀ, ଗଣ ଯୋଗାଯୋଗ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସାମ୍ବାଦିକ, ଉପସ୍ଥାପକ/ ଉପସ୍ଥାପିକା ଏବଂ ଅନୁଷ୍ଠାନମାନଙ୍କୁ ଏଥିରେ ସମ୍ମାନିତ କରାଯିବ ।

ଓଡିଶା ମିଡିଆ ଆୱାର୍ଡର ଚୟନ ନିମନ୍ତେ ରାଜ୍ୟରେ ଗଣମାଧ୍ୟମ ସହ ବିଭିନ୍ନ ସାମାଜିକ କ୍ଷେତ୍ରରେ ସୁନାମ ପାଇଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଚୟନ କମିଟି ଗଠନ କରାଯାଇଥିଲା । ବିଭିନ୍ନ ସ୍ତରରେ ସାଧାରଣ ପାଠକ ପାଠିକା/ ଦର୍ଶକ ମାନଙ୍କର ମତାମତକୁ ଭିତ୍ତି କରି ୧୭ଟି ବର୍ଗରେ ୧୮ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ।

ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ଣରେ ଭୁବନେଶ୍ୱର ଜୟଦେବ ଭବନଠାରେ ଏହି ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହେବ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ‘ସାମ୍ବାଦିକତା ଏବେ ଅଧିକ ସାମାଜିକ ସକ୍ରିୟ କି?’ସଂପର୍କୀୟ ଆଲୋଚନାଚକ୍ର ପରେ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହେବ ।

ବରିଷ୍ଠ ସାମ୍ବାଦିକ ଚନ୍ଦ୍ର ମିଶ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ, ୟୁନିସେଫ୍, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ , ସେମକା ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ବରିଷ୍ଠ ସାମ୍ବାଦିକ ଓ ସାମାଜିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷର ଓଡିଶା ମିଡିଆ ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତି, କାର୍ଯ୍ୟକ୍ରମ ଓ ସଂସ୍ଥା ମାନେ ହେଲେ, ତଥାଗତ ଶତପଥୀ-ସଂପାଦକ, ସୈାମ୍ୟରଂଜନ ପଟ୍ଟନାୟକ-ପ୍ରେରଣାଦାୟୀ ମିଡିଆ ଉଦ୍ୟୋଗୀ, ହରପ୍ରସାଦ ଦାସ- ସ୍ତମ୍ଭକାର, କିଶୋର ରଥ- କାର୍ଟୁନିଷ୍ଟ, ତୋ ଅଗଣାର ତୁଳସୀ ମୁଁ (ସାର୍ଥକ ଟିଭି)-ଶ୍ରେଷ୍ଠ କାହାଣୀ ଚିତ୍ର, ସତ୍ୟର ସାମ୍ନା (ଜୀ କଳିଙ୍ଗ) – ଶ୍ରେଷ୍ଠ ବାସ୍ତବାଶ୍ରୟୀ କାର୍ଯ୍ୟକ୍ରମ, ଆପଣ ଏକା ନୁହନ୍ତି (ଓଡିଶା ଟିଭି)- ଅଭିନବ କାର୍ଯ୍ୟକ୍ରମ, ସ୍ୱୟଂପ୍ରକାଶ ମହାପାତ୍ର- ସଂବାଦ ପାଠକ, ମୋ ପସନ୍ଦ(ଆକାଶବାଣୀ, କଟକ)-ଲୋକପ୍ରିୟ ବେତାର କାର୍ଯ୍ୟକ୍ରମ, ଦରିଆ ପାରିର କଥା (ଓଡିଆ ରେଡିଓ)- ଅଭିନବ ବେତାର କାର୍ଯ୍ୟକ୍ରମ, ଆର.ଜେ. ସଂଗ୍ରାମ-ବେତାର ଉପସ୍ଥାପକ, ଦିଲ୍ଲିପ ସୁବୁଦ୍ଧି- ସାମ୍ବାଦିକ (ଜନ ସମସ୍ୟା),ବାସୁଦେବ ମହାପାତ୍ର-ସାମ୍ବାଦିକ (ପରିବେଶ), ଯତୀନ୍ଦ୍ର ଦାଶ-ସାମ୍ବାଦିକ (ବିକାଶଧର୍ମୀ) , ରୋଜାଲିନ ପ୍ରଧାନ (କୋଣାର୍କ) ଓ ଅମିତାଭ ପାତ୍ର (ବରଗଡ)-ଗ୍ରାମାଞ୍ଚଳ ସାମ୍ବାଦିକତା, ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ- ମିଡିଆ ଶିକ୍ଷାନୁଷ୍ଠାନ, ସମରେନ୍ଦ୍ର ଦାସ-ବୃତ୍ତଚିତ୍ର ।

ଭାରତୀୟ ଗୋଷ୍ଠୀ ବେତାର ମହାସଂଘ, ୟଙ୍ଗ ଇଣ୍ଡିଆ, ଆକ୍ସନ ଏଡ୍ ପ୍ରଭୃତି ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିବାକୁ ଆୟୋଜକ ମାନଙ୍କ ତରଫରୁ ବରିଷ୍ଠ ସମାଜକର୍ମୀ ତଥା ସାମ୍ବାଦିକ ଏନ୍. ଏ. ଶାହା ଅନସାରୀ ଅନୁରୋଧ କରିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ମିଡ଼ିଆ ଆୱାର୍ଡ଼

ରାଉରକେଲାର ତାନ୍ନି ବୋଷ ଓ ଭୂଟାନରେ ତାଙ୍କ ସାହିତ୍ୟ ସର୍ଜନା (ସାକ୍ଷାତକାର)

July 19, 2015 by ନିଉଜ ଡେସ୍କ 6 Comments

ଓଡିଶା ଡଟ୍ କମ୍: ଈପସିତା ଦାଶ

ଜୀବନର ଛୋଟ ଛୋଟ ଅନୁଭବକୁ ଚମତ୍କାର ଢଙ୍ଗରେ କବିତା ମାଧ୍ୟମରେ ଭୂଟାନରେ ରହି ପରିବେଷଣ କରୁଥିବା ରାଉରକେଲାର ତାନ୍ନି ବୋଷଙ୍କ ଏହା ମଧ୍ୟରେ ତିନୋଟି କବିତା ସଂକଳନ ପ୍ରକାଶ ପାଇଛି ।

ବ୍ୟସ୍ତ ବହୁଳ ଦିନ ଚର୍ଯ୍ୟାରୁ ସମୟ ବାହାର କରି ଭୁଟାନରେ ଏକ ସିନିଅର ସେକେଣ୍ଡାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟକରୁଥିବା ତାନ୍ନିଙ୍କ ଏହି ଇଂରାଜୀ କବିତା ସଙ୍କଳନ ହେଲା ‘ଦି ଫ୍ଲୋଟିଙ୍ଗ ଷ୍ଟୋନସ୍’, ‘ଡନ ଆଣ୍ଡ ଡସ୍କ’ ଓ ‘ଦି ମୋଲେଷ୍ଟ୍ରେଟେଡ କ୍ଳେ’ ।

tanni-final‘ଡନ ଆଣ୍ଡ ଡସ୍କ’ରେ,ସେ “ଜନ୍ମରୁ ମୃତ୍ୟୁ ବା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ମଣିଷ ଜୀବନର ଯାତ୍ରା ସମ୍ପର୍କରେ ବର୍ଣନା କରିଥିବା ବେଳେ ତାଙ୍କ କବିତା ଗୁଡିକରେ ପ୍ରେମ ଓ ପ୍ରକୃତିକୁ ନେଇ ଛୋଟ ଛୋଟ ଅନୁଭବର ବର୍ଣନା ଶୈଳୀ ପାଠକର ପ୍ରାଣକୁ ଆନ୍ଦୋଳିତ କରେ ।

ଠିକ ସେହି ପରି ‘ଦି ଫ୍ଲୋଟିଙ୍ଗ ଷ୍ଟୋନସ୍’- ର କବିତା ଗୁଡିକରେ “ମଣିଷର ଆକାଂକ୍ଷା, ଅଭିଲାଷ, ବିବେକ ଓ ମନମଧ୍ୟରେ ଅହରହ ଚାଲୁଥିବା ଅନ୍ତରଦ୍ଵନ୍ଦ ବା ତର୍କ ବିତର୍କର ପ୍ରତିଫଳନ ଦେଖିବାକୁ ମିଳେ । ସେ ଦେଖାଇଛନ୍ତି କେତେବେଳେ ମଣିଷ ବିବେକକୁ ଅନୁସରଣ କରିଥାଏ ତ କେତେବେଳେ ସେ ନିଜ ମନର ବଶୀଭୂତ ହୋଇ ବିବେକ ବିରୁଦ୍ଧରେ କାର୍ଯ୍ୟ କରିଥାଏ ।

taniଯେତେବେଳେ ବିବେକର କଥାରୁହେ ସେତେବେଳେ ମଣିଷର ବିଜୟ ହୁଏ ଓ ଯେତେବେଳେ ମନର କଥା ରୁହେ ସେତେବେଳେ ମଣିଷ ତା’ର ମନ ଆଗରେ ହାର ମାନି ମୁଣ୍ଡ ପାତି ଥାଏ ।

ତାନ୍ନି କୁହନ୍ତି ଏହି ସଂକଳନ ମଧ୍ୟରେ ଥିବା ତାଙ୍କର ଏକ କବିତା ହେଉଛି “ସବୁଜ ରଙ୍ଗରୁ ଧୂଷର ରଙ୍ଗ”-ଏହାର ଅର୍ଥ ହେଉଛି, ସବୁଜ ଯାହା ସବୁକିଛି ଜଣେ ତା’ର ଶୈଶବାବସ୍ଥାରୁ ଯୌବନ ପର୍ଯ୍ୟନ୍ତ ପାଇବାକୁ ଚାହେଁ ।

ଠିକ ସେହି ପରି ଧୂସର ରଙ୍ଗ ଯାହା ଆମେ ଆମ ଜୀବନରେ କେବେ ନଘଟୁ ବୋଲି ଭାବୁ କିନ୍ତୁ ସେଥିରୁ ଆମେ ମୁକ୍ତି ମିଳେନାହିଁ । ଯଥା- ବୃଦ୍ଧାବସ୍ଥା, ମୃତ୍ୟୁ……… ଇତ୍ୟାଦି । ଏଠାରେ ମୃତ୍ୟୁକୁ ନକରାତ୍ମକ ଅର୍ଥରେ ଉଲ୍ଲେଖ କରାଯାଇଛି।

ତାନିଙ୍କ”ଦି ମୋଲେଷ୍ଟ୍ରେଟେଡ କ୍ଳେ” ଅର୍ଥାତ ‘କନସେପ୍ଟ ଅଫ ଲଭ’ରେ ସେ ବର୍ଣ୍ଣନା କରିଛନ୍ତି କୁମ୍ଭାର ଅତି ଯତ୍ନ ସହକାରେ ମାଟିର ପାତ୍ରଟିଏ ଗଢେ, ତାକୁ ମନ ମୁତାବକ ଆକାର ଓ ଆକୃତି ଦେଇ ନିଜ ଛୁଆଟି ପରି ରଙ୍ଗ-ବିରଙ୍ଗର ରଙ୍ଗରେ ରଙ୍ଗାୟିତ କରି ପାତ୍ରଟିକୁ ଧୀରେ ଧୀରେ ଆଖି ଦୃଶିଆ କରେ ଓ ଏହାକୁ ସମସ୍ତଙ୍କ ଆଡକୁ ଆକର୍ଷିତ କରିବା ପାଇଁ ସଜାଏ ।

ପରେ ଉକ୍ତ ପାତ୍ରଟି ଆସି ଏକ ପ୍ରଦର୍ଶନୀ ରେ ଥିବା ଦୋକାନରେ ସଜେଇ ହୋଇ ଗ୍ରାହକର ଅପେକ୍ଷାରେ ରହେ ।

ସେ ବି କାହା ଘରର ଡ୍ରଇଂ ରୁମର ଏକ କୋଣରେ ସଜା ହୋଇ ରହିବ । ତା’ଭିତରେ ରଙ୍ଗ ବେରଙ୍ଗର ଫୁଲ ସଜା ହେବେ। କିନ୍ତୁ ତା’ର ଭାଗ୍ୟର ବିଡମ୍ବନା ଯେ ଦିନ ପରେ ଦିନ ଗଡି ଚାଲେ ହେଲେ ସେ କୌଣସି ଗ୍ରାହକଙ୍କ ମନକୁ ଆକର୍ଷିତ କରି ପାରେ ନାହିଁ।

tanni-3

tanni-6

tanni-4ପରିଶେଷରେ ଦୋକାନର ଆଗ ଧାଡିରେ ସଜା ହୋଇଥିବା ପାତ୍ରଟି କ୍ରମଶଃ ଏକ କୋଣରେ ପଡି ରହେ । ତା’ଉପରେ ଧୂଳିର ଏକ ଆସ୍ତରଣ ପଡି ଚାଲେ। ଦିନେ ହଠାତ ପ୍ରଚଣ୍ଡ ଘଡଘଡି ଓ ବିଜୁଳି ସହ ପ୍ରବଳ ବେଗରେ ପବନ ବହି ବର୍ଷା ମାଡି ଆସେ ।

ପବନ ଓ ବର୍ଷାର ମାଡ ସହି ନପାରି ଦୋକାନର ତମ୍ବୁଟି ଭାଙ୍ଗିଯିବା ସହ ପାତ୍ରଟି ତା’ର ସମସ୍ତ ସୌନ୍ଦର୍ଯ୍ୟ ହରାଇ ପୁନଶ୍ଚ ମାଟିରେ ମିଶିଯାଏ । ଏଠାରେ ପାତ୍ରଟିର ପୁଣି ମାଟିରେ ମିଶିଯିବାକୁ ସକାରାତ୍ମକ ଦୃଷ୍ଟିରେ ନିଆଯାଇଛି । ପାତ୍ରଟି ଦୈହିକ କଷ୍ଟରୁ ମୁକ୍ତି ପାଇ ସୁଖ ଶାନ୍ତିରେ ଯେଉଁଥିରୁ ସୃଷ୍ଟି ହୋଇଥିଲା ସେଇଥିରେ ହିଁ ଲୀନ ହୋଇଯାଏ।

ତାନ୍ନିଙ୍କର ଚତୁର୍ଥ ଅନବିଦ୍ୟ ସୃଷ୍ଠି ହେଉଛି ଏକ ଉପନ୍ୟାସ ଯାହା ୨୦୧୬ରେ ପ୍ରକାଶିତ ହେବ । ଉପନ୍ୟାସର ନାମ ହେଉଛି “ଅନ-କଣ୍ଡିସନାଲ ଲଭ,କଣ୍ଡିସନାଲ ମାଇଣ୍ଡ” ଏହାର ମୁଖ୍ୟ ଚରିତ୍ର ମାନେ ହେଲେ ଆକାଂକ୍ଷା ଯିଏକି ବିବାହିତା ଓ ତାଙ୍କ ପରିବାର ।

ତାଙ୍କର ଦୁଇଟି କନ୍ୟାସନ୍ତାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢେ। ତାଙ୍କ ସ୍ଵାମୀଙ୍କର ନାମ ଅନିରୁଦ୍ଧ । ଆକାଂକ୍ଷା ଏକ ହୋଟେଲରେ ରିସେପସ୍ନିଷ୍ଟ ଭାବେ କାର୍ଯ୍ୟ କରନ୍ତି।

ଆମାଜନ୍ ରୁ କିଣନ୍ତୁ DAWN AND DUSK

ଘର ସଂସାର କରି ଦୁଇଟି କନ୍ୟା ସନ୍ତାନର ମା’ ହୋଇଥିଲେ ମଧ୍ୟ ସେ ମାନସିକ ଭାବରେ ସାଂସାରିକ ସୁଖ ପାଇପାରନ୍ତି ନାହିଁ। ଉକ୍ତ ହୋଟେଲରେ କାମ କରୁଥିବା ସପ୍ତାଂଶୁ ନାମକ ଜଣେ ଯୁବ ପପ୍ ଗାୟକଙ୍କୁ ଆକାଂକ୍ଷା ନିଜ ଜୀବନର ସବୁ ସୁଖଦୁଃଖ କୁହନ୍ତି।

ଇତି ମଧ୍ୟରେ ସେମାନଙ୍କ ମଧ୍ୟରେ ମାନସିକ ସ୍ତରରେ ନିବିଡତା ବୃଦ୍ଧି ପାଏ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାର ଦୈହିକ ସମ୍ପର୍କ ନଥାଏ। ଏହାକୁ ଆକାଂକ୍ଷାଙ୍କର ପରିବାର, ସମାଜ, ସାଙ୍ଗସାଥି, କିପରି ଭାବେ ଗ୍ରହଣ କରିଛନ୍ତି ତାହା ହେଉଛି ଉପନ୍ୟାସ ସାରମର୍ମ।

ସୌମେଷ ଚନ୍ଦ୍ର ବୋଷ ଓ ସାନ୍ତଶ୍ରୀ ବୋଷ ଙ୍କର ଜ୍ୟେଷ୍ଠା କନ୍ୟା ତାନ୍ନି, ୧୯୭୬ ମସିହା ଫେବୃଆରୀ ରାଉରକେଲାରେ ଜନ୍ମ ଗ୍ରହଣ କରି ସେହିଠାରେ ହିଁ ନିଜର ସ୍କୁଲ ଶିକ୍ଷା ଶେଷ କରିବା ସହ ଇଂରାଜୀ ଉପରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

tanni-5ଭୁଟାନରେ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତରେ ଶିକ୍ଷକତା କରୁଥିବା ରାଉରକେଲାର ସୋମ୍ୟରଞ୍ଜନ ପଣ୍ଡାକୁ ୧୯୯୯ ମସିହାରେ ଜୀବନ ସାଥିରୁପେ ଗ୍ରହଣ କରିବା ପରେ ତାନ୍ନି ୨୦୦୨ ମସିହାରୁ ଭୂଟାନର ତେନ୍ଦୁକ ସହରରେ ଥିବା ଏକ ସିନିଅର ସେକେଣ୍ଡାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି।

ସେମାନଙ୍କର ଏକ ମାତ୍ର ପୁତ୍ର ସିଦ୍ଧାନ୍ତ ଏବେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ବାପା ମା’ଙ୍କର ଗେହ୍ଲା ଝିଅ, ଶାଶୁ ଶଶ୍ୱୁରଙ୍କର ସୁନା ବୋହୁ, ଜଣେ ଭଲ ଶିକ୍ଷୟତ୍ରି ଓ ସୁଗୃହିଣୀ ହେବା ସହ ଜଣେ ଉତ୍ତମ ମା ଭାବେ ନିଜକୁ ପ୍ରମାଣିତ କରିପାରିଥିବା ତାନ୍ନି ତାଙ୍କର ସାହିତ୍ୟ ସର୍ଜନା ପାଇଁ ଭୂଟାନରେ ନିଜ ସହକର୍ମୀଙ୍କ ମଧ୍ୟରେ ବେଶ୍ ଚର୍ଚାରେ ରହିଛନ୍ତି।

ତାଙ୍କର ତିନୋଟି ଯାକ କବିତା ସଂକଳନ ପାଠକ ପାଠିକା ମହଲରେ ଖୁବ ଉଚ୍ଚ ପ୍ରଶଂସିତ ହୋଇଛି। ପିଲା ଦିନରୁ ସେ ଇଂରାଜୀ କବିତା ଲେଖା ପ୍ରତି ଆକୃଷ୍ଟ ଥିଲେ। ଏଥିରେ ତାଙ୍କୁ ସହଯୋଗର ହାତ ବଢାଇ ଆହୁରି ଉତ୍ସାହିତ କରିଥିଲେ ମା’ ସାନ୍ତଶ୍ରୀ।

ଛୋଟବେଳେ ତାନ୍ନିଙ୍କ କୁନିକୁନି କବିତା ଶୁଣିବା ସହ, ତାଙ୍କୁ ପ୍ରଶଂସା କରିବା ଓ  ଲେଖିବା ପ୍ରତି ତାଙ୍କର ଆଗ୍ରହକୁ ବଢାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ତାଙ୍କ ମା । ବିବାହ ପରେ ସ୍ଵାମୀ ସୋମ୍ୟ ମଧ୍ୟ ତାଙ୍କ କବିତା ଗୁଡିକ ପଢିବା ଓ ତାଙ୍କୁ ପ୍ରୋତ୍ସାହିତ କରି ଲେଖିବା ପାଇଁ ପ୍ରେରଣା ଯୋଗାଇବା କାର୍ଯ୍ୟ କରି ଆସିଛନ୍ତି ।

ଏହି ସାହିତ୍ୟ ସର୍ଜନା କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରଶ୍ନର ଉତ୍ତରରେ ତାନ୍ନି ଓଡିଶା ଡଟ୍ କମ୍ କୁ କହିଥିଲେ ‘ଯେତେଦିନ ପର୍ଯ୍ୟନ୍ତ ମା’ ସରସ୍ଵତୀଙ୍କର କରୁଣା ମୋ ଉପରେ ଥିବ ଓ ସ୍ଵାମୀଙ୍କର ସହଯୋଗ ଥିବ ସେତେଦିନ ପର୍ଯ୍ୟନ୍ତ ମୁ ଲେଖି ଚାଲିଥିବି’ ।

ଓଡିଶା ଡଟ କମ

(ଈପସିତା ଦାଶ ହେଉଛନ୍ତି ଓଡିଶା ଡଟ୍ କମ୍ ର ପରିଚାଳନା ସମ୍ପାଦିକା)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ, ସାକ୍ଷାତକାର, ସାହିତ୍ୟ Tagged With: ତାନି ବୋଷ, ସାକ୍ଷାତକାର

ଦୀପକ ମାଲବ୍ୟ ଲୋକସେବକ ମଣ୍ଡଳର ନୂଆ ସଭାପତି

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଜୁନ ୩୦ (ଓଡିଶା ଡଟ କମ) ବିଶିଷ୍ଟ ଯୁବ ସଂଗଠକ ତଥା ସମାଜସେବୀ ଦୀପକ ମାଲବ୍ୟ ଲୋକ ସେବକ ମଣ୍ଡଳର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଲୋକ ସେବକ ମଣ୍ଡଳ ହେଉଛି ରାଜ୍ୟର ଅଗ୍ରଣୀ ଓଡିଆ ଦୈନିକ ଖବର କାଗଜ ସମାଜର ପରିଚାଳକ ।

ସୋମବାର ନୂଆଦିଲ୍ଲୀ ଠାରେ ଲୋକ ସେବକ ମଣ୍ଡଳର ସଦର କାର୍ଯ୍ୟାଳୟ, ଲଜପତ୍‍ ଭବନଠାରେ ଅନୁଷ୍ଠିତ ସଂଗଠନର ସାଧାରଣ ପରିଷଦ ବୈଠକରେ ଶ୍ରୀ ମାଲବ୍ୟ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ ହୋଇଛନ୍ତି । ସେ ଦୁଇବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

ପଞ୍ଜାବକେଶରୀ ଲାଲା ଲଜପତ୍‍ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ୯୪ ବର୍ଷ ପୁରୁଣା ଦେଶର ଅନ୍ୟତମ ଏହି ସେବାମୂଳକ ପ୍ରତିଷ୍ଠାନ ଲୋକସେବକ ମଣ୍ଡଳର ସମ୍ମାନଜନକ ସଭାପତି ପଦ ଅଳଙ୍କୃତ କରିବାରେ ଶ୍ରୀ ମାଲବ୍ୟ ହେଉଛନ୍ତି ସର୍ବକନିଷ୍ଠ ।

ଉତ୍ତରପ୍ରଦେଶର କାନପୁର ନିବାସୀ ଶ୍ରୀ ମାଲବ୍ୟ ଏହା ପୂର୍ବରୁ ଏହି ଅନୁଷ୍ଠାନରେ ରାଷ୍ଟ୍ରୀୟ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ସମାଜସେବୀ ମନୁଭାଇ ପଟେଲଙ୍କ ଦେହାନ୍ତ ପରେ ମଣ୍ଡଳର ସଭାପତି ପଦ ଖାଲି ପଡ଼ିଥିଲା ।

ବର୍ଷିୟାନ ସର୍ବୋଦୟ ନେତା ତଥା ସମାଜସେବୀ କୀର୍ତ୍ତିଭାଇ ପାଣ୍ଡିଆ ମଣ୍ଡଳର ନୂତନ ଉପସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ସାହିତ୍ୟିକ ନିରଞ୍ଜନ ରଥ ମଣ୍ଡଳର ନୂଆ ରାଷ୍ଟ୍ରୀୟ ସମ୍ପାଦକ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ବିଶିଷ୍ଟ ଯୁବ ସମାଜସେବୀ ଭୀମସେନ ଯାଦବ ମଣ୍ଡଳର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଂଗଠନ ପକ୍ଷରୁ ପ୍ରକାଶିତ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି । ମଣ୍ଡଳର ନୂଆ କାର୍ଯ୍ୟନିର୍ବାହୀ ପରିଷଦରେ ଉପରୋକ୍ତ ଚାରି କର୍ମକର୍ତ୍ତାଙ୍କ ସମେତ ଓଁକାର ଚାନ୍ଦ ଓ ରାଜକୁମାରଙ୍କୁ ସଦସ୍ୟଭାବେ ନିଆଯାଇଛି ।

ଲୋକସେବକମଣ୍ଡଳ ଏକ ସେବାମୂଳକ ଅନୁଷ୍ଠାନ ଭାବେ ଲଜ୍‍ପତ ରାୟଙ୍କ ଦ୍ୱାରା ୧୯୨୧ରେ ପ୍ରତିଷ୍ଠିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ଅନୁଷ୍ଠାନର ପ୍ରଥମ ସଭାପତି ଥିଲେ ଏହାର ପ୍ରତିଷ୍ଠାତା ଲଜପତ୍‍ ରାୟ ।

ତାଙ୍କ ପରେ ରାଜଶ୍ରୀ ପୁରୁଷୋତ୍ତମ ଦାସ ଟଣ୍ଡନ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବଳବନ୍ତ ରାୟ ମେହେତା, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, ବିଶିଷ୍ଟ ସମାଜସେବୀ ତଥା ପ୍ରଖ୍ୟାତ ସାମ୍ବାଦିକ ଡକ୍ଟର ରାଧାନାଥ ରଥ, ଭାରତର ପୂର୍ବତନ ଉପରାଷ୍ଟ୍ରପତି କୃଷ୍ଣକାନ୍ତ, ସ୍ୱାଧୀନତା ସଂଗ୍ରାମୀ ଓଁକାର ଚାନ୍ଦ ଓ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମନୁଭାଇ ପଟେଲ ଏହି ଅନୁଷ୍ଠାନର ସଭାପତି ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

ଦିଲ୍ଲୀ, ପଞ୍ଜାବ, ହିମାଚଳପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ଓଡ଼ିଶାରେ ଲୋକସେବକ ମଣ୍ଡଳର ଶାଖାମାନ ଅଛି ଏବଂ ଏହା ମାଧ୍ୟମରେ ମଣ୍ଡଳ ପକ୍ଷରୁ ସମାଜସେବା ସମେତ ବିଭିନ୍ନ ଶୈକ୍ଷିକ, ସ୍ୱାସ୍ଥ୍ୟସେବା ଓ ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି ।

ସାଧାରଣ ପରିଷଦ ବୈଠକରେ ମଣ୍ଡଳର ଆଜୀବନ ସଦସ୍ୟ ସର୍ବଶ୍ରୀ ମାଲବ୍ୟ, ପାଣ୍ଡିଆ, ଯାଦବ, ରଥଙ୍କ ସମେତ ଓଁକାର ଚାନ୍ଦ, ରାଜକୁମାର, ଅଜୟ ସିଂହ ତଥା ଆଜୀବନ କର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଓ ରାଜେନ୍ଦ୍ର
କୁମାର ଜେନା ଯୋଗ ଦେଇଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସାହିତ୍ୟ Tagged With: ଲୋକ ସେବକ ମଣ୍ଡଳ, ସମାଜ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ