• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

ସେ ବି ଦିନେ ମୁଖ୍ୟମନ୍ତ୍ରୀ ଥିଲେ; ନବକୃଷ୍ଣ ଚୌଧୁରିଂକ ବିଷୟରେ କିଛି କଥା

June 24, 2016 by ନିଉଜ ଡେସ୍କ Leave a Comment

 


କେଦାର ମିଶ୍ର
ଆଧୁନିକ ଶିଳ୍ପ ନଗରୀ ଅନୁଗୁଳ ର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି।

ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର। ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା ।

ବର୍ଷା ଦିନେ ପାଣି ଗଳୁଥିବା ସେ କୁଡିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢା ବୁଢୀ ଦି ଜଣ ରହୁଥିଲେ।

ଆଦିବାସୀ ପିଲାଂକ ସହ ସରଳ ଜୀବନ ବଂଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡିଶାର ସ୍ବାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକ। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା ।

ଏ ନାଁ ସହ ଓଡିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି । ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ ।

କ୍ଷମତା ର ସବୁଠୁ ବଡ ଆସନରେ ବସି ମଧ୍ୟ ତ୍ୟାଗ କୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ବାଧିନ ଓଡିଶାର ପ୍ରଥମ ରାଜସ୍ବ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ପଦବୀ ଓ କ୍ଷମତାର ଅହଂକାର ନବ ଚୌଧୁରିଂକୁ କେବେବି ଛୁଇଁ ପାରିନଥିଲା ।

ସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢିଥିଲେ।

ପ୍ରାଚୁର୍ୟ ଭିତରେ ବିତିଥିବା ପିଲାଦିନ କୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଂକର ଜୀବିକା ନିର୍ବାହ କରିଛନ୍ତି ।

ରାଜନୀତି କ୍ଷମତା ହାସଲର ଷଡଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବା ର ତପସ୍ୟା, ଏକଥା ନବ ବାବୁଂକ ଜୀବନ ପ୍ରମାଣିତ କରିଛି । ଲୋକଂକ ସହ ଓ ଲୋକଂକ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଲଂକ ଋଷି । ତାଂକର ୩୩ଶ ଶ୍ରାଦ୍ଧ ଅବସରରେ ତାଂକ ବିଷୟରେ କିଛି କଥା-

୧. ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡିଶାର ନାମାଜାଦା ଓକିଲ ଓ ଜମିଦାର। ଅଥଚ ତାଂକର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି ।

ଜଗତସିଂପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ନଂକ ଜନ୍ମ ୨୩, ଜୁନ୍, ୧୯୦୧ ମସିହାରେ । ବଡ ଭାଇ ଗୋପବନ୍ଧୁ ଚୌଧୁରୀ ଓଡିଶା ପ୍ରଦେଶ କଂଗ୍ରେସ ର ପ୍ରଥମ ସଭାପତି ।

ଭାଉଜ ରମା ଦେବୀ, ସାରା ଓଡିଶା ବାସୀଂକ ଅତି ଆଦରର ମାଁ। ପିଲା ବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର। ତାଂକ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ବାଧିନତା ସଂଗ୍ରାମୀ ଅନ୍ନପୁର୍ନା ଦେବୀ ତାଂକ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ।

ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ। ସେ ବାପି ଗାନ୍ଧୀ ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ ।
୨. ରେଭେନଶା କଲେଜ ରେ ପଢୁଥିବା ସମୟରେ ଗାଂଧିଜିଂକ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଂକ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି ।

ଗାଂଧିଂକ ରଚନାତ୍ମକ କାର୍ୟକ୍ରମ କୁ ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି। ୧୯୨୨ ରୁ ଜୀବନର ଶେଷ ନିଶ୍ବାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ ।
୩. ଦେଶର ସ୍ବାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି ।

ଏପରିକି ସ୍ବାଧିନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି । ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା ।
୪. ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନ ରେ ସ୍ନାତକ ପରୀକ୍ଷା ଦେଲେ । ସେଇଠି ମାଳତି ଦେବୀଂକ ସହ ତାଂକର ପ୍ରେମ ଓ ପରିଣୟ।ସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରଷ୍ପର ର ପରିପୂରକ ।
୫. ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେଲେ ।

ସ୍ବାଧିନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡା ରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ବ, ଯୋଗାଣ ଓ ଜଂଗଲ ବିଭାଗର ମନ୍ତ୍ରୀ ଦାୟିତ୍ବ ନେଲେ । କ୍ଷମତା ରାଜନୀତି ଓ ନବ ବାବୁଂକ ସମ୍ପର୍କ ସବୁବେଳେ ଜଟିଳ ।

କ୍ଷମତା ତାଂକ ପଛରେ ଗୋଡେଇ ଥିବା ବେଳେ ସେ କ୍ଷମତା କୁ ଫାଂକିଦେଇ ଦୌଡି ପଳାନ୍ତି। ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି।
୬. ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ନଂକ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ ।

ଅନେକ ଦ୍ବିଧା ପରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ୧୨ , ମଇ , ୧୯୫୦ ରେ ଦାୟିତ୍ବ ନିଅନ୍ତି । ୧୯ , ଅକ୍ଟୋବର ୧୯୫୬ ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ ।
୭. ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଂକ ପରି ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ ।

ଜମିଦାରୀ ଉଛେଦ, ଭାଗଚାଷୀ ର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଂଚଳ ଶାସନ ବା ପଂଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ ।

ପ୍ରଶାସନ ଲୋକଂକ ପାଖକୁ ଯାଉ ବୋଲି ସେ ନିଷ୍ଠା ର ସହ ଚାହିଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ।
୮. ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଂକର ଅବଦାନ ।

ନିଷ୍ଠା ର ସହିତ ନୁଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ। କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ।

ସେ ଯେଉଁ ଆଦର୍ଶ ଓ ନୈତିକତା ର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା। ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ।

କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକ ଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ।
୯. କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି।ବାକି ଜୀବନ ଲୋକଂକ ପାଇଁ ଲଢିଛନ୍ତି। ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି ।

ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବନ୍ଚିଛନ୍ତି । କ୍ଷମତା ଅହଂକାର ରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଂକ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି ।

୧୦. ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦ କୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ । ଇନ୍ଦିରା ଗାଂଧିଂକ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଂକୁ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା ।

ଜେଲ୍ ରେ ଥିବା ବେଳେ ତାଂକ ଦେହ ଖରାପ ହେବା ଆରମ୍ଭ କଲା। ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ।

ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ। ହେଲେ ନବକୃଷ୍ଣ ଚୌଧୁରିଂକ ପରି ମୁଖ୍ୟମନ୍ତ୍ରୀ ଏକ ଏବଂ ଅଦ୍ବୀତିୟ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା, ରାଜନୀତି Tagged With: ଓଡିଶା, ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜନୀତି, ରାଜ୍ୟ ସରକାର

ସାଧୁ ମେହେରଂକ ବିଷୟରେ କେତୋଟି କଥା

June 23, 2016 by ଓଡିଶା ଡଟ କମ 2 Comments

imageକେଦାର ମିଶ୍ର
କିସ୍ତାୟା କୁ ଚିହ୍ନିଛନ୍ତି ? କିସ୍ତାୟା ସିଏ, ଯାହାର ପାଟି ଫିଟେ ନାହିଁ ।

ଶୋଷଣ, କଷଣ ଓ ଅତ୍ୟାଚାରର ସେ ଏକ ଜୀବନ୍ତ ପ୍ରତୀକ ।ଶଗଡ ଗାଡି ଚଳେଇ ଗାଁ ରେ ସେ ନିଜର ଜୀବିକା ନିର୍ବାହ କରେ।

ଭାରତର ସବୁଠୁ ଅବହେଳିତ ଓ ଅସ୍ପୃଶ୍ୟ ଜାତିର ସେ ପ୍ରତିନିଧି।

୧୯୭୪ ରେ ନିର୍ମିତ ପ୍ରଖ୍ୟାତ ନିର୍ମାତା –ନିର୍ଦ୍ଦେଶକ ଶ୍ୟାମ ବେନେଗାଲଂକ ଚର୍ଚିତ ସିନେମା “ଅଂକୁର” ର କିସ୍ତାୟା ସମକାଳୀନ ଭାରତର ସାମାଜିକ ଇତିହାସକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛି ।

କିସ୍ତାୟା ଚରିତ୍ର ରେ ଅଭିନୟ କରିଥିବା ଓଡିଆ ଅଭିନେତା ସାଧୁ ମେହେର ସେତେବେଳେ ମୁମ୍ବାଇ ସିନେମା ଜଗତରେ ବେଶ୍ ନୁଆ ।

ଏହି ସିନେମା ସାଧୁ ମେହେରଂକୁ ସବୁଠୁ ବଡ ପରିଚୟ ଦିଏ । ୧୯୭୪ ରେ ଜାତୀୟ ଚଳଚିତ୍ର ପୁରସ୍କାର ବର୍ଗରେ ଶ୍ରେଷ୍ଠ ଅଭିନେତା ଭାବେ ସାଧୁ ମେହେର୍ ରଜତ କମଳ ପୁରସ୍କାର ଲାଭ କରନ୍ତି। ଆଜି ପର୍ଯନ୍ତ ସେ ହେଉଛନ୍ତି ଏକମାତ୍ର ଓଡିଆ ଅଭିନେତା ଯାହାଂକୁ ଏହି ବିରଳ ଗୌରବ ମିଳିଛି।

ହିନ୍ଦୀ, ଓଡିଆ ଓ ବଂଗଳା ସିନେମାରେ ତାଂକର ଅଭିନୟ ଗୋଟେ ଯୁଗର ସଂକେତ ବହନ କରେ। ପ୍ରଭାବଶାଳୀ ଚରିତ୍ର ଓ ଜୀବନ୍ତ ଅଭିନୟକୁ ନିଜ ଚେହେରାରେ ଅନାୟାସରେ ଫୁଟେଇ ପାରୁଥିବା ସାଧୁ ମେହେର ଆମ ସମୟର ଅନ୍ୟତମ କିମ୍ବଦନ୍ତି ପୁରୁଷ। ମାଟି ଓ ମଣିଷର ଅଭିନେତା ଭାବେ ପରିଚିତ ସାଧୁ ମେହେରଂକ ଜୀବନ ଓ କଳା କୁ ନେଇ କେତୋଟି କଥା-

୧. ୧, ଜାନୁଆରୀ ୧୯୪୦ ରେ ବୌଦ ଜିଲ୍ଲାର ଏକ ଛୋଟିଆ ଗାଁ ଗୁଡଭେଲିପଦର ରେ ସାଧୁ ମେହେରଂକ ଜନ୍ମ । ବାପା ଥିଲେ ଜଣେ ସାଧାରଣ ବୁଣାକାର ।

ଗାଁ ରୁ ଆସି ପଡୋଶୀ ସୋନପୁର ସହରରେ ସେ ଆରମ୍ଭ କରନ୍ତି ତାଂକର ସ୍କୁଲ୍ ଜୀବନ। ପିଲାବେଳୁ ଅଭିନୟ ତାଂକର ନିଶା। ବାପା ଚାହୁଁଥିଲେ ସାଧୁ ପାଠ ପଢି ଚାକିରୀ କରନ୍ତୁ ।

ହେଲେ ଅଭିନୟର ନିଶା ତାଂକୁ ବାଉଳା କରିଥିଲା । ବାପାଂକ ମୃତ୍ୟୁ ଖବର ତାଂକୁ ମଂଚରେ ମିଳିଥିଲା ଓ ଜଣେ ଅଭିନେତା ଭାବେ ସେ ମଂଚ ଛାଡ଼ି ଯାଇ ନଥିଲେ।

ବିଏ ପାଶ୍ କଲାପରେ ଚାକିରୀ ନକରି ସେ ଯାନ୍ତି କଲିକତା ରବୀନ୍ଦ୍ର ଭାରତୀ ରେ ଅଭିନୟରେ ଡିପ୍ଲୋମା ହାସଲ କରିବାକୁ ।

ସେଇଠି ସମକାଳୀନ ବଂଗଲା ମଂଚ ଓ ସିନେମା ର ପ୍ରଭାବ ରେ ତାଂକ ଜୀବନର ମୋଡ ବଦଳି ଯାଏ ।
୨. କଲିକତା ରୁ ମୁମ୍ବଈ। ପୁନା ସ୍ଥିତ FTII ରୁ ଅଭିନୟରେ ଡିପ୍ଲୋମା କରି ସେ ଯୋଗ ଦିଅନ୍ତି ଥିଏଟର୍ ରେ ।

ତାଂକର ଅଭିନୟ ଗୁରୁ ସତ୍ୟଦେବ ଦୁବେନ୍କର ଅନେକ ନାଟକରେ ସାଧୁ ବାବୁ ଅଭିନୟ କରନ୍ତି ।

ତାଂକ ସମସାମୟିକ ନସିରୁଦ୍ଦିନ ଶାହ, ଓମ ପୁରୀ, ଶବାନା ଅଜମୀ ଓ ସ୍ମିତା ପାଟିଲ ପ୍ରମୁଖ ଏହି ସମୟରେ ମୁମ୍ବାଇ ରେ ସଂଘର୍ଷ କରୁଥାନ୍ତି ।

ଏହି ସମୟରେ ଭାରତରେ ଆରମ୍ଭ ହୋଇଥାଏ ବିକଳ୍ପ ସିନେମା ର ଏକ ନୁଆ ଧାରା । ସେଇ ଧାରାରେ ସାଧୁ ମେହେରଂକ ଅବଦାନ ଅତୁଳନୀୟ ।
୩. ୧୯୬୯ରେ ପ୍ରଖ୍ୟାତ ନିର୍ଦ୍ଦେଶକ ମୃଣାଲ ସେନ ନିର୍ମାଣ କରନ୍ତି “ଭୁବନ ସୋମ୍” ।

ସେଥିରେ ଏକ ମୂକ ପକ୍ଷୀ ଧରାଳୀ ଚରିତ୍ରରେ ସାଧୁ ବାବୁ ଅଭିନୟ କରନ୍ତି । ସିନେମାଟି ସେତେବେଳେ ବେଶ୍ ଚର୍ଚିତ ଓ ସାଧୁ ବାବୁଂକ ଅଭିନୟ ସେଦିନଠୁ ଏକ ଆକର୍ଷଣ ପାଲଟି ଯାଏ।

“ଅଂକୁର’ ପୂର୍ବରୁ ସାଧୁ ବାବୁ “ଇଛା ପୂରଣ” ଓ “୨୭ ଡାଉନ୍” ନାମକ ଦୁଇଟି ସିନେମା ରେ ଅଭିନୟ କରନ୍ତି ।
୪. ୧୯୭୪ ରେ “ଅଂକୁର” ତାଂକୁ କେବଳ ଜାତୀୟ ସ୍ତରରେ ସ୍ବୀକୃତି ଦେଇ ନଥିଲା, ଏହି ସିନେମା ତାଂକୁ ଭାରତର ସାଧାରଣ ମଣିଷର ମେଟାଫର୍ ଭାବରେ ଓ ଦଳିତ ସଂଘର୍ଷର ଏକ ପ୍ରଭାବଶାଳୀ ଚରିତ୍ର ଭାବରେ ନୁଆ ପରିଚୟ ଦେଇଥିଲା ।
୫. ଅଂକୁର ପରେ “ମନ୍ଥନ”, “ଦେବଶିଶୁ”, “ନିଶାନ୍ତ”, “ସଫେଦ ହାତୀ”, “ମୃଗୟା”,”ଚରାଚର”, “ଉତ୍ତରଣ” ଓ ଆହୁରି ଅନେକ ସିନେମାରେ ତାଂକ ଜୀବନ୍ତ ଅଭିନୟ ଭାରତୀୟ ସିନେମାରେ ତାଂକୁ ଭିନ୍ନ ଏକ ଅଭିନେତା ର ମର୍ୟଦା ଆଣି ଦେଇଛି ।
୬. ମୃଣାଲ୍ ସେନ, ଶ୍ୟାମ ବେନେଗାଲ୍, ତପନ ସିହ୍ନା, ବୁଦ୍ଧଦେବ ଦାସଗୁପ୍ତ, ଉତ୍ପଲେନ୍ଦୁ ଚକ୍ରବର୍ତୀ ଓ ସଂଦୀପ ରାୟନ୍କ ପରି କିମ୍ବଦନ୍ତି ନିର୍ଦେଶକଂକ ସହ କାମ କରିବାରେ ସାଧୁ ବାବୁ ଏକମାତ୍ର ଓଡିଆ ଓ ତାଂକର ଅଭିନୟ ସବୁ ସିନେମାରେ ଏକ ନୁଆ ଅଧ୍ୟାୟ ସୃଷ୍ଟି କରିଛି ।
୭ . ୧୯୭୭ ରେ ସେ ଓଡିଆ ଚଳଚିତ୍ର ଜଗତକୁ ଆସନ୍ତି ନିର୍ଦ୍ଦେଶକ ଭାବରେ ।

ତାଂକର ପ୍ରଥମ ଛବି “ଅଭିମାନ” ରେ ନୁଆ ଏକ ସଂକେତ ଓଡିଆ ସିନେମା ପ୍ରେମୀ ଦେଖିବାକୁ ପାଆନ୍ତି ।

ପ୍ରଥମ କରି ଏଥିରେ ଉତ୍ତମ ମହାନ୍ତି ନାୟକ ଭାବେ ସୁଯୋଗ ପାଆନ୍ତି। ତାପରେ “ଅଭିଳାଷ”, “ଅପରିଚିତା”, “ବାବୁଲା”, “ଗୋପରେ ବଢୁଛି କଳା କନହେଇ” ଇତ୍ୟାଦିରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।
୮. ଓଡିଆ ସିନେମାରେ ସାଧୁ ବାବୁ ବେଶୀ ଅଭିନୟ କରି ନାହାନ୍ତି। ମନମୋହନ ମହାପାତ୍ରଂକ “ଶୀତରାତି” ଓ ସବ୍ୟସାଚୀ ମହାପାତ୍ରଂକ “ଭୁଖା” ରେ ସାଧୁ ବାବୁଂକ ଅବିସ୍ମରଣୀୟ ଅଭିନୟ ଦର୍ଶକଂକ ମନରୁ କଦାପି ଲିଭିବାର ନାହିଁ।

ଯେଉଁ କେତୋଟି ଓଡିଆ ସିନେମା ରେ ସେ ଅଭିନୟ କରିଛନ୍ତି, ସେଥିର ମାଟିର ବାସ୍ନା ଓ ସଂସ୍କୃତିର ପ୍ରାଣ ବାରି ହେଇ ପଡେ ।
୯. ପ୍ରଥମ ଓଡିଆ, ଆଜି ପର୍ଯନ୍ତ ଏକମାତ୍ର ଓଡିଆ ଭାବରେ ଶ୍ରେଷ୍ଠ ଜାତୀୟ ଅଭିନେତା ପୁରସ୍କାର ପାଇବାର ଗୌରବରେ ସେ ଓଡିଆ ମାନଂକୁ ଗର୍ବିତ କରିଛନ୍ତି।

ବହୁ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ତାଂକୁ ମିଳିଛି । ବହୁ ବିଳମ୍ବରେ ୨୦୧୧ ମସିହାରେ ଓଡିଶା ସରକାର ତାଂକୁ ରାଜ୍ୟର ସର୍ବୋଚ ସିନେମା ପୁରସ୍କାର “ଜୟଦେବ ପୁରସ୍କାର” ପ୍ରଦାନ କରିଛନ୍ତି।
୧୦. ବର୍ଲିନ୍ ସିନେମା ଉତ୍ସବ ସମେତ ବହୁ ଆନ୍ତର୍ଜାତିକ ସିନେମା ଉତ୍ସବ ରେ ସାଧୁ ବାବୁ ଭାରତର ପ୍ରତିନିଧିତ୍ବ କରିଛନ୍ତି।

ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତି ରେ ଜୁରୀ ଭାବରେ ମଧ୍ୟ ସେ ବହୁଥର ଦାୟିତ୍ବ ତୁଲାଇଛନ୍ତି ।
୧୧. ଏତେ ସବୁ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନ ସତ୍ତ୍ବେ ସାଧୁ ମେହେର ଆଜି ବି ଗାଁ କୁ ଭଲ ପାଆନ୍ତି ।

ପରିଣତ ବୟସରେ ମୁମ୍ବାଇ ଓ ଭୁବନେଶ୍ବର ରେ ନ ରହି ସେ ନିଜ ଗାଁ ଗୁଡଭେଲିପଦରକୁ ଫେରି ଆସିଛନ୍ତି ।

ଗାଁ ରେ ଜଣେ ସାଧାରଣ ଗାଉଁଲି ମଣିଷର ଜୀବନ ବିତାଇବାରେ ତାଂକର ଆନନ୍ଦ । ସିନେମା ଦୁନିଆଁ ର ଚାକଚକ୍ୟ କୁ ଛାଡି ଏବେ ସେ ଗାଁ ର ଶାନ୍ତ ଓ ସରଳ ପରିବେଶରେ ନିଜକୁ ନୁଆ କରି ଆବିସ୍କାର କରୁଛନ୍ତି।

ଏଇ ବୟସରେ ବି ମଂଚ ନିର୍ଦ୍ଦେଶନା ଦେବାରେ ସେ ବ୍ୟସ୍ତ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଅଭିନେତା, ଓଡିଶା

କଳା ଓ କ୍ରୀଡା ର ସମନ୍ଵୟ ‘ଗଂଜପା’- କେତୋଟି ପ୍ରମୁଖ କଥା

June 16, 2016 by ନିଉଜ ଡେସ୍କ Leave a Comment

ganjapa

କେଦାର ମିଶ୍ର

କଳା ଓ କ୍ରୀଡାର ସମ୍ପର୍କ ଖୁବ୍ ବେଶୀ ନିବିଡ଼ ନୁହଁ। କଳା ସୂକ୍ଷ୍ମ ଓ ଆତ୍ମିକ ହୋଇଥିବା ବେଳେ କ୍ରୀଡା ସ୍ଥୂଳ ଓ ଅନେକାଂଶରେ ଶାରୀରିକ ଶକ୍ତି ସହ ସମ୍ପୃକ୍ତ। ତେବେ ସବୁ କ୍ରୀଡା ଶାରୀରିକ କୌଶଳ ର ସୀମା ଭିତରେ ରହି ନଥାନ୍ତି।

ଅନେକ କ୍ରୀଡା ଅଛି ଯାହା କେବଳ ମସ୍ତିସ୍କ ଓ ଭାବନା ଶକ୍ତିକୁ ଶାଣିତ କରିଥାଏ। ଯେମିତି ଚେସ୍, ପଶା, ତାସ୍ ଇତ୍ୟାଦି। ମାନସିକ ଶକ୍ତି ସହ ନିର୍ଭରଶୀଳ କ୍ରୀଡାରେ ସୂକ୍ଷ୍ମ କଲାତ୍ମକ ରୂପ ଦେଖିବାକୁ ମିଳିଥାଏ। ଯେମିତି ତାସ୍ ଖେଳର ରଂଗ, ରେଖା ଓ ଚିତ୍ରରେ ବହୁ ନୁଆ ପ୍ରୟୋଗ ହୋଇଥାଏ।

ପଶାପାଲି ନିର୍ମାଣ ସହ କଲାତ୍ମକତା ର ସମ୍ପର୍କ ରହିଆସିଛି। କଳା ଓ କ୍ରୀଡାର ସବୁଠୁ ସୁନ୍ଦର ସମନ୍ଵୟ ଦେଖିବାକୁ ମିଳେ ଓଡିଶାର ‘ଗଂଜପା’ ରେ। ଏହି କଳା ର ଉଦ୍ଭବ ଓ ବିକାଶ ସମ୍ପର୍କରେ ଐତିହାସିକ ମାନଂକର ଭିନ୍ନ ଭିନ୍ନ ମତ ରହିଛି। ଏବେ ‘ଗଂଜପା’ କୁ ନେଇ କିଛି କଥା-

୧ . ‘ଗଂଜପା’ ଶବ୍ଦ ର ଆକ୍ଷରିକ ଅର୍ଥ କୁ ନେଇ କୌଣସି ନିର୍ଦିଷ୍ଟ ମତ ନାହିଁ।

ତେବେ ଓଡିଶାର ତିନୋଟି ଅଂଚଳରେ ଏହାର ଅଲଗା ଅଲଗା ନାଁ ରହିଛି। କେହି କେହି ଏହାକୁ ତାସ୍ ବୋଲି କହୁଥବା ବେଳେ ଗାଁ ରେ ଏହାକୁ “ସାର” ବା “ଚକାସାର” ବୋଲି କୁହନ୍ତି। ସାର କୁ ଆମେ ତାସ୍ ଖେଳ ର ସେଟ୍ ସହ ତୁଳନା କରିପାରିବା ।

ତେବେ ତାସ୍ ଖେଳରେ ଗୋଟିଏ ସେଟ୍ ରେ ପତା ସଂଖ୍ୟା ସ୍ଥିର ରହିଥିବା ବେଳେ ‘ଗଂଜପା’ ର ସ୍ଥାନ ଭେଦରେ ସାର ରେ ଭିନ୍ନ ଭିନ୍ନ ସଂଖ୍ୟା ର ଚକି ରହିଥାଏ।

୨. ତାସ୍ ପତା ଆୟତାକାର ହୋଇଥିବା ବେଳେ ‘ଗଂଜପା’ ର ଆକୃତି ଗୋଲାକାର। ସେଥିଲାଗି ଏହାକୁ ଚକି ବୋଲି କୁହାଯାଏ। ଓଡିଶାର ଗଂଜାମ, ପୁରୀ ଓ ସୋନପୁର ଜିଲାର ଚିତ୍ରକର ମାନେ ‘ଗଂଜପା’ ତିଆରି କରିବା ସହିତ ଏହାର କ୍ରୀଡା କୌଶଳକୁ ପ୍ରସାରିତ କରନ୍ତି।

ganjapa1୩ . ଐତିହାସିକ ଭାବେ ମୋଗଲ୍ ଗଂଜିଫା ରୁ ‘ଗଂଜପା’ ର ସୃଷ୍ଟି ବୋଲି କୁହାଯାଏ। ତେବେ ୟୁରୋପୀୟ ମାନେ ଭାରତକୁ ଆସିବା ସହିତ ଆମ ଦେଶରେ ତାସ୍ ର ପ୍ରବେଶ ମଧ୍ୟ ଘଟିଛି। ତେଣୁ ‘ଗଂଜପା’ କୁ ମୋଗଲ୍ ଓ ୟୁରୋପୀୟ କଳା ର ମିଶ୍ରଣ ବୋଲି କେହି କେହି ବିଚାର କରନ୍ତି।

୪. ବଂଗଳା ର ବିଷ୍ଣୁପୁର ଶାସକ ମାନେ ଦଶାବତାର ଓ ଦିଗପାଳ ‘ଗଂଜପା’ ପ୍ରବର୍ତନ କରିଥିଲେ। ତେବେ ପୁରୀ ଚିତ୍ରକର ପରମ୍ପରାରେ ଦଶାବତାର ଓ ଦିଗପାଳ ‘ଗଂଜପା’ କେମିତି ଆସିଲା ତାର ଐତିହାସିକ ସୁତ୍ର ଏଯାଏ ଖୋଜା ଯାଇପାରିନାହିଁ।

୫. ଗୋଟେ ‘ଗଂଜପା’ ସାର ବା ସେଟ୍ ରେ ୯୬/୧୨୦/୧୪୪ ଟି ଚକି ରହିଥାଏ। ପ୍ରତ୍ୟେକ ସାର ରେ ରଂଗଭେଦ ମଧ୍ୟ ଅଲଗା। ଆଠରଂଗୀ, ଦଶ ରଂଗୀ, ବାର ରଂଗୀ, ଚୌଦ ରଂଗୀ, ଷୋହଳ ରଂଗୀ ଓ କୋଡିଏ ରଂଗୀ ‘ଗଂଜପା’ ସବୁ ରଂଗ ଦୃଷ୍ଟିରୁ ନିଆରା ।

୬. ରଘୁରାଜ ପୁର ଓ ଗଂଜାମ ରେ ଦଶାବତାର ‘ଗଂଜପା’ ଅଧିକ ପ୍ରଚଳିତ ଥିବା ବେଳେ ସୋନପୁର ‘ଗଂଜପା’ ରେ ରାମାୟଣ ର ରାମ ରାବଣ ଯୁଦ୍ଧ କୁ ପ୍ରଦର୍ଶିତ କର ଯାଇଥାଏ। ସୋନପୁର୍ ‘ଗଂଜପା’ ରାମ, ରାବଣ, ଇନ୍ଦ୍ରଜିତ ଓ ମାଂକଡ ନକ ରଂଗ ଅଲଗା ଅଲଗା।

୭. ‘ଗଂଜପା’ ଚକି ଓ ରଂଗ ତିଆରି ର ନିର୍ଦିଷ୍ଟ ଦେଶୀ ପ୍ରକ୍ରିୟା ରହିଛି। କପଡା ରେ ତେନ୍ତୁଳି ମଣ୍ଡ ଓ ଅଠା ଦେଇ ଚକି କୁ ଟାଣ କରାଯାଏ। ସେହିପରି ଗୁଗୁଲ, ହରିତାଳ, ଅଂଗାର,ପଥର,ମାଟି,ପୋଡାପତ୍ର ଓ ଶୁଖିଲା ପତ୍ର ଗୁଣ୍ଡ ରୁ ରଂଗ ତିଆରି କରାଯାଏ।

୮. ସମୟକ୍ରମେ ‘ଗଂଜପା’ କ୍ରୀଡାର ଆଦର କମି ଆସୁଛି। ଏହାର ଖେଳାଳୀ ଓ ରସିକଂକ ସଂଖ୍ୟା ମଧ୍ୟ କମି କମି ଆସୁଛି। ତେଣୁ ‘ଗଂଜପା’ ର ଅଂକନ ଶୈଳୀ ରେ ପରିବର୍ତନ ଆସୁଛି।

ଏବେ ବିଦେଶୀ ଗ୍ରାହକଂକୁ ଆକର୍ଷିତ କରିବା ଲାଗି “ବନ୍ଧ ଗଂଜପା” ତିଆରି କରାଯାଉଛି। କାମ ସୂତ୍ର ରେ ରହିଥିବା ଚୌଶଠି ବନ୍ଧ ଏଥିରେ ଅଂକିତ ହୁଏ।

୯. ସମ୍ପ୍ରତି ସୋନପୁର୍ ‘ଗଂଜପା’ ର କୁଶଳୀ କାରିଗର ମାନେ ପ୍ରାୟ ଆଉ ନାହାନ୍ତି।

ବିଶିଷ୍ଟ ଶିଳ୍ପୀ ଜ୍ଞାନୀ ମହାରଣ ନକ ପରେ ନୁଆ ପିଢି ର ବିଶେଷ ଆଗ୍ରହ ଆଉ ନାହିଁ। ‘ଗଂଜପା’ ତିଆରି ଲାଗି ଯେତିକି ଶ୍ରମ ଓ ସମୟ ଦେବାକୁ ହୁଏ ସେ ତୁଳନାରେ ଚିତ୍ରକରକୁ ସେତିକି ମୂଲ୍ୟ ମିଲେ ନାହିଁ। ଅର୍ଥନୈତିକ ଦୃଷ୍ଟିରୁ ଲାଭ ନ ମିଳିଲେ ଯୁବ ପିଢି ଏହାକୁ ଶିଖିବେ କାହିଁକି?

୧୦. ପାରମ୍ପରିକ କଳା ଓ କୌଳିକ ଦକ୍ଷତା ଭାବରେ ଏହାକୁ ବିକଶିତ କରି ‘ଗଂଜପା’ ର ବଜାର ସୃଷ୍ଟି କରା ଯାଇ ପାରିବ। ଏହି ଲୁପ୍ତ ପ୍ରାୟ ଚିତ୍ରକର ପରମ୍ପରାର ସୁରକ୍ଷା ଲାଗି ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଓଡିଶା, ଓଡ଼ିଶା ଖବର, ଗଞ୍ଜପା, ଚକାସାର, ଚେସ୍, ତାସ୍, ପଶା, ସାର

ମହାନଦୀକୁ ନେଇ ଦଶଟି ଅନାଲୋଚିତ ତଥ୍ୟ

June 13, 2016 by ନିଉଜ ଡେସ୍କ Leave a Comment

mahanadi2କେଦାର ମିଶ୍ର

ମହାନଦୀ କେବଳ ଓଡିଶା ଓ ଛତିଶଗଡର ସବୁଠୁ ବଡ ନଦୀ ନୁହଁ, ଏହା ପୂର୍ବ ଭାରତର ଜୀବନ ରେଖା। ମହାନଦୀର ମୂଳ ପ୍ରବାହ ଓ ଶାଖା ପ୍ରବାହ ଓଡିଶା ସମେତ ଛତିଶଗଡ , ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ଗୁଡିକର ଭୌଗୋଳିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ମହାନଦୀ କୁ ନେଇ କେତେ କଥା ଓ କାହାଣୀ ଆଜିଯାଏ ସଂକଳିତ ହୋଇପାରିନାହିଁ।

ଏହାର ଉଦଗମ ଠୁଁ ସମୁଦ୍ର ସଂଗମ ପର୍ଯନ୍ତ ଏକ ସୁଦୀର୍ଘ ଯାତ୍ରାପଥରେ ମହାନଦୀ କେଉଁଠି ଦେବୀ ତ ଆଉ କେଉଁଠି ଦେବତାର ଆଶ୍ରୟସ୍ଥଳ ପାଲଟିଛି।

ଓଡିଶାର ଦୁଇ ପ୍ରମୁଖ ଧାର୍ମିକ-ସାଂସ୍କୃତିକ ଧାରା ଯଥା – ଶ୍ରୀଜଗନ୍ନାଥ ଓ ସମଲେଶ୍ଵରୀ ସଂସ୍କୃତି ମହାନଦୀ କୁଳେ କୁଳେ ବିକଶିତ ହୋଇଛି। ମହାନଦୀ ର ପାଣି ଓଡିଶାର ଜନଜୀବନ ଓ ଅର୍ଥନୀତିର ଅପରିହାର୍ୟ ଉପାଦାନ। ମହାନଦୀ କୁ ନେଇ ଆସନ୍ତୁ କିଛି ଅଜଣା ତଥ୍ୟ ଖୋଜିବା-

୧.  ଛତିଶଗଡ ର ପୂର୍ବଘାଟ ପର୍ବତମାଳା ହେଉଛି ମହାନଦୀର ଉଦଗମ ସ୍ଥଳ। ଏହାର ଧମତରୀ ଜିଲ୍ଲା ଅନ୍ତର୍ଗତ ଫାରିସିୟା ଗାଁ ର ଏକ ପାହାଡରୁ ଏହାର ପ୍ରଥମ ସ୍ରୋତ ଠାବ କରାଯାଇଛି ।

କ୍ରମେ କ୍ରମେ ଅନେକ ଜଳସ୍ରୋତ ଏକାଠି ହୋଇ ଏହା ଏକ ନଦୀ ର ରୂପ ପାଇଛି ଓ ଛତିଶଗଡର ରାୟପୁର୍ ବାଟ ଦେଇ ଓଡିଶା ଅଭିମୁଖେ ପ୍ରବାହିତ ହେଉଛି। ଛତିଶଗଡର ଅନ୍ୟ ଦୁଇ ଶାଖା ନଦୀ ହଂସଦେଓ ଏବଂ ଶେଓନାଥ୍ ମହାନଦୀରେ ମିଶିବା ଫଳରେ ଏହା ଏକ ବିଶାଳ ନଦୀର ମାନ୍ୟତା ପାଇଛି।

River-Mahanadi୨.  ଲୋକକଥା ଅନୁସାରେ ପୂର୍ବଘାଟ ପର୍ବତମାଳାର ଏହି ସ୍ଥାନରେ ବିଶିଷ୍ଟ ଋଷି ଶ୍ରୁଂଗୀମୁନିଂକ ଆଶ୍ରମ ଥିଲା। ମହାକୁମ୍ଭ ମେଳାରେ ବୁଡ ପକେଇବାକୁ ଏହି ବାଟଦେଇ ଅନେକ ଋଷି ଯାଉଥିଲେ।

ଯିବା ପୂର୍ବରୁ ସେମାନେ ଶ୍ରୁଂଗୀମୁନିଂକ ସହ ସାକ୍ଷାତ କରିବାକୁ ଚାହୁଁଥିଲେ। ଶ୍ରୁଂଗୀ ଗଭୀର ତପସ୍ୟାରେ ନିମଗ୍ନ ଥିବାରୁ ଋଷି ମାନେ ଅପେକ୍ଷା କରି ରହିଲେ। ତଥାପି ମୁନିଂକ ତପ ଭାଂଗିଲା ନାହିଁ । ଶେଷରେ ଅନ୍ୟ ଋଷି ମାନେ ସ୍ନାନ ସାରି ଲୋଟାଏ ଜଳ ଶ୍ରୁଂଗୀ ମୁନିଂକ କମଂଡଳୁରେ ଢାଳି ଦେଇଗଲେ।

ତପ ଭାଂଗିବା ବେଳେ ଶ୍ରୁଂଗୀଙ୍କ ହାତ ବାଜି ଜଳଧାର ବିଛୁଡି ହୋଇପଡିଲା। ସେ ଦିବ୍ୟ ଜଳଧାର ଆଗକୁ ଆଗକୁ ବୋହି ଯାଇ ମହାନଦୀ ରୂପେ ଜନ କଲ୍ୟାଣ ରେ ଲାଗିଲା।

୩.  ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

ସମ୍ବଲପୁର ସହର ପୂର୍ବରୁ ଏସିଆର ସର୍ବବୃହତ୍ ମାଟି ବନ୍ଧ ଦେଇ ଅଟକାଯାଇ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି , ଯାହାକି ହିରାକୁଦ ନଦୀ ବନ୍ଧ ନାମରେ ପ୍ରସିଦ୍ଧ।

୪.  ଓଡିଶାରେ ଇବ, ଅଂଗ,ସୁକତେଲ୍, ତେଲ, ବାଘ, ମେହେରୁଣୀ ଇତ୍ୟାଦି ଶାଖା ନଦୀ ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଏହା ବିପୁଳ ଗର୍ଭା ଓ ସୁନାବ୍ୟା ହୋଇଛି। ଶହ ଶହ ବର୍ଷ ଧରି ମହାନଦୀ ଅବବାହିକାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି।

ପ୍ରାଚୀନ କାଳରେ ମହାନଦୀ ଓ ତେଲବାହ ନଦୀ (ଏବର ତେଲ ନଦୀ) ଜଳ ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା।

hirakud୫.  ସମ୍ବଲପୁର ରୁ ବୌଦ ପର୍ଯନ୍ତ ମହାନଦୀର ପ୍ରାଚୀନ ନାମ ଚିତ୍ରୋତ୍ପଲା ଥିଲା ବୋଲି କୁହାଯାଏ। ଐତିହାସିକ କାବ୍ୟ “କୋଶଲାନନ୍ଦ” ରେ କବି ଗଂଗାଧର ମିଶ୍ର ମହାନଦୀ- ଚିତ୍ରୋତ୍ପଲା କୁ ଗଂଗା ପରି ପବିତ୍ର ଓ ଏହା କୁଳ ରେ ଥିବା ସୁବର୍ନପୁର ନଗରୀ (ଆଜିର ସୋନପୁର ସହର) କୁ ଦ୍ଵିତୀୟ ବାରାଣସୀ ବୋଲି ବର୍ଣନା କରିଛନ୍ତି।

ସମ୍ବଲପୁର୍, ବିନିକା, ସୋନପୁର୍ ଓ ବୌଦ ସହର ଗୁଡିକରେ ପ୍ରାଚୀନ କାଳରୁ ବୌଦ୍ଧ, ଜୈନ, ତନ୍ତ୍ର, ଶୈବ ଓ ବୈଷ୍ଣବ ସଂସ୍କୃତିର ମହାସଂଗମ ଦେଖିବାକୁ ମିଳେ ।

୬.  ବିନିକା ପାଖରେ ମହାନଦୀ କୁଳରେ ଏକ ପ୍ରାଚୀନ ବରଗଛ ରହିଛି। ସୁର୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାଳରେ ମହାନଦୀରେ ବୁଡ ପକାଇ ଏହି ବରଗଛର ସଂକୀର୍ଣ କୋଟର ଅତିକ୍ରମ କଲେ ସବୁ ପାପ କ୍ଷୟ ଯାଏ ବୋଲି ଲୋକ ବିଶ୍ଵାସ ରହିଛି।

ଗଂଗ ବଂଶର ରାଜା ଅନଂଗ ଭୀମ ଦେବ ଏହି ସ୍ଥାନ ରେ ସ୍ନାନ କରି ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ପାଇଥିବାରୁ ଓ ଏହି ଠାରେ ତାଂକ ପାପ ରହିତ ହୋଇଥିବାରେ , ମହାନଦୀକୁଳର ଏହି ତୀର୍ଥ ଗ୍ରାମ ର ନାମ ହେଉଛି “ରହିଲା”।

୭. ସୋନପୁରରେ ତେଲ ଓ ଜୀର୍ଣ ନଦୀ ମହାନଦୀ ସହ ମିଳିତ ହୋଇଥିବାରୁ ଏହାକୁ ତ୍ରିବେଣୀ ସଂଗମ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ଶିବ ଓ ଶକ୍ତି ପୀଠ ରହିଛି। ଏକଦା ଏହା ସୋମବଂଶୀ ଶାସକ ମାନଂକର ରାଜଧାନୀ ଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଏହା ନିକଟରେ ମହାନଦୀ ଗର୍ଭରେ ଅସୁରଗଡ ନାମକ ଏକ ଟାପୁ ରହିଛି।

ଏହାର ପ୍ରତ୍ନତାତ୍ଵିକ ଖନନରୁ ଏଠାରେ ବହୁ ପ୍ରାଚୀନ ଏକ ସଭ୍ୟତା ରହିଥିବାର ପ୍ରମାଣ ମିଳେ ।

୮.  ବୌଦ ପାରିହେଲା ପରେ ମହାନଦୀ ପ୍ରାୟ ୭ କୋଷ (୬୪ କିଲୋମିଟର) ବ୍ୟାପୀ ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି। ଏହା ସତକୋଶିଆ ଗଣ୍ଡ ନାମରେ ପରିଚିତ। ଏହି ଗଣ୍ଡରେ କୁମ୍ଭୀର ଅଭୟାରଣ୍ୟ ଓ କୁଳରେ ବାଘ ଅଭୟାରଣ୍ୟ ରହିଛି।

୯. ସାତକୋଶିଆ ପରେ ମହାନଦୀ ର ଓସାର ଅନେକ ପରିମାଣରେ ବ୍ୟାପକ ହେବା ସହ ଏହା ଅନେକ ଉପନଦୀ ସୃଷ୍ଟି କରିଛି। କାଠଯୋଡି, ବିରୁପା, ପାଇକା , ଚିତ୍ରୋତ୍ପଲା ଇତ୍ୟାଦି ମହାନଦୀ ରୁ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଦିଗକୁ ପ୍ରବାହିତ ହେଉଛନ୍ତି। କଟକ ଜିଲ୍ଲାରେ ମହାନଦୀ ଏକ ବିଶାଳ ତ୍ରିକୋଣଭୁମୀ ସୃଷ୍ଟି କରି ବଂଗୋପ ସାଗରରେ ମିଶିଛି।

୧୦.  କଂଟିଲୋ ଠାରେ ମହାନଦୀ କୁଳରେ ଶ୍ରୀ ଜଗନ୍ନାଥ ନୀଳମାଧାବ ରୁପେ ଶବର ମାନଂକ ଦ୍ଵାରା ପୂଜିତ ହେଉଥିଲେ ବୋଲି କୁହାଯାଏ। ମହାନଦୀ ସହିତ ଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଛି।

ମହାନଦୀ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂଗୀତ ଓ ଜନ ଜୀବନରେ ଜୀବନରେଖା ପରି ପ୍ରବାହିତ ହେଉଛି।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା Tagged With: ଅନାଲୋଚିତ, ଓଡିଶା, କଳା, ତଥ୍ୟ, ମହାନଦୀ, ସଂଗୀତ, ସତ୍ୟ, ସାହିତ୍ୟ, ସ୍ଥାପତ୍ୟ

କାହିଁକି ଦେଖିବେ କୋଣାର୍କ ସୂର୍ଯ୍ୟ ମନ୍ଦିର? ୧୦ଟି କାରଣ

June 8, 2016 by ନିଉଜ ଡେସ୍କ 1 Comment

konark1
କୋଣାର୍କ ସୂର୍ଯ୍ୟ ମନ୍ଦିର: ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ

କେଦାର ମିଶ୍ର

ପୁଣି ଥରେ ଚର୍ଚା ରେ କୋଣାର୍କ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆମେରିକା ଗସ୍ତ ସମୟରେ କୋଣାର୍କ ସ୍ଥାପତ୍ୟର ବିପୁଳ ପ୍ରଶଂସା କରିବା ସହିତ ଏହାର ପ୍ରାଚୀନ ଶିଳ୍ପକଳାରେ ଆଧୁନିକତାର ଆଭାସ ରହିଥିଲା ବୋଲି କହିଛନ୍ତି ।

ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୋଣାର୍କ ପ୍ରତି ବିଶ୍ଵ ବାସୀଂକ ଦୃଷ୍ଟି ପୁଣିଥରେ ଆକର୍ଷିତ କରିଛି ।  କଳିଂଗ ଶିଳ୍ପ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠତମ ଓ ସୁନ୍ଦରତମ ଉଦାହରଣ ଭାବରେ କୋଣାର୍କ ମନ୍ଦିରର ନିଜସ୍ଵ ପରିଚୟ ଓ ଗରିମା ରହିଛି ।

ଗଂଗ ରାଜା ଲାଂଗୁଲା ନରସିଂହ ଦେବଂକ ଦ୍ଵାରା ସ୍ଥାପିତ କୋଣାର୍କ କଳା ମୁଗୁନି ପଥରରେ ଜୀବନ୍ତ ସୌନ୍ଦର୍ୟର ଅବତାରଣ କରିଛି ।  ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ ଭାବେ ଲୋକଂକୁ ଓ ପୃଥିବୀର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କେତୋଟି ରୋଚକ ତଥ୍ୟ-

୧. ଭାରତରେ ରହିଥିବା ମାତ୍ର ଅଳ୍ପ କେତୋଟି ସୂର୍ୟ ମନ୍ଦିର ମାନଂକ ମଧ୍ୟରେ ଏହା ଅନ୍ୟତମ. ତେବେ ଆକୃତି ଓ ସୌନ୍ଦର୍ଯ୍ୟରେ ଏହା ଅତୁଳନୀୟ ।  ଭାରତର ସବୁ ସୂର୍ଯ୍ୟ ମନ୍ଦିରଠାରୁ ଏହା ଢେର୍ ବଡ ।

୨. ୧୨୫୫ ମସିହାରେ ଗଂଗ ବଂଶର ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ. ବଂଗୋପ ସାଗର ଓ ଚନ୍ଦ୍ରଭାଗା ନଦୀର ମୁହାଣରେ ନିର୍ମିତ ହୋଇଥିବା ଏହି ବିଶାଳକାୟ ମନ୍ଦିରକୁ ନେଇ ଓଡିଶାରେ ବହୁ କାହାଣୀ ଓ କିମ୍ବଦନ୍ତି ପ୍ରଚଳିତ ରହିଛି. ୧୨ ବର୍ଷ ଧରି ୧୨୦୦ ଶିଳ୍ପୀ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ବୋଲି କୁହାଯାଏ ।

୩ . ଏକ ରଥ ଆକାରରେ ନିର୍ମିତ ଏହି ମନ୍ଦିରରେ ୧୨ ଯୋଡା ରଥ ଚକ ଓ ୭ଟି ସୁସଜ୍ଜିତ ଅଶ୍ଵ ଶୋଭା ପାଉଥିଲେ ।  ଖଣ୍ଡୋଲାଇଟ ପଥରରେ ନିର୍ମିତ ଏହି କଳିଙ୍ଗ ସ୍ଥାପତ୍ୟାରେ ମୁଳ ଗର୍ଭଗୃହ, ବିମାନ, ଜଗମୋହନ ଓ ନାଟ ମଣ୍ଡପ ରହିଛି ।

ମନ୍ଦିରର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକଲା ଓ ବାସ୍ତୁକଲା ର ଚମତ୍କାର ଉଦାହରଣ ଦେଖିବାକୁ ମିଳେ ।

୪. କୋଣାର୍କ ପ୍ରତିମା ସବୁ ସୌନ୍ଦର୍ୟ ରେ ଯେତିକି ଭରପୂର ଐଶ୍ଵର୍ଯ୍ୟରେ ସେତିକି ଜୀବନ୍ତ. ତ୍ରୟୋଦଶ ଶତାବ୍ଦୀରେ ସମୁଦ୍ର ବେଳାରେ ଏମିତି ଏକ ସୁକ୍ଷ୍ମ ଓ ବିଶାଳ ମନ୍ଦିର ନିର୍ମାଣର କୌଶଳ କଥା ଚିନ୍ତା କଲେ ଉତ୍କଳୀୟ ବାସ୍ତୁକଳାର ମହାନତା ଆଗରେ ମଥା ନଇଁ ଯାଏ ।

କୋଣାର୍କ ମନ୍ଦିରର ମୂଳ ବିମାନ ଯାହାକି ୧୮୩୭ ମସିହାରେ ଭୁଷୁଡି ପଡିଥିଲା , ତାହାର ଉଚତା ୨୨୯ ଫୁଟ୍ ଥିଲା ବୋଲି କୁହାଯାଏ ।  ସମୁଦ୍ର ମଝାରୁ ଏହି ମନ୍ଦିର ଏକ ପ୍ରକାର ବତୀଖୁଣ୍ଟ ଭାବରେ କାମ କରୁଥିଲା ବୋଲି ଅନେକ ପ୍ରାଚୀନ ନାବିକ ବର୍ନନା କରିଛନ୍ତି ।

୫. ବର୍ତ୍ତମାନ ୧୨୮ ଫୁଟ୍ ବିଶିଷ୍ଟ ଜଗମୋହନ ସମେତ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ବଂଚି ରହିଛି ।

କୋଣାର୍କ ର ପ୍ରତ୍ୟେକ ଅଂଶରେ ମୈଥୁନ, ଡାଲମାଳିକା, ଶାଲ ଭଣ୍ଯିକା, ବୀଣାବାଦିନୀ , ମୃଦଂଗ ବାଦିନୀ, ନାୟିକା, ଗାୟିକା, ପଶୁ, ପକ୍ଷୀ , ଲତା , ପତ୍ର ଓ ଫୁଲର ଜୀବନ୍ତ ପ୍ରତିମାସବୁ ରହିଛନ୍ତି. ପୃଥିବୀର ପ୍ରାୟ ସବୁ ଭୌଗୋଳିକ ଅଂଚଳର ଜୀବ ଜଗତକୁ କୋଣାର୍କ ଶିଳ୍ପୀ ନିଖୁଣ ଭାବରେ ଗଢିବାର ପ୍ରୟାସ କରିଛି. ଏଥିରେ ଆଫ୍ରିକା ମହାଦେଶର ଜିରାଫ୍ ର ମୂର୍ତୀ ମଧ୍ୟ ଖୋଦିତ ହୋଇ ରହିଛି ।

୬. ଭୁଷୁଡି ପଡିଲା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବାଲିରେ ଅଧା ପୋତି ହୋଇ ପଡିଥିଲା. ବିଭିନ୍ନ ସମୟରେ ଏହି ମନ୍ଦିରର ପଥର କୁ ପୁରୀ ମନ୍ଦିର ନିର୍ମାଣରେ ଲଗା ଯାଇଥିଲା. ଏପରିକି ମନ୍ଦିରର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପିତ ଅରୁଣ ସ୍ତମ୍ଭ ମଧ୍ୟ କୋଣାର୍କ ରୁ ସ୍ଥାନାନ୍ତର କରାଯାଇଥିଲା ।

୭. ବର୍ତମାନ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପରିଚାଳନା ଦାୟିତ୍ଵ ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି ।  ତେବେ ଏହାର ସଂରକ୍ଷଣ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହିଛି ବୋଲି ଐତିହାସିକ ଓ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।  ତେବେ  ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି ।

୮. କୋଣାର୍କ କୁ ଯିବାକୁ ହେଲେ ଭୁବନେଶ୍ଵରରୁ ୬୫ କିଲୋ ମିଟର୍ ଓ ପୁରୀ ରୁ ୩୫ କିଲୋ ମିଟର୍ ଦୂର ରାସ୍ତା ରେ ଯିବାକୁ ପଡିବ ।  ଏ ଯାଏ କୋଣାର୍କ କୁ ରେଳପଥରେ ସଂଯୋଗ କରାଯାଇ ପାରି ନାହିଁ ।

୯. କୋଣାର୍କ କୁ ଘେରି ଅନେକ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ମାନ ରହିଛି ।  କୋଣାର୍କ ଠାରୁ ଅତି ଅଳ୍ପ ଦୂରରେ ଚନ୍ଦ୍ରଭାଗା ର ମନୋରମ ବେଳାଭୂମି ଅବସ୍ଥିତ ।  କୋଣାର୍କ-ପୁରୀ ସାମୁଦ୍ରିକ ବେଳାଭୂମି ରାସ୍ତାରେ ରାମଚଣ୍ଡି, ବେଲେଶ୍ବର , କୁଶଭଦ୍ରା ମୁହାଣ ପରି ଅନେକ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥାନ ସବୁ ରହିଛି ।

୧୦. ପ୍ରତି ଡିସେମ୍ବର ମାସରେ କୋଣାର୍କ ରେ ଶାସ୍ତ୍ରୀୟ ନୃତ୍ୟ ର ଉତ୍ସବ “କୋଣାର୍କ ମହୋତ୍ସବ’ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ମୁଖ୍ୟ ଖବର Tagged With: ଓଡିଶା, କୋଣାର୍କ, ନରେନ୍ଦ୍ର ମୋଦି, ପର୍ଯ୍ୟଟନ

ଶ୍ରୀଜଗନ୍ନାଥ, ଜଗମୋହନ ଓ ଓଡ଼ିଶା ରାଜନୀତି

May 22, 2016 by ନିଉଜ ଡେସ୍କ Leave a Comment

Singha Dwar 1860
Pic: http://jagannath.nic.in/

କେଦାର ମିଶ୍ର

ସମ୍ପ୍ରତି ପୁରୀ ଶ୍ରୀମନ୍ଦିରର ଜଗମୋହନ ଅବସ୍ଥା ଯାହା ଏହା ଯେ ଦିନେ କୋଣାର୍କ ମନ୍ଦିର ଭଳି ଭୁଷୁଡ଼ି ପଡ଼ିବ, ସେହି ଆଶଙ୍କାକୁ ଏଡ଼େଇ ଦେଇ ହେବ ନାହିଁ । ଏକଥା କହିଛନ୍ତି ଶ୍ରୀମନ୍ଦିର ମରାମତି ସହ ସଂପୃକ୍ତ ଜଣେ ପ୍ରଖ୍ୟାତ ଇଞ୍ଜିନିୟର୍ ଶ୍ରୀ ମିତ୍ର ।

ତାଙ୍କ ବକ୍ତବ୍ୟରୁ ଯେଉଁ ଉଦବେଗ ଓ ଉତ୍ତେଜନା ବାରି ହୋଇ ପଡ଼ିଥିଲା, ତା’ର ପ୍ରଭାବ ଏବେ ଓଡ଼ିଶା ରାଜନୀତିରେ ଅନୁଭୂତ ହେଉଛି । ଓଡ଼ିଶାର ଲୋକଜୀବନରେ ସବୁପ୍ରକାର ବାଦ-ବିସମ୍ବାଦକୁ ପଛରେ ପକାଇ ଜଗନ୍ନାଥ ସବୁବେଳେ ଆମ ସାମାଜିକ ବିତର୍କର ନାଭିକ୍ଷେତ୍ରରେ ବିରାଜମାନ କରିଥା’ନ୍ତି ।

ରାଜ୍ୟରେ ଯେତେ ଯାହା ଘଟୁ ପଛେ, ତା’କୁ ନେଇ ଆମ ସାମାଜିକ ଜୀବନରେ ଖୁବ୍ ବେଶୀ ଆନ୍ଦୋଳନ ଦେଖାଦିଏ ନାହିଁ । ହେଲେ ଜଗନ୍ନାଥଙ୍କ ସହ ସମ୍ପୃକ୍ତ ଛୋଟରୁ ଛୋଟ ଘଟଣା ମଧ୍ୟ ଆମକୁ ଉତ୍ତେଜିତ କରିପକାଏ । ୨୦୧୫ ବର୍ଷଟି ସାରା ଆମେ ନବକଳେବରକୁ ନେଇ ତର୍କ ବିତର୍କରେ ମାତିଲୁ । ଦାରୁଠାବ, ଦାରୁ ଛେଦନ, ବ୍ରହ୍ମ ବିଭ୍ରାଟ ଇତ୍ୟାଦି ବହୁ ଅଦ୍ଭୁତ ଶବ୍ଦ ଆମ ସାମାଜିକ ଜୀବନକୁ କବଳିତ କଲା ।

ଏହି ସମୟରେ ଆଉ କେତେ କଥା ଘଟିଥିଲା, ତାହା ଆମର ଆଉ ମନେ ନାହିଁ । ପ୍ରାୟ ଲକ୍ଷେ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତି ସମ୍ପର୍କରେ ଆମ ଚର୍ଚ୍ଚାର ପରିସର ଅତ୍ୟନ୍ତ ସୀମିତ । ସେହିପରି କୋଇଲା ଓ ଲୁହାପଥର ଖଣି କ୍ଷେତ୍ରରେ ପ୍ରଚୁର ଦୁର୍ନୀତି ହୋଇଥିବା କଥା ଆମେ ସମସ୍ତେ ଜାଣିଛୁ । ଏହାକୁ ନେଇ ଶାହା କମିଶନ ଯେଉଁ ତଦନ୍ତ ରିପୋର୍ଟ ଦେଇଛନ୍ତି, ତାହା ଏବେ ଶୀତଳଭଣ୍ଡାରରେ ପଡ଼ିଛି ।

ତା’କୁ ନେଇ ଆମର କୌଣସି ଚର୍ଚ୍ଚା ବା ଆଲୋଚନାନାହିଁ । ତେବେ ଜଗନ୍ନାଥଙ୍କ ପ୍ରସଙ୍ଗ୍ ଉଠିଲେ, ଆମେ ବେଶ୍ ମୁଖର ।

ଜଗନ୍ନାଥ ଯେହେତୁ ଓଡ଼ିଶାର ସାଂସ୍କୃତିକ ଜୀବନର ଚାଳିକା ଶକ୍ତି, ତାଙ୍କୁ ନେଇ ଅଧିକ ଆଲୋଚନାହେବାରେ କୌଣସି ଅସୁବିଧା ନାହିଁ । ହେଲେ ଜଗନ୍ନାଥ ହିଁ ସବୁକିଛି ଓ ତାଙ୍କୁ ନେଇ ଆମର ରାଜନୀତି, ଅର୍ଥନୀତି ଓ ସମାଜ ଗତିଶୀଳ ବୋଲି ଭାବିବା ଆଧୁନିକ ସମୟରେ ଏକ ଭୟଙ୍କର ସଂକଟର ସୂଚନା ଦେଉଛି ।

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର ଉତ୍ତେଜନା ଆସିଲା ଓ ଗଲା । ନବକଳେବର ସମୟରେ ଭିତ୍ତିଭୂମିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଗଲା । ତା’ର ହିସାବ ମାଗିବାକୁ କାହାର ସାହସ ନାହିଁ!

ପୁରୀ – ଭୁବନେଶ୍ୱର ରାସ୍ତା ନବକଳେବର ସମୟରେ ସରିବା କଥା, ଅଥଚ ଆଜି ଯାଏ ଏହା ଅସମ୍ପୂର୍ଣ୍ଣ । ଏକ ଅଧୁରା ରାସ୍ତାରେ ଯା’ ଆସ କରିବା ପାଇଁ ଆମେ ପ୍ରତିଦିନ ମୋଟା ଅଙ୍କର ଟିକସ ଦେଉଛୁ । ରାସ୍ତା କାମ ନ ସାରି ଟୋଲ୍ ଟିକସ ଆଦାୟ କରିବାର ଭ୍ରଷ୍ଟାଚାର ବିରୋଧରେ ଆଜି ପର୍ଯ୍ୟନ୍ତ ଆମ ପାଟିରୁ ପଦେ କଥା ବାହାରି ନାହିଁ ।

ନବକଳେବର ସମୟରେ ଯେତେପ୍ରକାର ବିଭ୍ରାଟକୁ ନେଇ ଆମେ ହୋ-ହଲ୍ଲା କଲେ, ତା’ର କିଛି ସମାଧାନ ଘଟିଲା କି ! ଏ ପ୍ରଶ୍ନ ପଚାରିବା ଅବାନ୍ତର । ଯାହା ଯେତେବେଳେ ଘଟିଲା, ତା’କୁ ନେଇ ଆମେ ଉତ୍ତେଜିତ ହେଲେ ଓ କିଛିକ୍ଷଣ ପରେ ତା’କୁ ଭୁଲିଗଲେ । ଏହା ହେଉଛି ଓଡ଼ିଆ ଜାତିର ମୌଳିକ ଗୁଣ ।

ଆମର ଭୁଲିବା ପ୍ରକ୍ରିୟାଟି ମନେ ରଖିବା ପ୍ରକ୍ରିୟାଠାରୁ ଅଧିକ ତୀବ୍ର । ଆମେ ଇତିହାସକୁ ମନେ ରଖି ପାରୁନା । ଛୋଟ ଛୋଟ ଘଟଣାକୁ ଆମେ ଐତିହାସିକ ବୋଲି ଭାବୁ ଓ ଅଳ୍ପ ସମୟ ପରେ ତା’କୁ ଭୁଲିଯାଉ । ନବକଳେବର ବିଭ୍ରାଟ ତା’ର ଏକ ସୁନ୍ଦର ଉଦାହରଣ । ବ୍ରହ୍ମ ବିଭ୍ରାଟ ଆଜି ଆମ ପାଇଁ ଆଉ ଚିନ୍ତାର ବିଷୟ ନୁହଁ ।

ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗ ମଧ୍ୟ ଆମ ଚର୍ଚ୍ଚାର ପରିସରରେ ଆଉ ନାହିଁ । ତା’ପରେ ଆସିଲା ପୁରୀରେ ଇସ୍କନର ମନ୍ଦିର ନିର୍ମାଣ ପ୍ରସଙ୍ଗ ।

ଅନ୍ତର୍ଜାତିକ ଅ ଧ୍ୟାତ୍ମିକ ସଂଗଠନ ଇସ୍କନ ପୁରୀରେ ଏକ ବଡ଼ ମନ୍ଦିର କରିବ ବୋଲି ଚର୍ଚ୍ଚା ହେଲା । ଇସ୍କନ ମନ୍ଦିରର ଉଚ୍ଚତାକୁ ନେଇ ଆମେ ଶ୍ରୀମନ୍ଦିରର ଉଚ୍ଚତା ଉପରେ ସନ୍ଦେହ କରିବା ଆରମ୍ଭ କଲୁ । ଆମକୁ ଲାଗିଲା ପୁରୀରେ ଶ୍ରୀମନ୍ଦିରଠୁ ଯଦି ବଡ଼ ମନ୍ଦିରଟିଏ ଗଢାଯାଏ, ତାହା ଶ୍ରୀମନ୍ଦିରର ଅପମାନ ହେବ ।

ତା’କୁ ନେଇ ଢେର ଦିନ ଆମେ ଚର୍ଚ୍ଚାରେ ମାତିଲୁ । କୋର୍ଟ କଚେରୀ ଯାଏ ମାମଲା ଗଲା । ମାନ୍ୟବର ଅଦାଲତ ଇସ୍କନ ମନ୍ଦିର ନିର୍ମାଣ ଉପରେ ରହିତାଦେଶ ଦେଲେ । ଏହି ଚର୍ଚ୍ଚାବେଳେ ଯେଉଁ ହାସ୍ୟାସ୍ପଦ ଯୁକ୍ତି ସବୁ ଦିଆଗଲା, ତା’ର କୌଣସି ବୈଜ୍ଞାନିକ ବା ସାଂସ୍କୃତିକ ଅ ।ଧାର ନଥିଲା ।

ଶ୍ରୀମନ୍ଦିର ନିର୍ମାଣ ଶୈଳୀର ଯେଉଁ ମୌଳିକତା ଓ ସୌନ୍ଦର୍ଯ୍ୟ ରହିଛି, ତା’ର କୌଣସି ବିକଳ୍ପ ନାହିଁ । ଆଧୁନିକ ସ୍ଥାପତ୍ୟରେ ଶ୍ରୀମନ୍ଦିରର କୌଣସି ତୁଳନା କଲା ଭଳି ନିର୍ମାଣ କାର୍ଯ୍ୟ ସମ୍ଭବପର ହେବ ନାହିଁ । ଯେଉଁମାନେ କଳା ଓ ଇତିହାସର ମର୍ମଜ୍ଞ, ସେମାନେ ଭଲଭାବରେ ଜାଣନ୍ତି ଯେ ଆଧୁନିକ ବାସ୍ତୁକଳାରେ ପ୍ରାଚୀନ ମନ୍ଦିର କଳାର ବିକାଶ ସମ୍ଭବ ନୁହଁ ।

ଇସ୍କନ ଅତିବେଶୀରେ ଗୋଟିଏ ଉଚ୍ଚ ସୌଧ ନିର୍ମାଣ କରିପାରିବ । ତା’ ଶ୍ରୀମନ୍ଦିର କଦାପି ହେବନାହିଁ । ତା’କୁ ନେଇ ଏତେ ଉଦ୍ବିଗ୍ନ ହେବା ଓ ସାମାଜିକ ଜୀବନରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି କରିବା ସବୁଠୁ ହାସ୍ୟାସ୍ପଦ ବିଷୟ ।

ତା’ପରେ ଏବେ ଜଗମୋହନ ପ୍ରସଙ୍ଗ । ପ୍ରାୟ ୮୦୦ ବର୍ଷ ତଳେ ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ସ୍ଥାପତ୍ୟରେ ଅବକ୍ଷୟ ଦେଖାଦେବା ସ୍ୱାଭାବିକ । କେଉଁଠି କେଉଁଠି ପଥର ଖସିବା, ଫାଟ ଦେଖାଦେବା ଏକ ସ୍ୱାଭାବିକ ପ୍ରକ୍ରିୟା । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତ ସରକାରଙ୍କ ଏଏସ୍ଆଇ ବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ହାତରେ ରହିଛି ।

ଏହି ସଂସ୍ଥା ମନ୍ଦିର ସଂରକ୍ଷଣ କ୍ଷେତ୍ରରେ କେତେ ଦାୟିତ୍ୱବାନ, ତା’ର ଉଦାହରଣ ଆମେ କୋଣାର୍କରେ ଦେଖିଛୁ । କୋଣାର୍କକୁ ଏକ ବନ୍ଦୀଶାଳା ଭାବେ ଏଏସ୍ଆଇ ବ୍ୟବହାର କରୁଛି । କୋଣାର୍କର ଭଗ୍ନ ମୁଖଶାଳାରେ ଯେଉଁସବୁ କଳାକୃତି ରହିଥିଲା, ତା’କୁ କ୍ରମଶଃ ଅପସାରଣ କରି ନିଦା ପଥରର ଏକ ନିରସ ଦେଉଳ ଭାବରେ ଏବେ କୋଣାର୍କ ଠିଆ ହୋଇଛି ।

ବହୁ ପୁରୁଣା କଳାକୃତି ଏବେ କୋଣାର୍କ ଗାତ୍ରରୁ ଉଭେଇ ଯାଉଛନ୍ତି । ସେ ସମ୍ପର୍କରେ କେହି କେବେ ଚର୍ଚ୍ଚା କରୁନାହାନ୍ତି । ୩୦ ବର୍ଷ ତଳେ କୋଣାର୍କ ଯାହା ଥିଲା, ଆଜି ତାହା ହୋଇ ରହିନାହିଁ । ସଂରକ୍ଷଣ ନାଁରେ ଏଏସ୍ଆଇ କୋଣାର୍କକୁ ତିଳ ତିଳ କରି ହତ୍ୟା କରୁଛି । ଶ୍ରୀମନ୍ଦିର କ୍ଷେତ୍ରରେ ତାହାର ବ୍ୟତିକ୍ରମ ହେଉଛି ବୋଲି କହି ହେବନାହିଁ ।

ଜଗମୋହନରେ ଫାଟ ରହିଥିବା ସତ୍ତ୍ୱେ ଏହାର ମରାମତି ପାଇଁ ଯେଉଁ ପ୍ରକାର ତତ୍ପରତା ଦେଖାଇବା କଥା, ତାହା ମୂଳରୁ ଦେଖାଯାଇନାହିଁ । ଯାହାଫଳରେ ଆଜି ନେଡ଼ିଗୁଡ଼ କହୁଣୀକୁ ବୋହିବା ଆରମ୍ଭ କରିଛି । ଶ୍ରୀମନ୍ଦିରର ଯଦି କିଛି ହୋଇଯାଏ, ତାହା ଓଡ଼ିଶା ପାଇଁ ଏକ ବଡ଼ ବିପର୍ଯ୍ୟୟ ହେବ ଓ ଏହି ବିପର୍ଯ୍ୟୟ ଲାଗି ଭାରତ ସରକାର ଦାୟୀ ରହିବେ ।

ମନ୍ଦିରର ନିୟମିତ ସର୍ବେକ୍ଷଣ, ମରାମତି ଓ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ କରିବା ଏଏସ୍ଆଇର ଦାୟିତ୍ୱ । ଓଡ଼ିଶାର ସବୁଠୁ ଅଧିକ ମନ୍ଦିର ତଥା ପ୍ରତ୍ନତାତ୍ତ୍ୱିକ ରହିଥିବାବେଳେ ଏଏସ୍ ଆଇର କୌଣସି ବରିଷ୍ଠ ଅଧିକାରୀ ଓଡ଼ିଶାରେ ରହି କାମ କରନ୍ତି ନାହିଁ । ଏ ସମ୍ପର୍କରେ ରାଜ୍ୟ ସରକାର ମଧ୍ୟ ଖୁବ୍ ବେଶୀ ସଚେତନ ଥିଲା ଭଳି ମନେ ହେଉନାହିଁ ।

ମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟସରକାରଙ୍କ ହାତରେ ଥିବାବେଳେ ଦେଉଳ ରକ୍ଷଣାବେକ୍ଷଣର ଦାୟିତ୍ୱ ଭାରତ ସରକାରଙ୍କ ହାତରେ ରହିଛି । ତେଣୁ ଓଡ଼ିଶା ସରକାରଙ୍କର ଦାୟିତ୍ୱ ହେଉଛି ଭାରତ ସରକାରଙ୍କୁ ଏ ସମ୍ପର୍କରେ ନିୟମିତ ଅବଗତ କରାଇବା । ଅନେକ ସମୟରେ ଲାଗୁଛି, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଠି ପରସ୍ପର ଉପରକୁ ଦୋଷ ଦେବା ପ୍ରତିଯୋଗିତାରେ ଅବତୀର୍ଣ୍ଣ ।

ଜଗନ୍ନାଥ ରାଜନୀତିର ପଶାପାଲି ନୁହଁନ୍ତି, ତାଙ୍କୁ ନେଇ ପ୍ରତି ମୁହୂର୍ତ୍ତରେ ରାଜନୀତି କରିବାକୁ ଚାହୁଁଥିବା ରାଜନୈତିକ ଦଳ ଗୁଡ଼ିକ ଏଥିରୁ ନିବୃତ୍ତ ରହିବା ଦରକାର । ଜଗନ୍ନାଥଙ୍କ ଉପରେ ଲୋକଙ୍କର ଆସ୍ଥା ରହିଛି ବୋଲି ସେହି ଆସ୍ଥାର ରାଜନୀତିକରଣ ଯଦି କରାଯାଏ, ତା’ର ପ୍ରଭାବ ସେହି ଆସ୍ଥା ଉପରେ ହିଁ ପଡ଼ିବ ।

ଶ୍ରୀଜଗନ୍ନାଥ କ୍ଷମତା ଲାଳସା ଚରିତାର୍ଥ କରିବା ପାଇଁ ରତ୍ନ ସିଂହାସନରେ ବସିନାହାନ୍ତି । ସେ ସାଧାରଣ ମଣିଷର ଠାକୁର । ତାଙ୍କୁ ଅସାଧାରଣ ରାଜନୈତିକ କ୍ଷମତାର କେନ୍ଦ୍ର ଭାବରେ ଗଢି ତୋଳିବା ପାଇଁ ରାଜନେତା ଓ ସାମ୍ବାଦିକମାନଙ୍କର ଅଶ୍ଲୀଳ ପ୍ରତିଯୋଗିତା ସବୁବେଳେ ଅବ୍ୟାହତ ରହିଛି ।

ଏହି ପ୍ରତିଯୋଗିତା ଯେତିକି ତୀବ୍ରତର ହେଉଛି, ଜଗନ୍ନାଥଙ୍କୁ ନେଇ ସାଧାରଣ ଓଡ଼ିଆର ଆସ୍ଥା ସେତିକି ସଂକଟ ଅ।ଡ଼କୁ ଠେଲି ହେଇଯାଉଛି । ରାଜନୈତିକ ଦଳ ଓ ଗଣମାଧ୍ୟମ ଜଗନ୍ନାଥଙ୍କୁ ନେଇ ଅଧିକ ବିତର୍କ କରିବା ଅପେକ୍ଷା ମନ୍ଦିର ପରିଚାଳନା ଓ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେଲେ, ଲୋକେ ଉପକୃତ ହୁଅନ୍ତେ ।

ତାହା ନ କରି ଜଗନ୍ନାଥଙ୍କୁ ସାମାଜିକ ବିତର୍କର ପେଣ୍ଡୁ ଭାବରେ ଯେଉଁମାନେ ବ୍ୟବହାର କରୁଛନ୍ତି, ସେମାନେ ଜଗନ୍ନାଥ ସଂସ୍କୃତିର ସଂରକ୍ଷକ ନୁହନ୍ତି, ବରଂ ସେମାନଙ୍କ ପାଇଁ ଜଗନ୍ନାଥ ଅଧିକ ନିନ୍ଦିତ ହେଉଛନ୍ତି ।

ପୁରୀ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସାଂସ୍କୃତିକ ବିଭବକୁ ସାଇତି ରଖିବାର ଦାୟିତ୍ୱକୁ ଏକ ରାଜନୈତିକ ଚାଲବାଜିର ରୂପ ଦେଉଥିବା ଲୋକଙ୍କୁ ଓଡ଼ିଆ ଜାତି ଯଦି ଚିହ୍ନି ନ ପାରିବ, ତାହା ହେଲେ ସେଇଟା ଜାତିର ହିଁ କ୍ଷତି ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ଓଡିଶା, ଜଗନ୍ନାଥ, ପୁରୀ

ବିହାର ନିର୍ବାଚନ ଓ ଓଡିଶାରେ ତାହାର ପ୍ରଭାବ

November 10, 2015 by ନିଉଜ ଡେସ୍କ Leave a Comment

ଶ୍ରୀ ବିଦୁର

ବହୁଚର୍ଚ୍ଚିତ ବିହାର ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟସ୍ତରରେ ପ୍ରଭାବ ପକାଇବ ବୋଲି ୩ୟ ଥର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ନିତିଶ କୁମାର ସାମ୍ବାଦିକ ସମ୍ମିଳନୀରେ ମନ୍ତବ୍ୟ ରଖିଛନ୍ତି । ଓଡିଶାରେ ଏହି ଫଳାଫଳ ର ପ୍ରଭାବ ପଡିବ କି ? ଯଦି ପଡିବ କି ପ୍ରଭାବ ପଡିବ ଏହି ଆଲୋଚନା ଏବେ ଜୋର ଧରିଛି ।

navin
ନବୀନ ପଟନାୟକ

ବିହାରରେ ନିତିଶକୁମାରଙ୍କ ଜନତା ଦଳ -ୟୁ ଏକଦା ବିଜେପି ନେତୃତ୍ଵରେ ଗଠିତ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟର ଅଂଶ ଥିଲା । ଏପରିକି ବିଜେପି ନିତିଶକୁମାରଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାରରେ କ୍ଷମତାର ଭାଗୀଦାର ଥିଲା । ପରବର୍ତ୍ତୀ ସମୟରେ ନିତିଶକୁମାର ଲାଲୁ ଓ କଂଗ୍ରେସ ସହ ମିଶି ଏକ ମହାମେଣ୍ଟ ଗଠନ କରି ନିର୍ବାଚନ ଲଢି ସଫଳତା ହାସଲ କଲେ ।

ଯଦିଓ ବିହାର ତୁଳନାରେ ଆମ ରାଜ୍ୟର ଜନ ସଂଖ୍ୟା କମ ଓ ସେଠାରେ ନିର୍ବାଚନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ଜାତିଆଣ ରାଜନୀତି ଓଡିଶାର ଦେଖିବାକୁ ମିଳେ ନାହିଁ ତଥାପି ରାଜନୈତିକ ଦୃଶ୍ୟପଟ୍ଟକୁ ବିଚାର କଲେ ଓଡିଶାର ଚିତ୍ର ଭିନ୍ନ ନୁହେଁ ।

ନୀତିଶଙ୍କ ପରି ଓଡିଶାରେ ନବୀନ ପଟନାୟକଙ୍କ ବିଜୁ ଜନତା ଦଳ ମଧ୍ୟ ଏକଦା ବିଜେପି ନେତୃତ୍ଵରେ ଗଠିତ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟର ଅଂଶୀଦାର  ଥିଲା । ରାଜ୍ୟ ସରକାରରେ ମଧ୍ୟ ବିଜେପି କ୍ଷମତାର ଭାଗୀଦାର ରହିଥିଲା ।

ବିହାରରେ ବିଜେପି ନିଜ ସଙ୍ଗଠନକୁ ମଜଭୁତ କରିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ରାଜନୀତି ପଶାପାଲିର ସହଜ ମାର୍ଗ ଜରିଆରେ ସଫଳତା ପାଇବା ପାଇଁ ଉଦ୍ୟମ କରିବା ଏହାର  ବିପର୍ଯୟର କାରଣ ହେଲା ବୋଲି ସମୀକ୍ଷକ ମାନେ ମତ ଦେଉଛନ୍ତି ।

ବିଜେପି ଜାତିଆଣ ରାଜନୀତିର ବିରୋଧୀ ଭାବେ ଜନ ମାନସରେ ନିଜକୁ ପ୍ରସ୍ତୁତ କରିଆସିଥିବା ବେଳେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଝିଙ୍କୁ ନେଇ ରାଜନୈତିକ ଧୃବିକରଣ କରିବାକୁ ଉଦ୍ୟମ କରିବା , ପ୍ରାର୍ଥୀ ମନୋନୟନରେ ସ୍ଥାନୀୟ ସଙ୍ଗଠନକୁ ଗୁରୁତ୍ଵ ନ ଦେବା ଏହି ପରି ଅନେକ କାରଣ ଯୋଗୁଁ ପାର୍ଟି ଏ ଏହି ସ୍ଥିତି ହୋଇଥିବା ଏହି ଦଳର ଅସନ୍ତୁଷ୍ଟ ନେତା ମାନେ ଖୋଲା ଖୋଲି ଭାବେ କହୁଛନ୍ତି।

dharmendra
ଧର୍ମେନ୍ଦ୍ର ପ୍ରଧାନ

ଠିକ ସେହି ପରି ଓଡିଶାରେ ମଧ୍ୟ ବିଜେପି ତାର ସାଙ୍ଗଠନିକ ସ୍ଥିତି ଦୃଢ କରିବା ପରିବର୍ତ୍ତେ ସହଜରେ କିପରି କ୍ଷମତା ହାସଲ କରିହେବ ସେ ପ୍ରଚେଷ୍ଟାରେ ଲାଗିଥିବା ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।

ଦଳର ଏକ ଗୋଷ୍ଠୀ ବିଜୁ ଜନତା ଦଳ ଓ କଂଗ୍ରେସ  କୁ ଭାଙ୍ଗି ବିଜେପିରେ ମିଶାଇବା, ଅଥବା ବିଜୁ ଜନତା ଦଳ ସହ ନିର୍ବାଚନ ବୁଝାମଣା କରିବା ଆଦି ବିକଳ୍ପ ରାସ୍ତା ଉପରେ ଜୋର ଦେଉଥିବା ବେଳେ ରାଜ୍ୟର ମୁଖ୍ୟ ସମସ୍ୟା କୁ ଯେଭଳି ଭାବରେ ଉଠାଇବା ଉଚିତ ତାହା କରୁନଥିବା ପରିଲକ୍ଷିତ ହେଉଛି ।

ଆଗାମୀ ଦିନରେ ଏକାକୀ କଂଗ୍ରେସର ପୁଣି କ୍ଷମତାକୁ ଫେରି ଆସିବାର ସମ୍ଭାବନା ଯେତେ କ୍ଷୀଣ ତାହାର ଅର୍ଥ ଯେ କେବଳ ଭାରତୀୟ ଜନତା ପାର୍ଟି କୁ ସହାୟକ ହେବ, ତାହା ଭାବିବା ଠକ୍ ନୁହେଁ ।

ଜରୁରୀକାଳ ପରିସ୍ଥିତିରୁ ଉଦ୍ଭବ କଂଗ୍ରେସ – ବିରୋଧି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରେରିତ ଜନତାଦଳର ମୁଖ୍ୟ ଅଂଶ , ଏବେ ସରିଥିବା ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସସହ ମହାଗଠବନ୍ଧନ କରି ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ  କରି ପ୍ରମାଣ କରିଦେଲେ ଯେ, ସେମାନଙ୍କ ଏକକାଳୀନ ସହଯୋଗୀ ଦଳ ଭାରତୀୟ ଜନତା ପାର୍ଟିକୁ ଏକାକୀ ଆଗକୁ ଯିବାକୁ ଦେବେନାହିଁ ।

ଜାତୀୟ ସ୍ତରରେ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ଅଣହିନ୍ଦୁ ତଥା ଜାତିଆଣ ରାଜନୀତିର ସମ୍ମୁଖୀନ ହେବାକୁ ପଡ଼ିବ, ଯାହା ବିହାର ନିର୍ବାଚନରେ ସ୍ପଷ୍ଟ ବାରି ହେଉଛି ।

nitish
ନୀତିଶ କୁମାର

ଭାରତୀୟ ଜନତା ପାଟିର୍ ର ଏହି ଦଶା ହେବ ବୋଲି ସୂଚନା ଥିଲା, ଯେଉଁଭଳି ଭାବେ ଦଳର କେନ୍ଦ୍ର ନେତୃତ୍ବ ଟିକଟ ବଣ୍ଟନଠୁଁ ଆରମ୍ଭକରି ପ୍ରଚାର କାର୍ୟକ୍ରମରେ ସ୍ଥାନୀୟ ନେତାଙ୍କୁ ଅବହେଳା କରୁଥିଲେ ଏବଂ ଆଗକୁ ନିର୍ବାଚନ ଥିବା ସମୟରେ ସମ୍ବିଧାନରେ ଥିବା ସଂରକ୍ଷଣ ବ୍ୟବସ୍ଥା ବିଷୟରେ ଟିପ୍ ପଣି ଦେବା ଇତ୍ୟାଦି ଘଟଣା ନିଶ୍ଚିତ ଭାବେ ବିହାରର ଜାତିଆଣ ରାଜନୀତିକୁ ଖୋରାକ୍ ଯୋଗାଇଛି, ଏଥିରେ ସନ୍ଦେହ ନାହିଁ ।

ଜାତୀୟ ସ୍ତରରେ ଭାରତୀୟ ଜନତା ପାଟିର୍ ସକାଶେ ରାଜନୈତିକ ବାତାବରଣ ଆହୁରି ଜଟିଳ ହୋଇଛି, ଏଥିରେ ସନ୍ଦେହ ନାହିଁ ।

ଓଡ଼ିଶାରେ ଏହାର ପ୍ରଭାବ ନିଶ୍ଚୟ ପ୍ରତିଫଳିତ ହେବ ବୋଲି ଜଣାପଡ଼ୁଛି।ରାଜ୍ୟସଭାରେ ଏନ୍ ଡି ଏ ଶାସକ ଗୋଷ୍ଠୀ ସପକ୍ଷରେ ସଂଖ୍ୟା କମ୍ ଥିବା କାରଣରୁ ଓଡ଼ିଶାର ବିଜୁ ଜନତା ଦଳର ବିଶେଷତ୍ଵ ବଢିଛି ଏବଂ ଆଗାମୀ ଦିନରେ ପୁଣି ଗଠବନ୍ଧନର ଆବଶ୍ୟକତାର  ଯାହାକିଛି ସମ୍ଭାବନା ଥିଲା, ବିହାର ଫଳାଫଳ ପରେ ତାହା ଆହୁରି ମଳିନ ହୋଇଯାଇଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଓଡ଼ିଶାରେ ଭାରତୀୟ ଜନତା ପାଟିର୍ ୨୦୧୪ ନିର୍ବାଚନ ପରଠାରୁ ଆହୁରି ଦୁର୍ବଳ ହୋଇ ପଡ଼ିଛି । ଗାଁ ଗହଳର ସମସ୍ୟାକୁ ବୁଝିଲା ଭଳି ନେତାଙ୍କ ଭୀଷଣ ଅଭାବ ରହିଛି । ଚାଷୀଙ୍କ ସମସ୍ୟା ତଥା ଗ୍ରାମୀଣ ଶିକ୍ଷକଙ୍କ ସମସ୍ୟା ବିରୋଧି ଦଳ ଭାବେ ଆଗକୁ ନେବାପାଇଁ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଢାଂଚାର ଘୋର ଅଭାବ ରହିଛି । ସଙ୍ଗଠନ ନିର୍ମାଣ ଦିଗରେ ପାଟିର୍ ର କେନ୍ଦ୍ର ନେତୃତ୍ଵ ଯେ ତତ୍ପର ନୁହଁ, ତାହା ପରିଷ୍କାର ଜଣା ପଡ଼ୁଛି ।

lalu
ଲାଲୁ ପ୍ରସାଦ ଯାଦବ

ଅନ୍ୟ ଦଳରୁ ବହୁନେତା ବିଜେପିରେ ମିଶିଛନ୍ତି ଓ ରାଜ୍ୟସ୍ତରରେ ତାଙ୍କୁ ବହୁତ ପ୍ରାଧାନ୍ୟ ଦିଆଯିବା ପରେ ମଧ୍ୟ ଦଳର ଲୋକପ୍ରିୟତା ବଢିବା ଦେଖାଯାଉନାହିଁ । ଦଳରେ ଯେଉଁମାନେ ନିସ୍ଵାର୍ଥପର ଭାବେ କାମକରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ, ସେମାନଙ୍କୁ ବର୍ଷ ବର୍ଷ ଧରି ପାର୍ଟି ରୁ  ବାହାରେ ନିଳମ୍ବିତ କରି ରଖାଯାଇଛି ।

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ଦଳ ପରିଚାଳିତ ହେଉଛି ବୋଲି ଉଚ୍ଚ ରାଜନୈତିକ ମହଲରେ ପ୍ରବଳ ଚର୍ଚ୍ଚା ଧରିଛି । ସେ ବିହାରରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟ ତଥା ବିଧାନସଭା ନିର୍ବାଚନ ଦାୟିତ୍ଵରେ ଥିବା ଜଣେ ମୁଖ୍ୟ କାରପଟଦାର ।

କିନ୍ତୁ  ବିହାରରେ ଦଳର ବିପର୍ଯୟ ପରେ ଧର୍ମେନ୍ଦ୍ରଙ୍କ କେନ୍ଦ୍ରରେ କଅଣ ସ୍ଥିତି ରହିବ ତାହା ହିଁ ବହୁ ଅଂଶରେ ଓଡ଼ିଶା ରାଜନୀତିକୁ ଖୋରାକ ଦେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ପୋଷଣ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଓଡିଶା, ବିହାର ନିର୍ବାଚନ, ରାଜନୀତି

‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ

November 2, 2015 by ନିଉଜ ଡେସ୍କ 3 Comments

ସୁଧୀର ପଟ୍ଟନାୟକ

ରାଜ୍ୟରେ କୃଷକମାନଙ୍କ ଆତ୍ମହତ୍ୟା ଧାରାବାହିକ ଭାବେ ଚାଲିଛି । ଗୋଟିଏ ପରେ ଗୋଟିଏ ଯୁବଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି । ଅଧିକାଂଶ ସବୁଜ ବିପ୍ଳବର ସୌଜନ୍ୟରୁ ମିଳିଥିବା କୀଟନାଶକ ପାନ କରି ମୃତ୍ୟୁବରଣ କରୁଛନ୍ତି । ଯେଉଁ କୀଟନାଶକ ପିଇ କୃଷକଟି ମରିଯାଉଛି, ସେହି କୀଟନାଶକ ଆମ ଜମି ୪୦ବର୍ଷରୁ ଊର୍ଦ୍ଧ୍ଵ କାଳ ଧରି ପିଇଆସିଛି ।

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ

ଆମେ ବି ଫସଲ ଖାଇ ଆସିଛୁ । ସେ ଏକ ଭିନ୍ନ କଥା ଏବଂ ଏହାର ଆଲୋଚନା ଅନ୍ୟତ୍ର କରାଯାଇପାରେ । ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟରେ କୃଷକ ଆତ୍ମହତ୍ୟାର ଧାରାଟିକୁ ବନ୍ଦ କରାଯିବ କେମିତି? ବିଡ଼ମ୍ବନାର କଥା ଯେ ଏଭଳି ଏକ ଦାରୁଣ ଘଟଣାର ଧାରାବାହିକତା ଆମ ସମାଜକୁ ବିଚଳିତ କରୁନାହିଁ ।

ସାଧାରଣ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରାଜରାସ୍ତାକୁ ଓହ୍ଲାଇ ସରକାର ପାଖରେ ପ୍ରତିବାଦ କରୁନାହାନ୍ତି । ଯେଉଁ କୃଷକ ଲାଗି ନିଜେ ବଞ୍ଚି ରହିଛନ୍ତି, ସେହି କୃଷକର ମୃତ୍ୟୁରେ ସାମାନ୍ୟତମ ଶୋକ ନାହିଁ । ଆଗରୁ କେବେ ଏ ସମାଜଟି ଏତେ ସମ୍ବେଦନହୀନ ହେଇନଥିଲା । ଗହମ-ଚାଉଳର ବଜାରଟି ଚାଷୀ ଆଉ ସାଧାରଣ ମଣିଷ ଭିତରେ ବଡ଼ ବ୍ୟବଧାନଟିଏ ଛିଡ଼ା କରିଦେଇଛି ।

ସମାଜର ପ୍ରତିଟି ମଣିଷ ଯେମିତି ଗୋଟିଏ ଗୋଟିଏ ଖାଉଟି ହୋଇଯାଇଛନ୍ତି ଯେଉଁମାନଙ୍କର ଖାଦ୍ୟ ଉତ୍ପାଦନ କେମିତି ହେଉଛି ବା କିଏ କରୁଛି ଜାଣିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଦରକାର ବଜାରଟିଏ । ସେହି ବଜାରକୁ ଯାଇ କାଗଜନୋଟ ବଢ଼ାଇ ଦେଇ ମନ ମୁତାବକ ଖାଦ୍ୟ ଦରବ କିଣି ହୋଇଯିବ ।

ବଜାରକୁ ଆସୁଥିବା ଜିନିଷ ଭାରତୀୟ କୃଷକଙ୍କ ଝାଳ ରକ୍ତରେ ଉତ୍ପାଦିତ ହୋଇଛି କି ନାହିଁ ଜାଣିବା ବି ଦରକାର ନାହିଁ । ଅଷ୍ଟ୍ରେଲିଆ, ଥାଇଲାଣ୍ଡ ବା ମ୍ୟାଲେସିଆରୁ ଖାଦ୍ୟଦ୍ରବ୍ୟ ଆସି ଯଦି ଏଠି ମିଳିଯାଏ, ପଇସା ଦେଇ ତାକୁ କିଣାଯାଇପାରିବ । ଏଭଳି ଖାଦ୍ୟଶସ୍ୟ ବାହାରୁ ଆସିଲେ ଭାରତୀୟ ଚାଷୀ ନିଜ ଉତ୍ପାଦନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେଉନାହିଁ ତ? ଏଭଳି ପ୍ରଶ୍ନ ବା ମନକୁ ଆସିବ କାହିଁକି?

ବଜାରୀକରଣ, ଜଗତୀକରଣ ଓ ଉଦାରୀକରଣ ପ୍ରକ୍ରିୟାଟି ସମଗ୍ର ସମାଜକୁ ନିଜ ଲୋକଙ୍କ ପ୍ରତି ଉଦାସୀନ କରିଦେଇଛି । ସମଗ୍ର ଚାଷୀକୂଳ ଯେ ଅଭାବୀବିକ୍ରି, ଫସଲହାନୀ, ଋଣବୋଝ, ଖର୍ଚ୍ଚବହୁଳ ଚାଷର ଶିକାର ହେଉଛନ୍ତି, ତାହା କେବଳ ନୁହଁ । ସେମାନଙ୍କ ଚାରିପଟେ ଅଛି ସେମାନଙ୍କ ସମସ୍ୟା-ସ୍ଥିତିକୁ ଉପହାସ କରୁଥିବା ବା ଭୟଙ୍କର ଭାବେ ଉଦାସୀନ ରହିଥିବା ଏକ ଯନ୍ତ୍ରବତ୍ ସମାଜ ।

ସରକାରଟା ସ୍ୱାଧୀନ ଭାରତରେ କେବେ ବି କୃଷକର ନଥିଲା । ଶାସ୍ତ୍ରୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଯଦି ନଥାନ୍ତେ ଏବଂ ସବୁଜ ବିପ୍ଳବକୁ ଏ ଦେଶରେ ସଂସ୍ଥାପିତ କରିବାର ଯଦି ଯୋଜନା ବି ନଥାନ୍ତା ତେବେ ‘ଜୟ କିଶାନ’ର ନାରା ବି ଶୁଣିବାକୁ ମିଳିନଥାନ୍ତା । ବର୍ତ୍ତମାନ କେବଳ ଜୟ ଜବାନ, ଜୟ ପୋଲିସର ନାରା ହିଁ ଶୁଣିବାକୁ ମିଳୁଛି ।

କିଶାନର ଜୟଗାନ ସରକାର ବା କରିବେ କ’ଣ ପାଇଁ ? ସବୁଜ ବିପ୍ଳବ ଭିତରେ ସରକାର ବହୁରାଷ୍ଟ୍ରୀୟ କୃଷି କମ୍ପାନୀମାନଙ୍କର ଜୟ ଜୟକାର କରି ଆସିଛନ୍ତି । ୨୦୧୨-୧୩ରେ ଭାରତରେ ସକ୍ରିୟ ଥିବା ସାର କମ୍ପାନୀମାନେ ମିଳିତ ଭାବେ ୩କୋଟି ୨୪ଲକ୍ଷ ଟନ୍ ସାର ଉତ୍ପାଦନ କରିଛନ୍ତି । ତଥାପି ତାହା ଯଥେଷ୍ଟ ହୋଇନାହିଁ ଯେ ବାହାରୁ ଆମଦାନୀ କରାଯାଇଛି ।

ଏହା ସହ ପଢନ୍ତୁ

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଆଶା କରାଯାଉଛି ଯେ ୨୦୧୭-୧୮ ସୁଦ୍ଧା ଏହି ଉତ୍ପାଦନ (ୟୁରିଆ, ଡାଇ ଆମୋନିଅମ୍ ଫସ୍ଫେଟ୍, ନାଇଟ୍ରୋଜେନ୍, ଫସ୍ଫେଟ୍ ଓ ପଟାସିଅମ୍ ଇତ୍ୟାଦି) ୬କୋଟି ୪୮ଲକ୍ଷ ୪୦ହଜାର ଟନରେ ପହଞ୍ଚିବ (କୃଷି ଜାଗରଣ, ଡିସେମ୍ବର ୧୬, ୨୦୧୪) । ବିହନ, ସାର ଓ କୀଟନାଶକ ତିଆରି କରୁଥିବା କମ୍ପାନୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଭ ଉଠାଉଥିବାବେଳେ ସେହି ସମୟକାଳ ଭିତରେ ଏ ଦେଶରେ ୩ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଲେଣି ।

କେବଳ ଆମ ରାଜ୍ୟରେ ହିଁ ୩ହଜାରରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିସାରିଲେଣି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ମୁତାବକ ଆମ ଦେଶରେ ସବୁଠାରୁ ଅଧିକ କୃଷକ ଆତ୍ମହତ୍ୟା ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଞ୍ଚଳରେ ହୋଇଆସିଛି । ଓଡ଼ିଶାରେ କୃଷକ ଆତ୍ମହତ୍ୟା କ୍ଷେତ୍ର ଏତେଟା ପରିଚିତ ନଥିଲା ।

କିନ୍ତୁ ଗତ ୨ସପ୍ତାହର ଘଟଣାପ୍ରବାହ ସୂଚାଇ ଦେଉଛି ଯେ କୃଷକ ଆତ୍ମହତ୍ୟା ଆମ ରାଜ୍ୟରେ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୮-୦୯ରେ ମଧ୍ୟ ଧାରାବାହିକ ଭାବେ କୃଷକ ଆତ୍ମହତ୍ୟା ନଜରକୁ ଆସିବାରୁ ନବୀନ ସରକାର ବାଧ୍ୟହୋଇ ଆନ୍ତରିକତା ବିହୀନ ମଣିଷମାନଙ୍କୁ ନେଇ ଏକ ରାଜ୍ୟ କୃଷକ କମିଶନ ତିଆରି କରିଥିଲେ ଯାହାର ଅଧ୍ୟକ୍ଷ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁମୋହନ ପଟ୍ଟନାୟକ ।

ଆଉ ଯେଉଁମାନେ ସଦସ୍ୟ ଥିଲେ ସେମାନେ କୃଷି ଓ କୃଷକର ସମସ୍ୟା ପ୍ରତି କେବେ ସମ୍ବେଦନଶୀଳ ଥିବାର ଦୃଷ୍ଟାନ୍ତ ସେମାନଙ୍କ ନିଜର ବୃତ୍ତିଗତ ଇତିବୃତ୍ତିରୁ ଜଣାପଡ଼େ ନାହିଁ । ଡଃ ଡି.ପି.ରାୟ ଓ.ୟୁ.ଏ.ଟି.ର ବିବାଦମାନ କୁଳପତି ଜଣେ ସଦସ୍ୟ ଥିଲେ । ଆଉ ଜଣେ ସଦସ୍ୟ ଥିଲେ ଅନ୍ୟ ଏକ ବିବାଦମାନ ବ୍ୟକ୍ତିତ୍ୱ ଡଃ ନିରଞ୍ଜନ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।

ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା ବି ଜଣେ ସଦସ୍ୟ ଥିଲେ । ସେମାନଙ୍କ ରିପୋର୍ଟ କ’ଣ ଥିଲା ସବୁ କଥା ଲୋକଲୋଚନକୁ ଆସିନାହିଁ । ତେବେ ସେମାନେ ଯେ ସମସ୍ୟାର ଉଚିତ ଅନୁଧ୍ୟାନ କରି ସୁଚିନ୍ତିତ ମତବ୍ୟକ୍ତ କରିଥିବେ, ଜାଣିବାଶୁଣିବା ଲୋକମାନଙ୍କର ବିଶ୍ୱାସ ନଥିଲା ।

ସେମାନଙ୍କ ଭିତରୁ କେହି କେହି ସେ ସମୟର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ୁଥିଲା ଯେ ଏମାନେ ସମସ୍ୟାର ପାଖତଡ଼ ବି ମାଡ଼ିପାରିବେ ନାହିଁ । ଏବେ ସରକାର ତରବରିଆ ଭାବେ ପ୍ରତିକାର ପାଇଁ ପ୍ୟାକେଜ୍ ଘୋଷଣା କରିସାରିଲେଣି । ସେଥିରେ କୃଷକ ଆତ୍ମହତ୍ୟାର କାରଣ ବାହାର କରି ପ୍ରତିକାରର ବାଟ ବାହାର କରିବା ଚିନ୍ତା ପ୍ରତିଫଳିତ ହେଉନାହିଁ ।

ବରଂ ସରକାର କେବଳ ମରୁଡ଼ି ପ୍ରତିକାର ପାଇଁ ପଦକ୍ଷେପ ନେଲାଭଳି ମନେ ହେଉଛି ଯେଉଁଥିପାଇଁ ତାଙ୍କୁ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପଇସା ଖର୍ଚ୍ଚକରି କୃଷକ ଆତ୍ମହତ୍ୟା ସମସ୍ୟାର ସମାଧାନ ଯେ କରିହେବ ନାହିଁ ସରକାର ବୁଝିବା ଦରକାର ।

ଆତ୍ମହତ୍ୟା କରୁଥିବା କୃଷକମାନଙ୍କ ଭିତରେ ଅଧିକାଂଶ ଭାଗଚାଷୀ ବା ନାମକୁମାତ୍ର ଚାଷୀ । ବଡ଼ ଚାଷୀ କେହି ଆତ୍ମହତ୍ୟା କରୁନାହାନ୍ତି । ଆମ କୃଷି ବ୍ୟବସ୍ଥାଟିକୁ ଏମିତି କରିଦିଆଯାଇଛି ଯେ ତାହା କେବଳ ବଡ଼ଚାଷୀଙ୍କୁ ସୁହାଇବ । ଛୋଟ ଚାଷୀ ପାଇଁ ସବୁଜ ବିପ୍ଳବର ଚାଷ ସୁହାଇ ପାରୁନାହିଁ ବୋଲି ପ୍ରମାଣିତ ହୋଇସାରିଲାଣି ।

ଯେଉଁ ଚତୁର ଚାଷୀମାନେ ଭାଗଚାଷୀ ହାତରେ ଜମିଖଣ୍ଡକ ଦେଇ ଦେଇଛନ୍ତି ସେମାନେ ପ୍ରକୃତରେ ଦୁର୍ଦ୍ଧଶାଟିକୁ ତା’ ହାତରେ ସମର୍ପଣ କରିଦେଉଛନ୍ତି । ଜମିର ଆକର୍ଷଣ ଓ ସ୍ୱାଧୀନ ଭାବେ ଚାଷ କରିବାର ସୁଯୋଗଟି ପାଇଁ ସେ ଯେଉଁ ଭଲ ଏକ ଜୀବନର ସ୍ୱପ୍ନ ଦେଖୁଛି, ତାହା ଦିନ କେତୋଟିରେ କେତେ ବଡ଼ ଦୁଃସ୍ୱପ୍ନଟିଏ ଥିଲା ପ୍ରମାଣିତ ହୋଇଯାଉଛି । ସେ କ ରୁ କ୍ଷ’ ଯାଏଁ ସବୁ ବଜାରରୁ କିଣିବାକୁ ପଡ଼ୁଛି-ତାହା ପୁଣି ଋଣ କରି ।

ବିହନ କିଣିବ, ସାର କିଣିବ, କୀଟନାଶକ କିଣିବ, ପାଣି କିଣିବ, ଟ୍ରାକ୍ଟର ଓ ଶ୍ରମ ଭଡ଼ାରେ ନେବ । ସବୁ ପାଇଁ ପଇସା ଦରକାର । ଏତେସବୁ କଲାପରେ ଫସଲ ଉଜୁଡ଼ିଗଲେ ଅବା ହେଇଥିବା ଫସଲର ବିକ୍ରିବଟା ଭଲ ଦରରେ ନହେଲେ ତା’ର ଭେଳା ବୁଡ଼ିଲା । ଏଭଳି ଏକ ଚକ୍ରବ୍ୟୁହ ଭିତରେ ଭାଗଚାଷୀ ବା ନାମକୁମାତ୍ର ଚାଷୀ ପଶିଯାଉଛି, ବାହାରି ପାରୁନାହିଁ ।

ଏହି ଚକ୍ରବ୍ୟୁହକୁ ଏ ଦେଶର ଚାଷୀକୂଳ ବୁଝିପାରିଥିଲେ ମୂଳରୁ ସବୁଜ ବିପ୍ଳବ ଆଡ଼କୁ ସରକାରୀ ପ୍ରୋତ୍ସାହନ ସତ୍ୱେ ଯାଇନଥାନ୍ତେ ବା ସବୁଜ ଆତଙ୍କକୁ ପ୍ରତିରୋଧ ନ କରିପାରି ହୁଏତ ଚାଷକୁ ଛାଡ଼ନ୍ତେ । ଏବେ ତାହାହିଁ ହେବ ଅଧିକାଂଶ ଚାଷୀ ଚାଷ ଛାଡ଼ିବେ । ସହରକୁ ଯାଇ ଦାଦନ ଖଟିବେ, କିନ୍ତୁ ଚାଷକରିବେ ନାହିଁ ।

ସେମାନେ ଛାଡ଼ିବା ଚାଷଜମି ବଡ଼ଚାଷୀ ବା କମ୍ପାନୀମାନେ କିଣିବେ ବା ଠିକାରେ ନେଇ ଚାଷ କରିବେ । ସେମାନଙ୍କୁ ସବୁପ୍ରକାର ଋଣ ସୁଲଭ ଦରରେ ମିଳିବ ଓ ପର୍ଯ୍ୟାପ୍ତ ପରିମାଣରେ ରିହାତି ପାଇବେ । କାହାଠୁ ଧାର କରଜ କରିବାକୁ ପଡ଼ିବନି । ସବୁ ସରକାର ବା ତାଙ୍କ ବ୍ୟାଙ୍କମାନେ ଯୋଗାଇ ଦେବେ ।

ଆମକୁ ଏ କଥାଟିକୁ ହଜମ କରିବାକୁ ପଡ଼ିବ ଯେ ଭାରତୀୟ କୃଷିକୁ ବଡ଼ଚାଷୀମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି – ସବୁଜ ବିପ୍ଳବ ମାଧ୍ୟମରେ । ଗୁଣସୂତ୍ର ବିପ୍ଳବ ମାଧ୍ୟମରେ ବଡ଼ଚାଷୀ ଓ ବଡ଼ କମ୍ପାନୀମାନଙ୍କ ଭାଗୀଦାରିତାର କୃଷି ଆଡ଼କୁ ଆମକୃଷିକୁ ଟଣାଯାଉଛି ।

ସେଥିପାଇଁ କୃଷକ ଆତ୍ମହତ୍ୟାର ଅନ୍ତ ନାହିଁ । ଯେକୌଣସି ପ୍ୟାକେଜ୍ ଘୋଷଣା କଲେ ବି ତାହା ମୂଲ୍ୟହୀନ ହେଇଯିବ । ଆମେ ବରଂ ସରକାରଙ୍କ ନିକଟରେ ଦାବୀ କରିବା କଥା ଯେ ଓଡ଼ିଶାର ଚାଷୀକୂଳର ଚାଷ ଜମିର ପରିମାଣ ଓ କ୍ଷେତ ସହ ସମ୍ପର୍କକୁ ହିସାବ କରି କେମିତି ଆମ ରାଜ୍ୟରେ ଅନ୍ତତଃ ବିନା ପୁଞ୍ଜି ବିନିଯୋଗରେ କୃଷି କେମିତି କରାଯାଇପାରିବ, ସେଥିପାଇଁ ଅଧିକ ଦୃଷ୍ଟି ଦେବେ ।

ଏଭଳି ଏକ କୃଷିପାଇଁ ଆୟୋଗଟିଏ ଗଠନ କରାଯାଉ । ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ ଓ ଅନ୍ୟତ୍ର ଏକାପ୍ରକାର ଜୈବକୃଷିର ପ୍ରଶିକ୍ଷଣ ଦେଉଥିବା ବିଶିଷ୍ଟ ଚାଷୀ ସୁବାସ ପାଲେକର ଭଳି ବ୍ୟକ୍ତିଙ୍କୁ ସେହି ଆୟୋଗରେ ନିଆଯାଉ । ଖର୍ଚ୍ଚବହୁଳ ରାସାୟନିକ କୃଷିରୁ ବିନା ଖର୍ଚ୍ଚରେ ଜୈବଚାଷ ଆଡ଼କୁ ଫେରିବା ପାଇଁ ୨/୩ ବର୍ଷ ସମୟ ଲାଗିବ ।

ସେହି ସମୟ ପାଇଁ ସରକାର ସମ୍ପୂର୍ଣ୍ଣ ଅର୍ଥ ସାହାଯ୍ୟ ତଥା ମଜୁରୀ ଭିତ୍ତିକ କର୍ମ ଯୋଗାଣ କଥା ଚିନ୍ତା କରନ୍ତୁ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ଥିବା ସମସ୍ତ ଫାର୍ମ ତଥା ଜମିକୁ ଜୈବ ବିହନ ଉତ୍ପାଦନ ପାଇଁ ବିନିଯୋଗ କରନ୍ତୁ । ଏ ବାବଦରେ ଅଧିକ କ’ଣ କରିହେବ, ସରକାର ମତାମତ ମଧ୍ୟ ସଂଗ୍ରହ କରନ୍ତୁ ।

ସୁତରାଂ, କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷୀ ବା ଦେଶୀ ପଦ୍ଧତିରେ ଚାଷ କରୁଥିବା ଭାଗଚାଷୀ ଆତ୍ମହତ୍ୟା କରିନାହାଁନ୍ତି ।

(ସୌଜନ୍ୟ- ସମଦୃଷ୍ଟି)

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଆତ୍ମହତ୍ୟା, ଓଡିଶା, ଚାଷୀ, ସୁଧୀର ପଟ୍ଟନାୟକ

ରାଜନାଥଙ୍କୁ ଭେଟି ପୁରୁଣା ଦାବି ଦୋହରାଇଲେ ନବୀନ

June 13, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରି ରାଜ୍ୟରେ ମାଓଦମନ ପାଇଁ ପୂର୍ବରୁ ସେ କରିଆସୁଥିବା ଦାବୀକୁ ଦୋହରାଇଛନ୍ତି ।

ଦୁଇଟି ମିଲିଟାରୀ ହେଲିକପ୍ଟର ଓ ସେଣ୍ଟ୍ରାଲ ଆର୍ମଡ ଫୋର୍ସର ଆଉ ଏକ ବାଟାଲିୟନ ଯୋଗାଇ ଦେବାପାଇଁ ଦାବି କରିବା ସହ ମାଓ ପ୍ରବଣ ଅଞ୍ଚଳରେ ମୋବାଇଲ ଟାୱାର ବୃଦ୍ଧି ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢକରିବା ପାଇଁ ପଦକ୍ଷେପ ନେବାପାଇଁ ସେ ଅନୁରୋଧ କରିଛନ୍ତି ।

ସେହିପରି ମାଲକାନାଗିରି ଜିଲ୍ଲାରେ ନିର୍ମାଣଧୀନ ଗୁରୁପ୍ରିୟା ସେତୁ ପାଇଁ ୧୮୭ କୋଟି ଟଙ୍କା ଦେବାକୁ ମଧ୍ୟ ସେ ଦାବି କରିଛନ୍ତି ।

ଓଡିଶା ଓ ଛତିଶଗଡ ସୀମା ଏବେ ମାଓବାଦୀଙ୍କ ଚରାଭୂଇଁ ପାଲଟିଥିବାରୁ ଏହି ଅଞ୍ଚଳରେ ସିଆରପିଏଫ ମୁତୟନର ଆବଶ୍ୟକତା ରହିଛି । ରାଜ୍ୟରେ ମୁତୟନ ହୋଇଥିବା ସିଆରପିଏଫର ଖର୍ଚ କେନ୍ଦ୍ର ସରକାର ରାଜ୍ୟ ଉପରେ ଲଦିଥିବାରୁ ତାହା ଛାଡ କରିବା ପାଇଁ ସେ ଅନୁରୋଧ କରିଥିଲେ ।

ଏଠାରେ ସୂଚନାଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ଏହି ସବୁ ଦାବି ବହୁ ପୂର୍ବରୁ କରିଆସୁଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଓଡିଶା, ନବୀନ ପଟ୍ଟନାୟକ, ମାଓ ଦମନ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Interim pages omitted …
  • Go to page 10
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ